ଅନ୍ଧ ବାଟ ଦେଖାଉଛି ଅନ୍ଧଙ୍କୁ

ଜଣେ ଅନ୍ଧ ଅନ୍ୟ ଏକ ଅନ୍ଧକୁ ବାଟ କଢେଇନେବା କଥାଟି ଏକ ଇଡିୟମ୍ ଓ ମେଟାଫର୍ ଭାବରେ ଅନେକତ୍ର ବ୍ୟବହୃତ । ମୂର୍ଖ ପାଖରୁ ଜ୍ଞାନଲାଭ ଆଶାରେ ଗଲେ କେବଳ ମୂର୍ଖତାପୂର୍ଣ୍ଣ ଜ୍ଞାନ ହିଁ ପ୍ରାପ୍ତ ହେବ । ଅନ୍ଧ ଅନ୍ଧକୁ ବାଟ ଦେଖାଇବା ଇଡିୟମ୍ ଆମ ଉପନିଷଦ ଓ ବୌଦ୍ଧ ଦର୍ଶନରେ ମଧ୍ୟ ରହିଛି ।


ଫଟୋ - ୱିକିପିଡିଆ

ନେଦରଲ୍ୟାଣ୍ଡର ଚିତ୍ରଶିଳ୍ପୀ ପିଟର ବ୍ରଏଗଲ୍ ଏଇ ଚମତ୍କାର ଛବିଟି ଆଙ୍କିଥିଲେ ୧୫୬୮ ମସିହାରେ । ଛବିର ଶୀର୍ଷକ ହେଲା ‘ଦି ବ୍ଲାଇଣ୍ଡ ଲିଡିଙ୍ଗ ଦି ବ୍ଲାଇଣ୍ଡ’, ମାନେ ଅନ୍ଧ ବାଟ ଦେଖାଉଛି ଅନ୍ଧକୁ । ଛବିରେ ଛଅଜଣ ଅନ୍ଧ ଓ ଦିବ୍ୟାଙ୍ଗ ମଣିଷ ପଛକୁ ପଛ ଧରାଧରି ହେଇ ରାସ୍ତା ପାରହେଉଛନ୍ତି । ସେମାନଙ୍କର ଗୋଟେପଟରେ ଅଛି ନଈ ଆଉ ଅନ୍ୟପଟରେ ଅଛି ଗୋଟେ ଗାଁ ଓ ଗୋଟେ ଚର୍ଚ୍ଚ । ଆଗରେ ଚାଲୁଥିବା ଓ ଅନ୍ୟ ଅନ୍ଧମଣିଷମାନଙ୍କୁ ବାଟ କଢେଇ ନେଉଥିବା ଅନ୍ଧମଣିଷଟି ଏବେ ଗୋଟେ ଖାଇରେ ପଡିସାରିଛି । ଏବେ ତାକୁ ଅନୁସରଣ କରୁଥିବା ଅନ୍ଧମାନଙ୍କର ଅବସ୍ଥା ବୁଝାଯାଇପାରେ । ପ୍ରଥମ ଜଣକ ପଡିସାରିଲା ପରେ ଅନ୍ୟମାନେ ଭୂପତିତ ହେବାର ମୁହୂର୍ତ୍ତକୁ ହିଁ ଶିଳ୍ପୀ ଆଙ୍କିଛନ୍ତି । ବ୍ରଏଗଲ୍ ଏ ଛବିର ଧାରଣା ବାଇବେଲର ନ୍ୟୁ ଟେଷ୍ଟାମେଣ୍ଟରୁ ଆଣିଥିଲେ । ନିଜ ମୃତ୍ୟୁର ମାତ୍ର ଗୋଟେ ବର୍ଷ ଆଗରୁ ସେ ଏଇ ଛବିଟି ୧୫୬୭ରେ ତାଙ୍କ ଦେଶରେ ଘଟିଥିବା ରାଜନୈତିକ ପରିସ୍ଥିତିକୁ ହୁଏତ କଟାକ୍ଷ କରି ଆଙ୍କିଥିଲେ ।

