ମେଘ ଯାହାକୁ ଢାଙ୍କିପାରିନାହିଁ, ସେଇ ତାରା: ଋତ୍ଵିକ ଘଟକ

ଭାନ୍-ଗଗ୍ ଙ୍କ ପରି ଘଟକଙ୍କ ବିଷୟରେ କହିଲାବେଳେ ହିଁ ମନ ଦୁଃଖ ହେଇଯାଏ । ଉଭୟ ଅନନ୍ୟ ପ୍ରତିଭା, ନିଜ ନିଜ କଳାକୁ ଉଭୟଙ୍କ ଯୋଗଦାନ ଅତୁଳନୀୟ - କେବଳ ନିଜସ୍ୱ କଳାକୃତିର ସୌନ୍ଦର୍ଯ୍ୟ ସକାଶେ ନୁହେଁ, ନିଜ କଳାକ୍ଷେତ୍ରର ପରିସୀମାକୁ ଆହୁରି ବ୍ୟାପକ କରିବା ସକାଶେ ଉଭୟ ଚିର ସ୍ମରଣୀୟ ।


ଫଟୋ - ୱିକିମିଡିଆ କମନ୍ସ

"Our revels now are ended. These our actors,
As I foretold you, were all spirits, and
Are melted into air, into thin air;
And, like the baseless fabric of this vision,
The cloud - capped towers, the gorgeous palaces,
The solemn temples, the great globe itself,
Yea, all which it inherit, shall dissolve;
And, like this insubstantial pageant faded,
Leave not a rack behind. We are such stuff
As dreams are made on, and our little life
Is rounded with a sleep."

("ଆମ ସବୁ ଉତ୍ସବ ଏବେ ହେଲା ଶେଷ । ଏଇ ଆମ ଅଭିନେତାମାନେ -
ମୁଁ କହିନଥିଲି ? - ଥିଲେ ଅଦେହୀ ସମସ୍ତେ, ଖାଲି ପବନରେ ଗଢ଼ା,
ମିଳେଇଯାଉଛନ୍ତି ଏବେ ପବନରେ । ତୁଚ୍ଛା ପବନରେ ।
ଆଉ ଏ ଦୃଶ୍ୟର ସୂକ୍ଷ୍ମ ଅଦୃଶ୍ୟ ଭିତ୍ତି ପରି
ଏ ମେଘ - ଢଙ୍କା ଉଚ୍ଚ ଅଟ୍ଟାଳିକାମାନ, ଏ ପ୍ରାସାଦ ମନୋରମ,
ଏ ଯେଉଁ ସୁଦୃଶ୍ୟ ମନ୍ଦିର, ଏ ସମଗ୍ର ଧରା,
ହଁ, ସବୁକିଛି ଏଇ ଧରାତଳେ, ମିଳେଇଯିବ ସବୁ;
ଆଉ ମଳିନ ପଡ଼ିସାରିଥିବା ଏ ଶୋଭାଯାତ୍ରାର
ରହିବନି କିଛି ବି ଚିହ୍ନବର୍ଣ୍ଣ ଏଠି । ଯେଉଁଥିରେ ଗଢ଼ାହୁଏ ସ୍ୱପ୍ନସବୁ
