ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୭)

ନୂଆ ପ୍ରଜନ୍ମର କଥାକାର ଲୋପାମୁଦ୍ରା ମିଶ୍ରଙ୍କ ଉପନ୍ୟାସ "ଚିତ୍ରଲିପି" ଧାରାବାହିକ ଭାବେ ପ୍ରକାଶ ପାଉଛି । ପ୍ରତିଦିନ ଏହି ଉପନ୍ୟାସର ଏକ ଏକ ଅଧ୍ୟାୟ ଆପଣମାନେ "ବାଟୋଇ"ରେ ପଢୁଛନ୍ତି ।


(ପୂର୍ବ ପ୍ରକାଶିତ ଉତ୍ତାରୁ)

ବିକି ସହ ଟ୍ରେନରୁ ଓହ୍ଲାଇ ଷ୍ଟେସନ୍ ବାହାରକୁ ଆସୁଥିଲାବେଳେ ହଷ୍ଟେଲର ଝିଅଟିଏ ଦେଖିନେଲା ସୁକନ୍ୟାକୁ । ସୁକନ୍ୟା ତା' ଆଡ଼େ ଦେଖିଲାରୁ ଝିଅଟି ବିଚିତ୍ର ହସଟିଏ ହସି ଆଗକୁ ଚାଲିଗଲା ।

ସୁକନ୍ୟା ଓ ବିକି ଅଟୋ ଧରିଲେ ବସ୍ ଷ୍ଟାଣ୍ଡ୍ ପାଇଁ । ସୁକନ୍ୟାକୁ ବସ୍ ରେ ଉଠେଇ ଦେଇ ବିକି ଚାଲିଯାଉଥିଲା ସୁକନ୍ୟା ପଚାରିଲା, "ତୁମେ ଯିବନି ?" । ବିକି କହିଲା, "କୁଆଡ଼େ ଯିବି ? ମୋର କ'ଣ ସତରେ କୋଉଠି ସ୍ଥାୟୀ ଘର ଅଛି ? ତୁମେ ଯାଅ, ମୋର ଆଜି କଟକରେ କାମ ଅଛି । ପରେ କେବେ ଗଲେ ତୁମ ଘରକୁ ଯିବି ।"

ସୁକନ୍ୟା ଘରେ ପହଞ୍ଚିଲାବେଳକୁ ଘରେ ଏକଦମ ନୀରବତା ଛାଇଯାଇଛି । ଦୀପୁର ଦଶମ ବୋର୍ଡ୍ ପରୀକ୍ଷା । ସ୍ନେହା ଛୁଟି ନେଇ ଘରେ ଅଛନ୍ତି । ମାଧବୀ ଚୁପଚାପ୍ ଘର କାମ କରୁଛନ୍ତି । ସୁକନ୍ୟାକୁ ଦେଖି ସ୍ନେହା କିଛି କଥା ବି କହିଲେନି । ଦୀପୁ ପଢୁଥିଲା, ସେ କହିଲା, "ଦିଦି ଆସିଗଲୁ ? ବହୁତ ଭଲ ହେଲା । ପରୀକ୍ଷା ପାଇଁ ମୁଁ ଏବେ ବହୁତ ଟେନସନରେ । ତୁ ମୋର ସବୁ ଟେନସନ୍ ଦୂରକରିବୁ ।"

ସୁକନ୍ୟା ହସିଦେଲା ଓ ସ୍ନେହରେ ଦୀପୁ ମୁଣ୍ଡରେ ହାତ ବୁଲେଇଆଣିଲା ।

ଧୁଆ ଧୋଇ ହେଇ ଡ୍ରେସ୍ ବଦଳା ବଦଳି କରି ସୁକନ୍ୟା ନିଜ ରୁମ୍ ରେ ବସିଥିଲା ସ୍ନେହା ଯାଇ କହିଲେ, "ଦେଖୁଛୁ ତୋ ବାପାଙ୍କ କାମ ? ପିଲାଟାର ଦଶମ ପରୀକ୍ଷା, ଘରକୁ ଟିକେ ଆସି ତାକୁ ସାହସ ଦେବା, କି ନହେଲେ ଟିକେ ଫୋନ୍ କରି ତା' ସହ କଥା ହେବା, କିଛି ନାହିଁ । ତୋର ସବୁ ପରୀକ୍ଷା ଆଗରୁ ତ' ଆସି ହାଜର ହେଇଯାଉଥିଲେ ! ଏବେ ଦୀପୁକୁ କେମିତି ଲାଗୁଥିବ କହିଲୁ ? ସେ କ'ଣ କୋଉଠୁ ଭାସି ଆସିଛି ?"

ସୁକନ୍ୟା ନିଜ ଓଦା ବାଳକୁ ଟାୱେଲରେ ପୋଛୁ ପୋଛୁ କହିଲା, "ମମି ତୁମେ କାହଁକି ବ୍ୟସ୍ତ ହେଉଛ ? ଆମେ ତ' ଅଛୁ, ବାପା ଆସି ଆଉ ଅଧିକଟା କ'ଣ କରିପକାନ୍ତେ ? ବରଂ ସେ ନଆସିଲେ ଭଲ । ଅଯଥାରେ ଘରେ ଭିଡ଼ ହେବ, ଦୀପୁର ପଢ଼ାରେ ଡିଷ୍ଟର୍ବାନ୍ସେସ୍ ହେବ । ମୁଁ ଅଛି ନା, ଦୀପୁ କଥା ମୁଁ ବୁଝିବିନି !"

