ଛବି ପୋଡି

ଇଂଲଣ୍ଡରେ ଏବେ ଚରମ ଆର୍ଥିକ ଦୁରାବସ୍ଥା । ରାଜନୀତିରେ ଅସ୍ଥିରତା । ସେମିତି ଏକ ସମୟରେ ଦେମିଏନ୍ କୋଟି କୋଟି ଟଙ୍କା ମୂଲ୍ୟର ଛବି ପୋଡି ନଷ୍ଟ କରିଦେଉଛନ୍ତି । ଏ କଥାକୁ ଅନେକ ସମାଲୋଚନା କରିଛନ୍ତି । ପସନ୍ଦ କରିନାହାଁନ୍ତି ।


ଫଟୋ- ୱିକିମିଡିଆ

ବ୍ରିଟିଶ ଚିତ୍ରଶିଳ୍ପୀ ଦେମିଏନ୍ ହର୍ଷ୍ଟ ତାଙ୍କ ଦ୍ୱାରା ଅଙ୍କିତ ହଜାରେ ଛବିକୁ ପୋଡି ପକେଇଛନ୍ତି । ଆଗକୁ ଆହୁରି ଛବି ପୋଡିବେ ବୋଲି ଘୋଷଣା ବି କରିଛନ୍ତି । ଏକଥା ସତ ଯେ ଦେମିଏନ୍ ଜଣେ କଳାକାର ଭାବରେ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲପାଆନ୍ତି । ଦେମିଏନ୍ ମୋର ଜଣେ ପ୍ରିୟ ଚିତ୍ରଶିଳ୍ପୀ । ତାଙ୍କୁ ମୁଁ ଇନଷ୍ଟାରେ ଫଲୋ ମଧ୍ୟ କରେ । ନିୟମିତ ଭାବରେ ତାଙ୍କୁ ଓ ତାଙ୍କ ଛବିଅଙ୍କା ଭିଡିଓ ସବୁ ଦେଖେ । ସତାବନ ବର୍ଷ ବୟସରେ ବି ସେ ଯୁବକଙ୍କଠାରୁ ବଳି ଫୂର୍ତ୍ତିରେ ବେଶ ବଡ ବଡ କ୍ୟାନଭାସକୁ ଆଙ୍କୁଥାନ୍ତି ଓ ଛବି ବିଷୟରେ କହୁଥାନ୍ତି । ତାଙ୍କ ବିଶାଳ ଷ୍ଟୁଡିଓ ଦେଖିବା ଭଳି । ଏକାଥରେ ଏକାଧିକ କ୍ୟାନଭାସ ଲଗେଇ ସେ ତାଙ୍କ ଭିନ୍ନ ଭିନ୍ନ ସିରିଜର ଛବିଗୁଡିକୁ ଆଙ୍କୁଥାନ୍ତି ।

