
ତୁମେ ଓ ମୁଁ -
କିଏ ଆମେ ?
କେଉଁ ସ୍ଵପ୍ନାକାଶରୁ ଖସିପଡିଛୁ
ଆମେ ଦୁଇଟି ପକ୍ଷୀ
ଦୂର ପର୍ବତ ଉପରେ ଥିବା
ତାଳ ଗଛରେ ଅମ ଘର
କହତ କିଏ ଆମେ ?
କିଏ ମୁଁ ?
ମୁଁ ସେ ବାଟଭୁଲା ନଈ
ଯିଏ ସମୁଦ୍ର ଛାତିରେ ମିଶିବ ବୋଲି
ଧାଉଁଛି ଯେ ଧାଉଁଛି
ନା ମୁଁ ଅସତର୍କ ଫୁଲର ଏକ ଡାଳ
ଯିଏ ଚଇତାଳିର ଛୁଆଁରେ
ଶିହରି ଯାଉଛି ?
ଗହନ ନିଦରେ ବି ମୋତେ ଲାଗେ
ତୁମେ ସତେ ଯେମିତି
ମୋତେ କୋଳେଇ ଧରିଛ ପଛରୁ
ମୋ ଦେହ ଭିତରେ
ତମେ ଇ ମୋର ଦେହ
ନିଦରୁ ଉଠି ମୁଁ ତୁମକୁ ଖୋଜେ ।
ଏ ଆମର ଦେହ
ନା ନଈର ପ୍ରବାହ
ତମେ ଇ କହ !
କେତେ ରୂପରେ, କେତେ ନାମରେ
ଆମେ ଭେଟିଛେ ପରସ୍ପରକୁ
ମିଳନରେ ଯେତିକି
ବିରହରେ ତତୋଧିକ ଗଭୀର
ତମର ଆଲିଙ୍ଗନ ।
ତେବେ ଏତିକି ଜାଣେ ଯେ
ମୁଁ ସେଇ ନଈ ଯିଏ ବହମାନ
ସମୁଦ୍ର ଆଡକୁ
ତମ ଆଡକୁ
ତମେ ସୀମାହୀନ ବାହୁ ମେଲେଇ
ମୋତେ ଡାକୁଛ
ଆ' ଆ ବୋଲି ।
କାହାଣୀ ମାତ୍ର ସେତିକି
ସତ ନୁହେଁ କି ?