
ପୋଲାଣ୍ଡ । ଏହି ଦେଶ ନିଜ ଜଟିଳ ଇତିହାସ ସହିତ ବର୍ତ୍ତମାନର ଚିତ୍ତାକର୍ଷକ ଉପସ୍ଥିତି ଜରିଆରେ ରଙ୍ଗମଞ୍ଚ ଦୁନିଆରେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛି । ବିଶ୍ୱର ଅନେକ ଚମତ୍କାର ଥିଏଟର କଳାକାର ପୋଲାଣ୍ଡରୁ ଆସିଛନ୍ତି ।
"ରହସ୍ୟର କେବେ ମଧ୍ୟ ସମାଧାନ କରାଯିବା ଉଚିତ୍ ନୁହେଁ । ଥିଓରୀ ଅଫ୍ ଆର୍ଟ ଜରିଆରେ ଏହାକୁ ଅନୁଭବ କରାଯାଇପାରେ । ଚିତ୍ରକଳା, ନାଟକ, ନୃତ୍ୟ ଓ ସଂଗୀତ ମାଧ୍ୟମରେ ବ୍ୟକ୍ତି ନିଜ ଭାବନାରେ ହିଁ ନିଜ ଭିତରର ଅନୁପମ ଗୁଣକୁ ପ୍ରମାଣିତ କରିପାରେ । ବ୍ୟକ୍ତି ନିଜ ଆଧ୍ୟାତ୍ମିକ ଭାବନା ଜରିଆରେ ରହସ୍ୟର ଉପସ୍ଥିତି, ଶିଶୁସୁଲଭ ଆଶ୍ଚର୍ଯ୍ୟ ଓ ଆଗ୍ରହ ସହକାରେ ଅନୁଭବ କରିପାରେ । ଏହି କଥା ନାଟକରେ, ଚିତ୍ରକଳାରେ, ନୃତ୍ୟ ତଥା ସଂଗୀତରେ ଅଧିକ ଅନୁଭବ କରାଯାଇପାରେ । ପରିବେଷଣ କଳା ହିଁ ରହସ୍ୟର ଉପସ୍ଥିତିକୁ ଭେଦିପାରେ "- ଏହା କହନ୍ତି ପୋଲାଣ୍ଡର ସାହିତ୍ୟ, ଚିତ୍ରକଳା, ନାଟକ, ଦାର୍ଶନିକ, ଫଟୋଗ୍ରାଫର, ଥିଓରିଷ୍ଟ, ଔପନ୍ୟାସିକ ତଥା ଅଭିନେତା ଷ୍ଟାନ୍ସଲ ଇଗ୍ନାସୀ । ପୋଲାଣ୍ଡର ୱାର୍ସା ସହରରେ ଜଣେ ଚିତ୍ରକର ପରିବାରରେ ଜନ୍ମିତ ଇଗ୍ନାସୀ ପୋଲାଣ୍ଡ ଥିଏଟର୍ରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲେ।
ଆଜି ସେହି ପୋଲାଣ୍ଡ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ପୋଲାଣ୍ଡ ଥିଏଟର୍ର ସାମ୍ପ୍ରତିକ ପରିସ୍ଥିତି ବିଷୟରେ । ଋଷ୍ - ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ସେଠାକାର ରଙ୍ଗମଞ୍ଚର ସ୍ଥିତି କ’ଣ ?
ଯଦି ଆପଣ ପୋଲାଣ୍ଡ୍ରେ ଅଛନ୍ତି, ପଲିସ୍ ଥିଏଟର୍ ଦେଖିବାକୁ ଇଚ୍ଛା କରିଛନ୍ତି କିନ୍ତୁ ଭାଷା ଜାଣିନାହାନ୍ତି; ତେବେ ପଲିସ୍ ଥିଏଟର୍ ଦେଖିବାକୁ ଯିବା ଆପଣଙ୍କ ସମୟର ଅପଚୟ ବୋଲି ଭାବି ପାରନ୍ତି । କିନ୍ତୁ ଏ କଥା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଯଦି ବିଶ୍ୱର କୌଣସି ରଙ୍ଗମଞ୍ଚ ଲୋଭନୀୟ ନାଟକ ପ୍ରସ୍ତୁତ୍ କରୁଥାଏ; ତାହା ବି ଭାଷାର ବାଧକରେ, ତେବେ ପଲିସ୍ ଥିଏଟର୍ର ନାମ ସର୍ବାଗ୍ରେ ଉଚ୍ଚାରଣ କରାଯିବ । ପଲିସ୍ ରଙ୍ଗମଞ୍ଚ ଭାଷା ଅତିରିକ୍ତ ଅନେକ ସଫଳ ନାଟକ ପରିବେଷଣ କରିଆସିଛି; ଯେଉଁଠି ନାଟକର ଭାଷା ବୁଝିବାକୁ ଭାଷା ଏକ ବାଧକ ରୂପେ ଠିଆ ହୋଇନାହିଁ ।
