ପ୍ରତ୍ୟକ୍ଷଦର୍ଶୀ

ଏ କବିତା ରାଜନୈତିକ ଶ୍ଲେଷର ଏକ ଚମକପ୍ରଦ ଚିତ୍ରଶାଳା । ରଙ୍ଗବେରଙ୍ଗ ମିଛ ଭିତରେ ଆମ ଗଣତନ୍ତ୍ରର ବିକଳ ଚେହେରାକୁ ଧରି ରଖୁଥିବା ଏ କବିତା ।


ମୁଁ ଯାହା ଚାହୁଁ ନଥିବି, ତାହା ହେଉଥିବ
ହୋଇଚାଲିଥିବ,
ମତେ କିଛି ଭଲ ଲାଗୁ ନଥିବ
ମୁଁ ମର୍ମାହତ ହେଉଥିବି
କିନ୍ତୁ ସେମାନଙ୍କୁ କିଛି ଫରକ୍ ପଡୁନଥିବ ।

ମୁଁ ରଡିରଡି କହୁଥିବି, ଏ ସବୁ ଭଲ ନୁହେଁ
ସେମାନେ ମତେ ଶୁଣିବେ ନାହିଁ,
ଜବାବ୍ ବି ଦେବେ ନାହିଁ ।
ନା, ସେମାନେ ମତେ ନଜରବନ୍ଦ ବି କରିବେ ନାହିଁ
ଖୋଲା ଛାଡିଦେବେ, ଗଳିର କୁକୁରପରି ଓ
ଭୁକିବାକୁ ମନା କରିବେ ନାହିଁ,
ସେମାନେ ବଡ଼ ଉଦାର ।

ମୁଁ ଦେଖିବି ଭିକାରୀମାନେ ଆଉ
ଦୀର୍ଘଶ୍ବାସ ମାଗୁ ନଥିବେ, ବରଂ ମାଗୁଥିବେ
ଗୁଳି ନିଜ ନିଜ ବନ୍ଧୁକ ପାଇଁ ଦ୍ବାର ଦ୍ବାର ବୁଲି ।
ମୁଁ ଦେଖିବି ଜନ୍ମ ହୋଇନଥିବା ଛୁଆ ଭୃଣମାନେ
ଖେଳୁଥିବେ ପାଚିଲା ବୋମା ଧରି
ହସପିଟାଲ ପଛପଟ ନର୍ଦ୍ଦମାରେ ।
ମୁଁ ଦେଖିବି ଆକାଶ ଘୋଡିହୋଇ
ମହାମହିମମାନେ ଘରଘର ତାରା ବାଣ୍ଟୁଥିବେ
ମହାର୍ଘ ହସ ପିନ୍ଧି ମୁହଁରେ,
ମୁଁ ଜାଣିବି ମୋର ପ୍ରିୟ ଦେଶରେ
ଗଣତନ୍ତ୍ର ଏବେ ବିରାଜମାନ ସଦଳବଳେ ।
ମୁଁ ଦେଖିବି ଏବେ ଆଉ ଆମ୍ବଟାକୁଆ ନୁହେଁ
ଲିଚୁ ଖାଉଛନ୍ତି ହାଡ଼ର ଦେବଶିଶୁମାନେ ।
ମୁଁ ଦେଖିବି ହଜାରେ ବର୍ଷ ତଳେ ଭୀଷଣ ଯୁଦ୍ଧରେ
ମରିହଜି ଯାଇଥିବା ଦଳେ ମେଷପାଳକ
ବଂଶୀ ବିକିବାକୁ ଆସିଛନ୍ତି ଯାତ୍ରା ପଡିଆକୁ ।
ମୁଁ ଦେଖିବି ଭୂମାତାର ଗର୍ଭରୁ
ଉତ୍ପାଦନ ଚାଲିଛି ମଣିଷମାନଙ୍କର ହାଡ଼
ଯହିଁରେ ସ୍ବଦେଶୀ କୌଶଳରେ ନିର୍ମାଣ ହେବ
ଭିନ୍ନ ଭିନ୍ନ ନକ୍ଷତ୍ରଯାନ ।
ନିଜ ପିଠିରେ ଏକ ଏକ ଭୟାର୍ତ୍ତ କାହାଣୀ ବୋହି
ଲୋକମାନେ ଚାଲିଛନ୍ତି ଶୃଙ୍ଖଳିତ ଧାଡିରେ
ଅନ୍ୟମାନଙ୍କର କାହାଣୀ ପଛରେ, ମୁଁ ଦେଖିବି ।