ସାରା ଜୀବନ ଚର୍ଚ୍ଚା ଓ ବିବାଦରେ ଥିବା ଦେମିଏନ୍ ଏବେ ଏବେ ପୁଣି ଗୋଟେ ନୂଆ କାଣ୍ଡ କରି ଖବରରେ । ଖବରରେ ରହିବା ତାଙ୍କର ବଡ ପସନ୍ଦ । ଏଇ ଅଳ୍ପ ଦିନ ତଳେ ହଠାତ ତାଙ୍କ ଇନଷ୍ଟା ପୋଷ୍ଟରେ ଦେଖିଲି, ସେ ଲେଖିଛନ୍ତି ଯେ, ପରଦିନ ତାଙ୍କର ହଜାରେଟି ଛବିକୁ ନିଆଁ ଲଗେଇ ପୋଡିଦେବେ । ଚକିତ କରିଦେବା ପରି କଥା । ଛବି ପୋଡି ? ତା' ପୁଣି ଖୋଦ ଚିତ୍ରଶିଳ୍ପୀ ନିଜ ହାତରେ, ନିଜ ହାତ ଅଙ୍କା ଛବିକୁ ଅଗ୍ନିରେ ବିସର୍ଜନ କରିବେ । ତାଙ୍କ ଦେଶର ସମୟ ଅନୁସାରେ ଠିକ ବାରଟା ତିରିଶରେ ଚିତ୍ର ପୋଡାର ଲାଇଭଷ୍ଟ୍ରିମିଂ ଆସିବ । ପରଦିନ ସେ ତାଙ୍କ ଇନଷ୍ଟାଗ୍ରାମରେ ଲାଇଭ ଆସିଲେ ଓ ଗୋଟେ ପରେ ଗୋଟେ ଛବିରେ ନିଆଁ ଲଗେଇ ଚାଲିଲେ । ଛବିଗୁଡିକ ଆକାରରେ ଛୋଟ ଥିଲା ଓ ହାତ ତିଆରି କାଗଜରେ ଏନାମେଲ ରଙ୍ଗରେ ବିନ୍ଦୁ ସବୁ ଅଙ୍କା ହେଇଥିଲା । ଦେମିଏନ୍ ଗଲା ଛଅବର୍ଷ ହେଲାଣି ଏହି ସ୍ପଟ୍ ପେଣ୍ଟିଂ କରୁଛନ୍ତି । ସ୍ପଟ୍ ପେଣ୍ଟିଂର ଚିତ୍ରଶିଳ୍ପୀ ଭାବରେ ଅନେକ ଦେମିଏନ୍ ଙ୍କୁ ଜାଣନ୍ତି । ଦେମିଏନ୍ ଙ୍କ ଛବିର ବଜାର ଦର ଆକାଶଛୁଆଁ । କଳା ସଂଗ୍ରାହକ, ଗ୍ୟାଲେରୀ ଓ ମ୍ୟୁଜିୟମମାନେ ତାଙ୍କର ଖଣ୍ଡେ ଖଣ୍ଡେ କାମ ପାଇବା ପାଇଁ ଅନେଇ ବସିଥାନ୍ତି, ଅଥଚ ଦେମିଏନ୍ ତାଙ୍କ ଛବି ପୋଡୁଛନ୍ତି । କାହିଁକି ? ଅବଶ୍ୟ ତାଙ୍କ ମତରେ ଏ ପୂରା କାର୍ଯ୍ୟକ୍ରମ ତାଙ୍କ ପାଇଁ ଏକ କଳାକୃତି ।

ଦେମିଏନ୍ ତାଙ୍କର ଏ ଛବିରେ ନିଆଁଲଗା କାମଟିକୁ ଗୋଟେ ପ୍ରୋଜେକ୍ଟ ର ଅଂଶ ଭାବରେ ଗଲା ଜୁଲାଇ ମାସରୁ ଆରମ୍ଭ କରିଥିଲେ । ପ୍ରୋଜେକ୍ଟ ର ନାଁ ହେଲା ‘ଦି କରେନ୍ସି’ । ଏଥିରେ ସେ ୨୦୧୬ ମସିହାରୁ ଦଶ ହଜାର ଛବି ତିଆରି କରିଥିଲେ ଓ କଲେକ୍ଟରମାନଙ୍କୁ ନିମନ୍ତ୍ରଣ କରି କହିଥିଲେ, ଦୁଇ ହଜାର ଡଲାର ଦେଇ ସେମାନେ ଗୋଟେ ଗୋଟେ ଫିଜିକାଲ କାମ ଅବା ଡିଜିଟାଲ ଟୋକନ (ଏନ.ଏଫ.ଟି) କିଣି ପାରିବେ । ତାପରେ କଲେକ୍ଟରମାନଙ୍କୁ ସମୟ ଦିଆଯାଇଥିଲା, ସେମାନେ ନିର୍ଦ୍ଧାରିତ ସମୟ ଭିତରେ ସେମାନଙ୍କର ନିଷ୍ପତ୍ତି ବଦଳାଇ ମଧ୍ୟ ଦେଇପାରନ୍ତି । ଅର୍ଥାତ ଡିଜିଟାଲ ଟୋକନ କିଣିଥିବା ଗ୍ରାହକ ମୂଳ ଫିଜିକାଲ କାମ ନେଇପାରନ୍ତି । ଦେମିଏନ୍ ତାଙ୍କର ସେ ଦଶ ହଜାର ଛବିର ଏନ.ଏଫ.ଟି କରି ଆଗରୁ ରଖିଥିଲେ । ଦେମିଏନ୍ ଆଗରୁ ସ୍ପଷ୍ଟ କରିଥିଲେ ଯେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେଲାପରେ ସେ ଡିଜିଟାଲ ଟୋକନ ହୋଇଥିବା କାମର ମୂଳ ରୂପକୁ ପୋଡି ନଷ୍ଟ କରିଦେବେ । ମାନେ ଛବିଟି ଭର୍ଚୁଆଲ ୱାର୍ଲ୍ଡରେ ରହିବ ଅଥବା ବାସ୍ତବରେ ରହିବ । ଯାହାହେବ ଗୋଟିଏ । ଏକାବେଳେ ଦୁଇଟି କଥା ହେଇପାରିବନି । ଏଇ ଛବି ପୋଡା ଦିନଟି ଥିଲା ସେଇ ‘ଦି କରେନ୍ସି’ ପ୍ରୋଜେକ୍ଟ ର ଫିନାଲେ ।

