ଗଛ ଖାଉଥିବା ବାଡ଼

ଖାଦ୍ୟ ଯେତେ ସ୍ୱାସ୍ଥ୍ୟକର ହେଉନା କାହିଁକି, ଯଦି ଆମେ ତାକୁ ଜୋର୍ ଜବରଦସ୍ତି କରି ଖୁଆଉ ବା ପିଲାକୁ ବାଧ୍ୟବାଧକତାରେ ତାହା ଖାଇବାକୁ ପଡ଼େ, ତେବେ ସେଥିପ୍ରତି ପିଲାର ବିତୃଷ୍ଣା ଆସିବା ସ୍ଵାଭାବିକ।


ଜୀବନରେ ଶୃଙ୍ଖଳା ଜରୁରୀ ସତ କଥା; କିନ୍ତୁ ପିଲାମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ବଡ଼ମାନେ ଯେଉଁ କାମ ସବୁ ବାଧ୍ୟ କରି ଲଦି ଦିଅନ୍ତି ତାହା ସବୁବେଳେ ଓଲଟା ଫଳ ଦେଖାଏ ।

କାଲି ଅନୁରାଗର ମାଆ ଫୋନ୍‌ କରି କହିଲେ, ଆଗକୁ ପୁଅର ଜେ.ଇ.ଇ ମେନ୍‌ ପରୀକ୍ଷା ଅଛି । ହେଲେ ଏଯାଏଁ ବି ସେ ଟିକେ ସିରିୟସ୍ ହେଉନି । କିଛି ବି ଡିସିପ୍ଲିନ୍ ନାହିଁ ପିଲାଟାର । ଖାଇବା, ଶୋଇବା କି ପଢ଼ିବା ସମୟର କିଛି ବି ନିର୍ଦ୍ଦିଷ୍ଟତା ନାହିଁ । ଏମିତି କ'ଣ ହୁଏ ? ଏମିତି ହେଲେ ସେ ଜୀବନରେ କିଛି ବି ଆଚିଭ୍ କରିପାରିବନି । ଏଡ଼େ ବଡ଼ ପିଲାଟେ ହେଲାଣି ଏବେ ବି ମୁଁ ସକାଳୁ ସକାଳୁ ତା' ଉପରେ ପାଣି ପକେଇଲେ ଯାଇ ନିଦ ଭାଙ୍ଗୁଛି । ଖାଇବାରେ ତ ଖାଲି ଫାଷ୍ଟଫୁଡ୍ ହିଁ ପସନ୍ଦ ।

ତାଙ୍କ କଥା ଶୁଣି ମୋର ପିଲାଦିନ କଥା ମନେପଡ଼ିଗଲା । ମନେ ପଡ଼ିଗଲା; ପିଲାଦିନେ ମୁଁ କେତେ କଡ଼ା ଶୃଙ୍ଖଳା ଭିତରେ ରହିଥିଲି ଓ ତା'ର ଫଳସ୍ବରୂପ ବଡ଼ ହେବା ପରେ ମୁଁ କେତେ ଅଧିକ ବିଶୃଙ୍ଖଳିତ ହୋଇଗଲି । ଖାଲି ମୁଁ କାହିଁକି ମୋ ପରି ଅନେକ ପିଲା ମଧ୍ୟ ଏମିତି ପରିସ୍ଥିତି ଦେଇ ଆସିଛନ୍ତି । ଅନେକେ ମୋ ସହ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ମଧ୍ଯ । ତେବେ ଆଜି ଏଇଠି ମୋ ଉଦାହରଣ ଦେଉଛି ।

