ପଲ୍ ଗଗାଁ - ୧

୧୮୭୯ରେ ଚତୁର୍ଥ ଇମ୍ପ୍ରେସନିଷ୍ଟ ପ୍ରଦର୍ଶନୀ ଆରମ୍ଭ ହେଲା । ଗଗାଁଙ୍କୁ ଜଣେ ଚିତ୍ରଶିଳ୍ପୀ ଭାବରେ ସେଥିରେ ଯୋଗ ଦେବାକୁ ଆମନ୍ତ୍ରଣ ମିଳିଲା । ତଥାପି ସେତେବେଳର ପ୍ରତିଷ୍ଠିତ ଚିତ୍ରଶିଳ୍ପୀମାନେ କୌଣସି କଳାବିଦ୍ୟାଳୟରେ ବିଧିବଦ୍ଧ କଳାଶିକ୍ଷା କରିନଥିବା ଗଗାଁଙ୍କୁ ତଳିଆ କରି ଦେଖୁଥା'ନ୍ତି ।


ଫଟୋ - ୱିକିମିଡିଆ କମନ୍ସ

ପଲ୍ ଗଗାଁଙ୍କୁ ଅନେକ ଜାଣନ୍ତି । ବିଶ୍ୱ କଳା ଇତିହାସରେ ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟା ଓ କଳାକୃତି ପାଇଁ ଭିନସେଣ୍ଟ ଭ୍ୟାନଗୋଗଙ୍କ ପରେ ସବୁଠାରୁ ଅଧିକ ଚର୍ଚ୍ଚିତ ଶିଳ୍ପୀ ହେଉଛନ୍ତି ପଲ୍ ଗଗାଁ ।

କଳାର ରାଜଧାନୀ ପ୍ୟାରିସ୍ । କଳାକାରଙ୍କ ପାଇଁ ସ୍ୱର୍ଗ ସେଇ ପ୍ୟାରିସ୍ । କଳା ଇତିହାସର ଅନେକ ରଂଗୀନ୍ ଫର୍ଦ୍ଦ ଲେଖାଯାଇଥିବା ନଗରୀ ପ୍ୟାରିସ୍ । ସେହି ସହରରେ ୧୮୪୮ ମସିହା ଜୁନ୍ ମାସ ସାତ ତାରିଖରେ ଜଣେ ସାମ୍ବାଦିକଙ୍କ ଘରେ ପୁଅଟିଏ ଜନ୍ମ ନିଏ । ପିଲାଟିର ନାଁ ଦିଆଗଲା ପଲ୍ ଗଗାଁ । ଗଗାଁଙ୍କ ବାପା କ୍ଲୋଭିସ୍ ସେତେବେଳେ ଜଣେ ସତ୍ୟନିଷ୍ଠ ନିର୍ଭୀକ ସାମ୍ବାଦିକ ଭାବରେ ବେଶ୍ ଜଣାଶୁଣା । ଗଗାଁଙ୍କ ଆଈ ଥିଲେ ପେରୁର ବାମାବାଦୀ ଆନ୍ଦୋଳନର ବିଖ୍ୟାତ ନାରୀନେତ୍ରୀ ଫ୍ଲୋରା ତିଷ୍ଟାଁ । ଗଗାଁ ଉତ୍ତରାଧୀକାର ସୂତ୍ରରେ ବାପା ଓ ମା’ ଉଭୟ ପକ୍ଷରୁ ପାଇଥିଲେ ନିର୍ଭୀକତା ଓ ସାହସିକତାର ରକ୍ତ । ଗଗାଁ ଜନ୍ମବେଳକୁ ଫ୍ରାନ୍ସର ରାଜନୈତିକ ଆକାଶ ଧୂଆଁଳିଆ ଥିଲା । ତାଙ୍କ ଜନ୍ମର ଠିକ୍ ପାଞ୍ଚ ମାସ ପରେ ଲୁଇସ୍ ନେପୋଲିୟନ୍ ଫ୍ରାନ୍ସର କ୍ଷମତା ଗ୍ରହଣ କଲେ । ଫଳରେ ତାଙ୍କର ରାଜନୈତିକ ମତବାଦକୁ ବିରୋଧ କରୁଥିବା ଗଗାଁଙ୍କ ବାପା କ୍ଲୋଭିସଙ୍କୁ ଫ୍ରାନ୍ସ ଛାଡି ଶ୍ୱଶୁରଘର ପେରୁ ଚାଲିଯିବାକୁ ପଡିଲା । ୧୮୪୯ ମସିହାର କଥା । କ୍ଲୋଭିସ୍ ପେରୁରେ ପହଂଚିପାରିଲେନି । ପେରୁ ଯିବା ବାଟରେ ହିଁ ତାଙ୍କର ହୃଦଘାତ ହେଲା । କ୍ଲୋଭିସ୍, ପତ୍ନୀ ଆଲିନଙ୍କ ପାଖରେ ଛାଡିଗଲେ ପୁଅ ଗଗାଁ ଓ ଗଗାଁଙ୍କଠାରୁ ଦୁଇବର୍ଷ ବଡ଼ ଝିଅ ମରୀକୁ । ଆଲିନ୍ ପୁଅ ଓ ଝିଅଙ୍କୁ ଧରି ପେରୁରେ ନିଜର ଭାଇଙ୍କ ପାଖରେ ପୁରା ଛଅବର୍ଷ ଧରି ଆଶ୍ରୟ ନେଲେ ।