ସ୍ନେହା ଟିକେ ରାଗିଲା ଭଳି କହିଲେ, "କାଇଁ, ତୋ ପରୀକ୍ଷାବେଳକୁ ତ' ତୁ କହୁନଥିଲୁ ବାପା ଆସିଲେ ଘର ଭିଡ଼ ହେବ ?"

ସୁକନ୍ୟା ବି ଚିଡ଼ି ଉଠି କହିଲା, "ଦୀପୁ ଉପରେ ବଡ଼ ଭଉଣୀ ଭାବେ ଯେମିତି ମୁଁ ଅଛି ମୋ ଉପରେ ସେହିଭଳି ବଡ଼ ଭାଇ କି ଭଉଣୀଟେ ଥିଲେ ମୁଁ ବି ବାପାଙ୍କୁ ଖୋଜିନଥାନ୍ତି । ତୁମେ ବି ମମି ଆଜିକାଲି କେମିତି ସବୁ କଥାକୁ ଧରୁଛ ଯେ ! ତୁମେ ପରା ନିଜେ ବାପାଙ୍କ ଉପରେ ଚିଡ଼ ସେ ଏଠିକି ଆସିଲେ !"

ସ୍ନେହା କହିଲେ, "ଆଚ୍ଛା ମୁଁ ତାଙ୍କର ଘରକୁ ଆସିବାରେ ଚିଡ଼େ ? କୋଉଦିନ ଚିଡ଼ିଥିଲି କହିଲୁ ?"

ସୁକନ୍ୟା ଅଳ୍ପ ଓଦା ଟାୱେଲଟାକୁ ପଲଙ୍କର ବାଡାରେ ପକେଇ ଦେଇ କହିଲା, "ମମି ମୁଁ କ'ଣ ସବୁ ଦିନ ବାର ଟିପି ରଖିଛି କି ? ତୁମେ ନିଜେ ମନେପକାଉନ !"

ସ୍ନେହା ଓ ସୁକନ୍ୟା କଥା ହେଉଥିଲେ, ମାଧବୀ ସୁକନ୍ୟା ପାଇଁ ଚା' ନେଇକରି ଆସିଲେ । ସ୍ନେହା କିଛି କହିଆସୁଥିଲେ କଥା ବନ୍ଦ କରିଦେଇ ମାଧବୀଙ୍କୁ କହିଲେ, "ମୋ ପାଇଁ କପେ ଚାହା ଡ୍ରଇଂରୁମ୍ କୁ ଆଣ ।"

ଦୀପୁର ଯେଉଁ ଯେଉଁ ପାଠ ସବୁ ଅବୁଝା ରହିଥିଲା ସୁକନ୍ୟା ତାକୁ ସେସବୁ ବୁଝେଇଦେଲା । ଦୀପୁର ପରୀକ୍ଷା ଆରମ୍ଭ ହେଲା । ତା ହିସାବରେ ସେ ପରୀକ୍ଷାରେ ଭଲ କରୁଥିଲା । ଶେଷ ପରୀକ୍ଷାର ପୂର୍ବଦିନ ରବିବାର ଯୋଗୁଁ ଛୁଟି ଥିଲା । ସେହିଦିନ ସୁବ୍ରତ ଆସି ପହଞ୍ଚିଲେ । ଘରେ ତାଙ୍କୁ ଦେଖି ଦୀପୁ ଛଡ଼ା ଆଉ କେହି ବି ଉତ୍ସାହିତ ନ ହେବା ସୁବ୍ରତଙ୍କୁ ଭଲ ଲାଗିଲାନାହିଁ । ତାଙ୍କୁ ବେଶି କଷ୍ଟ ଦେଲା ସୁକନ୍ୟାର ଉଦାସ ଓ ଅନାସକ୍ତ ମୁହଁ । ସୁକନ୍ୟା ଚାହିଁ କରି ବି ସୁବ୍ରତଙ୍କ ସହ ଭଲରେ କଥା ହେଇପାରୁନଥିଲା ।

ସୁକନ୍ୟାର ନିଜ ପ୍ରିୟ ବାପାଙ୍କ ପ୍ରତି ଏଭଳି ଅନାଗ୍ରହ ବ୍ୟବହାରକୁ ଦେଖି ସ୍ନେହା ଓ ମାଧବୀ ମଧ୍ୟ ଆଶ୍ଚର୍ଯ୍ୟ ହେଉଥିଲେ ।

