ଆମ ଗାଁ ରାଜନୀତି

ସରପଞ୍ଚଙ୍କର ଜୀବନରେ ତ ଅନେକ ପରିବର୍ତ୍ତନ ଆସିଗଲା, ଗାଁ ଲୋକଙ୍କ ଜୀବନର କ'ଣ ହେଲା ? ସେହି ଇଲେକ୍ସନ ପରେ ଗାଁ ଲୋକଙ୍କ ଜୀବନରେ ସେମିତି କିଛି ଆଖି ଦୃଶିଆ ପରିବର୍ତ୍ତନ ହେଇନଥିଲା ।


ଫଟୋ - କେଦାର ମିଶ୍ର

ଯାଜପୁର ଟାଉନଠାରୁ ତେର ଚଉଦ କିଲୋମିଟର ଦୂରରେ ଥିବା ଆମ ଛୋଟିଆ ସୁନ୍ଦର ଗାଁଟି ସତରେ ଖୁବ୍ ସୁନ୍ଦର ଥିଲା ଆମ ଗାଁର ସୁନ୍ଦର ସୁନ୍ଦର ହୃଦୟର ମଣିଷମାନଙ୍କ ପାଇଁ । ଆଜି ଯେ ସେ ହୃଦୟମାନେ ଅସୁନ୍ଦର ହେଇଯାଇଛନ୍ତି ସେକଥା ନୁହେଁ, କିନ୍ତୁ କଥା ହେଉଛି ସେ ହୃଦୟଗୁଡ଼ିକ ଏବେ ପରସ୍ପରଙ୍କଠାରୁ ଦୂରେଇ ଯାଇଛନ୍ତି ବାହାରର ଘୃଣ୍ୟ, ପ୍ରଦୂଷିତ ରାଜନୀତିର ପ୍ରବେଶ ଯୋଗୁଁ ।

ରାଜନୀତି ଏକ ଉଚ୍ଚ ହୃଦୟର ବୃତ୍ତି, କିନ୍ତୁ ଯେତେବେଳେ ସେ ରାଜନୀତିରେ ସ୍ୱାର୍ଥ, ଘୃଣା, ହିଂସା ଓ ଅସହିଷ୍ଣୁତା ପ୍ରବେଶ କରେ ସେତେବେଳେ ରାଜନୀତି ଆଉ ଏକ ଉଚ୍ଚତର ନୀତି ପଦବାଚ୍ୟ ହୁଏନାହିଁ । ଏବେ ଆମ ଗାଁ ଓ ଗାଁ ରାଜନୀତିର ଅବସ୍ଥା ଠିକ ସେମିତି, ଏକ ପ୍ରଦୂଷିତ ପରିବେଶ ସୃଷ୍ଟିକାରୀ ଗ୍ରାମ୍ୟ ରାଜନୀତି ।