ନ୍ୟୁ ପୋର୍ଟ ଷ୍ଟ୍ରିଟ ଗ୍ୟାଲେରୀରେ ଦେମିଏନ୍ ସିଲଭର ଅଗ୍ନିନିରୋଧକ ପୋଷାକ ପିନ୍ଧି ଗୋଟେ ପରେ ଗୋଟେ କାମରେ ନିଆଁ ଲଗାଇଥିଲେ । କ୍ୟାମେରାରେ ଫଟୋ ଉଠୁଥିଲା ଓ ଭିଡିଓ ବି ରେକର୍ଡିଂ ହେଉଥିଲା । ଘଟଣାକୁ ପ୍ରତ୍ୟକ୍ଷ କରୁଥିଲେ ଦେମିଏନ୍ ଙ୍କ ଦ୍ୱାରା ଆମନ୍ତ୍ରିତ କିଛି ସାମ୍ବାଦିକ ଓ କଳା ସଂଗ୍ରାହକ । ଗ୍ୟାଲେରୀର ତଳ ମହଲାରେ ଦେମିଏନ୍ ଙ୍କ ଦଶ ହଜାର ଛବି ପାହାଡ ପ୍ରମାଣେ ଗଦା ହେଇଥାଏ । ଯେଉଁ ମୂଳ ଛବି ସବୁକୁ ସଂଗ୍ରାହକମାନେ ସଂଗ୍ରହ କରୁଥିଲେ ତାକୁ ଅଲଗା କରିଦିଆଯାଇଥିଲା ଓ ଯେଉଁ ଛବିର ଏନ.ଏଫ.ଟି. ବଳବତ୍ତର ରହୁଥିଲା ତାର ମୂଳ ଛବିକୁ ପୋଡାଯାଇଥିଲା । ଗ୍ୟାଲେରୀ ସୂତ୍ର ଅନୁସାରେ ସେଦିନ ପାଖାପାଖି ହଜାରେ ଛବି ପୋଡା ଯାଇଥିବାବେଳେ ଧିରେଧିରେ ଆହୁରି ଛବି ମଧ୍ୟ ପୋଡାଯିବ । ପୂରା ଦଶ ହଜାର ଛବିରୁ ୫,୧୪୯ ଟି ଛବିର ମୂଳ ରୂପ ରଖିବାକୁ ସଂଗ୍ରାହକ ପସନ୍ଦ କରିଥିଲେ ଓ ୪,୮୫୧ ଟି ଏନ.ଏଫ.ଟି ଭାବରେ ରହିଥିଲା ।