ଆମେମାନେ ସେଇ ଉପାଦାନ, ଆମ ଏ ଛୋଟିଆ ଜୀବନ
ଲମ୍ବିଥାଏ ଖାଲି ନିଦର ପରିଧି ପର୍ଯ୍ୟନ୍ତ ।")

ଉପରୋକ୍ତ ଧାଡ଼ିତକ ଆସିଚି ୱିଲିଅମ୍ ଶେକ୍ସପିଅରଙ୍କ ନାଟକ 'ଟେମ୍ପେଷ୍ଟ୍'ରୁ । ନାଟକର ଚତୁର୍ଥ ଅଙ୍କର ପ୍ରଥମ ଦୃଶ୍ୟରେ ପ୍ରସ୍ପେରୋ ଚରିତ୍ରର ସଂଳାପ ଏ ବାକ୍ୟ ସବୁ । ଏଠି ପ୍ରସ୍ପେରୋ କହୁଚି ନିଜ କୁହୁକର ଅପସରିଯିବାର କଥା । କିନ୍ତୁ ଏଠି ଲକ୍ଷ୍ୟ ବି କରିବା କଥା ସେ କୁହୁକର ସୌନ୍ଦର୍ଯ୍ୟ ବର୍ଣ୍ଣନା, ବିଶେଷ କରି ଶେକ୍ସପିଅରଙ୍କ ଅନନ୍ୟ ଭାଷାରେ: ସେଇ ଭାଷା ଯାହା ଶବ୍ଦମାନଙ୍କୁ ଅନାୟାସରେ ଯୋଡ଼ି/ଭାଙ୍ଗି ସୌନ୍ଦର୍ଯ୍ୟ ଗଢ଼ିପାରୁଥିଲା । ଏଇମିତି ବାକ୍ୟାଂଶଟିଏ: Cloud - Capped Towers । ଅର୍ଥାତ୍, ମେଘ ତଳେ ଢାଙ୍କି ହେଇଯାଉଥିବା ଉଚ୍ଚ ଅଟ୍ଟାଳିକାମାନ । ଏ ବାକ୍ୟାଂଶଟି ଯେ ଋତ୍ଵିକ ଘଟକଙ୍କ ମନରେ ଘର କରିରହିଯାଇଥିଲା ଏକଥା ଆଦୌ ବିଚିତ୍ର ନୁହେଁ । ଶେକ୍ସପିଅରଙ୍କ ଅନେକ ଉକ୍ତିର ଭାଗ୍ୟ ଏଇମିତି ଉଜ୍ଜ୍ୱଳ । ଅବଶ୍ୟ ସିନେମାକୁ ଆସିବା ପୂର୍ବରୁ ଋତ୍ଵିକ ଘଟକ ନିଜେ ଥିଲେ ମଞ୍ଚର ମଣିଷ: ନାଟ୍ୟକାର ଆଉ ଅଭିନେତା, Indian People's Theater Association (IPTA)ର ଅନ୍ୟତମ କର୍ଣ୍ଣଧାର । ତେବେ, ବିଚିତ୍ର କଥା ହେଲା ଶେକ୍ସପିଅରଙ୍କ ମୃତ୍ୟୁର ପାଖାପାଖି ସାଢ଼େ ତିନିଶହ ବର୍ଷ ପରେ ଯେତେବେଳେ ଋତ୍ଵିକ ଘଟକ ଶକ୍ତିପଦ ରାଜଗୁରୁଙ୍କ ଉପନ୍ୟାସ "ଛିନ୍ନମୂଳ" ପଢ଼ିଲେ, ତାଙ୍କ ମନକୁ ଆସିଲା ଏଇ ବାକ୍ୟାଂଶଟି: Cloud - Capped Towers । ଏବଂ, ସେ ଲେଖିଲେ ନିଜ ସିନେମା ପାଇଁ ଚିତ୍ରନାଟ୍ୟଟିଏ ଯାହାର ଇଂରାଜୀ ନାଁ ହେଲା: The Cloud - Capped Star । ଓଡ଼ିଆରେ, 'ମେଘ ତଳେ ଢାଙ୍କି ହେଇଯାଇଥିବା ତାରା' ବା 'ମେଘ ଢଙ୍କା ତାରା' । ବା, ମୂଳ ବଙ୍ଗଳାର, "ମେଘେ ଢାକା ତାରା" ।

୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ଏ ସିନେମାଟି ଆଜି ହୁଏତ ଭାରତୀୟ ଓ ବିଶ୍ୱ ସିନେମା ଇତିହାସରେ ଏକ ଅତୁଳନୀୟ ଫିଲ୍ମ ହିସାବରେ ସର୍ବ - ସ୍ଵୀକୃତ । କିନ୍ତୁ, ସେ ସମୟରେ ଆର୍ଥିକ ସଫଳତାକୁ ବାଦ ଦେଲେ ସେତେ ବେଶୀ ସମାଲୋଚକୀୟ ସ୍ଵୀକୃତି ନଥିଲା ଏ ଫିଲ୍ମ ଭାଗ୍ୟରେ । ୧୯୬୦ରେ ମୁକ୍ତିଲାଭ କରିଥିଲା ଫ୍ରାନ୍ସରେ ଜ୍ୟାଁ ଲୁକ୍ ଗୋଦାଦ୍ ଙ୍କର ଯୁଗାନ୍ତକାରୀ ଚଳଚ୍ଚିତ୍ର 'À bout de souffle' (ଇଂରାଜୀ ନାଁ, 'Breathless') ଯାହା ଆଶାତୀତ ସମାଲୋଚକୀୟ ଓ ବ୍ୟାବସାୟିକ ସଫଳତା ପାଇଥିଲା ଏବଂ 'ଫ୍ରେଞ୍ଚ ନ୍ୟୁ ୱେଭ୍' ସିନେମାର ଅନ୍ୟତମ ଚେହେରା ହେଇ ସମଗ୍ର ଦୁନିଆ ଆଗରେ ଉଭା ହେଇଥିଲା । ଅନ୍ୟାନ୍ୟ ଅନେକ ବିଶେଷତ୍ୱ ଭିତରେ 'Breathless'ରେ ଥିଲା ସିନେମାରେ ନାଟ୍ୟକାର ବର୍ତୋଲଟ୍ ବ୍ରେଖ୍ଟ୍ ଙ୍କର 'Alienation' ଥିଓରୀର ପ୍ରୟୋଗ । Alienationକୁ ଭିନ୍ନତ୍ୱର ଭାବ ବୋଲି ବୁଝାଯାଇପାରେ । ସିନେମା (ବ୍ରେଖ୍ଟ୍ ଙ୍କ କ୍ଷେତ୍ରରେ ମୂଳତଃ ନାଟକ) ଯେ ବାସ୍ତବ ଦୁନିଆ ନୁହେଁ, ଖାଲି ବାସ୍ତବ ଦୁନିଆର ଏକ ନାଟକୀୟ ରୂପାନ୍ତର ବା ପ୍ରସ୍ତୁତି, ଏକଥା ସିନେମାର କୌଶଳ ଦ୍ୱାରା ହିଁ ଜଣେଇ ଦବା ଥିଲା ଗୋଦାଦ୍ ଙ୍କର କୁଶଳ କାରିଗରି । ତେବେ, Alienation କୌଶଳର ଝଲକ ଜଣେ 'ମେଘେ ଢାକା ତାରା'ରେ ମଧ୍ୟ ଦେଖିବାକୁ ପାଇବ । ଭାଇ ଭଉଣୀଙ୍କ ଭିତରେ କଥାବାର୍ତ୍ତା ଚାଲିଥିଲାବେଳେ ଗୋଟିଏ ଶଟ୍ ରେ ଯଦି କ୍ୟାମେରା ଅଛି ଉଭୟଙ୍କ ଆଗରେ, ମଝି କଥାବାର୍ତ୍ତାରେ ହିଁ ପରବର୍ତ୍ତୀ ଶଟ୍ ରେ କ୍ୟାମେରା ଥିବ ସେମାନଙ୍କୁ ଯୋଡୁଥିବା ରେଖାର ଅପର ପଟେ । ଆଉ ଏକ ଦୃଶ୍ୟରେ ଗୋଟିଏ ଚରିତ୍ରର ମୁହଁର ଉପରଭାଗ କେବଳ ଦିଶିବ ଏକବାରେ ସାମ୍ନାରେ (foregroundରେ), ପଛରେ (backgroundରେ) ନଈ, ନଈ ଉପରେ ପୋଲ, ପୋଲ ଉପରେ ଟ୍ରେନ୍ । ଏ ଦୃଶ୍ୟର ଗୋଟିଏ ଶଟ୍ ରେ ତ ଆପଣଙ୍କୁ ଲାଗିବ ଯେମିତି ନିଜ ସିଟରୁ ଟିକେ ଉଠି ପଡ଼ିଲେ ହୁଏତ ଆପଣ ଦେଖିପାରିବେ ଚରିତ୍ରର ବଳକା ମୁହଁ । ଶବ୍ଦଗ୍ରହଣ କଥା ତ ଏକବାରେ ନିଆରା, ସେଥିପାଇଁ ଲୋଡ଼ା ବ୍ୟାପକ ଆଲୋଚନା । ଗୋଟିଏ ଉଦାହରଣ ଦେଖନ୍ତୁ, ପ୍ରତାରିତା ପ୍ରେମିକା ଯେତେବେଳେ ପ୍ରେମିକର ଘରୁ ଫେରୁଚି, ଯନ୍ତ୍ରଣା ଜର୍ଜରିତ ତା' ମୁହଁର ଦୃଶ୍ୟ ସହ ଶୁଭୁଚି ବାରବାର ଚାବୁକ ପଡ଼ିବାର ଶବ୍ଦ (ଏବଂ ସେଇ ଦୃଶ୍ୟ କଣ ସିନେମାର କୋଉ ଦୃଶ୍ୟରେ ବି ଚାବୁକର ଚିହ୍ନ ବର୍ଣ୍ଣ ନାହିଁ) । ଆଉ ଗୋଟିଏ ଉଦାହରଣ ଦିଏ: ଦାରିଦ୍ର୍ୟ ଓ ଦୈନ୍ୟର ପୀଡ଼ାରେ ସନ୍ଦେହୀ ଓ କଳିହୁଡ଼ି ହେଇଯାଇଥିବା ମାଆ ଯେତେବେଳେ ଦେଖୁଚି ଯୁବତୀ ଝିଅକୁ ପ୍ରେମିକ ସହ ଘରୁ ବାହାରି ବୁଲିଯିବାର, ଚୁଲିରେ ଫୁଟୁଥିବା ଭାତର ଟକମକ ଶବ୍ଦ ବଢ଼ି ବଢ଼ି ଏକବାରେ ଅଧିକା ହେଇଯାଉଚି (ଏବଂ ପରଦା ଉପରେ ଭାତହାଣ୍ଡିର କୌଣସି ଦୃଶ୍ୟ ନାହିଁ) । କାହାଣୀ ହଉ କି ଦୃଶ୍ୟ କି ଶବ୍ଦଗ୍ରହଣ କି ହଉ ଚିତ୍ରନାଟ୍ୟ ବା ସଂଳାପ, ଭାରତୀୟ ନାଟ୍ୟଧାରା ଓ ରୁଷ/ଆମେରିକାର ସିନେମାର ପ୍ରବାହକୁ ଆତ୍ମସ୍ଥ କରି ସବୁପ୍ରକାର ସ୍ଥିତାବସ୍ଥା ବିରୁଦ୍ଧରେ କଳାକୁ ଠିଆ କରିବା - ତା' ପୁଣି ବିଭାଜନ ପ୍ରପୀଡ଼ିତ ନିଜର ଦାରୁଣ ଭାଗ୍ୟର ମାଧ୍ୟମ ହିସାବରେ, ଏତକ କାମ ଘଟକଙ୍କ ପରି ସମଗ୍ର ଦୁନିଆରେ କେହି କେବେ କରିନାହାନ୍ତି । ଘଟକଙ୍କ ଦୁର୍ଭାଗ୍ୟ, ନିଜ ଜୀବନକାଳରେ ସେ ନିଜର ବିଶ୍ଵବ୍ୟାପୀ ଖ୍ୟାତି ଦେଖିପାରିଲେନି । ତାଙ୍କ ସମସାମୟିକ ସିନେମା ବ୍ୟକ୍ତିତ୍ୱ ମୃଣାଳ ସେନ ଏବଂ ସତ୍ୟଜିତ ରାୟଙ୍କ ପରି ଦୁନିଆ ତାଙ୍କୁ ଚିହ୍ନିଲାନି, ଅନ୍ତତଃ ସିଏ ଥିବା ଯାଏଁ ।

