ଏମିତି ବି ଥିଲା ଦିନେ ଭୁବନେଶ୍ୱର

ଏକାମ୍ରକ୍ଷେତ୍ର ଯେ ଶାନ୍ତ, ସରଳ, ମନୋରମ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିଲା ଏହା ନିଃସନ୍ଦେହ । ବିଗତ ୫୦ - ୬୦ ବର୍ଷ ତଳେ ମଧ୍ୟ ଓଡ଼ିଶା ବାହାରୁ ଅନେକ ଲୋକ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଆସୁଥିଲେ ଭୁବନେଶ୍ୱର । ଏଠିକାର ମାଟି, ପାଣି, ପବନ, ଗଛପତ୍ରରେ ଥିଲା ଔଷଧୀୟ ଗୁଣ ।


ଭୁବନେଶ୍ୱର ସହ ମୋ ସମ୍ପର୍କ ମୋତେ ଚାରି କି ପାଞ୍ଚ ବର୍ଷ ବୟସ ହୋଇଥିବାବେଳୁ । ସେତେବେଳେ ବିକଳ୍ପ ଶିକ୍ଷା ପ୍ରୟୋଗର ମଙ୍ଗ ଧରିଥାଆନ୍ତି ଚିତ୍ତ ଭାଇ ମାନେ ପ୍ରଫେସର ଚିତ୍ତରଞ୍ଜନ ଦାସ । ସର୍ଦ୍ଦାର ପଟେଲ୍ ହଲ୍ ରେ ହେଉଥିବା ବିଭିନ୍ନ ଶିକ୍ଷା ସମ୍ପର୍କିତ ଆଲୋଚ଼ନାଚକ୍ର ଓ କର୍ମଶାଳାରେ ଭାଗ ନେବା ପାଇଁ ମୁଁ ମାଆ ଓ ସ୍କୁଲ୍‌ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆସେ । ଖୁବ୍ କମ୍ ସଂଖ୍ଯାରେ ଡବା ଭଳି ଦିଶୁଥିବା ବସ୍‌ ସବୁ ଠିଆ ହେଉଥିଲେ ବସ୍‌ଷ୍ଟାଣ୍ଡରେ । ଏବେକା ପରି ଏ.ସି ଡିଲକ୍ସ ଟୁ ବାଇ ଟୁ ବସ୍‌ ସବୁ ଚାଲୁନଥିଲେ । ବେଶ୍ ଭଲ ଲାଗୁଥିଲା ନୂଆ ନୂଆ ଗଢି ଉଠୁଥିବା ସହର । ସେତେବେଳର ସହର ଖୁବ୍ ନିରୋଳା ଥିଲା । ପରେ ଜାଣିଲି ଅତୀତରେ ଦେବୀ ପାର୍ବତୀ ବି ଦିନେ ଏଇ ନିର୍ଜନତା ପାଇଁ ଏଇ ଜାଗାଟିକୁ ନିଜ ରହିବା ପାଇଁ ବାଛିଥିଲେ। ଏଇ ଜାଗା ମାନେ, ଏବେର ଭୁବନେଶ୍ୱର ଯାହା ସେବେ ଏକାମ୍ରକ୍ଷେତ୍ର ଭାବେ ପରିଚିତ ଥିଲା । କାହାଣୀଟି ଏହିପରି I

