ଶ୍ୟାମଳୀ ଦାସ, ଏକ ଆଲୋଚନା

କୃଷ୍ଣ କୁମାର ମହାନ୍ତିଙ୍କ ଏକମାତ୍ର ଗଳ୍ପ ସଂକଳନକୁ ନେଇ ଏକ ସମୀକ୍ଷା ।


କବି କୃଷ୍ଣ କୁମାର ମହାନ୍ତି ଗଳ୍ପ ଲେଖନ୍ତି, ଚମତ୍କାର ଗଳ୍ପ ଲେଖନ୍ତି । ନବେ ଦଶକରେ କଥା ନବ ପ୍ରତିଭା ପୁରସ୍କାର ପାଇଥିବା ଗାଳ୍ପିକ କୃଷ୍ଣ କୁମାର ମହାନ୍ତି ପରବର୍ତ୍ତୀ ସମୟରେ ଅନେକ ଗଳ୍ପ ଲେଖିଛନ୍ତି, ବିଭିନ୍ନ ପତ୍ର ପତ୍ରିକାରେ ତାଙ୍କ ଗଳ୍ପ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହେଇଛି, କିନ୍ତୁ ସେସବୁକୁ ନେଇ ଗଳ୍ପ ସଙ୍କଳନଟିଏ କରିବାରେ ସେ ଅନେକ ହେଳା କରି ପ୍ରାୟ କୋଡିଏ ବର୍ଷ ପରେ 'ଶ୍ୟାମଳୀ ଦାସ' ଗଳ୍ପ ସଙ୍କଳନକୁ ଆଣିଛନ୍ତି ତାଙ୍କ ଗଳ୍ପର ପାଠକମାନଙ୍କ ପାଇଁ ।

ଶ୍ୟାମଳୀ ଦାସ ସଂକଳନରେ ସମୁଦାୟ କୋଡିଏଟି ସୁନ୍ଦର ସୁନ୍ଦର ଗଳ୍ପ ରହିଛି । 'ଶ୍ୟାମଳୀ' ହିଁ ପ୍ରାୟ ଗଳ୍ପର ନାୟିକା । ଶ୍ୟାମଳୀ ଭିନ୍ନ ଭିନ୍ନ ଭୂମିକାରେ ଆସିଛି ଭିନ୍ନ ଭିନ୍ନ ଗଳ୍ପରେ । ଶ୍ୟାମଳୀ କୋଉଠି ଶାନ୍ତ, ସରଳା ବିବାହିତା ନାରୀଟିଏ ତ ସେହି ଶ୍ୟାମଳୀ ଆଉ କେଉଁଠି ଅବିବାହିତା ଅଭିମାନୀ ଝିଅଟିଏ । ଜଣେ ଶ୍ୟାମଳୀ କେବେ ଅଫିସରୁ ଫେରି ପୁରୁଣା ପ୍ରେମିକର ଭେରାଇଟି ଷ୍ଟୋରରୁ ଗ୍ରୋସରୀ କିଣୁଛି ତ ଆଉ ଜଣେ ଶ୍ୟାମଳୀ ପୁସ୍ତକମେଳାରେ ବୁଲିବୁଲି ବହି କିଣୁଛି । ଜଣେ ଶ୍ୟାମଳୀ ସ୍ୱାମୀ ସହ ମିଶି ଲୋକଙ୍କ ପକେଟ୍ କାଟି ଟଙ୍କା ଚୋରି କଲାବେଳେ ଆଉ ଜଣେ ଶ୍ୟାମଳୀ ସ୍ୱାମୀ ମୁଣ୍ଡରୁ ପରିବାରର ବୋଝକୁ ହାଲ୍କା କରିବା ପାଇଁ ଯାଚି ଦେଉଛି ନିଜର ସମସ୍ତ ସ୍ୱର୍ଣ୍ଣ ଅଳଙ୍କାର ।

'ଶ୍ୟାମଳୀ ଦାସ' ସଂକଳନର ପ୍ରତିଟି ଗଳ୍ପରେ ପାଠକ ଗୋଟେ ଗୋଟେ ନୂଆପଣକୁ ଭେଟେ । ନବେ ଦଶକରେ ଲେଖା ହେଇଥିବା ଗଳ୍ପଗୁଡ଼ିକ ବର୍ତ୍ତମାନ ସମୟର କାହାଣୀ କହେ । ଗଳ୍ପଗୁଡ଼ିକର ଶୀର୍ଷକ ଯେମିତି ନିଆରା, କାହାଣୀ ମଧ୍ୟ ସେହି ଭଳି ଖୁବ୍ ୟୁନିକ୍ ।

