ରୁଆନ୍ ଲିଙ୍ଗୁ: ଛୋଟ ଏକ ଜୀବନ କାହାଣୀ

ଚୀନ୍‌ର ଅତ୍ୟନ୍ତ ଲୋକପ୍ରିୟ କଳାକାର ରୁଆନ୍ ଲିଙ୍ଗୁ । ୧୯୩୦ ଦଶକରେ ଚୀନ୍‌ର ଅଭିନେତ୍ରୀ; ଯିଏ କି ନିଜ କଳା ଓ ନିଖୁଣ ଅଭିନୟ ମାଧ୍ୟମରେ ଚୀନ୍‌ରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ । ଖବରକାଗଜରେ ତାଙ୍କ ସମ୍ପର୍କରେ ମନଗଢ଼ା କଥା ପ୍ରକାଶିତ ହେବାରୁ ସେ ଆତ୍ମହତ୍ୟା କରିଥିଲେ ।


ଫଟୋ - ୱିକିପିଡିଆ

ଗସିପ୍‌, ପରଚର୍ଚ୍ଚା, ଆଲୋଚନା, ପରନିନ୍ଦା ଏ ସବୁ ଶବ୍ଦ ସହିତ ଆମେ ସୁପରିଚିତ । ଖାଲି ପରିଚିତ ନୁହେଁ, ଏହାର ସକରାତ୍ମକ ଓ ନକରାତ୍ମକ ଦିଗ ଆମ ଉପରେ ନିଶ୍ଚିତ ଭାବେ ପଡ଼ିଥିବ । ଏହା କହିବାରେ ଦ୍ୱିଧା ନାହିଁ । ସକରାତ୍ମକ କଥାଟି ଟିକେ ହୃଦୟଙ୍ଗମ ହୋଇ ନପାରେ । କାରଣ ପରଚର୍ଚ୍ଚା, ପରନିନ୍ଦାରେ ଯେ କୌଣସି ସକରାତ୍ମକ ଦିଗ ଥିବ; ଏହା କୌଣସି ମତେ ସତ୍ୟବଚନ ନୁହେଁ । ଏଇ ପରଚର୍ଚ୍ଚା ଅନେକ କ୍ଷତି ଘଟାଏ । ଜୀବନରେ । ନାଟକ, ସିନେମା ଆଦିରେ ଏହାର ପ୍ରଭାବ ବହୁତ । ଆମ ଜୀବନରେ ଯେ ଏ କଥାର ପ୍ରଭାବ ପଡ଼େନି ସେକଥା ନୁହେଁ । ଅନେକ ଘଟଣା ଘଟେ, ସମ୍ପର୍କ ଭାଙ୍ଗେ । ଭାଙ୍ଗେ ହୃଦୟ ଭାଙ୍ଗେ ବିଶ୍ୱାସ ଓ ଭରସା ।

‘ଏହି ପରଚର୍ଚ୍ଚା ଖୁବ୍ ଭୟଙ୍କର ।’

ଉପରୋକ୍ତ ବାକ୍ୟ ଥିଲା ଜଣେ କଳାକାରଙ୍କ ସୁଇସାଇଡ୍ ନୋଟ ର ଊଦ୍ଧୃତାଂଶ ।

ହଁ ଚୀନ୍‌ର ଅତ୍ୟନ୍ତ ଲୋକପ୍ରିୟ କଳାକାର ରୁଆନ୍ ଲିଙ୍ଗୁ । ୧୯୩୦ ଦଶକରେ ଚୀନ୍‌ର ଆଇକନିକ୍ ଅଭିନେତ୍ରୀ; ଯିଏ କି ନିଜ କଳା ଓ ନିଖୁଣ ଅଭିନୟ ମାଧ୍ୟମରେ ଚୀନ୍‌ରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଥିଲେ । ମାତ୍ର ଖବରକାଗଜରେ ନିତ୍ୟ ନିୟମିତ ତାଙ୍କ ସମ୍ପର୍କରେ ଅନେକ ମନଗଢ଼ା କଥା ପ୍ରକାଶିତ ହେବା ଉତ୍ତାରୁ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ୍ ନୋଟରେ ଉପରୋକ୍ତ ଏକମାତ୍ର ବାକ୍ୟ ଥିଲା । ‘ଏହି ପରଚର୍ଚ୍ଚା ଖୁବ୍ ଭୟଙ୍କର ।’

