ପ୍ରତିବାଦୀଙ୍କ ପ୍ରତିବାଦ

କୌଣସି ଛବିକୁ ଗ୍ୟାଲେରୀ କିମ୍ବା ମ୍ୟୁଜିୟମ୍ ଏମିତିକି ଶିଳ୍ପୀର ଷ୍ଟୁଡିଓରେ ପଶି ନଷ୍ଟ କରିବା ଅବା ନଷ୍ଟ କରିବାକୁ ଚେଷ୍ଟା କରିବା କିଛି ନୂଆ କଥା ନୁହେଁ । ଏମିତି ଘଟଣା ବାହାରେ ଘଟିଛି ଓ ଆମ ଦେଶରେ ବି ବହୁବାର ଘଟିଛି ।


ଫଟୋ - ୱିକିପିଡିଆ

ଘଟଣାଟି ଥିଲା ଏମିତି । ଲଣ୍ଡନର ନ୍ୟାସନାଲ୍ ଗ୍ୟାଲେରୀର ଏକ ସାଧାରଣ ଦିନ । ସ୍ଥାନୀୟ ଘଡିରେ ସମୟ ଦିନ ଏଗାର । ଚାରିଆଡେ ବିଖ୍ୟାତ ଚିତ୍ରଶିଳ୍ପୀମାନଙ୍କର ଚିତ୍ର ଓ ଭାସ୍କର୍ଯ୍ୟ । ସେସବୁକୁ ବୁଲି ବୁଲି ଦେଖୁଥା'ନ୍ତି ଦର୍ଶକମାନେ । ସେଥିରୁ ଗୋଟେ କାନ୍ଥରେ ଝୁଲୁଥାଏ ଚିତ୍ରଶିଳ୍ପୀ ଭିନସେଣ୍ଟ ଭ୍ୟାନଗୋଗଙ୍କ ପୃଥିବୀ ବିଖ୍ୟାତ 'ସନଫ୍ଲାୱାର୍' ଛବି । ସନଫ୍ଲାୱାର୍ ଛବିର ଚିତ୍ରକାର ଭାବରେ ଅନେକ ଭ୍ୟାନଗୋଗଙ୍କୁ ଜାଣନ୍ତି । ହଠାତ୍ ଦର୍ଶକ ଭାବରେ ଠିଆ ହୋଇଥିବା ଓ ‘ଜଷ୍ଟ ଷ୍ଟପ୍ ଅଏଲ’ ଲେଖାଥିବା ଟି ସାର୍ଟ ପିନ୍ଧିଥିବା ଦୁଇଜଣ ଯୁବତୀ ଭ୍ୟାନଗୋଗଙ୍କ ସେଇ ୧୮୮୦ବେଳର ଅଙ୍କିତ ସନଫ୍ଲାୱାର୍ ଛବି ଉପରକୁ ଟମାଟୋ ସୁପ୍ ଫିଙ୍ଗିଲେ ଓ ଛବି ତଳ କାନ୍ଥରେ ଅଠାରେ ହାତକୁ ଲଗେଇଦେଲେ । ରକ୍ଷା ଛବି ଉପରେ କାଚ ଥିଲା, ତେଣୁ ୮୨.୨ ମିଲିୟନ ଆମେରିକୀୟ ଡଲାର୍ ମୂଲ୍ୟର ଛବିଟିର କିଛି କ୍ଷତି ହେଲାନି । ଅବଶ୍ୟ ତୁରନ୍ତ ଗ୍ୟାଲେରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ଛବିକୁ ସଫା କରିଦିଆଯାଇଥିଲା । ଦୁଇ ପ୍ରତିବାଦୀଙ୍କୁ ପୋଲିସ ତୁରନ୍ତ ଗିରଫ କରିଥିଲା ।