ସମସ୍ତ କୋଡିଏଟି ଗଳ୍ପ ମୋ ହୃଦୟକୁ ଛୁଇଁଥିଲେ ମଧ୍ୟ ମୁଁ ଏଠି ଆଲୋଚନା କରିବି ମୋତେ ସବୁଠୁ ବେଶି ଭଲ ଲାଗିଥିବା କିଛି ଗଳ୍ପମାନଙ୍କ ବିଷୟରେ ।

'ମୂଷା ଓ ମାମୀ ମିଶ୍ରମାନେ' ସଂକଳନର ପଞ୍ଚମ ଗଳ୍ପ ଯାହା ଝଙ୍କାର ପତ୍ରିକାରେ ୧୯୯୫ରେ ପ୍ରକାଶିତ ହୋଇଥିଲା । ଗଳ୍ପର ମୁଖ୍ୟ ଚରିତ୍ର ଗୋଟେ ମୂଷା । ମୂଷା ଏଠି ଏକ ସଂକେତ । ଗଳ୍ପର ନାୟକ ହେଲେ ଜଣେ ଲେଖକ ଯାହାଙ୍କ ଘରେ ମୂଷାଟି ଖୁବ୍ ଉତ୍ପାତ କରେ । ଲେଖକ ଜଣଙ୍କ ଭାରି ବେପରୁଆ ମଣିଷ । ସେ ଏତେ ବେପରୁଆ ଯେ ସୁନ୍ଦରୀ ପ୍ରେମିକା ମାମୀ ମିଶ୍ରର ମାତ୍ରାଧିକ ପ୍ରେମକୁ ବି ବେପରୁଆ ଭାବେ ପ୍ରତ୍ୟାଖାନ କରିବା ପରେ ପ୍ରେମିକାର ସ୍ମୃତିରେ ବଞ୍ଚିବାକୁ ବାଛିନେଲେ ଏକ ବେଫିକର ଜୀବନ । ଲେଖକଙ୍କ ମନରେ ମାମୀ ମିଶ୍ର ଅହରହ ବିଚରଣ କରୁଥାଏ ଓ ଲେଖକଙ୍କ ଘରେ ମୂଷା ନିଜର ଆଧିପତ୍ୟ ବିସ୍ତାର କରୁଥାଏ । ମୂଷା ଲେଖକଙ୍କର ଯାବତୀୟ କ୍ଷତି ଘଟାଉଥାଏ, କିନ୍ତୁ ଲେଖକ ତା'ର ଉତ୍ପାତରେ ସାମାନ୍ୟତମ ଉତକ୍ଷିପ୍ତ ନହୋଇ ନିର୍ବିକାର ଭାବେ ଜିଉଁଥାନ୍ତି ନିଜ ଏକାକୀ ଜୀବନକୁ । ମୂଷା ଉତ୍ପାତ କରି କରି ଥକିଯାଏ, ବିଚଳିତ ହେଇଯାଏ, ଆବାକ୍ ହେଇଯାଏ ଲେଖକଙ୍କର ନିର୍ବିକାର ଭାବକୁ ଦେଖି । ମୂଷା ଲେଖକଙ୍କ ପାଇଁ ଏକ ସମସ୍ୟା ବୋଲି ଲେଖକ କେବେ ଭାବିଲେ ନାହିଁ, ସେ ତାଙ୍କ ସମସ୍ୟାକୁ ଇଗ୍ନୋର୍ କଲେ, ସମସ୍ୟା ଲେଖକଙ୍କ ପ୍ରତି ସମ୍ବେଦନଶୀଳ ହେଇ ଉଠିଲା, ଲେଖକଙ୍କୁ ଭଲ ପାଇ ବସିଲା । ଲେଖକ ମୂଷାକୁ ମୁଖ୍ୟ ଚରିତ୍ର କରି ଗଳ୍ପ ଲେଖିଲେ, ମୂଷା ଭିତରେ ମାମୀ ମିଶ୍ରକୁ ଦେଖିଲେ । ମୂଷା ଗଳ୍ପର କ୍ଲାଇମାକ୍ସରେ ମୂଷାର ମୃତ୍ୟୁ ହେବା ସ୍ଥିର କରିନେଇଥିଲେ ଲେଖକ । କିନ୍ତୁ ପରବର୍ତ୍ତୀ ସମୟରେ ଗାଳ୍ପିକ ମୂଷାଟିକୁ ମାରିଦେବାକୁ ଚାହୁଁନଥିଲେ । ଗଳ୍ପ ନାୟକ (ସେହି ବେଆପାରୁଆ ଲେଖକ ) ମୂଷାର ମୃତ୍ୟୁକୁ ନେଇ ବିଚଳିତ ହେଇ ଉଠିଲେ, ଉଦାସ ହେଇଗଲେ । ମୂଷା ଏସବୁ ଜାଣିଗଲା ଓ ଆତ୍ମହତ୍ୟା କରିବା ପାଇଁ ଘର ସାରା ବିଷ ଖୋଜି ବୁଲିଲା । ସତରେ ଏ ଗଳ୍ପ ଓଡ଼ିଆ ଗଳ୍ପ ଜଗତର ଏକ ନିଆରା ଗଳ୍ପ । ଗଳ୍ପର ଶେଷ ଭାଗର ଟ୍ଵିଷ୍ଟ୍ ପାଠକଙ୍କୁ ନିଶ୍ଚିତ ଭାବେ ଚତ୍ମତକୃତ କରିଥିବ ।

