ନଦୀ ବି କାନ୍ଦେ

ନଦୀ ବି କାନ୍ଦେ । ନଦୀ କେବଳ ଏକ ଜଳସ୍ରୋତ ନୁହେଁ, ସେ ଆମ ସମୟ ଓ ସଭ୍ୟତାର ଜୀବନ ପ୍ରବାହ । ନଦୀ ଉପରେ ଆମର ନିରନ୍ତର ଅତ୍ୟାଚାର ଏହାକୁ କ୍ଷୀଣ ଓ ମରୁତ କରିଚାଲିଛି ।


ଫଟୋ - କେଦାର ମିଶ୍ର

ତୁମେ କେବେ ନଦୀକୁ
କାନ୍ଦିଵା ଦେଖିଛ
ତୁମେ କେବେ ନଦୀର
କାନ୍ଦ ଶୁଣିଛ
ଶୁଣିବାକୁ ଇଚ୍ଛା ଯଦି ରଖ
ଶୁଣିପାରିବ ତାକୁ
ଦିନର ଗହଳିରେ ନୁହେଁ
ରାତିର ନିରୋଳା ପ୍ରହରେ

ନିସ୍ତବ୍ଧ ରାତିରେ
ଥରେ ତା କୂଳରେ
ଵସି ଶୁଣ
କେତେ ଯେ ବ୍ୟଥା
ତା ଛାତିରେ
ବହୁ ଥିଲା ନିରନ୍ତରେ
ସେ କଣ ଜାଣିଥିଲା
ଭାଗହେବ କେତେ କେତେ
ଖଣ୍ଡରେ

ଅସହାୟ ସେ
ଅନେକ ଆଶଙ୍କା
କେହି ତାକୁ ନେଇଯିବ
ନା ତାକୁ ଖଣ୍ଡ ବିଖଣ୍ଡିତ କରି
ଅଲଗା କରିବ
ନା ଶୋଷି ଶୋଷି
ମରୁଭୂମି କରି
ସାଗରରେ ମିଶିବାକୁ
ବନ୍ଧ ବାନ୍ଧି ଦେବ

ନିରୀହ ଆଖି ତା ଦେଖୁଛି
କେତେ ଟଣା ଭିଡା
ବିବାଦ ନିଜ ନିଜ ଭିତରେ
ତା' ପାଇଁ, ରାଜନୀତି
ତା କୂଳର ସନ୍ତାନ
ଆଜି ବିକିଦେବ
ଆଉ କାହା ହାତରେ

ସେ ମର୍ମାହତ
ଏସବୁ କଣ ସେ ସହିପାରେ
ତାର କଇଁ କଇଁ କାନ୍ଦରେ
ତୁଠ ଓ କୂଳର
ଛାତି ଫାଟୁଥାଏ
କୂଳୁକୂଳୁ ଶବ୍ଦ ତାର
କେତେ ଯେ କାହାଣୀ କହିଯାଏ

କେତେ ପିଢୀରୁ ସେ,
ଏଠି ସଭିଙ୍କୁ ଜାଣିଛି
ପାହାନ୍ତାରୁ ରାତି ଯାଏ
ପୁଣି ରାତିରୁ ପାହାଁନ୍ତା

କୂଳବଧୂର
ଝମ୍ ଝମ୍ ପାଉଁଜୀର ସ୍ବର
ପାଦକୁ ମାଜୁ ମାଜୁ
ତୁଠ ପଥରରେ,
ପାହାନ୍ତିଆ ତାରାକୁ
କେତେ କଥା କହିଥାଏ
ତା ଜୀବନ ସାଥିର

କେତେ ଜୀବନର
ଜୀବିକା ସେ
ଚାଷ ପାଇଁ
ପାଣି ନେଇ
ଚଷା ଭାଇ
ଗୁଣୁ ଗୁଣୁ ଗାଇଯାଏ
କାନେ ତାର

ଫୁଗୁଂଳା ଦେହରେ
ପଞାଏ ଚଗଲା
ପାଣିକୁ ଗୋଳି କରିବାରେ
ମଜା ତାଙ୍କର

ସଂଧ୍ୟା ହେଲେ
କୁଆଁରୀଙ୍କ ମେଳି
କେତେ ଥଟ୍ଟା କେତେ ମଜ୍ଜା
ନିଜ ନିଜର
ଗୋପନ କାହାଣୀ

ସବୁ ଘରର ଗୁମର
ହାନି ଲାଭ
ସବୁ ଶୁଣି ଚୁପ୍ ରୁହେ
ସଭିଏଁ ତ ତାହାର
କାହାକୁ କିଛି ଦେଵାରେ
କରିନାହିଁ କିଛି ଅନ୍ତର

ଏମିତି ଯେ କେତେ କଥା
ତୁଠ କହୁଥାଏ
କୂଳ ଶୁଣୁଥାଏ
ଏଠି ସେ ରହିବ କି ନାହିଁ
ଏହି ଆଶଙ୍କାରେ
କୂଳୁକୂଳୁ ସ୍ବରରେ
ନଦୀ କାନ୍ଦୁଥାଏ
ଖାଲି କାନ୍ଦୁଥାଏ

ଏ କ'ଣ
ସନ୍ତାନମାନେ ଯେ ତାର
ଆତ୍ମହତ୍ୟା ପ୍ରସ୍ତୁତିରେ
ସନ୍ତାନର ଵିଭେଦରେ
ତାର ଵିଭାଜନ
ସର୍ଵନାଶ ଭୟରେ
ସିହରି ଯାଏ ତାର
ମନ ପ୍ରାଣ

ପବନର ଦୀର୍ଘ ନିଃଶ୍ୱାସରେ
ନଦୀ ଚହଲି
ତୁଠ ଓ କୂଳରେ
ଆଉଜୁ ଆଉଜୁ
ଜହ୍ନ ଆଲୁଅରେ
ନଦୀର ଲୁହ
ସ୍ପଷ୍ଟ ବାରିହେଉଥାଏ
ତାର ଚିକଚିକ ମୋତି ଭଳି ଲୁହ
ଲୁଣି ହେବାକୁ ଯାଉଥାଏ ।

Report an Error