ଖୁବ୍ ସାନ ଥିଲାବେଳେ ମୁଁ ଦେଖିଛି ମୋ ଗାଁର ଲୋକମାନେ ଖୁବ୍ ସୁନ୍ଦର ଭାବେ ମିଳିମିଶି ଏକ ଭାଇଚାରର ସମ୍ପର୍କରେ ବାନ୍ଧି ହେଇ ଚଳୁଥିଲେ । ଗାଁରେ କାଳୀପୂଜା ସମୟରେ ଗ୍ରାମବାସୀ ମିଳିମିଶି ନାଚଗୀତ, ଡ୍ରାମାର ଆୟୋଜନ କରୁଥିଲେ । ଗଣେଶ ପୂଜା ସମୟରେ ସାରା ଗାଁ ଏକଜୁଟ ହେଇ ଯାଉଥିଲେ । ଗଣେଶଙ୍କ ମୂର୍ତ୍ତିଗଢ଼ାଠୁ ଆରମ୍ଭ କରି ଜନ୍ତାଳ ପାଇଁ ଘର ଘର ବୁଲି ପରିବା, ଚାଉଳ ସଂଗ୍ରହ, ପରିବା କଟା, ରୋଷେଇ ସବୁ ଗାଁ ଲୋକମାନେ ମିଳିମିଶି କରୁଥିଲେ । ଗଣେଶ ପୂଜାର ଜନ୍ତାଳ ଭୋଜି ଦିନ ସାରା ଗାଁ ଗୋଟିଏ ପରିବାର ଭଳି ଦିଶୁଥିଲା । ଗାଁରେ କାହାର ବାହାଘର ଥିଲେ ଭୋଜିରେ ପତ୍ର ପକେଇବା, ପରଷିବା, ପତ୍ର ଉଠେଇବା ଆଦି କାର୍ଯ୍ୟ ପାଇଁ ବାହାରୁ କ୍ୟାଟରିଙ୍ଗ୍ ବାଲାଙ୍କୁ ଡକା ଯାଉନଥିଲା, ଗାଁ ପିଲାମାନେ ବିନା ଡକା ହକାରେ ଖୁସିରେ ଖୁସିରେ ସେସବୁ କାମ କରୁଥିଲେ । ଯଦି କେହି ବାହାରୁ ଭଡ଼ାରେ କାଟରିଙ୍ଗ୍ ବାଲାଙ୍କୁ ଡାକିବା କଥା ଉଠାଉଥିଲେ ଗାଁ ପିଲା ମନ ଦୁଃଖ କରି କହୁଥିଲେ, "ଆମେ ଥାଉ ଥାଉ କାମ କରିବେ ବାହାର ଲୋକ ! ଏଇଟା ତ ଆମ ପାଇଁ ବଡ଼ ଗୋଟେ ଅପମାନ ।"

ସେତେବେଳେ ବୋଧେ ପଞ୍ଚାୟତ ଇଲେକ୍ସନ୍ କୌଣସି ରାଜନୈତିକ ଦଳ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେଉନଥିଲା । କାରଣ ସେତେବେଳେ ଗାଁରେ ୱାର୍ଡ ମେମ୍ବର୍ ପାଇଁ କେହି ପ୍ରାର୍ଥୀ ନିଜ ଆଡୁ ସାମ୍ନାକୁ ଆସୁନଥିଲେ । ଗାଁର ମୁଖିଆ ଶ୍ରେଣୀର ଲୋକମାନେ କାହାକୁ ଜଣକୁ ଚୟନ କରି ୱାର୍ଡ ମେମ୍ବର୍ ହେଇଯିବାକୁ ତାଙ୍କୁ ଅନୁରୋଧ କରୁଥିଲେ । ବିନା କୌଣସି ପ୍ରତିଦ୍ବନ୍ଦ୍ବୀରେ ଆମର ୱାର୍ଡ ମେମ୍ବର, ସମିତି ସଭ୍ୟ ବଛା ହେଉଥିଲେ । ସେହିଭଳି ସରପଞ୍ଚ ପ୍ରାର୍ଥୀ / ପ୍ରାର୍ଥୀନୀମାନେ ବି ଦଳଗତ ରାଜନୀତିଠୁ ଦୂରରେ ଥିଲେ । ସେଥିପାଇଁ ଏବେ ଯେଉଁ ଇଲେକ୍ସନ ସମୟରେ ଟଙ୍କା ବିତରଣ ଏବଂ ମଦ ଓ ମାଂସର ଭୋଜି ଦିଆଯାଉଛି ସେତେବେଳେ ସେ ସବୁ ହେଉନଥିଲା । ଯିଏ ଯାହାକୁ ପସନ୍ଦ କରୁଥିଲେ ତାଙ୍କୁ ଭୋଟ୍ ଦେଉଉଥିଲେ, ଟଙ୍କା ବଦଳରେ ଭୋଟ ବିକୁନଥିଲେ । ଇଲେକ୍ସନ ପୂର୍ବ ଓ ପରବର୍ତ୍ତୀ ସମୟରେ କୌଣସି ପ୍ରକାର ଗଣ୍ଡଗୋଳ, ଅଶାନ୍ତି ସୃଷ୍ଟି ହେଉନଥିଲା । ମୋଟାମୋଟି କହିବାକୁ ଗଲେ ପଞ୍ଚାୟତ ଇଲେକ୍ସନ ଗାଁ ଲୋକଙ୍କ ଭାଇଚାରାର ସମ୍ପର୍କ, ଆତ୍ମୀୟତା ଉପରେ କୌଣସି ପ୍ରକାର କୁପ୍ରଭାବ ପକାଉନଥିଲା ।

