ରୂପାରଙ୍ଗର ସମୟ

ହେଲେ ଆମ ଘର ସହ ଏମାନଙ୍କର ଏତେ ନିବିଡ଼ ସମ୍ପର୍କ କେମିତି ? କେମିତି ଜାଣିଲେ ସେ ଆମ ଘର, ମୋ ବାପା, ମୋ ବୋଉ ଓ ମୋ ସାତପୁରୁଷଙ୍କୁ ! ସେମାନେ ଜାଣିଥିଲେ ମୋ ମାମୁଘର, ମୋ ବାପାଙ୍କ ମାମୁଘର, ମୋ ଦେଇ କୋଉଠି ବାହା ହେଇଛି, ତା’ ଶଶୁର ନାଁ କ’ଣ ଓ ସେ ସେମାନଙ୍କର ସମ୍ପର୍କରେ କ’ଣ ହେବେ ।


ପ୍ଳସ୍ ଥ୍ରୀ ପରେ ନୂଆ ନୂଆ ବେକାରୀ ହେବାର ସମୟ । ଗାଁ ସାଙ୍ଗ ବିଜୟ ଓରଫ୍ ବିଜୁ କହିଲା - ‘ରଜରେ ଏଥର ମୁଁ ମୋ ଅପା ଘରକୁ ଯିବି, ତୁ ଟିକେ ମୋ ସାଙ୍ଗରେ ଚାଲୁନୁ ?’

ମୁଁ କହିଲି - ‘କୋଉଠିକି ତୋ ଅପା ଘର ?’

ବିଜୁ କହିଲା - ‘ଖମାର ସାହି ।’

ମୁଁ କହିଲି - ‘ନା ବାବା ନା ସେ ମନ୍ତେଇ ନଈ ପାର୍ ହେଇକି ମୋର କିଏ ଯିବ ?’

ବିଜୁ କହିଲା - ‘ଚାଲେ..ମୋତେ ଏକୁଟିଆ ଭଲ ଲାଗିବନି । ସକାଳେ ଯିବା ସଂଜକୁ ଫେରି ଆସିବା ।’

ସାଙ୍ଗର ଅନୁରୋଧକୁ ଏଡ଼େଇ ପାରଲିନି । ରଜ ସଂକ୍ରାନ୍ତି ଦିନ ଖଇ - ଉଖୁଡ଼ା - ପୋଡ଼ପିଠା ବ୍ୟାଗ୍‌କୁ ସାଇକେଲ୍‌ରେ ଟଙ୍ଗେଇ ବିଜୁ ଆସି କୁହାଟ ଛାଡ଼ିଲା -ଆ, ଯିବା ! ଡେରି ହଉଛି । କିଛି ବାଟ ସେ ଚଲେଇଲା କିଛି ବାଟ ମୁଁ । ସକାଳୁ ସକାଳୁ କି ଅସହ୍ୟ ଗୁଳୁଗୁଳି ! ଗମ୍‌ଗମ୍ ଝାଳରେ ଓଦା ପେଣ୍ଟ - ସାର୍ଟ ଓ ଦେହ । ମନ୍ତେଇ କୂଳରେ ପହଞ୍ଚିଲାବେଳକୁ ସକାଳ ୯ଟା କି ସାଢ଼େ ନଅଟା । ଆରପାଖରେ ଡଙ୍ଗା । ଆସିବାକୁ ପନ୍ଦର କି କୋଡ଼ିଏ ମିନିଟ୍ ଲାଗିବ । ସାଇକେଲ୍‌କୁ ଗଛକୁ ଡେରି ଦେଇ ଅପେକ୍ଷା କଲୁ । ନଈକୂଳିଆ ଧୀର ପବନରେ ଦେହ ଶୁଖିଗଲା । ବିଜୁର ଅପା ଘରେ ପହଞ୍ଚିଲାବେଳକୁ ଦିନ ଦଶଟା । ତା’ ଅପା ଆମ ଦୁହିଁଙ୍କର ମୁହଁ ପୋଛିଦେଲା ତା ପଣତରେ । ରଜରେ ସଜ ହେଇ ବୁଲୁଥିବା କିଛି ଛୋଟପିଲା ଘେରିଥିଲେ ଆମକୁ । ଅଚିହ୍ନା ଅତିଥିଙ୍କୁ ଦେଖୁଥିଲେ ଗୋଟେ ଅଜଣା କୌତୂହଳରେ । ଆମେ ନେଇଥିବା ଆଠିଣିକିଆ କୁକିଜ୍ ଚକୋଲେଟ୍ ବଢ଼େଇ ଦେଲୁ ସେମାନଙ୍କୁ । ରାଇଜଯାକର ଖୁସି ଯେମିତି ଓହ୍ଲେଇ ଆସିଲା ସେଇ କୁନିକୁନି ହାତମାନଙ୍କୁ ! ଡେଇଁ ଡେଇଁ ଚାଲିଗଲେ ସେମାନେ । ତା’ପରେ ଯୋଉମାନେ ଆସିଲେ ସେମାନେ ଆମଠାରୁ ଅଧିକ ଜାଣିଥିଲେ ଆମ ଗାଁକୁ । ମୋ ବୋଉକୁ, ମୋ ବାପାଙ୍କୁ, ଆମ ପରିବାରକୁ । ମୁଁ ଆଶ୍ଚର୍ଯ୍ୟ ! ବିଜୁର ଘରଲୋକଙ୍କୁ ସେମାନେ ଜାଣିଛନ୍ତି ମୁଁ ବୁଝିପାରୁଥାଏ କାରଣ ସେ ତାଙ୍କର ବନ୍ଧୁ । ହେଲେ ଆମ ଘର ସହ ଏମାନଙ୍କର ଏତେ ନିବିଡ଼ ସମ୍ପର୍କ କେମିତି ? କେମିତି ଜାଣିଲେ ସେ ଆମ ଘର, ମୋ ବାପା, ମୋ ବୋଉ ଓ ମୋ ସାତପୁରୁଷଙ୍କୁ ! ସେମାନେ ଜାଣିଥିଲେ ମୋ ମାମୁଘର, ମୋ ବାପାଙ୍କ ମାମୁଘର, ମୋ ଦେଇ କୋଉଠି ବାହା ହେଇଛି, ତା’ ଶଶୁର ନାଁ କ’ଣ ଓ ସେ ସେମାନଙ୍କର ସମ୍ପର୍କରେ କ’ଣ ହେବେ ।

