ପ୍ରେମ କାହାଣୀର ଛବି 

ଅଧୁନା ପାକିସ୍ତାନର ସିନ୍ଧ ପ୍ରଦେଶରେ ଥିବା ତିଲା ସାହାଙ୍କ ସମାଧିର କାନ୍ଥରେ ଶଶି - ପୁନ୍ନୁଙ୍କ କାହାଣୀକୁ ଆଧାର କରି ଏକ ପୁରୁଣା ମ୍ୟୁରାଲ୍ ରହିଛି । ଏଇ ଦୁଇ ପ୍ରେମୀଙ୍କ ବିୟୋଗାନ୍ତକ ପ୍ରେମ କାହାଣୀକୁ ନେଇ ୧୯୨୮ ମସିହାରେ ଏକ ନିର୍ବାକ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।


ଫଟୋ - ୱିକିପିଡିଆ

ଏ କାହାଣୀ ହେଉଛି ନାୟିକା ଶଶି ଓ ନାୟକ ପୁନ୍ନୁକୁ ନେଇ । ଆମେ ସେ ଦୁଇଜଣଙ୍କ ବିଷୟରେ ସିନା ଜାଣିନେ କିନ୍ତୁ ପଞ୍ଜାବ ପ୍ରଦେଶରେ ଏଇ କାହାଣୀଟି ଏକ ପରିଚିତ ଲୋକକଥା ଭାବରେ ଘରେ ଘରେ ପରିଚିତ । ଅନୁମାନ କରାଯାଏ କାହାଣୀଟି ସେଇ ବେଲୁଚିସ୍ତାନ ଓ ପଞ୍ଜାବର ସିନ୍ଧ୍ ସମତଳ ଅଞ୍ଚଳରୁ ସୃଷ୍ଟି ହେଇଛି ଓ କାଳକ୍ରମେ ପାହାଡ଼ି ଅଞ୍ଚଳରେ ପହଞ୍ଚିଛି । ଆହୁରି ମଧ୍ୟ କୁହାଯାଏ ସୁଫି କବି ସାହ ଅବଦୁଲ୍ ଲତିଫ୍'ଙ୍କର ସିନ୍ଧ ପ୍ରଦେଶର ସାତରାଣୀଙ୍କ ଉପରେ ଲିଖିତ କବିତାର ଅନ୍ୟତମ କାହାଣୀ ଏଇଟି । ସବୁଗୁଡାକ କାହାଣୀ ପ୍ରେମକୁ ନେଇ ବିୟୋଗାନ୍ତକ କାହାଣୀ । ସ୍ବର ଦେଇ ଲୋକଗୀତର ଗାୟକ ଓ ସୁଫି ଗାୟକମାନେ ଏଇ କାହାଣୀକୁ ଗାନ ମଧ୍ୟ କରନ୍ତି ।

ପୁନ୍ନୁଙ୍କର ନାମ ହେଲା ମିର୍ ପୁନ୍ନୁ ଖାନ୍‌ । ବାପା ହେଲେ ବେଲୁଚିସ୍ତାନର ରାଜା ମିର୍ ହୋଥ୍ ଅଲ୍ଲୀ । ଶଶି ହେଉଛନ୍ତି ଭାମ୍ଭୋର ପ୍ରଦେଶର ରାଜାଙ୍କ ଝିଅ । ଶଶିର ଜନ୍ମବେଳେ ରାଜଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ଝିଅଟି ରାଜପରିବାର ପାଇଁ ଦୁଃଖର କାରଣ ହେବ । ଏ କଥା ଶୁଣି ରାଜା କଥାନ୍ତରରେ ରାଣୀ ଆଦେଶ ଦେଲେ କଅଁଳା ଝିଅଟିକୁ ଗୋଟେ କାଠର ବାକ୍ସରେ ପୁରେଇ ନଈରେ ଭସେଇ ଦିଆଯାଉ । ସେଇଆ ହେଲା । ନଦୀରେ ଭାସି ଭାସି ଯାଉଥିବା ବାକ୍ସକୁ ଜଣେ ଧୋବା ପାଇଲା । ରଜକ ଦମ୍ପତିଙ୍କର ଆଗରୁ କୌଣସି ସନ୍ତାନ ସନ୍ତତି ନଥିଲେ । ତେଣୁ ସେମାନେ ଈଶ୍ବରଙ୍କର ବରଦାନ ମନେକରି ଝିଅଟିର ଲାଳନ ପାଳନ କଲେ ।