ପ୍ରସିଦ୍ଧ ଶୈବକ୍ଷେତ୍ର ଭାବରେ କାଶୀଧାମର ପୁରାଣ ପ୍ରସିଦ୍ଧି ରହିଛି । କାଶୀ ତୀର୍ଥଟି ମହାଦେବଙ୍କ ଅନ୍ୟତମ ପ୍ରିୟ କ୍ଷେତ୍ର । କିନ୍ତୁ ସମୟକ୍ରମେ ଧୀରେଧୀରେ କାଶୀକ୍ଷେତ୍ର ଜନାକୀର୍ଣ୍ଣ ହୋଇଯିବାରୁ ମାତା ପାର୍ବତୀ ଗୋଟେ ଅପେକ୍ଷାକୃତ ନିକାଞ୍ଚନ ସ୍ଥାନର ସନ୍ଧାନ ପାଇଁ ଥରେ ଶିବଙ୍କୁ ଅନୁରୋଧ କଲେ । ମହାଦେବ ଆପଣା ବାହନ ବୃଷଭଙ୍କ ଉପରେ ମା ପାର୍ବତୀଙ୍କୁ ଧରି ଆର୍ଯ୍ୟାବର୍ତ୍ତର ଅନେକ ମନୋରମ ନିରୋଳା ସ୍ଥାନ ବୁଲି ଦେଖାଇବା ପରେ ମଧ୍ୟ କୌଣସି ସ୍ଥାନ ମା ପାର୍ବତୀଙ୍କ ମନକୁ ପାଇଲାନି । ପରିଶେଷରେ ସେମାନେ ଏକାମ୍ରକ୍ଷେତ୍ରରେ ପହଞ୍ଚିଲେ । ଅତ୍ୟନ୍ତ ଶାନ୍ତ, ସରଳ ଓ ମନୋରମ ଥିଲା ଏକାମ୍ରକ୍ଷେତ୍ର । ପୁରା ପାଞ୍ଚ ଯୋଜନ ବ୍ୟାପି ଗୋଟେ ବିଶାଳ ଆମ୍ବ ଗଛ ଥିଲା । ଏକ ଆମ୍ରରୁ ଏକାମ୍ରକ୍ଷେତ୍ରର ନାମକରଣ । ମା ପାର୍ବତୀ କ୍ଷେତ୍ରର ପ୍ରାକୃତିକ ପରିବେଶରେ ଅତ୍ୟନ୍ତ ମୁଗ୍ଧ ହୋଇଗଲେ । କିନ୍ତୁ ସ୍ଥାନଟିର ଗୋଟିଏ ଅସୁବିଧା ଥିଲା ଯେ, ଦୁଇ ଅସୁର ଭାଇ କୀର୍ତ୍ତି ଓ ବାସଙ୍କ କବଳରେ ଏହା କବଳିତ ଥିଲା । ମା ପାର୍ବତୀଙ୍କୁ ଅସୁର ନିଧନର ଦାୟିତ୍ୱ ଦେଇ ମହାଦେବ କାଶୀ ଫେରିଗଲେ । ଅସୁରଙ୍କ କଥା ମା ନିଜ ଉପାୟରେ ବୁଝିଲେ ଓ ତାଙ୍କ ନିଧନ କଲେ । କେହି କେହି କୁହନ୍ତି ଏକାମ୍ର କ୍ଷେତ୍ର ସେତେବେଳେ ପ୍ରକୃତରେ ଏକ ବୌଦ୍ଧ କ୍ଷେତ୍ର ଥିଲା । ବୌଦ୍ଧ ଧର୍ମର ବିଲୟ ଓ ରାଜାନୁଗ୍ରହରେ ବ୍ରାହ୍ମଣ୍ୟ ଧର୍ମର ଆଧିପତ୍ୟ ବଢିବା ସମୟର କିଛି ଘଟଣା ପରେ ଏମିତି ଏକ ରୂପ ପାଇପାରିଥାଏ । ତେବେ ଏକାମ୍ରକ୍ଷେତ୍ର ଯେ ଶାନ୍ତ, ସରଳ, ମନୋରମ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିଲା ଏହା ନିଃସନ୍ଦେହ । ବିଗତ ୫୦ - ୬୦ ବର୍ଷ ତଳେ ମଧ୍ୟ ଓଡ଼ିଶା ବାହାରୁ ଅନେକ ଲୋକ ସ୍ୱାସ୍ଥ୍ୟ ପରିବର୍ତ୍ତନ ପାଇଁ ଆସୁଥିଲେ ଭୁବନେଶ୍ୱର । ଏଠିକାର ମାଟି, ପାଣି, ପବନ, ଗଛପତ୍ରରେ ଥିଲା ଔଷଧୀୟ ଗୁଣ ।

ଅନେକ ରିସର୍ଚ୍ଚର, ଫଟୋଗ୍ରାଫର, ସମାଜ ବିଜ୍ଞାନୀ ବିଭିନ୍ନ ସମୟରେ ଆମ ପୁରୁଣା ଭୁବନେଶ୍ୱର ସମ୍ପର୍କରେ କହିଛନ୍ତି ଓ ଏହାକୁ ଲିପିବଦ୍ଧ କରି ଏହି ସହରର ଇତିହାସକୁ ରୁଦ୍ଧିମନ୍ତ କରିବାରେ ସହଯୋଗ କରିଛନ୍ତି ।