କଥା କ'ଣ କି ମୋର ଜନ୍ମ ଗୋଟିଏ ସ୍କୁଲ୍ ବୋର୍ଡିଂରେ, ମୋ ସାନ ଭାଇ କୁନିର ବି । ତେଣୁ ଜନ୍ମ ହେବା ଦିନଠୁ ହିଁ ଆମେ ଗୋଟିଏ ବିଦ୍ୟାଳୟର ଅନ୍ତେବାସୀ । ଆମ ଘରେ ଯେହେତୁ ସ୍କୁଲ୍ ଚାଲିଥିଲା ଓ ମାଆବାପା ଯେହେତୁ ନିଜ ଶ୍ରମ, ସମୟ, ଅର୍ଥ, ସମ୍ପର୍କ ସବୁ ଦେଇ ସେଇଟିକୁ ଗଢିଥିଲେ, ଆମେ ତେଣୁ ସେମିତି ଏକ ପରିବେଶରେ ରହିବାକୁ ବାଧ୍ୟ ହୋଇଥିଲୁ । ଅନ୍ୟ ହଷ୍ଟେଲ୍ ପିଲାଙ୍କ ସାଙ୍ଗରେ ଦେଢ଼ ଦୁଇ ବର୍ଷ ବେଳୁ ଧାଡିରେ ଠିଆ ହୋଇ ହାତରେ ଟ୍ରେ ଧରି ଖାଇବାଠୁ ଆରମ୍ଭ କରି ସନ୍ଧ୍ୟାରେ ମେଡିଟେସନ୍‌ ଯାଏ ସବୁ କରୁଥିଲୁ । ଆମ ରୁଟିନ୍ ପାଠ ପଢିବା ପାଇଁ ହଷ୍ଟେଲ୍ ରେ ରହୁଥିବା ସବୁ ପିଲାଙ୍କ ସାଙ୍ଗରେ ଆରମ୍ଭ ହେଉଥିଲା ସକାଳ ୫ଟାରେ ଉଠିବାଠାରୁ । ତାପରେ ନିତ୍ୟକର୍ମ ସାରି ଗଜା ମୁଗ କି ସୋଲା ଖାଇ ଠିକ୍ ୬ଟାରେ ସକାଳ ଡ୍ରିଲ୍ କ୍ଲାସ୍‌ରେ ଯୋଗ ଦେଉଥିଲୁ । ଡ୍ରିଲ୍ କ୍ଲାସ୍ ସାରି ଜଳଖିଆରେ ଚୁଡ଼ା, କ୍ଷୀର, କଦଳୀ ଖାଇ ଯିବାକୁ ହେଉଥିଲା କ୍ଲାସକୁ ।