ଉଚ୍ଚ ଉଚ୍ଚ ଅଭିଳାଷୀ ଦଳେ ସୁଠାମ ଦେହ
ବାହାରିଥିବେ ପଟଓ୍ଵାରରେ ରାତି ଅଧରେ
ନିଜ ନିଜ କଙ୍କାଳକୁ ବୋହି ଅଦୃଶ୍ୟରେ
ଅନ୍ଧାରରେ, ସମୁଦ୍ର କୂଳରେ ବିଛେଇ ପଡିଥିବା
ସେନ୍ସେକ୍ସ ଓ ନିଫ୍ଟିର ଖୋଳ ଗୋଟାଇବାକୁ,
ମହୁଲଗଛ ଡାଳରେ ଦି'ଟା ଛୁଆ ଓ
ସେମାନଙ୍କ ମା'ର ବେକକୁ
ଗାମୁଛା ଫାଶରେ ଝୁଲାଇ ଦେଇ
ଲୋକଟିଏ ଦୌଡୁଥିବ ତା'ର କଟା ପାପୁଲି ଗୋଟେଇବାକୁ,
ପାହାଡ଼ମାନେ ଶୋଇପଡିଥିବେ ଅଥବା
ସେମାନଙ୍କର ହଜିଯାଇଥିବା ନିଶ୍ବାସ ଅଣ୍ଡାଳୁଥିବେ
କପା ବଗିଚାରେ, ମୁଁ ଦେଖୁଥିବି ।
ମୁଁ ଦେଖୁଥିବି ଆଦେଶ ମୁତାବକ
ଯୁଦ୍ଧସ୍ଥଳୀକୁ ଧସେଇ ପଶି
ଫ୍ଲାଗ୍ ମାର୍ଚ୍ଚ କରୁଥିବେ ମୃତ ସୈନିକମାନେ ।
ନରଖାଦକମାନେ ହାଣୁଥିବେ
ଗାଈ ଶିକାର ଖାଇଥିବା ଲୋକକୁ
ପବିତ୍ର ଧର୍ମକର୍ମରେ,
ମୁଁ ଦେଖୁଥିବି ସବୁ ଦେଖୁଥିବି ।

ମୁଁ ଆହୁରି ଦେଖୁଥିବି
ଆକାଶୀ ରଙ୍ଗର ଅଧଫଟା
ଫ୍ରକ୍ ପିନ୍ଧିଥିବା ଆଠବର୍ଷର ବାଳିକାଟିକୁ
ସେମାନେ ଟେକିନେବେ ମନ୍ଦିର ଭିତରକୁ ଓ
ଝାଳ ପୋଛି ପୋଛି ବାହାରି ଆସିବେ ଜଣେ ପରେ ଜଣେ ।
ବାହାରି ଆସୁଥିବା ଲୋକମାନଙ୍କୁ
ମୋର ପଚାରିବାକୁ ଇଚ୍ଛା ହେଉଥିବ
ଝିଅଟି ବିଷୟରେ, ହେଲେ ପଚାରୁ ନଥିବି
କାରଣ ମୋର ଭାଷା ସେମାନେ ବୁଝନ୍ତି ନାହିଁ ।
ମୁଁ ଟାକିଥିବି ଟାକିଥିବି ଟାକିଥିବି,
ଝିଅଟି କିନ୍ତୁ ବାହାରୁ ନଥିବ ।
ସଢା ରକ୍ତଗନ୍ଧରେ ନାକ ମୋର ରୁନ୍ଧିହେବ,
ମୁଁ ଜାଣିଯିବି
ଈଶ୍ବରଙ୍କ ମଳଦ୍ବାରରୁ ନିଗିଡି ଚାଲିଛି
ବିରତିହୀନ ପଚାରକ୍ତ ଓ ଝିଅଟି ହୁଏତ
ପୋଛାପୋଛି କରୁଛି ଗର୍ଭଗୃହର ଚଟାଣ
ତା'ର ଆକାଶୀ ରଙ୍ଗର ଚିରା ଫ୍ରକରେ ।

ମତେ କିଛି ଭଲ ଲାଗୁ ନଥିବ
ମୁଁ ବିକଳ ହୋଇ ଭୁକିବି
ଖୁବ୍ ଜାେର ବିରାମହୀନ ବାକ୍ୟପରି ଭୁକିବି,
ମଈଁଷିମାନେ ବେକଟେକି ଅନେଇ ରହିବେ ଶୂନ୍ୟକୁ
ବେଙ୍ଗମାନେ ଫୁଦୁକ୍ ଫୁଦୁକ୍ ଡେଇଁ ପଡିବେ
ନର୍ଦ୍ଦମା ପାଣିକି ଓ ଗର୍ଜିବେ ଗଁ' ଗଁ'
ଆଖପାଖର ଘରସବୁର ଝରକା ଦରଜାମାନ
ଧଡଧାଡ୍ ଖାପି ହୋଇଯିବ ବିନା ବତାସରେ ।

ମୁଁ ଭୁକିବି ଭୁକିବି ଓ ଭୁକିବି ।
ସେତକର ଅଧିକାରପତ୍ର
ମତେ ଦେଇଛନ୍ତି ସେମାନେ
ଦୟାପରବଶ ହୋଇ,
ମୁଁ ଲେମିନେସନ୍ କରି ରଖିଛି ତାକୁ ଅତି ଯତ୍ନରେ,
ପୁଲିସ୍ ଆସିଲେ ଦେଖେଇବି ବୋଲି ।
ପୁଲିସ୍ କିନ୍ତୁ ଆସିବ ନାହିଁ
ତା'ର ବି ବହୁତ କାମ,
ଏତେ ଛୋଟ ଛୋଟ କଥାରେ ମୁଣ୍ଡ ଖେଳାଇଲେ
ଦେଶ କଥା କିଏ ବୁଝିବ ?

Report an Error