ଦୀପୁର ପରୀକ୍ଷା ସରିବା ଦିନ ସମସ୍ତେ ମିଶି ଗୋଟେ ରେସ୍ତୋରାଁକୁ ଖାଇବାକୁ ଯିବାର ଯୋଜନା କଲେ । ସୁକନ୍ୟା କହିଲା, "ମୋର ପେଟ ଭଲ ନାହିଁ । ତୁମେମାନେ ଯାଅ, ମୁଁ ଆଜି ଘରେ କେବଳ ଚୁଡା, କଦଳୀ ଖାଇବି ।" ସୁକନ୍ୟାର ନଯିବା କଥା ଶୁଣି ସୁବ୍ରତ ଓ ସ୍ନେହା ଉଭୟ ଦୁଃଖୀ ଦିଶିଲେ । ତଥାପି ସେମାନେ ତିନିଜଣ ଗଲେ । ମାଧବୀ ଓ ସୁକନ୍ୟା ଘରେ ରହିଲେ । ମାଧବୀଙ୍କୁ ରୋଷେଇ କରିବାକୁ ମନାକରାଯାଇଥିଲା କାରଣ ସେଦିନ ମାଧବୀଙ୍କ ପାଇଁ ରେସ୍ତୋରାଁରୁ ପାର୍ସଲ୍ ଆଣିବାର ଯୋଜନା ଥିଲା ।

ସୁକନ୍ୟା ନିଜ ରୁମ୍ ରେ ବସି ଚିତ୍ର ଆଙ୍କିଲା । ରୂପେଶ୍ ଫୋନ୍ କରିଥିଲା, ତା' ସହ ଦୁଇପଦ କଥା ହେଇ ଫୋନ୍ ରଖିଲା । ମାଧବୀ ଆସି ସୁକନ୍ୟାର ପାଖରେ ବସି କହିଲେ, "ସୁକମାଆ ଗୋଟେ କଥା ପଚାରିବି ?" ସୁକନ୍ୟା କହିଲା, "ହୁଁ, ପଚାର ।"

ମାଧବୀ କହିଲେ, "ସେ ଯୋଉ ପିଲାଟି ତୁମକୁ ଆଗରୁ ଫୋନ୍ କରୁଥିଲା, ତା' ସହ ତୁମର କିଛି ପାଟିଗୋଳ ହେଇଛି କି ?" ସୁକନ୍ୟା ନିଜ ରଙ୍ଗତୂଳୀ ରଖିଦେଇ ମାଧବୀଙ୍କ ଆଡ଼େ ଦେଖିଲା । ମାଧବୀ ଟିକେ ଅପ୍ରସ୍ତୁତ ହୋଇପଡିଲେ ଓ ଉଠି ଠିଆ ହେଲେ ରୁମ୍ ରୁ ବାହାରିଯିବାକୁ । ସୁକନ୍ୟା ମାଧବୀଙ୍କ ହାତ ଧରି ବସେଇଦେଲା ଓ ହସି ହସି କହିଲା, "ନା ନା ପାଟିଗୋଳ ସେମିତି କିଛି ହେଇନି । ସେ ଗୋଟେ ଝିଅକୁ ଭଲ ପାଉଛି ଯେ ସେ ଝିଅ ତାକୁ ମନାକରିଛି ଆଉ କୋଉ ଝିଅ ସହ ସମ୍ପର୍କ ରଖିବାକୁ । ସେଥିପାଇଁ ସେ ମୋ ସହ କଥା ହେଉନି କି ମୁଁ ବି ଆଉ ତାକୁ ଫୋନ୍ କରୁନି ।"

ସୁକନ୍ୟା ବେଶ୍ ସହଜରେ ଏତିକି କଥା କହିଦେଇ ଟିକେ ହସିଦେଲା । ମାଧବୀ ଅବୁଝା ଚାହାଣୀରେ କିଛି ସମୟ ସୁକନ୍ୟାକୁ ଦେଖିଲେ । ସୁକନ୍ୟା ମୁଣ୍ଡ ତଳକୁ କରି ପୁଣି ନିଜ ରଙ୍ଗତୂଳୀ ଧରି କଳା ବାଦଲ ଆଢୁଆଳରୁ ବାହାରି ଆସୁଥିବା ତୋଫା ଜହ୍ନର ଚିତ୍ର ଆଙ୍କିବାକୁ ଲାଗିଲା ।

ଦୀପୁ ପ୍ଲସ୍ ଟୁ ସାଇନ୍ସ୍ ପଢ଼ିବା ପାଇଁ କୋଚିଂ ସେଣ୍ଟରରେ କ୍ରାସ୍ କୋର୍ସ୍ କରିବା ଆରମ୍ଭ କରିଦେଲା । ସ୍ନେହା ଏବେ କିଛି ଦିନ ଅନ୍ତରରେ ଅଫିସ୍ ଛୁଟି ପରେ କୁଆଡ଼େ ଗୋଟେ କାମରେ ଯାଇ ରାତି ଆଠ, ନଅକୁ ଫେରୁଥିଲେ । ସୁକନ୍ୟାକୁ ଏ ଖରାଦିନ ଛୁଟିଟା ବହୁତ ଲମ୍ବା ମନେହେଉଥିଲା । ଘରେ ତାକୁ ଭଲ ଲାଗୁନଥିଲା ।

