ମହାନାଟକର ନାଟ୍ଯକାର ରମେଶ ପ୍ରସାଦ ପାଣିଗ୍ରାହୀ

ରମେଶ ପ୍ରସାଦ ପାଣିଗ୍ରାହୀ, ଓଡିଆ ନାଟକରେ ଏକ ଭିନ୍ନଧାରାର ଶିଳ୍ପୀ । ନାଟ୍ୟକଳା ଓ ଭାବନାରେ ଏକ ବିଶାଳ ପରିବର୍ତ୍ତନ ଆଣିଥିବା ଏହି ମହାନ ନାଟ୍ୟକାରଙ୍କ ସର୍ଜନାକୁ ନେଇ ଏ ଆକଳନ ।


ଫଟୋ - ଚିନ୍ତା ଓ ଚେତନା

ମୁଁ ଏକ ଚଳମାନ ବିଶୃଙ୍ଖଳା । ନାଟ୍ୟକାର ରମେଶ ପ୍ରସାଦ କହିଛନ୍ତି- “ବାହାରେ, ସୁସ୍ଥ ନାଗରିକମାନଙ୍କର ଜୀବନ ବଞ୍ଚିବା ପ୍ରଣାଳୀରେ ଯେଉଁ ଶୃଙ୍ଖଳା, ନିୟମ ଭିିତ୍ତିକ ନାଟ୍ୟ ସାହିତ୍ୟ ତିଆରି ହୁଏ ଏବଂ ତାଙ୍କୁ ଭିତ୍ତି କରି ପୁରସ୍କାର ଜିତିବାର ଘୋଡା ଦୌଡ ଚାଲେ, ଏବଂ ପୁରସ୍କାର ପାଇଲା ପରେ ନିଜକୁ ସାହିତ୍ୟ ଓ ସମାଜ ପାଇଁ ଉତ୍ସର୍ଗ କରି ଦେଇଥିବାର ମୁଖା ପିନ୍ଧି ଆତ୍ମ ପ୍ରଚାର କରିବାର ପାଗଳାମୀ ଦେଖିବାକୁ ମିଳେ, ମୁଁ ସେଇ ଜୀବନ ଧାରାଠାରୁ ଅନେକ ଦୂରରେ । ମୋର ଯାହା ମନେ ହୁଏ - ଶୃଙ୍ଖଳା ଓ ବଞ୍ଚିବାର ବ୍ୟାକରଣ ନିୟମକୁ ଲଂଘନ କରିବା ହିଁ ମୋ ପାଇଁ ଏକ ଆକର୍ଷଣ ।” ମାପିଚୁପି ଚାଲିବାର ହିସାବ ତାଙ୍କ ପାଖରେ ନାହିଁ ।

