ସକ୍ରେଟିସ୍ ଙ୍କ ଶିକ୍ଷକ

ଚିନ୍ତାନାୟକ ତଥା ଦର୍ଶନ ଶାସ୍ତ୍ରର ଜନକ କୁହାଯାଉଥିବା ପ୍ଲାଟୋ ଯେତେବେଳେ ଦର୍ଶନ ସଂପର୍କିତ ଲେଖା "ସିମ୍ପୋସିଅମ୍" ର ଏକ "ଡାଇଲଗ୍" ରେ ପ୍ରମୁଖ ଅଂଶଗ୍ରହଣକାରୀ ହିସାବରେ ଡାୟୋତିମାଙ୍କର ନାମକୁ ଉଲ୍ଲେଖ କରିଛନ୍ତି ସେତେବେଳେ ଆମକୁ ବୁଝିବାକୁ ହେବ ଯେ ଏଇଠି କୌଣସି ଲିଙ୍ଗଗତ ପକ୍ଷ ନାହିଁ ।


ଫଟୋ - ୱିକିପିଡିଆ

କାହାକୁ ଯଦି ଏମିତିରେ ସକ୍ରେଟିସ୍ ଙ୍କ ଶିକ୍ଷକ ବୋଲି କୁହାଯିବ ତାହାହେଲେ ସେହି ଗୋଟିକ କାରଣ ପାଇଁ ଏଇ କଥା ବି ଆମ ଆଗରେ ଉପସ୍ଥିତ ହୋଇଯିବ ଯେ ଯିଏ ସକ୍ରେଟିସ୍ ଙ୍କ ଶିକ୍ଷକ ସେ ଆଦ୍ୟକାଳର ଚିନ୍ତା ଜଗତର ନିଜର ପ୍ରଜ୍ଞା କାରଣରୁ ଜଣେ ନିଶ୍ଚୟ ପ୍ରତିଭାଧର ଏବଂ ବିସ୍ମୟ ଆକାରରେ ପରିଚିତି ଅର୍ଜନ କରିଥିବା ସ୍ୱାଭାବିକ ।

ସକ୍ରେଟିସ୍ ଙ୍କ ଶିକ୍ଷକ ହେଉଛନ୍ତି ମଣ୍ଟିନିଆର ଡାୟୋତିମା । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ସେ ଜଣେ ମହିଳା ଏବଂ ପୃଥିବୀର ସର୍ବଶ୍ରେଷ୍ଠ ଚିନ୍ତାନାୟକ ତାଙ୍କଠାରୁ ଯାହା ଯାହା ଶିକ୍ଷା ଗ୍ରହଣ କରିଛନ୍ତି ତାହା ମଧ୍ୟରେ ପ୍ରମୁଖତାର ସହ ରହିଛି, ସୁନ୍ଦରତା ଏବଂ ପ୍ରେମର ସ୍ୱରୂପ ଭଳି ଜଟିଳ ପ୍ରସଙ୍ଗ ।

ବିଶ୍ୱର ସର୍ବଶ୍ରେଷ୍ଠ ଚିନ୍ତା ନାୟକ ସକ୍ରେଟିସ୍ ଏମିତିରେ ନିଜ ହାତରେ ନିଜର ବିଚାରକୁ ଲିପିବଦ୍ଧ କରି ଯାଇ ନାହାଁନ୍ତି । କହିବାକୁ ଗଲେ ସକ୍ରେଟିସ୍ ଙ୍କର ପୋଥି ପ୍ରତି ଆଗ୍ରହ ନଥିଲା । ସେ ମଣିଷର ସହଜାତ ସ୍ମୃତି ଉପରେ ଗୁରୁତ୍ୱ ପ୍ରଦାନ କରୁଥିଲେ ଏବଂ ସ୍ମୃତି ନିର୍ଭରତା ହିଁ ଏକମାତ୍ର ମୌଳିକ ନିର୍ଭରତା ବୋଲି ବିଚାର କରୁଥିଲେ । ସେହି ଦୃଷ୍ଟିରୁ ସକ୍ରେଟିସ୍ ପୋଥି ତଥା ଯାହା ଲିଖିତ ଆକାର ରହିଛି ସେଥିରେ ଯେଉଁ ବିଚାରମାନ ରହିଛି ତାହାକୁ ଅଧ୍ୟୟନ କରିବା ଏକପ୍ରକାର ବାହ୍ୟ ଏବଂ ଅନାବଶ୍ୟକ ନିର୍ଭରତା ବୋଲି ମନେକରୁଥିଲେ । ସେଇଥିପାଇଁ ସକ୍ରେଟିସ୍ ନିଜର କୌଣସି ଚିନ୍ତା ତଥା ବିଚାରକୁ ସ୍ୱୟଂ ଲିପିବଦ୍ଧ କରିବା ଦିଗରେ ଆଗ୍ରହୀ ନଥିଲେ । ତାଙ୍କ ପାଇଁ ବିଚାରର ପ୍ରକାଶ କରିବାପାଇଁ ପ୍ରକୃଷ୍ଟ କ୍ଷେତ୍ର ଥିଲା ଭିନ୍ନ ଭିନ୍ନ ସଂଗୋଷ୍ଠୀ ଅର୍ଥାତ୍ ସିମ୍ପୋସିଅମ୍ ମାନଙ୍କର ଆୟୋଜନ ଏବଂ ସେଇଠି ଉପସ୍ଥିତ ସହଯୋଗୀ ବାର୍ତ୍ତାକାର ବା ଇଣ୍ଟରଲୋକ୍ୟୁଟର୍ ମାନଙ୍କର ଭିନ୍ନ ଭିନ୍ନ ପ୍ରସଙ୍ଗ ସଂପର୍କରେ ବିସ୍ତୃତ ଚର୍ଚ୍ଚା ବା ଡାଇଲଗ୍ । କହିବାକୁ ଗଲେ ଦର୍ଶନର ବିବର୍ତ୍ତନମୂଳକ ଇତିହାସର ପରିପ୍ରେକ୍ଷୀରେ ଦେଖିଲେ ସକ୍ରେଟିସ୍ ଙ୍କର ସେହି ସମୟରେ ଅନୁଷ୍ଠିତ ଏହିଭଳି ସିମ୍ପୋସିଅମ୍ ର ଡାଇଲଗ୍ ମାନ ବିଶ୍ୱର ଚିନ୍ତା ଜଗତକୁ ଚିରକାଳ ପ୍ରଭାବିତ କରି ଆସୁଅଛି । ସକ୍ରେଟିସ୍ ଙ୍କ ମଣିଷର ସହଜାତ ମୌଳିକ ସ୍ମୃତି - ନିର୍ଭରତାକୁ ଆଶ୍ରା କରି ରହିଥିଲେ ତାଙ୍କର ଏହି ସିମ୍ପୋସିଅମ୍ ର ଡାଇଲଗ୍ ର ଅମୂଲ୍ୟ ରତ୍ନମାନ ଲିପିବଦ୍ଧ ହୋଇ ନ ପାରିବା କାରଣରୁ ଚିରତର ବିସ୍ମୃତିର ଗର୍ଭକୁ ଚାଲିଯାଇଥାନ୍ତା । ସିମ୍ପୋସିଅମ୍ ଦ୍ୱାରା ତରୁଣମାନଙ୍କୁ ବିପଥଗାମୀ କରୁଥିବା ଅଭିଯୋଗରେ ସକ୍ରେଟିସ୍ ଙ୍କୁ ହେମଲକ୍ ଭଳି ଏକ ବିଷପାନ ପୂର୍ବକ ଖ୍ରୀପୂ ୩୯୯ରେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରାଯାଇଥିଲା । ସକ୍ରେଟିସ୍ ଙ୍କ ଦେହାବସାନ ପରେ ତାଙ୍କର ଶିଷ୍ୟ ପ୍ଲାଟୋ ଏବଂ ଜେନୋଫୋନ ତାଙ୍କର ପ୍ରତ୍ୟକ୍ଷ ଅଂଶଗ୍ରହଣରେ ଅନୁଷ୍ଠିତ ହୋଇଥିବା ସିମ୍ପୋସିଅମ ର ଡାଇଲଗ୍ ମାନଙ୍କୁ ପରବର୍ତ୍ତୀ କାଳ ପାଇଁ ଲିପିବଦ୍ଧ କରି ଯାଇଛନ୍ତି । ତେଣୁ ସକ୍ରେଟିସ୍ ଯାହା କହିଛନ୍ତି ବା ଯେଉଁ ବିଚାର ବ୍ୟକ୍ତ କରିଛନ୍ତି ବୋଲି କୁହାଯାଏ ତାହା ବସ୍ତୁତଃ ପରବର୍ତ୍ତୀ ସମୟରେ ପ୍ଲାଟୋଙ୍କ ଦ୍ୱାରା ଅନୁଲିଖିତ ହୋଇଅଛି ।

