
ସୋମ୍ ଗୋଟିଏ ଛୋଟ ସାତବର୍ଷର କୁନି ପୁଅ ।
ନୂଆ ଦେଖୁଚି ଦୁନିଆକୁ । ଯେତେ ଦେଖୁଚି ଆହୁରି ଦେଖିବା ବାକି ଅଛି ବୋଲି ତାକୁ ଲାଗୁଚି । ପ୍ରବଳ ଇଚ୍ଛା ସେ ସବୁ ଦେଖନ୍ତା । ପାଠ ପଢି ଜାଣୁଛି ଯେ ପୃଥିବୀ ବୋଲି ଗୋଟିଏ ଗୋଲ୍ ଗ୍ରହରେ ମଣିଷ ରହେ । ତା' ଆଖି ଯେତିକି ଯାଏ, ତା' ଠାରୁ ଢେର ବଡ ଏହି ପୃଥିବୀ । ରାସ୍ତା, ପାର୍କ, ଦୋକାନ, ବଜାର ଯୋଉଠିକି ଯାଏ ସେ ଯାହା ଦେଖେ, ଜାଣିବାକୁ ଇଚ୍ଛାକରେ ।
ଏହି ଜାଣିବାର ପ୍ରବଳ ଆଗ୍ରହ ତାକୁ ବେଳେବେଳେ ଅସୁବିଧାରେ ବି ପକାଏ ।
ଥରେ ସେ ସ୍କୁଲରୁ ଫେରିବା ବାଟରେ ଘରକୁ ନ ଯାଇ ବିପରୀତ ଦିଗରେ ଚାଲିବାରେ ଲାଗିଲା । ସେଇ ରାସ୍ତାରେ ଗଲେ କୋଉଠି ପହଞ୍ଚି ହେବ ଜାଣିବାକୁ ତାର ଇଚ୍ଛା ହେଲା । ଏହି ଜାଣିବା ଇଚ୍ଛାରେ ସୋମ୍ ଆହୁରି ଆଗକୁ ଚାଲିଥାଏ । କେତେ ବାଟ ଆସିଗଲାଣି ୟା ଭିତରେ ସେ ଜାଣିପାରିନି ।
ଭୋକ ବି ହେଲାଣି, ଶୋଷ ବି ଲାଗୁଚି । ଗୋଡ କାଟିଲାଣି । ପାଖାପାଖି କେହି ଦେଖା ଯାଉନଥାନ୍ତି । ସୋମ୍ ବିଚରା ଡରିଗଲା । ରାସ୍ତା କଡରେ ଥିବା ଗଛମୂଳେ ବସି କ'ଣ କରିବ ଚିନ୍ତା କରୁଛି । ଏହି ସମୟରେ ପକ୍ଷୀଟିଏ ଛଟପଟ ହେଇ ତା' ଠାରୁ ଖଣ୍ଡେ ଦୂରରେ ପଡିଗଲା । ସୋମ୍ ନିଜ କଷ୍ଟ ଭୁଲି, ପକ୍ଷୀଟିର ସେବାରେ ଲାଗିଲା । ପାଖ ଝରଣାରୁ ପାଣି ମୁନ୍ଦାଏ ଦେଲା । ପକ୍ଷୀଟି ସୁସ୍ଥ ହୋଇ ଉଠି ଠିଆହେଲା । ସୋମ୍ ସ୍ନେହରେ ତା' ମୁଣ୍ଡ ଆଉଁଷି ତାକୁ କହିଲା, "ତୁମେ କ'ଣ ଏବେ ଉଡିପାରିବ ?"
ପକ୍ଷୀଟି ହଠାତ୍ ବଡ ହେବାରେ ଲାଗିଲା ।
ସୋମ୍ ଆଶ୍ଚର୍ଯ୍ୟ ହୋଇ ଘୁଞ୍ଚିଗଲା ଡରରେ । ପକ୍ଷୀଟି ବଡ ହେଇ ଗୋଟିଏ ପରୀ ହୋଇଗଲା ।
ସୋମ୍ ଆଖି ବଡବଡ କରି ପଚାରିଲା, "ତୁମେ କିଏ ?"
