ପ୍ରବାସ

ତମେ, ମୁଁ ଓ ସକଳ ପୃଥ୍ଵୀ ଏକାନ୍ତରେ ଭୋଗୁଥାଉ ପ୍ରବାସ - ବାସ ଭିତରେ ପ୍ରବାସର ଏ ଦାର୍ଶନିକ ଅବବୋଧ ।


ଯେତେବେଳେ କାନ୍ଦନ୍ତି ଶୁଆ - ଶାରୀ
ଖୁବ ନୀରବରେ ଶୁଭେ ଶବ୍ଦ
ଶବ୍ଦ ଯେତେକ ଭାଙ୍ଗନ୍ତି,
ଆବେଗର ରେଖାଚିତ୍ର ହେଇ

ଯେତେବେଳେ କାନ୍ଦନ୍ତି ନର - ନାରୀ
ସଅଳ ସଅଳ ବହେ ପବନ
ଅଥଚ କୁହୁଳେଇ ପାରେନି ନିଆଁ

ଆତ୍ମ ବିଭୋର ହୁଅନ୍ତି ଯେତେବେଳେ ଗୁଣ୍ଡିଚା ହଳ
ଘର୍ଷଣ ହୁଏ ପାଦ ଓ ପ୍ରେମର
ଫୁଲ ଫୁଟେ, ଚହଟେ ବାସ
ପ୍ରସବ ଭୋଗନ୍ତି ବୃଷ ରାଜି

ଯେତେବେଳେ ପ୍ରେମରେ ଭିଜୁଥାନ୍ତି ଜହ୍ନ - ତାରା
ଆଶୀର୍ବାଦରେ ମାଗନ୍ତି ଇନ୍ଦ୍ରଧନୁ
କିନ୍ତୁ, ମହାର୍ଘ୍ୟରେ ଭୋଗି ନିଅନ୍ତି ଯେତେକ ଅନ୍ଧାର

ଯେତେବେଳେ ଗର୍ଜୁଥାନ୍ତି ମେଘମାନ
ଅପେକ୍ଷାରେ ଅନେଇ ଥାଏ ମାଟି
ଜନ୍ମେଇବାକୁ ସବୁଜିମା

ଯେତେବେଳେ ଗୀତ ଗାଆନ୍ତି ବେଙ୍ଗ- ବେଙ୍ଗୁଲି
ତମକୁ ଧରି ନବାକୁ ହେବ,
ପ୍ରେମ - ପ୍ରଣୟର ଋତୁ, ପ୍ରସବ - ମୈଥୁନର ୠତୁ

ଯେତେବେଳେ ଶୁଭିବ ଚାଷୀ ଗୀତ
ପ୍ରବଳ ଘାରିବ ଭୋକ
ମୁଠେ ଅନ୍ନ ଖାଇବାର ସନ୍ତୋଷରେ
ଉଭେଇଯିବ ମୁଠା ମୁଠା ବ୍ୟସ୍ତତା

ଯେତେବେଳେ ଫୁଟିବ ସୂର୍ଯ୍ୟମୁଖୀ
ଲାଜେଇ ଯିବେ ସୂର୍ଯ୍ୟ
ଭୁଲିଯିବେ ଯେତେ ସବୁ ଅକ୍ଷାଂଶ ଦ୍ରାଘିମା
ଶିଖିବାକୁ ପ୍ରେମର ସ୍ବୀକାରୋକ୍ତି

ଶେଷରେ, ଯେବେ ଯେବେ ତମେ ହସ
ତମ ଗାଲରେ ତିଆରି ହୁଏ କୃଷ୍ଣଗର୍ତ୍ତ
ଶୋଷିନିଏ ମୋର ସମସ୍ତ ପ୍ରେମମୟତା

ସବାଶେଷରେ ଯେତେବେଳେ
କେହି ବି କରନ୍ତି ନାହିଁ କିଛି
ତମେ, ମୁଁ ଓ ସକଳ ପୃଥ୍ଵୀ
ଏକାନ୍ତରେ ଭୋଗୁଥାଉ ପ୍ରବାସ !

Report an Error