ସେହି ଦୃଷ୍ଟିରୁ ସକ୍ରେଟିସ୍ ଡାୟୋତିମାଙ୍କ ସଂପର୍କରେ ଅର୍ଥାତ୍ ଡାୟୋତିମାଙ୍କଠାରୁ ଯାହା ଯାହା ବିଚାର ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରାଯାଏ ତାହା ମୂଳତଃ ପ୍ଲାଟୋଙ୍କ ଅନୁଲିଖିତ ସିମ୍ପୋସିଅମ୍ ରୁ ଗୃହୀତ ।

ଗ୍ରୀସ୍ ର ମଣ୍ଟିନିଆ ବୋଲି ଗୋଟିଏ ସ୍ଥାନରେ ଡାୟୋତିମାଙ୍କ ଜନ୍ମ । ତାଙ୍କର ଜନ୍ମକାଳ ବା ତାଙ୍କର ଜୀବନବୃତ୍ତାନ୍ତ ସଂପର୍କରେ ସେମିତି କୌଣସି ତଥ୍ୟ ନାହିଁ । କେବଳ ଏତିକି କୁହାଯାଇପାରେ ଯେ ଆନୁମାନିକ ଖ୍ରୀଷ୍ଟପୂର୍ବ ୪୪୦ ବେଳକୁ ସେ ମଣ୍ଟିନିଆରୁ ଆସି ଏଥେନ୍ସରେ ବସବାସ କରୁଥିଲେ ଆଉ ସେତେବେଳେ ତାଙ୍କର ପରିଚୟ ସକ୍ରେଟିସ୍ ଙ୍କ ସହିତ ହୋଇଥିଲା ।

ତେଣୁ କାଳର କଳନାରେ ଦେଖିଲେ ସେ ହେବେ ସମ୍ଭବତଃ ପୃଥିବୀର ସର୍ବପ୍ରଥମ ନାରୀ - ଦାର୍ଶନିକ । ଦର୍ଶନର ଉଚ୍ଚ ଚିନ୍ତନ କ୍ଷେତ୍ରରେ ଆମ ସାମ୍ନାରେ ଏହିଭଳି ଲିଙ୍ଗଗତ ଆଧାରରେ ଜଣକୁ ବିବେଚନା କରିବା ଭଳି ପ୍ରେକ୍ଷାପଟଟିଏ ରହିବା ଆମକୁ ନିଶ୍ଚୟ କିଛି ପରିମାଣରେ ଅସହଜ ଲାଗିପାରେ । ଯଦି ଆମେ ଉଚ୍ଚସ୍ତରର ଚିନ୍ତନ ମନନରେ ଲିଙ୍ଗଗତ ବିଭେଦ ଦେଖୁଛୁ ତାହାହେଲେ ସମାଜର ସାଧାରଣ ଆଉ ସହଜ ବିଚାରସ୍ତରରେ ଲିଙ୍ଗଗତ ବିଭେଦର ଆଧିପତ୍ୟ ନିଶ୍ଚୟ ଯନ୍ତ୍ରଣାଦାୟକ ସ୍ତରରେ ରହିବାରେ କାହାର ଦ୍ୱିରୁକ୍ତି ରହିବ ନାହିଁ । ସେକଥା ନୁହଁ । ଡାୟୋତିମାଙ୍କୁ ନାରୀ - ଦାର୍ଶନିକ କହିବା ପଛରେ ଲିଙ୍ଗଗତ ବିଭେଦ ଅପେକ୍ଷା ଏକ ଭିନ୍ନ ପରିପ୍ରେକ୍ଷ୍ୟ ରହିଅଛି । ସୂଚନା ଦୃଷ୍ଟିରୁ ଯାହା ପ୍ରଥମ ତାହା ସହିତ ସବୁବେଳେ ଏକ ପ୍ରାରମ୍ଭ ଆଉ ଏକ ପରିବର୍ତ୍ତନର ବିପ୍ଳବ ସୂତ୍ର ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇଥାଏ । ଏହି ପ୍ରକାର ସଂଯୋଜନଟିଏ ଅନେକ କ୍ଷେତ୍ରରେ ଦୃଶ୍ୟ ହୁଏ ଅନେକ କ୍ଷେତ୍ର ଅଦୃଶ୍ୟ ବି ।

