ପଶାପାଲି

ପ୍ରତ୍ୟେକ ବୟସର ମଧ୍ୟ କିଛି ଆବଶ୍ୟକତା ଥାଏ । ଶୈଶବରେ ଯତ୍ନ, ଯୌବନରେ ପ୍ରେମ, ସେପରି ମଣିଷ ବୟସ ବଢ଼ିବା ସାଥିରେ ଦରକାର କରେ ଗୋଟିଏ ଦରଦୀ ହୃଦୟ । ଯାହାକୁ ସେ ସବୁ କହିପାରିବ ହୃଦୟ ଖୋଲି ।


ମ୍ୟାଡାମ୍‌ ପଟ୍ଟନାୟକଙ୍କ ରୁମରୁ ତଥାପି ଲାଇଟ୍ ବନ୍ଦ ହେଇନି । ବାହାରେ ଇଲେକ୍‌ସନର ଗରମ ପରିବେଶ । ସେପଟେ ଭୋଟ ଗଣତି ଚାଲିଛି । ଏପଟେ ମ୍ୟାଡାମ୍‌ଙ୍କ ଅତୀତ ସ୍ମୃତିର ଗଣନା ସରୁନି ।

ରାଜ୍ୟ ଶାସକ ଦଳର ଚାହିଦା ପାଇଁ କ’ଣ ନ କରିଛନ୍ତି ସେ, ଯଦିଓ ଏତେ କମ୍ପ୍ଲିକେଟେଡ ପରିବାରରେ ବଢ଼ି ନାହାଁନ୍ତି, ତଥାପି ଖୁବ୍ ଛୋଟ ବୟସରୁ ଏହି ସବୁ ନୀତି ନିୟମ ଭଲଭାବେ ଶିଖି ଯାଇଛନ୍ତି ।

ସୋନି ପଟ୍ଟନାୟକ । ବିଭୁତି ଦାସଙ୍କ ତିନି ଝିଅ ମଧ୍ୟରୁ ସବୁଠାରୁ ବଡ଼ । ବାପା ଅଧ୍ୟାପକ ଭାବେ ଯାହା ଖ୍ୟାତି ଅର୍ଜନ କରିଥିଲେ, ଛାତ୍ର ନେତ୍ରୀ ଭାବେ ସୋନି ମ୍ୟାଡାମ୍‌ଙ୍କୁ ସମସ୍ତେ ତାଙ୍କଠାରୁ ଅଧିକ ଚିହ୍ନନ୍ତି । ସେଇ ସାମର୍ଥ୍ୟ ହେଉ ବା ପ୍ରତିଭା କୁହନ୍ତୁ କିନ୍ତୁ ପଟ୍ଟନାୟକ ପରିବାରର ବୋହୂ ହେବା ରାସ୍ତା ସୋନି ନିଜେ ହିଁ ଖୋଲିଥିଲେ । ସାଧାରଣ ଚେହେରା, ଅସାଧାରଣ ବାକ୍ ଚାତୁରୀ ଓ ରାତାରାତି ଗେମଚେଞ୍ଜର୍ ର ପରିପକ୍ୱତାବାଲା ବ୍ୟକ୍ତିତ୍ୱର ଅଧିକାରିଣୀ ହେଲେ ମିସ୍ ସୋନି । ସୋନି ଦାସରୁ ସୋନି ପଟ୍ଟନାୟକ ପର୍ଯ୍ୟନ୍ତ ଥିବା ରାସ୍ତାରେ ସେ ଖୁବ୍ ଚତୁରତାର ସହିତ ଅତିକ୍ରମ କରି ପଟ୍ଟନାୟକ ପରିବାରର ଦୁର୍ବଳ ମୋହରାକୁ ଟାର୍ଗେଟ କଲେ ଓ ଅବିଳମ୍ବେ ପାଟପୁରରୁ ଏମ୍‌ଏଲ୍‌ଏ ଟିକଟ୍ ଟି ଖାଲି ହାତେଇ ନ ଥିଲେ । ବରଂ ଶାସକ ଦଳରୁ ଦଳୀୟ ପ୍ରାର୍ଥୀ ହୋଇ ଭଲ ମାର୍ଜିନରେ ଜିତି ପାରିଥିଲେ ।