୧୬୧୧ ମସିହାରେ ଇଟାଲୀୟ କାଉଣ୍ଟ Giovan Battista Masi ତତ୍କାଳୀନ ଡ୍ୟୁକଙ୍କ ବିରୁଦ୍ଧରେ ଷଡଯନ୍ତ୍ର ରଚନା କରିଥିଲେ । ଷଡଯନ୍ତ୍ର ଧରାପଡିଲା ପରେ ସହରର ଛକରେ ମାସି ଓ ତାଙ୍କ ସହ ଥିବା ଅନ୍ୟ ଛଅଜଣଙ୍କ ମୁଣ୍ଡ କାଟ ହେଇଥିଲା । ସରକାରୀ ଅଧିକାରୀମାନେ ତାପରେ ଯେତେବେଳେ ମାସିଙ୍କ ସଂପତ୍ତି ବ୍ୟାଜାପ୍ତି କରିବାକୁ ପହଂଚିଲେ ସେତେବେଳେ ତାଙ୍କ ଘରେ ଏକ ଛବି ପାଇଲେ । ସେଇ ଛବିଟି ଥିଲା ବ୍ରଏଗଲ୍ ଙ୍କ 'ଦି ବ୍ଲାଇଣ୍ଡ ଲିଡିଙ୍ଗ ଦି ବ୍ଲାଇଣ୍ଡ' । ଛବିଟି ନେଦରଲ୍ୟାଣ୍ଡରୁ ବହୁଆଗରୁ ଇଟାଲୀ ଯାଇସାରିଥିଲା । କେମିତି ଯାଇଥିଲା ତା'ର କିଛି ନିର୍ଦ୍ଧିଷ୍ଟ କାରଣ ଜଣା ପଡେନି । ତଥାପି ତଥ୍ୟ ଅନୁସାରେ Giovan Battista Masiଙ୍କ ବାପା Cosimo ୧୫୯୫ରେ ନେଦରଲ୍ୟାଣ୍ଡରୁ ଫେରିଲାବେଳକୁ ଅନେକ ଗୁଡେ ଛବି ସାଙ୍ଗରେ ନେଇଯାଇଥିଲେ ।

‘ଦି ବ୍ଲାଇଣ୍ଡ ଲିଡିଙ୍ଗ ଦି ବ୍ଲାଇଣ୍ଡ’ ଛବିର ଆକାର ହେଉଛି ୩୪ ଇଞ୍ଚ ଗୁଣନ ୬୧ ଇଂଚ । ଲିନେନ୍ କ୍ୟାନଭାସ୍ ଉପରେ ବ୍ରଏଗଲ୍ ପଞ୍ଚଦଶ ଶତାବ୍ଦୀରେ ବ୍ୟବହାର ହେଇଥିବା ଡିସ୍ଟେମ୍ପରରେ ଆଙ୍କିଥିଲେ । ଏହା ରଙ୍ଗ ପ୍ରୟୋଗର ଏକ ବିଶେଷ କୌଶଳ, ଯାହାକୁ ସେତେବେଳର ନେଦରଲ୍ୟାଣ୍ଡର ଚିତ୍ରଶିଳ୍ପୀମାନେ ପ୍ରୟୋଗ କରୁଥିଲେ । ତୈଳରଙ୍ଗଠାରୁ ଶସ୍ତା ପଡୁଥିବାରୁ ଅନେକ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରୁଥିଲେ । ସେଇ କାରଣରୁ ହିଁ ସେ ସମୟର ଅନେକ ଛବି ନଷ୍ଟ ହେଇସାରିଛି । ଭଲରେ ରକ୍ଷଣାବେକ୍ଷଣା ଯୋଗୁଁ କିଛି ଅବଶ୍ୟ ବଞ୍ଚିରହିଛି । ସେଥିରୁ ପିଟର୍ ବ୍ରଏଗଲ୍ ଙ୍କ ‘ଦି ବ୍ଲାଇଣ୍ଡ ଲିଡିଙ୍ଗ ଦି ବ୍ଲାଇଣ୍ଡ’ ଅନ୍ୟତମ ।