ପୃଥିବୀର ଶ୍ରେଷ୍ଠ ଚିନ୍ତାନାୟକ ତଥା ଦର୍ଶନ ଶାସ୍ତ୍ରର ଜନକ କୁହାଯାଉଥିବା ପ୍ଲାଟୋ ଯେତେବେଳେ ଦର୍ଶନ ସଂପର୍କିତ ଲେଖା "ସିମ୍ପୋସିଅମ୍" ର ଏକ "ଡାଇଲଗ୍" ରେ ପ୍ରମୁଖ ଅଂଶଗ୍ରହଣକାରୀ ହିସାବରେ ଡାୟୋତିମାଙ୍କର ନାମକୁ ଉଲ୍ଲେଖ କରିଛନ୍ତି ସେତେବେଳେ ଆମକୁ ବୁଝିବାକୁ ହେବ ଯେ ଏଇଠି କୌଣସି ଲିଙ୍ଗଗତ ପକ୍ଷ ନାହିଁ । ନିଜର ପ୍ରଗାଢ ମନନ ଶକ୍ତି ଏବଂ ଅଧ୍ୟୟନ ବଳରେ ଡାୟୋତିମା ନିଜକୁ ସେ ସମୟର ଏକ ପ୍ରବୁଦ୍ଧ ଦାର୍ଶନିକ ହିସାବରେ ପ୍ରଭାନ୍ୱିତ ତଥା ପ୍ରତିଷ୍ଠିତ କରିପାରିଛନ୍ତି । ପ୍ଲାଟୋଙ୍କ ସିମ୍ପୋସିଅମ୍ ର ସେହି ବିଶେଷ "ଡାଇଲଗ" ଅଂଶରେ ଡାୟୋତିମାଙ୍କର ଯେଉଁ ବିଚାରର ଉଲ୍ଲେଖ ରହିଛି ତାହା ବସ୍ତୁତଃ ପ୍ରେମ ଏବଂ ସୌନ୍ଦର୍ଯ୍ୟର ସ୍ୱରୂପ ସଂପର୍କିତ ବିଚାର । ପ୍ଲାଟୋ ନିଜର ଲେଖାରେ ଡାୟୋତିମାଙ୍କର ଉଲ୍ଲେଖ କରି ତାଙ୍କୁ କହିବାକୁ ଚିରକାଳ ପାଇଁ ଅମର କରିଦେଇଛନ୍ତି ।

ପ୍ଲାଟୋଙ୍କ ଉଲ୍ଲେଖରେ ଏହିଭଳି ଅମରତ୍ୱରେ ଅଭିଷିକ୍ତ ହୋଇଥିବା ଜଣେ ଦାର୍ଶନିକ ଆଉ ସେ ଯେହେତୁ ଜଣେ ନାରୀ, ତାହାହେଲେ ଆମେ କ'ଣ ଏଇଠୁ ଗୋଟିଏ ସରଳ ନିଷ୍କର୍ଷରେ ପହଞ୍ଚିଯିବା ଯେ ସେ ସମୟରେ ପୁରୁଷତନ୍ତ୍ର ନଥିଲା ବା ଯଦି ଥିଲା ତାହା କ'ଣ ଏତେ ପରିମାଣରେ ଉଦାର ଥିଲା ଯେ ତାହା ଡାୟୋତିମାଙ୍କୁ ଏବଂ ତାଙ୍କର ମନନଶୀଳତାକୁ ଅତି ସହଜ ଏବଂ ସ୍ୱାଭାବିକ ଭାବରେ ଗ୍ରହଣ କରିନେଇଥିଲା ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଆମକୁ ଆଗରୁ ଉଲ୍ଲେଖ କରାଯାଇଥିବା ସେଇ ସ୍ଥାନରେ ପହଞ୍ଚିବାକୁ ହେବ ଯେ, ପ୍ଲାଟୋଙ୍କ ସିମ୍ପୋସିଅମ୍ ରେ ଡାୟୋତିମାଙ୍କର କେବଳ ବିଚାର ବ୍ୟକ୍ତ ହୋଇ ରହିଛି । ସେ ଜଣେ ନାରୀ ବୋଲି ଉଲ୍ଲେଖ ରହିଛି । ଏହା ବ୍ୟତୀତ ତାଙ୍କର ଜୀବନ ବୃତ୍ତାନ୍ତ ସଂପର୍କରେ ଆଉ କୌଣସି ସାମାନ୍ୟତମ ସୂଚନା ବି ନାହିଁ । ଡାୟୋତିମାଙ୍କ ସଂପର୍କିତ ତଥ୍ୟର ଏହି ସୂଚନାହୀନତା ତାଙ୍କୁ ବିଶେଷରେ ଆମ ସାମ୍ନାରେ ଏମିତି ଏକ ସ୍ୱରୂପରେ ଉପସ୍ଥାପନ କରିଛି ଯେଉଁଠି ସେ ଆମକୁ ମିଥ୍ ଆକାରରେ ବେଶି ଇତିହାସ ଆକାରରେ ବହୁତ କମ୍ ପରିଚିତିରେ ଦେଖାଯିବା ଭଳି ମନେ ହୋଇଥାନ୍ତି । ଏଇ କଥାଟି ବେଶି ସଶକ୍ତ ହୁଏ ଯେତେବେଳେ ଆମେ ଦେଖୁ ଯେ ସକ୍ରେଟିସ୍ ଙ୍କ ସିମ୍ପୋସିଅମ୍ ରେ ସକ୍ରେଟିସ୍ ଏବଂ ଅନ୍ୟାନ୍ୟ ଇଣ୍ଟରଲୋକ୍ୟୁଟର ବା ବାର୍ତ୍ତାକାରମାନେ ଯେଉଁମାନେ "ଡାଇଲଗ୍" କରିଥାନ୍ତି ସେମାନେ ସବୁ ପୁରୁଷ । ଡାୟୋତିମା ସେଠାରେ ସ୍ୱତନ୍ତ୍ର ଭାବରେ କୌଣସି "ଡାଇଲଗ୍" କରିଥିବାର ବିବରଣୀ ନାହିଁ । ଡାୟୋତିମାଙ୍କ ଡାଇଲଗ୍ ବୋଲି ଯାହା କିଛି କୁହାଯାଇଛି ତାହା ବସ୍ତୁତଃ ସକ୍ରେଟିସ୍ ଙ୍କ ଦ୍ୱାରା ହିଁ ସବୁବେଳେ "ଡାୟୋତିମା ଙ୍କ ଡାଇଲଗ୍" ଆକାରରେ ରହିଥିବା ଉଲ୍ଲେଖ । ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ନଥିବା ଏବଂ ସବୁବେଳେ ଦର୍ଶନର ପ୍ରଧାନ ପୁରୁଷ ସକ୍ରେଟିସ୍ ଙ୍କ ଉଲ୍ଲେଖରେ ନିଜର ଅସ୍ତିତ୍ୱକୁ ସାବ୍ୟସ୍ତ କରୁଥିବା କାରଣରୁ ଡାୟୋତିମାଙ୍କୁ ଐତିହାସିକ ଚରିତ୍ର ବଦଳରେ ଏକ କାଳ୍ପନିକ ଚରିତ୍ର ଆକାରରେ ବେଶି ସତ୍ୟର ପାଖାପାଖି ଲାଗେ । ଡାୟୋତିମା ଅସଲରେ ବାସ୍ତବ ନା କାଳ୍ପନିକ ଏଇ ଦ୍ୱନ୍ଦ୍ୱଟି ଆମ ଆଗରେ ରହିଥିବା ପଛରେ ପୁରୁଷତନ୍ତ୍ରର ସ୍ୱଭାବ ସୁଲଭ ସତ୍ତା ଖେଳ ରହିଛି, ଯେଉଁଠି ନାରୀ ହେଉଛି ଏକ ନ୍ୟୁନତମ ଉପନିବେଶ । ପୁରୁଷ ଆଧିପତ୍ୟକୁ ପ୍ରତିଷ୍ଠିତ କରିବାକୁ ଗଲାବେଳେ ନାରୀକୁ ନ୍ୟୁନ କରିବାକୁ ପଡିବ । ବିଶେଷରେ ଚିନ୍ତାକ୍ଷେତ୍ରରେ ନାରୀକୁ ଅଗ୍ରାଧିକାର, ଏକଥା କୌଣସି ପୁରୁଷତନ୍ତ୍ର କଦାପି ଚାହିଁବ ନାହିଁ । ସେଇଥିପାଇଁ ବାସ୍ତବ ଆଉ ପ୍ରତୀକର କୁହୁଡିରେ ଆଚ୍ଛନ୍ନ ହୋଇ ରହିବା ଡାୟୋତିମାଙ୍କ ଭଳି ଦର୍ଶନରାଣୀଙ୍କ ନିୟତି । ଉପେକ୍ଷିତ ହୋଇ ରହିବା ହେଉଛି ସେହି ନିୟତି । ତେଣୁ ତାଙ୍କ ବିଷୟରେ ଅଧିକ କିଛି କାହାର ସ୍ମରଣରେ ନଥାଉ, ଏହା ସଂଭବତଃ ଏକ ପୁରୁଷତନ୍ତ୍ରର କୌଶଳ ।