ହଷ୍ଟେଲ୍ ପିଲାମାନେ ଏ ଦୃଷ୍ଟିରୁ ଭାଗ୍ୟବାନ ଥିଲେ । ଛୁଟିଦିନମାନଙ୍କରେ ଘରେ ଯାଇ ନିଜ ପସନ୍ଦର ଜିନିଷ ଖାଇପାରୁଥିଲେ, ଖେଳି ପାରୁଥିଲେ ଓ ବୁଲି ପାରୁଥିଲେ । ଆମେ ସେଇ ଛୁଟି ସମୟରେ ବି ସେଇଠି ଚୁଡା, କଦଳୀ ଖାଇ ରହୁଥିଲୁ ଓ ସେମାନେ ଫେରିଲେ ଖାଇବା ପିଇବା ପାଇଁ ମାଆ ଖଳା ଲିପାପୋଛା କରି ଧାନ ଉଁସେଇଲାବେଳେ କାଠି କୁଟା ପତର ଗୋଟେଇ ତାକୁ ଦେଉଥିଲୁ ଜାଳିବାକୁ । ଏମିତିରେ ବି ଅନ୍ୟ ପିଲାମାନଙ୍କୁ ଅଳ୍ପ ଦିନ ପାଇଁ ହଷ୍ଟେଲରେ ରହିବାକୁ ହେଉଥିଲା । ତେଣୁ ତାଙ୍କୁ ଏ ରୁଟିନ୍ ବର୍ଷେ, ଦି ବର୍ଷ କି ପାଞ୍ଚ ଛଅ ବର୍ଷ ମାନିବାକୁ ହେଉଥିଲା । କିନ୍ତୁ ଆମ ପାଇଁ ୟେ ନିୟମ ଛୁଟିକୁ ମିଶାଇ ବର୍ଷକ ବାରମାସ ମାନିବାକୁ ହେଉଥିଲା । ଏମିତିକି ବାହାରେ ପଢ଼ିବା ପରେ ବି ଛୁଟିରେ ବା ଆବଶ୍ୟକତା ଲାଗି କେତେବେଳେ ଘରକୁ ଗଲେ ସେଇ ରୁଟିନ୍‌ରେ ଚଳିବାକୁ ହୁଏ, ନହେଲେ ଅନ୍ୟ ପିଲା ଓ ଶିକ୍ଷକମାନେ କାଳେ ଖରାପ ଭାବିବେ ଯେ ! ତେଣୁ ସବୁ କଷ୍ଟକର ପରିସ୍ଥିତିରେ କମ୍ପ୍ରୋମାଇଜ୍ କେବଳ ଆମକୁ କରିବାକୁ ହୁଏ । ସୁବିଧା ବେଳକୁ ଅନ୍ୟମାନେ ଆଗ ଥାଆନ୍ତି । ଏମିତି ପ୍ରାୟ ଜୀବନର ୨୫ ବର୍ଷ କଟିଛି ସେଇ ଏକା ରୁଟିନ୍ ମାନି, ଏକା ପ୍ରକାର ଖାଦ୍ୟ ଖାଇ । ମେଡିଟେସନ୍ ରେ ଆଖି ବୁଜି ନ ଵସିବାରୁ ମାଡ ବି ଅନେକ ଖିଆ ଯାଇଛି । ସେ ବିଷୟରେ ଆଉଦିନେ କହିବି । ସେ ପରିବେଶରୁ ବାହାରିବା ପରେ ଏସବୁ ନୀତିନିୟମ ମୁଁ ଦିନେ ବି ମାନିନି ଆଉ।

ଥରେ ପଣ୍ଡିଚେରୀ ୟୁନିଭର୍ସିଟିରେ ପଢ଼ୁଥିବାବେଳେ ମୋର ଜଣେ ସାଙ୍ଗ ସହ ହେଲଦି ଲାଇଫ୍ ଷ୍ଟାଇଲ୍ ବିଷୟରେ କଥା ହେଉଥିଲି ଯେ, କୋଡ଼ିଏ ବର୍ଷ ଧରି ମୁଁ କେବଳ ସକାଳ ଜଳଖିଆରେ ଚୁଡ଼ା କଦଳୀ କ୍ଷୀର ଖାଇଛି ଶୁଣି ସେ ମୁହଁ ବିକୃତ କରିଦେଲା । ତାକୁ ବି ତା' ବାପାମାଆ ଗୋଟିଏ ହଷ୍ଟେଲରେ ବର୍ଷେ ପାଇଁ ଛାଡିଥିଲେ, ଯେଉଁଠି ସକାଳ ଜଳଖିଆରେ ଚୁଡ଼ା ଦିଆଯାଉଥିଲା । ସେବେଠୁ ଚୁଡ଼ା ତା'ର ଆଲର୍ଜି ।

ମୁଁ ଜାଣେ ଚୁଡ଼ା ଗୋଟେ ସ୍ୱାସ୍ଥ୍ୟକର ଖାଦ୍ୟ । ସକାଳ ବ୍ୟାୟାମ ଓ ସନ୍ଧ୍ୟାର ଧ୍ୟାନ ଜୀବନ ପାଇଁ ଜରୁରୀ । ତେବେ ମୁଁ ଏଠି ପିଲାଙ୍କ ମନୋବିଜ୍ଞାନ କଥା କହିବାକୁ ଚାହୁଁଛି ।