ସଂକଳନର ଶୀର୍ଷକ ଗଳ୍ପ 'ଶ୍ୟାମଳୀ ଦାସ' ପୁସ୍ତକର ପ୍ରଥମ ଗଳ୍ପ ଯାହା ୨୦୦୬ ମସିହା 'ଗଳ୍ପ' ରେ ପ୍ରକାଶିତ ହୋଇଥିଲା । ଗଳ୍ପର ମୁଖ୍ୟ ଚରିତ୍ର ଶ୍ୟାମଳୀ, ବୟସ ଚାଳିଶ, ଅବିବାହିତା, ଇଣ୍ଟେଲିଜେଣ୍ଟ ଓ ଇଣ୍ଡିପେଣ୍ଡେଣ୍ଟ୍ । ଶ୍ୟାମଳୀର ଦେହର ରଙ୍ଗ ଶ୍ୟାମଳ, ଶରୀର ପତଳା ଓ ଗଢ଼ଣ ଅତି ସାଧାରଣ । ସେଥିପାଇଁ ବୋଧହୁଏ ତା'ର ରୂପ, ରଙ୍ଗରେ ଚମକ ନାହିଁ ବୋଲି ମନେ କରେ ଆମର ସମାଜ ଏବଂ ସେହି କାରଣରୁ ବୋଧେ ଶ୍ୟାମଳୀର ନିଜ ସୌନ୍ଦର୍ଯ୍ୟକୁ ନେଇ ଆତ୍ମବିଶ୍ୱାସ ଖୁବ୍ କମ୍ । ଶ୍ୟାମଳୀ ଦୁଃଖୀ ରହେ, ପ୍ରେମ ପାଇଁ ମନକୁ ଆଗେଇ ନିଏ ନାହିଁ, ପାଠ ଓ କ୍ୟାରିୟରକୁ ସବୁଯାକ ସମୟ ଦେଇଦିଏ । ଗୌତମ, ଗାଳ୍ପିକ ଗୌତମ ଆସନ୍ତି ଶ୍ୟାମଳୀର ଜୀବନରେ, ଶ୍ୟାମଳୀକୁ ଚରିତ୍ର କରି ଅନେକ ସଫଳ କାହାଣୀ ଲେଖନ୍ତି, କାହାଣୀ ଲେଖା ସରେ, ସେ ଫେରି ଯାଆନ୍ତି । ସୁବ୍ରତ ଆସେ ଶ୍ୟାମଳୀର ଜୀବନରେ, ଶ୍ୟାମଳୀ ସୁବ୍ରତର ପ୍ରେମରେ ପଡେ । ନିଜକୁ ନୂଆ କରି ଆଇନାରେ ଦେଖେ, ନିଜର ଅପରୂପ ସୌନ୍ଦର୍ଯ୍ୟକୁ ପ୍ରଥମ କରି ଅନୁଭବ କରେ, ସମ୍ପର୍କଟା କିନ୍ତୁ ସେତିକି ଆଗେଇ ପାରେନି । ଶ୍ୟାମଳୀ ଭାବେ, "କିଛି ହେଇପାରିବନି" । ସତରେ କିଛି ହେଇପାରେନି । ସୁବ୍ରତ କିଛି ଅକୁହା କଥାକୁ ମନରେ ଚାପି ରଖି ଅନ୍ୟ ଜଣେ ଝିଅର ହାତ ଧରି ସଂସାର ଗଢିବାକୁ ଚାଲିଯାଏ । ଶ୍ୟାମଳୀ ପୁଣି ଏକ୍ଲା ହେଇଯାଏ । ଶ୍ୟାମଳୀ ନିଜକୁ ସମ୍ଭାଳିନିଏ । ସେ ବଞ୍ଚିବା ଶିଖିଛି, ଏକାକୀ ବଞ୍ଚିବାର କଳା ତାକୁ ବେଶ୍ କରି ଜଣା । ସେ କାହାରି ଜୀବନରେ ଝଡ଼ ହେବାକୁ ଚାହେଁନି, ଶୀତଳ ପବନ ହେଇ ବହିଯିବାକୁ ଚାହେଁ । ତେଣୁ ଶ୍ୟାମଳୀ ଖାତିର କରେନି ତା ଆଖପାଖ ଲୋକଙ୍କ ଆକ୍ଷେପକୁ, ଶ୍ୟାମଳୀ ଜିଇଁଚାଲେ ତା'ର ଏକାକୀ ଜୀବନକୁ ।