କେହିକେହି ଯୁକ୍ତି କରନ୍ତି ଡାୟୋତିମା ହେଉଛନ୍ତି ପ୍ଲାଟୋଙ୍କର ଏକ ସାହିତ୍ୟ - ସଂରଚନାତ୍ମକ ଉପକରଣ । ଲେଖକ ଯେମିତି ନିଜ କଥା କହିବା ପାଇଁ ଗୋଟିଏ ଚରିତ୍ରକୁ ବାଛେ, ଠିକ୍ ସେହିପରି । ଚରିତ୍ରଟି ସତ ନା ମିଛ ଏକଥା ଲେଖକ ଅନ୍ୟମାନଙ୍କ ଉପରେ ଛାଡିଦେଇଥାଏ ମାତ୍ର ନିଜର ଦରକାର ହେଉଥାଏ ବୋଲି ସେ ଏମିତି ଚରିତ୍ରଟିଏ ବାଛିଥାଏ । କେତେକଙ୍କ ଯୁକ୍ତିରେ ପ୍ଲାଟୋ ଡାୟୋତିମାଙ୍କ ମାର୍ଫତରେ ଜଣେ ପ୍ରକୃତ ଦାର୍ଶନିକ କେଉଁଭଳି ହେବା ଉଚିତ ସେହିଭଳି ଏକ ପ୍ରତିରୂପ ନିର୍ମାଣ କରିଛନ୍ତି । ସିମ୍ଫୋସିଅମ୍ ରେ ନିଜର ପ୍ରମୁଖ ବିଚାର ସହଯୋଗୀ ଆଗାଥନ୍ ଙ୍କ ସମ୍ମୁଖ ରେ ଏହିଭଳି ଏକ ଆଦର୍ଶ ଦାର୍ଶନିକର ପ୍ରତିରୂପ ରହିବା ଆବଶ୍ୟକ । ଏହା ସହିତ ଏକଥା ମଧ୍ୟ ଉଲ୍ଲେଖ କରାଯିବା ଉଚିତ ଯେ ପ୍ଲାଟୋଙ୍କ ଲିଖିତ "ଫାଡ୍ରୋସ୍" ଗ୍ରନ୍ଥରେ ଯେଉଁଠି ସକ୍ରେଟିସ୍ ଓ ଇଣ୍ଟରଲୋକ୍ୟୁଟର ଫାଡ୍ରୋସ୍ ଭିନ୍ନ ଭିନ୍ନ ବିଷୟରେ ପରିଚର୍ଚ୍ଚା କରୁଛନ୍ତି ସେଇଠି ଗୋଟିଏ ସ୍ଥାନରେ ସକ୍ରେଟିସ କହୁଛନ୍ତି ଯେ, ନିଜର ବଚନରେ ଶକ୍ତି ସାମର୍ଥ୍ୟ ପ୍ରଦାନ କରିବାକୁ ହେଲେ ନିଜର ଆତ୍ମାକୁ ସଠିକ ଭାବରେ ପରିଚାଳିତ କରିବା ଆବଶ୍ୟକ, ବାର୍ତ୍ତାକାରର ଆତ୍ମାକୁ ତେଣୁ ଭଲଭାବରେ ଜାଣିବା ଦରକାର । ସେଇଠି ଜଣେ ନାରୀକୁ ସହଯୋଗୀ ବାର୍ତ୍ତାକାର କରିବାର ଅର୍ଥ ହେଉଛି ନିଜର ଅବସ୍ଥାନକୁ ଯଥେଷ୍ଟ ସଂପ୍ରେଷଣକ୍ଷମ କରିପାରିବା । ନିଜର ବିଚାରକୁ ତେଣୁ ଏକ ପ୍ରକାର ପୂର୍ଣ୍ଣରୂପ ଦେବାପାଇଁ ବିଚାର ଦୃଷ୍ଟିରୁ ଗୋଟିଏ ପୁରୁଷର ଗୋଟିଏ ନାରୀର ଆବଶ୍ୟକତା ପଡିଛି । ତେଣୁ ଦର୍ଶନର ପରିସରରେ ଉଦ୍ଭାସିତ ହୋଇଛନ୍ତି ଡାୟୋତିମା ।