ମାନସ ପଟ୍ଟନାୟକ ସମ୍ପୂର୍ଣ୍ଣ ନ ହେଲେ ବି ଆଂଶିକ ଭାବେ ମାନସିକ ରୋଗରେ ଆକ୍ରାନ୍ତ ହେତୁ ସ୍ୱଭାବତଃ ସେ ଧିର ଏବଂ ଶାନ୍ତ ବା ଆପଣ କହି ପାରନ୍ତି ମାନ୍ଦା । ଅବାସ୍ତବ ଦୁନିଆରେ ସେ ବିଚରଣ କରନ୍ତି । ଆଜି ଯଦି ସେ ଋଷ ଫିଲୋସଫି ଗପିଲେ ତ କାଲି ଇଂଲଣ୍ଡରେ ଥିବେ । ଲୋକେ କହନ୍ତି ପିଲାଟି ପଢ଼ି ପଢ଼ି ପାଗଳ ହୋଇଯାଇଛି ।

ପଟ୍ଟନାୟକ ପରିବାରରେ ରାଜନୀତି ଜନ୍ମ ନିଏ । ପ୍ରତିଦିନ ପ୍ରତି ରୁମ୍‌ରେ ବିଭିନ୍ନ ରାଜନୈତିକ ଅଙ୍କ କଷା ହୁଏ । ଶାସକ ଦଳ କୁହ ବିରୋଧି ଦଳକୁ ବା ଜନତାଙ୍କୁ ବିଭ୍ରାନ୍ତ କରିବା କୌଶଳ କୁହ । ଏହି ସବୁ ସୁରେଶ ପଟ୍ଟନାୟକଙ୍କ ପରିବାରର ଗୋଟିଏ ଅଙ୍ଗ । ଶ୍ୱଶୁର ଆତ୍ମାନନ୍ଦ ପଟ୍ଟନାୟକ, ଶାଶୁ ସୁଜାତା ପଟ୍ଟନାୟକ ରାଜନୀତିର ଚର୍ଚ୍ଚିତ ବ୍ୟକ୍ତି । ଏକମାତ୍ର ପୁତ୍ର ଯାହା କରି ନ ପାରିଲା, ଦୁହିଁଙ୍କର ଆଶା, ଉଦ୍ଦୀପନାର ଲକ୍ଷ୍ୟ ବର୍ତ୍ତମାନ ସୋନି ପାଲଟିଗଲେ । ମନ ଚାହୁଁଥାଏ ଯାହା କାଳେ ପ୍ରାପ୍ତି ହୁଏ ତାହା ଭଳି ଦଶା । ଆତ୍ମାନନ୍ଦ ଓ ସୁଜାତାଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା ମାନସ ପାଖେ । ଦୁହେଁ ଯୋଉଠି ହାର ମାନି ଆସୁଥିଲେ, ସୋନି ମ୍ୟାଡାମ୍‌ଙ୍କ ପ୍ରବେଶ ସେଇଠୁ ଆରମ୍ଭ ହେଲା । ରାଜନୀତିରେ ସଫଳ ହେବା ଲକ୍ଷ୍ୟ ଓ ନିଜ କୌଳିକ ବୃତ୍ତିକୁ ଯୋଗ୍ୟ ଉତ୍ତରାଧିକାରୀ ପାଇବା ଇଚ୍ଛା ଅତିରେ ପୂରଣ ହୋଇ ପାରିଲା । ସମସ୍ତେ ଖୁସ୍‌, ଏକା ବାବୁଙ୍କୁ ଛାଡ଼ି ।