ଦେମିଏନ୍ ତାଙ୍କର ଯେଉଁ କାମ ସବୁକୁ ଏନ.ଏଫ.ଟି.କୁ ବଦଳାଇଛନ୍ତି, ସେଇ କାମର ବାସ୍ତବ ସ୍ଥିତିକୁ ପୃଥିବୀରୁ ହଜାଇଦେବାକୁ ଚାହିଁଛନ୍ତି । ଦେମିଏନ୍ ଙ୍କ କହିବା ଅନୁସାରେ ସେ ମିଲିୟନ ଡଲାରର ଛବି ପୋଡି ନଷ୍ଟ କରୁନାହାଁନ୍ତି ବରଂ ଫିଜିକାଲ ଆର୍ଟ ୱାର୍କକୁ ଏନ.ଏଫ.ଟି.କୁ କେବଳ ବଦଳାଇଛନ୍ତି । ପରେ ଜଣା ପଡିବ ମୂଳ କାମର ମୂଲ୍ୟ ଅଧିକା ନା ଡିଜିଟାଲ କାମର । ସେ ବିଷୟରେ ବେଶି ଚିନ୍ତା ନ କରି ଦେମିଏନ୍ କୁହନ୍ତି ସେ କଥା ଆର୍ଟ ଦୁନିଆ ଚିନ୍ତା କରୁ ।