ସମୟକ୍ରମେ ରାଜକୁମାରୀ ଶଶି ଧୋବା ଘରେ ବଢିଲା । ବଡ ହେଲାରୁ ସୁନ୍ଦରୀ ଶଶିର ଅପରୂପ ଲାବଣ୍ୟର ଖବର ଚାରିଆଡେ ବ୍ୟାପିଗଲା । ଖବର ଶେଷରେ ରାଜକୁମାର ପୁନ୍ନୁ ପାଖରେ ପହଞ୍ଚିଲା ଓ ପୁନ୍ନୁ ସ୍ୱୟଂ ଶଶୀର ଗାଁରେ ଜଣେ ବଣିକର ଛଦ୍ମବେଶରେ ପହଞ୍ଚିଗଲା । ଶଶିକୁ ନିଜ ଆଖିରେ ଦେଖିବା ପାଇଁ ପୁନ୍ନୁ ତା'ର କିଛି ଲୁଗା ଶଶିର ବାପାଙ୍କ ପାଖକୁ ସଫା କରିବା ବାହାନାରେ ପଠେଇଲା । ସେଇଠି ଦୁହିଁଙ୍କର ପ୍ରଥମ ସାକ୍ଷାତ ହେଇଛି ଓ ସେଇ ପ୍ରଥମ ଦେଖାରୁ ଆରମ୍ଭ ହେଇଛି ପ୍ରେମ । ଶଶିର ପାଳିତ ବାପା ଚାହୁଁଥିଲା ଝିଅ ତା'ର ଜଣେ ଧୋବା ଯୁବକକୁ ବିବାହ କରୁ । ତେଣୁ ପୁନ୍ନୁକୁ ଜଣେ ଭଲ ଲୁଗା ସଫା କରି ପାରୁଥିବା ଧୋବା ଭାବରେ ପରୀକ୍ଷା ଦେବାକୁ ହେଲା । ହେଲେ ରାଜକୁମାର କୋଉ ଲୁଗା ଧୁଆ ଶିଖିଛି କି ? ସବୁଗୁଡା ଲୁଗା ସଫା ହେଲାବେଳକୁ ଚିରିଗଲା । ସର୍ତ୍ତ  ହାରିଯିବା ଓ ପରୀକ୍ଷାରେ ଅସଫଳ ହେଇ ଭୟରେ ପୁନ୍ନୁ ଗାଁ ଲୋକଙ୍କ ଚିରା ଲୁଗା ଗୁଡିକରେ କିଛି କିଛି ସୁନା ଅସରପି ରଖିଦେଲା । ଉପାୟ କାମ ଦେଲା । କେହି କିଛି କହିଲେନି । ଶଶିର ବାପା ଶଶିକୁ ପୁନ୍ନୁ ସହ ବାହା ଦେବାକୁ ରାଜି ହେଲେ । ବିବାହ ହେବାର ଖବର ପୁନ୍ନୁର ଘରେ ପହଞ୍ଚିଲା ପରେ ତାଙ୍କ ବାପା ଓ ଭାଇମାନେ କଥାକୁ ସହଜରେ ଗ୍ରହଣ କଲେନି । ଜଣେ ରାଜକୁମାର ଅତି ସାଧାରଣ ଗୋଟେ ଧୋବାର ଝିଅକୁ କେମିତି ବିବାହ କରିବ ଯେ ? ସେଉଠୁ ଭାଇମାନେ ଖବର ପାଇ ଶଶିର ଗାଁ ଭାମ୍ଭୋରରେ ପହଞ୍ଚିଛନ୍ତି ଓ ପୁନ୍ନୁ ସାଙ୍ଗରେ ଛଳନା କରି ଖୁବ୍ ଭଲ ବ୍ୟବହାର କରିଛନ୍ତି । ବିବାହ ଉତ୍ସବରେ ଯୋଗ ଦେଇଛନ୍ତି । ପ୍ରଥମ ରାତିରେ ପୁନ୍ନୁକୁ ବହୁତଗୁଡେ ମଦ ପିଆଇ ଦେଇଛନ୍ତି ଓ ନିଶା ହୋଇଗଲା ପରେ ପୁନ୍ନୁକୁ ଏକ ଓଟ ପିଠିରେ ବସେଇ ଘରକୁ ନେଇ ଯାଇଛନ୍ତି । ଛବିଟି ଠିକ୍ ସେଇ ସମୟକୁ ଧରି ରଖିଛି । ଛବିରେ ଶଶି ସାମ୍ନାରେ ଓଟ ଉପରେ ପୁନ୍ନୁକୁ ଅପହରଣ କରାଯାଉଥିବାର ଚିତ୍ରନାଟ୍ୟ ଥିଲେ ମଧ୍ୟ କାହାଣୀରେ କିନ୍ତୁ ସେକଥା ନାହିଁ ।  କାହାଣୀରେ ରହିଛି ପୁନ୍ନୁ ନଥିବାର କଥା ଶଶି ପରଦିନ ସକାଳକୁ ଯାଇଁ ଜାଣୁଛି ।