ଦର୍ଶନର କେନ୍ଦ୍ରରେ ଅବସ୍ଥିତ ଏହି ଦର୍ଶନ - ନାୟିକା ଡାୟୋତିମା ଯେତେ ରହସ୍ୟମୟ ହୋଇଥାନ୍ତୁ, ତାଙ୍କର ବାସ୍ତବ ସ୍ଥିତିକୁ ନେଇ ଯେତେ ବାମାବାଦୀ ଅଧ୍ୟୟନ ହେଉ ଆମର ଏଠାରେ କିନ୍ତୁ ତାଙ୍କର ବିଚାର ବୋଲି ଯାହା ସକ୍ରେଟିସ୍ କହିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଡାୟୋତିମା ସେତେବେଳର ଏକ କଳ୍ପନା ବୋଲି ଯଦି କେହି ମନେକରୁଥାନ୍ତି ତେବେ ସେତେବେଳେ ସେ ନଥିଲେ ଆଉ ଏବେ ଆମପାଖରେ ବି ନାହାଁନ୍ତି କିନ୍ତୁ ସେତେବେଳେ ତାଙ୍କ ନାମରେ ବିଚାର ଥିଲା ଆଉ ଆଜି ବି ଆମ ପାଖରେ ତାଙ୍କ ନାଆଁରେ ସେହି ବିଚାର ରହିଅଛି ।

କାଳର କ୍ରମରେ ଦେହର ବିଚାର ରହେ ନାହିଁ, ଯାହା ରହିଥାଏ ତାହା ହେଉଛି ବିଚାରର ଦେହ । ସେହିଭଳି ଏକ ସ୍ପଷ୍ଟ ବିଚାରର ଦେହ ସହିତ ଉପସ୍ଥିତ ରହିଛନ୍ତି ଦର୍ଶନ - ନାୟିକା ଡାୟୋତିମା ।

ସକ୍ରେଟିସ୍ ଆଉ ପ୍ଲାଟୋଙ୍କ ସମୟରେ "ସିମ୍ପୋସିଅମ୍" କହିଲେ ଦଳେ ପୁରୁଷ ଏକାଠି କୌଣସି ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ପ୍ରଶ୍ନ ଉପରେ ପରିଚର୍ଚ୍ଚା କରିଥାନ୍ତି ବୋଲି ଆଗରୁ ଉଲ୍ଲେଖ କରାଯାଇଛି । ସିମ୍ପୋସିଅମ୍ ର ଶେଷରେ ସମସ୍ତେ ଏକତ୍ର ପାନାହାର କରୁଥିଲେ । ତେଣୁ ସିମ୍ପୋସିଅମ୍ ରେ କେବଳ ବିଚାର ପକ୍ଷଟିର ଯେ ଗୁରୁତ୍ୱ ରହିଥିଲା ସେକଥା ନୁହଁ, ଏହା ସହିତ ଏକ ସାମୂହିକତା ମଧ୍ୟ ପ୍ରତିଷ୍ଠିତ ହେଉଥିଲା ଯାହାର ଆଧାର ଥିଲା ବୈଚାରିକତା । ସିମ୍ପୋସିଅମ୍ ର ମହତ୍ତ୍ୱ କହିଲେ ସେତିକି । ଏହା ଏହିଭଳି ଗୁରୁତ୍ୱ ଏବଂ ପ୍ରଭାବ ବହନ କରୁଥିବାର ପ୍ରମାଣ ହେଉଛି ସେତେବେଳର ଶାସକ ଭୟଭୀତ ହୋଇ ସକ୍ରେଟିସ୍ ଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିବା ।

ଏବେ ଡାୟୋତିମାଙ୍କ ଉଲ୍ଲେଖ ପ୍ରସଂଗକୁ ଯିବା ଆଉ ଦେଖିବା ତାଙ୍କର ଉଲ୍ଲେଖଟିର ସ୍ୱରୂପ ସେଇଠି କେଉଁପରି ରହିଅଛି ।