ଗଳ୍ପ 'ଭିକ' ସଙ୍କଳନର ଷଷ୍ଠ ଗଳ୍ପ, ପ୍ରକାଶନ କାଳ ୧୯୯୪ 'ପ୍ରଗତିବାଦୀ' । ଭିକ ଗଳ୍ପଟି ଛାତି ଥରେଇଦେଲା ଭଳି ଏକ କରୁଣ କାହାଣୀ । ଶାନ୍ତନୁର ଅଲିଅଳି ଛୋଟ ଝିଅଟି ଜ୍ଵରରେ ପୀଡିତା । ତଥାପି ଶାନ୍ତନୁ ଅଫିସ୍ ଯିବାକୁ ବାଧ୍ୟ ହେଉଛି । ଅଫିସରୁ ଶୀଘ୍ର ଫେରିବାକୁ ଅସ୍ତବ୍ୟସ୍ତ ହେଉଛି ଶାନ୍ତନୁ । ଫେରିଲାବେଳକୁ ବର୍ଷାର ଉତ୍ପାତ ଆରମ୍ଭ ହେଇଯାଉଛି । ଶାନ୍ତନୁ ମୂଷଳଧାରାର ବର୍ଷାରୁ ରକ୍ଷା ପାଇବା ପାଇଁ ରାସ୍ତା କଡ଼ ଦୋକାନର ବାରଣ୍ଡାରେ ଆଶ୍ରୟ ନେଉଛି । ସେଇଠି ସେ ଭେଟୁଛି ଚମ୍ପାକୁ, ଦେହଜୀବୀ ଚମ୍ପାକୁ । ଚମ୍ପାର ଉଦ୍ଧତ କାର୍ଯ୍ୟକଳାପରେ ଶାନ୍ତନୁ ପ୍ରଥମେ ଅତିଷ୍ଠ ହେଉଥିଲେ ମଧ୍ୟ ତା' ଅସହାୟତା ବିଷୟରେ ଜାଣି ତା ପ୍ରତି ସମ୍ବେଦନଶୀଳ ହେଇ ପଡିଛି । ଚମ୍ପା ଘରେ କିଛି ଦିନ ହେବ ଚୁଲି ଜଳିନି, ଚମ୍ପାର କୁନି ଝିଅଟା ଜରରେ ବିଳିବିଳାଉଛି, ତାକୁ ଔଷଧ କି ବିସ୍କୁଟ ଖଣ୍ଡେ ଖୁଏଇବାକୁ ଚମ୍ପା ପାଖରେ ଟଙ୍କାଟାଏ ନାହିଁ, କାରଣ ଚମ୍ପାକୁ ଆଉ ଗ୍ରାହକ ଜୁଟୁ ନାହାଁନ୍ତି । ଚମ୍ପାର ବେମାରିଆ ଝିଅ କଥା ଭାବି ଶାନ୍ତନୁର ହୃଦୟ ତରଳି ଯାଉଛି । ସେ ଚମ୍ପାକୁ କିଛି ଟଙ୍କା ଯାଚୁଛି, କିନ୍ତୁ ସ୍ୱାଭିମାନୀ ଚମ୍ପା ଭିକ ନେବାକୁ ସଫା ମନା କରିଦେଇଛି, ସେ ଶାନ୍ତନୁକୁ ଡାକିଛି ତା'ର ଗ୍ରାହକ ହେବା ପାଇଁ । ଶାନ୍ତନୁ ଚମ୍ପାର ଝିଅ ଭିତରେ ନିଜ ଝିଅ ସାନିକୁ ଦେଖିଛି, ଚମ୍ପାର ଝିଅ ବଞ୍ଚିଯାଉ ବୋଲି ଶାନ୍ତନୁ ଚାହିଁଛି, କିନ୍ତୁ ଚମ୍ପାର ଗ୍ରାହକ ହେବାକୁ ଆଦୌ ଇଚ୍ଛା କରିନାହିଁ । ତେବେ ଶାନ୍ତନୁ ଦେହଜୀବୀ ଚମ୍ପାକୁ କିଭଳି ସାହାଯ୍ୟ କରିପାରିଛି ? ତାହା ଗଳ୍ପଟିକୁ ଶେଷ ଯାଏଁ ପଢ଼ିଲେ ଜାଣି ପାରିବେ । ପରିସମାପ୍ତି ଖୁବ୍ ଚମତ୍କାର । ପାଠକଙ୍କ ମନକୁ ନିଶ୍ଚିତ ଭାବେ ଏ ଗଳ୍ପ ଆନ୍ଦୋଳିତ କରିଥିବ ବୋଲି ମୋର ବିଶ୍ୱାସ ।