ପୂରା ଘଟଣାର ଭିଡିଓ କରାଯାଇଥିଲା । ଭିଡିଓରେ ଦିଶୁଥିଲା ଦୁଇ ଯୁବତୀ ପ୍ରଥମେ ସେମାନଙ୍କ ଜ୍ୟାକେଟ୍ ଖୋଲୁଛନ୍ତି । ଜ୍ୟାକେଟ୍ ଖୋଲିଲା ପରେ ଯାଇ ସେମାନେ ପିନ୍ଧିଥିବା ‘ଜଷ୍ଟ ଷ୍ଟପ୍ ଅଏଲ’ ଟି ସାର୍ଟ ଆଖିରେ ପଡୁଛି । ପରେ ଜଣାପଡିଲା ସେ ଦୁଇ ଯୁବତୀ ହେଲେ ୨୧ବର୍ଷିୟା ଫୋଏବେ ପ୍ଲମେର୍ ଓ ୨୦ ବର୍ଷିୟା ଆନା ହୋଲାଣ୍ଡ । ଦୁହେଁ ପରିବେଶ ପାଇଁ କାମ କରୁଥିବା ସାମାଜିକ କର୍ମୀ । ଘଟଣାଟି ବିଜୁଳୀ ବେଗରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା । ଛବି ଉପରେ ସୁପ୍ ଫିଙ୍ଗିଲା ପରେ ଓ ଅଠା ଦ୍ୱାରା ହାତକୁ କାନ୍ଥରେ ଯୋଡିଲା ପରେ ଦୁଇ ଯୁବତୀଙ୍କ ଭିତରୁ ଜଣେ ଚିତ୍କାର କରି ପଚାରିଥିଲେ;

-- କାହାର ମୂଲ୍ୟ ଅଧିକ ? କଳାର ନା ଜୀବନର ? ଏହା କ'ଣ ଖାଦ୍ୟଠାରୁ ଅଧିକା ଦାମିକା ? ନ୍ୟାୟଠାରୁ ଅଧିକ ମୂଲ୍ୟବାନ ? ତୁମେ କ'ଣ ଗୋଟେ ଛବିର ସୁରକ୍ଷା ପାଇଁ ଏତେ ଅଧିକ ଯତ୍ନଶୀଳ ? ଆଉ ଆମର ଏ ଗ୍ରହ ଓ ଆମ ଲୋକମାନଙ୍କ ସୁରକ୍ଷା ? ଲକ୍ଷ ଲକ୍ଷ ଲୋକ ଆଜି ଦୁର୍ଭିକ୍ଷ ଓ ଜଙ୍ଗଲରେ ଲାଗୁଥିବା ନିଆଁରେ ମୃତ୍ୟୁମୁଖରେ ପଡୁଛନ୍ତି । ଆମର ଆଉ ନୂଆ ତେଲ ଓ ଗ୍ୟାସ୍ ଖଣି ଦରକାର ନାହିଁ । ଆମେ ଯାହା କିଛି ଜାଣିଛେ ଓ ଯାହାକୁ ଭଲ ପାଉଛେ ସେ ସବୁ କିଛିକୁ ଛଡେଇନେବ ।

ଘଟଣାଟି ସୋସିଆଲ୍ ମିଡିଆରେ ଭାଇରାଲ ହେଲାପରେ ଅନେକେ ଏନେଇ ସେମାନଙ୍କର କ୍ଷୋଭ ପ୍ରକାଶ କଲେ । ଭ୍ୟାନଗୋଗଙ୍କ ପ୍ରତି ଅନେକଙ୍କର ଏକ ପ୍ରକାର ସଦିଚ୍ଛା ରହିଛି । ତେଣୁ ତାଙ୍କ ଛବି ଉପରେ ହୋଇଥିବା ଆକ୍ରମଣକୁ ସହଜରେ ଭ୍ୟାନଗୋଗ ପ୍ରେମୀମାନେ ଗ୍ରହଣ କରିନଥିଲେ ।