ଏଠି ତ ପ୍ରତି କ୍ଷଣେ ପରଚର୍ଚ୍ଚା ହୁଏ । ଘରେ, ବାହାରେ, ଖଟିରେ ଆଉ ଏବେ ସାମାଜିକ ଗଣମାଧ୍ୟମରେ । କିଛି ଲୋକଙ୍କୁ ଏହା ବ୍ୟତୀତ ଭଲ ଲାଗେନି ।

ଅଫିସ୍‌ରେ ଆହୁରି ବେଶୀ । ମିଳିଗଲା କିଛି ପ୍ରସଙ୍ଗ ତ ଆରମ୍ଭ ହୋଇଯିବ ତର୍ଜମା । ସଖିକୁ କହିଲି ତୁମେ ତ ଭେଟିବାକୁ ଡାକୁନ, ଏଥର ଆସିଯିବି ତୁମ ଅଫିସ୍‌; ଯିବ ଆଉ କୁଆଡେ ?

ସଖି କହିଲା, ଥାଉ, ଯାହା କହିବ ପଛେ ମାନିବି କିନ୍ତୁ ଅଫିସ ଆସିବନି, ଯଦି କେହି ଦେଖେ ତାହେଲେ ଆରମ୍ଭ ହୋଇଯିବ ମୋ ବିଷୟରେ ଚର୍ଚ୍ଚା । କେହି ସାମ୍ନାରେ କୁହନ୍ତା ଭଲା ମାତ୍ର କହିବେ ସବୁ ପଛରେ । ସେଇ ପଛରେ ଚର୍ଚ୍ଚାକୁ ମୋର ଖୁବ୍ ଡର । ଛାଡ଼ ସଖି ସହ ଦେଖା ହେବା ଗଲା ।

ଏବେ ଆସିବା ପ୍ରସଙ୍ଗକୁ । ରୁଆନ୍ ମାତ୍ର ୨୪ ବର୍ଷ ବୟସରେ ଆତ୍ମହତ୍ୟା କରିଦେଲେ । କୁହତ ଦେଖି ୨୪ ବର୍ଷ କ’ଣ ଗୋଟେ ବୟସ ଏ ସଂସାର ଛାଡ଼ି ଚାଲିଯିବାର ? ମାତ୍ର ଦୁନିଆରେ ଏପରି ଦୁଃଖଦ ଘଟଣା ଘଟେ । ବାରମ୍ବାର ଘଟି ଚାଲିଥାଏ । ଏପରି ଘଟଣା ଉପରେ କାହାରି ନିୟନ୍ତ୍ରଣ ନଥାଏ । ଅଧିକ ଦୁଃଖଦ ଘଟଣା ଏୟା ଯେ ୨୪ ବର୍ଷୀୟ ରୁଆନ୍‌ଙ୍କର ଚୀନ୍‌ରେ ଏତେ ସଂଖ୍ୟକ ଅନୁଯାୟୀ ଥିଲେ କି ସେମାନଙ୍କ ମଧ୍ୟରୁ ଅନେକ ରୁଆନ୍‌ଙ୍କ ଦୁଃଖଦ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରି ଦେଲେ । ଯଦି ରୁଆନ୍ ଏ ଦୁନିଆରେ ନ ରହିଲେ, ତାହେଲେ ଆମର ଆଉ ବଂଚି ରହିବାର ଆବଶ୍ୟକତା କ’ଣ ଅଛି ? ରୁଆନ୍‌ଙ୍କ ଲୋକପ୍ରିୟତାର ଅନନ୍ୟ ଉଦାହରଣ ଏହାଠାରୁ ଆଉ କ’ଣ ହୋଇପାରେ ? ରୁଆନ୍‌ଙ୍କ ଶବ ଯେଉଁ ହସ୍ପିଟାଲରେ ରଖାଯାଇଥିଲା ସେହି ହସ୍ପିଟାଲ ବାହାରେ ରୁଆନ୍‌ଙ୍କ ଅନୁଯାୟୀଙ୍କର ଏତେ ସଂଖ୍ୟାରେ ଭିଡ଼ ଲାଗିଲା ଯେ ବାଧ୍ୟ ହୋଇ ରୁଆନ୍‌ଙ୍କ ଶବକୁ ହସ୍ପିଟାଲରେ ୮ ଦିନ ପର୍ଯ୍ୟନ୍ତ ରଖିବାକୁ ପଡ଼ିଲା । ଯେଉଁଦିନ ଶବସଂସ୍କାର କରାଗଲା ସେଦିନ ପାଖାପାଖି ୩ ଲକ୍ଷ ଲୋକ ଶବଯାତ୍ରାରେ ସାମିଲ ହୋଇଥିଲେ । ୪.୮ କିମି ପର୍ଯ୍ୟନ୍ତ ଧାଡ଼ି ଲମ୍ବିଥିଲା ଶବ ଶୋଭାଯାତ୍ରାର । ଆମେରିକାର ପ୍ରସିଦ୍ଧ ଖବରକାଗଜରେ ପ୍ରକାଶିତ ଏହି ଖବରର ଶିରୋନାମା ଏପରି ଥିଲା । ‘ଫ୍ୟୁନେରାଲ ଅଫ ଦ ସେଞ୍ଚୁରୀ’ ।