ସେ କୁହନ୍ତି, “ତେଣୁ ମତେ ଲାଗେ ବିଶୃଙ୍ଖଳା ହିଁ ଅନନ୍ୟତା ନିର୍ମାଣ କରେ, ଶୃଙ୍ଖଳା ନୁହେଁ; ଜଙ୍ଗଲ ହିଁ ସତ୍ୟ, ଉଦ୍ୟାନ ନୁହେଁ; ଆଦିମତା ହିଁ ସତ୍ୟ, ସଭ୍ୟତା ନୁହେଁ । ତେଣୁ ସଭ୍ୟତା ମୂଲ୍ୟବୋଧ ଓ ଧର୍ମ ରକ୍ଷା ପାଇଁ ଯେତେ ପ୍ରବଚନ ଓ ପ୍ରଚାର ବାଣୀ ଶୁଣା ଯାଉଅଛି ତା ତୁଳନାରେ ପୃଥିବୀ ସୁନ୍ଦରରୁ ସୁନ୍ଦରତର ହେଉ ନାହିଁ, ବରଂ ଏ ସବୁ ପ୍ରବଚନର ଆବରଣ ଭିତରେ ନିଜସ୍ୱ ଆଦିମତା ହିଁ ପ୍ରକାଶ ପାଉଛି । ଜୀବନ ଓ ସାହିତ୍ୟ ପ୍ରତି ଏପରି ଏକ ଅଙ୍ଗୀକାରବଦ୍ଧ ଧାରଣା ରଖିଥିବା ରମେଶ ପ୍ରସାଦଙ୍କର ଜନ୍ମ ହୋଇଥିଲା ୧୨ ଏପ୍ରିଲ ୧୯୪୪ ମସିହାରେ । ଜନ୍ମସ୍ଥାନ ଗଂଜାମ ଜିଲ୍ଲାର ଧରାକୋଟ ଗଡ ଯେଉଁଠି ୮ମ ଓ ୯ମ ଶତାବ୍ଦୀ ମଧ୍ୟରେ ଭୌମକର ବଂଶର ରାଜାମାନେ ଶାସନ କରୁଥିଲେ ଏବଂ ତାପରେ ନାଗ ବଂଶର ରାଜାମାନେ ଏବଂ ଶେଷରେ ଖ୍ରୀ ୯୦୦ରୁ ୯୩୬ ମଧ୍ୟରେ ନଳ ବଂଶର ରାଜାମାନେ ରାଜୁତି କରୁଥିଲେ । ପ୍ରଥମତଃ ସେ ଜଣେ ଇତିହାସ ପ୍ରିୟ ନାଟ୍ୟକାର, ଦ୍ୱିତୀୟତଃ ତାଙ୍କର ବାଲ୍ୟ ଏବଂ କୈଶୋର ସମୟ ଧରାକୋଟର ସମୃଦ୍ଧ ପରମ୍ପରା ଭିତରେ ବିତିଛି । ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟ୍ୟଧାରା ଓ ନାଟ୍ୟକାର ରମେଶ ପାଣିଗ୍ରାହୀଙ୍କ ପାଇଁ ରେଡିଓ ହିଁ ଥିଲା ଏକମାତ୍ର ମାଧ୍ୟମ । ରେଡ଼ିଓରୁ ହିଁ ନାଟକର ଉପସ୍ଥାପନ ପ୍ରଣାଳୀ, କଣ୍ଠ ସ୍ୱରରେ ନାଟକୀୟତା ଏବଂ ଅଭିନୟ କରିବାର ବାଚିକ ପ୍ରଣାଳୀଗୁଡିକ ଅତି କମ୍ ବୟସରେ ଶିଖିବାର ସେ ସୁଯୋଗ ପାଇଥିଲେ ।