ସମ୍ପର୍କର ଖିଅ ଧରି ସେମାନେ କହୁଥାନ୍ତି ଅସରନ୍ତି କଥା । କଥା ପ୍ରସଙ୍ଗରେ କହୁଥାନ୍ତି ତମେ ପିଲାଲୋକ କୁଆଡୁ ଜାଣିବ । ତୁ ପେଟରେ ଥିଲୁ ମୁଁ ଯାଇଥିଲି ତମ ଗାଁକୁ । କହିଲେ ଜଣେ ଶ୍ୟାମଳ ରଙ୍ଗର ବୟସ୍କା ସ୍ତ୍ରୀ ଲୋକ । କୁଆଡ଼େ ମୋ ବଡ଼ଭାଇ ଓ ଦେଇ ଜନ୍ମ ହେଇସାରିଥିଲେ । ସେଇବେଳେ ରଜକୁ ସେ ଯାଇଥିଲେ ଆମ ଗାଁକୁ । ଆମ ଗାଁରେ ତାଙ୍କ ମାଉସୀ ଝିଅ ବାହାହେଇଛି । ଆମ ଗାଁର ରଜନୀ ଖୁଡ଼ୀ କୁଆଡ଼େ ତାଙ୍କ ମାଉସୀ ଝିଅ । ଏମିତି ଜଣକ ପରେ ଜଣେ ପରିଚୟ ଦେଉଥାନ୍ତି ଓ ଆମ ଗାଁ ସହ ତାଙ୍କ ଗାଁର ସମ୍ପର୍କ କେମିତି କହୁଥାନ୍ତି । ମୁଁ କେବଳ ଆଶ୍ଚର୍ଯ୍ୟ ହେଉଥାଏ ଆମ ଗାଁର ସବୁଲୋକଙ୍କୁ ଏମାନେ କେମିତି ଜାଣିଛନ୍ତି ଓ ମନେରଖିଛନ୍ତି ! ସ୍ତ୍ରୀଲୋକମାନଙ୍କ ପରେ ପୁରୁଷଲୋକଙ୍କ ପାଳି ପଡ଼ିଲା । ଆମ ହାଟ - ବଜାର ଓ ଦୋକାନୀମାନଙ୍କୁ ଆମେ ଯେତିକି ଜାଣିନଥିଲୁ ସେମାନେ ତା’ଠୁ ଅଧିକ ଜାଣିଥିଲେ ।