'ପୁସ୍ତକ ମେଳାରେ ଶ୍ୟାମଳୀ'ରେ ଶ୍ୟାମଳୀର ଏକ ଭିନ୍ନ ରୂପ ଦେଖିବେ ପାଠକ । ଏଠି ଶ୍ୟାମଳୀ ଚମ୍ପାଫୁଲ ରଙ୍ଗର ସୁନ୍ଦରୀ ମହିଳା । ଶ୍ୟାମଳୀ କଳାପ୍ରେମୀ, ବହି ପ୍ରେମୀ, ସ୍ମାର୍ଟ ଓ ସାହସୀ, ତଥାପି ସେ ଅବୁଝା ଓ ଡରକୁଳି । ସେଥିପାଇଁ ତ ସ୍ୱାମୀ ଗୌତମ କହନ୍ତି, "ଶ୍ୟାମଳୀ, ତୁମେ ସ୍ମାର୍ଟ ଷ୍ଟୁପିଡ୍" ।

ସୁନ୍ଦରୀ ଶ୍ୟାମଳୀ ସେଦିନ ଗୌତମଙ୍କ ବିନା ପୁସ୍ତକ ମେଳାରେ ପ୍ରବେଶ କଲା । ସଭିଙ୍କ ଆଖି ଶ୍ୟାମଳୀର ସୌନ୍ଦର୍ଯ୍ୟ ଆଡ଼େ ଘୂରି ବୁଲୁଥିଲା । ଶ୍ୟାମଳୀ ସହ କଥା ହେବାକୁ ଘେରିଗଲେ କିଛି ବନ୍ଧୁ । ଫେରିଲାବେଳକୁ ଟିକେ ବିଳମ୍ବ ହେଇଗଲା । ଶ୍ୟାମଳୀ ତରବର ହେଇ ଫେରୁଥିଲା, ମନରେ ଭୟ ଥିଲା, ତା କାର୍ ପଛରେ ପାଞ୍ଚୋଟି ବାଇକ୍ ତାକୁ ଫଲୋ କରୁଥିଲେ । ଶ୍ୟାମଳୀ ବ୍ୟତିବ୍ୟସ୍ତ ହେଇ ଉଠୁଥିଲା, ଡ୍ରାଇଭରକୁ କହୁଥିଲା ଗାଡିର ବେଗ ବଢ଼େଇବାକୁ । ଭୟରେ ଆଖି ବୁଜି ଗାଡ଼ିରେ ବସିଥିଲା ଶ୍ୟାମଳୀ । ଘର ପାଖରେ ପହଞ୍ଚିଲା ପରେ ତରବର ହୋଇ ଘରେ ପ୍ରବେଶ କରି ବାହାରକୁ ଦେଖି ଆଶ୍ଚର୍ଯ୍ୟ, ଅବାକ୍ ହେଇଯାଏ ଶ୍ୟାମଳୀ । ଶ୍ୟାମଳୀ କାହିଁକି ହେଇଯାଏ ଅବାକ୍ ? ତାହା ହିଁ ଗଳ୍ପର ମୂଳ କଥା । ଗାଳ୍ପିକ ଏଠି ଛୋଟିଆ ଗୋଟେ ଘଟଣାକୁ ନେଇ ବେଶ୍ ସୁନ୍ଦର କାହାଣୀଟିଏ ଗଢି ଦେଇଛନ୍ତି, ଯାହାକୁ ପଢିସାରି ପାଠକଙ୍କ ଓଠରେ ସୁନ୍ଦର ସ୍ମିତହାସ୍ୟଟିଏ ଖେଳିଯିବ ।