ପ୍ରଥମ ନାଟକ ‘ମୁକ୍ତି ମଣ୍ଡପ’ ୧୯୬୩ ମସିହାର । ଏହାର ୨୨ ବର୍ଷ ପରେ ୧୯୮୫ ମସିହାରେ ଏଇ ନାଟକଟିର ନାମ ବଦଳାଇ ଲେଖକ ପୁନଶ୍ଚ ମଞ୍ଚସ୍ଥ କରାଇଥିଲେ ଭୁବନେଶ୍ୱରର ଜନତା ଗଣନାଟ୍ୟରେ । ଜନତା ଗଣନାଟ୍ୟରେ ଏହି ନାଟକର ଶୀର୍ଷକ ଥିଲା ‘ଝରଣା ଝୁରେ ସାଗର ପାଇଁ’ ଓ ଏହାର ନିର୍ଦ୍ଦେଶକ ଥିଲେ ସଚ୍ଚି ଦାସ । ନାଟକଟି ‘ଜନତା ଗଣନାଟ୍ୟ’ରେ ଏକାଦି କ୍ରମେ ଦଶବର୍ଷ ଧରି ଚାଲିଲା । ୧୯୬୪ ମସିହାରେ ସେ ତାଙ୍କର ଦ୍ବିତୀୟ ନାଟକ ‘ନିଶୀଥ ସୂର୍ଯ୍ୟ’ ଲେଖିଲେ ରେଭେନ୍ସା ମହାବିଦ୍ୟାଳୟର ନାଟ୍ୟ ସଂସଦ ପାଇଁ । ୧୯୬୫ ମସିହାରେ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ପତି ଓ ତ୍ରିଲୋଚନ ମିଶ୍ର ‘ନିଶୀଥ ସୂର୍ଯ୍ୟ’ର ପାଣ୍ଡୁଲିପି ପଢ଼ି ନାକ ଟେକିଲେ । ଉପକାହାଣୀ ନଥିଲେ ନାଟକ କିପରି ହେବ ବୋଲି ପଚାରିଲେ । କିନ୍ତୁ ରମେଶ ପ୍ରସାଦ ତାଙ୍କର ଏଇ ବୟୋଜ୍ୟେଷ୍ଠମାନଙ୍କର କୌଣସି କଥା ମାନିଲେ ନାହିଁ । ତାଙ୍କର ମନେହେଲା ଏଇ ପୁରୁଣା କଥା ଶୁଣିଲେ ସେ ‘ସେକ୍‌ସପିଅର’ ହୋଇଯିବେ । ‘ରମେଶ ପାଣିଗ୍ରାହୀ’ ହୋଇପାରିବେ ନାହିଁ । ୧୯୬୫ ମସିହାର ହୋଇ ୧୬୨୦ ମସିହାର ନାଟ୍ୟକାର ଭଳି ଲେଖିବେ କାହିଁକି ? ସେ ସର୍ବଦା ନିଜକୁ ନିଜେ ସାନ୍ତ୍ୱନା ଦେଉଥିଲେ । ଉପକାହାଣୀ ନଥାଇ କ’ଣ ନାଟକ ଲେଖାଯାଇ ପାରିବ ନାହିଁ ? ରମେଶ ପ୍ରସାଦ ତାଙ୍କର ଯୌବନର ଆଦ୍ୟ ପର୍ବରେ ନାଟ୍ୟ ପରୀକ୍ଷା ଅପେକ୍ଷା ମାନସିକ ସ୍ତରରେ ବେଶୀ ପରୀକ୍ଷା କରିଛନ୍ତି । ଏହାପରେ ‘ହେ ପୃଥିବୀ ବିଦାୟ’ ନାଟକରେ ଏକ ସ୍ପଷ୍ଟ ମଧ୍ୟବିତ୍ତ ଘରର ସେଟ୍‌, ‘କମଳପୁର ଡ଼ାକଘର’ ନାଟକରେ ଗୋଟିଏ ଡାକଘରର ସେଟ୍ ଓ ‘ମୁଁ ଆମ୍ଭେ ଓ ଆମ୍ଭେମାନେ’ ନାଟକ ପାଇଁ ଗୋଟିଏ ଗ୍ରାମାଞ୍ଚଳର ବସ୍ ରହିବା ସ୍ଥାନ ଥିଲା । ‘ମୁକ୍ତି ମଣ୍ଡପ’ ଓ ‘ତିମିର ତୃଷ୍ଣା’ ପରେ ‘ବିନ୍ଦୁ ଓ ବଳୟ’ ନାଟକ ପାଖରୁ ଶ୍ରୀ ପାଣିଗ୍ରାହୀଙ୍କ ଯୌବନ ଆରମ୍ଭ ବୋଲି କୁହାଯାଇପାରେ ।

