ସେ ନାଟକ ଓ ଏ ନାଟକ

ଏହି ନାଟକ ଆମ ଓଡ଼ିଆ ନାଟକର କାହାଣୀଧର୍ମୀ ଚଳଣିରେ ଟିକେ ଅଲଗା ଥିଲା । ଜଣେ ମୋତେ ପଚାରିଲେ କାହିିଁକି ଚୟନ କଲ ? ଏପରି ନାଟକ । ମୋତେ ଲାଗେ ଅନେକ ସମୟରେ ମୁଁ ନିଜେ ସେପରି । ମୁଁ ଘରୁ ବାଇକ୍ ଧରି ବାହାରି ଆସେ ଆଉ ବାଟରେ ଭାବେ କି ମୁଁ ଯିବି କୁଆଡ଼େ ?


ଫଟୋ - ଦେବଦତ୍ତ ପତି

ସେ ଏପରି କିଛି କରିଥିଲେ ଯାହାକୁ ତାଙ୍କ ପିତା ନାପସନ୍ଦ କରିଥିଲେ । ଯଦିଓ ଏପରି କଥା ସବୁ କିିଛିଦିନ ଚର୍ଚ୍ଚା ହୁଏ; ଓ ତାପରେ ସବୁ ଭୁଲି ଯାଆନ୍ତି । କିନ୍ତୁ ସେ ଝିଅଟିର ପିତା ଭୁଲି ପାରିଲେନି । ପିତାରୁ ରାକ୍ଷସ ପାଲଟି ଗଲେ । ନିଜ ଝିଅକୁ ଡଙ୍ଗାରେ ବସାଇ ସମୁଦ୍ର ବୁଲାଇବାକୁ ନେଲେ ଆଉ ତା’ପରେ...

ତାକୁ ମଝି ସମୁଦ୍ରରେ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ । ସେ ଝିଅଟି ମାଛମାନଙ୍କର ଆହାର ହୋଇଗଲା । ମାଛମାନେ ତା ରକ୍ତ ମାଂସକୁ ଖାଇଗଲେ । ତା’ର ଆଖି ବାହାର କରିଦେଲେ । ସେ ଏକ କଂକାଳ ପାଲଟିଗଲା । ମଝି ସମୁଦ୍ରରେ ଲହରୀରେ ଭାସିବାକୁ ଲାଗିଲା ।

ଦିନେ ଜଣେ ମତ୍ସ୍ୟଜୀବୀ ମାଛ ଧରିବାକୁ ଆସିଲେ । ସେଦିନ ବହୁତ ସମୟ ଧରି ତାଙ୍କ ଜାଲରେ ଗୋଟିଏ ହେଲେ ବି ମାଛ ପଡ଼ି ନ ଥିଲା । ସେ କ୍ଲାନ୍ତ ଓ ହତାଶ ହୋଇଯାଇଥିଲେ । ଶେଷରେ କିଛି ବଡ଼ ତଥା ଓଜନିଆ ଜିନିଷ ତାଙ୍କ ଜାଲରେ ପଡ଼ିଲା ।

ସେ ଭାବିଲେ, “ଓ , ବର୍ତ୍ତମାନ ମୁଁ ପ୍ରକୃତରେ ଏକ ବଡ଼ ମାଛ ବୋଧହୁଏ ପାଇଛି ! ସେ ମନେ ମନେ ଭାବୁଥିଲେ ଯେ ଏହି ମହାନ ମାଛକୁ କେତେ ଲୋକଙ୍କୁ ଖାଇବାକୁ ଦେବେ, ଏହା କେତେ ଦିନ ରହିବ, କେତେଦିନ ସେ ମାଛଧରାରୁ ମୁକ୍ତ ହୋଇ ଲେଖାଲେଖିରେ ମନୋନିବେଶ କରିବେ ।