'ରକ୍ତାକ୍ତ ଚିଠି' 'କଥା' ପତ୍ରିକାରେ ୧୯୯୦ ମସିହାରେ ପ୍ରକାଶିତ ହୋଇଥିବା ଏକ ଚମତ୍କାର ଗଳ୍ପ । ଏ ଗଳ୍ପରେ ନାୟକ ଗୌତମ ମହାପାତ୍ର ଚିଠି ଲେଖୁଛି ଶ୍ୟାମଳୀକୁ, ଯାହାକୁ ସେ ବିବାହ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ଗୌତମ ଚିଠିରେ ସ୍ୱୀକାର କରୁଛି ସେ ଏକ ହତ୍ୟା କରିଛି ଏବଂ ପ୍ରାୟଶ୍ଚିତ କରିବା ପାଇଁ ତାକୁ ଶ୍ୟାମଳୀ ସହ ହେବାକୁ ଥିବା ବିବାହକୁ ଭାଙ୍ଗିବାକୁ ପଡ଼ିବ । ତେବେ ଗୌତମ ଏମିତି କି ହତ୍ୟା କରିଛି ଯେ ସେ ଅପରାଧ ପାଇଁ ତାକୁ ଜେଲ୍ ନହୋଇ ଶ୍ୟାମଳୀ ସହ ସମ୍ପର୍କ କାଟିବାକୁ ପଡ଼ିବ ? ସେ ହତ୍ୟା ସହ ଶ୍ୟାମଳୀର କୌଣସି ସମ୍ପର୍କ ନାହିଁ, ଏ ଗଳ୍ପର ନାୟିକା ଶ୍ୟାମଳୀ ନୁହେଁ, ଏ ଚିଠି ଶ୍ୟାମଳୀ ଉଦ୍ଦେଶ୍ୟରେ ଲେଖା ଯାଇଛି ସତ କିନ୍ତୁ କାହାଣୀ ଶ୍ୟାମଳୀର ନୁହେଁ, କାହାଣୀ ତ କଲ୍ ଗାର୍ଲ୍ ମମତାଜର । ଅଳ୍ପ ବୟସରୁ ପରିବାରର ଦୁଇ ଦୁଇ ଜଣ ସଦସ୍ୟଙ୍କୁ ହରେଇ ଏକା ଏକା ଅନ୍ଧ ବାପାକୁ ସମ୍ଭାଳି ନେଇ ଏ ସ୍ୱାର୍ଥପର ଦୁନିଆଁରେ କିଭଳି ଭାବେ ତିଷ୍ଠିଛି ମମତାଜ, ସେହି କରୁଣ କାହାଣୀକୁ ଅତି ଚମତ୍କାର ଭାବେ ଗାଳ୍ପିକ 'ରକ୍ତାକ୍ତ ଚିଠି'ରେ ଲେଖିଛନ୍ତି । ଏ ଚିଠି ପାଠକଙ୍କ ହୃଦୟକୁ ଛୁଇଁଥିବ ନିଃସନ୍ଦେହରେ ।

୧୯୯୨ ମସିହାରେ ଭୁବନେଶ୍ୱର ପୁସ୍ତକମେଳା 'ରବି ପଟ୍ଟନାୟକ ସ୍ମୃତି ପୁରସ୍କାର' ପ୍ରାପ୍ତ କରିଥିବା ଗଳ୍ପ 'ଜଘନ୍ୟ ଜୀବିକାର ଯବନିକା' କୁ ଗାଳ୍ପିକ କୃଷ୍ଣ ମହାନ୍ତି ସାର୍ ଲେଖିଥିଲେ ମାତ୍ର ପଚିଶ ବର୍ଷ ବୟସରେ ଯାହା ପ୍ରତିବେଶୀରେ ୧୯୯୧ରେ ପ୍ରକାଶିତ ହୋଇଥିଲା । ସେହି ସମୟରେ ଏ ଗଳ୍ପକୁ ପଢି ବିଶିଷ୍ଟ ଗାଳ୍ପିକ, ଔପନ୍ଯାସିକ, ବିଭୂତି ପଟ୍ଟନାୟକ ସାର୍ ଅଭିଭୂତ ହେଇଯାଇଥିଲେ । ସେ ଏଇ ଗଳ୍ପ ବିଷୟରେ 'ଶ୍ୟାମଳୀ ଦାସ' ପୁସ୍ତକରେ ଏକ ଚମତ୍କାର ଆଲୋଚନା କରିଛନ୍ତି ମଧ୍ୟ । ଶ୍ୟାମଳୀ ଓ ବିଜନ ପେଶାରେ ଉଭୟ ପକେଟମାରୁ । ଉଭୟ ଉଭୟଙ୍କୁ ପକେଟମାର୍ କରୁଥିବା ଅବସ୍ଥାରେ ଦେଖିଥିଲେ, ଉଭୟ ଉଭୟଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ପ୍ରେମ ହେଇଥିଲା ଓ ବିବାହ କରିନେଇଥିଲେ । ଶ୍ୟାମଳୀ ଗର୍ଭବତୀ ହେଲା । ପୁଅ ହେଉ କି ଝିଅ ହେଉ ତାକୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚାହୁଁଥିଲା ବିଜନ । କିନ୍ତୁ ଶ୍ୟାମଳୀ ତାହା ଚାହୁଁନଥିଲା । ସେ ଚାହୁଁଥିଲା ତା' ପିଲା ତାଙ୍କରି ବୃତ୍ତିକୁ ଆପଣେଇ ନେଉ । ସେ ବଡ଼ ହେଇ ବଡ଼ ପକେଟମାରୁ ହେଉ । ଠିକ ସମୟରେ ଶ୍ୟାମଳୀର ଗର୍ଭବେଦନା ଆରମ୍ଭ ହେଇଗଲା । ଶ୍ୟାମଳୀ ସୁନ୍ଦର ପୁତ୍ର ସନ୍ତାନଟିଏକୁ ଜନ୍ମଦେଲା । ବିଜନ ଖୁସିରେ ଦୌଡ଼ିଗଲା ଶ୍ୟାମଳୀ ପାଖକୁ । କିନ୍ତୁ ଏ କ'ଣ ? ଶ୍ୟାମଳୀ କାନ୍ଦୁଛି । ତା ପାଖରେ ହାତ ଗୋଡ଼ ହଲେଇ ଖେଳୁଥିବା ସଦ୍ୟଜାତ କୁନି ପୁଅଟି ପିତା, ମାତାଙ୍କର ଆଶାକୁ ପୂରଣ କରିବାକୁ ସକ୍ଷମ ନୁହେଁ ବୋଲି ଜାଣି ପାରି ଶ୍ୟାମଳୀ ଲୁହର ବନ୍ୟା ସୃଷ୍ଟି କରୁଛି । ତେବେ ପୁଅର ଅକ୍ଷମତା କ'ଣ ଓ ଜଘନ୍ୟ ଅପରାଧର ଯବନିକା କିଭଳି ପଡିଛି ଜାଣିବାକୁ ଏ ଗଳ୍ପଟି ଭିତରକୁ ପାଠକ ନିଶ୍ଚିତ ଯାଆନ୍ତୁ ବୋଲି ମୁଁ କହିବି ।