ଗୋଟିଏ ସିମ୍ପୋସିଅମ୍ ରେ ଅଭ୍ୟର୍ଥନାକାରୀ ଆଗାଥନ୍ ଅଂଶଗ୍ରହଣକାରୀ ବାର୍ତ୍ତାକାରଗଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିଛନ୍ତି । ତାହା ହେଉଛି ପ୍ରେମର ଅସଲ ସ୍ୱରୂପ କ'ଣ ଆଉ ଏହା ଉପରେ ସମସ୍ତେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି । ସମସ୍ତଙ୍କର ବକ୍ତବ୍ୟକୁ ଶୁଣିସାରିବା ପରେ ସକ୍ରେଟିସ୍ ନିଜର ବକ୍ତବ୍ୟ ରଖିବାବେଳେ ପ୍ରଥମ ଥର ଡାୟୋତିମାଙ୍କର କଥା ଉଲ୍ଲେଖ କରିଛନ୍ତି । ସେ ସେଇଠି କହିଛନ୍ତି ଯେ ସେ ମଣ୍ଟିନିଆର ଡାୟୋତିମାଙ୍କ ଦ୍ୱାରା "ପ୍ରେମର ଦାର୍ଶନିକ" ପକ୍ଷ ଦ୍ୱାରା ବିଶେଷ ଭାବରେ ପ୍ରଶିକ୍ଷିତ ହୋଇ ଅଛନ୍ତି । ଡାୟୋତିମାଙ୍କ ସଂପର୍କରେ ଆଉ ଟିକିଏ ବିସ୍ତାରରେ କହିବାକୁ ଯାଇ ସକ୍ରେଟିସ୍ ଉଲ୍ଲେଖ କରିଛନ୍ତି ଯେ ଡାୟୋତିମା ହେଉଛନ୍ତି ଜଣେ ବିଜ୍ଞ ଏବଂ ବିଦୂଷୀ ମହିଳା । ପ୍ରଖର ପ୍ରଜ୍ଞାବତୀ ହେବା ତାଙ୍କର ଏକମାତ୍ର ପରିଚୟ ନୁହଁ ତାହା ସହିତ ସେ ଏକାଧାରରେ ଜଣେ ଦାର୍ଶନିକ ଏବଂ ପୁରୋହିତ । ଏହାବ୍ୟତୀତ ସେଇଠି ଡାୟୋତିମାଙ୍କୁ ଏକପ୍ରକାର ପରିଚିତି ପ୍ରଦାନ କରିବାକୁ ଯାଇ ସକ୍ରେଟିସ୍ ପୁଣି କହିଥିଲେ, ସେ ହେଉଛନ୍ତି ଏହିଭଳି ଜଣେ ମହିଳା ଯିଏ ଯଥେଷ୍ଟ ଆଗରୁ ଜାଣିପାରିଥିଲେ ଯେ ଏଥେନ୍ସରେ ଏକ ମହାମାରୀ "ପ୍ଲେଗ୍" ଆସିବାକୁ ଯାଉଛି । ତେଣୁ ସେ ସମସ୍ତ ଏଥେନ୍ସବାସୀଙ୍କୁ ସତର୍କ କରିଦେଇଥିଲେ, ଯାହାଫଳରେ ସେମାନେ ଉପଯୁକ୍ତ ବଳି ପ୍ରଦାନପୂର୍ବକ ଦେବୀଙ୍କ ଶରଣାପନ୍ନ ହୋଇଥିଲେ । ସେହି କାରଣରୁ ଏଥେନ୍ସକୁ ଆସୁଥିବା ମହାମାରୀ ପ୍ଲେଗ୍ ସେଇଠୁ ଅପସରି ଯାଇଥିଲା । ଏହି କାରଣରୁ ଡାୟୋତିମା ଜଣେ ତ୍ରିକାଳଦର୍ଶୀ ଭବିଷ୍ୟବକ୍ତା ବୋଲି ସକ୍ରେଟିସ୍ କହିଥିଲେ । ସକ୍ରେଟିସ୍ ତାଙ୍କ ଭିତରେ ଦର୍ଶନର ଅମୂର୍ତ୍ତ ଅବବୋଧ ସହିତ ଭୌତିକ ଜଗତର ଅବଧାରଣା ସମନ୍ୱିତ ଭାବରେ ସମାହିତ ହୋଇ ରହିଛି ବୋଲି ମନେକରିଛନ୍ତି ।

ଏଇଠି ସେଇ ସମୟର ପ୍ରସଙ୍ଗ ଆସିଛି ଯେତେବେଳେ ଜଣେ ତରୁଣ ଛାତ୍ର ହିସାବରେ ସକ୍ରେଟିସ୍ ଡାୟୋତିମାଙ୍କ ନିକଟକୁ ଯାଉଥିଲେ । ସେତେବେଳେ ସେ ଡାୟୋତିମାଙ୍କ ନିକଟରୁ "ପ୍ରେମ ତତ୍ତ୍ୱ" ସଂପର୍କରେ ଶିକ୍ଷା ଲାଭ କରିଅଛନ୍ତି । ଡାୟୋତିମା ପ୍ରେମ ତତ୍ତ୍ୱକୁ ସାଧାରଣତଃ "ପ୍ରେମର ଗୋଟିଏ ସିଡି" ବା "ଏ ଲାଡର୍ ଅଫ୍ ଲଭ୍" ବୋଲି ଡାଇଲଗ୍ ରେ କହୁଥିଲେ । ତାଙ୍କ ଅନୁସାରେ ଗୋଟିଏ ସୁନ୍ଦର ଦେହର ସବାତଳେ ରହିଥାଏ କାମନା ଏବଂ ବାସନା ବା ଡିଜାୟାର୍ ଏବଂ ଲଷ୍ଟ । ସେଇଠୁ ସିଡିଟିଏ ପଡିଛି ଏବଂ ପ୍ରେମ ସମ୍ମତ ହେବା ଅନୁସାରେ ଜଣେ ସେଇ ସିଡିରେ ଆରୋହଣ କରି ପ୍ରେମର ଶୀର୍ଷକୁ ପହଞ୍ଚି ପାରିବ । ପ୍ରେମର ସ୍ୱରୂପକୁ ବୁଝିବା ପାଇଁ ଡାୟୋତିମା ଏଇଭଳି ଯେଉଁ ସିଡିର କଥା କହିଛନ୍ତି ସେଥିରେ ଛଅଗୋଟି ଧାପ ରହିଛି । ଉପରକୁ ଉପରକୁ ଉଠିବାର ସେଇ ଛଅ ଗୋଟି ଧାପ ହେଉଛି, ପ୍ରଥମରେ ଜଣକର ନିଜର ଶରୀର ପ୍ରତି ସୁନ୍ଦରବୋଧ ଏବଂ ପ୍ରେମ, ଦ୍ୱିତୀୟରେ ସମସ୍ତ ସୁନ୍ଦର ଶରୀର ପ୍ରତି ପ୍ରେମ, ତୃତୀୟରେ ଆତ୍ମାରେ ଥିବା ସୁନ୍ଦରତା ପ୍ରତି ପ୍ରେମ, ଚତୁର୍ଥରେ ସମସ୍ତ ସର୍ବସାଧାରଣ ଅନୁଷ୍ଠାନର ସୁନ୍ଦରତା ପ୍ରତି ପ୍ରେମ, ପଞ୍ଚମରେ ସାଧାରଣ ଜ୍ଞାନର ସୁନ୍ଦରତା ପ୍ରତି ପ୍ରେମ ଏବଂ ସବା ଉପରେ ଶେଷରେ ପହଞ୍ଚିପାରିଥିବା ଲୋକ ଜଣକ ହେଉଛି ଜଣେ ବସ୍ତୁତଃ ପ୍ରେମିକ ଯିଏ ସ୍ୱାଭାବିକ ଭାବରେ ସମସ୍ତ ସୁନ୍ଦରତା ପ୍ରତି ପ୍ରେମପ୍ରକାଶ କରିପାରିବ । ସୁନ୍ଦରତାର ସେହି ସିଡିକୁ ଆରୋହଣ କରି ଶୀର୍ଷରେ ପହଞ୍ଚିପାରିଥିବା ବ୍ୟକ୍ତି ଆଗରେ ଡାୟୋତିମାଙ୍କ କହିବା ଅନୁସାରେ ଦେଖିବାକୁ ରହିଥିବା ସମୁଦ୍ରର ଅପରିସୀମ ବିସ୍ତାରର ଏକ ସୌନ୍ଦର୍ଯ୍ୟବୋଧ । ତାହାକୁ ସେ ଚିରତର ପ୍ରଶଂସା କରୁଥିବ ଆଉ ଏହିଭଳି ପ୍ରସାରିତ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଥିବା କାରଣରୁ ତାହା ଭିତରେ କ୍ରମଶଃ ସଂଚରି ଯାଉଥିବ ଗୁଣ ଏବଂ ନୈତିକ ଔଚିତ୍ୟବୋଧ ।