ଭାନ୍-ଗଗ୍ ଙ୍କ ପରି ଘଟକଙ୍କ ବିଷୟରେ କହିଲାବେଳେ ହିଁ ମନ ଦୁଃଖ ହେଇଯାଏ । ଉଭୟ ଅନନ୍ୟ ପ୍ରତିଭା, ନିଜ ନିଜ କଳାକୁ ଉଭୟଙ୍କ ଯୋଗଦାନ ଅତୁଳନୀୟ - କେବଳ ନିଜସ୍ୱ କଳାକୃତିର ସୌନ୍ଦର୍ଯ୍ୟ ସକାଶେ ନୁହେଁ, ନିଜ କଳାକ୍ଷେତ୍ରର ପରିସୀମାକୁ ଆହୁରି ବ୍ୟାପକ କରିବା ସକାଶେ ଉଭୟ ଚିର ସ୍ମରଣୀୟ । କିନ୍ତୁ ଉଭୟଙ୍କ ଜୀବନ ଘୋର ଦୁଃଖକର ଓ ଯନ୍ତ୍ରଣା - ଜର୍ଜରିତ । ଉଭୟଙ୍କୁ ଖ୍ୟାତି ମିଳେ ଜୀବନ ଚାଲିଗଲା ପରେ । ସେ ଯାହା ହଉ, କେବଳ ସିନେମାର କୌଶଳ ଦିଗ ପ୍ରତି ନୁହେଁ, କଳା ଦିଗଟି ପ୍ରତି ମଧ୍ୟ ଘଟକଙ୍କର ଯୋଗଦାନ ଅତୁଳନୀୟ । ଜନ୍ମସ୍ଥାନ ବାଂଲାଦେଶ ଛାଡ଼ି ବିଭାଜନବେଳେ ଭାରତ ଚାଲିଆସିଥିବା ଘଟକ ସାରାଜୀବନ ଝୁରିହଉଥିଲେ ନିଜ ମାଟିକୁ । ଏଇ ଝୁରିହେବା ଦିଶିଯାଏ ତାଙ୍କର ପ୍ରାୟ ସବୁ ଫିଲ୍ମରେ, ଏମିତି କି ନାଟକ ଓ କ୍ଷୁଦ୍ରଗଳ୍ପରେ ବି । 'ମେଘେ ଢାକା ତାରା'ରେ ବି ମୁଖ୍ୟ ଚରିତ୍ର ନୀତା ବାଂଲାଦେଶୀ ରିଫ୍ୟୁଜି କଲୋନୀର ବାସିନ୍ଦା, ଭୟଙ୍କର ଦାରିଦ୍ର୍ୟ ଆଉ ଦୈନ୍ୟର ମେଘ ତଳେ ଢାଙ୍କି ହେଇଯାଇଥିବା ତାରା । କିନ୍ତୁ ଏ ମେଘ କେବଳ ଦାରିଦ୍ର୍ୟର ମେଘ ନୁହେଁ । ଏ ମେଘ ହରେଇଦବାର ମେଘ - ନିଜ ମାଟିକୁ, ନିଜ ଜନ୍ମସ୍ଥାନକୁ, ନିଜର ଅସ୍ତିତ୍ୱର ଖଣ୍ଡେ ବଡ଼ ଅଂଶକୁ ହରେଇଦବାର ମେଘ ଇଏ । ନିରେଖି ଦେଖିଲେ ଏ ମେଘକୁ ଆପଣ ଭେଟିବେ ଋତ୍ଵିକ ଘଟକଙ୍କର ଆଠଟିଯାକ ଫିଲ୍ମରେ । ସେଇ ସକାଶେ ନା ବମ୍ବେରେ ବିମଲ ରୟଙ୍କ ସଂଳାପ ଓ ଚିତ୍ରନାଟ୍ୟ ଲେଖକ ଭାବେ, ନା ପୁନାରେ ଭାରତର ପ୍ରଥମ ଫିଲ୍ମ ଇନଷ୍ଟିଚ୍ୟୁଟର ପ୍ରମୁଖ ଅଧ୍ୟାପକ ଭାବେ, ନା କୋଲକାତାରେ ନିଜ ଢଙ୍ଗରେ ନିଜ ଫିଲ୍ମ କଲାବେଳେ - କେବେ ବି ପାଇଯିବାର ଶାନ୍ତି ଟିକକ ନଥିଲା ଘଟକଙ୍କ ଜୀବନରେ । ଅଥଚ ନଖୋଜି ରହି ବି ହଉନଥିଲା ।

