ତୃତୀୟ ନୟନକୁ ନେଇ ତିନୋଟି କଥା

କ୍ରୋଧ, କରୁଣା ଓ ସହଭାଗିତା ଏଇ ତିନୋଟି ଶକ୍ତି ସାମ୍ବାଦିକର ତୃତୀୟ ନୟନକୁ ପ୍ରଖର କରାଏ । କହିବା ବାହୁଲ୍ୟ, ଖ୍ୟାତନାମା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ “ତୃତୀୟ ନୟନ” ପୁସ୍ତକରେ ଏଇ ତିନୋଟି ସାତ୍ତ୍ଵିକ ଶକ୍ତିର ପ୍ରୟୋଗ ରହିଛି ।


ପ୍ରକାଶକ - ଆସୋସିଏଟେଡ ମିଡିଆ ଫାଉଣ୍ଡେସନ, ମୂଲ୍ୟ - ୨୫୦ ଟଙ୍କା

ତୃତୀୟ ନୟନ ଶିବଙ୍କ କପାଳରେ ଥାଏ । ସେ ନୟନ ଅଗ୍ନି ଓ ପ୍ରଳୟର ଧାରକ । ସେ ନୟନ ଚିରକାଳ ଏକ ରହସ୍ୟମୟ ମୁଦିତାବସ୍ଥାରେ ରହିଥାଏ । ସେ ନୟନ ଖୋଲିଲେ ପ୍ରଳୟ ଆସେ ଓ ପ୍ରଳୟ ପରେ ନୂଆ ସର୍ଜନ ପାଇଁ ବାଟ ଫିଟେ । ତେଣୁ ତୃତୀୟ ନୟନ ପ୍ରଳୟ ଓ ସର୍ଜନର ପ୍ରତୀକ । ଜଣେ ସାମ୍ବାଦିକ ଭାବରେ ଆମେ ଦୁଇ ଆଖି ବ୍ୟତୀତ, ତୃତୀୟ ଆଖିର ଉପଯୋଗ କରିବାକୁ ବାଧ୍ୟ । ହୁଏତ ଶିବଙ୍କ ତୃତୀୟ ନୟନର ଯେଉଁ ବ୍ୟାପକ ଆଧ୍ୟାତ୍ମିକ ସତ୍ୟ, ତାହା ଆମର ତୃତୀୟ ନୟନରେ ନାହିଁ । ହେଲେ ସାମ୍ବାଦିକର କ୍ୟାମେରା ହେଉ କି କୀବୋର୍ଡ୍, ସେଠି ଆଉ ଏକ ଆଖି ରହିଛି । ସେ ଆଖି ସାମ୍ବାଦିକର ଆଖି ଦୁଇଟିକୁ ଅଧିକ ଶାଣ ଦିଏ । ସେ ଆଖି ଅନେକ କଥା ଉନ୍ମୋଚିତ କରେ ଓ ବେଳେବେଳେ ଆବିଷ୍କାର ମଧ୍ୟ କରେ । ସମାଜର ଅନେକ ଘଟଣା ଯାହା ସାଧାରଣ ଭାବରେ ଆରମ୍ଭ ହୁଏ, ପରବର୍ତ୍ତୀ ସମୟରେ ଏହା ସମ୍ବାଦର ରୂପ ପାଇ ଅନେକ ମାଇଲଖୁଣ୍ଟ ସୃଷ୍ଟି କରିପାରେ । ତେଣୁ ସାମ୍ବାଦିକର ତୃତୀୟ ନୟନକୁ ନେଇ ମୋର ତିନୋଟି କଥା କହିବାର ଅଛି ।

କ୍ରୋଧ ନିଆଁ ପରି ତୃତୀୟ ନୟନରେ ସଂଗୋପିତ ହୋଇଥାଏ । କ୍ରୋଧ ହେଉଛି ସାମ୍ବାଦିକର ପ୍ରଥମ ଚାଳିକାଶକ୍ତି । ସେ ନିରନ୍ତର ଅସନ୍ତୁଷ୍ଟ ଓ କ୍ରୁଦ୍ଧ । ସମାଜ ବ୍ୟବସ୍ଥାରେ ରହିଥିବା ଯାବତୀୟ ବୈଷମ୍ୟ, ଶୋଷଣ, କଷଣ, ନିର୍ଯାତନା ଓ ଅତ୍ୟାଚାରକୁ ନେଇ ସାମ୍ବାଦିକ କ୍ରୋଧିତ ହେବାକୁ ବାଧ୍ୟ । ସାମ୍ବାଦିକର କ୍ରୋଧ ତାକୁ ମଣିଷ ସମାଜ ଓ ଜାତୀୟ ଜୀବନରେ ପରିବର୍ତ୍ତନ ଆଣିବାକୁ ପ୍ରତିବାଦୀ କରାଏ । ଅନ୍ୟାୟ ଓ ଅବିଚାର ପ୍ରତି ସ୍ଵାଭାବିକ କ୍ରୋଧ ଓ ସେଇ କ୍ରୋଧରୁ ନିଷ୍ପନ୍ନ ପ୍ରତିବାଦ ସାମ୍ବାଦିକକୁ ଅଲଗା ପରିଚୟ ଦିଏ ।