କାହାଣୀଟି ପଞ୍ଜାବର ସମତଳ ଓ ପାହାଡି ଅଞ୍ଚଳରେ ବେଶ୍ ଜଣାଶୁଣା ଓ ଲୋକପ୍ରିୟ ହୋଇଥିଲେ ମଧ୍ୟ ଆଶ୍ଚର୍ଯ୍ୟ ଭାବରେ କାହାଣୀକୁ ନେଇ ଖୁବ୍ କମ୍ ଛବି ଅଙ୍କା ଯାଇଛି । ଏଇଠି ଦିଆ ଯାଇଥିବା ଛବିରେ ଆକାଶ ଓ ମରୁଭୂମି ଏମିତି ମିଳିଯାଇଛନ୍ତି ଯେଉଁଠି ଦିଗବଳୟ ମଧ୍ୟ ଦିଶୁନି । ମରୁଭୂମିର ବ୍ୟାପକତା ଓ ବିଶାଳତାକୁ ବୁଝି ହେଉଛି । ଛବିରେ ସମୁଦାୟ ଆଠଟି ଚରିତ୍ର । ଚାରିଜଣ ନାରୀ ଓ ଚାରିଜଣ ପୁରୁଷ ଏବଂ ଗୋଟେ ଧୂଷର ବାଦାମୀ ରଙ୍ଗର ଓଟ । ଓଟ ପିଠିରେ ନିଶାସକ୍ତ ପୁନ୍ନୁ । ତାଙ୍କୁ ଆଉ ଜଣେ କୁଣ୍ଢେଇ ଧରି ରଖିଛି । ପୁନ୍ନୁଙ୍କର ମୁଣ୍ଡ ସାମାନ୍ୟ ଝୁଙ୍କି ରହିଛି ଓ ବାମହାତ ହୁଗୁଳା ହେଇ ଝୁଲି ରହିଛି ତଳକୁ । ଶଶିକୁ ଧରି ରଖିଛନ୍ତି ତିନିଜଣ ନାରୀ । ଅସହାୟ ଶଶି ହାତଟେକି ପୁନ୍ନୁକୁ ଡାକୁଛି । ଓଟ ସହ ସମାନ୍ତରାଳରେ ଅନ୍ୟ ଦୁଇ ଜଣ ଖଣ୍ଡା ଓ ବନ୍ଧୁକ ଧରି ଚାଲୁଛନ୍ତି । ଚରିତ୍ରମାନଙ୍କ ମୁଣ୍ଡ ଉପରକୁ ଅଧିକ ସ୍ଥାନ ଛଡାଯାଇଛି ଯାହାକି ମରୁଭୂମିର ବିଶାଳତାକୁ ବ୍ୟକ୍ତ କରୁଛି । ଛବିରେ ହଳଦୀ, ଗୋଲାପି, ନୀଳ, ବାଦାମୀ ଧୂଷର, ଧଳା ଓ ଲାଲ୍ ରଙ୍ଗ ବ୍ୟବହାର ହେଇଛି । ପୁନ୍ନୁକୁ ଖୋଜି ଖୋଜି ଶଶି ମରୁଭୂମିରେ ବାଟ ଚାଲିଛି । ବାଟରେ ଜଣେ ମେଷପାଳକର ଖରାପ ନଜରରୁ ବଞ୍ଚିବାକୁ ଶଶି ଭଗବାନଙ୍କୁ ପ୍ରାର୍ଥନା କରିଛି । ଭଗବାନ ପୃଥିବୀକୁ ଫାଳ କରି ଶଶିକୁ ଆଶ୍ରୟ ଦେଇଛନ୍ତି । ସେପଟେ ପୁନ୍ନୁ ନିଶାରୁ ଉଠି ଶଶିକୁ ଖୋଜିଛି ଓ ପାଖରେ ନପାଇ ଶଶିକୁ ଖୋଜିବାକୁ ବାହାରିଛି । ପୁନ୍ନୁ ମରୁଭୂମି ମଝିରେ ସେଇ ମେଷପାଳକକୁ ଭେଟିଛି ଓ ସବୁ ଶୁଣି ସାରିଲାପରେ ଭଗବାନଙ୍କୁ ପ୍ରାର୍ଥନା କରି ଶଶି ପାଖକୁ ଚାଲିଯାଇଛି । ଦୁଇ ପ୍ରେମୀଙ୍କ ସମାଧି ଏବେବି ସେଇ ମରୁଭୂମି ଭିତରେ ଥିବା ପାହାଡିଆ ନିର୍ଜନ ଉପତ୍ଯକାରେ ରହିଛି ।