ବାସ୍ତବରେ କୁହାଯାଇଥାଏ କି ନାଟକର କୌଣସି ଭାଷା ନାହିଁ । ଏହି ଆପ୍ତବାକ୍ୟକୁ ଚରିତାର୍ଥ କରିଛି ପଲିସ୍ ରଙ୍ଗମଞ୍ଚ । ପଲିସ୍ ରଙ୍ଗମଞ୍ଚ ଅନେକ କ୍ଲାସିକାଲ୍ ନାଟକ ମଞ୍ଚାୟନ କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛି । ନିଜ ଦେଶ, ନିଜ ସାହିତ୍ୟ, ନିଜ ପ୍ରଥା, ଚଳଣୀ ତଥା ସଂସ୍କୃତିକୁ ପ୍ରତିପାଦନ କରିଛି ।
୧୬୩୨ ମସିହାରେ ପଲିସ୍ର ୱାର୍ସା ରାଜ୍ୟରେ ତତ୍କାଳୀନ ରାଜା କିଙ୍ଗ୍ ୱାଲାସ୍ଲାଙ୍କ ପୃଷ୍ଠପୋଷକତାରେ ପ୍ରତିଷ୍ଠା ହୋଇଥିଲା ୱାର୍ସା ଥିଏଟର୍ । ରାଜା ନିଜେ ଇଟାଲିଆନ୍ ଅପେରାର ଜଣେ ମୁଗ୍ଧ ପ୍ରଶଂସକ ଥିଲେ । ଯାହା ରାଜାଙ୍କ ଦରବାରରେ ପରିଚାଳିତ ହେଉଥିଲା ।
ପଲିସ୍ ରଙ୍ଗମଞ୍ଚର ସ୍ୱର୍ଣ୍ଣିମ ଯୁଗ ଆରମ୍ଭ ହୋଇଥିଲା ୧୭୬୫ ମସିହାରୁ । ତତ୍କାଳୀନ ରାଜା କିଙ୍ଗ୍ ଷ୍ଟେନ୍ସ୍ଲା ଅଗଷ୍ଟଙ୍କ ପୃଷ୍ଠପୋଷକତାରେ । ସେ ସାଧାରଣ ଜନତାଙ୍କ ପାଇଁ ୱାର୍ସାରେ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ । ପରେ ପରେ ୧୮୨୫ ମସିହାରେ ଦେଶର ପ୍ରଥମ ଅପେରା ହାଉସ୍ ପ୍ରତିଷ୍ଠା କରାଯାଇଥିଲା ।
ଏହି ୱାର୍ସା ଥିଏଟର୍ ସମ୍ପ୍ରତି ଋଷ୍ - ୟୁକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଆଗେଇ ଆସିଛି ମାନବୀୟ ସହାୟତା ପାଇଁ । ପୋଲାଣ୍ଡର ୩୦ ରାଜ୍ୟରୁ କଳାକାରମାନେ ଗତ ଶନିବାର ଅର୍ଥାତ୍ ୧୩, ମାର୍ଚ୍ଚରେ ଏକ ବୃହତ୍ ଶୋ’ର ଆୟୋଜନ କରିଛନ୍ତି । ଶୋ’ରୁ ଆଦାୟ ଅର୍ଥ ୟୁକ୍ରେନ୍ରେ ଯୁଦ୍ଧ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରାଯିବ ବୋଲି ୱାର୍ସା ଥିଏଟର୍ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।
ଆମେ ସାରା ପୋଲାଣ୍ଡ ଅଧବାସୀ ବିଶେଷକରି କଳାକାର ବର୍ଗ ଏକାଠି ଅଛୁ। ଏକାଠି ହୋଇଛୁ । ୟୁକ୍ରେନ୍ର ସାଧାରଣ ଜନତାଙ୍କ ସହାୟତା ପାଇଁ । ଦେଶର ଅନେକ ଥିଏଟର୍ ଗ୍ରୁପ୍ ନିଜ ନିଜର ସମସ୍ତ ଜମାପୁଞ୍ଜି ୟୁକ୍ରେନ୍ବାସୀଙ୍କ ସହାୟତା ପାଇଁ ଦାନ କରିଛନ୍ତି । ସମସ୍ତ କଳାକାର ଦେଶର ବିଭିନ୍ନ ପ୍ରାନ୍ତରେ ଶୋ’ର ଆୟୋଜନ କରୁଛନ୍ତି । ଆଦାୟ ଅର୍ଥ ଦାନ କରିଦିଆଯାଉଛି ମାନବୀୟ ସହାୟତା ଉଦ୍ଦେଶ୍ୟରେ । ଏଥିସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ କ୍ରାଉଡ୍ ଫଣ୍ଡିଂ ଜରିଆରେ ଅର୍ଥ ସଂଗୃହୀତ କରିବାର ଅଭିଯାନ ଜାରିରହିଛି ।