ଆଉ ତା’ପରେ ଯୋଉମାନେ ଆସିଲେ । ସେମାନଙ୍କୁ ମୁଁ ଓ ମୋତେ ସେମାନେ ପ୍ରଥମ ଥର ଦେଖିଲେ । ତା’ଭିତରୁ କେତେ ଜଣଙ୍କୁ ବିଜୁ ଚହ୍ନିଥାଏ ଓ ତାଙ୍କ ସହ ଥଟ୍ଟାମଜା କରୁଥାଏ । ମୁଁ ସମ୍ପୂର୍ଣ୍ଣ ଅଚିହ୍ନା ସେମାନଙ୍କ ପାଇଁ । ବିଶେଷ କରି ସେଇ ଲମ୍ବା ଟଣାଟଣା ଆଖି ଯୋଡ଼ିକ ପାଇଁ । ଯୋଉ ଆଖିରେ ଆଖିଭର୍ତ୍ତି ସ୍ୱପ୍ନ ଲହଡ଼ି ଭାଙ୍ଗୁଥିଲା । ମୋ ଦେହରେ ଗୋଟେ ଅଜଣା ଶିହରଣ ଖେଳିଗଲା । ଏଇ ଶିହରଣ ବୋଧହୁଏ ମୋ ଯୌବନର ପହିଲି ଶିହରଣ । ମୋ ଦେହରେ ଏମିତି ଏକ ଅପୂର୍ବ ପୁଲକ ମୁଁ କେବେବି ଅନୁଭବ କରିନଥିଲି ।

ବିଜୁର ଅପା କହିଲା - ‘ରଂଜୁ ! ଟିକେ ଏଇ ବିଞ୍ଚଣାଟା ନେଇ ଭାଇକୁ ବିଞ୍ଚିଲୁ, ପ୍ରବଳ ଗରମରେ ଛୁଆ ଦିି’ଟା ମୋର ଶିଝିଗଲେଣି ।’ ମୋର ମନେରହିଲା ନାଁ ଟା । ରଂଜୁ । ରଂଜୁ ହାତରେ ବାଟ କାଟିଗଲା ଘର ଭିତରକୁ ଓ ବିଞ୍ଚଣା ଧରି ଆସିଲା ପରେ ତଳକୁ ମୁହଁପୋତି ବିଞ୍ଚିଲା ଆମକୁ । ବିଜୁର ହାତଧରି ଟାଣିଲା ଗୋଟେ ଝିଅ, ଆସୁନୁ ଭାଇ ଆମଘରକୁ ଟିକେ ଆ ! ତାଙ୍କୁ ବି ଡାଆକେ ? ବିଜୁ ମୋତେ ଆଖିରେ ଠାରିଲା ଯିବୁ ? ମୁଁ ସେଇ ଆଖିରେ ମନାକଲି ନା ତୁ ଯା, ଆଉ କାହାଘରକୁ ଯାଇ ସେଠି ଉତ୍ପନ୍ନ ଲାଜକୁ ମୁଁ ସମ୍ଭାଳି ପାରିବି ନାହିଁ । ଚତୁର୍ଥ ଶ୍ରେଣୀରେ ପଢୁଥିବା ବିଜୁର ଭାଣିଜୀ କୁନି - ରଂଜୁ ଓ ମୁଁ ବସିଥାଉ ବିଜୁ ଅପାର ଘରର ବଙ୍ଗଳା ଖଟରେ । ବିଞ୍ଚଣା ଘୂରୁଥାଏ କେଁ କଟର ଶବ୍ଦ କରି । ଏତେ ନିରବତାକୁ ସହି ପାରିଲାନି କୁନି, ଉଠି ପଳେଇଗଲା ଦୋଳି ଖେଳିବାକୁ । ବାକି ରହିଲୁ ରଂଜୁ ଓ ମୁଁ । ସେ ସେଇମିତି ତଳକୁ ମୁହଁପୋତି ବିଞ୍ଚଣାରେ ବିଞ୍ଚୁଥାଏ ମୋତେ । ସମୟ ବିତୁଥାଏ ନିରବରେ । ମୁଁ ବି ତା’ ମୁହଁକୁ ଚାହିଁ ପାରୁନଥିାଏ । କାଳେ ସେ ଭାବିବ କି ଅଭଦ୍ର ବୋଲି ? ସେ ବି ମୁହଁ ଟେକି ଦେଖୁନଥାଏ ମୋତେ - କାଳେ ମୁଁ ଭାବିବି ଅଣ୍ଡିରା ଚଣ୍ଡୀଟେ ବୋଲି । ବିଞ୍ଚଣା ବନ୍ଦ ହେଉନଥାଏ । ହାତ ବଥା ହେଇସାରିବଣି । ହେଲେ ସେ କହିପାରୁନି ‘କେତେ ପବନ ଖାଉଛ ଯେ ?’ ମୁଁ ବି କହିପାରୁନି ‘ଥାଉ ତମ ହାତ ବଥା କରିବଣି ମୋତେ ଦିଅ ବିଞ୍ଚଣାଟା ।’

ସାହସ କରି କହିଲି

  • ‘ତମ ନାଁ ରଂଜୁ ?’

