ମରିନାଙ୍କ ମତ୍ସ୍ୟକନ୍ୟା

ମରିନା ଅନେକଦିନ ହେଲାଣି ସମୁଦ୍ର ଓ ସମୁଦ୍ର ତଟର ଅଳିଆ ଆବର୍ଜନାକୁ ସଂଗ୍ରହ କରି ନିଜ କଳାକର୍ମରେ ବ୍ୟବହାର କରୁଛନ୍ତି । ସେସବୁ ଅଳିଆରେ ସେ ଫ୍ୟାସନ୍ ପରିପାଟୀ, ସାଜସଜ୍ଜା ଜିନିଷ ଓ ଆହୁରି ଅନେକ କିଛି ତିଆରି କରି ଜନ ସଚେତନତା ସୃଷ୍ଟି କରାଉଛନ୍ତି ।


Title: The Ones That Got Away, Creator: Marina DeBris, Photographer: Nic Walker, Model: Laura Wells, HMU: Kerrie Jane Bailey, Client: TOMRA Australia

ମତ୍ସ୍ୟକନ୍ୟା ବିଷୟରେ ଆମେ ସମସ୍ତେ ଜାଣନ୍ତି । ଆଣ୍ଡରସନ୍‌ଙ୍କ ପରୀ କାହାଣୀର ‘ଦ ଲିଟିଲ୍ ମର୍‌ମେଡ୍’ ଗପ ଆପଣଙ୍କର ମନେଥିବ ହୁଏତ । କେହି କେହି ମତ ଦିଅନ୍ତି, ଗ୍ରୀକ୍ ପୁରାଣରେ ବର୍ଣ୍ଣିତ ମଣିଷ ମୁଣ୍ଡିଆ ଚଢ଼େଇ କ୍ରମେ ମଧ୍ୟଯୁଗୀୟ ୟୁରୋପରେ ମଣିଷ ମୁଣ୍ଡିଆ ମାଛ ହେଇଯାଇଥିଲା । ଆମ ଲୋକଗପ ଓ ପୁରାଣରେ ମଣିଷ ସହ ପଶୁ ଓ ପକ୍ଷୀଙ୍କ ଶରୀରର ଅଂଶ ମିଶି ଅନେକ ଚରିତ୍ର ରହିଛନ୍ତି । ଥାଇଲାଣ୍ଡର ଥାଇ ଭାଷାରେ ରଚିତ ରାମାୟଣରେ ଏକ କାହାଣୀ ରହିଛି । ସେତୁ ବନ୍ଧ ବାନ୍ଧିଲାବେଳେ ହନୁମାନ ଦେଖିଲେ ବାନରମାନେ ସମୁଦ୍ର ଭିତରେ ଯେତେ ପଥର ପକାଉଛନ୍ତି ସବୁଗୁଡ଼ା ଗାୟବ୍ ହେଇଯାଉଛି । ପାଣି ଭିତରକୁ ଯାଇ ହନୁମାନ ସନ୍ଧାନ କଲାପରେ ଜାଣିଲେ ସୁନେଲି ମତ୍ସ୍ୟକନ୍ୟାମାନେ ପାଣି ତଳେତଳେ ସେ ପଥରମାନଙ୍କୁ ଅନ୍ୟତ୍ର ନେଇଯାଉଛନ୍ତି । ସେ ସୁନେଲି ରଙ୍ଗର ମତ୍ସ୍ୟକନ୍ୟାମାନଙ୍କ ମୁଖିଆ ମତ୍ସ୍ୟକନ୍ୟା ହେଉଛି ରାବଣର ଝିଅ । ତାପରେ ହନୁମାନଙ୍କ ସହ ତା’ର ପ୍ରେମ ହେଇଛି ଓ ସେ ଆଉ ପଥର ଚୋରେଇନି ।