ତାହାପରେ ଡାୟୋତିମା କହିଛନ୍ତି ଯେ ଯିଏ ନିଜ ଭିତରେ ସୁନ୍ଦରତା ପ୍ରତି ପ୍ରେମ ବିକଶିତ କରିପାରିଛି ସେ ହେଉଛି ଅନେକାଂଶରେ ଶୁଦ୍ଧ ଆଉ ପବିତ୍ର । ଆଉ ଏଇଠୁ ଜଣକୁ ଯେଉଁ ଦୃଷ୍ଟିଜ୍ଞାନ ମିଳେ ତାହା ହେଉଛି ଏକ ଏକକ ବିଜ୍ଞାନ । ପ୍ରେମ ତତ୍ତ୍ୱରେ ଡାୟୋତିମାଙ୍କର ଏହି ବିଶେଷ ଦୃଷ୍ଟିର ଏକକ ବିଜ୍ଞାନଟି ହେଉଛି, ସୁନ୍ଦରର ଅବସ୍ଥାନ ସର୍ବତ୍ର । ଏହା ଫଳରେ ଯାହା ଦୃଶ୍ୟ ତାହା ତ ସୁନ୍ଦର ଯାହା ଅଦୃଶ୍ୟ ତାହାକୁ ବି ଧରି ରଖିହେବ ଚିର ସୁନ୍ଦରତାରେ ।

ଡାୟୋତିମାଙ୍କ ଅନୁସାରେ ତେଣୁ ସୁନ୍ଦରତା ଏକ ଲକ୍ଷ୍ୟସ୍ଥଳ ନୁହଁ ବରଂ ସୁନ୍ଦରତା ହେଉଛି ଏକ ମାଧ୍ୟମ ଯାହା ଫଳରେ ଜଣେ ଆଉ କିଛି ଅଧିକ, ଅର୍ଥାତ୍ ସମଥିଙ୍ଗ ଗ୍ରେଟର୍ କୁ ଲାଭ କରିପାରିବ । ଏହା କହିବାକୁ ଗଲେ ଯାହା ଥିଲା ବା ଯାହା ଆଗରୁ ରହିଛି ତାହାର ପୁନଃ ସ୍ଥାପନର ଏକ ପ୍ରଜନନର ସ୍ୱୀକୃତି, ଏହା ଯେହେତୁ ଚିରସ୍ଥାୟୀ ତେଣୁ ଏହା ଅମରତ୍ୱର ପଥ ବିଶେଷ ।

ଏହି କଥାଟି ଆସିଛି ଯେତେବେଳେ ସକ୍ରେଟିସ୍ ଡାୟୋତିମାଙ୍କୁ ପଚାରିଛନ୍ତି, ପ୍ରେମର କାମ କହିଲେ କ'ଣ ? ତାହାର ଉତ୍ତରରେ ଡାୟୋତିମା କହିଛନ୍ତି, ପ୍ରେମର ଅସଲ କାମ ହେଉଛି ଦେହ ଆଉ ଆତ୍ମାର ପରିପ୍ରେକ୍ଷ୍ୟରେ କୌଣସି ସୁନ୍ଦରତା ଭିତରୁ ଏକ ଶିଶୁର ଜନ୍ମ । ସବୁ ମଣିଷ ଗର୍ଭବାସରେ ଥାଆନ୍ତି, ଶରୀରରେ ହେଉ କି ଆତ୍ମାରେ ହେଉ ଆମେ ଯେତେବେଳେ ପରିପକ୍ୱ ହେଉ ଏହା ସ୍ୱାଭାବିକ ଯେ ଆମ ଭିତରେ ପ୍ରସବ କରିବାର କାମନା ଆସିଥାଏ । ଡାୟୋତିମା ସକ୍ରେଟିସ୍ ଙ୍କୁ ଯେମିତି କହିଥିଲେ ବୋଲି ସକ୍ରେଟିସ୍ କହିଛନ୍ତି ତାହା ଅନୁସାରେ ଗର୍ଭବାସ ହେଉଛି ଅବଧାରଣର ବସ୍ତୁତଃ ପ୍ରଜନନ । ସାଧାରଣ ଗର୍ଭବାସ ପାଇଁ ଜଣକୁ ଆଉ ଜଣକର ଆବଶ୍ୟକ ହୋଇଥାଏ ମାତ୍ର ଏଇଠି ଯେଉଁ ଅବଧାରଣାର ଗର୍ଭବାସ କଥା କୁହାଯାଉଛି ସେଇଠି ଜଣକର ଆଉ ଅନ୍ୟ ଗର୍ଭବାସ ଭଳି କେବଳ ଜଣକୁ ଲୋଡା ପଡିବ ନାହିଁ । ଅବଧାରଣାର ଗର୍ଭବାସ ପାଇଁ ଜଣକର ଆଉ ଅନେକଙ୍କୁ ଆବଶ୍ୟକ ହୋଇଥାଏ ।