କିନ୍ତୁ କ'ଣ ପାଇଁ ସେ ଯୁବତୀ ଦୁଇଜଣ ଏମିତି କାଣ୍ଡଟେ କଲେ ? କିଏ ସେମାନେ ? ଏନେଇ ପରେ ସେମାନଙ୍କ ବକ୍ତବ୍ୟ ସାମ୍ନାକୁ ଆସିଲା । ଜଷ୍ଟ ଷ୍ଟପ୍ ଅଏଲର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ଘଟଣାର ଭିଡିଓ ଅପଲୋଡ୍ ହେଲା ଓ ସେମାନେ ସେମାନଙ୍କ ଯୁକ୍ତି ଉପସ୍ଥାପନ କଲେ । ସେମାନଙ୍କର କହିବାର କଥା ଥିଲା; ଭ୍ୟାନଗୋଗଙ୍କ ଛବି ଶୀତତାପ ନିୟନ୍ତ୍ରିତ ଗ୍ୟାଲେରୀ ଭିତରେ କାଚ ବନ୍ଧେଇ ଫ୍ରେମ ଭିତରେ ସୁରକ୍ଷିତ ଅଥଚ ଆମେ ଓ ଆମ ପର୍ଯ୍ୟାବରଣ ସେତିକି ସୁରକ୍ଷିତ କି ? ପ୍ରକୃତରେ କାହାର ମୂଲ୍ୟ ଅଧିକା ? ଏଇ ଛବି ନା ଆମ ପୃଥିବୀର ଭବିଷ୍ୟତ ? କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା, ଠିକ୍ ଠିକଣା ନଥିବା ଜଳବାୟୁ ଓ ପ୍ରଦୂଷଣଠାରୁ ବଳି ଆଜି ଆଉ କିଛି ବଡ ସମସ୍ୟା ଅଛିକି ? ସେମାନେ ପ୍ରଶ୍ନ କରିଛନ୍ତି ଗୋଟେ ଛବି ଉପରେ ସୁପ୍ ଫିଙ୍ଗିବା ଘଟଣାକୁ ନେଇ ଲୋକମାନେ ଏତେ ପ୍ରତିକ୍ରିୟାଶୀଳ ହୋଇପାରୁଛନ୍ତି, କିନ୍ତୁ ପର୍ଯ୍ୟାବରଣର ଶୋଚନୀୟ ଅବସ୍ଥା ନେଇ କେମିତି ନୀରବ ଓ ଉଦାସୀନ ରହିପାରୁଛନ୍ତି ? ଏମିତିକା ଅଭିନବ ପ୍ରତିବାଦ ପରେ ସେମାନଙ୍କ କଥା ଅଧିକ ଲୋକଙ୍କ ପାଖରେ ପହଞ୍ଚିଛି । କାରଣ ଲୋକେ ସେମାନଙ୍କୁ ପ୍ରଶ୍ନ କରିଛନ୍ତି କ'ଣ ପାଇଁ ସେମାନେ ଏପରି କରୁଛନ୍ତି ? କିଛି ଲୋକଙ୍କ ଆଖିରେ ଏହା ଖରାପ ଓ ଅଭଦ୍ରାମୀର କାର୍ଯ୍ୟକଳାପ ଭାବରେ ଦେଖାଗଲେ ବି ଅନେକ ଅସଲ କଥା ଜାଣିଲା ପରେ ଅବସ୍ଥାଚକ୍ରକୁ ବୁଝିବାକୁ ଅନେକ ପରେ ବାଧ୍ୟ ହୋଇଛନ୍ତି ।

ଏଇଠି ଘଟଣା ପଛର କାରଣକୁ ଏବେ ବୁଝେଇ କହିବାକୁ ହେବ । ଇଂଲଣ୍ଡର ସରକାର ଅଳ୍ପଦିନ ତଳେ ମାଟି ତଳେ ନୂଆ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଭଣ୍ଡାର ଖୋଜିବା ପାଇଁ ନୂଆ କମ୍ପାନୀଙ୍କୁ ଅନୁମତି ଦେଇଛନ୍ତି । ପରିବେଶବିଦ୍ ମାନଙ୍କର କହିବା କଥା ହେଲା, ଆମେ ଆଉ ମାଟିତଳ କୋଇଲା ଓ ତୈଳ ଭଣ୍ଡାରକୁ ବ୍ୟବହାର ନକରିବା କଥା । ଗଲା ଏପ୍ରିଲ ମାସରେ ଇଣ୍ଟର୍ - ଗଭର୍ଣ୍ଣମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ ଚେଞ୍ଜ (ଆଇପିସିସି) ତା'ର ଏକ ରିପୋର୍ଟରେ ବ୍ରିଟିଶ ସରକାରଙ୍କ ଏପରି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ସରକାରଙ୍କ ପଦକ୍ଷେପକୁ ତୀବ୍ର ବିରୋଧ କରୁଛନ୍ତି ‘ଜଷ୍ଟ ଷ୍ଟପ ଅଏଲ’ ନାମକ ପରିବେଶ ସଚେତନ ସାମାଜିକ କର୍ମୀଙ୍କ ଗ୍ରୁପ୍ । ଗ୍ରୁପଟି ୧୪ ଫେବୃୟାରୀ ୨୦୨୨ରେ ଆରମ୍ଭ ହେଇଛି । ଏକଥା ସତ ଯେ ରାଜନେତା ଓ ପୁଞ୍ଜିପତିମାନଙ୍କ ମଧୁଚନ୍ଦ୍ରିକାରେ ପୃଥିବୀ ପାଦେ ପାଦେ କରି ମୃତ୍ୟୁ ଦିଗରେ ଅଗ୍ରସର ହୋଇଚାଲିଛି । କେବଳ ମ୍ୟୁଜିୟମ୍ ନୁହେଁ ସେମାନେ ଫୁଟବଲ୍ ମ୍ୟାଚ୍ ଠୁ ଆରମ୍ଭ କରି ଚଳଚ୍ଚିତ୍ର ଫେଷ୍ଟିଭାଲରେ ପ୍ରତିବାଦ କରି ସେମାନଙ୍କ ବକ୍ତବ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ପର୍ଯ୍ୟାବରଣକୁ ନେଇ ଯୁକ୍ତି ସବୁ କଣଠେସା ହୋଇସାରିଛି । ବିଶ୍ୱ ନେତାମାନଙ୍କର ପରିବେଶ ଓ ପର୍ଯ୍ୟାବରଣର ସ୍ୱାସ୍ଥ୍ୟ ନେଇ ଶିଖର ବୈଠକମାନଙ୍କରେ ମିଛ କାନ୍ଦଣା ଓ ମିଛ ଉଦବେଗ ଦେଖାଇ ବିଶ୍ୱବାସୀଙ୍କୁ ଭୁଆଁ ବୁଲଉଛନ୍ତି । ପ୍ରକୃତରେ ସେମାନେ ଆମ ଆସନ୍ତା ପିଢି ପାଇଁ ଗଣମଡକର ଇସ୍ତାହାର ପ୍ରସ୍ତୁତ କରୁଛନ୍ତି ।

