ମିଛ ଗପ

ଏ ଗପ ରକ୍ତ ଓ ମାଂସରେ ଜୀବନକୁ ନେଇ ଲେଖା ହୋଇଥିବା ଏକ ଗପ । ଏ ଗପ ବିଷୟରେ ଯେଉଁ ସଂଳାପ ଚାଲିଛି କବିତାରେ, ସେ ମିଛ କି ସତ ତାକୁ ବୁଝିବାକୁ ହେଲେ ଗୋଟେ ପୂରା ଜୀବନକୁ ବାଜି ଲଗାଇବାକୁ ହେବ ।


ସବୁକିଛିକୁ ମୁଁ ପୋଛି ଦେଲି ସେ କାଗଜରୁ ।
ଧୋଇଦେଲି ପୋଖରୀରେ ନଦୀରେ
ସମୁଦ୍ର ପାଣିରେ ତା'ପରେ ।

ମୋର ହାତ ପାପୁଲି ଲାଲ, ପାଣି ବି ଲାଲ ।
"ଅକ୍ଷର ସବୁ ରକ୍ତରେ ଲେଖାଥିଲା କି ?"
ମୁଁ ପଚାରିଲି ।
"ରକ୍ତର ତ ଚିରସ୍ଥାୟୀ ରଙ୍ଗ ନଥାଏ ।"
ସେ ମୋ କଥାକୁ କାଟି ଦେଲେ ସଂଗେ ସଂଗେ ।

"ମାଂସରେ ତିଆରି ଥିଲା କି ସେ କାଗଜ ?
ତମର ଦରକାର ଥିଲା କି ଫଟୋ କପି ?"

"ମାଂସର କି ଫଟୋ କପି,
ସେଥିରେ ଯାହା ଲେଖା ଥିଲା ସେଥିରେ
ସତ ନଥିଲା କିଛି ବି"

କିଛି ବି ସତ ନଥିଲା ?

ସେଦିନ କଣ ତେବେ ବର୍ଷା
ମିଛ କହିଥିଲା ମୟୂରକୁ ?
ମାଳିକୁ ମିଛ କହିଥିଲେ
ଫୁଲ କଢ଼ ସବୁ ?
ଗୀତ ସବୁ ମିଛ କହିଲେ ସି.ଡ଼ି ପ୍ଲେୟରକୁ ?
ତମର ହାତ କଣ ମିଛ କହିଥିଲେ
ମୋ ଦେହର ନିବେଦନକୁ ?

ଆମେ ଡାକି ଦେଲେ ଯେ
ବସାକୁ ଫେରୁଥିବା ପକ୍ଷୀମାନେ
ଅଟକି ଯାଇଥିଲେ ସେଦିନ,

ମନେ ଅଛି ତମର ?

ଦୋକାନରେ ଜିନିଷ କିଣୁଥିବାବେଳେ
ଶୋକେଶ୍ ର ମୂର୍ତ୍ତି
ଆମ ଆଡେ ହସି ଦେଇଥିଲା ନା ?
ଲଳିତତମ ଶବ୍ଦଟି ଉଙ୍କି ମାରିଥିଲା
ଆମ ଝରକାରେ ସେଦିନ,
ସୂର୍ଯ୍ୟ ବୁଡି ଯାଉଥିଲାବେଳେ,
ଆମେ ଚାଲିବାକୁ ଆରଂଭ କରିଥିଲେ ଯେ
ପ୍ରାୟ ପହଂଚି ଯାଇଥିଲେ
ନୀରବତାର ଏକ ଅଭୂତପୂର୍ବ ରାଜ୍ୟରେ ।
ସେତିକିବେଳେ ଆମର ଭବିଷ୍ୟତ
ପ୍ରତିଭାତ ହୋଇଗଲା ସେ କାଗଜଟି ଉପରେ ।

ମାଂସରେ ତିଆରି ଥିଲା ନା ସେ କାଗଜ,
ଅକ୍ଷରସବୁ ଲେଖାଥିଲା ରକ୍ତରେ ?

"ଯାହାବି ଲେଖାଥିଲା ସେଥିରେ
କିଛି ବି ସତ ନଥିଲା"
ସେ କହି ଚାଲିଲେ ବାର ବାର
"ଗୋଟିଏ ମିଛ ଗପ ଶେଷ ହୋଇଗଲା
ବିଶ୍ୱସ୍ତ ଭାବରେ,
ଏତିକି ହିଁ କେବଳ ସତ କଥା"
ସେ କହିଥିଲେ ।

Report an Error