ରୁଆନ୍‌ଙ୍କ ଛୋଟିଆ ଜୀବନ ସଂଘର୍ଷମୟ ଥିଲା । ପିଲାଦିନରୁ ହିଁ ବାପା ଚାଲିଯାଇଥିଲେ । ମା’ ପରଘରେ କାମ କରି ପରିବାର ପ୍ରତିପାଳନ କରୁଥିଲେ । ରୁଆନ୍ ବିବାହ କଲେ ତ ପତି ଜୁଆରି ମିଳିଲା । ବିବାହ ବିଚ୍ଛେଦରେ ଶେଷ ହେଲା ପ୍ରଥମ ବିବାହ । ପୁଣି ଜୀବନରେ ଅନ୍ୟ ଜଣେ ଆସିଲେ । ପୁଣି ବିବାହ । ମାତ୍ର ଏହି ସମ୍ପର୍କରେ ଆସି ପାରିଲାନି ମଧୁରତା । ତିକ୍ତମୟ ହେଲା ସମ୍ପର୍କ । ରୁଆନ୍‌ଙ୍କ ଜୀବନରେ ଯଦି କେଉଁଠି ଟିକିଏ ବି ଶାନ୍ତି ଥିଲା ତ ସେହି ସ୍ଥାନ ଥିଲା ଅଭିନୟ । ଲୋକମାନେ ରୁଆନ୍‌ଙ୍କ ଅଭିନୟର ଦିୱାନା ଥିଲେ ।

ରୁଆନ୍‌ଙ୍କ ପିଲାଦିନ ମା’ଙ୍କ ଅପେକ୍ଷାରେ ହିଁ ବ୍ୟତିତ ହେବାକୁ ଲାଗେ । ଅବା ମା’ଙ୍କ ସହ ଅନ୍ୟ ଲୋକଙ୍କ ଘରେ ଯେଉଁଠି ମା’ଙ୍କୁ ଧନୀକଙ୍କ କ୍ରୋଧ ଓ ଘୃଣାର ଶିକାର ହେବାକୁ ପଡ଼ିଥାଏ । ଏସବୁ ଦେଖି ଦେଖି ରୁଆନ୍ ଚୁପ୍ ହୋଇଯାନ୍ତି । କ୍ରମେ ରୁଆନ୍ ବିଦ୍ୟାଳୟରେ ପ୍ରବେଶ କରନ୍ତି । ମା'ଙ୍କର କଠୋର ନିର୍ଦ୍ଦେଶ ଥାଏ; ବିଦ୍ୟାଳୟରେ କାହାରିକୁ ବି ଘର କଥା ନ କହିବା ପାଇଁ । ରୁଆନ୍‌ଙ୍କୁ କାଳେ କେହି ସହପାଠୀ ଥଟ୍ଟା କରିବେ । ଜଣେ ଚାକରର ଝିଅ ବୋଲି । ସମାଜରେ ଚାକରର ସ୍ଥାନ ବା କେଉଁଠି ?