ଖାଦ୍ୟ ଯେତେ ସ୍ୱାସ୍ଥ୍ୟକର ହେଉନା କାହିଁକି, ଯଦି ଆମେ ତାକୁ ଜୋର୍ ଜବରଦସ୍ତି କରି ଖୁଆଉ ବା ପିଲାକୁ ବାଧ୍ୟବାଧକତାରେ ତାହା ଖାଇବାକୁ ପଡ଼େ, ତେବେ ସେଥିପ୍ରତି ପିଲାର ବିତୃଷ୍ଣା ଆସିବା ସ୍ଵାଭାବିକ । ବଡ଼ ହେବା ପରେ ସେ ସ୍ୱାସ୍ଥ୍ୟକର ଖାଦ୍ୟମାନଙ୍କ ବିଷୟରେ ଜାଣିଲେ ଓ ବୁଝିଲେ ବି ସେସବୁକୁ ନିଜ ଜୀବନଶୈଳୀରେ ଆଉ ସାମିଲ୍ କରିପାରେନି । ପିଲାଦିନର ସେ କଷ୍ଟକର ମୁହୂର୍ତ୍ତ ସବୁ ମନେପଡି ତା'ର ବାଟ ଓଗାଳନ୍ତି । ସେ ମୁହୂର୍ତ୍ତ, ସେ ସମୟ ଓ ତା ସହ ସମ୍ପର୍କିତ ମଣିଷ, ନୀତିନିୟମ, ଖାଦ୍ୟକୁ ସେ ଘୃଣା କରେ ଓ ସେସବୁକୁ ନିଜ ଜୀବନଠୁ ଦୂରେଇ ରଖି ଅତୀତର ପ୍ରତିଶୋଧ ନିଏ । ଯେଉଁ ପ୍ରତିବାଦ ପିଲାବେଳେ କରିପାରି ନଥିଲା, ତାହା କରିବା ଭିତରେ ନିଜର କ୍ଷତି କରିବାକୁ ବି ପଛାଏନି । ତେଣୁ ବଡ଼ମାନେ ହିଁ ଅଜାଣତରେ ନିଜ ପିଲାକୁ କ୍ଷତି ପହଞ୍ଚାଇବାର ବୀଜ ପୋତି ଥାଆନ୍ତି ।

ଏସବୁର ସହଜ ସମାଧାନ ହେଉଛି; ସେ ଖାଦ୍ୟ ହେଉ ବା ବ୍ୟାୟାମ ବା ଆଉ କିଛି, ଆମକୁ ପିଲାଟିଏକୁ ସେ ସମ୍ପର୍କରେ ବୁଝାଇବାକୁ ହେବ । ତା'ର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ସଚେତନ କରେଇବାକୁ ହେବ । କେତେବେଳେ କଥା ଛଳରେ ତ କେତେବେଳେ ରିଏଲ୍ ଲାଇଫ୍ ଉଦାହରଣ ଦେଇ ବା ସେମିତି ଲୋକଙ୍କ ସହ ଭେଟ କରେଇ । ଯଦି ସେ ନବୁଝୁଛି, ତେବେ ଯେତେ ସମୟ ଅତିକ୍ରାନ୍ତ ହୋଇଗଲେ ବି ପିଲା ନିଜେ ଗ୍ରହଣ କରିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ । ଏହା ଦ୍ଵାରା ସାମୟିକ କ୍ଷତି ହୁଏତ ହୋଇପାରେ, କିନ୍ତୁ ଲଙ୍ଗଟର୍ମରେ ଏହା ହିଁ ପିଲା ପାଇଁ ଓ ତା'ର ସୁସ୍ଥ ନିରୋଗ ଜୀବନ ପାଇଁ ଆପଣଙ୍କର ସର୍ବୋତ୍ତମ ଉପହାର ହେବ ।

Report an Error