ଛବିରେ ଥିବା ଛଅଜଣ ଅନ୍ଧଲୋକ ସମାନ କାରଣରୁ ଅନ୍ଧ ନୁହଁନ୍ତି । ଜଣେ କର୍ନିୟାଲ୍ ଲ୍ୟୁକୋମା ତ ଆଉ ଜଣଙ୍କର ଆଖି ଯାଗାରେ କେବଳ କୋରଡ । ଆଉ କିଏ ଆଉ କିଛି କାରଣରୁ ଅନ୍ଧ । ଆଗରୁ ଛବିରେ ଅନ୍ଧଲୋକକୁ ଆଙ୍କିଲାବେଳେ ତା'ର ଆଖିକୁ ସାଧାରଣତଃ ବନ୍ଦ କରି ଅଙ୍କା ଯାଉଥିଲା । କିନ୍ତୁ ଏଠି ବ୍ରଏଗଲ୍ ଅନ୍ଧଲୋକଙ୍କୁ ସେମାନଙ୍କ ଅନ୍ଧତ୍ୱର କାରଣ ସହ ଉପସ୍ଥାପନ କରିଛନ୍ତି । ବ୍ରଏଗଲ୍ ତାଙ୍କ ଛବିରେ ଅନେକ ଟିକିନିଖି କଥାକୁ ଗୁରୁତ୍ୱ ଦେଇଥା'ନ୍ତି । ଏଠାରେ ମଧ୍ୟ ସେଇକଥା କରିଛନ୍ତି । ଧାଡି ବାନ୍ଧି ବାଟ ଚାଲୁଥିବା ଅନ୍ଧମାନଙ୍କ ପଛରେ ଅଛି ଗୋଟେ ଚର୍ଚ୍ଚ । ପରେ ସେ ଚର୍ଚ୍ଚଟି ଯେଉଁ ଗାଁରେ ଅଛି ତାହା ଜଣାପଡିଥିଲା । ବ୍ରଏଗଲ୍ ଙ୍କ ଅନେକ ମୂଳ ଛବିକୁ ତାଙ୍କ ପୁଅ ବ୍ରଏଗଲ୍ ଜୁନିୟର୍ ପରେ କପି କରିଥିଲେ । ‘ଦି ବ୍ଲାଇଣ୍ଡ ଲିଡିଙ୍ଗ ଦି ବ୍ଲାଇଣ୍ଡ’ ଛବିରେ ଦିଶୁନଥିବା କିଛି ଅଂଶ ବ୍ରଏଗଲ୍ ଜୁନିୟରଙ୍କ କପି କାମରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ । ଯେମିତି ଚର୍ଚ୍ଚ ଆଗରେ ଜଣେ ମଣିଷ ଓ ଗୋଟେ ଗାଈ ଯାହାକି ମୂଳ ଛବିରେ କ୍ରମେ ଲିଭି ଆସିଲାଣି, ପ୍ରାୟତଃ ଆଉ ଦେଖାଯାଉନି । କପି କାମଟିକୁ ମୂଳ କାମଠାରୁ ଟିକେ ବଡ କରି ଆଙ୍କିଥିଲେ ବ୍ରଏଗଲ୍ ଜୁନିୟର୍ । ଛବିରେ ଅଙ୍କାଯାଇଥିବା ଚର୍ଚ୍ଚ ବୋଧହୁଏ କଳା ଇତିହାସରେ ସବୁଠୁ ଅଧିକା ଆଲୋଚନା ହେଇଥିବା ଚର୍ଚ୍ଚ । ଛବିରେ ତା'ର ଅବସ୍ଥିତି ଓ ତା'ର କାରଣ ଏବଂ ବାସ୍ତବରେ ତା'ର ଅବସ୍ଥିତିକୁ ନେଇ ବେଶ୍ ରୋଚକ ଆଲୋଚନା ଓ ଗବେଷଣା ହେଇଛି । ଛବିରେ ଥିବା ସେଣ୍ଟ ଆନା ଚର୍ଚ୍ଚଟି ଏବେ ଆଧୁନିକ ବେଲଜିୟମ୍ ର Dilbeekଠାରେ ଅଛି ।

ଛବିରେ ଥିବା ଅନ୍ଧମାନଙ୍କର ଧାଡ଼ିର ଆଗ ଲୋକଟି ତଳେ ପଡ଼ିଗଲା ପରେ ଧାଡ଼ି ଭାଙ୍ଗି ଯାଇଛି । ଆଗ ଦୁଇ ଲୋକ ପଛ ଚାରି ଲୋକଙ୍କଠାରୁ ଅଲଗା ହୋଇଯାଇଛନ୍ତି । ସେଇ ଫାଙ୍କରେ ଦିଶୁଛି ଚର୍ଚ୍ଚ । ଅଲଗା ହେଇ ଯାଇଥିଲେ ମଧ୍ୟ ପରସ୍ପର ଭିତରେ ଥିବା ସଂଯୋଗ କିନ୍ତୁ ବିଚ୍ଛିନ୍ନ ହେଇନି । ଦ୍ୱିତୀୟ ଲୋକ ବାମ ହାତରେ ଧରିଥିବା କାଠ ବାଡ଼ିକୁ ତୃତୀୟ ଲୋକ ତା' ବାମ ହାତରେ ଜାବୁଡ଼ି ଧରିଛି । ତୃତୀୟ ଲୋକର ଡାହାଣ କାନ୍ଧରେ ବାମ ହାତ ରଖିଛି ଚତୁର୍ଥ ଲୋକ । ଚତୁର୍ଥ ଲୋକର ଡାହାଣ କାନ୍ଧ ଉପରେ ଆପଣା ବାମ ହାତ ରଖିଛି ପଞ୍ଚମ ଲୋକ । ପଞ୍ଚମ ଓ ଷଷ୍ଠ ଲୋକ ପରସ୍ପରଙ୍କୁ ଗୋଟେ ବାଡ଼ି ଦ୍ୱାରା ସଂଯୁକ୍ତ କରିଛନ୍ତି । ଛଅଜଣ ଲୋକଙ୍କ ପାଖରେ ପାଞ୍ଚଟି କାଠ ବାଡ଼ି ବା ଠେଙ୍ଗା ଅଛି ।