ବିକେଶ୍ ଆସିଲା ସୁକନ୍ୟାର ଘରକୁ । ସେଦିନ ରବିବାର ଥିଲା । ସ୍ନେହା ଘରେ ଥିଲେ । ସେ ବିକିକୁ ସୁକନ୍ୟା ସାଙ୍ଗରେ ଦେଖି ମନ ଭିତରେ ବିରକ୍ତ ହେଉଥିଲେ ମଧ୍ୟ ମୁହଁ ଖୋଲି କିଛି କହୁନଥିଲେ । ସୁକନ୍ୟା ବିକିକୁ କିଛି ପେଣ୍ଟିଙ୍ଗ୍ସ୍ ଦେଖାଇଲା । ବିକି ତା' ଭିତରୁ କିଛି ବାଛିନେଇ ନିଜ ପାଖରେ ରଖିଲା । ତା'ପରେ ସେମାନେ ସୁକନ୍ୟାର ରୁମ୍ କୁ ଗଲେ । ସ୍ନେହାଙ୍କ ସନ୍ଦେହ ଆହୁରି ବଢିଲା । ସେ ସେହି ରୁମ୍ ପାଖରେ ଏପଟ ସେପଟ ହେଲେ । ସୁକନ୍ୟା ଜାଣିଗଲା ସ୍ନେହା ତାକୁ ଓ ବିକିକୁ ସନ୍ଦେହ କରୁଛନ୍ତି । ସେ ନିଜ ଆଲମିରା ଭିତରୁ ବହି ଦୁଇଟି କାଢ଼ି ବିକି ହାତରେ ଦେଲା ଓ ପରେ ଫୋନ୍ କରି କଥା ହେବ କହି ବିକିକୁ ବିଦାୟ ଜଣାଇଲା ।

ବିକି ଚାଲିଗଲା ପରେ ସ୍ନେହା ସୁକନ୍ୟା ପାଖକୁ ଆସି ପଚାରିଲେ, "ଏସବୁ କ'ଣ ଚାଲିଛି ସୁକନ୍ୟା ?"

"ଯାହା ତୁମେ ଲୁଚି ଛପି ଦେଖୁଥିଲ ସେୟା ଚାଲିଛି ", ସୁକନ୍ୟା କହିଲା । ସ୍ନେହା ରାଗିଗଲେ । କହିଲେ,"ଏସବୁ ଭଲ କଥା ନୁହେଁ । ସେ ପିଲା ଭଲ ନୁହେଁ ।"

"କ'ଣ ସବୁ ଭଲ ନୁହେଁ ମମି ? ସେ ପିଲା ଭଲ ନୁହେଁ ବୋଲି ତୁମେ କେମିତି ଜାଣିଲ ? ନୈନାଆଣ୍ଟି ବିକିଭାଇର ମାଆ ନୁହଁନ୍ତି ନା, ସେଥିପାଇଁ ସେ ଜାଣିପାରୁନାହାଁନ୍ତି ବିକିଭାଇ କାହାର ଭାଇ ବି ହେଇପାରନ୍ତି । ବୁଝିଲ କି ନାହିଁ ମମି ?", କହିସାରି ସୁକନ୍ୟା ଏକ ରହସ୍ୟମୟ ହସ ହସିଲା । ସ୍ନେହା ଟିକେ ବିଚଳିତ ହେଇ କହିଲେ,"ତୁ ଆଜିକାଲି ଏମିତି ସବୁ କଥା କହୁଛୁ ଯେ ମୁଁ ସତରେ କିଛି ବୁଝିପାରୁନି ।"

ଦୀପୁର ରେଜଲ୍ଟ୍ ବାହାରିଲା । ସେ ଯେତେ ଭଲ କରିଛି କହୁଥିଲା ସେତିକି ଭଲ ଫଳ ପାଇଲାନାହିଁ । ସ୍ନେହା ଚାହୁଁଥିଲେ ତାକୁ କଟକରେ ପଢ଼େଇବେ । ସୁକନ୍ୟା ବି ସେଇଠି ଅଛି । ସ୍ନେହା ମନ ଭିତରେ ସ୍ଥିର କରିଥିଲେ ସୁକନ୍ୟାକୁ ଆଉ ହଷ୍ଟେଲରେ ନରଖି ବାହାରେ ରଖିବେ । ସେ ଦୀପୁ ପାଖରେ ରହିବ । ଭାଇ ଭଉଣୀ ସାଙ୍ଗ ହୋଇ ଗୋଟେ ଘର ଭଡା ନେଇ ରହିବେ । ସୁକନ୍ୟା ଦୀପୁର ପଢ଼ାପଢି ଓ ଖାଇବା ପିଇବା ବୁଝାବୁଝି କରିଦେବ । ଅଳ୍ପ ଖର୍ଚ୍ଚରେ ସବୁ ହେଇଯିବ । କିନ୍ତୁ ସ୍ନେହାଙ୍କର ସବୁ ଇଚ୍ଛାରେ ଦୀପୁର ରେଜଲ୍ଟ୍ ପାଣି ପକେଇ ଲିଭେଇ ଦେଲା । ଘର ପାଖ ସିଟି କଲେଜରୁ ମଧ୍ୟ ଦୀପୁର ଇଣ୍ଟିମେସନ୍ ଲେଟର୍ ଆସିଲାନାହିଁ । ସ୍ନେହା ବଡ଼ ଚିନ୍ତାରେ ପଡିଗଲେ । ସୁକନ୍ୟା କହିଲା, "ମମି ଦୀପୁର ମ୍ୟାଥ୍, ସାଇନ୍ସ୍ ଅପେକ୍ଷା ଲିଟରେଚର୍ ଭଲ ହୁଏ । ତା'ର ମୁଁ ଆର୍ଟ୍ସରେ ବି ଫର୍ମ୍ ପକେଇଦେଇଥିଲି । କଟକରୁ ଆର୍ଟ୍ସରେ ଇଣ୍ଟିମେସନ୍ ଆସିଛି, ସେଇଠି ଆର୍ଟ୍ସରେ ଆଡ଼ମିଶନ୍ କରେଇଦେବା, ଭଲ ହେବ ।"

