ନିଆଁମାପ

ଶବ୍ଦକୁ ଢାଳିଲି ରାତିର ଶେଜରେ ପରଖିଲି ତାର ନିଆଁମାପ - ନିଆଁକୁ ମାପିବା ଲାଗି କବିର ଏ ଦୁଃସାହସ ।


ଶବ୍ଦକୁ ବିଛାଇଦିଏ ଖରାରେ
କେଉଁଠି ଖୁଣ ତାର
କେଉଁଠି ଭାଂଗିଯିବା ପରି କଅଁଳ
କେଉଁଠି ପ୍ରକାଶ୍ୟ ନଖଦଂତ ବିଦ୍ଧ କରିପାରେ
ଆଗରେ ପାଇବ ଯାହାକୁ
ଶବ୍ଦକୁ ତ ହେବାକୁ ପଡିବ ଯଥାଯଥ ।

ଶବ୍ଦକୁ ଢାଳିଲି ରାତିର ଶେଜରେ
ପରଖିଲି ତାର ନିଆଁମାପ
ଅନାଥ ଶିଶୁର ଛାତି ଭିତରେ
ଜହ୍ନର ଶୀତଳତା ରୁଣ୍ଡେଇ ପୁଣ୍ଡେଇ
ନିଦହୀନ ଜରୁଆ ମୁଣ୍ଡରେ ବାଂଧିଲି ପଟି
ଶବ୍ଦର ନିରବତାକୁ ପରିବର୍ତ୍ତିତ କଲି
ରାତିର ନିରାପତ୍ତାରେ ।

ମୁଁ ନିଜକୁ ଯୋଖିଲି ଶବ୍ଦର ତୀରରେ
ଲଢିବାକୁ ସବୁ ମତାଂଧ ବାକ୍ୟାବଳି ସହ
ନିଜକୁ କଲି ଟାଣ କବଚ
ରୋଧିବାକୁ ପୃଥ୍ବୀବ୍ୟାପୀ ସବୁ ଲୋଭର ନାରାଚ ।

Report an Error