ଏବେ ଆମକୁ ବୁଝିବାକୁ ହେବ ଏ ଏନ୍.ଏଫ୍.ଟି  କଣ ? ଏନ୍.ଏଫ୍.ଟି ହେଲା ନନ୍ ଫଞ୍ଜିବଲ୍ ଟୋକନ୍ । ଏହା ଏକ ଡାଟା ୟୁନିଟ୍, ଯାହାକି ଡିଜିଟାଲ ଲେଜର୍ ରେ ଷ୍ଟୋର ହେଇ ରୁହେ । ଲେଜର୍ ପୁଣି ଏକାବେଳେକେ ସାରା ପୃଥିବୀ ବ୍ୟାପି ରହିଥିବା ହଜାର ହଜାର ଅଲଗା କମ୍ପ୍ୟୁଟରରେ ସେୟାର୍ ହେଇ ରହିଥାଏ । ଯାହାକୁ ବ୍ଲକ୍ ଚେନ୍ କୁହାଯାଏ । ଫଳରେ ସହଜରେ ଡାଟାର ଏପଟ ସେପଟ କରାଯାଇପାରିବନି । ଡିଜିଟାଲ ସମ୍ପତ୍ତି ଭାବରେ ଡିଜିଟାଲ୍ ଚିତ୍ର, ଗୀତ, ଟ୍ରେଡିଂ କାର୍ଡ, ଭିଡିଓର କିଛି ଭାଗ, ମନେ ରହିଲା ପରି ଟୁଇଟ୍ ଆଦିକୁ ନିଆଯାଇପାରେ । ଆଜି କଳାକାର ଦ୍ୱାରା ପ୍ରସ୍ତୁତ କଳାକୃତିକୁ ସଂପତ୍ତି ଭାବରେ ବିଚାର କରାଯାଉଛି । ସୁନା, ରୂପା, ହୀରା ହେଉ କି ଘର ବାଡି ଆଦି ସମ୍ପତ୍ତି ପରି ଏବେ ଡିଜିଟାଲ ସମ୍ପତ୍ତିର କିଣା ବିକାର ଯୁଗ ଆସିଗଲା । ଏନ୍.ଏଫ୍.ଟି କିଣାବିକା ପାଇଁ ଆମ ପାରମ୍ପରିକ ମୁଦ୍ରା ବଦଳରେ କ୍ରିପ୍ଟୋ କଏନ୍ ର ଆବଶ୍ୟକତା ରହିଛି । କିନ୍ତୁ କ୍ରିପ୍ଟୋ କଏନ୍ ପରି ଏନ୍.ଏଫ୍.ଟିକୁ ଅଦଳ ବଦଳ କରାଯାଇପାରିବନି । ତୁମେ ଇଥର୍ କିମ୍ବା ବିଟ୍ କଏନ୍ ଦେଇ ଆଉ ଗୋଟେ କଏନ୍ ନେଇପାରିବ । ଯେମିତି ଶହେ ଟଙ୍କା ବଦଳରେ ଜଣେ କେହି ଦୁଇଟି ପଚାଶ ଟଙ୍କିଆ ନୋଟ ନେଇପାରେ । ଶହେ ଟଙ୍କା ଓ ଦୁଇଟି ପଚାଶ ଟଙ୍କିଆ ନୋଟ୍ ର ମୂଲ୍ୟ ସମାନ ରହିବ । କିନ୍ତୁ ଗୋଟେ କଳାକୃତିର ଏନ୍.ଏଫ୍.ଟି ବଦଳରେ ଆଉ ଏକ ଛବି ପାଇପାରିବନି । କାରଣ ଦୁଇ ଛବିର ଏନ୍.ଏଫ୍.ଟି ଅଲଗା । ଗୋଟେ ମୋନାଲିସା ଛବି ବଦଳରେ ତମେ ଆଉ ଗୋଟିଏ ମୋନାଲିସା ପାଇପାରିବନି । କାରଣ ସାରା ପୃଥିବୀରେ ମୋନାଲିସା ଗୋଟିଏ । ତେଣୁ କ୍ରିପ୍ଟୋ କଏନ୍ ଫଞ୍ଜିବଲ୍ ହେଇଥିବାବେଳେ ମୋନାଲିସା ନନ୍ ଫଞ୍ଜିବଲ । ଏନ୍.ଏଫ୍.ଟି ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର ଓ ଏକ ସମୟରେ ମାତ୍ର ଜଣେ ତାର ମାଲିକ ହେଇପାରିବ । ମୋନାଲିସା ପ୍ୟାରିସ୍ ର ମ୍ୟୁଜିୟମରେ ଅଛି । ଆମେ ଯାଇ ତାକୁ ଏକ ବସ୍ତୁ ଭାବରେ ଦେଖି ଛୁଇଁ ପାରିବା କିନ୍ତୁ ଏନ୍.ଏଫ୍.ଟି ହେଲା ଭର୍ଚୁଆଲ, ଡିଜିଟାଲ । ମୂଳ ମୋନାଲିସା ଛବିର ଡିଜିଟାଲ ଫଟୋ ନେଇ ଏନ୍.ଏଫ୍.ଟି କରାଯାଇପାରେ । ମନେକରାଯାଉ ଚାରୋଟି ଡିଜିଟାଲ୍ ଫାଇଲ୍ କରାଯିବ ଓ କିଏ କିଏ କିଣିଲେ ତାର ହିସାବ ବ୍ଲକ୍ ଚେନ୍ ରେ ରଖାଯିବ । ଏବେ ଆମପାଖରେ ପାଞ୍ଚଟି ମୋନାଲିସା ଛବି । ଚାରୋଟି ଡିଜିଟାଲ ଓ ଗୋଟିଏ ଫିଜିକାଲ । ଇଣ୍ଟରନେଟ୍ ରେ ମିଳୁଥିବା ହଜାର ହଜାର ମୋନାଲିସା ଛବିର କିଛି ମୂଲ୍ୟ ନଥିବାବେଳେ ଚାରୋଟି ଏନ୍.ଏଫ୍.ଟି ମୋନାଲିସାର ଗୁରୁତ୍ୱ କାହିଁରେ କେତେ ହେଇଯିବ । କାରଣ କେବଳ ଏନ୍.ଏଫ୍.ଟି ମୋନାଲିସା କିଣିଥିବା ଗ୍ରାହକ ପାଖରେ ଗୋଟେ ଟୋକନ୍ ଥିବ ଯାହାକି ଏହା ଅରିଜିନାଲ ବୋଲି ପ୍ରମାଣ ଦେବ । ଯଦି କେହି ପଞ୍ଚମ ଏନ୍.ଏଫ୍.ଟି ମୋନାଲିସାର କରି ବିକିବାକୁ ଚେଷ୍ଟା କରେ ତେବେ ବ୍ଲକ୍ ଚେନ୍ ଯୋଗୁଁ ସେ ତୁରନ୍ତ ଧରାପଡିଯିବ । କଥା ହେଲା ଏଠି ମୋନାଲିସାର ମୂଳ ଛବି ସହ ବଜାରରେ ତାର ଏନ୍.ଏଫ୍.ଟିର କିଣା ବିକା ଚାଲିବ । କିନ୍ତୁ ଦେମିଏନ୍ ଙ୍କ ଏହି କରେନ୍ସି ପ୍ରୋଜେକ୍ଟ ଅନୁସାରେ ଯେଉଁ କାମର ଏନ୍.ଏଫ୍.ଟି ରହିବ ତାର ମୂଳ କାମ ରହିବନି ।

