ନବବର୍ଷ: କିଛି ଦର୍ଶନ, କିଛି ଇତିହାସ

ନବବର୍ଷର ପ୍ରସଂଗ ଭିତରକୁ ପ୍ରବେଶ କଲେ ଆମେ ଦେଖିବା ଯେ, ମାୟା ସଭ୍ୟତାର ଅଧିବାସୀ, ଚୀନା ଲୋକେ, ଆରବୀୟ ଆଉ ଈହୁଦୀଙ୍କ ଭଳି ପୃଥିବୀର କିଛି ଲୋକଙ୍କ ପାଇଁ ଆଜିର ଦିନଟି ଗୋଟିଏ ସାଧାରଣ ଦିନ, ଅନ୍ୟ ସବୁ ଦିନମାନଙ୍କ ଭଳି । ଓଡିଆମାନଙ୍କର ନବବର୍ଷ ତ ମହାବିଷୁବ ସଙ୍କ୍ରାନ୍ତି ଦିନ ।


ୱିକିମିଡିଆ

ନବବର୍ଷର ସବୁଠାରୁ ସଂକ୍ଷିପ୍ତ ପରିଚିତିଟି ହେଉଛି ଏହା ଏକ ଆରମ୍ଭ ।

ଆରମ୍ଭ କହିଲେ ଆମେ ତତକ୍ଷଣାତ୍ ବୁଝିନେଉ ଏହା ଏକ ପ୍ରକାର ଅଭିଲାପଣ ଯାହା ଆଗରୁ ଆମକୁ ଦେଖାଯାଇନଥିଲା, ଏବେ ଦୃଶ୍ୟ ହେଉଛି । ଦୃଶ୍ୟ ହେବା ପରେ ସେଇ ଆରମ୍ଭଟି ଏକ ଗତିଶୀଳତାକୁ ପ୍ରାପ୍ତ ହେବାକୁ ଲାଗିଛି ଯାହାକୁ ସରଳରେ ଆମେ ଏକ ପ୍ରବାହ ବୋଲି କହିପାରିବା । ଆରମ୍ଭଟିଏ ଆମ ସହିତ ଜଡିତ ହୋଇଗଲେ ବା ଆମେ ଆରମ୍ଭ ସହିତ ନିଜର ସଂପର୍କକୁ ରକ୍ଷା କରିବାକୁ ଆଗଭର ହେଉଥିଲେ ତାହା କୌଣସି ନଈର ପ୍ରବହମାନତା ଭଳି ଏକ ଧାରାବାହିକତାକୁ ଅର୍ଜନ କରିଥାଏ ।

ନବବର୍ଷ ସେମିତି ଏକ ଆରମ୍ଭ, ତାହାପରେ ଆମ ସହିତ ଜଡିତ ହୋଇ ଏହା ଏକ ପ୍ରବାହ ଏବଂ ଏଇ ନବବର୍ଷ ସହିତ ଆମେ ଯେତେବେଳେ ଅନ୍ତରଙ୍ଗ ହୋଇଯାଉ ସେତେବେଳେ ଏହା ଏକ ଧାରାବାହିକ ଅନୁଷ୍ଠାନ ।

ଏଇଭଳି ଏକ ଆନୁଷ୍ଠାନିକ ପ୍ରସ୍ତାବନାର ଆଧାରରେ ବିଚାର କଲେ ଦେଖିବା, ଅସଲରେ ନବବର୍ଷ ଆଜି ଭଳି କହିଲେ ଯେମିତି ଠିକ୍ ସେହିଭଳି ହେବାକୁ ତାହାକୁ ଅନେକ ବର୍ଷ ଲାଗିଯାଇଛି । ଆଜି ଆମେ ଏଇ ନବବର୍ଷର ବିବର୍ତ୍ତନକୁ ଅନୁଧ୍ୟାନ କଲାବେଳେ ଆମକୁ ଯାହା ଦିଶିବ ତାହା ହେଉଛି, ଏହା ପଛରେ ଦୁଇଟି କଥା ମୁଖ୍ୟତଃ ରହିଅଛି । ଅର୍ଥାତ୍ ଏହି ନବବର୍ଷକୁ କ୍ରମଶଃ ଏକ ଉତ୍ସବ ପାଳନର ପରିପ୍ରେକ୍ଷ୍ୟ ହିସାବରେ ବିକଶିତ କରାଯାଇଛି ଏବଂ ଏହା ପଛରେ ପ୍ରଜା, ରାଜା ଓ ବ୍ୟବସାୟ ସମସ୍ତେ ଉପସ୍ଥିତ ଅଛନ୍ତି ।

ସିଦୋନିଆ ଗାବ୍ରିଏଲ କୋଲେଟେ (୧୮୭୩ - ୧୯୫୪) ବୋଲି ଜଣେ ବିଶିଷ୍ଟ ଫରାସୀ କବି ଥିଲେ । ସେ ସାଧାରଣତଃ କୋଲେଟେ ନାଆଁରେ ଅଧିକ ପରିଚିତା । ସେହି ଅତ୍ୟନ୍ତ ବିଦୂଷୀ କବିଙ୍କର ଜାନୁଆରୀ ମାସକୁ ନେଇ ଗୋଟିଏ ସୁନ୍ଦର କବିତା ରହିଛି । ସେଇ କବିତାର କିଛି ଉଦ୍ଧୃତିରୁ ଆଜିର ନବବର୍ଷ ବିଚାରର ଆରମ୍ଭ ହେଉ । କୋଲେଟେ ଲେଖିଛନ୍ତି:

"ଜାନୁଆରୀ ଏମିତି ଏକ ମାସ
ଯାହାର ପକେଟ୍ ଶୁନ୍ ।
ଆସ, ତେଣୁ ଏଇ ବିଚରା ମାସଟିର
ଦାରିଦ୍ର୍ୟକୁ ସହିନେବା,
ଯେତେବେଳେ ଆମର ପ୍ରିୟ
ନାଟକ ପରିଚାଳକର
ମୁଣ୍ଡସାରା ଭର୍ତ୍ତି ଅନେକ
ଆଶା ଓ ଆଶଙ୍କା।"

ନବବର୍ଷର ପ୍ରସଂଗ ଭିତରକୁ ପ୍ରବେଶ କଲେ ଆମେ ଦେଖିବା ଯେ, ମାୟା ସଭ୍ୟତାର ଅଧିବାସୀ, ଚୀନା ଲୋକେ, ଆରବୀୟ ଆଉ ଈହୁଦୀଙ୍କ ଭଳି ପୃଥିବୀର କିଛି ଲୋକଙ୍କ ପାଇଁ ଆଜିର ଦିନଟି ଗୋଟିଏ ସାଧାରଣ ଦିନ, ଅନ୍ୟ ସବୁ ଦିନମାନଙ୍କ ଭଳି । ଓଡିଆମାନଙ୍କର ନବବର୍ଷ ତ ମହାବିଷୁବ ସଙ୍କ୍ରାନ୍ତି ଦିନ । କିଏ ମାନୁ ବା ନମାନୁ ପଛକେ, ଏହା ଏମିତି ନବବର୍ଷ ହିସାବରେ ଗତ ୪୦୦ ବର୍ଷ ଧରି ପୃଥିବୀରେ ପାଳିତ ହୋଇ ଆସୁଛି । ଆମେ ଯାହାକୁ ଛୁଟିଦିନ ବା ଇଂରାଜୀରେ ହଲି ଡେ ବୋଲି କହୁ ତାହାର ଉତ୍ପତ୍ତି ହେଉଛି ହଲିଡାଇ ଶବ୍ଦରୁ, ଯାହାର ଅର୍ଥ ହେଉଛି ପବିତ୍ର ଦିବସ । ତେଣୁ ଆମର ସମସ୍ତ ଛୁଟିଦିନମାନ କହିବାକୁ ଗଲେ ସବୁ ପବିତ୍ର ଦିବସ, ଧର୍ମ କାର୍ଯ୍ୟରେ ଉତ୍ସବ କରି ସମୟ ବିତାଇବାର ଦିନ ।