ନିଜର ସମସ୍ତ ବଳ ଲଗାଇ ସେ ଜାଲକୁ ଟାଣିବାକୁ ଲାଗିଲେ । ଶେଷରେ ସେ ସଫଳ ହେଲେ । ଖୁବ୍ ବଡ଼ ଏକ ମାଛ ଧରାପଡ଼ିଛି ଭାବି ସେ ଡଙ୍ଗା ବାହି ବାହି କୂଳକୁ ଫେରିଲେ । ଆଉ ଯାହା ଦେଖିଲେ ତାଙ୍କର ହୋସ ଉଡ଼ିଗଲା ।

ଏକ କଂକାଳ । କିଛି ହାଡ଼ । ସେ ଖୁବ୍ ଡରିଗଲେ । ଜାଲ ଛାଡ଼ି ସେ ନିଜ ଘରକୁ ଦୌଡ଼ିଲେ । ଦୌଡ଼ିଲେ । ଭୟାତୁର ଭାବେ ସେ ନିଜ ଘରେ କମ୍ବଳ ଘୋଡ଼ି ହୋଇ ଶୋଇବାର ପ୍ରୟାସ କଲେ । ସେ ନିଜ ଘରେ ମଧ୍ୟ କଂକାଳକୁ ଦେଖିଲେ । ବୋଧହୁଏ ସେଇ କଂକାଳଟି ତାଙ୍କ ପିଛା କରୁଥିଲା ।

ସେ ପୁଣି ସମୁଦ୍ରକୁ ଦୌଡ଼ିଲେ, ସମୁଦ୍ର କୂଳରେ ଏବେ ବି ପଡ଼ି ରହିଥିଲା ତାଙ୍କ ଜାଲ ଓ ଜାଲ ଭିତରେ ସେହି କଂକାଳ । ସେ କଂକାଳଟିକୁ ଘରକୁ ଆଣିଲେ । ତାକୁ ଯୋଡ଼ିଲେ । ଗୀତ ଗାଇଲେ, ନାଚିଲେ, ଧୀରେଧୀରେ କଂକାଳରେ ମାଂସ ଗଜୁରିଲା, ରକ୍ତ ସଂଚାର ହେଲା । ମତ୍ସ୍ୟଜୀବୀ ଆଖିରୁ ଲୁହ ବୋହିବାକୁ ଲାଗିଲା । ସେ କାନ୍ଦିବା ଆରମ୍ଭ କଲେ । ଆଉ କାନ୍ଦିଲେ । ତାଙ୍କ ଆଖିରୁ ଲୁହ ଅନବରତ ବୋହିବାକୁ ଲାଗିଲା । ବୋଲ ମାନିଲା ନାହିଁ ତାଙ୍କ ଆଖିର ଲୁହ । ଲୁହର କିଛି ବୁନ୍ଦା ସେହି କଂକାଳର ହୃଦୟରେ ପଡ଼ିଲା । କଂକାଳଟି ଜୀବନ୍ତ ହୋଇଗଲା । ଏକ ନାରୀରେ ରୂପାନ୍ତରିତ ହୋଇଗଲା ।

କାହାଣୀ ଏକ ସ୍କେଲିଟନ ଉମେନର, ଏକ କଂକାଳସାର ନାରୀର । ଖୁବ୍ ଦୁଃଖଦ, ଖୁବ୍ ସୁନ୍ଦର, ଖୁବ୍ ରଚନାତ୍ମକ ।

ଜଣେ ପୁରୁଷ ଯେତେବେଳେ କାନ୍ଦେ... ଯେତେବେଳେ ତା ଆଖିରୁ ଲୁହ ବୋହେ....କଥା କ’ଣ କି ଦୁନିଆରେ ପୁରୁଷକୁ କାନ୍ଦିବା ମନା । ସେ କାନ୍ଦି ପାରିବନି । ନିଜ ଦୁଃଖ, କଷ୍ଟ ଭାବନାକୁ ସେ ପରିପ୍ରକାଶ କରି ପାରିବନି । ଲୁହ ରୂପରେ ବୁହାଇ ପାରିବନି । ଏପରି କିଛି ଅଲିଖିତ ନିୟମ ରହିଛି ସମାଜରେ । ସେ ବି ନିଜ ସହ କିଛି ପ୍ରେମକୁ ବୋହି ଚାଲିଥାଏ । ସେ ବି ଚାହେଁ କେହି ତା ପ୍ରେମକୁ ସ୍ୱୀକାର କରୁ । ତା ଭାବନାକୁ ବୁଝୁ ।