ଡିଜିଟାଲ ଭାବରେ ମୂଳରୁ ପ୍ରସ୍ତୁତ ଛବିକୁ ଛାଡିଦେଲେ ଅସଲ ହାତ ଅଙ୍କା ଛବି ବି ତାର ଡିଜିଟାଲ ଅବତାରରେ ଏନ.ଏଫ.ଟି. ହୋଇ ଭର୍ଚୁଆଲ ପୃଥିବୀରେ ଅଛନ୍ତି । ବ୍ୟକ୍ତିଗତ ଭାବରେ ମୋର କିଛି ବାସ୍ତବ ଛବି ମଧ୍ୟ ଏନ.ଏଫ.ଟି. ହେଇଛି । ମୂଳ ଛବି ବିକ୍ରି ହେଲାପରି ସେ ଏନ.ଏଫ.ଟି. ବି ବିକ୍ରି ହେବ । ସେ କଥା ମୋ ଗ୍ୟାଲେରୀ ବୁଝୁଛି । ଜଣେ ଚିତ୍ରଶିଳ୍ପୀ ବ୍ୟକ୍ତିଗତ ଭାବରେ ମଧ୍ୟ ତାଙ୍କ କାମର ଏନ.ଏଫ.ଟି. କରି ବିକ୍ରି କରିପାରନ୍ତି । ସେଥିପାଇଁ କିଛି ନୀତିନିୟମ ଓ ପ୍ରକ୍ରିୟା ରହିଛି । ଅଳ୍ପଦିନ ତଳେ ଏହି ଏନ.ଏଫ.ଟି  ଶବ୍ଦଟି ଭାରତୀୟ ଚିତ୍ରଶିଳ୍ପୀମାନଙ୍କ ପାଇଁ ସଂପୂର୍ଣ୍ଣ ନୂଆ କଥା ଥିଲା । ଆଜି ଅନେକ ଭାରତୀୟ ସମସାମୟିକ ଚିତ୍ରଶିଳ୍ପୀଙ୍କ ଛବିର ଏନ.ଏଫ.ଟି. ମିଳିଯାଉଛି ।

ଇଂଲଣ୍ଡରେ ଏବେ ଚରମ ଆର୍ଥିକ ଦୁରାବସ୍ଥା । ରାଜନୀତିରେ ଅସ୍ଥିରତା । ସେମିତି ଏକ ସମୟରେ ଦେମିଏନ୍ କୋଟି କୋଟି ଟଙ୍କା ମୂଲ୍ୟର ଛବି ପୋଡି ନଷ୍ଟ କରିଦେଉଛନ୍ତି । ଏ କଥାକୁ ଅନେକ ସମାଲୋଚନା କରିଛନ୍ତି । ପସନ୍ଦ କରିନାହାଁନ୍ତି । ତାପରେ ଏନ.ଏଫ.ଟିକୁ ତ ପରିବେଶ ବିଶେଷଜ୍ଞମାନେ ସମାଲୋଚନା କରି ଆସୁଛନ୍ତି । ସେ ଯାହା ହେଉନା କାହିଁକି ଦେମିଏନ୍ ଙ୍କ ଏ ପ୍ରୋଜେକ୍ଟ ଅନେକଙ୍କୁ କିନ୍ତୁ ବାସ୍ତବ ଓ ଭର୍ଚୁଆଲ ଦୁନିଆକୁ ତୁଳନା କରି ଆଉଥରେ ଦେଖିବାକୁ ବାଧ୍ୟ କରିଛି । ବିଶେଷ କରି ଆଜିର ସମସାମୟିକ ଚିତ୍ରଶିଳ୍ପୀମାନଙ୍କୁ । 

Report an Error