ତେବେ ତଳ ଅଧାକ ମାଛ ଓ ଉପର ଅଧାକ ରୂପସୀ ନାରୀ ରୂପର ମତ୍ସ୍ୟକନ୍ୟା ଯେତିକି ରହସ୍ୟମୟ ସେତିକି ଆକର୍ଷଣୀୟ ମଧ୍ୟ । ମତ୍ସ୍ୟକନ୍ୟାକୁ ନେଇ ପୃଥିବୀର ପ୍ରାୟ ସବୁ ଅଞ୍ଚଳରେ କାହିଁରେ କେତେ ଲୋକକଥା, ରୂପକଥା ଓ ଚମକପ୍ରଦ ଖବର । ଆଜିବି କେବେ କେମିତି ଖବର ବାହାରେ ଜଣେ ନାବିକ ଦେଖିଛନ୍ତି ଯେ, ନିକାଞ୍ଚନ କୋଉ ଦ୍ୱୀପର ସମୁଦ୍ରତଟରେ ଜହ୍ନ ରାତିରେ ମତ୍ସ୍ୟକନ୍ୟା କେତୋଟି ଚୁପ୍‌ଚାପ୍ ବସିରହିଛନ୍ତି । ପୁଣି ଖବର ମିଳେ କୋଉ ସମୁଦ୍ରତଟରୁ ମିଳିଛି ମତ୍ସ୍ୟକନ୍ୟାର ମର ଶରୀର । କୁହାଯାଏ, ଆମ ଗପରେ ବର୍ଣ୍ଣିତ ସୁନ୍ଦରୀ ମତ୍ସ୍ୟକନ୍ୟା ପ୍ରକୃତରେ ଦେଖିବାକୁ ବିକୃତ ଓ ବୀଭତ୍ସ । ମତ୍ସ୍ୟକନ୍ୟା ବିଷୟରେ ଲେଖିବସିଲେ ପୋଥିଏ କଥା ଅଛି । ସେ ବିଷୟରେ ପରେ କଥା ହେବା ।

ଏଇଠି ଗୋଟିଏ ମତ୍ସ୍ୟକନ୍ୟାର ଛବି ଦିଆଯାଇଛି । ଏଇଟି ଆଦୌ ଏକ ଅଙ୍କା ଯାଇଥିବା ଛବି ନୁହେଁ । ଏଇଟି ଏକ ଫଟୋଗ୍ରାଫ୍ ଓ ମତ୍ସ୍ୟକନ୍ୟା ରୂପରେ ପାଣି ପାଖ ପଥର ଉପରେ ଅଷ୍ଟ୍ରେଲୀୟ ଶିଳ୍ପୀ ମରିନା ଦେବ୍ରିସ୍‌ଶ୍‌ଙ୍କ ଡିଜାଇନର୍ ପୋଷାକ ପିନ୍ଧି ଅଳସ ମୁଦ୍ରାରେ ବସିଛନ୍ତି ବିଖ୍ୟାତ ସୁପର ମଡେଲ୍ ଲରା ୱେଲ୍ସ । ଏଇଟା ଗୋଟେ କି କାମ ବୋଲି କେହି କେହି ତେରେଛେଇ ଚାହିଁବି ପାରନ୍ତି । ପଚାରି ପାରନ୍ତି ଏଇଟା କଳା କେମିତି ହେଲା ? ନାମ ଓ ଯଶ ଅର୍ଜନ ପାଇଁ କଳା ନାମରେ କଳାକାରର ନିରୋଳା ପ୍ରହସନ ବୋଲି ବି କହିପାରନ୍ତି । କାରଣ ଅଙ୍କା ହେଇନଥିଲେ ତାକୁ କଳା ବୋଲି ଭାବିବାକୁ ଆମର ଅନେକ ନାରାଜ । କ୍ୟାନ୍‌ଭାସ୍ ଉପରେ ଆଙ୍କି ପକାଇବା କି ପଥର ଖଣ୍ଡେ ଖୋଳି ପକାଇବା ଅବା ମାଟିଗୋଡ଼ିରେ କିଛିବି ଗଢ଼ି ପକାଇବା ହିଁ କେବଳ କଳା, ଏମିତି ତ ନୁହେଁ । ସମସାମୟିକ କଳାକୁ ବୁଝିବାକୁ ହେଲେ ଅଧିକ ଟିକେ ଖୋଲା ରହିବାକୁ ହେବ । ଆଜିର ସମୟରେ ସମସାମୟିକ କଳାର ବ୍ୟାପକ ପରିସର ବିଷୟରେ ଜ୍ଞାତ ରହିବାକୁ ହେବ ।