ପ୍ରଥମ ଜାନୁଆରୀର ନବବର୍ଷଟି ପୃଥିବୀର ପ୍ରାଚୀନତମ ସାର୍ବଜନୀନ ପବିତ୍ର ଦିବସ । ଏହି ଜାନୁଆରୀ ପ୍ରଥମର ନବବର୍ଷର କାହାଣୀ ସେହି ସମୟରୁ ପ୍ରଚଳିତ ହୋଇ ଆସିଛି, ଯେଉଁ ସମୟରେ ବର୍ଷ କହିଲେ ଆମେ ଯାହା ଏବେ ବୁଝୁ, ତାହା ସେତେବେଳେ ଲୋକେ ବୁଝୁ ନଥିଲେ । ଆମ ପାଇଁ ବର୍ଷ କହିଲେ ହେଉଛି ଗୋଟିଏ କ୍ୟାଲେଣ୍ଡର, ଯାହା ଜାନୁଆରୀ ଏକ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ଏକତିରିଶ ତାରିଖରେ ଶେଷ ହୁଏ । ଆଗରୁ ଲୋକେ ଏହିଭଳି କ୍ୟାଲେଣ୍ଡର ବର୍ଷରେ ଚଳୁ ନଥିଲେ । ତାଙ୍କର ବର୍ଷଟି ଆରମ୍ଭ ହେଉଥିଲା ଜମିରେ ହଳ କରି ବିହନ ବୁଣିବାରୁ ଆଉ ଶେଷ ହେଉଥିଲା ଫସଲ ଅମଳ କରିବାରେ । ଫସଲ ଚକ୍ରକୁ ଭିତ୍ତି କରି ବର୍ଷଟିଏ ବିତୁଥିଲା ସେମାନଙ୍କର । ଆଉ ସେହି ଫସଲର ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ ଓ ଆଉ ତାହା ପରବର୍ତ୍ତୀ ଅବସର କିଛି ସମୟକୁ ସେମାନେ ଧର୍ମ ସହିତ ଯୋଡି ନାନାଦି ଉତ୍ସବରେ ବର୍ଷଟି କାଳାତିପାତ କରୁଥିଲେ ।

ଆମେ ଯେମିତି ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ଏକ କ୍ୟାଲେଣ୍ଡର ବର୍ଷ ବିତାଉଛୁ, ସେମିତି ଆମର ବ୍ୟବହାରିକ ଜୀବନରେ ଆହୁରି କିଛି କିଛି ବିଭିନ୍ନ ପ୍ରକାରର ବର୍ଷ ରହିଛି । ଆମର ଶିକ୍ଷା ବର୍ଷ ଆରମ୍ଭ ହୁଏ ଜୁଲାଇରୁ ପରବର୍ତ୍ତୀ ମାର୍ଚ୍ଚ ଯାଏଁ । ଆର୍ଥିକ ବର୍ଷଟି ଲମ୍ବିଥାଏ ମାର୍ଚ୍ଚରୁ ପରବର୍ତ୍ତୀ ଫେବୃଆରୀ ମାସ ପର୍ଯ୍ୟନ୍ତ । ପ୍ରାଚୀନ ଯୁଗରେ ରାଜାମାନେ ନିଜ ଇଚ୍ଛା ଅନୁସାରେ ବର୍ଷ ଚଳାଉ ଥିଲେ । ଏମିତିରେ ଦେଖିଲେ ରାଜାମାନଙ୍କର ସମୟ ଉପରେ ଭାରି ଅହନ୍ତା । ସମୟକୁ ନିଜ ହାତରେ ରଖିବା ପାଇଁ ସେମାନଙ୍କର ଅନେକ କେଳିକୌତୁକ ଆମେ ଦେଖୁ ଇତିହାସ ସାରା ।

ସର୍ବପ୍ରାଚୀନ ନବବର୍ଷ ତଥ୍ୟ ଅନୁସାରେ ଖ୍ରୀ.ପୂ ୨୦୦୦ରେ ବେବିଲୋନ ସହରରେ ପାଳିତ ହୋଇଥିଲା । ଏହାର ଧ୍ୱଂସାବଶେଷ ଇରାକର ଆଲ୍-ହିଲାଲ୍ ନାମକ ସହରରେ ଅବସ୍ଥିତ । ଅବଶ୍ୟ ସେଇ ନବବର୍ଷଟି ଆଜିଭଳି ଜାନୁଆରୀ ମାସର ପ୍ରଥମ ତାରିଖର ନବବର୍ଷ ପାଳନ ନଥିଲା । ମାର୍ଚ୍ଚ ମାସର ଶେଷଭାଗରେ ଏହି ଉତ୍ସବଟି ପାଳିତ ହୋଇଥିଲା ପ୍ରାୟ ଏଗାର ଦିନ ଧରି । ବର୍ତ୍ତମାନର ଯେ କୌଣସି ଆଧୁନିକ ଉତ୍ସବ ତୁଳନାରେ ଏହି ଉତ୍ସବ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଥିଲା । ଉତ୍ସବ ଦିନ ପାହାନ୍ତିଆର ଦୁଇଘଣ୍ଟା ପୂର୍ବରୁ ଅନ୍ଧାରରେ ମୁଖ୍ୟ ପୂଜକ ନିଜର ସ୍ନାନାଦି ସାରି ପବିତ୍ର ଇଉଫ୍ରେଟିସ ନଈର ପାଣି ଆଣି ପହଞ୍ଚୁଥିଲେ ମାର୍ଦୁକଙ୍କ ମନ୍ଦିରରେ । ମାର୍ଦୁକ ହେଉଛନ୍ତି କୃଷିର ଦେବତା । ମନ୍ତ୍ରୋଚ୍ଚାରଣ ଦ୍ୱାରା ଏକ ମେଣ୍ଢାକୁ ବଳି ଦିଆଯାଉଥିଲା । ସେଇ ମେଣ୍ଢାର ରକ୍ତ ଆଉ ଇଉଫ୍ରେଟିସ ନଈର ପାଣିରେ ମନ୍ଦିରର କାନ୍ଥକୁ ବେଶ ଭଲ ଭାବରେ ଲିପି ଦିଆଯାଉଥିଲା । ନିଷ୍ଠାପର ଭାବରେ ଏହିଭଳି ଲିପିବାର କାରଣ ହେଉଛି ମନ୍ଦିରର ଦେବତା ମାର୍ଦୁକଙ୍କୁ ଯାବତୀୟ ସଂକ୍ରମଣରୁ ରକ୍ଷା କରିବା । ଫଳତଃ ଫସଲ ସବୁ ହାନିକାରକ କୀଟପତଙ୍ଗଙ୍କ ଦାଉରୁ ରକ୍ଷା ପାଇପାରିବ ।