ଚୀନ୍‌ରେ ୧୮୯୫ରେ ମୋସନ୍ ପିକ୍‌ଚର ଆରମ୍ଭ ହୁଏ । ୧୯୦୫ରେ ଚୀନରେ ସିନେମା ନିର୍ମାଣ । ୧୯୨୬ରେ କଳାକାର ଆବଶ୍ୟକର ଏକ ବିଜ୍ଞାପନ ବାହାରେ; ଏହି ବିଜ୍ଞାପନ ପଢ଼ି ରୁଆନ୍ ଦେଖା କରିବାକୁ ଯାଆନ୍ତି ଓ ଅଭିନେତ୍ରୀ ପାଇଁ ଚୟନ ହୁଅନ୍ତି । ଏଇଠୁ ଆରମ୍ଭ ହୁଏ ରୁଆନ୍‌ଙ୍କ ଅଭିନୟ ଜୀବନ ।

ପ୍ରଥମ ସିନେମାର ଅପାର ଲୋକପ୍ରିୟତା ପରେ ୧୯୨୮ରେ ରୁଆନ୍‌ଙ୍କୁ ଏକାଥରକେ ୬ ବଡ଼ ସିନେମା ମିଳେ । ଏଥିମଧ୍ୟରୁ ‘ସ୍ପ୍ରିଂ ଡ୍ରିମ୍ ଇନ୍ ଓଲ୍ଡ କ୍ୟାପିଟାଲ’ ସିନେମାରୁ ରୁଆନ୍‌ଙ୍କୁ ମିଳେ ଲୋକପ୍ରିୟତା ।

୧୯୩୧ରେ ‘ଲଭ୍ ଆଣ୍ଡ ଡ୍ୟୁଟି’ ସିନେମାରୁ ରୁଆନ୍ ଷ୍ଟାର ହୋଇଗଲେ । ୧୯୩୩ରେ ଚୀନ୍‌ର ଦ ଡେଲୀ ଷ୍ଟାର ମ୍ୟାଗାଜିନ୍ ଦ୍ୱାରା ଏକ ପୋଲ କରାଯାଏ; ଯେଉଁ ପୋଲ୍‌ରେ ବିଜେତା ହୁଅନ୍ତି ରୁଆନ୍ । ୧୯୩୪ରେ ରୁଆନ୍‌ଙ୍କ ସିନେମା ରିଲିଜ୍ ହୁଏ ‘ଦ ଗଡେସ’ । ଏହି ସିନେମାରେ ରୁଆନ୍ ଏକ ବିଧବାର ଭୂମିକାରେ ଅଭିନୟ କରନ୍ତି; ଯିଏ ପରିସ୍ଥିିତିର ଚାପରେ ନିଜ ପିଲାଙ୍କ ଲାଳନପାଳନ ଦାୟରେ ବେଶ୍ୟାବୃତ୍ତିକୁ ଆପଣେଇ ନିଅନ୍ତି । ଏହି ସିନେମା ପରଠୁ ରୁଆନ୍‌ଙ୍କୁ ଚୀନ ସିନେମାର ଗଡେସ୍ ର ଆଖ୍ୟା ମିଳେ । ରୁଆନ୍ ମାତ୍ର ୭ ବର୍ଷର ନିଜ ସିନେମା ଯାତ୍ରାରେ ୨୯ଟି ସିନେମାରେ କାମ କରିଛନ୍ତି ।

ପ୍ରଥମ ବିବାହ ଓ ବିବାହ ବିଚ୍ଛେଦ, ଦ୍ୱିତୀୟ ବିବାହର ତିକ୍ତ ସମ୍ପର୍କ ଆଦିରୁ ଆରମ୍ଭ ହୁଏ କୋର୍ଟ କଚେରୀ ସମସ୍ୟା । ରୁଆନ୍‌ର ପ୍ରଥମ ପତି ଜଣେ ସ୍ଥାପିତ ବ୍ୟବସାୟୀ ଥିଲେ, ଚୀନ୍ ମିଡିଆ ନିତ୍ୟ ନିୟମିତ ଭାବେ ତାଙ୍କର ସାକ୍ଷାତ୍କାର ଛାପେ । ଏଥିସହିତ ବିଭିନ୍ନ ଖବରକାଗଜରେ ଛାପେ ଅନେକ ମନଗଢ଼ା କଥା । ଏହାର ଗଭୀର ପ୍ରଭାବ ରୁଆନ୍‌ଙ୍କ ଜୀବନ ଉପରେ ପଡ଼େ ।