ତା ଆଖିର ଲୁହରେ କଂକାଳ ଜୀବନ୍ୟାସ ପାଇଯାଏ ।

ସେ ସ୍ୱପ୍ନ ଦେଖେ । ସ୍ୱପ୍ନ ନୁହେଁ ତ ସେ ବାସ୍ତବ ଦୁନିଆରୁ ଆଉ ଗୋଟେ ଦୁନିଆକୁ ଚାଲିଯାଏ । ଏକ ଲୋକକଥା ଆଧାରିତ ଏଇ କାହାଣୀ, ଏଇ କାହାଣୀ ଅନ୍ତସ୍ୱରକୁ ନେଇ ନାଟକ ‘ଦ ସ୍କେଲିଟନ୍ ଉମେନ୍‌’ । ନାଟକର ଯୁ୍‌ଗ୍ମ ରଚୟିତା କଲ୍କୀ କେକ୍ଲା ଓ ପ୍ରଶାନ୍ତ କିଶୋର । କଂକାଳଟି ଜୀବନ୍ୟାସ ପାଇବା ସେ ସଶରୀରେ ଚଳପ୍ରଚଳ ହେବା ଏକ ଅବାସ୍ତବ କଥା । ଇଂରାଜୀରେ ଏହାକୁ ସୁରେଲିଜିମ୍ କୁହାଯାଇଥାଏ ।

ସିଧା କଥାରେ କଳା, ସାହିତ୍ୟ ଓ ନାଟକରେ ଅପ୍ରାକୃତିକ ଓ ତର୍କହୀନ ସମ୍ବେଦନଶୀଳତାକୁ ସଂଯୋଜନା ମାଧ୍ୟମରେ ବଳିଷ୍ଠ ତଥା ଅସଂଗତ ଚିତ୍ର ତିଆରି କରିବା, ଏକ ଯୁକ୍ତଯୁକ୍ତ ପରିଦୃଶ୍ୟର ପରିକଳ୍ପନା କରିବା । ଏପରି ଏକ ଅଭ୍ୟାସକୁ ଅତି ଯଥାର୍ଥବାଦ ଅଥବା ଅତିବାସ୍ତବିକତା କୁହାଯାଇଥାଏ ।

ଯେଉଁଠି ଏକ ଖୁସି ଥାଏ ଏକ ମିଠାପଣ ଥାଏ, ଯାହାର କୋମଳ ସ୍ପର୍ଶରେ ପ୍ରେମର ହୃଦୟସ୍ପର୍ଶୀ ଚିତ୍ର ତିଆରି ହୋଇଥାଏ । ଜଣେ ମଣିଷ କିଛି ନଥାଇ ବି ଖୁସି ହୋଇପାରେ । ଯାହା ତା ନିକଟରେ ନାହିଁ ସେସବୁର ସେ କଳ୍ପନା କରେ । ସେସବୁର ଅତି ଘନିଷ୍ଠ ଦୃଶ୍ୟ ଅହରହ ନିଜ ମସ୍ତିଷ୍କରେ ବୁଣୁଥାଏ ।

ଏପରି ଭାବନାକୁ ନେଇ ବା ଏପରି ଥିମ୍‌କୁ ନେଇ କଳା, ସାହିତ୍ୟ ଓ ନାଟକ କରାଯାଇଥାଏ । “ନାରୀର କଂକାଳ” ହେଉଛି କଲ୍କୀ କେକ୍ଲା ଓ ପ୍ରଶାନ୍ତ ପ୍ରକାଶ ରଚିତ “ଦ ସ୍କେଲିଟନ୍ ଉମେନ’ ଯାହାକୁ ଓଡ଼ିଆରେ ରୂପାନ୍ତର କରିଥିଲେ ଶକ୍ତି ମହାନ୍ତି । ନିକଟରେ ମୋ ନିର୍ଦ୍ଦେଶନା ତଥା ଅଭିନୟରେ ଏ ନାଟକ ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶିତ ହୋଇଥିଲା ।