'ସତୀ' ଗଳ୍ପ ଗାଳ୍ପିକଙ୍କର ଏକ ଅନନ୍ୟ ସୃଷ୍ଟି । ଏ ଗଳ୍ପ ୧୯୯୨ ରେ 'ଅଖିଳ ମୋହନ କଥା ସମ୍ମାନ' ପ୍ରାପ୍ତ କରିଥିଲା । ଗାଳ୍ପିକ ସତୀ ଶବ୍ଦଟିର ସଜ୍ଞାକୁ ଗଳ୍ପରେ ଚମତ୍କାର ଭାବେ ଫୁଟେଇଛନ୍ତି । ସତୀ ଏକ ଗ୍ରାମ୍ୟ ରମଣୀ ଯାହାର ସ୍ୱାମୀ ସମୁଦ୍ରରେ ଭାସିଗଲା ପରେ ବି ସେ ତା ସ୍ୱାମୀକୁ ଶ୍ୱଶୁର ପାଇଁ ବଞ୍ଚେଇ ରଖିଛି । ବୃଦ୍ଧ ଶ୍ୱଶୁରକୁ ଏକ ମିଥ୍ୟା ଆଶ୍ୱସନା ଦେଇ ଅଭିନୟ କରି ଚାଲିଛି ସତୀ । ଶ୍ୱଶୁର ଯଦି ଜାଣେ ସତୀ ବିଧବା ସେ ସତୀକୁ ଅଲକ୍ଷଣି କହି ଖୁବ୍ ଗାଳି ଦେବ, ସତୀର ବଞ୍ଚିବା ଅସମ୍ଭବ ହେଇପଡ଼ିବ । ସେଥିପାଇଁ ଅନେକ ଅନ୍ଧାରୁଆ ରାତିରେ ସତୀ ନିଜ କୁଡ଼ିଆକୁ ଡ଼ାକିଆଣେ ଜଣେ ଜଣେ ଅଚିହ୍ନା ପୁରୁଷଙ୍କୁ, ସେ ପୁରୁଷମାନେ ହେଇଯାଆନ୍ତି ତା'ର ସେହି ସେହି ରାତ୍ରୀମାନଙ୍କର ସ୍ୱାମୀ । ଶ୍ୱଶୁର ବୁଝିଯାଏ ତା' ପୁଅ ବଞ୍ଚିଛି । ଅନେକ ଅକଥନୀୟ ଦୁଃଖ ଓ ଯନ୍ତ୍ରଣା ସତ୍ତ୍ବେ ସତୀ ଅଭିନୟ କରି ଚାଲିଛି ଓ କରୁଥିବ ମଧ୍ୟ ।