ବ୍ରଏଗଲ୍ ପ୍ରଥମ କରି ଏପରି ଅନ୍ଧଲୋକଙ୍କ ଇଡିୟମ୍ ବ୍ୟବହାର କରିଛନ୍ତି ସେପରି ନୁହେଁ । ଅନ୍ଧମାନେ ଧରାଧରି ହେଇଯିବାର ଦୃଶ୍ୟ, ବ୍ରଏଗଲ୍ ତାଙ୍କର ଅନ୍ୟ ପୁରୁଣା ଛବିରେ ମଧ୍ୟ ଆଗରୁ ଆଙ୍କିଛନ୍ତି । ତେବେ ୧୫୫୦ର ଏକ ପୁରୁଣା ଏନଗ୍ରାଭିଙ୍ଗରେ ଚାରିଜଣ ଅନ୍ଧ ବାଟ ଚାଲୁଥିବା ଓ ବାଟ କଢଉଥିବା ଅନ୍ଧଲୋକଟି ପଡ଼ିଯିବାର ଚିତ୍ର ରହିଛି । ସେଥିରେ ପ୍ରଥମ ଲୋକଟି ତଳେ ପଡ଼ିସାରିଛି ଓ ତାକୁ ଅନୁସରଣ କରୁଥିବା ଅନ୍ୟମାନେ ପଡ଼ିବେ ପଡ଼ିବେ ଅବସ୍ଥାରେ ରହିଛନ୍ତି । ହୁଏତ ବ୍ରଏଗଲ୍ ଏଇ ଏନଗ୍ରାଭିଙ୍ଗ ଦେଖିଥାଇପାରନ୍ତି ଓ ସେଇଠୁ ଧାରଣାଟିକୁ ନେଇଥାଇପାରନ୍ତି ।

