ମିଥ୍ ଓ ମିଥ୍ୟା

କବିତାରେ କଳ୍ପନାକୁ ନେଇ ଚମତ୍କାର ଖେଳ ଖେଳିଛନ୍ତି ଏ ଯୁବକବି । ବିରୋଧାଭାସୀ ଚିତ୍ର ଓ ଘଟଣାର ଚମତ୍କାର ସଙ୍ଗମ ଏ କବିତା ।


ହେଇପାରେ,
ରାଗ ଓ ହସର ଗୋଟେ ଫେଣ୍ଟା-ଫେଣ୍ଟି ଭାବ
ଦିଶିବ କେବଳ ଆଇନାରେ

ଆଲୁଅ ବି ଫୁଟିପାରେ
କୃଷ୍ଣ ପକ୍ଷର ଦଶମୀ ତିଥିରେ
ଯେତେବେଳେ ଅସହ୍ୟ ହେବ ମୃଦୁ ମଳୟର ସଂହାର

ପଳାଶ ଫୁଲରେ ଛାଇଲେ ଉଦ୍ଦମତା
ପ୍ରେମାତୁର ପକ୍ଷୀ ହଳକ
ତୃପ୍ତ ହେବେ କାମନାରେ

ଯଦିଓ ସୂର୍ଯ୍ୟ ଅସ୍ତ ହେବେ ପଶ୍ଚିମରେ
ପୂର୍ବରୁ ଶୁଭିବ ରାଗ କିରୱାନି
ଉଦାସ ବେଳାର ରାଗ ।

କାକଟସ ସବୁ ଯଦି ଭୋଗନ୍ତେ ଦରଜ
ଦରଜରେ ଥାନ୍ତା ମିଠାପଣ
ମରୁଭୂମିର ମୃଗତୃଷ୍ଣା ଓ କାକଟସ
ବ୍ୟତିକ୍ରମ କେବଳ !

ତରଳ ଅନଳରେ ଯଦି,
ଭରିଥାଆନ୍ତା ସୌହାର୍ଦ୍ଦ୍ୟପଣ
ଭାଗ ହୁଅନ୍ତା ନିଆଁଝୁଲ

ସବୁ ନଥିବାପଣରେ ଯଦି ତମେ ଥାନ୍ତ
ଭୋଗି ନିଅନ୍ତି ଏକାକୀ ନିଃସଙ୍ଗତା
ଶରୀରରୁ ବିରହ ଯାଏଁ ।

ସବୁ ଭୋଗିବା ଯେ କଷ୍ଟକର
ଏପରି ଆଦୌ ନୁହେଁ,
ଭୋଗିବା ଗୋଟେ ପ୍ରକ୍ରିୟା
ଜନ୍ମରୁ ଜନ୍ମାନ୍ତର !

ଏକାବେଳେ ଭୁଲିଯିବା ଓ ଦୂରେଇଯିବା
ହେଇପାରେ ମନ୍ତ୍ରଣାର ମିଛ ମନ୍ତ୍ର
ମୁଁ ଜାଣେ, ତମେ କିନ୍ତୁ କହିବ;
"ମିଥ୍ୟା ଏକ ଦାଗ"

Report an Error