ରଣଜିତ ପଟ୍ଟନାୟକଙ୍କ ଦେହାନ୍ତ: ଓଡିଆ ନାଟକ ପାଇଁ ଆଉ ଏକ ଶୂନ୍ୟସ୍ଥାନ

ଓଡିଆ ନାଟକର ଆଉ ଏକ ପ୍ରଭାବଶାଳୀ ସ୍ଵର ଲିଭିଗଲେ । ଗତକାଲି ଓଡିଶାର ପ୍ରଖ୍ୟାତ ନାଟ୍ଯକାର, ଗାଳ୍ପିକ ଓ ଚଳଚ୍ଚିତ୍ର ବ୍ୟକ୍ତିତ୍ବ ରଣଜିତ ପଟ୍ଟନାୟକଙ୍କ ଦେହାବସାନ ଘଟିଛି । ତାଙ୍କ ପ୍ରତି ଆମର ବିନମ୍ର ଶ୍ରଦ୍ଧାଞ୍ଜଳି ।


ଫଟୋ - ଫେସବୁକ୍

ଦୀର୍ଘ ବର୍ଷ ଧରି ସମ୍ବଲପୁର ଏବଂ କଟକ, ଏ ଦୁଇ ସହରର ଚର୍ଚ୍ଚିତ "ନାଟୁଆ" ଭାବରେ ସେ ଥିଲେ ବେଶ ପରିଚିତ । ଗତ ତିରିଶ ବର୍ଷର ଓଡିଆ ନାଟକ ଓ ସିନେମା ସହିତ ତାଙ୍କର ସମ୍ପୃକ୍ତି ଥିଲା ବେଶ ନିବିଡ । ଗଙ୍ଗାଧର ମେହେର କଲେଜରେ ପଢୁଥିବା ସମୟରୁ ଅଭିନେତା ଭାବେ ନିଜ ନାଟ୍ୟ ଜୀବନ ଆରମ୍ଭ କରିଥିବା ସେ ତରୁଣ ନାୟକ ପରବର୍ତ୍ତୀ ସମୟରେ ଓଡିଆ ନାଟକରେ ପରିଚିତ ହୋଇଥିଲେ ରଣଜିତ ପଟ୍ଟନାୟକ ନାମରେ । ଗୋପାଳ ଛୋଟରାୟ, ମନୋରଞ୍ଜନ ଦାସ, ବିଜୟ ମିଶ୍ର, ରମେଶ ପାଣିଗ୍ରାହୀ ପ୍ରମୁଖଙ୍କ ପରବର୍ତ୍ତୀ ପିଢିର ନାଟ୍ୟକାର ଭାବରେ ସେ ଥିଲେ ବେଶ୍ ପ୍ରଭାବଶାଳୀ ଓ ଚର୍ଚ୍ଚିତ । ନିଜ ନାଟକ ମାଧ୍ୟମରେ ପ୍ରଚଣ୍ଡ ସାମାଜିକ ଓ ରାଜନୈତିକ ସମାଲୋଚନାର ସ୍ଵର ନିର୍ମାଣ କରିଥିବା ରଣଜିତ ପଟ୍ଟନାୟକଙ୍କୁ ବୋଧେ ଏଯାଏ ଓଡିଆ ସାହିତ୍ୟରେ ଯଥାର୍ଥ ସ୍ଥାନ ମିଳିନଥିଲା । ମାତ୍ର ୬୫ ବର୍ଷ ବୟସରେ ସିନେମା କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖକ, ଅଭିନେତା ତଥା ପ୍ରତିଭାବାନ ନାଟ୍ୟକାର ରଣଜିତ ପଟ୍ଟନାୟକଙ୍କର ଗତକାଲି ପରଲୋକ ଘଟିଛି ।

୧୦ ମାର୍ଚ୍ଚ, ୧୯୫୭ରେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିବା ରଣଜିତ ପଟ୍ଟନାୟକ ବୃତ୍ତିରେ ବ୍ୟାଙ୍କର ହୋଇଥିଲେ ହେଁ ପ୍ରବୃତ୍ତିରେ ଥିଲେ କଳାକାର । ଛାତ୍ର ଜୀବନରୁ ମଞ୍ଚ ନାଟକରେ ସେ ଅଭିନେତା ଓ ନିର୍ଦ୍ଦେଶକ ଭାବେ ନିଜର କଳାକାର ଜୀବନ ଆରମ୍ଭ କରିଥିଲେ । ତାଙ୍କ ରଚିତ ନାଟକଗୁଡିକ ମଧ୍ୟରେ "ଚଉକି", "ଗୁଣିଆ ଝାଡେ ଲୋ ଡାହାଣୀ", "ଟିଟୋ", "ଗୋଇଠାବାବା", "ମନ ତୋହର ନିଜ ଗୁରୁ", "ଗାଁ", "ବଧିର ଈଶ୍ଵର", "ଇଚ୍ଛା ବନାମ ପଦ୍ମନାଭ" ଓ ଆହୁରି ଅନେକ ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ୨୦୦୨ ମସିହାରେ "ଗାଁ" ନାଟକ ପାଇଁ ତାଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ନାଟକରେ ରାଜନୈତିକ ବ୍ୟଙ୍ଗ ଓ ସମକାଳୀନ ସମାଜକୁ ତୀର୍ଯ୍ଯକ ଦୃଷ୍ଟିରେ ଦେଖିବାର ସାହସ ରହିଥିଲା । ରଣଜିତ ପଟ୍ଟନାୟକ ଅଳ୍ପ କିଛି ଓଡିଆ ଗପ ମଧ୍ୟ ଲେଖିଥିଲେ । ସେଇ ଅଳ୍ପ ଗଳ୍ପରେ ତାଙ୍କର ସ୍ଵାକ୍ଷର କିନ୍ତୁ ବେଶ ପ୍ରଭାବଶାଳୀ ।

ଗତ କିଛି ବର୍ଷ ଧରି ସେ ଓଡିଆ ସିନେମାରେ ମଧ୍ୟ ସକ୍ରିୟ ଭୂମିକା ତୁଲାଇ ଆସୁଥିଲେ । ବ୍ୟାବସାୟିକ ସଫଳତା ହାସଲ କରିଥିବା ଅନେକ ଓଡିଆ ସିନେମାର ସେ ଥିଲେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖକ । ଓଡିଶାର ଏହି ମହାନ ନାଟ୍ୟକାର ଓ କଳାକାରଙ୍କ ପ୍ରତି ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।

Report an Error