ସୁକନ୍ୟାର କଥା ଶୁଣି ସ୍ନେହା ରାଗରେ ଏକଦମ୍ ଯେମିତି ଜଳି ଉଠିଲେ ଓ କହିଲେ, "ତୋ ମୁଣ୍ଡ ଖରାପ ହେଇଯାଇଛି କି ? ତୁ ତା'ର ନିଜ ଭଉଣୀଟି ? କେମିତି କହିପାରୁଛୁ ସେ ଆର୍ଟ୍ସ୍ ପଢ଼ିଲେ ଭଲ ହେବ ? ଆର୍ଟ୍ସ୍ ପଢି ସେ କରିବ କ'ଣ ? ତୁ ଝିଅଟେ ହେଇ ସାଇନ୍ସ୍ ପଢ଼ିଲୁ, ଆଉ ସେ ପୁଅ ପିଲାଟେ ହେଇ ଆର୍ଟ୍ସ୍ ପଢିବ ?"

ସୁକନ୍ୟା ମମିଙ୍କ କଥାରେ ନରାଗି ଅଳ୍ପ ହସିଲା ଓ କହିଲା, "ହଁ ମମି ଦୀପୁ ମୋର ନିଜ ଭାଇ ବୋଲି ମୁଁ ତା'ର ଭଲ ପାଇଁ କହୁଥିଲି ସେ ଆର୍ଟ୍ସ୍ ପଢ଼ୁ । ସାଇନ୍ସ୍, ଆର୍ଟ୍ସ୍ ପଢିବାରେ ପୁଅ, ଝିଅ ହେବାର କୌଣସି ସମ୍ବନ୍ଧ ନାହିଁ । ମୁଁ ଗଣିତ, ବିଜ୍ଞାନକୁ ଭଲ ପାଉଥିଲି ତେଣୁ ମୋର ସାଇନ୍ସ୍ ପଢିବା ଉଚିତ ଥିଲା । କିନ୍ତୁ ଦୀପୁ... ଛାଡ଼ ମମି, ତୁମକୁ ଯାହା ଭଲ ଲାଗୁଛି ତାହା କର ।"

ସ୍ନେହା ଦୀପୁର ଆଡ଼ମିଶନ୍ ଭୁବନେଶ୍ୱରର ଏକ ଘରୋଇ ରେସିଡେନ୍ସିଆଲ୍ କଲେଜରେ ଲକ୍ଷାଧିକ ଟଙ୍କା ଦେଇ କରେଇଦେଲେ । ଦୀପୁ ସେଇଠି ହଷ୍ଟେଲରେ ରହି ପ୍ଲସ୍ ଟୁ ସାଇନ୍ସ୍ ପଢିଲା ।

ଯେଉଁଦିନ ଦୀପୁ ହଷ୍ଟେଲକୁ ଯାଇଥିଲା ସେଦିନ ସୁକନ୍ୟା ସୁବ୍ରତଙ୍କୁ ଫୋନ୍ କରି ପଚାରିଥିଲା, "ବାପା ଦୀପୁର ଆଡ଼ମିଶନ୍ ପାଇଁ ଏତେ ଟଙ୍କା ତୁମେ ଦେଲ ?"

ସୁବ୍ରତ କହିଲେ,"ନା ନା ମୁଁ ଦେଇନାହିଁ । ତୋ ମମି ସବୁ ଦେଇଛନ୍ତି ।" ସୁବ୍ରତଙ୍କ କଥା ଶୁଣି ସୁକନ୍ୟା ଆଉ ଟିକେ ବେଶି ଗମ୍ଭୀର ହେଇଗଲା । ଅଳ୍ପ ଦୁଇପଦ କଥା ହୋଇ ଫୋନ୍ କାଟିଦେଲା ।

ଦୀପୁ ଓ ସୁକନ୍ୟା ହଷ୍ଟେଲ୍ ଚାଲିଗଲା ପରେ ସ୍ନେହା ଘରେ ଏକଦମ୍ ଏକ୍ଲା ଅନୁଭବ କରୁଥିଲେ । ମାଧବୀଙ୍କୁ ବେଳେବେଳେ ପାଖରେ ବସାଇ ଅଫିସ୍ କଥା ଗପନ୍ତି । ନିଜ ବାପଘର କଥା କହନ୍ତି । ଦୀପୁର ଫାଙ୍କା ସମୟକୁ ଅପେକ୍ଷା କରି ସନ୍ଧ୍ୟାରେ ତା ସହ ଫୋନରେ ପନ୍ଦର କୋଡ଼ିଏ ମିନଟ କଥା ହୁଅନ୍ତି । କିନ୍ତୁ ସୁକନ୍ୟାକୁ ଆଉ ଫୋନ୍ କରିବାକୁ ତାଙ୍କ ପାଖରେ ଏବେ ସମୟ ନଥାଏ ।