ତୃତୀୟ ନୟନର ଦ୍ଵିତୀୟ ଶକ୍ତି ହେଉଛି କରୁଣା । ସାତ୍ତ୍ଵିକ କ୍ରୋଧ କେବଳ ପ୍ରତିବାଦ ପାଲଟେ ନାହିଁ, ଏହା କରୁଣାରେ ରୂପାନ୍ତରିତ ହୁଏ । ମଣିଷ ସମାଜର ସବୁଠୁ ପଛ ଧାଡିରେ ଠିଆ ହୋଇଥିବା ଲୋକ ସହିତ ଠିଆ ହେବାର ଦାୟିତ୍ଵ କେବଳ କରୁଣାରୁ ଇ ଜନ୍ମ ନିଏ । ବୁଦ୍ଧ କରୁଣାକୁ ନିର୍ବାଣର ପ୍ରଥମ ସୋପାନ ବୋଲି କୁହନ୍ତି । ତେବେ ଧାର୍ମିକ କରୁଣା ଓ ସାମ୍ବାଦିକର କରୁଣା ଭିତରେ ମୌଳିକ ପାର୍ଥକ୍ୟ ରହିଛି । ସାମ୍ବାଦିକର କରୁଣା ତାକୁ ସାମାଜିକ ନ୍ୟାୟ ଓ ସମତାର ଲଢେଇରେ ସୈନିକ ହେବାର ପ୍ରେରଣା ଦିଏ । ଘୃଣା ଓ ଅବିଶ୍ବାସର ରାଜନୀତି ବିରୋଧରେ ସାମ୍ବାଦିକର କରୁଣା, ସବୁଠୁ ବଡ ଅସ୍ତ୍ର ।

ତୃତୀୟ ନୟନର ତୃତୀୟ କଥାଟି ହେଉଛି, ସାମ୍ବାଦିକର ସହଭାଗିତା । ସାମ୍ବାଦିକ ତଟସ୍ଥ ବା ନିରପେକ୍ଷ ନୁହେଁ । ସେ ସବୁବେଳେ କ୍ଷମତାର ଅହଂକାର ବିରୋଧରେ ପକ୍ଷଭୁକ୍ତ । ସେ ସାଧାରଣ ମଣିଷର ଖବରଦାତା କେବଳ ନୁହେଁ, ସେ ଲୋକ ସାଧାରଣର ସ୍ଵର । ନିରପେକ୍ଷ ହେବାକୁ ଯାଇ ସେ ଅତ୍ୟାଚାରୀର ସ୍ଵରକୁ ସୁଯୋଗ ଦିଏ ନାହିଁ । ନିରପେକ୍ଷ ସାମ୍ବାଦିକତାର ଅର୍ଥ ନୁହେଁ, ଶୋଷଣ ଓ କଷଣର ପକ୍ଷକୁ ସମାନ ସୁଯୋଗ ଦେବା । ବାସ୍ତବରେ ସାମ୍ବାଦିକ ସବୁବେଳେ ସାଧାରଣ – ଅବହେଳିତ ମଣିଷର ପକ୍ଷଭୁକ୍ତ । ସେ ସାଧାରଣ ମଣିଷର ଯାତନା ଓ ଯନ୍ତ୍ରଣାର ସହଭାଗୀ ।

କ୍ରୋଧ, କରୁଣା ଓ ସହଭାଗିତା ଏଇ ତିନୋଟି ଶକ୍ତି ସାମ୍ବାଦିକର ତୃତୀୟ ନୟନକୁ ପ୍ରଖର କରାଏ । କହିବା ବାହୁଲ୍ୟ, ଖ୍ୟାତନାମା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ “ତୃତୀୟ ନୟନ” ପୁସ୍ତକରେ ଏଇ ତିନୋଟି ସାତ୍ତ୍ଵିକ ଶକ୍ତିର ପ୍ରୟୋଗ ରହିଛି । ଏ ବହି ଆମ ସମୟର ସାମ୍ବାଦିକତାରେ ଗୋଟେ ଅମ୍ଳାନ ଅଧ୍ୟାୟ ସଂଯୋଗ କରିଛି ।

Report an Error