ଏହି ଉତ୍ସବକୁ "କୁପୁରୁ" ବୋଲି କୁହାଯାଉଥିଲା । ତାହାପରେ ଖାଦ୍ୟ, ମଦ୍ୟ, ପୋଷାକର ଆଡମ୍ବରର ପର୍ଯ୍ୟାୟ । ଏହା କୃଷିଦେବତା ମାର୍ଦୁକଙ୍କ ପୂର୍ବ ବର୍ଷର ଫସଲ ଅମଳର ବରଦାନର କୃତଜ୍ଞତା ହିସାବରେ ନିବେଦିତ । ଉତ୍ସବର ଷଷ୍ଠ ଦିନରେ ମୁଖାପିନ୍ଧି ସେମାନେ ନାଟକ କରୁଥିଲେ । ସୁନ୍ଦର ପୋଷାକରେ ସେମାନେ ସହର ପରିକ୍ରମା କରୁଥିଲେ, ନାଚଗୀତ ଆଉ ବାଦ୍ୟଯନ୍ତ୍ର ସହ । ଏହି ପରିକ୍ରମଣ ମାର୍ଦୁକଙ୍କ ମନ୍ଦିରଠାରୁ ଆରମ୍ଭ ହୋଇ ବେବିଲୋନ ସହରର ଉପାନ୍ତରେ ଶେଷ ହେଉଥିଲା । ଯେଉଁଠି ଶେଷ ହେଉଥିଲା, ସେଇଠେ ଗୌଟିଏ ବଡ ଘର ନିର୍ମାଣ କରାଯାଇଥିଲା, ଯାହାକୁ "ନବବର୍ଷ ଘର" ବୋଲି କୁହାଯାଉଥିଲା । ତାହାର ଧ୍ୱଂସାବଶେଷ ଏବେବି ଅଛି । ନବବର୍ଷର ପ୍ରଥମ ଦିନ ବିଶେଷତଃ ବିହନ ବୁଣିବାର ଦିନ । ମାତ୍ର ବିହନ ବୁଣିବା କାମ ଶୀତ ଦିନେ, ଅର୍ଥାତ ଜାନୁଆରୀ ମାସରେ ହୁଏନାହିଁ । ତେଣୁ କହିବାକୁ ଗଲେ ପୃଥିବୀର ଇତିହାସରେ ନବବର୍ଷଟି ମାର୍ଚ୍ଚ ମାସରୁ ବିବର୍ତ୍ତିତ ହୋଇ ଆସି ଜାନୁଆରୀ ମାସରେ ପହଞ୍ଚିଛି ।

ରୋମୀୟମାନେ ସର୍ବପ୍ରଥମେ ମାର୍ଚ୍ଚ ମାସର ୨୫ ତାରିଖକୁ ନବବର୍ଷର ପ୍ରଥମଦିନ ବୋଲି ପାଳନ କରୁଥିଲେ । ତାହାପରେ ରୋମର ନରପତିମାନେ ବର୍ଷର କ୍ୟାଲେଣ୍ଡରକୁ ବଦଳାଇଚାଲିଥିଲେ ମଝିରେ ମଝିରେ । ତାହାଫଳରେ ଋତୁ ଆଉ ମାସ ସମକାଳୀନ ହେଲାନାହିଁ । ଯଦି ଆପଣ ଏଇ ଜାନୁଆରୀରେ ଧାରା ଶ୍ରାବଣ ଭୋଗିବେ, ଆଉ ତାହା ଆର ବର୍ଷ ସେଇ ସମାନ ଶ୍ରାବଣକୁ ମାର୍ଚ୍ଚ ମାସରେ ଅନୁଭବ କରିବେ, ତେବେ ଅସୁବିଧା ହେବ ନିଶ୍ଚୟ । ଅନ୍ୟ ପକ୍ଷରେ ରୋମୀୟ ସମ୍ରାଟମାନେ ସମୟକୁ ପାହାର ପକାଇବାରେ ପାରଙ୍ଗମ । ନିଜର ଶାସନକୁ ମହନୀୟ କରିବା ପାଇଁ ସେମାନେ ମାସକୁ ଅଧିକ ଦିନ ଭାବରେ ଗଣନା କରିପକାଉଥିଲେ । ରାଜା ପାଇଁ ମାସଟି ତିରିଶ ଦିନ ବଦଳରେ ଷାଠିଏ ଦିନ ହେଲେ କ୍ଷତି କ'ଣ ?

ଏହି ଋତୁ ଆଉ ମାସକୁ ସମକାଳ କରିବା ପାଇଁ ଖ୍ରୀପୂ. ୧୫୩ରେ ରୋମର ସିନେଟ ଜାନୁଆରୀ ପହିଲାକୁ ନବବର୍ଷର ପ୍ରଥମ ଦିନ ବୋଲି ଘୋଷଣା କଲେ । କ୍ୟାଲେଣ୍ଡରକୁ ଖ୍ରୀପୂ. ୪୩ର ଜାନୁଆରୀ ପହିଲା ସହ ସମତୁଲ କରିବାପାଇଁ ଜୁଲିଅସ ସିଜରଙ୍କୁ ୪୪୫ ଦିନ ଆଗେଇବାକୁ ପଡିଥିଲା । ଜୁଲିଅସ ସିଜରଙ୍କର ସେହି ୪୪୫ ଦିନକୁ ବିସଙ୍ଗତିର ବର୍ଷ ବୋଲି କୁହାଯାଏ । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ରୋମର ଖ୍ରୀଷ୍ଟଧର୍ମାବଲମ୍ବନ ପରେ ନବବର୍ଷ ପାଳନ ମାର୍ଚ୍ଚ ମାସ ୨୫ରେ କିଛିକାଳ ଚାଲିଥିଲା । କିନ୍ତୁ ତତ୍କାଳୀନ ଚର୍ଚ୍ଚ ଏଇ ଅଣଖ୍ରୀଷ୍ଟୀୟ ଉତ୍ସବକୁ ସମ୍ମତି ଦେଉ ନଥିଲା । ଚର୍ଚ୍ଚ ଏବଂ ଖ୍ରୀଷ୍ଟ ଧର୍ମର ପ୍ରାଧାନ୍ୟ ବୃଦ୍ଧି ପାଇଲା ପରେ ଖ୍ରୀଷ୍ଟଙ୍କ ଜନ୍ମ ଓ ପରବର୍ତ୍ତୀ ଉତ୍ସବ ଭାବରେ ଜାନୁଆରୀ ମାସର ପ୍ରଥମ ତାରିଖକୁ ନବବର୍ଷର ପ୍ରଥମ ଦିନ ବୋଲି ଧରାଗଲା । ବିଶେଷତଃ ଗଲା ଚାରିଶହ ବର୍ଷ ହେଲା ପ୍ରଥମ ଜାନୁଆରୀ ଆମର ନବବର୍ଷର ପ୍ରଥମ ଦିନ ଏଇ ପୃଥିବୀରେ ।