ନୃତତ୍ତ୍ୱବିଜ୍ଞାନୀ ପ୍ରଫେସର କୋରା ଡୁ ବୋଇସ୍ ଯେତେବେଳେ ପ୍ରଥମଥର ଗୋଟିଏ ପ୍ରୋଜେକ୍ଟ କାର୍ଯ୍ୟରେ ଭୁବନେଶ୍ୱର ଆସିଥିଲେ ସେ ଏହି ସହରଟି ଦ୍ୱାରା ବେଶି ପ୍ରଭାବିତ ହୋଇନଥିଲେ । ସେ ତାଙ୍କ ୧୯୬୧ର ଏକ ଚିଠିରେ ଲେଖିଥିଲେ, 'ଏବେ ଭୁବନେଶ୍ୱରରେ ନୂଆ ରାଜଧାନୀ ସ୍ଥାନଟି ଖୁବ୍ ବିସ୍ତୃତ, ବିଛାଡି ହୋଇ ପଡିଥିବା କୃତ୍ରିମ ସ୍ଥାନ ମାତ୍ର । ବହୁତ ଭୟାନକ ଦିଶୁଥିବା ନୂଆ କୋଠାଘରେ ଦୁସ୍ଥ ଦୋକାନ ସବୁ ପୂର୍ବରୁ ଚାଲିବା ଆରମ୍ଭ କରିଦେଇଛନ୍ତି । କୌଣସି ଚଳଚିତ୍ର ନାହିଁ, ମନୋରଞ୍ଜନ ବି ନାହିଁ ଏଠି । ମୁଁ ଏଯାଏଁ ପୁରୁଣା ମନ୍ଦିର ସହରକୁ ଯାଇନାହିଁ, ଯିଏ ଏହାଠୁ ଅଧିକ ଜୀବନ୍ତ ହୋଇଥାଇପାରେ ।  କିନ୍ତୁ ନୂଆ ସହର ରୂପ ଦୃଷ୍ଟିରୁ ଖୁବ୍ ଅବାସ୍ତବ, କେବଳ କିଛି ଲୋକଙ୍କ ଘର କିନ୍ତୁ ସମୁଦାୟ ନାହାନ୍ତି ।କିନ୍ତୁ ଏହା ତାଙ୍କର ସହର ସାଙ୍ଗରେ ଲମ୍ବା ସମ୍ପର୍କର ଆରମ୍ଭ ଥିଲା । ହାଭାର୍ଡରେ କାର୍ଯ୍ୟରତ ପ୍ରଥମ ମହିଳା ସଦସ୍ୟ ଭାବେ ସେ ଭୁବନେଶ୍ୱରରେ ସହରୀକରଣ ଏବଂ ସାମାଜିକ ପରିବର୍ତ୍ତନ ଉପରେ ପ୍ରମୁଖ ଅନୁସନ୍ଧାନ ଯୋଜନାର ଆରମ୍ଭ କରିଥିଲେ ।

ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଆତ୍ମକଥା "ସାଧନାର ପଥେ"ରେ ଉଲ୍ଲେଖ କରିଥିବା ତିନୋଟି ପ୍ରାଥମିକତା ଭିତରେ ନୂଆ ରାଜଧାନୀର ନିର୍ମାଣ ଗୋଟିଏ ଥିଲା । ସେ କୁହନ୍ତି, ଭୁବନେଶ୍ୱର ସମ୍ରାଟ ଅଶୋକଙ୍କ ସମୟରୁ ସମ୍ରଗ ଭାରତରେ ଏକମାତ୍ର ଜାଗା ଯାହାର ଅର୍ଦ୍ଧ ସହସ୍ରାବ୍ଦୀରୁ ଅଧିକ ଜୀବନ୍ତ ଇତିହାସ ଅଛି । ଭୁବନେଶ୍ୱର ପ୍ରତି ଆକର୍ଷଣର ଏହାହିଁ କାରଣ । ମହତାବ କେବଳ ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରିତ କରିବାରେ ଯେ ସଫଳ ହୋଇଥିଲେ ସେକଥା ନୁହେଁ, ସେ ଭାରତ ସରକାରଙ୍କୁ ମଧ୍ୟ ଅନୁଦାନ ଅର୍ଥ ଦେବା ପାଇଁ ପ୍ରବର୍ତ୍ତାଇ ସଫଳ ହୋଇଥିଲେ, ଚଣ୍ଡିଗଡ ପାଇଁ ରଣଦାନ ଭାବେ ଦେଇଥିବା ସହାୟତା ରାଶି କଥା ଦର୍ଶାଇ । ଭୁବନେଶ୍ୱରକୁ ରାଜଧାନୀ ସ୍ଥାନାନ୍ତରଣ କରିବା ଦ୍ୱାରା ସହରର ସ୍ଥାପତ୍ୟ, ଐତିହ୍ୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି, କିନ୍ତୁ ଭୁବନେଶ୍ୱରକୁ ସାମାଜିକ, ଭୌଗଳିକ ଆକାର ଦେବାରେ ମହତାବଙ୍କ ଅବଦାନକୁ କେହି ବି ଅସ୍ୱୀକାର କରିପାରିବେ ନାହିଁ ।

