
ମୁଁ ତୁମ ପାଖରେ ଅଛି
ଶବ୍ଦ ଭିତରେ ନିରବତା
ଅପେକ୍ଷାରେ ଠିଆହାେଇଥିବା ଭଳି
ମୁଁ ତୁମ ପାଖରେ ଅଛି ।
ବାଲି ବୋହି ରିକ୍ତ ହୋଇଥିବା ନଦୀଶଯ୍ୟା
ନିଜକୁ ପୁଣି ଯେମିତି ଖନନ କରେ
ଅଂତର୍ନିହିତ ଫଲ୍ଗୁ ପାଇଁ
କାକର ଭିଜା ନିରାଶ ସଂଧ୍ୟାରେ ସଭିଏଁ
ଆଉଥରେ ଫେରିଯିବା ପରେ ବି
ମୁଁ ତୁମ ପାଖରେ ଅଛି ।
ଏଇ ସୁଦୀର୍ଘ ବରଫ ନିଦ ଭାଂଗିବା ପରେ
ମୁଁ ହିଁ ପ୍ରଥମ କିରଣ ହେଇ ଛୁଇଁବି
ତୁମର ଗହୀର କୋମଳ ଆଖି
ତୁମେ କେବେ ବି ଜାଣି ପାରିବ ନାହିଁ
ମୁଁ ତୁମ ପାଖରେ ଅଛି ।
ପକ୍ଷୀମାନେ ଉଡ଼ିଯାଂତି ଚୌଦିଗ
ଆହାରର ଆଗ୍ରହରେ
ସ୍ନେହର ଆଳାପ ସବୁ ମିଶିଯାଏ ଅସ୍ତ କିରଣରେ
କେବେ ତ ଫେରିବ ବୋଲି
ହିମ କାକରକୁ ବକଳରେ ରୋକିଦେଇ
ହୃଦୟ ଭିତରେ ଅଗ୍ନି
ସାଇତି ଥିବା ଗଛ ପରି
ମୁଁ ତୁମ ପାଖରେ ଅଛି ।