ଆଜି ନବବର୍ଷରେ ଉପସ୍ଥିତ ଲେଖକର ମନକୁ କେଜାଣି କାହିଁକି ସର୍ବପ୍ରଥମେ ଯେଉଁ ବିଚାର ଆସିଛି ତାହା ମହାମନୀଷୀ ପ୍ଲାଟୋଙ୍କର । ଆପଣ ଜାଣନ୍ତି ଏହି ପ୍ରଖ୍ୟାତ ଗ୍ରୀକ୍ ଦାର୍ଶନିକଙ୍କର ସମୟ କାଳ ହେଉଛି ଖ୍ରୀପୂ ୪୨୪ ରୁ ଖ୍ରୀପୂ ୩୪୮ ଯାଏଁ । ତାଙ୍କର ପ୍ରସିଦ୍ଧ ଚିନ୍ତନ "ରିପବ୍ଲିକ୍ (ଖ୍ରୀପୂ୩୬୦)" ଆଜି ବି ଅନେକ ସମୟରେ ଉଦ୍ଧୃତ ଓ ଆଲୋଚିତ ହୁଏ । ସେଥିରେ "ଅସ୍ତିତ୍ୱର ମହାନ୍ ଶୃଙ୍ଖଳ ବା ଗ୍ରେଟ୍ ଚେନ୍ ଅଫ୍ ବିଙ୍ଗ୍" ବୋଲି କଥାଟିଏ ଅଛି। ଆଜିର ନବବର୍ଷର ଏହି ଉଲ୍ଲାସମୟ ପ୍ରାରମ୍ଭ ସମୟରେ ଆମକୁ ସେହି କଥାକୁ ଟିକିଏ ବିଚାର କରିବା ଉଚିତ।

ଅସ୍ତିତ୍ୱର ଏହି ମହାନ ଶୃଙ୍ଖଳ କଥାଟି କହିବା ଛଳରେ ପ୍ଲାଟୋ ପୃଥିବୀରେ ସ୍ଥିତି ଜାହିର କରୁଥିବା ସମସ୍ତ ଅସ୍ତିତ୍ୱକୁ ଏକ ପ୍ରକାରେ ଶ୍ରେଣୀବଦ୍ଧ କରିଛନ୍ତି । ତାଙ୍କର ମତରେ ସମସ୍ତ ପାର୍ଥିବ ପଦାର୍ଥ ଏକ ମହାନ ଶୃଙ୍ଖଳର ଅଂଶବିଶେଷ ଅର୍ଥାତ୍ ସେମାନେ ଶ୍ରେଣୀବଦ୍ଧତାରେ ସମାହିତ । ସେ ଏହି କଥାକୁ ବୁଝାଇବାକୁ ଯାଇ ଭୂଇଁ ସହିତ ସିଧା ସଳଖ ପୋତାହୋଇଥିବା ଗୋଟିଏ ଠେଙ୍ଗାକୁ ରୂପକ ହିସାବରେ ବ୍ୟବହାର କରିଛନ୍ତି । ଏହି ଭର୍ଟିକାଲ୍ ଠେଙ୍ଗାଟିକୁ ସେ ଚାରିଭାଗରେ ବିଭକ୍ତ କରିଛନ୍ତି । ସବା ଉପର ଅଂଶରେ ଅର୍ଥାତ୍ ଶୀର୍ଷରେ ରହିଛି, ଅବଧାରଣା ବା କନସେପ୍ଟ ବା ଆଇଡିଆ । ଏହା ସାଧାରଣତଃ ଦୟା ଏବଂ କରୁଣା ଆଧାରିତ । ଠିକ୍ ତାହାରି ତଳକୁ ରହିଛି ସମସ୍ତ ପ୍ରକାର ଗାଣିତିକ ସଂପର୍କ ଯାହା ଭୌତିକ ଜଗତକୁ ପରିଚାଳନା କରିଥାଏ । ଏବଂ ତାହାର ତଳକୁ ରହିଛି ସମସ୍ତ ଭଂଗୁର ପଦାର୍ଥ, ଯେପରିକି ଆପେଲ୍ କିମ୍ବା ଘୋଡା ଅବା ଗାଡି, ଏହିପରି ଯେତେ । ଶେଷରେ ସବାତଳକୁ ଠିକ୍ ଭୂଇଁ ସହିତ ଜଡିତ ହୋଇ ରହିଛି ସମସ୍ତ ଅନୁକରଣ, ସୃଜନାତ୍ମକ ଅଥବା କଳାତ୍ମକ କଳ୍ପନା, ସମସ୍ତ ପ୍ରତିଫଳନ ଏବଂ ସେହିଭଳି ଯେତେ କଥା । ପ୍ଲାଟୋଙ୍କ ଅନୁସାରେ ଏଇ ଠେଙ୍ଗାଟି ହେଉଛି ଉପରୁ ତଳକୁ ନ୍ୟୁନ ହୋଇ ଆସୁଥିବା ହାୟାର୍କି ଅଫ୍ ଆଇଡିଆର ଏକ ରେଖା । ଏହାର ସବା ଉପର ଅଂଶ ଯେଉଁଠି ଦୟା ଓ କରୁଣା ବିରାଜିତ ତାହା ଚିରକାଳୀନ, ଅବିନଶ୍ୱର ଏବଂ ଏହାର ଅସ୍ତିତ୍ୱ ଯେହେତୁ ଆଉ କୌଣସି ପାରିପାର୍ଶ୍ବିକ ଉପରେ ନିର୍ଭର କରୁନଥାଏ ତେଣୁ ଏହା ସବୁବେଳେ ଉପସ୍ଥିତ ଥାଏ । କିନ୍ତୁ ଆମେ ଯେତିକି ଯେତିକି ତଳକୁ ତଳ ଅର୍ଥାତ୍ ଭୂଇଁ ଆଡକୁ ଖସିବା, ସେତେବେଳେ ଦେଖିବା ଯେ ପ୍ରତିସ୍ତରର ସେହି ପୂର୍ବୋକ୍ତମାନଙ୍କଗୁଡିକର ଅର୍ଥାତ୍ ଚିରକାଳୀନତା, ଅବିନଶ୍ୱରତା, ଆତ୍ମନିର୍ଭରତା ଆଦି କ୍ରମଶଃ ହ୍ରାସ ହେବାରେ ଲାଗିଥାଏ । ସବାତଳେ ସେମିତି ଦେଖିଲେ ସେଇଠି ଥିବା ଅନୁକରଣ ମାନ ହେଉଛି ସୀମିତ, ଅବିଶ୍ୱସ୍ତ ଏବଂ ବିଶେଷ ଭାବରେ ଅନ୍ୟ ଉପରେ ନିର୍ଭରଶୀଳ ।