ଇଣ୍ଡୋଲୋଜିଷ୍ଟ୍ ରାଜେନ୍ଦ୍ର ଲାଲ ମିତ୍ର ଭୁବନେଶ୍ଵର ଆସି ପୁରୁଣା ମନ୍ଦିର ସବୁ ବୁଲି ଦେଖିଥିଲେ । ମିତ୍ର ଜାଣିଥିଲେ ପୂର୍ବ ଭାରତର ସବୁଠୁ ଭଲ, ପ୍ରାଚୀନ ଓ ସୁନ୍ଦର ଅପୂର୍ବ ମୂର୍ତ୍ତି ସବୁ ଏଇଠି ହିଁ ଥିଲା ।

ମିତ୍ରଙ୍କୁ ତତ୍କାଳୀନ ସରକାରଙ୍କ ପକ୍ଷରୁ ଓଡିଶାରେ କାମ କରିବା ଲାଗି ଦଳର ନେତୃତ୍ୱ ନେବାକୁ ପଠାଯାଇଥିଲା । ଏହି କାମ ପ୍ରାୟତଃ ଦେଢଶହ ବର୍ଷ ତଳେ ଅର୍ଥାତ୍ ୧୮୬୮-୬୯ ଶୀତ ଋତୁରେ ହୋଇଥିଲା । ଏହି କାମର ଫଳଶୃତି ଭାବରେ ପରବର୍ତ୍ତୀ ସମୟରେ ଦୁଇଖଣ୍ଡରେ ସୁଦୃଶ୍ୟ ପୁସ୍ତକ ୧୮୭୫ ଓ ୧୮୮୦ ରେ ପ୍ରକାଶିତ ହୋଇଥିଲା । ଲିଥୋଗ୍ରାଫ୍ ଏବଂ ଫଟୋ ସହିତ ଚମତ୍କାର ରୂପେ ଏହାକୁ ଚିତ୍ରିତ କରାଯାଇଥିଲା । ଏହି ଛବିଗୁଡିକରେ ଭୁବନେଶ୍ୱରର ଆରମ୍ଭ ସମୟର ବାସ୍ତୁ କଳା ଏବଂ ମୂର୍ତ୍ତି ପ୍ରସ୍ତୁତିର ଦୃଶ୍ୟ ସାମିଲ୍ ହୋଇଅଛି । ଏହି ଛବିଗୁଡିକରେ ଆମେ ସେ ସମୟର ଭୁବନେଶ୍ୱରକୁ ଦେଖିପାରିବା l ପ୍ରାରମ୍ଭିକ ସମୟର ଜଣେ ଫଟୋଗ୍ରାଫର ଭାବରେ ସେ ସେଇ ସମୟର ଭୁବନେଶ୍ଵରର କିଛି ଫଟୋ ମଧ୍ୟ ଉଠେଇଥିଲେ ।

ଭୁବନେଶ୍ୱରକୁ ନେଇ ଅଛି ଆହୁରି ଅନେକ ତଥ୍ୟ, ପ୍ରସିଦ୍ଧ ବ୍ଯକ୍ତିତ୍ୱଙ୍କ ଅନୁଭୂତି, କାହାଣୀ ଓ ରୋଚ଼କ ପ୍ରସଙ୍ଗ । ସେ ବିଷୟରେ ଧିରେଧିରେ ଗୋଟେ ପରେ ଗୋଟେ କହିବି ।

Report an Error