"ମୁଁ ଗୋଟିଏ ପରୀ ।" କହିଲା ସୁନ୍ଦର ପରୀଟି ।
"ପରୀ......" ଆହୁରି ଦୂରକୁ ଘୁଞ୍ଚିଯାଇ କହିଲା ସୋମ୍ ।
"ହଁ ମୁଁ ପରୀ । ମୁଁ ତୁମ ଭଳି କୁନି ପିଲାମାନଙ୍କୁ ବହୁତ ଭଲପାଏ ।"
ମୁଁ ଦେଖୁଥିଲି, ତୁମେ ନିଜ ଦୁଃଖ ଭୁଲି, ପକ୍ଷୀଟିର ସେବା କରୁଛ କି ନାଇଁ । ମୁଁ ବହୁତ ଖୁସି ଯେ ତୁମେ ଦୟା ଭାବର ପିଲାଟିଏ । କ'ଣ ମାଗିବ ମାଗ । ତୁମ ସବୁ ଇଚ୍ଛା ମୁଁ ପୂରଣ କରିବି ।
ସୋମ୍ ହସିକି ଖୁସିରେ ପରୀ ପାଖକୁ ଯାଇ କହିଲା ସବୁ କଥା । କେମିତି ସେ ଘରୁ ବାହାରିଲା, ପୁଣି ଗୋଡ କାଟିଲା । ବର୍ତ୍ତମାନ ସେ କେତେ ମନଦୁଃଖରେ ଅଛି । କେତେ ଭୋକଶୋଷରେ ଅଛି ।
'କେତେ ବାଟ ଆସିଲାଣି ତଥାପି ଆହୁରି ବହୁତ ଅଛି ପୃଥିବୀ । ପରୀ ଦିଦି ମୁଁ ପୂରା ପୃଥିବୀ ଦେଖିବାକୁ ଚାହୁଁଛି ।' କହିଲା ସୋମ୍ ।
ପୂରା ପୃଥିବୀ କଥା ଶୁଣି ପରୀ ହସିଲା ।
'ପୂରା ପୃଥିବୀ ବହୁତ ବଡ । କେତେ ପର୍ବତ, ସମୁଦ୍ର, ବରଫ ପାହାଡ, ମରୁଭୂମି କେତେ କ'ଣ ଭରି ହେଇ ରହିଛି ଏଠାରେ ।'
'କିନ୍ତୁ ମୁଁ ଘର ରାସ୍ତା ଭୁଲିଗଲି ଦିଦି ।' କହିଲା ସୋମ୍ ।
'ଦେଖ ସୋମ୍, ତମେ ଛୋଟ ପିଲାଟିଏ । ମା, ବାବା ସମସ୍ତେ ବ୍ୟସ୍ତ ହେବେଣି । ତମେ ବର୍ତ୍ତମାନ ଘରକୁ ଯାଅ । ମୁଁ ତମକୁ ପୂରା ପୃଥିବୀ ବୁଲେଇବି । ବାସ୍ ତମେ ଟିକିଏ ବଡ ହେଇଯାଅ ।'
ପରୀ ଦିଦି କୁହୁକ ଫୁଲ ଗୋଟିଏ ଦେଲେ ସୋମ୍ କୁ ।
'ଏଇଟା ଗୋଟିଏ କୁହୁକ ଫୁଲ ସୋମ୍ । ତମେ ଯେଉଁଠିକି ଯିବାକୁ ଚାହିଁବ ସେ ନେଇଯିବ । ତୁମେ ଏବେ କୁହ - କୁହୁକ ଫୁଲ, ଚାଲ ମୋ ଘରକୁ।'
ସୋମ୍ ଫୁଲଟିକୁ ଧରି କହିଲା । ତାପରେ ସେ ସଙ୍ଗେସଙ୍ଗେ ଘରେ ହାଜର୍ ।
ମା, ବାବା ସମସ୍ତେ ସୋମ୍ କୁ ଦେଖି ବହୁତ ଖୁସି ।
ସୋମ୍ ବର୍ତ୍ତମାନ ଅପେକ୍ଷା କରିଚି, କେବେ ବଡ ହେବ । ପରୀ ଦିଦି ସହିତ ପୂରା ପୃଥିବୀ ବୁଲିବ ।