ଏକ ଘଣ୍ଟା ଦଶ ମିନିଟ୍‌ର ଏ ନାଟକ ସମ୍ପୂର୍ଣ୍ଣ ରୂପେ ବାସ୍ତବ - କଳ୍ପନାର କଥା କହୁଥିଲା । ଘଡ଼ିଏ ବାସ୍ତବତାର ଦୁନିଆରେ ବିଚରଣ କରୁଥିବା ଦୁଇ ପ୍ରାଣୀ ଅପର ଘଡ଼ିକେ ଏକ ଅବାସ୍ତବ ଦୁନିଆକୁ ପଳାଇ ଯାଆନ୍ତି । ସେ ଦୁନିଆରେ ସବୁ କଥା କିନ୍ତୁ ହୃଦୟକୁ ଛୁଇଁ ଯାଏ । ଆମରି କଥା ନା । ନିଜ କଥା । ଯାହା ଘଟିନାହିଁ ଅଥବା ଘଟିବ ନାହିଁ ।

ପାତ୍ର ସୁପ୍ତ ଅବସ୍ଥାରେ, ନିଦ୍ରାଶୀଳ ଅବସ୍ଥାରେ, କଳ୍ପିତ ତଥା ଅପ୍ରତ୍ୟାଶିତ ଅନୁଭୂତି ଆଧାରରେ ଏକ ଅଲଗା ଦୁନିଆକୁ ଚାଲିଯାଏ । ଯୁକ୍ତିଯୁକ୍ତ ଭାବେ ଅବାସ୍ତବ ଅର୍ଥାତ୍ ଅସନ୍ତୁଷ୍ଟ ମନେ ହେଲେ ହେଁ ଏକ ଅବିଶ୍ୱସନୀୟ ସଂଯୋଗ ଥାଏ, କଥାବସ୍ତୁରେ । ତାହା ହିଁ ବାନ୍ଧି ରଖେ । ପରୀ କାହାଣୀରେ, ବୁଢ଼ୀମା କାହାଣୀରେ ଏପରି କଥା ଥାଏ । ବାସ୍ତବ ଦୁନିଆରେ ଥାଏନି କି ?? ଥାଏ ।

ଏହି ନାଟକ ଆମ ଓଡ଼ିଆ ନାଟକର କାହାଣୀଧର୍ମୀ ଚଳଣିରେ ଟିକେ ଅଲଗା ଥିଲା । ଜଣେ ମୋତେ ପଚାରିଲେ କାହିିଁକି ଚୟନ କଲ ? ଏପରି ନାଟକ । ମୋତେ ଲାଗେ ଅନେକ ସମୟରେ ମୁଁ ନିଜେ ସେପରି । ମୁଁ ଘରୁ ବାଇକ୍ ଧରି ବାହାରି ଆସେ ଆଉ ବାଟରେ ଭାବେ କି ମୁଁ ଯିବି କୁଆଡ଼େ ? ମୋର ଗନ୍ତବ୍ୟସ୍ଥଳ କୁଆଡ଼େ ?