ଛବିଟିର ଶୈଳୀ ଓ ବ୍ୟବହୃତ କୌଶଳ ଓ ଚରିତ୍ରମାନଙ୍କୁ ଯେଉଁପରି ଉପସ୍ଥାପନ କରାଯାଇଛି, ସେଥିରୁ ବିଶେଷଜ୍ଞମାନେ ଅନୁମାନ କରନ୍ତି ଏଇଟିକୁ ନୟନସୁଖ ପରିବାରର କେହି ଚିତ୍ରଶିଳ୍ପୀ ଆଙ୍କିଛନ୍ତି । ଭାରତର ପ୍ରଥମ କଳା ସମାଲୋଚକ ଓ.ସି ଗାଙ୍ଗୁଲି ଇଣ୍ଡିଆନ୍ ସ୍କୁଲ୍ ଅଫ୍ ଓରିଏଣ୍ଟାଲ୍ ସ୍କୁଲର ପତ୍ରିକା ରୂପମ୍ ର ଏପ୍ରିଲ୍ ୧୯୨୭ର ସଂଖ୍ୟାରେ ଏହି ମିନିଏଚର୍ ଛବିକୁ ଛାପିଥିଲେ ଓ ଏହି ପାହାଡ଼ି ଶୈଳୀରେ ଅଙ୍କିତ ମିନିଏଚର୍ ଛବି ବିଷୟରେ ଲେଖିଥିଲେ । ପରେ କାର୍ଲ ଖଣ୍ଡେଲୱାଲ୍ ତାଙ୍କ ପାହାଡ଼ି ମିନିଏଚର୍ ପୁସ୍ତକରେ ମଧ୍ୟ ଏ ଛବିକୁ ସ୍ଥାନ ଦେଇଥିଲେ । ଛବିଟି ଗ୍ଵାସ୍ ରଙ୍ଗରେ କାଗଜ ଉପରେ ଅଙ୍କିତ ହୋଇଛି । ଏହି ପାହାଡ଼ି ମିନିଏଚର୍ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର ତୃତୀୟ ଭାଗବେଳକୁ ଅଙ୍କନ କରାଯାଇଛି । ଦିଲ୍ଲୀର ଜାତୀୟ ସଂଗ୍ରାହଳୟରେ ଛବିଟି ସଂରକ୍ଷିତ ।

ଅଧୁନା ପାକିସ୍ତାନର ସିନ୍ଧ ପ୍ରଦେଶରେ ଥିବା ତିଲା ସାହାଙ୍କ ସମାଧିର କାନ୍ଥରେ ଶଶି - ପୁନ୍ନୁଙ୍କ କାହାଣୀକୁ ଆଧାର କରି ଏକ ପୁରୁଣା ମ୍ୟୁରାଲ୍ ରହିଛି । ଏଇ ଦୁଇ ପ୍ରେମୀଙ୍କ ବିୟୋଗାନ୍ତକ ପ୍ରେମ କାହାଣୀକୁ ନେଇ ୧୯୨୮ ମସିହାରେ ଏକ ନିର୍ବାକ୍ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ତା'ପରେ ୧୯୩୨ରେ ଓ ୧୯୪୬ରେ ହିନ୍ଦୀ ଭାଷାରେ ସେଇ ଏକା ପ୍ରେମ କାହାଣୀକୁ ନେଇ ସିନେମା ତିଆରି କରାଯାଇଥିଲା । ସମାନ କାହାଣୀକୁ ନେଇ ଆଞ୍ଚଳିକ ପଞ୍ଜାବୀ ଓ ସିନ୍ଧ ଭାଷାରେ ମଧ୍ୟ ସିନେମା ତିଆରି କରାଯାଇଛି । ପାକିସ୍ତାନରେ ମଧ୍ୟ ସିନେମା ତିଆରି କରାଯାଇଛି । ବିଶିଷ୍ଟ ଗାୟକ ସ୍ଵର୍ଗତ ଉସ୍ତାଦ୍ ନୁସରତ୍ ଫତେ ଅଲ୍ଲୀ ଖାନ୍‌ଙ୍କ ପ୍ରସିଦ୍ଧ ଗୀତ 'ତୁମ୍ ଏକ ଗୋରଖ୍ ଧନ୍ଦା ହୋ' ଗୀତ ଅନେକ ଶୁଣି ଥିବେ । ଗୀତଟିରେ ଶଶିର ନାମ ଉଲ୍ଲେଖ ରହିଛି । ଗୀତଟି ୟୁଟ୍ୟୁବରେ ଅଛି । ଯଦି ଆଗରୁ ନଶୁଣିଥିବେ ତେବେ ସମୟ ମିଳିଲେ ନିଶ୍ଚୟ ଶୁଣନ୍ତୁ ।

Report an Error