ମୁଁ ହାଇସ୍କୁଲରେ ପଢ଼ିବା ସମୟରେ ଏମିତି ଗୋଟେ ପଞ୍ଚାୟତ ଇଲେକ୍ସନ୍ ଆସିଲା ଯାହା ଆମ ଗାଁର ସୁଖ, ଶାନ୍ତି ଓ ସୌନ୍ଦର୍ଯ୍ୟକୁ ଏକଦମ୍ ନଷ୍ଟ କରିଦେଲା । ସେହି ସମୟରେ ରାଜନୈତିକ ଦଳମାନେ ଆମ ଗାଁ ରାଜନୀତିରେ ବୋଧେ ପ୍ରଥମ କରି ପ୍ରବେଶ କଲେ । ଛତା ଚିହ୍ନ ଓ ମାଛ ଚିହ୍ନ ଭିତରେ ଲଢେଇ ହେଲା । ଆମ ଗାଁରେ ଗୋଟେ ଗୋଟେ ଦିନରେ ଦୁଇଟା ଦୁଇଟା ଜାଗାରେ ଭୋଜି ହେଲା । ଛତା ଚିହ୍ନର ସମର୍ଥକମାନେ ଗୋଟେ ଭୋଜିରେ ଖାଉଥିବାବେଳେ ମାଛ ଚିହ୍ନର ସମର୍ଥକ ଆଉ ଗୋଟେ ଭୋଜିରେ ଖାଇଲେ । କେବେ ଦିନେ ମଦର ସ୍ୱାଦ ଚାଖି ନଥିବା କଲେଜ ପଢୁଆ ପିଲାମାନେ ମଦ, ମାଂସ ଭୋଜିରେ ଯୋଗ ଦେଇ ମଦ ପିଇବା ଶିଖିଲେ । ଘରେ ଘରେ ଭୋଟରଙ୍କ ପିଛା ତିନିଶହ ଟଙ୍କା ବଣ୍ଟାଗଲା । ମାଛ ଚିହ୍ନ ଓ ଛତା ଚିହ୍ନର ସମର୍ଥକମାନେ ପରସ୍ପର ସହ କଳିଗୋଳରେ ମାତିଗଲେ । ଗାଁ ଦୁଇ ଭାଗରେ ବିଭକ୍ତ ହେଇଗଲା । ଏଇ ପଞ୍ଚାୟତ ଇଲେକ୍ସନ ପାଇଁ ଗାଁରେ ଅନେକ ଯୌଥ ପରିବାର ମଧ୍ୟ ଭାଙ୍ଗି ଛୋଟ ଛୋଟ ପରିବାର ହେଇଗଲେ । ଭାଇ ଭାଇର ଶତ୍ରୁ ହେଇଗଲା ।