୧୯୩୫ରେ ରିଲିଜ୍ ହୋଇଥିବା ସିନେମା ‘ନ୍ୟୁ ଉମେନ୍‌’ ଖୁବ୍ ଚର୍ଚ୍ଚିତ ଥିଲା । ଏହା ରୁଆନ୍‌ଙ୍କ ଦ୍ୱିତୀୟ ଶେଷ ସିନେମା ଥିଲା । ଅନେକ ସମାଲୋଚକ କହନ୍ତି କି ଏହା ରୁଆନ୍‌ଙ୍କ ଜୀବନ କାହାଣୀ ଥିଲା । ଯେଉଁ ଅଭିନେତ୍ରୀଙ୍କ ଉପରେ ସିନେମାର କାହାଣୀ ପର୍ଯ୍ୟବେଶିତ ଥିଲା; ସେ ଅଭିନେତ୍ରୀ ଜଣକ ମଧ୍ୟ ଆତ୍ମହତ୍ୟା କରିଦେଇଥିଲେ । ଏହି ସିନେମାର ଅନ୍ତିମ ଦୃଶ୍ୟ ଥିଲା ମୃତ୍ୟୁର । ଯାହା ଅଭିନୟ କରିବା ପରେ ପରେ ରୁଆନ୍‌ଙ୍କ ଜୀବନରେ ଖରାପ ତଥା ନକରାତ୍ମକ ପ୍ରଭାବ ପଡ଼ିଥିଲା । ନିଦ ବଟିକା ଖାଇ ଖାଇ ଏହି ସିନେମାର ଅନ୍ତିମ ଦୃଶ୍ୟରେ ରୁଆନ୍‌ଙ୍କ ଅଭିନୟ ଅବିଶ୍ୱସନୀୟ ଥିଲା । ଦର୍ଶକଙ୍କୁ ଲାଗୁଥିଲା କି ସତରେ ଯେପରି ରୁଆନ୍ ନିଦ ବଟିକା ଖାଇ ଖାଇ ଆତ୍ମହତ୍ୟା କରୁଛନ୍ତି ।

ଏହି ଦୃଶ୍ୟର ଚିତ୍ରାୟନ ପରେ ରୁଆନ୍ ସେଟ୍‌ରେ ଖୁବ୍ କାନ୍ଦିଥିଲେ । ନିକଟରେ ଥିବା ସହଅଭିନେତ୍ରୀ ଲି ଲିଲି ପଚାରିଥିଲେ କି ତୁମେ ଏପରି ବ୍ୟବହାର କାହିଁକି କରୁଛ ? ଦୃଶ୍ୟର ଚିତ୍ରୋତ୍ତଳନବେଳେ ତୁମେ କ’ଣ ଭାବୁଥିଲ ? ଉତ୍ତରରେ ରୁଆନ୍ କହିଥିଲେ କି ମୋ ନିଜ ଜୀବନ ବି ଏହି ପରି, ପାର୍ଥକ୍ୟ କେବଳ ଏତିକି ଯେ ମୁଁ ବଂଚି ରହିଛି’ । କେବେକେବେ ଲାଗୁ ଥାଏ କି ଆତ୍ମହତ୍ୟ କରିବା ହିଁ ଅନ୍ତିମ ନିଷ୍ପତ୍ତି । ନିଜ ଜୀବନକୁ ସବୁ ଦୁଃଖରୁ ମୁକ୍ତି ଦେଇଦେଉଛି, କେବେ ଲାଗେ କି ନିଜକୁ ଖୁବ୍ ଦୁଃଖ ଦେଉଛି । ଅନେକ ଲୋକଙ୍କ ଚେହେରା ମୋ ଆଖି ଆଗରେ ନାଚି ଯାଉଥାଏ; ଯେଉଁମାନଙ୍କୁ ମୁଁ ଖୁବ୍ ପ୍ରେମ କରେ ଅଥବା ଘୃଣା ।

