ଭୁଜବଂଧରେ ଥାଇ ମୋର

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ଫଟୋ - କେଦାର ମିଶ୍ର

ଏଇ ତ
ଭୁଜବଂଧରେ ଥାଇ ମୋର
ଦୃଷ୍ଟି ଉଡ଼ାଇ ନଉଛ ଥରେ ଥରେ
ଦୂର ଦିଗଂତ - ପଥକୁ !

ପ୍ରିୟତମା,
ଅଳ୍ପାୟୁଷ ଧୃତି ମୋର,
କଂଟ ସରିଯାଉ,
ନିଜକୁ ବିସର୍ଜିଦେବ
ଘୋର ପାରାପାରକୁ ।

ମହାତୃଷ୍ଣାର ଜଳାଂଜଳିରୁ ଉଠି ଆସିଥିଲ ତୁମେ
ବିବସନା,
ଦୃଷ୍ଟିରେ ପୋଛିଲି ତୁମ ସର୍ବାଂଗର ପଂକଲେପ,
ବ୍ରୀଡ଼ା ରୂପେ ବୋଳି ହୋଇଗଲି ।
ଝୀନ ଉତ୍ତରୀୟ ପରି ସତ୍ତାରେ ତୁମର ପୁଣି
ପହରଣ ହେଲି -
ଚିରି ଓ ଉଲାରି ଦେଖ:
କେତେ ରଂଗ କେତେ କଳ୍ପନାରେ
ଖିଅ ଖିଅ ମୁକ୍ତି - ସୂତା ବୁଣି ରଖିଥିଲି !

ଜାଣିଛ, ଆଜି ଉଜୁଡ଼ିଗଲା ସହର,
ନା, ଭୁଷୁଡ଼ି ନାଇଁ ମୋର ମଂଦିର...
ଜାଣିଛ, ଆଜି ଜୂର ହୋଇଗଲା ଭଂଡାର,
ନା, ହଜିନାଇଁ ତ ରତ୍ନ ମୋର...
କେଜାଣି ଏବେ ଫଗୁଣ ନା ଶ୍ରାବଣ...
ଭ୍ରମର କେଡ଼େ କରୁଣ...
କୁସୁମ ଦିଏ କଷଣ...

କିଏ ଆସୁଛି, ତସ୍କର ?
ନା, ନା, ବୋଧେ ଈଶ୍ଵର...

ମନବଂଧରେ ଥାଇ ମୋର ସୁମରି ହେଉଛ କାହାକୁ ?
ଋଷି ବେଶରେ ଆସ ବୋଲି
କହ ସେଇ ପ୍ରିୟ ଦେବତାକୁ ।
ସେଇ ଶୁଭଲଗ୍ନ ଆସୁ
ପ୍ରିୟତମା,
ନିଜକୁ ସମର୍ପି ଦେବ ତାର ଆଶ୍ଲେଷକୁ ।

ସୁଦୀର୍ଘ ମହାନାଟକ ଭିତରେ ଗୌଣତମ ବିଷ୍କଂଭକ ମୁଁ
ନୈମିଷିକ ମୋର ସମୟ ।

ନିଜକୁ ସଂବୋଧନ କରି ଯେଉଁ ଧ୍ଵନିକୁ ତୁମେ
ଆକାଶମୁହାଁ ଫିଂଗିଦେଇଛ
ପ୍ରତିଧ୍ଵନି ହୋଇ ତାହା ଫେରି ଆସିବା ପର୍ଯ୍ଯଂତ
ତମ ସହିତ ମୋର ପ୍ରଣୟ ।

Report an Error