ଏଇଟି ଏକମାତ୍ର ଘଟଣା ନୁହେଁ । ଜଷ୍ଟ ଷ୍ଟପ୍ ଅଏଲର ସାମାଜିକ କର୍ମୀମାନେ ଏପରି ଅଭିନବ ପ୍ରତିବାଦ ଆଗରୁ ବି କରିଛନ୍ତି । ସେଥିରୁ ଅନେକଙ୍କୁ ସ୍ଥାନୀୟ ପୋଲିସ୍ ଗିରଫ ମଧ୍ୟ କରିଛି । ଜୁଲାଇ ୨୦୨୨ରେ ଜଣେ ଯୁବକ ଓ ଜଣେ ଯୁବତୀ ଜନ କନଷ୍ଟାବଲଙ୍କ ୧୮୨୧ର 'The Hay Wain' ନାମକ ଏକ ବିଖ୍ୟାତ ଛବିରେ ଅଠା ସହ ଯୋଡି ହେଇଥିଲେ । ଜନ କନଷ୍ଟାବଲ ଜଣେ ଚମତ୍କାର ପ୍ରାକୃତିକ ଭୂଦୃଶ୍ୟ ଆଙ୍କିଥିବା ଚିତ୍ରଶିଳ୍ପୀ ଭାବରେ ପରିଚିତ । ସେମାନେ ହଠାତ୍ ଏକ ଭିନ୍ନ ଚିତ୍ର ଥିବା ଛାପା କାଗଜକୁ ମୂଳ ଛବି ଉପରେ ଲଗେଇ ଦେଇଥିଲେ । ମୂଳ ଛବିରେ ଏକ ଗାଁର ଛବି ଥିଲା । ଗଛ, ଘର, ଶଗଡ ଓ ସୁନ୍ଦର ଆକାଶ ଥିଲା । ଏମାନେ ଯେଉଁ ଛାପା କାଗଜ ଲଗେଇଲେ ସେଥିରେ ଥୁଣ୍ଟା ଗଛ ଓ ପୋଡିଯାଇଥିବା କାର ଏବଂ ଉଡାଜାହାଜ ଥିଲା । ଜଷ୍ଟ ଷ୍ଟପ୍ ଅଏଲ କହିବା ଅନୁସାରେ ଆମର ପ୍ରକୃତ ପରିସ୍ଥିତିକୁ ଆମେ ଦେଖାଇଛୁ । ରୟାଲ୍ ଏକାଡେମୀ ଅଫ୍ ଆର୍ଟରେ ଥିବା ଲିଓନାର୍ଡୋ ଦା ଭିନସିଙ୍କ 'ଦ ଲାଷ୍ଟ ସୁପର' ଛବି ସାଙ୍ଗରେ ମଧ୍ୟ କିଛି ପ୍ରତିବାଦୀ ଅଠା ଦ୍ୱାରା ଯୋଡି ହୋଇଥିଲେ । ଗଲା ଜୁଲାଇ ମାସରେ ଇଟାଲୀର ପରିବେଶ ସୁରକ୍ଷା ପାଇଁ କାମ କରୁଥିବା କିଛି ସାମାଜିକ କର୍ମୀ ପ୍ରତିବାଦ ଭାବରେ ସମାନ ଭାବରେ ଏକ ଛବି ସହ ଅଠା ସାହାଯ୍ୟରେ ଯୋଡି ହୋଇଯାଇଥିଲେ । ବିରୋଧର ଏପରି ଶୈଳୀକୁ ଅନେକ ବିରୋଧ କରି କହିଛନ୍ତି ଯେ, ପରିବେଶକୁ ନେଇ କାମ କରୁଥିବା ସାମାଜିକ କର୍ମୀମାନେ ମ୍ୟୁଜିୟମ୍ ମାନଙ୍କୁ ଛାଡିଦିଅନ୍ତୁ । ବିରୋଧ ଅନ୍ୟଠି କରନ୍ତୁ । କିନ୍ତୁ କଥା ହେଲା, ଦର୍ଶକଙ୍କ ଅସୁବିଧାଠାରୁ ପରିବେଶର ଅବକ୍ଷୟ ଓ ପର୍ଯ୍ୟାବରଣର ଦୁରାବସ୍ଥା ଏବଂ ଏହାର ଶିକାର ହେଉଥିବା ଲକ୍ଷ ଲକ୍ଷ ଲୋକ, ପଶୁ - ପକ୍ଷୀ, ବୃକ୍ଷ - ଲତାଙ୍କ ଦୁଃଖ - ଦୁଃର୍ଦ୍ଦଶାଠାରୁ କ'ଣ ଖୁବ୍ ବେଶୀ ଅଧିକା କି ?