ଷୋଡ଼ଶ ଶତାବ୍ଦୀର ୟୁରୋପରେ ଅନ୍ଧତ୍ୱରେ ଅନେକ ଲୋକ ଶିକାର ହେଉଥିଲେ । ବିଭିନ୍ନ ପ୍ରକାରର ଚକ୍ଷୁ ରୋଗରେ ଲୋକେ ଦୃଷ୍ଟିଶକ୍ତି ହରାଉଥିଲେ । ତାପରେ ଅପରାଧୀମାନଙ୍କୁ ମଧ୍ୟ ସେ ସମୟରେ ଦଣ୍ଡ ଭାବରେ ଚକ୍ଷୁହୀନ କରାଯାଉଥିଲା । ଅନ୍ଧଲୋକମାନେ କାମ ଧନ୍ଦା କରିନପାରି ପ୍ରାୟତଃ ଭିକ୍ଷାବୃତ୍ତି କରୁଥିଲେ ଓ ଛୋଟ ଛୋଟ ଅପରାଧ ବି କରୁଥିଲେ । ସ୍ଥାନୀୟ ଲୋକବିଶ୍ୱାସରେ ଅନ୍ଧ ହେବାକୁ ଖରାପ କର୍ମଫଳର ପରିଣାମ ଭାବରେ ଗ୍ରହଣ କରାଯାଉଥିଲା । ତେଣୁ ସେଇ କାରଣରୁ ସେ ସମୟରେ ଅନ୍ଧମାନଙ୍କ ପ୍ରତି ସେତେଟା ଅନୁକମ୍ପା ନଥିଲା । ଏଠି ଚିତ୍ରରେ ସ୍ଥାନ ପାଇଥିବା ଅନ୍ଧମାନେ ବେଶଭୂଷାରୁ ସେଇ ଭିକାରୀ ପରି ମନେହେଉଛନ୍ତି ଓ କୌଣସି ଏକ ସ୍ଥାନକୁ ଯାଉଥିବା ପରି ଲାଗୁଛନ୍ତି । ଅନ୍ଧମାନେ ପରସ୍ପରକୁ ଧରି ରଖିବାକୁ ହାତରେ କାଠର ବାଡି ଧରିଛନ୍ତି । ହାତରେ ପାରମ୍ପରିକ ବାଦ୍ୟଯନ୍ତ୍ର ବି ରହିଛି । ସେ ସମୟରେ ସାଧାରଣତଃ ଭିକାରୀମାନେ ଏପରି ବାଦ୍ୟଯନ୍ତ୍ରକୁ ଧରିଥା'ନ୍ତି । କୁଆଡେ ଯାଉଛନ୍ତି ସେମାନେ ? ନିଜ ନିଜର ଭଲ ପୋଷାକପତ୍ର ପିନ୍ଧି ଅନ୍ଧମାନେ ତୀର୍ଥଯାତ୍ରାରେ ବାହାରିଛନ୍ତି କି ? ଲାଗୁଛି ସେ ସ୍ଥାନଟି ସେମାନଙ୍କ ପାଇଁ ନୂଆ । ଖାତରେ ପଡ଼ିଯିବା କାରଣରୁ ଲାଗୁଛି ଏଇ ରାସ୍ତା ସାଙ୍ଗରେ ସେମାନେ ଆଦୌ ଅଭ୍ୟସ୍ତ ନୁହଁନ୍ତି । ଛବିଟିକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମାଲୋଚକ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରିଛନ୍ତି । ପିଟର୍ ବ୍ରଏଗଲ୍ ଏକ ସାଧାରଣ ଲୋକକଥାରେ ପ୍ରଚଳିତ ବାକ୍ୟକୁ ନେଇ ଛବି କରିଛନ୍ତି ନା ତା' ପଛରେ ଆହୁରି କିଛି ଗୂଢ଼ କଥା ଓ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଦର୍ଶନ ରହିଛି ? ସେ ସତ ସତିକା ଆଖି ନଥିବା ଅନ୍ଧ କଥା କହିଛନ୍ତି ନା ଆଧ୍ୟାତ୍ମିକ ଭାବରେ ଈଶ୍ୱରଙ୍କ କୃପାରହିତ ଆଖି ଥାଇ ଅନ୍ଧମାନଙ୍କ କଥା କହିଛନ୍ତି ? ଆଖି ଥାଇ ଅନ୍ଧ ସେବେବି ଥିଲେ ଓ ଏବେବି ଅଛନ୍ତି । ଏଠି ଛବିରେ ଅନ୍ଧଲୋକମାନଙ୍କ ଠିକ୍ ପଛରେ ରହିଛି ଗୋଟେ ଚର୍ଚ୍ଚ । ନା ଚର୍ଚ୍ଚର କିଛି ବି ଗୁରୁତ୍ୱ ନାହିଁ । ପିଟର୍ ବ୍ରଏଗଲ୍ ଙ୍କ ଅନ୍ୟ ଛବିରେ ବି ଚର୍ଚ୍ଚ ରହିବା ପରି ଏଠାରେ ବି ଅଛି କି ? ଲୋକମାନଙ୍କୁ ଧର୍ମର ରାସ୍ତା ଦେଖାଉଥିବା ଚର୍ଚ୍ଚ କ'ଣ କମି ଅନ୍ଧ କି ? ସେସମୟରେ ଦେଶର ରାଜନୈତିକ ଅବସ୍ଥା ଭଲ ନଥିଲା । ସ୍ପେନୀୟ ଉପନିବେଶବାଦର ଶିକାର ହେଇଥିଲେ ଦେଶର ଲୋକେ । ଅନ୍ୟାୟ ଅତ୍ୟାଚାର ଚରମ ସୀମାରେ ଥିଲା । ହୁଏତ ବ୍ରଏଗଲ୍ ତାଙ୍କ ସମୟର ରାଜନୈତିକ ଅବସ୍ଥାକୁ ଦର୍ଶାଇବାକୁ ଏହି ଛବିରେ କିଛି ସୂତ୍ର ଛାଡିଯାଇଛନ୍ତି କି ?