କେବଳ ସେତିକି ନୁହେଁ; ୟୁକ୍ରେନ୍ରୁ ସର୍ବାଧିକ ଅଧିବାସୀ ଶରଣାର୍ଥୀ ଭାବେ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ସେହି ଶରଣାର୍ଥୀଙ୍କ ଦୁଃଖକୁ ସାମୟିକ ଭାବେ ଲାଘବ କରିବା ପାଇଁ ଶରଣାର୍ଥୀ ଶିବିରରେ ନାଟକର ଆୟୋଜନ କରିଛି ୱାର୍ସା ଥିଏଟର । ୱାର୍ସା ଥିଏଟର୍ରେ କାର୍ଯ୍ୟରତ ଅନେକ ଅଭିନେତା ତଥା ଥିଏଟର୍ ହାଉସ୍ର ନିର୍ଦ୍ଦେଶକ ମୂଳତଃ ୟୁକ୍ରେନ୍ ବଂଶୋଦ୍ଭବ । ସେ ଦେଶର ଅଧିବାସୀଙ୍କ ଦୟନୀୟ ଅବସ୍ଥା ଆମକୁ ବ୍ୟଥିତ କରିଛି । ଏହା ଆମ ନିଜ ସହ ଘଟୁଥିବାର ଆମେ ଅନୁଭବ କରୁଛୁ ବୋଲି ସେମାନେ କହିଛନ୍ତି ।
ଆଗାମୀ ୨୩ ତାରିଖରେ ପୋଲାଣ୍ଡର ଅନେକ ଥିଏଟର୍ ହାଉସ୍ ଏକତ୍ରିତ ଭାବେ ଏକ ମେଗା ଶୋ’ର ଆୟୋଜନ କରିବାକୁ ସ୍ଥିର କରିଛନ୍ତି। ଏହି ଶୋ’ରୁ ଆଦାୟ ସମସ୍ତ ଅର୍ଥ ୟୁକ୍ରେନ୍ ଶରଣାର୍ଥୀଙ୍କ ସହାୟତା ପାଇଁ ଯୋଗାଇ ଦିଆଯିବ । ବ୍ରୁସ୍ ଜିୟାଇୟୋ, ପୋଲାଣ୍ଡର ପିଆନୋ ବାଦକ; ଯିଏ ଗତ ବର୍ଷ ୧୮ତମ ଅନ୍ତର୍ଜାତୀୟ ପିଆନୋ ଚାମ୍ପିୟନଶିପ ଜିତିଥିଲେ, ଗତ ସପ୍ତାହରେ ଦୁଇଟି ପିଆନୋ ଶୋ’ କରିଛନ୍ତି । ଶୋ’ରୁ ସଂଗୃହୀତ ସମସ୍ତ ଅର୍ଥ ୟୁକ୍ରେନ୍ର ଯୁଦ୍ଧ ପୀଡ଼ିତ ଜନତାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।
ପୋଲାଣ୍ଡର ସିନ୍ଫୋନିଆ ଭାର୍ସୋଭିନା, ଅନ୍ୟତମ ପ୍ରସିଦ୍ଧ ଥିଏଟର୍ ଗ୍ରୁପ୍ । ପ୍ରତିବର୍ଷ ପ୍ରଥା ଅନୁସାରେ ଅନୁଷ୍ଠାନର ଜନ୍ମ ବାର୍ଷିକୀ ପାଳନ କରାଯାଏ । ଚଳିତ ବର୍ଷ ମଧ୍ୟ ଏହି ଉତ୍ସବ ପାଇଁ ଶୋ’ର ଆୟୋଜନ କରାଯାଇଛି । ଏହି ଶୋ’ରୁ ଆଦାୟ ସମସ୍ତ ଅର୍ଥ ଯୁଦ୍ଧ ପୀଡ଼ିତ ଜନତାଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ ବୋଲି ଗ୍ରୁପ୍ର ପ୍ରମୁଖ ଜାନୁସ୍ଜ ମାରିନୋସ୍କି କହିଛନ୍ତି । ଏଇ ଦେଶର କେବଳ ରଙ୍ଗକର୍ମୀ ନୁହନ୍ତି, ସେଲିବ୍ରିଟି, ସିନେମା ଅଭିନେତା-ଅଭିନେତ୍ରୀ ଓ ଶୋ-ବିଜ୍ ଷ୍ଟାର୍ ମିଳିତ ଭାବେ ଏକ ଶୋଭାଯାତ୍ରା ଆୟୋଜନ କରି ଅର୍ଥ ସଂଗ୍ରହ କରିଛନ୍ତି ।