ପାଣ୍ଢୋଇ

ତୃପ୍ତ ଆଲୁଅର ହଳେ ପାଣ୍ଢୋଇ ମୁଁ ଏକା ଲୋକର ପାଦରେ - ନିଜ ଅସ୍ତିତ୍ଵକୁ ଏମିତି ଭେଟିବାର କାବ୍ୟିକ ସାହସରୁ ଏ କବିତାର ଜନ୍ମ ।


ଆଉ କେତେ ପାହାଚ ଚଢିଲେ
ପୂର୍ଣ୍ଣ ହେବ ଅହଂକାରର କୁମ୍ଭ ତୁମର
ଆଉ କେତେ କଳସ ଜଳ ପରେ
ଶାଂତ ହେବ ହେ ସିଂହାସନ ଯୁଗଯୁଗର ।

ଯିଏ ବି ଆସିଲା ନିଜକୁ ଭରି ଚାଲିଲା
ଶିଳାଲେଖ, ତମ୍ବାପଟା, ମାନପତ୍ର
ଚାରିଆଡ଼େ ଖଂଜି ଦର୍ପଣ
ଖାଲି ଦେଖିଲା ନିଜର ମୁହଁ ।

ଆରପଟେ କଣ ଅଛି
ଅଂଧାରରେ କେଉଁଠି ଚମକୁଛି ହୀରା
ଖୋଜିଲେ ବି ନାହିଁ କେହି
କେମିତି ଜଂଗଲ ଏ କେମିତି ନଗ୍ର
ନିଜେ ସିଂହାସନ ଅହଂକାର ଖଚିତ
ତରବାରୀ ନିଜେ, ଅଧିକାରୀ ବି
ସ୍ତୋତ୍ର ଶୁଣାଉଥିବା ନିଜେ ସଭାଜନ ।

କେଉଁଠି କେହି ବି ନାହିଁ
ଘନଘୋର ବର୍ଷାରାତିର ଝିଁ ଝିଁ ଝିଂକାରୀ ଶବ୍ଦ ଭିତରେ
ମଥିତ ଅଂଧାରକୁ ସୁପାତି କରି ସଜାଡ଼ୁଛି କେହି
ନିରବତା ବାହାରି ଆସିଲା କାଚର କବାଟ ଖୋଲି
ଅହଂକାରକୁ ଛାଡ଼ି ଦେଇ ତା ଚୌକିର ଚୌହଦୀ ଭିତରେ
ଏବେ ସାରା ପୃଥିବୀ ଖେଦିଯିବାର
ତୃପ୍ତ ଆଲୁଅର ହଳେ ପାଣ୍ଢୋଇ ମୁଁ
ଏକା ଲୋକର ପାଦରେ ।

Report an Error