ସେହିଥର ପ୍ରଥମ କରି ଆମ ଗାଁରେ ୱାର୍ଡ ମେମ୍ବର ପାଇଁ ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥାନ୍ତି । ତାଙ୍କ ଭିତରୁ ଜଣଙ୍କ ପାଖରେ ଆମେ ଆଗରୁ ଟ୍ୟୁସନ୍ ହେଉଥିଲୁ । ଯେତେବେଳେ ସେ ୱାର୍ଡ ମେମ୍ବର ପାଇଁ ପ୍ରତିଦ୍ବନ୍ଦ୍ବିତା କଲେ ଆମ ପିଲାମାନଙ୍କ ପରିବାର ଭିତରୁ ଯିଏ ତାଙ୍କ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିଲେ ସେମାନେ ତାଙ୍କ ପିଲାଙ୍କୁ ତାଙ୍କ ପାଖକୁ ପଢ଼ିବାକୁ ଛାଡିଲେନାହିଁ ।

ସେହି ଇଲେକ୍ସନ ସମୟରେ ଗାଁର ବାତାବରଣ ଖରାପ ହେବାକୁ ଲାଗିଲା । ଦୁଇ ଦଳର ସମର୍ଥକମାନେ ଦିନରାତି ଝଗଡା, କଳିଗୋଳରେ ଲାଗି ରହିଲେ । ସାହି ପଡିଶାର ସମ୍ପର୍କ ନଷ୍ଟ ହେଲା । ପରସ୍ପରର ବିରୋଧୀ ଦଳର ପରିବାରକୁ ଯିବା ଆସିବା ବନ୍ଦ ହେଇଗଲା । ଛୋଟ ଛୋଟ ପିଲାଙ୍କୁ ମଧ୍ୟ ସାଙ୍ଗରେ ମିଶିବାକୁ ଦିଆଗଲା ନାହିଁ । ଗାଁର ଶାନ୍ତି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ମାଟିରେ ମିଶିଯାଇଥିଲା ।

ଏସବୁ ବିଶୃଙ୍ଖଳା ସହ ନିର୍ବାଚନ ଶେଷ ହେଲା । ତେବେ ନିର୍ବାଚନ ପରେ କ'ଣ ହେଲା ? ନିର୍ବାଚନରେ ଯେଉଁ ଦଳ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ, ରାତା ରାତି ବସ୍ତା ଭର୍ତ୍ତି କରି ଟଙ୍କା ବାଣ୍ଟିଥିଲେ ସେ ଜିତିଲେ, ଆର ଦଳଟି ହାରିଗଲା । ସେତେବେଳେ ମୋ ପିଲା ମନରେ ବି ପ୍ରଶ୍ନ ଉଠିଥିଲା, "ଯେଉଁ ପ୍ରାର୍ଥୀ ଜିତିଲେ ସେ ଏତେ ବେଶି ଟଙ୍କା ଆଣିଲେ କେଉଁଠୁ ଯେ ଏତେ ବଡ ପଞ୍ଚାୟତରେ ଗାଁ ଗାଁରେ ପ୍ରତ୍ୟେକ ଦିନ ମାଂସ ଭୋଜି ଦେଉଥିଲେ, ପ୍ରତ୍ୟେକ ପରିବାରରେ ଭୋଟର ପିଛା ତିନିଶହ ଟଙ୍କା ଲେଖାଏଁ ବାଣ୍ଟୁଥିଲେ ?" । ସରପଞ୍ଚ ହେବା ପୂର୍ଵରୁ ସରପଞ୍ଚ ପ୍ରାର୍ଥୀଙ୍କର ନୁଆଁଣିଆ ଚାଳଘରଟିଏ ଥିଲା । ସେ କୌଣସି ଚାକିରି ବାକିରି କରୁନଥିଲେ । କିନ୍ତୁ ସରପଞ୍ଚ ହେବାର ଗୋଟିଏ ବର୍ଷ ଭିତରେ ରାଜ ମହଲ ଭଳି ବିରାଟ ଗୋଟେ ପ୍ରାସାଦ ତୋଳି ସେ ରହିଲେ । ସରପଞ୍ଚ ହେବାର କିଛି ବର୍ଷ ଭିତରେ ବଡ଼ ଗାଡ଼ି କିଣିଲେ, ଭୁବନେଶ୍ୱରରେ ଜାଗା କିଣି ଘର ବନେଇଲେ ।