୭, ମାର୍ଚ୍ଚ ୧୯୩୫ । ରୁଆନ୍‌ଙ୍କୁ କୋର୍ଟରେ ହାଜର ହେବାର ଥିଲା । ମାତ୍ର ରାତି ପାହିଲା ତ ଏକ ଘୋର ଦୁଃଖର କଳା ବାଦଲ ସହିତ । ରାତି ଖାଇବା ସହ ସେ ୩ ବୋତଲ ନିଦ ବଟିକା ଖାଇ ଦେଇଥିଲେ । ସାରା ରାତି ସେ ଯନ୍ତ୍ରଣାରେ ଛଟପଟ ହେଲେ । ଘରେ ରହୁଥିବା ଆତ୍ମୀୟସ୍ୱଜନ ରୁଆନ୍‌ଙ୍କୁ ହସ୍ପିଟାଲ ନେଇଗଲେ । ଡାକ୍ତରମାନଙ୍କ ପ୍ରୟାସ ସତ୍ତ୍ୱେ ରୁଆନ୍ ଏ ଦୁନିଆରୁ ଚିର ବିଦାୟ ନେଇଗଲେ ।

୮, ମାର୍ଚ୍ଚ ୧୯୩୫ର ସେହି ଅଶୁଭ ସକାଳରେ ଚୀନ୍ ଗଡେସ୍ ତଥା ମୁଭି କୁଇନ୍ ଅନ୍ତିମ ନିଃଶ୍ୱାସ ତ୍ୟାଗକଲେ । ଶେଷ ସମୟରେ ତାଙ୍କ ଘରେ ରୁଆନ୍‌ଙ୍କ ପ୍ରେମୀ ମଧ୍ୟ ଥିଲା ।

ଏକ ସୁଇସାଇଡ୍ ନୋଟ୍ ମିଳିଲା ଯେଉଁଥିରେ ଲେଖାଯାଇଥିଲା କି ‘ଏହି ପରଚର୍ଚ୍ଚା ଖୁବ୍ ଭୟଙ୍କର ।’

ଯେବେ ମୁଁ ମରିବି, ଲୋକଙ୍କୁ ଲାଗିବ କି ରୁଆନ୍ ଏପରି ଲଜ୍ଜାଜନକ କାର୍ଯ୍ୟ କଲେ କିପରି ? ମୋ ସହ କିଛି ବି ଠିକ୍ ଘଟିଲା ନାହିଁ, ମୋ ପତି ଯାହାକୁ ମୁଁ ଖୁବ୍ ପ୍ରେମ କରୁଥିଲି, ଆର୍ଥିକ ସାହାଯ୍ୟ ବି କରିଥିଲି, ସେ ହିଁ ମୋତେ ଖୁବ୍ ଯନ୍ତ୍ରଣା ଦେଲେ, ମୋ ବିରୁଦ୍ଧରେ ଖବରକାଗଜରେ ଅନେକ ନିନ୍ଦା କଲେ, କୁତ୍ସାରଟନା କଲେ ।

ମୁଁ ଆଉ କିିଛି କରିପାରିଲି ନାହିଁ । ମୋ ପାଇଁ ଆତ୍ମହତ୍ୟା କରିବା ହିଁ ଶେଷ ପଥ ଥିଲା ।

ମରିବା ଅତିରିକ୍ତ ମୁଁ ଆଉ କୌଣସି ମତେ ମୋ ନିରୀହତାକୁ ପ୍ରମାଣିତ କରିପାରିବି ନାହିଁ । ସେ ମୋତେ ମାରିନାହିଁ, ମୁଁ ନିଜେ ନିଜକୁ ଶେଷ କରି ଦେଉଛି । କିନ୍ତୁ ଏହା ସତ୍ୟ ଯେ ମୁଁ ତାରି ପାଇଁ ହିଁ ମରୁଛି ।

ଶେଷ ହୋଇଗଲା ଗୋଟିଏ ଜୀବନ । ଅନେକ ଯନ୍ତ୍ରଣା, ଆଶା-ଭରସା ଓ ଅନେକ ବିଶ୍ୱାସ । ଆତ୍ମହତ୍ୟା କୌଣସି ପ୍ରସଙ୍ଗକୁ ଉଜ୍ଜ୍ୱଳିତ କରେ ନାହିଁ । ଆତ୍ମହତ୍ୟା ଶେଷ ପଥ ନୁହେଁ । ଏହା କୌଣସି ସମାଧାନ ନୁହେଁ । ଜୀବନ ସବୁଠାରୁ ବଡ଼ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସମସ୍ୟା ଯେତେ ଗମ୍ଭୀର ହେଉନା କାହିଁକି ସମାଧାନ ରହିଛି । ତାକୁ ଖୋଜି ପାରିବା ହିଁ ଜୀବନର ସବୁଠୁ ବଡ଼ କଳା ।

Report an Error