'କାନ୍ଥ' ଗଳ୍ପ କହେ ଗୌତମ ଓ ଶ୍ୟାମଳୀଙ୍କ ଅସହାୟ ଦାମ୍ପତ୍ୟର କାହାଣୀ । ଗୌତମ ଚାକିରି ନକରି ଶ୍ୟାମଳୀକୁ ବାହା ହେଇଯାଏ । ଗୌତମ ଚାକିରି ପାଇବାରେ ବିଫଳ ହୁଏ । ଗୌତମର ରୋଜଗାର ନଥିବାରୁ ଶ୍ୟାମଳୀକୁ ବଡ଼ ଯାଆ ଆଭା ଖୁବ୍ ଖଟାନ୍ତି । ଶ୍ୟାମଳୀ ଗର୍ଭବତୀ ହୁଏ, ଗୌତମ ଖୁସି ହୁଅନ୍ତି, କିନ୍ତୁ ଶ୍ୟାମଳୀ ଚିନ୍ତିତ ହେଇପଡ଼େ । ଗର୍ଭନଷ୍ଟ କରିବାକୁ ଡକ୍ଟର ମନା କରନ୍ତି, ତଥାପି ଆବରସନ କରାହୁଏ । ଶ୍ୟାମଳୀ ଆହୁରି ଦୁର୍ବଳ ହେଇଯାଏ । ଘର କାମରୁ ନିସ୍ତାର ନାହିଁ, ବିଶ୍ରାମ ନାହିଁ, ଆଭା ଭାଉଜ ଶ୍ୟାମଳୀକୁ ଟିକେ ବି ଦୟା ଦେଖାନ୍ତିନାହିଁ । ଏତେ ସବୁ ଅସୁବିଧାରେ ପଡ଼ି ବି ଜିଇଁବାକୁ ଚାହୁଁଥିବା ଦମ୍ପତିଙ୍କ ସାମ୍ନାରେ ଆଉ ଗୋଟେ ବଡ଼ ସମସ୍ୟା କାନ୍ଥ ପରି ଆସି ଠିଆ ହେଇଯାଏ । ସେ ସମସ୍ୟା ହେଲା ଘର ମଝିରେ ପାର୍ଟିସନ୍ ୱାଲ୍ । ଏ ଗଳ୍ପଟିକୁ ଗାଳ୍ପିକ ଲେଖିଛନ୍ତି ଖୁବ୍ ନିଖୁଣ ଭାବରେ । ଏଥିରେ ଏକ ମଧ୍ୟବିତ୍ତ ପରିବାରରେ ଭାଇ - ଭାଇଙ୍କ ଭିତରେ ମନ ଓ ଘର ବିଭାଜନର କାହାଣୀ ପାଠକଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ ।

'ଶ୍ୟାମଳୀ ଦାସ' ସଂକଳନରେ ଆହୁରି ଅଛି 'ଅନ୍ଧାରର କ୍ଷତ', 'ପ୍ରେମିକା', 'ଭୁଲ', ଅବ୍ୟକ୍ତ, ଗୋଟେ କପ୍ ପ୍ରତାରଣା, ଶେଷ ହେଇଯିବା ପରେ, ଆଲୋକିତ ଅନ୍ଧାର, ଶେଷ ହିସାବ, ଆହା, ସଞ୍ଜବତୀ, ବୋଉ, ପ୍ରେମ ଓ ପ୍ରତୀକ୍ଷା ଭଳି ଖୁବ୍ ମୁଗ୍ଧକର ଗଳ୍ପମାନ । ଗଳ୍ପଗୁଡ଼ିକର ନିଆରା କାହାଣୀ, ଚମତ୍କାର ଟ୍ଵିଷ୍ଟ୍, ଉଚ୍ଚକୋଟିର ଶବ୍ଦ ସଂଯୋଜନା, କାହାଣୀର ପ୍ରବାହ ପାଠକଙ୍କୁ ଗଳ୍ପ ଶେଷ ହେବା ଯାଏଁ ନିଶ୍ଚିତ ବାନ୍ଧି ରଖିବ ।

ମୋ ଭଳି ଯେଉଁ ପାଠକମାନେ କବି କୃଷ୍ଣ କୁମାର ମହାନ୍ତିଙ୍କୁ କେବଳ ଜଣେ କବି ଓ ସମ୍ପାଦକ ଭାବେ ଜାଣିଛନ୍ତି ସେମାନେ କୃଷ୍ଣ ସାର୍ ଙ୍କର ଏହି ସଙ୍କଳନଟି ନିଶ୍ଚିତ ରୂପେ ପଢ଼ିବା ଉଚିତ ବୋଲି ମୁଁ ହୃଦୟଙ୍ଗମ କରୁଛି ।

ଶେଷରେ ଏତିକି କହିବି 'ଶ୍ୟାମଳୀ ଦାସ' ବହିଟି ଆଣନ୍ତୁ, ପଢ଼ନ୍ତୁ, ଶ୍ୟାମଳୀମାନଙ୍କୁ ଭେଟନ୍ତୁ କାହାଣୀରେ । ଦେଖିବେ ଶ୍ୟାମଳୀ ଦାସ ରହିଯିବ ଆପଣଙ୍କ ହୃଦୟରେ ଚିରଦିନ ପାଇଁ ।