ସରପଞ୍ଚଙ୍କର ଜୀବନରେ ତ ଅନେକ ପରିବର୍ତ୍ତନ ଆସିଗଲା, ଗାଁ ଲୋକଙ୍କ ଜୀବନର କ'ଣ ହେଲା ? ସେହି ଇଲେକ୍ସନ ପରେ ଗାଁ ଲୋକଙ୍କ ଜୀବନରେ ସେମିତି କିଛି ଆଖିଦୃଶିଆ ପରିବର୍ତ୍ତନ ହେଇନଥିଲା । ହଁ କିଛି ଲୋକଙ୍କୁ ଇନ୍ଦିରା ଆବାସ ଯୋଜନାରୁ ଘର ତିଆରି ପାଇଁ ଟଙ୍କା ମିଳିଥିଲା, କିନ୍ତୁ ଯେଉଁମାନେ ସରପଞ୍ଚଙ୍କ ବିରୋଧୀ ଦଳର ଥିଲେ ତାଙ୍କ ଝାଟି ମାଟି ଘର ପକ୍କା ହେଇ ପାରୁନଥିଲା । ଇଲେକ୍ସନ ପରେ ପରେ ଗାଁରେ ଆଗରୁ ଗୋଟେ ବିରାଟ ପୋଖରୀ ଥାଉ ଥାଉ ଗାଁ ପଡିଆ ଉପରେ ଆଉ ଗୋଟେ ପୋଖରୀ ଖୋଳା ହେଲା, କିନ୍ତୁ କାହିଁକି ସେହି ଅଯଥା କାମଟା ହେଲା ଆଜିଯାଏଁ ଲୋକମାନେ ସେକଥା ବୁଝିନାହାଁନ୍ତି । ଗାଁର ନାଲିଗୋଡ଼ି ରାସ୍ତା ପକ୍କା ହେଲା ସେଇଥର ଇଲେକ୍ସନ ପରେ, କିନ୍ତୁ ବର୍ଷେ ପରେ ରାସ୍ତା ଉପରୁ ସିମେଣ୍ଟ ଉଠିଗଲା, ବର୍ଷାଦିନେ ରାସ୍ତା ଉପରେ ପାଣି ଜମିଲା । ବିଲ ମଝିରେ ଗୋଟେ ମାଟି ରାସ୍ତା ତିଆରି ହେଲା, କିନ୍ତୁ ମୁଖ୍ୟ ରାସ୍ତା ଦେଇ ସାଇକେଲଟେ ଯାଇପାରୁନଥିଲେ ବି ସେ ରାସ୍ତା କାମ ହେଇପାରୁନଥିଲା ।

ଇଲେକ୍ସନବେଳେ ଦ୍ୱାର ଦ୍ୱାର ହାତ ଯୋଡ଼ି ବୁଲୁଥିବା ସରପଞ୍ଚଙ୍କର ଦେଖା ମିଳୁଥିଲା କେବଳ ସଭା ସମିତିରେ । ପୁଣି ପାଞ୍ଚବର୍ଷ ପରେ ଇଲେକ୍ସନ ପାଖେଇ ଆସିବାରୁ ଆଉଥରେ ଦେଖାଦେଲେ ସରପଞ୍ଚ ସେହି ସମାନ ଯୋଡହସ୍ତ ମୁଦ୍ରାରେ । ପାଞ୍ଚବର୍ଷ ପରେ ସେହି ନିର୍ଦ୍ଧିଷ୍ଟ ରାଜନୈତିକ ଦଳରୁ ଦୁଇ ଦୁଇଜଣ ଆଶାୟୀ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କଲେ । ଜଣଙ୍କୁ 'ସନ୍ତୁଷ୍ଟ' ପ୍ରାର୍ଥୀ ଏବଂ ଆର ଜଣଙ୍କୁ 'ଅସନ୍ତୁଷ୍ଟ' ପ୍ରାର୍ଥୀ କୁହାଗଲା । ପୁଣି ଘମାଘୋଟ ଲଢ଼େଇ ଚାଲିଲା । ପୂର୍ବରୁ ଦୁଇ ଭାଗରେ ବିଭକ୍ତ ହେଇଥିବା ଆମ ଗାଁ ସେବେ ଚାରି ଭାଗ ହେଇଗଲା । ଗାଁରେ ଯାହା ଅଳ୍ପ କିଛି ଶାନ୍ତି ବାକି ଥିଲା ତାହା ବି ଏହି ସନ୍ତୁଷ୍ଟ - ଅସନ୍ତୁଷ୍ଟ ଦଳଙ୍କ ଘୃଣ୍ୟ ରାଜନୀତି ସହ ଚାଲିଗଲା ।