୧୮୫୫ରେ ଏଲିନଙ୍କ ପାଖରେ ଖବର ପହଁଚିଲା ଯେ ଶ୍ୱଶୁର ତାଙ୍କର ଆଉ ନାହାଁନ୍ତି । ତେଣୁ ଆଲିନ୍ ପିଲାମାନଙ୍କୁ ଧରି ସ୍ୱାମୀଙ୍କ ପୈତୃକ ସଂପତ୍ତିବାଡିର ଦେଖାଚାହାଁ କରିବାକୁ ଅର୍ଲିନ୍ସ ଚାଲିଆସିଲେ । ଅର୍ଲିନ୍ସରେ ପହଁଚିବା ପରେ ସବୁଠାରୁ ବେଶି ଦୁଃଖୀ ଓ ବିରକ୍ତ ହୋଇଗଲେ ଗଗାଁ । ମାମୁଁଘର ପେରୁର ସୁନ୍ଦର ପରିବେଶରେ ପିଲାଦିନ କଟେଇଥିବା ଗଗାଁଙ୍କ ପାଇଁ ଅର୍ଲିନ୍ସର ପରିବେଶ ଆଦୌ ସୁଖପ୍ରଦ ନଥିଲା । ତାପରେ ତାଙ୍କୁ ପାଠ ପଢିବାକୁ ସେଠାରେ ଯେଉଁ ଆବାସିକ ସ୍କୁଲରେ ଭର୍ତ୍ତି କରାଗଲା ସେଠି ବି ଅସୁବିଧା ହେଲା । ଅସୁବିଧାଟି ଥିଲା, ଫ୍ରେଞ୍ଚ ଭାଷା ଶିଖିବା ନେଇ । ଗଗାଁ ଭଲରେ ଫ୍ରେଞ୍ଚ ଜାଣି ନଥିବାରୁ ଶ୍ରେଣୀରେ ଅନ୍ୟ ସହପାଠୀମାନଙ୍କ ଠାରୁ ପାଠ ପଢାରେ ଢେର୍ ପଛେଇଗଲେ ।

ଗଗାଁଙ୍କୁ ଯେତେବେଳେ ସତର ବର୍ଷ ବୟସ, ସେତେବେଳେ ସେ ଠିକ୍ କଲେ ଯେ, ଜଣେ ନାବିକ ଭାବରେ ସମୁଦ୍ରରେ ଜଳଯାତ୍ରା କଲେ ଭଲ ହୁଅନ୍ତା । ଅବଶ୍ୟ ସେତେବେଳେ ଯୁବକମାନେ ଏପରି ଦୁଃସାହସିକ ଜଳଯାତ୍ରା କରିବାକୁ ପସନ୍ଦ କରୁଥିଲେ । କାରଣ ଏଥିରେ ନିଜର ଶକ୍ତିସାମର୍ଥ୍ୟ ଓ ବୀରତ୍ୱ ଦେଖାଇବାର ପ୍ରଚୁର ସୁଯୋଗ ଥିଲା । ଗଗାଁ ଗଭୀର ସମୁଦ୍ର ଭିତରେ ଥିବାବେଳେ ହିଁ ଏପଟେ ତାଙ୍କ ମା’ ଆଲିନଙ୍କର ଦେହାନ୍ତ ହେଲା ।