କୌଣସି ଛବିକୁ ଗ୍ୟାଲେରୀ କିମ୍ବା ମ୍ୟୁଜିୟମ୍ ଏମିତିକି ଶିଳ୍ପୀର ଷ୍ଟୁଡିଓରେ ପଶି ନଷ୍ଟ କରିବା ଅବା ନଷ୍ଟ କରିବାକୁ ଚେଷ୍ଟା କରିବା କିଛି ନୂଆ କଥା ନୁହେଁ । ଏମିତି ଘଟଣା ବାହାରେ ଘଟିଛି ଓ ଆମ ଦେଶରେ ବି ବହୁବାର ଘଟିଛି । ୨୦୦୮ରେ ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ହୁସେନଙ୍କ ଛବି ପ୍ରଦର୍ଶିତ ହେଉଥିବା ସମୟରେ କିଛି ଲୋକ ଛବିଗୁଡିକ ଉପରେ ଆକ୍ରମଣ କରି ସାତୋଟି ଛବି ନଷ୍ଟ କରିଦେଇଥିଲେ । ୨୦୧୩ରେ ଅହମ୍ମଦାବାଦରେ ପାକିସ୍ଥାନୀ ଚିତ୍ରଶିଳ୍ପୀମାନଙ୍କର ଏକ ପ୍ରଦର୍ଶନୀ ଉପରେ ଆକ୍ରମଣ କରାଯାଇ ଅନେକ ଛବି ନଷ୍ଟ କରାଯାଇଥିଲା । ସେଇ ଅହମ୍ମଦାବାଦରେ ଥିବା ‘ଦୋଷୀ - ହୁସେନ ନି ଗୁଫା’ ଉପରେ ଦୁଇଥର ଆକ୍ରମଣ କରାଯାଇଛି । ୨୦୦୭ ମସିହାରେ ବରୋଦାର ଏମ୍ ଏସ୍ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟ ଫାକଲ୍ଟିରେ ଜଣେ ଶେଷ ବର୍ଷ ପିଲାର ପରୀକ୍ଷା କାମକୁ ବିରୋଧ କରି ଆକ୍ରମଣ ହୋଇଥିଲା । ପିଲାମାନଙ୍କ ପ୍ରଦର୍ଶନୀରେ ଗଣ୍ଡଗୋଳ କରାଯାଇଥିଲା । ସେମିତି ୨୦୧୬ରେ ଜୟପୁର ଆର୍ଟ ସମିଟ୍ ରେ ପ୍ରଦର୍ଶିତ ଏକ ଛବିକୁ ନେଇ ବିବାଦ ଠିଆହୋଇଥିଲା । ପ୍ରଦର୍ଶନୀ ସ୍ଥଳରେ ମହିଳାମାନଙ୍କର ଏକ ଗୋଷ୍ଠୀ ଚିତ୍ରଶିଳ୍ପୀକୁ ମାଡ ମାରିବା ସହ ଛବିକୁ ନଷ୍ଟ କରିଥିଲେ । ଭାରତରେ ଚିତ୍ର ଓ ଚିତ୍ରଶିଳ୍ପୀମାନଙ୍କ ଉପରେ ଯେତେ ଯାହା ଆକ୍ରମଣ ହୋଇଛି ସେସବୁର ପଛରେ ଶସ୍ତା ଧାର୍ମିକ ରାଜନୀତି କେବଳ ରହିଛି । ଏଠି କିନ୍ତୁ ଜଷ୍ଟ ଷ୍ଟପ୍ ଅଏଲର କଥାଟି ଭିନ୍ନ । ଏଠି ପ୍ରତିବାଦୀମାନେ ଜାଣନ୍ତି କଳାକୃତି ସାମ୍ନାରେ କାଚ ଅଛି ଓ ସେମାନଙ୍କର ଆଦୌ ଉଦ୍ଦେଶ୍ୟ ନୁହେଁ ମୂଳ କଳାକୃତିର କିଛି କ୍ଷତି କରିବା । ସେମାନେ ଜାଣି ଜାଣି ବିଖ୍ୟାତ ଗ୍ୟାଲେରୀରେ ପ୍ରଦର୍ଶିତ ବିଖ୍ୟାତ ଶିଳ୍ପୀଙ୍କ ପରିଚିତ କଳାକୃତିକୁ ଉପଲକ୍ଷ୍ଯ କରିଛନ୍ତି । ଉଦ୍ଦେଶ୍ୟ ସେମାନଙ୍କ ପ୍ରତିବାଦ ଅଧିକ ଲୋକଙ୍କ ଆଖିରେ ପଡିବ । ହୁଏତ ଅଧିକରୁ ଅଧିକ ଲୋକେ ଆମ ବିପର୍ଯ୍ୟସ୍ତ ପର୍ଯ୍ୟାବରଣ ସମ୍ପର୍କରେ ସଚେତନ ହେବେ । ସେମାନଙ୍କର ଉଦ୍ଦେଶ୍ୟ ଧର୍ମକୁ ନେଇ ରାଜନୀତି କରିବାର ନାହିଁ କି କାହାକୁ ବ୍ୟକ୍ତିଗତ ଭାବରେ ଶାରିରୀକ ଓ ମାନସିକ ଆକ୍ରମଣ କରିବାର ନାହିଁ । ସେମାନେ ପୃଥିବୀର ସମଗ୍ର ମାନବ ଜାତିର ଭଲ ପାଇଁ କଥାଟି କହୁଛନ୍ତି । ଆମମାନଙ୍କ ପରି ଚେଇଁ ଶୋଇଥିବା ଜାଣି ସିଆଣା ଓ ସବଜାନତା ତଥାକଥିତ ବୁଦ୍ଧିଜୀବୀ ଏବଂ କିଛି ଅଜ୍ଞାନୀ ମୂଢ ଅନ୍ଧଭକ୍ତ ଶ୍ରେଣୀର ଲୋକଙ୍କୁ ନିଦରୁ ଉଠେଇବାକୁ ଚେଷ୍ଟା କରୁଛନ୍ତି । ସେମାନେ ସମସ୍ତେ ପାଠଶାଠ ପଢିଥିବା ଆଜିର ଯୁବଗୋଷ୍ଠୀ । ଆଜିର ଯୁବକ ଯୁବତୀ ଓ କିଶୋର କିଶୋରୀମାନେ ପୃଥିବୀ ଓ ତାର ପର୍ଯ୍ୟାବରଣର ସ୍ୱାସ୍ଥ୍ୟ ନେଇ ଆମ ବଡମାନଙ୍କଠାରୁ ଅଧିକ ସଚେତନ । ଏଇଠି ଗ୍ରେଟା ଥନବର୍ଗଙ୍କ କଥା ମନେପଡେ । କିନ୍ତୁ ସେମାନଙ୍କ କଥା ଆମେ ଶୁଣିବା କାହିଁକି ? କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଅସୁରଙ୍କୁ ନିଦରୁ ଉଠେଇବାକୁ ଏମିତି ଭେରୀ ତୂରୀ ହୁଏତ ବଜେଇବାକୁ ପଡିବ । କିନ୍ତୁ ଆମ ରାଜନେତା ଓ ଲୋଭୀ ପୁଞ୍ଜିପତିଙ୍କର ଇଚ୍ଛା ମଣ୍ଡାଖିଆ ଅସୁର ପରି । ସେମାନେ ସବୁକିଛି ଗୋଟାପଣେ ଗିଳି ପକେଇବେ । ତାଙ୍କ ନିଜ ପିଲାଙ୍କ ପାଇଁ ବି କିଛି ଛାଡିକି ଯିବେନି । ହେଲେ ଆଜି ନିଆଁ ଗିଳିଲେ କାଲି ସକାଳକୁ ଅଙ୍ଗାର ହଗିବାକୁ ପଡିବ ଏଇ ଛୋଟିଆ କଥାଟିକୁ କେହି କେମିତି ବୁଝିପାରୁନାହାଁନ୍ତି କେଜାଣି ?

Report an Error