ପ୍ଲାଟୋଙ୍କର ଅସ୍ତିତ୍ୱର ଏହି ମହାନ ଶୃଙ୍ଖଳ - ରେଖାକୁ ତାଙ୍କର ମହାନ ଶିଷ୍ୟ ପ୍ରବର ଆରିଷ୍ଟୋଟଲ୍ ଏକ ଭିନ୍ନ ପ୍ରକାରରେ ବଖାଣ କରିଛନ୍ତି । ସେ ଏହାକୁ ଜୀବନ୍ତମାନଙ୍କର ଶ୍ରେଣୀବଦ୍ଧ ରେଖା ବା ହାୟାର୍କି ଅଫ୍ ଲିଭିଙ୍ଗ୍ ବିଙ୍ଗ୍ ବୋଲି କହିଛନ୍ତି । ଆରିଷ୍ଟୋଟଲ୍ ଙ୍କ ଅନୁସାରେ ଆତ୍ମଚିନ୍ତନ, ସ୍ପର୍ଶକାତରତା ଏବଂ ନିଜ ପାଇଁ ନିଜେ ଖାଦ୍ୟସଂଗ୍ରହ କରିବା ହେଉଛି ଜୀବନ୍ତମାନଙ୍କର ମାନ ନିର୍ଦ୍ଧାରଣର ମାପକାଠି । ତେଣୁ ଏହି ଆଧାରରେ ଆରିଷ୍ଟୋଟଲ୍ ଙ୍କ ଅନୁସାରେ ସବା ଉପରେ ରହିବେ ମଣିଷ ଆଉ ସବାତଳେ ଭୂଇଁ ସହିତ ରହିବେ ଗଛବୃଚ୍ଛମାନେ ।

ପରେ ମଧ୍ୟଯୁଗରେ ପ୍ଲାଟୋଙ୍କର ଏହି ଶ୍ରେଣୀବଦ୍ଧ ଅସ୍ତିତ୍ୱ ରେଖାର ଆଉ ପ୍ରକାରେ ବ୍ୟାଖ୍ୟା କରାଗଲା । ସେତିକିବେଳେ ଏହି ଅସ୍ତିତ୍ୱ ରେଖାର ଶୀର୍ଷରେ ଦୈବିକ ଆଧିପତ୍ୟ ପ୍ରତିଷ୍ଠିତ ହେଲା । ଶୀର୍ଷରେ ତେଣୁ ରହିଲେ ସର୍ବୋତ୍ତମ ଦେବତା ଏବଂ ସବାତଳେ ରହିଲେ ପାପ କରିବା ପାଇଁ ସକ୍ଷମ ମଣିଷ । କିନ୍ତୁ ଆଧୁନିକ ଯୁଗରେ ବିଶ୍ୱାସ ବନାମ ତର୍କର ନିରନ୍ତର ସଂଘର୍ଷ କାଳରେ ଯେତେବେଳେ ତର୍କ ଏକ ପ୍ରକାରେ ନିଜକୁ ସାବ୍ୟସ୍ତ କରିଚାଲୁଛି ଠିକ୍ ସେତିକିବେଳେ ଆମର ଅସ୍ତିତ୍ୱ ବିଚାରରେ ଶ୍ରେଷ୍ଠାଂଶରେ ରହୁଛି ପରିବେଶ, ଆମକୁ ଚିରଜୀବନ୍ତ କରି ରଖିବା ଭଳି ଯଥାଯୋଗ୍ୟ ପରିବେଶ ।

ତେଣୁ ଅତି ସଂକ୍ଷେପରେ କହିଲେ ପ୍ଲାଟୋ ମଣିଷର ଅବଧାରଣାକୁ ବର୍ଗୀକରଣ କରି ଏକ ବିଚାର ପାଇଁ ଯେଉଁ ରେଖାଟିଏ ଟାଣିଛନ୍ତି ସେହି ରେଖାର ଯୁଗ ଅନୁସାରେ ଭିନ୍ନ ଭିନ୍ନ ବ୍ୟାଖ୍ୟା ହୋଇଛି ସତ । ଆମର ଧାରଣାରେ ସେମିତି ଦେଖିଲେ ପ୍ଲାଟୋଙ୍କଠାରୁ ଆଜି ଯାଏଁ ଯୁଗକ୍ରମରେ ରହିଛନ୍ତି ସେହି ସମାନ ଶ୍ରେଷ୍ଠତ୍ୱର ଆସ୍ଥାନରେ, ଦୟା ଓ କରୁଣା, ମଣିଷ, ଦେବତା ଓ ପରିବେଶ । ଆମେ ତାହା ଭିତରୁ କାହାକୁ ଗୋଟିକୁ ବାଛିବା ଅବା ସେ ସମସ୍ତଙ୍କୁ ଏକାଠି ଧରି ଆମର ଆଗାମୀ ଯାତ୍ରାପଥରେ ଅଗ୍ରସର ହେବା ତାହା ଆମର ନିଜ ବିଚାର । କିନ୍ତୁ ଏହି ବିଚାରର ବିବର୍ତ୍ତନକୁ ଦେଖିବା ପରେ ସତରେ ଆମ ଭିତରୁ କେହି ଆମର ଅବଧାରଣାରେ ଶ୍ରେଷ୍ଠତ୍ୱର ଆସ୍ଥାନରେ ଏଇ ଯେଉଁମାନେ ଆସୀନ ଯଥା ଦୟା ଓ କରୁଣା, ମଣିଷ, ଦେବତା ଅବା ପରିବେଶ, ସେମାନେ ଯେକୌଣସି ଶ୍ରେଷ୍ଠତ୍ୱ ଅଧିକାର ରଖନ୍ତି ନାହିଁ, ସେକଥା ଜମା କହିବ ନାହିଁ । କିଛି ଚାରଣମାନେ ପଣ୍ଡିତ ବେଶରେ କିଛି ରାଜାଙ୍କୁ ଋଷି ବେଶରେ ସଜାଇ କୌଣସି ଏକ ଶ୍ରେଷ୍ଠାଂଶରେ ବସାଇବାର ଫିକରରେ ସବୁବେଳେ ରହିଥାନ୍ତି । ତାହା ସେମାନଙ୍କର ନିହାତି ନିଜ ସ୍ୱାର୍ଥଗତ ଖେଳ ତାହା ପ୍ରତି ବୃହତ୍ତର ପୃଥ୍ୱୀ ସବୁବେଳେ ଉଦାସୀନ । ଖାଦକମାନେ ଇତିହାସ ଲେଖିଆସୁଥିଲେ ମାତ୍ର ଏବେ ଖାଦ୍ୟମାନେ ଇତିହାସ ଲେଖିବାରେ ଆଗ୍ରହୀ ହେଲେଣି, ତେଣୁ ଏବେ ଇତିହାସ ଭିନ୍ନ ହେବାକୁ ବାଧ୍ୟ ।