ଗଗାଁ ୧୮୭୧ରେ ତାଙ୍କର ପ୍ରଥମ ନାବିକ ଚାକିରିରୁ ବାହାରିଲାବେଳକୁ ପ୍ରଥମ କରି ଅନେକ ଦୁଃସାହସିକ ଅନୁଭୂତି ଅଙ୍ଗେ ନିଭେଇ ସାରିଥିଲେ । ସେତେବେଳେ ଗଗାଁ ତେଇଶି ବର୍ଷର ଯୁବକ । ମୃତ୍ୟୁବେଳକୁ ଆଲିନଙ୍କ ପାଖରେ ଗଗାଁ ନଥିଲେ ମଧ୍ୟ ଆଲିନ୍ ମରଣ ପୂର୍ବରୁ ପୁଅ ପାଇଁ ବ୍ୟବସ୍ଥା କରିଯାଇଥିଲେ । ଗୁସ୍ତାଭ୍ ଆରୋସା ନାମକ ଜଣେ ଧନୀ ବ୍ୟାଙ୍କରଙ୍କୁ ସେ ଗଗାଁଙ୍କ ତତ୍ତ୍ୱାବଧାରକ ଭାବରେ ରହିବା ପାଇଁ ଅନୁରୋଧ କରିଯାଇଥିଲେ । ଗଗାଁ ସମୁଦ୍ରରୁ ଫେରିଲା ପରେ ଆରୋସା ତାଙ୍କୁ ପ୍ୟାରିସ୍ ର ଏକ ପ୍ରମୁଖ ଷ୍ଟକ୍ ବ୍ରୋକର ସଂସ୍ଥାରେ କାମରେ ଲଗାଇ ଦେଲେ ।

ଗଗାଁଙ୍କ ଷ୍ଟକ୍ ବ୍ରୋକର ଫାର୍ମର ଚାକିରି ସମୟ ବେଶ୍ ଭଲ ଥିଲା । ଭଲ ଦରମା ମିଳୁଥିଲା । ଏବଂ କଂପାନୀର ଲାଭରୁ ବି ଛୋଟିଆ ଅଂଶ ମିଳୁଥିଲା । ତେଣୁ ମଜାରେ ଚଳିବା ପାଇଁ କିଛି ଅସୁବିଧା ନଥିଲା । ଗଗାଁଙ୍କ ତତ୍ତ୍ୱବଧାରକ ଗୁସ୍ତାଭ ଆରୋସାଙ୍କ ପାଖରେ ସେତେବେଳେ ଅନେକ ବିଖ୍ୟାତ ଚିତ୍ରଶିଳ୍ପୀଙ୍କର ଛବି ସବୁ ଥାଏ । ଛବି କିଣିବାରେ ବେଶ୍ ରୁଚି ରଖିଥା'ନ୍ତି ଗୁସ୍ତାଭ ଆରୋସା । ତା’ଛଡା ଆରୋସାଙ୍କ ଝିଅ ବି ସୌଖିନ୍ ଭାବରେ ଛବି ଅଙ୍କାଅଙ୍କି କରନ୍ତି । ଛବି ଦେଖି ଦେଖି ଗଗାଁଙ୍କ ଭିତରେ ଛବି ଆଙ୍କିବା ପାଇଁ ଛୋଟିଆ ଇଚ୍ଛା ଗୋଟେ ଉଙ୍କି ମାରିଲା । ତ ସେ ଆରୋସାଙ୍କ ଝିଅ ପାଖରୁ ପ୍ରଥମ କରି ଛବି ଆଙ୍କିବା ଶିଖିବା ଆରମ୍ଭ କଲେ ।

ସେହି ଆରୋସାଙ୍କ ମାଧ୍ୟମରେ ଗଗାଁଙ୍କ ଚିହ୍ନା ହୁଏ ଏକ ଡେନିସ୍ ଝିଅ ସହ । ଝିଅଟିର ନାଁ ଥାଏ ମେଟେ ସୋଫା ଗାଦ୍ । ସେହି ଝିଅଟିକୁ ଗଗାଁ ୧୮୭୩ରେ ବିବାହ କରନ୍ତି ଓ ସେମାନଙ୍କର ପ୍ରଥମ ପିଲାଟି ଜନ୍ମ ହୁଏ ୧୮୭୪ରେ । ୧୮୭୪ ରୁ ୧୮୮୩ ଭିତରେ ଗାଦ୍ ଆଉ ଗଗାଁଙ୍କର ସମୁଦାୟ ପାଞ୍ଚଟି ସନ୍ତାନ ଜନ୍ମ ନିଅନ୍ତି । ସୁରୁଖୁରୁରେ ଆଗକୁ ଆଗକୁ ଗଡି ଚାଲେ ସଂସାର । ଅଫିସ୍ , ପରିବାରର ଦାୟିତ୍ୱ ସାଙ୍ଗରେ ଗଗାଁଙ୍କର ଧୀରେ ସୁସ୍ଥେ ଛବି ଅଙ୍କା ବି ଚାଲିଥାଏ । ୧୮୭୪ରେ ଗଗାଁ ବିଖ୍ୟାତ ଇମ୍ପ୍ରେସନିଷ୍ଟ ଚିତ୍ରକର କାମିଲେ ପିସାରୋଙ୍କ ପାଖରୁ ଛବି ଆଙ୍କିବାର ଅଧିକ କିଛି କଳା କୌଶଳ ଶିଖି ନେଇଥା'ନ୍ତି । କଳା ପ୍ରଦର୍ଶନୀମାନଙ୍କୁ ନିୟମିତ ବୁଲିଯାଉଥାନ୍ତି । ପ୍ରଦର୍ଶନୀରୁ ଛବି କିଣାକିଣି ବି ଆରମ୍ଭ କରିଦେଇଥା'ନ୍ତି । ଗଗାଁ ସେତେବେଳେ ସେଜାଁ, ସିସଲେ, ମୋନେ, ମନେ, ରେନୱା, ପିସାରୋ ଆଦି ସେ ସମୟର ବିଶିଷ୍ଟ ଇମ୍ପ୍ରେସନିଷ୍ଟ ଚିତ୍ରଶିଳ୍ପୀଙ୍କ ଛବି କିଣି ଥିଲେ ।