ମାନସଙ୍କ ଇଚ୍ଛା, କେହି ଜଣେ ତାଙ୍କ କଥା ଶୁଣନ୍ତା । ସେ ଯେଉଁଠି ବିଭ୍ରାନ୍ତ ହୁଅନ୍ତେ ସେଇଠି ସଠିକ୍ ବିବରଣୀ ଦେଇ ପାରନ୍ତା । ରାତି ଦିନ ବସି ଖାଲି ଗପ କରନ୍ତେ, ମିସିସିପିରୁ ସିନ୍ଧୁ ଉପତ୍ୟକାର ପ୍ରାଚୀନ ସଭ୍ୟତା ଯାଏଁ । ପୁଣି ତାକୁ ତାଳ ଦେଇ ଭାରତୀୟ ସଂସ୍କୃତିର ଅଭ୍ୟୁଦୟ । କେବେ ପୁଣି ଚିନ୍ତାଶୀଳ ବ୍ୟକ୍ତିବିଶେଷଙ୍କ ପ୍ରଗାଢ଼ ଦର୍ଶନ ଶାସ୍ତ୍ରର ଆଲୋଚନାବେଳେ ପ୍ଲାଟୋ, ଆରିଷ୍ଟୋଟଲଙ୍କଠାରୁ ଡେଭିଡ ହ୍ୟୁମ୍‌, କନ୍‌ଫୁସିଓସ ପର୍ଯ୍ୟନ୍ତ ଓ ଗାନ୍ଧୀଙ୍କଠାରୁ ଗୋପବନ୍ଧୁ ଯାଏଁ ସମସ୍ତଙ୍କୁ ସେ ଛୁଇଁ ଯାଆନ୍ତି । ଭୀଷଣ ଜ୍ଞାନର ଅଧିକାରୀ ମାନସ ବାବୁ । କିନ୍ତୁ ରାଜନୀତିରେ ଜ୍ଞାନଠାରୁ ଅଧିକ ଦରକାର କୂଟନୀତି । କୌଟିଲ୍ୟ, ଚାଣକ୍ୟ ମନୁ ଏଇମାନେ ରାଜନୀତି ସନ୍ଦର୍ଭରେ ଯାହା କହିଛନ୍ତି ତାହା ଅତି ନ୍ୟୁନ ମନେ ହେଉଛି । ବର୍ତ୍ତମାନ ରାଜନୀତିର କିଛି ସଂଜ୍ଞା ନାହିଁ । ଆଧୁନିକ ରାଜନୀତି ପାଇଁ ମାନସ ବାବୁ ସମ୍ପୂର୍ଣ୍ଣ ଅଯୋଗ୍ୟ ।

ଛାତ୍ର ନେତ୍ରୀ ଭାବେ ସୋନି କ୍ରମେ ପଟ୍ଟନାୟକ ପରିବାରର ଦୋଷ ଦୁର୍ବଳତା ଜାଣିଗଲେ ଓ କାହାକୁ କେଉଁ ଗୋଟି ଦ୍ୱାରା ଖେଳେଇ ହେବ, ତାର ବି ସଠିକ୍ ଅନୁମାନ ଲଗାଇ ଦେଲେ । ଚିଲ ଭଳି ନଜର, ଶୃଗାଳର ବୁଦ୍ଧି ଓ ପଟ୍ଟନାୟକ ପରିବାରର ବୋହୂ ଭାବେ ଖ୍ୟାତି ସୋନିଙ୍କୁ ଖୁବ୍ ଶୀଘ୍ର ରାଜନୈତିକ ପୃଷ୍ଠଭୂମିରେ ଏକ ଗୌରବାନ୍ୱିତ ସ୍ଥାନରେ ପହଞ୍ଚାଇ ପାରିଲା ।

ଶାଶୁ ଓ ଶ୍ୱଶୁରଙ୍କ ରାଜନୈତିକ ମାଇଲେଜ୍‌ରେ ସୋନି ଥରେ ନୁହେଁ ଦୁଇଥର ଏମଏଲ୍‌ଏ ସହିତ ମନ୍ତ୍ରୀ ପଦବୀର ଅଧିକାରିଣୀ ହୋଇପାରିଲେ ।

ୟେ ତ ସାଧାରଣ ଜୀବନ ହୋଇନି, ମନ୍ତ୍ରୀମାନେ କହିବାକୁ ଗଲେ ଅଖଣ୍ଡ ଆଧିପତ୍ୟ ଓ ବିଳାସପୂର୍ଣ୍ଣ ଜୀବନ ସହିତ ନାନା କର୍ତ୍ତବ୍ୟର ଏକ ପାଣ୍ଡୁଲିପି ।

ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସିଥିବା ଝିଅଟି ବିଳାସରେ ହଜିଗଲା । ଶାଶୁ ଶ୍ୱଶୁରଙ୍କ ବୟସାଧିକ୍ୟ ହେତୁ ସୋନି କ୍ରମେ ମୁରବିଶୂନ୍ୟ ସାମ୍ରାଜ୍ୟର ଏକମାତ୍ର ଅଧିପତି ହୋଇ ନାନା ବ୍ୟଭିଚାରମୂଳକ କାର୍ଯ୍ୟରେ ଲିପ୍ତ ରହିଲେ । ମାନସ ବାବୁଙ୍କ ଉଦାସୀନତା ଓ ପ୍ରବଳ ପ୍ରାଚୁର୍ଯ୍ୟ ମଧ୍ୟରେ ସୋନିଙ୍କ ଜୀବନରେ ଆସେ ସାମର୍ଥ ନାମକ ଯୁବକ ।

ଅର୍ଥ, କ୍ଷମତା ଓ ବିଳାସ ବ୍ୟସନରେ ଲିପ୍ତ ସୋନିର ଯୌନ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜେ ଏଇ ସାମର୍ଥ । ପ୍ରବଳ ଧୂର୍ତ୍ତ ଲୋକ ଜଣେ ସେ । ଅନେକ ବ୍ୟବସାୟ ତାଙ୍କର ଏକାକ୍ରମରେ ଚାଲିଥାଏ । ସେ କିନ୍ତୁ ବ୍ୟସ୍ତ ରୁହନ୍ତି ସୋନି ମ୍ୟାଡାମ୍‌ଙ୍କ ସହିତ ବିଦେଶ ଭ୍ରମଣରେ ।

ମଣିଷର ଗୋଡ ଯୋଉ ଯାଏଁ ମାଟିରେ ଥାଏ, ତାର ଗୁଡ଼େ ସାଙ୍ଗସାଥି ରହନ୍ତି । ଯେତେ ଉପରକୁ ଉଠେ ସେ ସେତିକି ଏକୁଟିଆ ହୋଇଯାଏ । ଏମିତି ବି ସୋନି ମ୍ୟାଡାମ୍‌ ଆଜିକାଲି ମାଟିରେ ଚାଲୁଥିବା, ଘୋଷାଡି ହେଉଥିବା ପ୍ରାଣୀମାନଙ୍କଠାରୁ ପବନରେ ଉଡିପାରୁଥିବା ପ୍ରଜାତିଙ୍କୁ ପସନ୍ଦ କିଛି ଅଧିକା କରନ୍ତି । ତାଙ୍କ ନୂଆ ନୂଆ ପ୍ରଫୁରିତ ଡେଣାରେ ଆଜିକାଲି ଅନେକ ରଙ୍ଗ । ଫ୍ୟାସନ, ଆଭିଜାତ୍ୟ, ଉଦ୍ଧତଭରା ବ୍ୟବହାର ମଧ୍ୟ ସେଥିରୁ କିଛି ଅଂଶ । ସୋନିଙ୍କ ବିଦେଶ ବ୍ୟାଙ୍କ ଆକାଉଣ୍ଟରେ ପ୍ରବଳ ପଇସା । ଦେଶୀ ବିଦେଶୀ ଅନେକ କ୍ଲବ୍‌ରେ ମେମ୍ବର ସେ ।

ଗତ ଇଲେକ୍‌ସନରେ ସେ ବୁଝିଥିଲେ ଲୋକସମ୍ପର୍କ ତାଙ୍କର ଭଲ ନାହିଁ ଆଗଭଳି । ତଥାପି ଅର୍ଥ ଓ କ୍ଷମତା ତାଙ୍କୁ ବିରୋଧି ଦଳଠାରୁ ଅଧିକା ଭୋଟରେ ପୁଣିଥରେ ଜିତାଇ ପାରିଲା ।

ପ୍ରତ୍ୟେକ ବୟସର ମଧ୍ୟ କିଛି ଆବଶ୍ୟକତା ଥାଏ । ଶୈଶବରେ ଯତ୍ନ, ଯୌବନରେ ପ୍ରେମ, ସେପରି ମଣିଷ ବୟସ ବଢ଼ିବା ସାଥିରେ ଦରକାର କରେ ଗୋଟିଏ ଦରଦୀ ହୃଦୟ । ଯାହାକୁ ସେ ସବୁ କହିପାରିବ ହୃଦୟ ଖୋଲି । ଆବଶ୍ୟକ ହୁଏ ନିଜ ସ୍ନେହ ଓ ଯତ୍ନ ଅନ୍ୟକୁ ଦେବା । ସେଥିପାଇଁ ମଣିଷ ପିଲା ଛୁଆ ସଂସାର ଗଢ଼େ । ସେଥିପାଇଁ କୁକୁର, ବିଲେଇ, ପକ୍ଷୀ ଇତ୍ୟାଦି ପୋଷେ । ଯତ୍ନ ନେବା ପାଇଁ ଗଛ ବି ଲଗାଏ ।