ଖାଦ୍ୟ କଥା ଆସିଛି ମାନେ ନବବର୍ଷର ବିଚିତ୍ର ଖାଦ୍ୟ ପରଂପରାରୁ ସଂକ୍ଷେପରେ କିଛି ଆମକୁ ଦୃଷ୍ଟିକୁ ଆସିବ । ଆଗରୁ ଉଲ୍ଲେଖ କରାଯାଇଛି ଯେ, ନବବର୍ଷ ହେଉଛି ଏକ ଆରମ୍ଭ, ଏକ ପ୍ରବାହ ଏବଂ ଏକ ଧାରାବାହିକ ଅନୁଷ୍ଠାନ । ଏହିଭଳି କୌଣସି ନବବର୍ଷର ବିବର୍ତ୍ତନକ୍ରମଟିକୁ ଦେଖିବବେଳେ ଆମ ସହିତ ଆଉ ଗୋଟିଏ କଥା ଉପସ୍ଥିତ ରହିଥାଏ, ଆମେ ବସ୍ତୁତଃ ଯାହାର କଥାକୁ ଏଡାଇଯିବାକୁ ଚାହୁଁ । ତାହା ହେଉଛି ଭୟ, ଅନାଗତ ପ୍ରତି ଏକ ସଂଦେହ, ଯାହାକୁ ଆମେ ଆଶଙ୍କା ବୋଲି କହିପାରିବା । ନବବର୍ଷ ଅସଲରେ ଆମକୁ ଏମିତି ଏକ ରାସ୍ତାରେ ଛାଡିଦେଇ ଚାଲିଯାଏ ଯେଉଁଠୁ ଆମକୁ ଆମର ଆଗାମୀ ରାସ୍ତାକୁ ସଠିକ୍ ନିର୍ବାଚନ କରି ଚାଲିବାକୁ ହେବ । ତେଣୁ ସେଇଠି ସନ୍ଦେହ ଉପୁଜେ, ନିଜ ସହ, ନିଜ ବିଶ୍ୱାସ ସହ, ଆଗାମୀ ରାସ୍ତା ସହ । ସେହି ସଂଦେହ ଭୟ ପାଲଟି ଯାଏ ଆଉ ଆମେ ସେହି ଅନାଗତ ଭୟରୁ ସୁରକ୍ଷିତ ରହିବା ପାଇଁ ଅଲୌକିକତାରେ ବିଶ୍ୱାସ କରିଥାଉ । ଆମକୁ ଭାଗ୍ୟବାଦୀ ହେବାକୁ ପଡେ । ଆମ ଉପରେ ଯେମିତି ସୌଭାଗ୍ୟର ବାରିଧାରା ଅବିରତ ପଡୁଥିବ ସେଇଥିପାଇଁ ଆମେ ଭିନ୍ନ ଭିନ୍ନ ଉପାୟ କରିଥାଉ । ସେଇଥିପାଇଁ ନବବର୍ଷ ଦିନ କିଛି କିଛି ଅଂଚଳର ଲୋକେ ସ୍ୱତନ୍ତ୍ର ଖାଦ୍ୟ ଖାଇଥାନ୍ତି ଯାହା ଫଳରେ ଆଗାମୀ ବର୍ଷସାରା ସେମାନେ ସୌଭାଗ୍ୟପ୍ରାପ୍ତ ହୋଇ ରହିବେ । ସେଇଥିପାଇଁ ପ୍ରାଚୀନକାଳରେ ସ୍ପେନୀୟମାନେ ଖ୍ରୀଷ୍ଟୀୟ ନବବର୍ଷ ମଧ୍ୟରାତ୍ରରେ ବାରଗୋଟି ସୌଭାଗ୍ୟ ଅଂଗୁରକୁ ଭକ୍ଷଣ କରୁଥିଲେ । ଏହାକୁ "ଲାସ୍ ଦୋକେ ଉଭାସ୍ ଦେ ଲା ସୁଇରେତେ" ବୋଲି କୁହାଯାଉଥିଲା । ଠିକ୍ ସେହିପରି ଫିଲିପାଇନସ୍ ରେ ଲୋକେ ପରମ ବିଶ୍ୱାସର ବାରୋଟି ଫଳ ଭକ୍ଷଣ କରୁଥିଲେ । ସେତେବେଳେ ସେମାନେ ଭକ୍ଷଣ କରୁଥିବା ଫଳର ଆକୃତି କେବଳ ଗୋଲାକାର ହୋଇଥିବା ଆବଶ୍ୟକ । ଅନ୍ୟପକ୍ଷରେ ନବବର୍ଷ ଦିନ ମଧ୍ୟରାତ୍ରର ଜର୍ମାନମାନେ ଆଗାମୀ ନବବର୍ଷର ସୌଭାଗ୍ୟକୁ ପ୍ରାପ୍ତ ହେବାପାଇଁ "ହେରିଙ୍ଗ୍" ମାଛର ଶୁଖୁଆ ଏବଂ "କାସଲର୍" ବା ଘୁଷୁରିର ମାଂସ ପୋଡାକୁ "ମିଡନାଇଟ୍ ସ୍ନାକ୍" ଆକାରରେ ଭକ୍ଷଣ କରୁଥିଲେ । ନବବର୍ଷର ସୌଭାଗ୍ୟ ନିମନ୍ତେ ପ୍ରାଚୀନ କାଳରେ ଇଂରେଜମାନେ ନବବର୍ଷର ସକାଳୁ ପରସ୍ପରକୁ ଆପେଲ୍ "ଗିଫ୍ଟ" କରୁଥିଲେ । ସୁଦୃଶ୍ୟ ବାସକେଟ୍ ରେ ସେମାନେ ଆପେଲ୍ କୁ ଚିତ୍ରବିଚିତ୍ର କରି ସଜାଇ ଘର ଘରକୁ ଯାଇ ଆପେଲ୍ କୁ ଉପହାର ଦେଉଥିଲେ । ପ୍ରତିବଦଳରେ ସେମାନେ କିଛି କିଛି ଛୋଟ ଛୋଟ ପଦାର୍ଥ ପ୍ରତ୍ୟୁଉପହାର ଆକାରରେ ଗ୍ରହଣ କରୁଥିଲେ । ପ୍ରାଚୀନ ଲଣ୍ଡନର ଅଧିବାସୀମାନେ ଏହି ପ୍ରତ୍ୟୁପହାରଗୁଡିକୁ ଆଗାମୀ ବର୍ଷ ପାଇଁ "ସୌଭାଗ୍ୟଚିହ୍ନ " ବା "ଲକି ଚାର୍ମ " ବୋଲି ବିଚାର କରୁଥିଲେ ।

ଏବେ ଶେଷରେ ଏକ ଦୁର୍ଘଟଣାର କଥା।

ନବବର୍ଷ ଭଳି ଏକ ଆରମ୍ଭ ଆଉ ପ୍ରବାହରେ ଦୁର୍ଘଟଣାର କଥା ଏଇଥିପାଇଁ ଯେ, ଏକ ପ୍ରସିଦ୍ଧ ଉଦ୍ଧୃତିକୁ ଟିକିଏ ବିକୃତ ଭାବରେ ଉପସ୍ଥାପନା କରିବାର କ୍ଷମା ମାଗିବା ସହ କହୁଛି, ଦୁର୍ଘଟଣା ନଥିଲେ କୌଣସି ଘଟଣା ନିଜକୁ ସ୍ୱଚ୍ଛ ଓ ସଂପୂର୍ଣ୍ଣ ଭାବରେ ପରିଭାଷିତ କରିପାରିବ ନାହିଁ । ଭିନ୍ନ ଭିନ୍ନ ସମୟରେ ଠିକ୍ ନବବର୍ଷ ଦିନ ଘଟିଥିବା ଦୁର୍ଘଟଣା ଭିତରୁ ଗୋଟିଏକୁ ଏକ ପ୍ରତୀକ ଭାବରେ ଆପଣଙ୍କ ସାମ୍ନାରେ ରଖୁଅଛି ।