ପୁଣି ମନେପଡ଼େ । ଆଉ ହସେ । କେବେକେବେ ଗନ୍ତବ୍ୟସ୍ଥଳ ବ୍ୟତୀତ ଅନ୍ୟ ଦିଗରେ ଯାଇସାରିଥାଏ । ସମ୍ବିତ ପାଇ ଫେରେ । ରାସ୍ତାରେ କେଉଁଠି ଘଡ଼ିଏ ଅଟକେ ଆଉ ସିଗାରେଟ ତଲବ କରେ । ମାଚିସ୍ ବାହାର କରେ ଆଉ ଜଳାଇ ମୁହଁ ପାଖକୁ ଆଣେ, ହେଲେ ସିଗାରେଟ୍ ନଥାଏ । ହୁଏ ଏପରି । ମୋର ଜଣେ ଶିକ୍ଷକ ଥିଲେ । ଏବେ ଦିବଂଗତ । ଚାଲିଗଲେଣି ସେପାରିକୁ ଯେଉଁଠୁ ଆଉ ସେ କେବେ ଫେରି ଆସିବେନି । ଅନେକ ବର୍ଷ, ଅନେକ ବର୍ଷ କ’ଣ ସେ ନିଜ ଶିକ୍ଷକତା ଜୀବନର ସମୁଦାୟ ବର୍ଷ ବିତାଇଛନ୍ତି ଆମ ଗାଁରେ । ଆମ ଗାଁ ବିଦ୍ୟାଳୟରେ । ଗଣିତ ଓ ବିଜ୍ଞାନ ପଢ଼ାଉଥିଲେ । ତାଙ୍କୁ ନିଜ ଘରକୁ ଯିବା ଆମେ ଖୁବ୍ କମ୍ ଦେଖିଛୁ । ବୋଧହୁଏ ଖରା ଛୁଟିରେ । ତାଙ୍କର ଯେ ଗୋଟେ ନିଜ ଘର ଥିଲା ଓ ପରିବାର ଥିଲା ଆମେ ପରେ ଜାଣିଲୁ । ସେ ଯେତେବେଳେ ନିଜ ପୁଅକୁ ଆମ ବିଦ୍ୟାଳୟରେ ପଢ଼ାଇବାକୁ ଆଣିଲେ ।

ଅନେକ ସମୟରେ ସେ ନିଜ ସହ କଥା ହୁଅନ୍ତି । ଆମ ସହ ବି କଥା ହୁଅନ୍ତି । ଗୁଡ଼ାଏ ମିଛ କଥା କୁହନ୍ତି । କହିଥାନ୍ତି । ନଦୀ, ବାଲି, ସମୁଦ୍ରକୁ ନେଇ, ଗ୍ରହ ନକ୍ଷତ୍ରକୁ ନେଇ । ଗଣିତକୁ ନେଇ, ଗଣିତର ଜଟିଳ ସୂତ୍ରକୁ ନେଇ । କିଛି ବ୍ୟକ୍ତିଙ୍କୁ ନେଇ । ସେ ନିଜର ଏକ ଦୁନିଆ ତିଆରିଥାନ୍ତି । ଅଲଗା । ସମ୍ପୂର୍ଣ୍ଣ ଅଲଗା । ସେ କାହାର ବି କ୍ଷତି କରନ୍ତି ନାହିଁ । ବିଦ୍ୟାଳୟରେ ପାଠପଢ଼ା ଅତିରିକ୍ତ ସେ ସକାଳ ଓ ସଂଜରେ ଟ୍ୟୁସନ କରନ୍ତି । କାହାରି ପାଖରୁ ଗୋଟିଏ ବି ଟଂକା ନିଅନ୍ତିନି । କୁହନ୍ତି କି ତାଙ୍କର ତ ବହୁତ ଜମି ରହିଛି, ଅନେକ ମାଗଣାରେ ଖାଆନ୍ତି, ଗୁଡ଼ାଏ ଜମି ସମୁଦ୍ର ଖାଇଗଲା । ଯେତିିକି ଅଛି ବଳକା ହେଉଛି ।

କିନ୍ତୁ ସେପରି କିଛି ନଥିଲା । ସେ ବି ଆମ ପରି ସାଧାରଣ ବ୍ୟକ୍ତି ପରି ଥିଲେ । ଅଭାବ ଥିଲା । ଅନାଟନ ଥିଲା । ପରିବାରରେ ବଂଚିବା ପାଇଁ ଯୁଦ୍ଧ ଥିଲା । ହେଲେ ସାର୍ ଙ୍କ ନିକଟରେ ବିନ୍ଦୁବିସର୍ଗ ନଥିଲା । ସେ ରାଜା ପରି ବଂଚୁଥିଲେ । ରାଜା ପରି ନୁହେଁ ଜଣେ ଶିକ୍ଷକ ପରି । ସେ ଅବସର ନେଲା ପରେ ଓ ତାଙ୍କ ପୁଅ ଏଠାକୁ ପଢ଼ିବା ପାଇଁ ଆସିଲା ପରେ ଆମକୁ କିଛି କିଛି ଜଣା ପଡ଼ିଲା । ଅବଶ୍ୟ ସେତେବେଳକୁ ଆମେ ବିଦ୍ୟାଳୟ ଛାଡ଼ି ଦେଇଥାଉ ।