କଲେଜରେ ସୁକନ୍ୟାର ଶେଷବର୍ଷ । ସୁକନ୍ୟା, ସିମ୍ଫୋନି ସହ ପୁଣିଥରେ ଆଗ ଭଳି ମିଶି ପଢ଼ାପଢି କରିବାରେ ଲାଗିପଡ଼ିଲା । ସେ ଜାଣୁଥିଲା ତାକୁ ଯେମିତି ହେଲେ ଭଲ ନମ୍ବର ଆଣି ଏଠୁ ବାହାରିବାରେ ଅଛି । ଯେମିତି ହେଲେ ଶୀଘ୍ର ଗୋଟେ ଚାକିରି କରି ନିଜକୁ ମୁକ୍ତ କରିବାର ଅଛି । ତେଣୁ ସେ ରୂପେଶ ଓ ଶୋଭାଙ୍କ ମୁକ୍ତି ଆନ୍ଦୋଳନଠାରୁ ନିଜର ମୁକ୍ତିକୁ ଅଧିକ ଗୁରୁତ୍ୱ ଦେବାକୁ ଲାଗିଲା । ପାର୍ଟି ଅଫିସ୍ ଯିବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଲା । ପଢ଼ାପଢି ଭିତରେ ବୋର୍ ହେଇଗଲେ କେବେ କେମିତି ଇଚ୍ଛା କରି ଚିତ୍ର ଆଙ୍କି ବସେ ଓ ଚିତ୍ରଟି ଭଲ ଲାଗିଲେ ବିକି ପାଖକୁ ପଠାଇ ଦିଏ ।

ଚିତ୍ରଲିପିର ଚିତ୍ର ମଧ୍ୟ ଏବେ ବେଶ୍ ପ୍ରଶଂସା ସାଉଁଟିଲାଣି । ସେହି ମାଧ୍ୟମରୁ କିଛି କିଛି ଟଙ୍କା ସୁକନ୍ୟାକୁ ଏବେ ମିଳିଯାଏ । ସେ ଆଉ ଟଙ୍କା ପାଇଁ ସ୍ନେହାଙ୍କ ପାଖରେ ଅଳି କରେନାହିଁ । ଘରକୁ ବହୁତ କମ୍ ଯାଏ । ତନ୍ମୟକୁ ଦୁଇ ତିନିଥର ରାସ୍ତାରେ ଭେଟିଲାଣି । କିନ୍ତୁ ତାକୁ ଦେଖିଲା ପରେ ହଷ୍ଟେଲରେ ଆସି ଆଉ ଆଗ ଭଳି ସେ କାନ୍ଦେନାହିଁ ।

ସିମ୍ଫୋନିର ବୟଫ୍ରେଣ୍ଡ୍ ଅମ୍ବିକେଶ୍ ହାଇୟର୍ ଷ୍ଟଡି ପାଇଁ ଦିଲ୍ଲୀ ଚାଲିଯାଇଥିବାରୁ ସିମ୍ଫୋନି ମଧ୍ୟ ଆଉ ବେଶି ବୁଲାବୁଲି କରେନାହିଁ । ତା'ର ଏବେ ଗୋଟିଏ ଚିନ୍ତା କେମିତି ଗ୍ରାଜୁଏସନ୍ ସରିଲେ ସେ ପଢ଼ିବା ପାଇଁ ଦିଲ୍ଲୀ ଯିବ ।

ଗ୍ରାଜୁଏସନ୍ ପରେ ବିକିକୁ କଟକର ଗୋଟେ ସରକାରୀ ଅଫିସରେ କିରାଣୀ ଚାକିରି ମିଳିଯାଇଛି । ଦରମା ଅଳ୍ପ କିନ୍ତୁ ଚାକିରି ଭଲ । ବିକି ଏବେ ଅଫିସ୍ ଛୁଟି ପରେ ଅନେକ ସମୟରେ ଆସି ସୁକନ୍ୟା ସହ କଥାବାର୍ତ୍ତା କରେ । କବି ପ୍ରୀତମ୍ ମହ୍ଲାରଙ୍କୁ ପସନ୍ଦ କରୁଥିବା ହଷ୍ଟେଲର କେତୋଟି ଝିଅଙ୍କ ସହ ସୁକନ୍ୟା ବିକିକୁ ଭେଟେଇ ଦେଇଥିଲା । ଝିଅମାନେ ଖୁବ୍ ଖୁସି ହେଲେ ବିକି ସହ କଥା ହୋଇ । ବିକି କିନ୍ତୁ ସୁକନ୍ୟା ଉପରେ ଚିଡ଼ି ଯାଇ କହିଥିଲା, "ହେତ୍ ମୁଁ ପ୍ରୀତମ୍ ମହ୍ଲାର ବୋଲି ତୁମେ ସେମାନଙ୍କୁ କାହଁକି କହୁଥିଲ ଯେ ? ମୁଁ ପାଠକ, ପାଠିକାଙ୍କୁ ସାମ୍ନା କରିବାକୁ ଭୟ କରେ ।" ସୁକନ୍ୟା ହସିଥିଲା ସେଦିନ ବିକିର ନିରୀହପଣ ଦେଖି ।