ଠିକ୍ ଏଇଭଳି ଏକ ନବବର୍ଷ ଦିନ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ଜଣେ ସାଧୁ ନିଜର ବଳିଦାନ ଦେଇଥିଲେ । ତାଙ୍କର ନାଆଁ ହେଉଛି ଟେଲିମାଖସ୍ । ଟେଲିମାଖସ୍ ଙ୍କର ସେହି ବଳିଦାନର କାହାଣୀଟି ଅତି କରୁଣ । ରୋମ୍ ର କଲୋସିଅମ୍ ରେ ଗ୍ଲାଡିଏଟର୍ ମାନଙ୍କର ଯୁଦ୍ଧ ଚାଲିଥାଏ । ଗ୍ଲାଡିଏଟର୍ ମାନଙ୍କୁ ନେଇ ତତ୍କାଳୀନ ରୋମାନ୍ ସମାଜରେ ଅଦ୍ଭୁତ ପ୍ରକାରର କୌତୂହଳ ରହୁଥିଲା । ଏମିତିରେ ଦେଖିଲେ ଗ୍ଲାଡିଏଟର୍ ମାନଙ୍କ ସହ ସେତେବେଳେ ଏକ ବିଚିତ୍ର ବିରୋଧାଭାସ ରହିଥିଲା । ଗ୍ଲାଡିଏଟର୍ ମାନେ କ୍ରୀତଦାସ ଥିଲେ ଏବଂ ସେମାନଙ୍କୁ ଯୁଦ୍ଧ କରିବାପାଇଁ ପ୍ରଶିକ୍ଷିତ କରାଯାଉଥିଲା, ଠିକ୍ ଆମେ କୌଣସି ଗଞ୍ଜା ଲଢେଇ ପାଇଁ ଗଞ୍ଜାକୁ ପାଳି ଲଢେଇ ଶିଖାଉଥିବା ଭଳି । ସେହି ଗ୍ଲାଡିଏଟର୍ ମାନଙ୍କର ବୀରତ୍ୱରେ ତଥା ପୌରୁଷରେ ମୋହିତ ରହୁଥିଲେ ସେତେବେଳର ରୋମାନମାନେ, ବିଶେଷତଃ ରୋମ୍ ର ମହିଳାମାନେ । ଗ୍ଲାଡିଏଟର୍ ମାନଙ୍କର ନାରୀସଂସର୍ଗ ନଥିଲା ମାତ୍ର ଅନ୍ୟପକ୍ଷରେ ରୋମ୍ ର ନାରୀମାନଙ୍କର ଯୌନାକାଂକ୍ଷା ଏମାନଙ୍କୁ ନେଇ ସବୁବେଳେ ଅଧିକ । ଗ୍ଲାଡିଏଟର୍ ମାନଙ୍କ ପ୍ରତି ସେସମୟର ଅତ୍ୟୁତ୍ସାହକୁ ଗୋଟିଏ କଥାରୁ ଆମେ ସହଜରେ ବୁଝିପାରିବା । ସେ ସମୟରେ ଖଣ୍ଡିଏ ବଙ୍କା ପାତ ଯାହାକୁ ଷ୍ଟ୍ରିଗିଲ୍ ବୋଲି କୁହାଯାଉଥିଲା ତାହାର ସହାୟତାରେ ଗ୍ଲାଡିଏଟର୍ ମାନଙ୍କ ଦେହରୁ ମଇଳା, ଝାଳ, ତେଲ ଓ ଅତରକୁ ସଂଗ୍ରହ କରାଯାଉଥିଲା ଏବଂ ଯେଉଁ ସ୍ଥାନରେ ଗ୍ଲାଡିଏଟର୍ ମାନଙ୍କର ଯୁଦ୍ଧ ହେଉଥିଲା ସେଇଠି ସେମାନଙ୍କର ଦେହର ମଳି, ଝାଳ ଆଦିକୁ ଛୋଟ ଛୋଟ ଶିଶିମାନଙ୍କରେ ରଖି ବିକ୍ରି କରାଯାଉଥିଲା । ରୋମାନ୍ ମହିଳାମାନେ ଏହାକୁ ଆଗ୍ରହର ସହ କିଣିନେଉଥିଲେ । ଏବଂ ଏହାକୁ ସେମାନେ ନିଜ ଦେହରେ ବିଶେଷ ବିଶେଷ ସମୟରେ ପ୍ରସାଧନ କରିବା ପଦାର୍ଥ ଭଳି ଲଗାଉଥିଲେ । ଏହା ବ୍ୟତୀତ ରୋମାନ୍ ମାନେ ଏଥିରୁ ଠୋପାଏ ଠୋପାଏ ମଦ ସହିତ ମିଶାଇ ପାନ କରିବା ଭଳି ଆଗ୍ରହ ପୋଷଣ କରୁଥିଲେ । ଏହା ଯୌନଶକ୍ତିବର୍ଦ୍ଧକ ବୋଲି ବିବେଚନା କରାଯାଉଥିଲା । ସାଧାରଣତଃ ଗ୍ଲାଡିଏଟର୍ ମାନଙ୍କର ସେହି ସାର୍ବଜନୀନ ଯୁଦ୍ଧ ପ୍ରଦର୍ଶନ ସବୁବେଳେ ରକ୍ତାକ୍ତ । ସେଥିରେ ଯେକୌଣସି ପକ୍ଷର ଗ୍ଲାଡିଏଟର୍ ର ମୃତ୍ୟୁ ଏକ ପ୍ରକାର ଅନିବାର୍ଯ୍ୟ ଥିଲା । ଦେହର ଝାଳ ଓ ମଳି ଭଳି ରୋମାନ୍ ମାନେ ଗ୍ଲାଡିଏଟର୍ ର ରକ୍ତକୁ ମଧ୍ୟ ଚିତା ଆକାରରେ ଆଉ ଯୌନଶକ୍ତି ବର୍ଦ୍ଧକ ହିସାବରେ ବ୍ୟବହାର କରୁଥିଲେ । ଏଥିରୁ ସେ ସମୟର ରୋମାନ୍ ସମାଜରେ ଗ୍ଲାଡିଏଟର୍ ତଥା ସେମାନଙ୍କର ରକ୍ତ ପ୍ରତି ରହିଥିବା ଅଦ୍ଭୁତ ଓ ବିଚିତ୍ର ଆକର୍ଷଣକୁ ସଠିକ ବୁଝିହେବ । ସେହିଭଳି ଏକ ଉତ୍ତେଜକ ଗ୍ଲାଡିଏଟର ଯୁଦ୍ଧର ରୋମାଞ୍ଚକର କ୍ଷଣରେ ଆମର ଏହି ସାଧୁ ଟେଲେମାଖସ୍ ଙ୍କର ଦୃଶ୍ୟଭିତରକୁ ପ୍ରବେଶ ଘଟିଥିଲା । ଏହି ଅବାଞ୍ଛିତ ରକ୍ତପାତକୁ ପ୍ରତିହତ କରିବା ପାଇଁ ସେ ସିଧା ସେହି ଯୁଦ୍ଧ କ୍ଷେତ୍ରରେ ଦୁଇ ଯୁଯୁତ୍ସୁ ଗ୍ଲାଡିଏଟର୍ ଙ୍କର ଠିକ୍ ମଝିରେ ଯାଇ ପହଞ୍ଚିଗଲେ। ସମ୍ଭବତଃ ମୃତ୍ୟୁ ପାଇଁ ଆଉ ଦୁଇ ତିନୋଟି ଆଘାତର ଅପେକ୍ଷାରେ ସେଇ ଦୁଇଜଣଙ୍କ ମଧ୍ୟରୁ ଜଣେ କେହି ଗ୍ଲାଡିଏଟର୍ ରହିଥିଲା । ଚାରିଆଡେ ନବବର୍ଷର ଉନ୍ମାଦନା । ଏତିକିବେଳେ ରୋମାନ୍ ଦର୍ଶକମାନେ ସେମାନଙ୍କର ଶ୍ୱାସରୁଦ୍ଧକାରୀ ଉତ୍ତେଜନାର ଏହି ଭଳି ଏକ ଚୂଡାନ୍ତ କ୍ଷଣରେ ସେମାନଙ୍କ ସାମ୍ନାରେ ପ୍ରତିବନ୍ଧକ ହିସାବରେ ଅବାଞ୍ଛିତ ସେହି ସନ୍ଥକୁ ଗ୍ରହଣ କରିପାରିଲେ ନାହିଁ । ଗ୍ଲାଡିଏଟର୍ ମାନଙ୍କର ସେହି ଯୁଦ୍ଧ ସ୍ଥଗିତ ରହିଥିଲା ସତ କିନ୍ତୁ ରକ୍ତପାତ ଘଟିଥିଲା । ରୋମାନ୍ ଦର୍ଶକମାନେ କ୍ଷୁବ୍ଧ ହୋଇ ଢେଲା ପଥର ଫୋପାଡି ଟେଲିମାଖସ୍ ବୋଲି ସେହି ସନ୍ଥଙ୍କୁ ସେଦିନ ହତ୍ୟା କରିଥିଲେ ।