ରମେଶ ପ୍ରସାଦଙ୍କ ‘ମୁଁ, ଆମ୍ଭେ ଓ ଆମ୍ଭେମାନେ’ ନାଟକ ପ୍ରଥମଥର ପାଇଁ ଅଭିନୀତ ହେଲା ୧୯୭୦ ମସିହାରେ । ରମେଶ ପ୍ରସାଦଙ୍କ ନାଟକ ‘ଧୃତରାଷ୍ଟ୍ରର ଆଖି’ ପ୍ରଥମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ଡ. ସୁବୋଧ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଥିଲା । ଏହି ନାଟକରେ ସବୁ ଚରିତ୍ର ଭୁବନେଶ୍ୱର ମଧ୍ୟବିତ୍ତ ସମାଜର ସାମାଜିକ ବ୍ୟବସ୍ଥାର । ପିତା ଚରିତ୍ରଟିକୁ ସନ୍ତାନମାନେ ପଛ ଘରେ ବସେଇ ଦେଇଛନ୍ତି । ଆଗଘରକୁ ଅର୍ଥାତ ଆଧୁନିକ ଯୁଗ ଭିତରକୁ ପଶିବା ପାଇଁ ତାଙ୍କୁ ମନା । ପିତା ପୁତ୍ରମାନଙ୍କ ମଧ୍ୟରେ ଥିବା ପାରିବାରିକ ସଂପର୍କ ଛିନ୍ନ ହେବାର ନାଟକ, ପରିବର୍ତ୍ତିତ ସାମାଜିକ ବ୍ୟବସ୍ଥା ଭିତରେ ପରମ୍ପରାକୁ କିପରି କବର ଦିଆହେଉଛି ତାହାର ଏକ ମନସ୍ତାତ୍ତ୍ବିକ ଚିତ୍ର । ଶେଷ ଦୃଶ୍ୟରେ ବାପା ସୀତାନାଥଙ୍କ ମୃତ୍ୟୁ ପରେ ପୁତ୍ର ଓ ପୁତ୍ରବଧୂମାନେ ଭିତରେ ଭିତରେ କିପରି ହାଲୁକା ଅନୁଭବ କରୁଛନ୍ତି ତାହାର ଶ୍ଳେଷାତ୍ମକ ଉପସଂହାର ହେଉଛି ନାଟକର ବକ୍ତବ୍ୟ । ୧୯୭୧ ରୁ ୧୯୮୦ ମସିହା ଭିତରେ ରମେଶ ପ୍ରସାଦ ନାଟ୍ୟ ରଚନାରେ ଯେଉଁ ପରିବର୍ତ୍ତନ ଆଣିଛନ୍ତି ତାହା ଓଡିଆ ନାଟ୍ୟ ସାହିତ୍ୟ କାହିଁକି ସମଗ୍ର ଭାରତୀୟ ନାଟ୍ୟ ପ୍ରେକ୍ଷାପଟ୍ଟରେ ଅନନ୍ୟ ।

ଅଷ୍ଟମ ଦଶକର ୧୯୮୪ ମସିହାରେ ତାଙ୍କୁ ‘ମହାନାଟକ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଲା ଏବଂ ସେଇବର୍ଷ ସେ ଲୋକନାଟକ ରୂପେ ପରିଗଣିତ ହେଉଥିବା ଯାତ୍ରାନାଟକ ଆଡ଼କୁ ସେ ମୁହାଁଇଲେ । ଯାତ୍ରାରେ ତାଙ୍କର ପ୍ରଥମ ନାଟକ ‘ଭିନ୍ନ ଏକ ରାମାୟଣ ଅନ୍ୟ ଏକ ସୀତା’ ଅଭିନୀତ ହେଲାପରେ ସେ ଦ୍ୱିତୀୟ ନାଟକ ‘ଯେ ପକ୍ଷୀ ଉଡ଼େ ଯେତେଦୂର’ର ନିର୍ଦ୍ଦେଶନା ଦେଲେ । ଯାତ୍ରାନାଟକ ଲେଖିବା ସମୟରେ ଅର୍ଥାତ୍ ୧୯୮୪ ମସିହାରୁ ୧୯୯୨ ମସିହା ମଧ୍ୟରେ ଏକାଦିକ୍ରମେ ଆଠବର୍ଷ ପର୍ଯ୍ୟନ୍ତ ରମେଶ ପାଣିଗ୍ରାହୀ ଯାତ୍ରାନାଟକ କ୍ଷେତ୍ରରେ ବହୁ ପରୀକ୍ଷା କରିଛନ୍ତି । ୧୯୮୫ ମସିହାରେ ତୁଳସୀ ଗଣନାଟ୍ୟର ‘ଲକ୍ଷ୍ମଣର ତିନିଗାର’ ନାଟକ କଲାବେଳେ ସେ ୧ମ ମଂଚ ଓ ୨ୟ ମଂଚ ମଝିରେ ଆଉ ଗୋଟିଏ ଚଳମାନ ୩ୟ ମଂଚର ପ୍ରଚଳନ କରାଇଥିଲେ । ରମେଶ ପାଣିଗ୍ରାହୀ ଯାତ୍ରାନାଟକ ଲେଖିବା ଆରମ୍ଭ କରନ୍ତି ମାତ୍ର ୪୦ବର୍ଷ ବୟସରେ । ସେତିକିବେଳକୁ ସେ ୨୫ ଖଣ୍ଡ ନାଟକ ଓ ୩୦ ଖଣ୍ଡ ଏକାଙ୍କିକା, ଅନାଟକ, ଅଣୁନାଟକ ଓ ପ୍ରତିନାଟକର ରଚୟିତା । ଯେଉଁବର୍ଷ ସେ ଯାତ୍ରାକୁ ଗଲେ ସେହିବର୍ଷ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ମିଳିଥିଲା ।

ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟ୍ୟଧାରା ଓ ନାଟ୍ୟକାର ରମେଶ ପାଣିଗ୍ରାହୀ, ସୁବୋଧ ପଟ୍ଟନାୟକ, ରଣଜିତ୍ ପଟ୍ଟନାୟକ, ଶଙ୍କର ତ୍ରିପାଠୀ ଓ ରତିରଂଜନ ମିଶ୍ର ପ୍ରଭୃତି ଯାତ୍ରା ଜଗତ ପାଇଁ ଗୋଟଏ ଗୋଟିଏ ନାଟକ ଲେଖି ତା ପରବର୍ଷ ପାଇଁ ଆଉ ଯାତ୍ରା ଜଗତକୁ ଯାଇପାରିନାହାନ୍ତି । ଯାତ୍ରା ପାଇଁ ଯେପରି ବଳିଷ୍ଠ କାହାଣୀ ଏବଂ ଚରିତ୍ର ଚିତ୍ରଣ ତଥା ଘଟଣା ବିନ୍ୟାସ ଆବଶ୍ୟକ, ତାହା ନିର୍ମାଣ କରିବା ସବୁ ନାଟ୍ଯକାରମାନଙ୍କ ଦ୍ୱାରା ସମ୍ଭବ ନୁହେଁ । କିନ୍ତୁ ନାଟ୍ୟକାର ପାଣିଗ୍ରାହୀ ୧୯୮୪ ରୁ ୧୯୯୨ ପର୍ଯ୍ୟନ୍ତ ଯାତ୍ରାନାଟକ ଲେଖିଛନ୍ତି । ଏବଂ ସେ ସମୁଦାୟ ଅଠରଟି ନାଟକ ଲେଖିଛନ୍ତି ଯାତ୍ରାଜଗତ ପାଇଁ । ନାଟ୍ୟକାରଙ୍କ ଦ୍ୱିତୀୟ ନାଟକଟି ହେଉଛି ‘ତିମିର ତୃଷ୍ଣା’ ଯାହାକି ୧୯୬୫ ମସିହାରେ ଲିଖିତ । ଏହା ‘ନିଶୀଥ ସୂର୍ଯ୍ୟ’ ନାମରେ ରେଭେନ୍‌ସା ମହାବିଦ୍ୟାଳୟରେ ମଞ୍ଚସ୍ଥ ହୋଇଥିଲ।। ସ୍ୱାଧୀନତା ପରବର୍ତ୍ତୀ ନୂତନ ନାଟ୍ୟଧାରା ଓ ନାଟ୍ୟକାର ରମେଶ ପାଣିଗ୍ରାହୀ ପାଶ୍ଚାତ୍ୟ ଜୀବନଶୈଳୀ ଓ ଓଡ଼ିଆ ମୂଲ୍ୟବୋଧ ମଧ୍ୟରେ ସଂଗ୍ରାମର ସୂତ୍ରପାତ ଘଟିଛି ଏହି ନାଟକରେ । ପ୍ରତିଟି ଚରିତ୍ର ଯେପରି ବିପ୍ଳବୀ ହୋଇଉଠିଛନ୍ତି ଏହି ନାଟକରେ ।

‘ବିନ୍ଦୁ ଓ ବଳୟ’ ଏହି ନାଟକ ୧୯୬୬ ମସିହା ଏପ୍ରିଲ ମାସ ୧୩ ତାରିଖ ଦିନ ବ୍ରହ୍ମପୁର ଅଗ୍ରଣୀ ‘ଗଞ୍ଜାମ କଳାପରିଷଦ’ର ବାର୍ଷିକ ଉତ୍ସବରେ ମଞ୍ଚସ୍ଥ ହୋଇଥିଲା ଏବଂ ଏହା ନାଟ୍ୟକାରଙ୍କୁ ସମଗ୍ର ସହରରେ ପ୍ରତିଷ୍ଠିତ କରାଇ ପାରିଥିଲା । ଏହି ନାଟକର ନାଟ୍ୟକାର ବ୍ରେଖ୍‌ଟୀୟ ଶୈଳୀକୁ ଆପଣେଇ ନେଇଛନ୍ତି ।