ଏପରି ଜୀବନ ବଂଚୁ ବଂଚୁ ସାର୍ ଚାଲିଗଲେ । ଖୁବ୍ ପିଟୁଥିଲେ ଆମକୁ ଟିକେ ଏପଟ ସେପଟ ହୋଇଗଲେ । ଯାହା ଭାଗରେ ମାଡ଼ ପଡ଼ୁଥିଲା ତା ବାପା ଗାଁରେ ଛାତି ଫୁଲାଇ କହୁଥିଲା କି ଆଜି ଆମ ଟୋକାକୁ ମାଷ୍ଟ୍ର ଦେଇଛି ପାନେ ।

ସାର୍ ଙ୍କ ମାଡ଼ ଅପ୍ରତ୍ୟାଶିତ ଥିଲା । ଯୁକ୍ତିଯୁକ୍ତ ନଥିଲା । ବିନା କାରଣରେ ସେ ଗୋଛାଏ ଅମରି ଭାଙ୍ଗି ଦେଉଥିଲେ ଆମ ପିଠିରେ । ହେଲେ ଆମ ବାପା - ମା’ଙ୍କର ପ୍ରତିକ୍ରିୟା ନଥିଲା । ସେମାନେ ଖୁସି ହେଉଥିଲେ । କହୁଥିଲେ ତୁ କିଛି ବାଳୁଙ୍ଗାମି କରିଥିବୁ । ପାଠ ଠିକ୍‌ରେ ପଢ଼ିନଥିବୁ । ସାର୍ କ’ଣ ଖାଲି ଖାଲି ତୁଚ୍ଛାଟାରେ ପିଟିଲେ ।

କିଛି ବି କରିନଥିଲେ ସେ ନିଜ ପରିବାର ପାଇଁ । କେତେ ବା ସେତେବେଳେ ଦରମା ପାଉଥିଲେ । ଅନେକ ଗରିବ ପିଲା ଓ ପରିବାରକୁ ସେ ଅର୍ଥ ସାହାଯ୍ୟ ବି କରୁଥିଲେ । ରାଜା ଥିଲେ ନା । ଜମିଦାର ଥିଲେ । ନିଜ ମନର । ଇଚ୍ଛାର ।

ନିଜ ପାଇଁ ନିଜେ ନିଜେ ଅତିବାସ୍ତବତାର ଅତିଯଥାର୍ଥବାଦର ଏକ କାହାଣୀ ଗଢ଼ିଥିଲେ । ସେଥିରୁ ବାହାରି ପାରିନଥିଲେ । ଯେପରି ବାହାରି ପାରିନଥିଲା ମୋ ନିର୍ଦ୍ଦେଶିତ ଓ ଅଭିନୀତ ନାଟକର ଚରିତ୍ର ।

କଳ୍ପନାରେ ସେ ବଂଚିଥିଲା । ନିଜ ସ୍ତ୍ରୀ ସହ । ମାତିଥିଲା ଗଳ୍ପ ଲେଖିବାରେ । ସାହିତ୍ୟ ସର୍ଜନାରେ ।

ଏପରି ଏକ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଖୁବ୍ କମ୍ ମିଳେ । ଚରିତ୍ରରେ ଟ୍ରାନ୍ସଫରମେସନ୍ ଖୁବ୍ ଅଧିକ । ସହଜ ନୁହେଁ ଅଭିନୟ ।

ଭଲ ଲାଗିଛି ନାଟକ । ଏପରି ପରୀକ୍ଷାମୂଳକ ନାଟକ ହେବା ଉଚିତ୍ । ଅଧିକରୁ ଅଧିକ । ଅନେକ ମତ ଦେଇଛନ୍ତି । ଅନେକ ସାହାଯ୍ୟ ମଧ୍ୟ କରିଛନ୍ତି ।

ଓଡ଼ିଆ ନାଟକ ଦୃଶ୍ୟପଟରେ ଏପରି ନାଟକ ହେଉଥାଉ । ଆଗକୁ ଆଗକୁ ।