ଜୀବଦ୍ଦଶାର ଶେଷ ଆଡ଼କୁ ଅବଶ୍ୟ ଘଟକ ପଦ୍ମଶ୍ରୀ ପାଇଥିଲେ । ଘଟକ ହିଁ ତିଆରି କରିଥିଲେ ପୁନା ଫିଲ୍ମ ଇନଷ୍ଟିଚ୍ୟୁଟ (ପରେ ଯାହା ଏଫ.ଟି.ଆଇ.ଆଇ. ହେଲା) ର ପାଠ୍ୟ ଖସଡ଼ା । ଘଟକଙ୍କର ଛାତ୍ରମାନଙ୍କ ଭିତରେ ଥିଲେ ଭାରତୀୟ ସମାନ୍ତର ସିନେମାକୁ ନୂଆ ଦିଗ ଦେଖେଇଥିବା ନିର୍ଦ୍ଦେଶକମାନେ - ମଣି କୌଲ, କୁମାର ଶାହାନୀ, ଜନ ଆବ୍ରାହାମ, ଅଦୂର ଗୋପାଲକ୍ରିଷ୍ଣନ ପ୍ରମୁଖ ଯେଉଁମାନେ ନିଜ ସିନେମା - ନିର୍ମାଣରେ ଘଟକଙ୍କ ବ୍ୟକ୍ତିତ୍ୱ ତଥା କଳା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହେବା ସ୍ଵୀକାର କରିଥିଲେ । ଏସବୁ ହେଲାବେଳକୁ ଅବଶ୍ୟ ଘଟକଙ୍କର ସ୍ୱାସ୍ଥ୍ୟ ଦୁର୍ବଳ ହେଇଆସୁଥିଲା, ଅତ୍ୟଧିକ ମଦ୍ୟପାନ ଏବଂ ମାନସିକ ବିଷାଦ ସକାଶେ । ମାତ୍ର ୫୧ ବର୍ଷ ବୟସରେ ଘଟକଙ୍କର ପରଲୋକ ହେଲା କୋଲକାତାରେ । ମରିବାର ପ୍ରାୟ ପଚିଶ ବର୍ଷ ପରେ ଯାଇ ଘଟକଙ୍କ ସିନେମାର ଅନନ୍ୟ ଦିଗସବୁ ଆଲୋଚିତ ହେଲା ବିଶ୍ୱ ଦରବାରରେ । ଦୁନିଆର ସିନେମା ଦର୍ଶକ ଓ ବଡ଼ ବଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଘଟକଙ୍କର ସିନେମା ପ୍ରଦର୍ଶିତ ହେଲା । ବିଶ୍ବପ୍ରସିଦ୍ଧ କ୍ରାଇଟେରିଅନ୍ କମ୍ପାନୀ ଘଟକଙ୍କର କିଛି ସିନେମାର ପୁନରୁଦ୍ଧାର ଓ ଡିଜିଟାଇଜେସନ କଲା । ଅବଶ୍ୟ ଏବେ ବି, ଘଟକଙ୍କର ବିଭାଜନ - ତ୍ରୟୀ (Partition Trilogy) ଭିତରୁ ଗୋଟିଏ ଫିଲ୍ମ ('କୋମଲ ଗାନ୍ଧାର')ର ପୁନରୁଦ୍ଧାର ହେଇନାହିଁ । ବାକି ଦୁଇଟି ଅବଶ୍ୟ ('ମେଘେ ଢାକା ତାରା' ଓ 'ସୁବର୍ଣ୍ଣରେଖା') କ୍ରାଇଟେରିଅନ୍ ଓ ଜାନୁସ୍ ଫିଲ୍ମସ୍ ଦ୍ୱାରା ସୁନ୍ଦର ଭାବେ ପୁନରୁଦ୍ଧାର କରାଯାଇଚି ।