ନିଜକୁ ଭୁଲି ଆଉ ଗୋଟିଏ ଜୀବନକୁ ଯତ୍ନ କରି ବଢ଼ାଇ ତାକୁ ପୂର୍ଣ୍ଣ ଅବୟବ ଦେବାରେ ନାରୀର ଯଥାର୍ଥତା ଥାଏ ।

ନିଶାରେ ନିଜକୁ ସମ୍ପୂର୍ଣ୍ଣ ବୁଡ଼ାଇ ରଖିଲେ ବି ଯେତେବେଳେ ଛୁଆଟି କଥା ଭାବନ୍ତି ସୋନି ମ୍ୟାଡାମ୍‌, ମା’ ଶବ୍ଦ ଯୋଉଁଠି ବି ଶୁଣନ୍ତି ତାଙ୍କ ହୃଦୟ ବିଳପି ଉଠେ । ଆଜିକାଲି ସେ କୌଣସି କାମରେ ଉତ୍ସାହ ଦେଖାଇ ପାରୁ ନାହାଁନ୍ତି । ଯେମିତି ଥକି ଯାଇଛନ୍ତି । ଶରୀରର ଥକାପଣ ଦୂର ହୋଇପାରେ କିନ୍ତୁ ମାନସିକସ୍ତରର ସୁସ୍ଥତା ସେ ପାଇବେ କେମିତି ?

ଭୋଟ ଗଣନାର ଆଉ ମାତ୍ର ଗୋଟିଏ ସୋପାନରେ ସେ ଜାଣିପାରିବେ ଏହି ଗାଦି, ଏହି ପଦବୀ, ଏହି ଲାଳସା, ରହୁଛି ଅବା ନାହିଁ । ନିଜ କର୍ମ, ନିଜ ଦୋଷ, ଦୁର୍ବଳତା ନିଜ ଆଶା ଓ ଅଭିଳାଷା ସବୁ ସେହି ମା’ ଡାକ ସାମ୍ନାରେ ଅତି ତୁଚ୍ଛ ମନେ ହେଉଛି ଜୀବନ ପ୍ରତି ଭୀଷଣ ବିତୃଷ୍ଣା । ହଠାତ୍ କାହିଁକି ଆସୁଛି ।

ଫୋନ୍ ରିଂ ହଉଛି । ‘ମ୍ୟାଡାମ୍ ଆପଣ ପୁଣି ୱିନ୍ କଲେ । ଆମେ ଜିତିଲେ । ବଧାଇ.... ।’ ସୋନି ମ୍ୟାଡାମ୍ ଫୋନ୍‌ଟିକୁ କଚାଡି ଦେଇ ଅତି ଅବସାଦରେ ନିଜ ମୁହଁ ମୁଣ୍ଡ ସବୁ ଅତି ନୃଶଂସ ଭାବେ ରାମ୍ପୁଡି ଚାଲିଲେ । ମ୍ୟାଡାମ୍‌ଙ୍କ ରୁମରୁ ଗର୍ଜନ ଶୁଭୁଥାଏ । କର୍ମଚାରୀମାନେ ଭାବିଲେ ବୋଧେ ଏହା ବିଜୟ ଉଲ୍ଲାସ ।

ସକାଳୁ ଖବର ଆସିଲା ସୋନି ପଟ୍ଟନାୟକଙ୍କ ପାଞ୍ଚ ମହଲାରୁ ଡେଇଁ ପ୍ରାଣ ହରାଇଛନ୍ତି । ତେବେ ହତ୍ୟା ନା ଆତ୍ମହତ୍ୟା ? କିଛି ପଶାପାଲି ଖେଳରେ ହାରିବା ଜିତିବାର ଦ୍ୱନ୍ଦ୍ବ ମଧ୍ୟରେ ଜୀବନ ସନ୍ଦିହାନ ହୋଇଯାଏ ।

Report an Error