ଏ ସବୁ ଭିତରେ ଗଗାଁଙ୍କ ପାଇଁ କାମ ବଢୁଥିଲା । ବଢୁଥିଲା ସଂସାର । ସଂସାର ବଢିବାରୁ ତାଙ୍କୁ ଅପେକ୍ଷାକୃତ ଗୋଟିଏ ବଡ ଘର ନେବାକୁ ହେଲା । ସେଠି ନିଜ ପାଇଁ ସେ ଗୋଟେ ଅଲଗା ବଖରାର ବ୍ୟବସ୍ଥା କଲେ । ସେଇଟିକୁ ନିଜର ଷ୍ଟୁଡିଓ କରି ଛବି ଅଙ୍କା ଅଙ୍କି କଲେ ।

୧୮୭୯ରେ ଚତୁର୍ଥ ଇମ୍ପ୍ରେସନିଷ୍ଟ ପ୍ରଦର୍ଶନୀ ଆରମ୍ଭ ହେଲା । ଗଗାଁଙ୍କୁ ଜଣେ ଚିତ୍ରଶିଳ୍ପୀ ଭାବରେ ସେଥିରେ ଯୋଗ ଦେବାକୁ ଆମନ୍ତ୍ରଣ ମିଳିଲା । ତଥାପି ସେତେବେଳର ପ୍ରତିଷ୍ଠିତ ଚିତ୍ରଶିଳ୍ପୀମାନେ କୌଣସି କଳାବିଦ୍ୟାଳୟରେ ବିଧିବଦ୍ଧ କଳାଶିକ୍ଷା କରିନଥିବା ଗଗାଁଙ୍କୁ ତଳିଆ କରି ଦେଖୁଥା'ନ୍ତି । ପ୍ୟାରିସ୍ ର ଚିତ୍ରଶିଳ୍ପୀମାନେ ଚିତ୍ରଶିଳ୍ପୀ ଭାବେ ଅନାମଧ୍ୟେୟ ଗଗାଁଙ୍କୁ ସେମାନଙ୍କ ପଙ୍ଗତରେ ବସେଇ ଦେବାକୁ ଆଦୌ ଭଲ ପାଉ ନଥିଲେ । ଏପରିକି ୧୮୮୦ରେ ଯେତେବେଳେ ପଞ୍ଚମ ଇମ୍ପ୍ରେସନିଷ୍ଟ ପ୍ରଦର୍ଶନୀର ଆୟୋଜନ କରାଗଲା, ସେତେବେଳେ ସେଥିରେ ଗଗାଁଙ୍କ ଯୋଗଦାନକୁ ଖୋଲାଖୋଲି ଭାବରେ କେତେଜଣ ବରିଷ୍ଠ ଶିଳ୍ପୀ ବିରୋଧ କରିଥିଲେ ।