ଏବେ ଆଉ ଗୋଟିଏ ପଞ୍ଚାୟତ ଇଲେକ୍ସନ ଆସୁଛି । ଏଥର ଇଲେକ୍ସନ ପୂର୍ବରୁ ଲୋକଙ୍କୁ ଅଧିକ ଧାର୍ମିକ କରିବା ଉଦ୍ଦେଶ୍ୟରେ ଗାଁର ପୁରୁଣା ମନ୍ଦିର ଗୁଡିକର ନବୀକରଣ କରାଯାଉଛି, ଜାଗ ଯଜ୍ଞର ଆୟୋଜନ ହେଉଛି । ଏଥର ପଞ୍ଚାୟତ ନିର୍ବାଚନରେ ଦିଅଁ, ଦେବତାଙ୍କୁ ଓ ସେମାନଙ୍କ ମନ୍ଦିରମାନଙ୍କୁ ସମ୍ପୃକ୍ତ କରାଯାଉଛି । ମଙ୍ଗଳା ମନ୍ଦିରର ନବୀକରଣ କରିଥିବା ରାଜନୈତିକ ଦଳଙ୍କର ସମର୍ଥକ ଶିବ ମନ୍ଦିର ନବୀକରଣ କରୁଥିବା ରାଜନୈତିକ ଦଳର ସମର୍ଥକଙ୍କୁ ନିଜର ଶତ୍ରୁ ମନେ କରୁଛନ୍ତି । ମଙ୍ଗଳା ଠାକୁରାଣୀ କାହାର ସ୍ୱପ୍ନରେ ଆସି କ'ଣ କହିବେ ତାହା ଗାଁର ସେହି ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କୁଜି ନେତା ସ୍ଥିର କରୁଛନ୍ତି ।

ଗାଁରେ ଲଢେଇ ଆରମ୍ଭ ହେଇ ସାରିଲାଣି । ମଦ, ମାଂସ, ଭୋଜି, ଭାତର ଆସର ଜମିଲାଣି । ଘରେ ଘରେ ଏବେ ଯୁଦ୍ଧ ଆରମ୍ଭ ହେଇଯିବ । ସାରା ପଞ୍ଚାୟତର ବାତାବରଣ ଉତ୍ତେଜନାପୂର୍ଣ୍ଣ ରହିବ । ଦେଖିବାକୁ ବାକି ରହିଲା ଏଥରର ଯୁଦ୍ଧରେ ସମାନ ଗୋଟିଏ ଦଳର 'ସନ୍ତୁଷ୍ଟ', 'ଅସନ୍ତୁଷ୍ଟ' ପ୍ରାର୍ଥୀ 'ପେଟ୍ରୋଲ ଦର ବଢିଯାଇଛି' କହି ଜିତୁଛନ୍ତି କି ତାଙ୍କ ବିରୋଧୀ ଦଳ 'ମନ୍ଦିର ତୋଳି ବିଶ୍ଵଗୁରୁ ହେବୁ' କହି ଗାଁ ଇଲେକ୍ସନ ଜିତୁଛନ୍ତି ।