ଠିକ ପ୍ରସ୍ପେରୋର ସଂଳାପ ପରି 'ମେଘେ ଢାକା ତାରା'ର କ୍ଳାଇମାକ୍ସର ସଂଳାପ ବି ଖୁବ ପ୍ରସିଦ୍ଧ । ସୁପ୍ରିୟା ଚୌଧୁରୀ ଅଭିନୀତ ନୀତା ଚରିତ୍ର ରୁଗ୍ଣ ଅବସ୍ଥାରେ ନିଜ ଭାଇ ଶଙ୍କର (ଅନୀଲ ଚାଟାର୍ଜୀ)କୁ ହଠାତ୍ କଥାମଝିରେ କାନ୍ଦକାନ୍ଦ ହେଇ କହି ଉଠୁଚି, "ଦାଦା, ଆମି ଶୁଧୁ ବାଚତେ ଚେୟେଛିଲାମ୍ !" ("ଭାଇ, ମୁଁ ଖାଲି ଟିକେ ବଞ୍ଚିବାକୁ ଚାହିଁଥିଲି !") ଏବଂ କହିଚାଲିଚି ତା'ପରେ ଚିତ୍କାର କରି, "ଆମି ବାଚବୋ ! ଏକବାର ବୋଲୋ, ଆମି ବାଚବୋ !" ("ମୁଁ ବଞ୍ଚିବି ! ଥରୁଟିଏ କହିଦିଅ ଯେ ମୁଁ ବଞ୍ଚିବି !") ନୀତାର କଥା ଗୁଞ୍ଜରି ଉଠୁଚି ପାହାଡ଼ ପର୍ବତ ଉପତ୍ୟକାରେ, ସ୍ୱର ଭାଙ୍ଗିଯାଉଥିବା ସତ୍ତ୍ୱେ । ଏ ଧାଡ଼ିତକ ମୁଁ ଅନେକ ଥର ପଢ଼ିଚି ଓ ଶୁଣିଚି ଲେଖକ - ସମୀକ୍ଷକଙ୍କ ମୁହଁରେ, ଏବଂ ପ୍ରାୟଥର ଶୁଣିଚି ସେମାନଙ୍କୁ ଭୁଲ କହିବାର: "ଦାଦା, ଆମି ବାଚତେ ଚାଇ !" ("ଭାଇ, ମୁଁ ବଞ୍ଚିବାକୁ ଚାହେଁ !") ଏ ଧାଡ଼ିଟି ହୁଏତ ଲୋକଙ୍କୁ ଅଧିକ କରୁଣ ଲାଗୁଥାଇପାରେ । କିନ୍ତୁ, ମୋ ବିଚାରରେ ଅନ୍ତତଃ, ଅତି ଯୁବ ବୟସରେ ନିଜର ସ୍ୱାସ୍ଥ୍ୟ ହରେଇ ଦୟନୀୟ ଅବସ୍ଥାରେ ଥିବା ସାନଭଉଣୀ ମୁହଁରୁ "ଭାଇ ! ମୁଁ ଖାଲି ଟିକେ ବଞ୍ଚିବାକୁ ଚାହିଁଥିଲି !" ପରି ଧାଡ଼ିଠାରୁ କରୁଣତର ଧାଡ଼ି ଆଉ କିଛି ନଥାଇପାରେ ! ଥରୁଟିଏ ବି ଫିଲ୍ମରେ ବିଭାଜନ ଶବ୍ଦ ବ୍ୟବହାର ନକରି ଜଣେ କେତେ ମାର୍ମିକ ଭାବେ ବିସ୍ଥାପନର ଭୟାବହତା ଦେଖେଇପାରେ କେବଳ ଏଇ ଧାଡ଼ିକରେ ! ଚକମକ କରିବାର ସବୁ ପ୍ରତିଶ୍ରୁତି ସତ୍ତ୍ୱେ ମେଘ ତଳେ ଢାଙ୍କି ହେଇଯିବାର ଭାଗ୍ୟ ସତେ କେତେ କରୁଣ ତାରାଟିଏ ପାଇଁ, ବିଶେଷ କରି ସେତେବେଳେ ଯେତେବେଳେ ସିଏ ଠିକ୍ ଜାଣେ ଯେ ଚକମକ କରିବା ହିଁ ତା'ର ପରିଚୟ, ତା'ର ହକ୍ । ଏଇ କଥାଟି ଖୋଦ ଋତ୍ଵିକ ଘଟକଙ୍କ ପାଇଁ ବି ସେତିକି ପ୍ରଯୁଜ୍ୟ ଯେତିକି ନୀତା ପାଇଁ ।