ସବୁ ପ୍ରକାର ବିରୋଧ ସତ୍ତ୍ୱେ ଗଗାଁ କିନ୍ତୁ ଖୁବ୍ ଦମ୍ ରେ ଛବି ଅଙ୍କାଅଙ୍କିରେ ବ୍ୟସ୍ତ ଥାଆନ୍ତି । ପୂର୍ଣ୍ଣପ୍ରାଣରେ ଛବି କରିବା ଭିତରେ ସେ ଧୀରେ ଧୀରେ ନିଜର ପାରିବାରିକ ଦାୟିତ୍ୱ ପ୍ରତି ଉଦାସୀନ ହୋଇପଡିଲେ । ଜଣେ କଳାକାରର ଭୂମିକା ଛଡା, ତାଙ୍କର ବି ନିଜ ପରିବାର ଅଛି ଓ ସେ ପରିବାର ଭିତରେ ତାଙ୍କର ଆହୁରି ଅନେକ ଦାୟିତ୍ୱ ଅଛି, ସେ କଥା ସେ ଭୁଲିଗଲେ । ଅବଶ୍ୟ ସେତେବେଳକୁ ତାଙ୍କର ଗୋଟେ ଅଧେ ଛବି ବିକ୍ରୀ ହେଲାଣି ଓ ତାଙ୍କ ଛବି ସବୁର ଆବେଦନ ପ୍ୟାରିସ୍ ର କଳା ସମାଲୋଚକମାନଙ୍କ ଆଖିରେ ପଡିଲାଣି । ସେତେବେଳେ ଗଗାଁକୁ ହଠାତ୍ ମନେହେଲା ଯେ ସେ ତାଙ୍କ ଷ୍ଟକ୍ ବ୍ରୋକର ଅଫିସରେ ବହୁତ ସମୟ ଅପଚୟ କରୁଛନ୍ତି । ପଇସା ରୋଜଗାର ପାଇଁ ଚାକିରିର ଅର୍ଥ ଥିଲା, କିନ୍ତୁ ଛବି ବିକ୍ରିରୁ ଯେତେବେଳେ ପଇସା ଆସିଲାଣି ସେତେବେଳେ ଆଉ ଚାକିରି କରି ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ସେ ମନ କଲେ ଯେ ଚାକିରି ବାକିରି ଛାଡି ସବୁ ସମୟ ଛବି କରିବାଟା ଠିକ୍ ହାବ । କିନ୍ତୁ ଘଟଣାଟି ଅନ୍ୟ ଭାବରେ ଘଟିଲା । ଏକ ଭିନ୍ନ ପରିସ୍ଥିତିରେ ପ୍ୟାରିସ୍ ର ଷ୍ଟକ୍ ମାର୍କେଟ୍ ରେ ଭୀଷଣ ଅସୁବିଧା ହେଲା ଓ ଗଗାଁଙ୍କ ଚାକିରି ପଳେଇଲା । ଚାକିରି ଗଲେ ବି ସେ ଛବି ବିକ୍ରିରୁ ଆବଶ୍ୟକ ଅର୍ଥ ରୋଜଗାର କରିପାରିବେ ବୋଲି ଯୋଉ ଧାରଣା ତାଙ୍କର ଥିଲା ତାହା ଫଳପ୍ରଦ ହେଲାନି । କାରଣ ଷ୍ଟକ୍ ମାର୍କେଟର ମାନ୍ଦା ଅବସ୍ଥା ଛବି ବଜାର ଉପରେ ସିଧାସଳଖ ଖରାପ ପ୍ରଭାବ ପକାଇଲା । ଫଳରେ ଛବି ବିକି ପଇସା ପତ୍ର ଯୋଗାଡ଼ କରିବା ବଡ଼ କଷ୍ଟକର କାମ ହେଇପଡିଲା । ଆର୍ଥିକ ସଂକଟକୁ ଟାଳି ଦେବାକୁ ଗଗାଁ ବ୍ୟୟବହୁଳ ପ୍ୟାରିସ୍ ନଗରୀ ଛାଡି ନର୍ମାଣ୍ଡିର ରୁଅଁକୁ ପରିବାର ଧରି ଚାଲିଗଲେ । ରୁଅଁରେ ବି ଅବସ୍ଥା ଭଲ ନଥିଲା । କାଁ ଭାଁ ଛବି କେତେବେଳେ କେମିତି ବିକି ସେଥିରେ ପରିବାର ଚଳେଇବା ଗଗାଁଙ୍କ ପକ୍ଷରେ ଖୁବ୍ କଷ୍ଟକର ହୋଇପଡିଲା । ଗଗାଁଙ୍କର ଏପରି ଏକ ଅସଫଳ ପ୍ରଚେଷ୍ଟା ଆଠ ମାସ ଧରି ଚାଲିଲା । ଆଠ ମାସ ପରେ ସ୍ୱାମୀଙ୍କ ଛବି ବିକି ରୋଜଗାର କରିବା ପନ୍ଥାଟି ଉପରୁ ମେଟେଙ୍କର ଭରସା ତୁଟିଗଲା । ତେଣୁ ସେ ଆଉ ଡେରି ନକରି ପିଲାମାନଙ୍କୁ ଧରି ବାପଘର କୋପେନହାଗନକୁ ଚାଲିଗଲେ ।

Report an Error