ହଁ, ଏତେ ଧୀର ଯେ ଶୁଭି ନଶୁଭିଲା ଭଳି ।

ମୁଁ ପଚାରିଲି ପୂରା ନାଁ ବି କ’ଣ ରଂଜୁ ?

ଛେପ ଢ଼ୋକି ନିଜକୁ ପ୍ରସ୍ତୁତ କଲା ସେ ଓ ସାହସ କରି ମୁଣ୍ଡ ଟେକି ଚାହିଁଲା ମୋତେ କ୍ଷଣିକ ପାଇଁ ପୁଣି ତଳକୁ ମୁହଁ କରି କହିଲା- ‘ନା, ରଂଜିତା ।

ଗାଁରେ ସମସ୍ତେ ରଂଜୁ ବୋଲି ଡାକନ୍ତି ।’

ମୁଁ କହିଲି ଅହ ! ହଉ ଏବେ ମୋତେ ବିଞ୍ଚଣାଟା ଦିଅ । ତମ ହାତ ବଥା କରବିଣି ?

‘ନା ନା, ତମେ ଅତିଥି, ତମେ ବସ ମୁଁ ବିଞ୍ଚୁଛି । ଭାଉଜ ରାଗିବେ ।’

‘କେହି ରାଗିବେନି ବିଞ୍ଚଣାଟା ଦିଅ ମୋ ହାତକୁ ।’ ଖଟ ଉପରେ ଥୋଇଦେଲା ବିଞ୍ଚଣା ।

‘ପଢୁଛ ?’

‘ନା’

‘ଆଉ ?’

‘ଘରେ ବସିଛି ମାଟ୍ରିକ୍ ପାସ୍ କରି ।’

‘ଆଉ ପଢ଼ିଲନି ?’

‘ପାଖରେ କଲେଜ ନାହିଁ, ତେଣୁ ବାପା ମନାକଲେ ।’

ତା’ପରେ ପୁଣି ନିରବତା । ବଡ଼କଷ୍ଟରେ ଆଉଥରେ ଛେପ ଢ଼ୋକି ପଚାରିଲା - ‘ତମ ନାଁ ?’

ମୁଁ କହିଲି - ‘ବାଦଲ’ । ସେ ଏଥର ମୁହଁ ଟେକି ମୋତେ ଚାହିଁଲା ଓ କହିଲା - ‘ବଢ଼ିଆ ନାଁ ।’

ଭସାଭସା ଆଖି, ପାତଳ ଓଠ ଓ ଚିତ୍ର ପରି ଅଙ୍କା ମୋ ମନପସନ୍ଦର ନାକରେ ଗୋଟେ ଛୋଟ ରୂପାରଙ୍ଗର ପଥରବସା ନାକଫୁଲ ଝଲମଲ କରୁଥାଏ, ଭାରି ମାନୁଥାଏ ତା ନାକକୁ । କାହିଁକି କେଜାଣି ମୋତେ ନାକ ଭଲ ନଲାଗିଲେ ସେ ମଣିଷ ଭଲ ଲାଗେନା । ବହୁତ ସୁନ୍ଦର ସେ ନାକ ଆଉ ତା’ଠୁ ସୁନ୍ଦର ସେ ପଥରବସା ରୂପାରଙ୍ଗର ନାକଫୁଲ । ଆହୁରି ସୁନ୍ଦର ସେଇ ନାକଫୁଲରୁ ବିଚ୍ଛୁରିତ ହେଉଥିବା କ୍ଷୀଣ ଆଲୁଅ - ଅନ୍ଧାରର ମନୋରମ ଖେଳ ।

ସଂଜକୁ ଫେରି ଆସିଲୁ ବିଜୁ ଓ ମୁଁ ।

ମନ୍ତେଇ ଆରକୂଳରେ ମୋ ମନ ପସନ୍ଦର ନାକ ଥିବା ଝିଅ ଓ ଗୋଟେ ରୂପାରଙ୍ଗର ନାକଫୁଲ, କିଛି ଅନ୍ତରଙ୍ଗ ନିରବତା ରହିଗଲା ସ୍ମୃତିଟିଏ ହେଇ । ଫି’ବର୍ଷ ରଜରେ ଭାରି ମନେପଡ଼େ ଗୋଟେ ବିଞ୍ଚଣାର କେଁ କଟର ଶବ୍ଦ । ଝଲମଲ ଏକ ରୂପାରଙ୍ଗର ନାକଫୁଲ ।