ସମୟ ଗଡ଼ି ଚାଲୁଥିଲା । ଭବିଷ୍ୟତର ଯୋଜନା କରିବାକୁ ସୁକନ୍ୟାକୁ ଭୟ ଲାଗୁଥିଲା । ଏତେ ଅଳ୍ପ ବୟସରୁ ସେ ଯେତେ ସବୁ ଧକ୍କା ଖାଇଛି, ଯେତେ ବଡ଼ ବଡ଼ ମିଥ୍ୟାର ପରଦାକୁ ଆଡେଇ ଅପ୍ରିୟ ସତ୍ୟକୁ ସାମ୍ନା କରିଛି, ଯେତେ ଯନ୍ତ୍ରଣା ଭୋଗିଛି ସେସବୁ ରହି ରହି ତା' ଛାତିକୁ ବିଦାରୁ ଥିଲେ । ଏଇ ଭିତରେ ଦିନେ ବିକି ଆସି କହିଲା, "ତୁମ ମାଆ କଟକରେ ଗୋଟେ ଜାଗା କିଣୁଛନ୍ତି, ଘର କରିବା ପାଇଁ ।"

ସୁକନ୍ୟା ଆଶ୍ଚର୍ଯ୍ୟ ହେଇଗଲା । "ଏତେ ଟଙ୍କା ମମି ପାଇଲେ କୋଉଠୁ ? ତୁମକୁ ଏକଥା କିଏ କହିଲେ ?", ସୁକନ୍ୟା ବିକିକୁ ପଚାରିଲା । ବିକି କହିଲା, "ମୋ ଅଫିସକୁ ମୋ ବାପାଙ୍କ ଅଫିସ୍ ର ଜଣେ ଷ୍ଟାଫ୍ ଆଜି ଆସିଥିଲେ । ସେ ମୋତେ କହିଲେ ସେ ତୁମ ମମିଙ୍କ ପାଇଁ ଏଠି ଜାଗା ଠିକ୍ କରିଛନ୍ତି । ସବୁ କଥା ଫାଇନାଲ୍ ହେଇସାରିଛି । କୋଡ଼ିଏ ଲକ୍ଷ ଟଙ୍କାରେ ଜାଗା ଠିକ୍ ହେଇଛି ।"

ସୁକନ୍ୟା ଘରକୁ ଫୋନ୍ ଲଗେଇଲା । ମାଧବୀ ଉଠେଇଲେ । ସୁକନ୍ୟାକୁ ମାଧବୀ କହିଲେ ସ୍ନେହା ଘରେ ନାହାଁନ୍ତି । ସୁକନ୍ୟା ମାଧବୀଙ୍କୁ ପଚାରିଲା, "ସତ କୁହ ମାଉସୀ ଆମ ଘରକୁ ଏଇ କିଛି ଦିନ ଭିତରେ କିଏ ଆସିଥିଲେ ?"

ମାଧବୀ କହିଲେ, "ଘରକୁ କେହି ଆସି ନାହାଁନ୍ତି । କିନ୍ତୁ ତୁମ ମମି କିଛି ଦିନ ହେଲା ବାହାରେ କାହାକୁ ଦେଖା କରିବାକୁ ଯାଉଛନ୍ତି । ତାଙ୍କ ସାଙ୍ଗ କେହି ଜଣେ । ମୁଁ ସତ କହୁଛି ମୁଁ ଜାଣେନି ସେ କିଏ । ହେଲେ, କ'ଣ କିଛି ହେଇଛି କି ? ତୁମେ ଏତେ ବ୍ୟସ୍ତ କାହଁକି ଜଣାଯାଉଛ ?"

ସୁକନ୍ୟା ଶାନ୍ତ ହେଇ କହିଲା, "ମମି ଜାଗା କିଣିବା କଥା ତୁମେ କିଛି ଜାଣିଛ ?"

ମାଧବୀ ଆସ୍ତେ କରି କହିଲେ, "ସେହି କଥା ମୁଁ ତୁମକୁ ପଚାରିଥାନ୍ତି ସୁକମା । ତୁମେ ତ ଆଉ ଘରକୁ ଟିକେ ଆସୁନ, ତୁମ ସହ କିଛି କଥା ହେଇ ହେଉନି । ଠିକ୍ ଶୁଣିଛ ତୁମେ, ମାଆ ଜାଗା କିଣୁଛନ୍ତି । ତୁମ ବାପାଙ୍କୁ ବି ନଜଣେଇ । ମୁଁ କିଛି କିଛି ଶୁଣିଛି । ତୁମେ ଯଦି କେବେ ଆସନ୍ତ କୁହନ୍ତି । ଫୋନରେ କ'ଣ କହିହେବ !"