ଗର୍ଭବାସର ଉଲ୍ଲେଖ ଦ୍ୱାରା ନିଜର କଥାକୁ ପ୍ରାମାଣିକ ଭାବରେ କେବଳ ଜଣେ ନାରୀ କହିପାରିବ ବୋଲି କ'ଣ ଡାୟୋତିମା ଭଳି ଦର୍ଶନରାଣୀଙ୍କର ସୃଷ୍ଟି, ସେକଥା ଠିକ୍ ରେ କହିବ କିଏ ? ମାତ୍ର ଗର୍ଭବାସ ଆଉ ପ୍ରଜନନକୁ ନେଇ ସେ ନିଜର ବକ୍ତବ୍ୟକୁ ବୁଝାଇଛନ୍ତି ସକ୍ରେଟିସ୍ ଙ୍କୁ । ସେ ଏ ସଂପର୍କରେ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ତାହାହେଉଛି, ଯେଉଁଠି ହୋମର ଆଉ ହେସିଓଦ୍ ଙ୍କ ଭଳି ପ୍ରଖ୍ୟାତ କବି ରହିଛନ୍ତି ସେଇଠି ଜଣେ ଆଉ ଜଣେ ସାଧାରଣ ଲୋକର ସନ୍ତାନ ଚାହିଁବ କାହିଁକି ? ତେଣୁ ନିଜର ସଂତାନ ହେଲାବେଳେ ସେମାନଙ୍କର ପ୍ରତିଷ୍ଠାକୁ ଅତିକ୍ରମ କରିବାକୁ ଚାହିଁବାବେଳେ ସେମାନଙ୍କର ସ୍ମୃତି ଆଉ ଗୌରବକୁ ଆଢୁଆଳରେ ରଖିଥିବ । ଏବଂ ଏହା ଫଳରେ ସେ ସେମାନଙ୍କୁ ଅମରତ୍ୱ ପ୍ରଦାନ କରୁଥିବ । ଡାୟୋତିମା ଏହି ପ୍ରଜନନକୁ ସାଧାରଣ ପ୍ରଜନନ ଅର୍ଥରେ କହିନାହାଁନ୍ତି । ଏହି ପ୍ରକାର ପ୍ରଜନନ ହେଉଛି ସୁନ୍ଦରତାର ପରିପ୍ରକାଶ । ଜଣେ ସ୍ୱାର୍ଥପର ଭାବରେ ଉତ୍ତମ ହେବାକୁ ଚେଷ୍ଟା କରିଥାଏ ଆଉ ନିଜର "ଉତ୍ତମ" କୁ ଲାଭ କରାଯାଇଥାଏ ଏହିଭଳି ଅମରତ୍ୱର ପ୍ରଜନନରେ, ସୁନ୍ଦରବୋଧର ତାତ୍ତ୍ୱିକତାରେ ।

ସେହି ସିମ୍ପୋସିଅମ୍ ରେ ଡାୟୋତିମାଙ୍କ ଡାଇଲଗ୍ କୁ ଉଲ୍ଲେଖ କଲାବେଳେ ସକ୍ରେଟିସ୍ ନିଜର ଅଜ୍ଞତାର କହିଛନ୍ତି, ଡାୟୋତିମାଙ୍କ ବିଚାର ଦ୍ୱାରା ସେ ପରିପୁଷ୍ଟ ହୋଇଛନ୍ତି ବୋଲି କହିଛନ୍ତି । ସକ୍ରେଟିସ୍ ଙ୍କ ଡାୟୋତିମାଙ୍କର ସେହି ଉଲ୍ଲେଖ ପରିପ୍ରେକ୍ଷୀରେ ଆଉ ଗୋଟିଏ କଥା ମନକୁ ଆସେ । ସାଧାରଣତଃ ଆମେ ଯାହାକୁ ସକ୍ରେଟିସ୍ ଙ୍କ ପଦ୍ଧତି ବା ସକ୍ରେଟିକ୍ ମେଥଡ୍ ବୋଲି କହିଥାଉ ଅତି ସରଳ କଲେ ତାହା ଏହିପରି ହେବ ଯେଉଁଠି ଯୁକ୍ତିମୂଳକ କଥାବାର୍ତ୍ତାରେ ବିଶେଷରେ ଜଣକ ସାମ୍ନାରେ ଗୁଡାଏ ପ୍ରଶ୍ନ ରଖାଯାଉଥିବ ଏବଂ ଏହା ଫଳରେ ସେହିଜଣକ କ୍ରମଶଃ ଏକ ବିକଳ୍ପ କ୍ଷେତ୍ର ଆଡକୁ ଅଗ୍ରସର ହେଉଥିବ । ସମ୍ଭବତଃ ସକ୍ରେଟିସ୍ ନିଜର ଏହି ପଦ୍ଧତି ଡାୟୋତିମାଙ୍କଠାରୁ ଶିକ୍ଷା ଆକାରରେ ଗ୍ରହଣ କରିଛନ୍ତି ।

ଡାୟୋତିମାଙ୍କ ସୁନ୍ଦରପଣରେ ସମ୍ମତ ରହିବାର ଅବବୋଧ, ସାମୂହିକତାରେ ସୁନ୍ଦରପଣ, ସୁନ୍ଦରର ବିସ୍ତାରରେ ନିରନ୍ତରତା ତଥା ଅମରତ୍ୱ ଏବଂ ସେହି ଅମରତ୍ୱର ଗର୍ଭବାସ ଏବଂ ପ୍ରଜନନରେ ଯେଉଁ ପ୍ରେମର ତାତ୍ତ୍ୱିକତା ନିହିତ ରହିଛି ତାହା ନିଶ୍ଚିତ ଭାବରେ ଏକ ବିକଳ୍ପ ସ୍ଥାୟୀତ୍ୱ ଆମର ଚେତନାରେ ପ୍ରତିସ୍ଥାପିତ କରିବ ।

ଶେଷରେ କେବଳ ଏତିକି । ଡାୟୋତିମା ଜଣେ ଶିକ୍ଷକ ହିସାବରେ ସକ୍ରେଟିସ୍ ଙ୍କ କ୍ଷେତ୍ରରେ ବାସ୍ତବ ହୁଅନ୍ତୁ କି ପ୍ରତୀକ ହୁଅନ୍ତୁ ସେଇଟି ବଡ କଥା ନୁହଁ, ସବୁଠୁ ବଡ କଥା ହେଉଛି ଜଣେ ଶିକ୍ଷକର ଏକମାତ୍ର କର୍ତ୍ତବ୍ୟ ହେଉଛି ସବୁବେଳେ ଯଥାସମ୍ଭବ ଅଣ - ଅସ୍ତିତ୍ୱ ହୋଇ ରହିବା ।

ଯଦି କାହାର କାହାର ଏମିତି ଅଣ - ଅସ୍ତିତ୍ୱରେ କେଉଁଠି ଗୋଟିଏ ଗୋଟିଏ ସକ୍ରେଟିସ୍ ର ଉଦଗମ୍ ହୋଇପାରେ ଆମ ଚିନ୍ତା ଜଗତ ପାଇଁ ତାହା ହିଁ ଯଥେଷ୍ଟ ।