ନବବର୍ଷର ଇତିହାସରେ ଟେଲେମାଖସ୍ ହେଉଛନ୍ତି ଦୟା ଓ କରୁଣାକୁ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ପ୍ରଥମ ନଥିଭୁକ୍ତ ଶହୀଦ ।

ପ୍ଲାଟୋ ବର୍ଣ୍ଣିତ ଶ୍ରେଷ୍ଠାଂଶର ସେହି ଦୟା ଓ କରୁଣା ପ୍ରତିଷ୍ଠିତ ହେଉ ।

ଆଜି ନବବର୍ଷର ପବିତ୍ର ଉଲ୍ଲାସ ମୁହୂର୍ତ୍ତରେ ଆମକୁ ସେଇ ସବୁ କଥା ସ୍ମରଣ କରିବାର ଅଛି । କାହାକୁ କିଛି ଉପହାର ଦେବାକୁ ହେଲେ କିଛି ଗୋଟିଏ ଉପଲକ୍ଷର ଆବଶ୍ୟକତା ପଡେ । ଆଜି ନବବର୍ଷ ଉପଲକ୍ଷେ ସମସ୍ତେ ସୁସ୍ଥ ଆନନ୍ଦରେ ରହିବା ସହିତ ଅନ୍ୟକୁ ଦୟା ଓ କରୁଣା ଉପହାର ଦେଇପାରିବା ଭଳି କ୍ଷମତା ଭଳି ସୁନ୍ଦର ଉପହାର ଭଗବାନଙ୍କଠାରୁ ପାଆନ୍ତୁ, ଏତିକି କାମନା ।

ଅନେକ ସମୟରେ କିଛି ଚାରଣ ଦୟା ଓ କ୍ଷମାର କଥା କହିଥାନ୍ତି ମାତ୍ର ତାହା କେବଳ କୌଣସି ରାଜାକୁ ଋଷି ରୂପ ନିବେଦନ କରିବାର ଆନୁସଙ୍ଗିକ ପ୍ରସ୍ତୁତି । କୌଣସି ସାଧାରଣ ସେଇଠି ଆଖପାଖରେ ନଥାଏ ।

ସୌଭାଗ୍ୟକୁ ଦୟା ଓ କରୁଣାର ଅବତାର ମହାନୁଭବ ବୁଦ୍ଧ ମହାତ୍ମାଙ୍କର ଛବିଟିଏ ଆଜି ଦେଖିବାର ସୁଯୋଗ ମିଳିଛି । ଛବିଟି ଭଗିନୀ ନିବେଦିତାଙ୍କ ଲିଖିତ ଇଂରେଜୀ ପୁସ୍ତକ "ଦି ଫୁଟଫଲସ୍ ଅଫ୍ ଇଣ୍ଡିଆ" ନାମକ ବହିର ଏକ ଅଳଙ୍କରଣ । ବହିଟିର ପ୍ରକାଶକାଳ ହେଉଛି ୧୯୧୫ ମସିହା । ଏହି ଅଳଙ୍କରଣଟିକୁ ପ୍ରସ୍ତୁତ କରିଛନ୍ତି ଭାରତର ଜଣେ କୃତବିଦ୍ୟ ଚିତ୍ରକର । "ମାଷ୍ଟର ମୋଶାୟ" ନାମରେ ପରିଚିତ ସେହି ଚିତ୍ରଗୁରୁଙ୍କ ଅସଲ ନାଆଁ ହେଉଛି ନନ୍ଦଲାଲ ବୋଷ ।

ଛବିଟିକୁ ସୁଯୋଗ ମିଳିଲେ ଥରେ ଦେଖନ୍ତୁ ।

ନନ୍ଦଲାଲଙ୍କର ଏହି "ବୁଦ୍ଧ"କୁ ଦେଖିଲେ ଆମର ମନ ନିଶ୍ଚୟ ପ୍ରଫୁଲ୍ଲ ହୋଇଯିବ । ନିଜକୁ ବୁଦ୍ଧ ବୁଦ୍ଧ ଭଳି ଲାଗିବ ।

ଆରମ୍ଭ ହେଉ କି ପ୍ରବାହ ହେଉ କି ଧାରାବାହିକତା ହେଉ ସବୁବେଳେ ନବବର୍ଷରେ ଟିକିଏ ବୁଦ୍ଧ ଭଳି କାରୁଣିକ ବୋଧ ଆସିବା ଯେ ଏକ ପରମ ଉପଲବ୍ଧି !

Report an Error