ଏହି ଶୈଳୀ ଓଡ଼ିଆ ନବ ନାଟ୍ୟ ସାହିତ୍ୟରେ ସର୍ବପ୍ରଥମ ପରୀକ୍ଷା । ଏହି ନାଟକରୁ ପାଣିଗ୍ରାହୀଙ୍କ ନାଟ୍ୟ ଶୈଳୀରେ ନୂତନ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ।

‘ହେ ପୃଥିବୀ ବିଦାୟ’ - ନାଟ୍ୟକାର ରମେଶ ପାଣିଗ୍ରାହୀଙ୍କ ନାଟକ ମଧ୍ୟରେ ଏହି ନାଟକଟି ଭିନ୍ନ ସ୍ୱାକ୍ଷର ବହନ କରେ । ଜଣେ ସ୍ୱାଧୀନତା ସଂଗ୍ରାମୀ ସ୍କୁଲ ଶିକ୍ଷକଟି କିପରି ପୁଞ୍ଜିବାଦୀ ସମାଜରେ ଅବହେଳିତ ହୋଇ ଅଗଷ୍ଟ ୧୫ ଦିନ ମୁତ୍ୟୁବରଣ କରିଛନ୍ତି, ତାହାର ଏକ ନିଖୁଣ ଚିତ୍ର ପ୍ରଦାନ କରାଯାଇଛି ଏହି ନାଟକରେ । ଧନତାନ୍ତ୍ରିକ ସମାଜ ଓ ମଣିଷର ଆଧ୍ୟାତ୍ମିକ ବିପର୍ଯ୍ୟୟର କଥା କୁହାଯାଇଛି ।

‘ଧୃତରାଷ୍ଟ୍ରର ଆଖି’ ନାଟକଟି ୧୯୭୦ ମସିହାର ନାମକରଣ । ଏ ନାଟକରେ ମିଥ୍‌ର ଆଧୁନିକ ପ୍ରୟୋଗ ହୋଇଛି । ଭୁବନେଶ୍ୱରର ଏକ ସାଧାରଣ ପରିବାର ଉପରକୁ ଉଠିବାର ପ୍ରୟାସ କରିଛନ୍ତି ଯଦ୍ୱାରା ଏଠାରେ ଦୁଇଟି ପିଢ଼ି ସୃଷ୍ଟି ହୋଇଛି । ସାଧାରଣ ସୀତାନାଥଙ୍କ ଆଖି ଲାଲ ଥିଲା । କିନ୍ତୁ ତାଙ୍କୁ ପଛଘରକୁ ପଠେଇ ଦିଆଯାଇଛି ଯାହାଫଳରେ ମହାଭାରତର ଧୃତରାଷ୍ଟ୍ର ଭଳି ସେ ଅନ୍ଧ ସାବ୍ୟସ୍ତ ହୋଇ ଯାଇଛନ୍ତି ଏବଂ ତାଙ୍କ ଘରଟା ହୋଇଛି ସତେ ଯେମିତି ମହାଭାରତର ରଣକ୍ଷେତ୍ର । ଦୁଇଟି ପିଢ଼ିର ସାଂସ୍କୃତିକ ଚିନ୍ତାଧାରାର ସଂଘର୍ଷକୁ ନେଇ ପ୍ରତିଦିନ ଅସନ୍ତୋଷର ବହ୍ନି ଜଳେ ।

