
ତୁମେ କେବେ ଓହ୍ଲାଇ ଆସିଛ ସ୍ୱର୍ଗରୁ ତ
କେବେ କେବେ ହଜିଯାଇଛ ପାତାଳରେ,
ଶେଷରେ ଲୋଟିଛ ନିଃସର୍ତ୍ତରେ ରତ୍ନଗର୍ଭ ସମୁଦ୍ର ଛାତିରେ ।
ପୁଣ୍ୟତୋୟା ପାଲଟି
ଶରୀର ଓ ଆତ୍ମାକୁ କରିଛ ପବିତ୍ର
ମୃତ୍ତିକାକୁ ଉର୍ବର;
ଶସ୍ୟଦାନାକୁ କରି ସୁଗନ୍ଧିତ
ରସନାରେ ଭରିଛ ଅମୃତ ।
ପ୍ରକୃତି - ସଂଗୀତର ରାଗିଣୀ ହୋଇ ବହିଯାଇଛ
ଶୁଦ୍ଧ ଚରିତ୍ରକୁ ମୁକାଳିଦେଇଛ ନିଃସଂକୋଚରେ,
ସ୍ୱପ୍ନପ୍ରାୟ ଅସ୍ଥିରତା ତୁମର
କେତେ ଢଙ୍ଗରେ ପ୍ରବାହିତ ହୋଇଛ
ବିନା ଈର୍ଷା, ବିନା ପ୍ରତିଯୋଗିତାରେ,
କେବେ ତୋଳିଛ ନୂପୁର ନିକ୍ୱଣ ତ କେବେ
ଶୁଣାଇଛ ରାଗ ଭୈରବୀ ।
କେଉଁଠି ସାମ୍ନା କରିଛ ଦଣ୍ଡକାରଣ୍ୟ, ନୈମିଷାରଣ୍ୟ,
ତୁମ ପଥ ଧାରରେ ଗଢ଼ିବାକୁ ଦେଇଛ ଫୁଲଫଳର କେଦାର
ପ୍ରବର୍ତ୍ତାଇଛ ତୋଳିବାକୁ ମଠ, ଚୈତ୍ୟ, ଆଶ୍ରମ, ମନ୍ଦିର
ସେତୁ, ବିପଣୀ, ବନ୍ଦର
ଠାଆକୁ ଠାଆ ରକମ ରକମ ସ୍ଥାପତ୍ୟର କୃତିତ୍ୱ
ଗଢ଼ିଛ, ଭାଙ୍ଗିଛ କେତେ ସ୍ୱର୍ଣ୍ଣଯୁଗ କି ସଭ୍ୟତା ।
ଆପଣା ଦେହରେ ଲଦି ଯାବତୀୟ ବିସ୍ମୟ
ସରଳ ସ୍ୱଚ୍ଛନ୍ଦ ଯାତ୍ରା ବରିନେଇଛ ମରଲୋକରେ
ଭକ୍ତି ଓ ବିଶ୍ୱାସର ଗୁଂଜରଣ ତୋଳି ନିରନ୍ତର,
ପଥରର ପ୍ରତିବନ୍ଧକକୁ କାଟିଦେଇଛ
ଧୀରେଧୀରେ, ଧୈର୍ଯ୍ୟରେ,
ବିଫଳତାକୁ ଗ୍ରାସିଛ ଗୌରବରେ ।
ଦେହରେ ନାଇ ଅୟୁତ ଅଳଙ୍କାର
ଭ୍ରୁଲତାରେ କର୍ଦ୍ଦମ - କଜଳ ଗାର
ସହସ୍ର ବାର ରୂପ ବଦଳାଇଛ
ଗଙ୍ଗା କାବେରୀ ନର୍ମଦା ସରସ୍ୱତୀ
ମହାନଦୀ ଚିତ୍ରୋତ୍ପଳା ଭାର୍ଗବୀ ଓ ଦୟା -
ଏମିତି ହଜାର ନାମ ଧରି,
ପାଳିଛ, ମାରିଛ, ପୁଣି ତାରିଛ
ଆମର ଇହକାଳ ।
କେବେ ଭସାଇ ଆଣିଛ ସୁନାର ଅର୍ବୁଦ ଲହଡ଼ି
କେବେ କ୍ରୋଧରେ ଦେଇଛ ମହାମାରୀ କି ମରୁଡ଼ି ।
ସବୁ ନଈ ଠାକୁରାଣୀ ସତରେ ।