ଜଣେ ଅନ୍ଧ ଅନ୍ୟ ଏକ ଅନ୍ଧକୁ ବାଟ କଢେଇନେବା କଥାଟି ଏକ ଇଡିୟମ୍ ଓ ମେଟାଫର୍ ଭାବରେ ଅନେକତ୍ର ବ୍ୟବହୃତ । ମୂର୍ଖ ପାଖରୁ ଜ୍ଞାନଲାଭ ଆଶାରେ ଗଲେ କେବଳ ମୂର୍ଖତାପୂର୍ଣ୍ଣ ଜ୍ଞାନ ହିଁ ପ୍ରାପ୍ତ ହେବ । ଅନ୍ଧ ଅନ୍ଧକୁ ବାଟ ଦେଖାଇବା ଇଡିୟମ୍ ଆମ 'କଠ ଉପନିଷଦ'ରେ ରହିଛି, ବୌଦ୍ଧ ଦର୍ଶନରେ ମଧ୍ୟ ରହିଛି । ଆଧୁନିକ ସମୟରେ ମଧ୍ୟ ଏଇ ବହୁପ୍ରଚଳିତ ଇଡିୟମ୍ କୁ ନେଇ ଅନେକ ସାହିତ୍ୟ ଓ ଚିତ୍ର ରଚନା ହେଇଛି । ବର୍ତ୍ତମାନର ସମୟକୁ ଠିକରେ ବୁଝିବାକୁ ଏହାଠାରୁ ଅଧିକ କିଛି ଭଲ ଉଦାହରଣ ଆଉ କିଛି ଅଛି କି ? ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରଏଗଲ୍ ଙ୍କ ଛବିର ପ୍ରାସଙ୍ଗିକତା ରହିଛି ।

Gert Hofmann ନାମକ ଜଣେ ଜର୍ମାନ ଲେଖକ ୧୯୮୫ରେ ଏକ ଉପନ୍ୟାସ ପ୍ରକାଶ କରିଥିଲେ । ତା'ର ଇଂରାଜୀ ଅନୁବାଦ 'The Parable of the Blind' ନାମରେ ୧୯୮୯ରେ ପ୍ରକାଶିତ ହେଇଥିଲା । ଦଶ ଅଧ୍ୟାୟ ବିଶିଷ୍ଟ ଏହି ଛୋଟିଆ ଉପନ୍ୟାସର କାହାଣୀଟି ବଡ ଚମତ୍କାର । ଘଟଣାଟି ହେଲା, ଥରେ ଜଣେ ଚିତ୍ରଶିଳ୍ପୀ ତା'ର ଛବି ଅଙ୍କା ପାଇଁ ଛଅଜଣ ଅନ୍ଧଲୋକଙ୍କୁ ଭଡ଼ାରେ ଡକେଇଲା । ବାଟରେ ତାଙ୍କୁ କୋଉଠି କୁକୁର ଗୋଡେଇଲାଣି ତ କୋଉଠି ପାଣିରେ ବେକ ଯାଏଁ ସେମାନେ ପଶିଗଲେଣି, ପୁଣି କୋଉଠି ବାଟ ଭୁଲି ଅନ୍ୟ ଆଡ଼େ ପଳେଇଲେଣି । ସେମାନେ ବଡ଼ କଷ୍ଟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଇ ଶେଷରେ ଚିତ୍ରଶିଳ୍ପୀର ଘରେ ପହଞ୍ଚିଲେ । ତାପରେ ତାଙ୍କୁ ଖାଇବାକୁ ମିଳିଛି ଓ ଗୋଟେ ପୋଲ ପାଖକୁ ନିଆଯାଇଛି । କୁହାଯାଇଛି ସେମାନଙ୍କୁ ଧାଡ଼ି ବାନ୍ଧି ପରସ୍ପରକୁ ଧରି ସେ ପୋଲ ଉପରେ ବାର ବାର ଚାଲିବାକୁ । ଚାଲୁ ଚାଲୁ ସେମାନେ ତଳକୁ ଖସି ପଡିଛନ୍ତି । ଘଟଣାଟିକୁ ଚିତ୍ରଶିଳ୍ପୀ ତାଙ୍କ ଷ୍ଟୁଡିଓରେ ରହି ଝରକା ଭିତରୁ ଦେଖୁଛନ୍ତି ଓ ଚିତ୍ର ଆଙ୍କୁଛନ୍ତି । ଉପନ୍ୟାସରେ ଚିତ୍ରଶିଳ୍ପୀଙ୍କର ନାମର ଉଲ୍ଲେଖ କିନ୍ତୁ ନାହିଁ ।

Report an Error