‘ମହାନାଟକ’ - ସମଗ୍ର ଓଡ଼ିଆ ନାଟକର ମୋଡ଼ ପରିବର୍ତ୍ତନ କରିଥିବା ଏବଂ ନବ ନାଟ୍ୟଧାରାକୁ ଅତିକ୍ରମ କରି ଯାଇଥିବା ରମେଶ ପାଣିଗ୍ରାହୀଙ୍କ ସର୍ବଶ୍ରେଷ୍ଠ କୃତି ହେଲା ‘ମହାନାଟକ’ । ଏହି ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଛନ୍ତି । ଏହା ସମଗ୍ର ଓଡ଼ିଆ ନାଟ୍ୟ ସାହିତ୍ୟର ମୋଡ଼ ବୁଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ନାଟକର କଥାବସ୍ତୁ ଜଣେ ମୁର୍ଖ ରାଜା, ତାଙ୍କର ଅନ୍ଧ ସମର୍ଥକ ମନ୍ତ୍ରୀ, କିଛି ଅମାତ୍ୟ ତଥା ଅନ୍ୟ କିଛି ଚରିତ୍ରକୁ ନେଇ ଅଗ୍ରସର ହୋଇଛି । ଏଠାରେ ରାଜା ବଜ୍ରବାହୁ ଜଣେ ଉଗ୍ର ଏକଛତ୍ରବାଦୀ ଶାସକ । ସେ ନିଜକୁ ନରବିଷ୍ଣୁ ମନେ କରନ୍ତି । ତାଙ୍କ ରାଜତ୍ୱ କାଳରେ ରାଜ୍ୟରେ ବିଭିନ୍ନ ସମସ୍ୟା ଦେଖାଦେଇଛି । ଯେମିତିକି ବର୍ଷା ନ ହେବା, ଏହି କାରଣରୁ ମୃତ୍ତିକା ଶୂନ୍ୟଗର୍ଭା ହୋଇଯିବା, ପ୍ରଜା ଖାଇବାକୁ ନ ପାଇବା ଏବଂ ଏଥିରେ ଚାଲିଛି ରାଜାଙ୍କ ଅମାନବିକ ଅତ୍ୟାଚାର ଯଥା - ଲୋକେ ଖାଇବା ପାଇଁ ମାଗିବାକୁ ଆସିଲେ ତାଙ୍କୁ ଫାଶୀଦଣ୍ଡରେ ଝୁଲାଇବା ଇତ୍ୟାଦି ।

ଏହା ଦୁଇଅଙ୍କ ବିଶିଷ୍ଟ ମୁକ୍ତଧାରାର ନାଟକ । ଷୋହଳ ଗୋଟି ଚରିତ୍ର (ତିନିଗୋଟି ନାରୀଚରିତ୍ର)ର ସମାହାରରେ ଲୋକନାଟ୍ୟ ଶୈଳୀ ଆଧାରରେ ଏହା ଲିଖିତ । ଏହାର ଗଦ୍ୟ ଶୈଳୀ, ବ୍ୟଞ୍ଜନା ଓ କଳ୍ପନା ପ୍ରବଣତା, ହାସ୍ୟରସ, ଗୀତିମୟତା ଓ ଆଲିଗୋରିକାଲ୍ ପ୍ରକାଶ ଭଙ୍ଗୀ ଏକ ସ୍ୱତନ୍ତ୍ର ଶୈଳୀ ବହନ କରେ । ଦାସକାଠିଆ ମାଧ୍ୟମରେ ଏକ କ୍ଲାସିକାଲ୍ ଥିମ୍‌କୁ ନେଇ ରଚିତ ଏହି ନାଟକଟି ଶୈଳୀ ଦୃଷ୍ଟିରୁ ଓଡ଼ିଆ ନାଟକରେ ସଂପୂର୍ଣ୍ଣ ନୂତନ । ନାଟ୍ୟକାରଙ୍କ ପ୍ରତିଟି ଚରିତ୍ର ଲେଖାରେ ରହିଛି ଅଙ୍ଗୀକାରବଦ୍ଧତା, ବିଦ୍ରୋହ ଓ ପ୍ରତିବାଦର ସ୍ୱର । ପ୍ରତିଟି ନାଟକ ଜଣେ ଅନ୍ୟଠାରୁ ଭିନ୍ନ । ତାଙ୍କର ଶୈଳୀ ଓ ଭାବକଳ୍ପ ତଥା ପରିବର୍ତ୍ତନର ବିଭିନ୍ନତା ସତେ ଯେମିତି ତାଙ୍କର ଏକ ନୂତନ ପରିଚୟ ସୃଷ୍ଟି କରେ । ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଲା ପରି ତାଙ୍କର ପ୍ରତିଟି ନାଟକ ଏକ ଏକ ଭିନ୍ନ ଢଙ୍ଗରେ ଗଢ଼ିଉଠିଛି ।