ହଁ, ଏଠାରେ ଦିଆଯାଇଥିବା ମତ୍ସ୍ୟକନ୍ୟା କଥା କହୁଥିଲି ପରା । ଏଠି ମତ୍ସ୍ୟକନ୍ୟାର ରୂପ ଧାରଣା ଆମ ପୁରୁଣା ଧାରଣା ପାଖରୁ ଅଲଗା । ମତ୍ସ୍ୟକନ୍ୟା ହେଇ ବସିଥିବା ଲରା ୱେଲ୍ସଙ୍କ ଦେହରେ କିନ୍ତୁ ଚକ୍‌ଚକ୍ ରୂପେଲି ମାଛକାତି ନାହିଁ କି ଆକର୍ଷଣୀୟ ମାଛପର ବି ନାହିଁ । ସକାଳୁ ଚାଲିବା ସମୟରେ ସିଡ୍‌ନୀ ସମୁଦ୍ର ତଟରୁ ପ୍ରଥମେ ପୁଳେ ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ ମରିନା ଦେବ୍ରିସ୍‌ଶ୍‌ । ସେଇ ସାଉଁଟା ଜିନିଷରେ ମତ୍ସ୍ୟକନ୍ୟାର ପୋଷାକ ତିଆରି କରିଛନ୍ତି ସେ । କାତି ଯାଗାରେ ଅଛି ମୃଦୁ ପାନୀୟ ଟିଣର ଅଂଶ ବିଶେଷ, ଲାଞ୍ଜ ଭାବରେ ଖଞ୍ଜା ହେଇଛି କିଛି ପୁରୁଣା ପ୍ଲାଷ୍ଟିକ୍ ପାଣି ବୋତଲ ଓ ଆହୁରି ଅନେକ କିଛି, ଯାହା ଆମେମାନେ ଏକଦା ସମୁଦ୍ର ଭିତରକୁ ଫୋପାଡ଼ି ଦେଇଥିଲେ । ପୂରା ପୋଷାକ ପାଇଁ ମରିନା ଏଥିରେ ଷାଠିଏଟି ପାଣିପିଆ ପ୍ଲାଷ୍ଟିକ ବୋତଲ, ଶହେ ନବେଟି ଟିଣ ଡବା ଓ ନବେଟି ବୋତଲ ଠିପି ବ୍ୟବହାର କରିଥିଲେ । ମରିନାଙ୍କ ଏହି କାମ ପାଇଁ ୧୯୭୨ରେ ସ୍ଥାପିତ ତୋମରା ନାମକ ଅଷ୍ଟ୍ରେଲିଆର ଏକ ସଂସ୍ଥା ସହଯୋଗ କରିଥିଲେ । ବିଶ୍ୱ ରିସାଇକ୍ଲ ଡେ ଅବସରରେ ମରିନା ଏଇ କାମଟି ସିଡ୍‌ନୀ ସମୁଦ୍ର ତଟରେ କରିଥିଲେ । ତୋମରା ସଂସ୍ଥା ମୃଦୁ ପାନୀୟର ବ୍ୟବହୃତ ବୋତଲ ଓ ଟିଣ ଡବାକୁ ଲୋକଙ୍କ ପାଖରୁ ରିସାଇକ୍ଲ କରିବା ପାଇଁ ସଂଗ୍ରହ କରେ ।

ଏକଦା ସମୁଦ୍ର ମନ୍ଥନରୁ ଅମୃତ ମିଳିଥିଲା । ଆଜି କିନ୍ତୁ ସେ ସମୁଦ୍ର ସଭ୍ୟତା ଅଳିଆ ଆବର୍ଜନାରେ ଭରିଯାଇଛି । ଆମ ସଭ୍ୟତାର ଦ୍ୱାହିରେ ସବୁଠାରୁ ଅଧିକ କ୍ଷତି ସହୁଛି ଆମ ପରିବେଶ, ଆମ ପର୍ଯ୍ୟାବରଣ । ଏ ବିଷୟରେ କେବଳ ବୈଜ୍ଞାନିକ ଓ ପରିବେଶବିତ୍ ମାନେ ଚିନ୍ତା କରୁନାହାଁନ୍ତି, ଅନ୍ୟମାନେ ବି କରୁଛନ୍ତି । ଯିଏ ଯାହା ବାଟରେ ପ୍ରତିବାଦ କରୁଛନ୍ତି ଓ ଅନ୍ୟମାନଙ୍କୁ ସଚେତନ ବି କରଉଛନ୍ତି । ସେମାନଙ୍କ ଭିତରେ ହାତଗଣତି ଶିଳ୍ପୀ ମଧ୍ୟ ଅଛନ୍ତି । ସେ ମଧ୍ୟରୁ ଅଷ୍ଟ୍ରେଲିଆର ଶିଳ୍ପୀ ମରିନା ଅନ୍ୟତମ । ମରିନା ଅନେକ ବର୍ଷ ଧରି ଅସଂଖ୍ୟ ବେଳାଭୂମିକୁ ସଫା କରିଛନ୍ତି ଓ କରାଇଛନ୍ତି । ସେ ଦିନେ ଅନୁଭବ କଲେ ନିଜେ ଏମିତି ବେଳାଭୂମି ସଫା କରିବାରେ ବେଶି କିଛି ଫାଇଦା ନାହିଁ । ଲୋକମାନେ ସଚେତନ ନହେଲେ ଲାଭ ନାହିଁ । ଏଥିପାଇଁ ଲୋକଙ୍କ ମନ ଉପରେ ଲମ୍ବା ସମୟ ପାଇଁ ପ୍ରଭାବ ପଡୁଥିବା କିଛି ରାସ୍ତା ଖୋଜିବାକୁ ପଡିବ । ତାପରେ ସେ ଫ୍ୟାସନ୍ ଓ ଆଉକିଛି କଳାର ମାଧ୍ୟମକୁ ବ୍ୟବହାର କରିଛନ୍ତି । ତାଙ୍କ କାମ ମାଧ୍ୟମରେ ସେ ଆମକୁ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଳାଷ୍ଟିକ ବର୍ଜ୍ଯବସ୍ତୁର କମ୍ ବ୍ୟବହାର ଓ ଆମ ଚାରିପାଖର ପର୍ଯ୍ୟାବରଣକୁ ନେଇ ଆମ ଦାୟିତ୍ୱ ସମ୍ପର୍କରେ ବାର ବାର ପ୍ରଶ୍ନ ପଚାରୁଛନ୍ତି ।