ମାଧବୀଙ୍କ କଥା ଶୁଣି ସୁକନ୍ୟା ଆହୁରି ଚିନ୍ତାରେ ପଡିଗଲା । କୋଡ଼ିଏ ଲକ୍ଷ ଟଙ୍କା ସ୍ନେହାଙ୍କୁ କୋଉଠୁ ମିଳିଲା ? ଦୀପୁକୁ ପ୍ରାଇଭେଟରେ ଲକ୍ଷାଧିକ ଟଙ୍କା ଦେଇ ପଢ଼ାଯାଉଛି । ଏତେ ସବୁ ମ୍ୟାନେଜ୍ କେମିତି କରୁଛନ୍ତି ସ୍ନେହା ? ସୁକନ୍ୟାର ମୁଣ୍ଡ ଗୋଳମାଳ ହେଇଯାଉଥିଲା । ସେ ସୁବ୍ରତଙ୍କୁ ଫୋନ୍ କରିବାକୁ ଚିନ୍ତା କଲା । କିନ୍ତୁ ବିକି କହିଲା, "ନା ନା ଏବେ ନୁହେଁ । ଘରକୁ ଯାଇ ଦେଖ ଆଗ ଜାଗାଟା କିଣା ହେବା କଥା ତୁମ ମମି ତୁମକୁ କହୁଛନ୍ତି କି ନାହିଁ । ଯଦି ସେ ତୁମକୁ ବିଲକୁଲ କିଛି କହୁନାହାଁନ୍ତି ତାହେଲେ ବାପାଙ୍କୁ ପଚାରିବ ।" ବିକିର କଥା ସୁକନ୍ୟାକୁ ଠିକ୍ ଲାଗିଲା । ସେ ସୁବ୍ରତଙ୍କୁ ଫୋନ୍ କରି କଥା ହେଲା କିନ୍ତୁ ଜାଗା କିଣା ବିଷୟରେ କିଛି ପଚାରିଲାନାହିଁ ।

ବିକିର ଦ୍ୱିତୀୟ ବହି ଲୋକାର୍ପିତ ହେଉଥିଲା । ସୁକନ୍ୟା ବହିର ପ୍ରଚ୍ଛଦ ଆଙ୍କିଥିଲା । ସେଦିନ ପୁସ୍ତକମେଳାରେ ବହି ଉନ୍ମୋଚନ ପାଇଁ ସୁକନ୍ୟାର ବି ଯିବାର ଥିଲା । ସିମ୍ଫୋନି ଆସି କହିଲା, "ମୋ ଭାଇ ଆସିଛି, ତୋ ସହ ଦେଖା କରିବ କହୁଛି । ତୁ ଆଜି ଦିନସାରା ହଷ୍ଟେଲରେ ଅଛୁ ତ ?"

ସୁକନ୍ୟା କହିଲା, "ସରି ୟାର୍, ଆଜି ମୋତେ ବିକି ଭାଇଙ୍କ ବହି ଉନ୍ମୋଚନ ପାଇଁ ଯେମିତି ହେଲେ ଯିବାକୁ ହେବ । ପ୍ଲିଜ୍ ଭାଇଙ୍କୁ କହିବୁ ଖରାପ ଭାବିବେନି ।"

ସୁକନ୍ୟା ରେଡି ହେଇ ପୁସ୍ତକମେଳାକୁ ଚାଲିଗଲା । ବିକିର ବହି ଉନ୍ମୋଚନ ହେଲା । ସୁକନ୍ୟାର ପ୍ରଚ୍ଛଦ ଚିତ୍ରକୁ ଖୁବ୍ ପ୍ରଶଂସା ମିଳୁଥିଲା । ସୁକନ୍ୟା ଓ ବିକି କଥାବାର୍ତ୍ତା ହେଉଥିଲେ ପଛପଟୁ କେହିଜଣେ ଆସି ଡାକିଲା, "ଚିତ୍ରଲିପି ! ତୁମ ସହ ଦୁଇ ମିନିଟ୍ କଥା ହେଇପାରିବି ?"

ସୁକନ୍ୟା ବୁଲିପଡି ଚାହିଁଲା । ଯୋଉ ପିଲାକୁ ତିନିବର୍ଷ ତଳେ ସେ ଲଳିତ୍ ଭାବି କଥା ହେବାକୁ ଆଗେଇ ଯାଇଥିଲା ତିନିବର୍ଷ ପରେ ସେହି ପିଲା ଆଜି ତାକୁ ଖୋଜିଖୋଜି ପୁସ୍ତକମେଳାରେ ପହଞ୍ଚିଗଲା ! ସୁକନ୍ୟା ପିଲାଟାର କଥାର ଉତ୍ତର ଫେରେଇବା ପୂର୍ବରୁ ଭାବିବାକୁ ଲାଗିଲା, "ସିମ୍ଫୋନିର ଭାଇ ମୋ ସହ କଥା ହେବାକୁ କାହଁକି ଚାହାଁନ୍ତି ?"

(କ୍ରମଶଃ..)
ଧାରାବାହିକ ଉପନ୍ୟାସ - ଚିତ୍ରଲିପି (୩୬)