ପୋଥିଦୁର୍ଗା

ଏବେ ପୂଜା ଶେଷ ଓ ପ୍ରେମର ଆରମ୍ଭ ଏବେ କବିତା ସରିଲା ଓ ଶବ୍ଦ ନଥିବା ଜୀବନର ଆରମ୍ଭ - ସେମିତି ଇ ଅକ୍ଷରର ଦୁର୍ଗା !!


ଶବ୍ଦମାନଙ୍କର ପାଦ ଖୋଜୁଛି ମୁଁ ପାମର
ଅକ୍ଷର ଭିତରେ ଖୋଜୁଛି ଅସ୍ତ୍ର
ଅର୍ଥ ଭିତରେ ସନ୍ୟାସ
ଶବ୍ଦରୁ ଶବ୍ଦ ଭିତରେ ଖୋଜୁଛି
ମେଘମାଳା, ନଦୀ ଓ ମହାସମୁଦ୍ର
ରକ୍ତରେ ଖୋଜୁଛି ପ୍ରାଚୀନ ମହୁରୀର ମାଳେଶ୍ରୀ ରାଗ ।

ବନ୍ଦାଣ କରୁଛି ତୋର ତାଳପତ୍ର ଓ କାଗଜକୁ
ପ୍ରଣିପାତ ହେଉଛି ତୋର ମହା ଅନ୍ଧାକାରର ସୂର୍ଯ୍ଯକୁ ।

ପଥର ସହ ପଥର ଘଷି ହୋଇ ଗଢା ହୋଇଛନ୍ତି କିଛି ଶବ୍ଦ
କିଛି ଶବ୍ଦ ତତଲା କଡେଇରେ ଛଣା ହୋଇଛନ୍ତି
କଟାମାଛର ମୁଣ୍ଡ ପରି
କିଛି ଶବ୍ଦ ଡେଣା ଲଗେଇ ମାପି ସାରିଛନ୍ତି ଆକାଶ
ଆଉ କିଛି ଶବ୍ଦ ଶୋଇରହିଛନ୍ତି ମହାକାଳରେ
ମହାନିଦ୍ରାରେ ।

ଶବ୍ଦର ମେଢ ଦିଶୁଛି ଶୂନ୍ୟରେ
ଝଲମଲ ତୋରଣ, ଯୋଜନ ଯୋଜନ ପତାକା
ସୁବର୍ଣ୍ଣ ବର୍ଣ୍ଣରେ ଢଳା ହୋଇଛି
ପାପୁଲି ପରିକା ପୃଥିବୀ ।

ଶବ୍ଦକୁ ନୈବେଦ୍ୟ ଦେବି
ମାଟିପାତ୍ରରେ ମୋର ରକ୍ତ ଓ ସୁରା
କଳସ ଭିତରେ ମୋର ମହାନଦୀ
ଆଖି ତାଡି ରକ୍ତକମଳ ଦେବି
ନିଜକୁ ନୈବେଦ୍ୟ ବାଢି
ପାଣି ଛଡେଇଦେବି ମୋର କଟାମୁଣ୍ଡରେ ।

ଏବେ ପୂଜା ଶେଷ ଓ ପ୍ରେମର ଆରମ୍ଭ
ଏବେ କବିତା ସରିଲା ଓ ଶବ୍ଦ ନଥିବା ଜୀବନର ଆରମ୍ଭ ।

Report an Error