ପ୍ରତ୍ୟୟ

ଚାହିଁବା ଓ ପାଇବା ଭିତରେ ଗୋଟେ ଅନୁରାଗ ଭିଜା ବ୍ୟବଧାନର ହସ୍ତାକ୍ଷର ଏ କବିତା ।


ତୁମକୁ ଦେଖିବା କ୍ଷଣି
ଜଳଶୂନ୍ୟ ସହର ଭିତରେ
ଅକସ୍ମାତ ସମୁଦ୍ର ଗୋଟିଏ ଜଳି ଉଠିଥିଲା,
ଅକସ୍ମାତ ପ୍ରତ୍ୟୁଷର ସୂର୍ଯ୍ୟ କିରଣରେ ।

ଜୁଆର ପରେ ଜୁଆର ମାଡିଗଲା ଚାରିଆଡେ
ଅନେକ ବୋଇତ ପବନ ବେଗରେ
ଆସି ପହଁଚିଲେ,
ଶତାବ୍ଦୀ ଶତାବ୍ଦୀ ଧରି ପଡିଥିବା ଅପନ୍ତରା
ଭରିଗଲେ ପ୍ରସ୍ତ ପ୍ରସ୍ତ ସବୁଜ ରଙ୍ଗରେ ।

ସମୟ ଚମକି ଉଠି ସ୍ଥିର ହୋଇଗଲା ।
ସମଗ୍ର ଜୀବନ ମୋର
ମିଶିଗଲା ଗୋଟିଏ ବିନ୍ଦୁରେ ।

ମନେ ହେଲା ଚରମ ମୁହୂର୍ତ୍ତ ଇଏ,
ଏଇ ମୁହୂର୍ତ୍ତରେ ପ୍ରାର୍ଥନା କରିବା ମାତ୍ରେ
ଅବତାର ଜନ୍ମ ନେବେ,
କ୍ରୁଶରୁ ଯନ୍ତ୍ରଣାବିଦ୍ଧ ଈଶ୍ୱର ନିଶ୍ଚୟ
ଓହ୍ଲାଇ ପଡିବେ ଆସି
ମଣିଷଙ୍କ ସମ୍ବର୍ଦ୍ଧନା ସ୍ବୀକାର ଭିତରେ ।

ଅତୀତ ଦିଶିଲା ମୋତେ
ସତେ ଅବା ନିଛାଟିଆ ଦୂର ଟିଣ ଘର
ଚାହୁଁ ଚାହୁଁ ଭାଙ୍ଗିଗଲା ଚୁନା ହୋଇଗଲା ।

ଚିହ୍ନା ଚିହ୍ନା ଛାଇଟିଏ କା'ର
ତା ଭିତରୁ ବାହାରିଲା,
ଇତସ୍ତତଃ ହୋଇ, ଘେରି ଆସୁଥିବା
ଏଇ ଭବିତବ୍ୟ ଉଦ୍ଦେଶ୍ୟରେ
ନଇଁ ପଡି ପ୍ରଣିପାତ କଲା ।

ଆଉ କିଛି ଘଟୁଥିଲା, ଘଟିଥାନ୍ତା
ତମେ ତ ଅଦ୍ଭୁତ ଭାବେ ସବୁ ଘଟଣାର
ଆରଂଭକୁ ଚାଲିଗଲ,
ସେଇଠାରେ ରହି ମୋର ସବୁ ଅଭାବକୁ
ଛୁଇଁ ଛୁଇଁ ପୂର୍ଣ୍ଣ କରିଦେଲ ।

ମାଗିଥିଲେ ମାଗିଥାନ୍ତି ତମକୁ ମୁଁ
ଏ ଗୋଟିକ ମୁହୂର୍ତ୍ତର ଅମରତ୍ୱ
ତା ବି ହେଲା ନାହିଁ,
ତମେ ମୋ ମନଠୁ ଦୂର ବହୁଦୂର
ଦିଗବଳୟ ନିକଟକୁ ଭାସିଗଲ ।

ମୁଁ ଚାହିଁଛି ହଠାତ୍, ଏପାଖେ ଉଇଁଲ ଆଉ ସେ ପାଖରେ ଅସ୍ତ ହୋଇଗଲ ।

Report an Error