ସାରିବା ପୂର୍ବରୁ ପୁଣି ଫେରୁଚି ଭାନ୍-ଗଗ୍ ଙ୍କ ପାଖକୁ । 'ଡକ୍ଟର ହୁ' ନାଁରେ ଏକ ଲୋକପ୍ରିୟ ଟି.ଭି. ସିରିଜ୍ ଅଛି ବ୍ରିଟେନରେ । ପ୍ରାୟ ଷାଠିଏ ବର୍ଷ ହେଲା 'ଡକ୍ଟର' ଚରିତ୍ରରେ ଭିନ୍ନ ଭିନ୍ନ ଅଭିନେତା ଅଭିନୟ କରିଆସୁଚନ୍ତି ଏଥିରେ, ଏମିତି ଏକ ବୈଜ୍ଞାନିକ ଚରିତ୍ରରେ ଯିଏ ସମୟରେ ଆଗକୁ/ପଛକୁ ଯାଇପାରେ, ଅର୍ଥାତ୍ ସମୟ ପରିକ୍ରମା ବା ଟାଇମ୍ ଟ୍ରାଭେଲ୍ କରିପାରେ । ସେଇ ସିରିଜର ଗୋଟିଏ ଅଧ୍ୟାୟରେ ଡକ୍ଟର ଚରିତ୍ର ଅତୀତକୁ ଯାଇ ଭାନ୍-ଗଗ୍ ଙ୍କୁ ସାଥିରେ ନେଇ ପୁଣି ଭବିଷ୍ୟତକୁ ଫେରିଆସୁଚି ଏବଂ ଯାଉଚି ନ୍ୟୁୟର୍କର ମ୍ୟୁଜିଅମ୍ ଅଫ୍ ମଡ଼ର୍ଣ୍ଣ ଆର୍ଟ୍ କୁ । ସେଇ ଜାଗାକୁ ଯୋଉଠି ଅଛି ଭାନ୍ - ଗଗ୍ ଙ୍କ ବିଶ୍ୱ - ପ୍ରସିଦ୍ଧ ଚିତ୍ରକୃତି "The Starry Night" । ଏବଂ ସେଠି ନିଜ କଳାକୃତି ପ୍ରତି ଏତେ ଲୋକଙ୍କର ଅସୀମ ଭଲପାଇବା ଆଉ ଆଦୃତି ଦେଖି ଖୁସିରେ କାନ୍ଦିପକଉଚନ୍ତି ଭାନ୍ - ଗଗ୍ । ଆଜି ଯେତେବେଳେ ମୁଁ ଫିଲ୍ମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଥିଏଟରରୁ 'ମେଘେ ଢାକା ତାରା' ଦେଖିସାରିଲା ପରେ ନିଶବ୍ଦ ଓ ଲୁହ ଜକେଇ ଆସୁଥିବା ଦର୍ଶକମାନଙ୍କର ପଟୁଆରରେ ବାହାରକୁ ବାହାରୁଥିଲି ଏବଂ କୋଲକାତାର ମେଘନଥିବା ସନ୍ଧ୍ୟା ଆକାଶର ତାରାମାନଙ୍କୁ ଦେଖୁଥିଲି, ମୁଁ ଭାବୁଥିଲି ଦୁନିଆରେ ଯେବେ ଯେବେ ଯେଉଁଠି ବି ଋତ୍ଵିକ ଘଟକଙ୍କର ସିନେମା ଦେଖାହଉଥିବ, କୋଉଠି ନା କୋଉଠି ତ ମେଘ ଟିକେ ହଟିଯାଉଥିବ; ନହଟିଲେ ବି ମେଘର ପରସ୍ତ ତଳେ ତ ଚକମକ କରୁଥିବ ତାରାଟିଏ ।