ମରିନା ଅନେକଦିନ ହେଲାଣି ସମୁଦ୍ର ଓ ସମୁଦ୍ର ତଟର ଅଳିଆ ଆବର୍ଜନାକୁ ସଂଗ୍ରହ କରି ନିଜ କଳାକର୍ମରେ ବ୍ୟବହାର କରୁଛନ୍ତି । ସେସବୁ ଅଳିଆରେ ସେ ଫ୍ୟାସନ୍ ପରିପାଟୀ, ସାଜସଜ୍ଜା ଜିନିଷ ଓ ଆହୁରି ଅନେକ କିଛି ତିଆରି କରି ଜନ ସଚେତନତା ସୃଷ୍ଟି କରାଉଛନ୍ତି । ପରିବେଶର ରକ୍ଷଣା ବେକ୍ଷଣା ନେଇ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସକାଶେ ପାଣ୍ଠି ବି ଯୋଗାଡ଼ କରୁଛନ୍ତି । ଫ୍ୟାସନ୍ ଓ ଟ୍ରାସ୍‌କୁ ଯୋଡି ‘ଟ୍ରାସନ୍’ ନାମରେ ଏକ ନୂଆ ଶବ୍ଦ ତିଆରି ହେଇଛି । ଟ୍ରାସ୍‌କୁ ଫ୍ୟାସନ୍‌ରେ ବ୍ୟବହାର କରୁଥିବାରୁ ମରିନା ସମସାମୟିକ କଳାରେ ଜଣେ ପ୍ରମୁଖ ଟ୍ରାସନ୍ ଶିଳ୍ପୀ ଭାବରେ ବେଶ୍ ପରିଚିତ । ନିଜର ଇନ୍‌ଷ୍ଟାଗ୍ରାମ୍ ପ୍ରୋଫାଇଲ୍‌ରେ ସେ ନିଜକୁ ‘ଆର୍ଟିଭିଷ୍ଟ’ ଭାବରେ ପରିଚୟ ଦେଇଛନ୍ତି । ମାନେ ଆର୍ଟ - ଆକ୍ଟିଭିଷ୍ଟ । କଳା ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ନୁହେଁ ତାହା କୋଉ ଧନୀକ ରସିକର କାନ୍ଥରେ କି କୋଉ ଗ୍ୟାଲେରୀ ଅବା ମ୍ୟୁଜିୟମରେ ଶୋଭା ପାଇବ । ସେ କଳାକୃତିକୁ ନେଇ କେବଳ ଚିନ୍ତକ ବୁଦ୍ଧିଜୀବୀ ଓ କଳାସମାଲୋଚକମାନେ କିଛି ଗୋଟେ ଗୂଢ଼ ତତ୍ତ୍ୱର ଅନୁସନ୍ଧାନ କରିବେ ଓ ବିଚାର କରିବେ । କିଛି କଳାକାର ବିଶ୍ୱାସ କରନ୍ତି, ସେମାନେ ତାଙ୍କ କଳାକର୍ମକୁ ପ୍ରତିବାଦ ଭାବରେ ଓ ସାଧାରଣ ମଣିଷକୁ ଯେକୌଣସି ଏକ ବିଶେଷ ବିଷୟରେ ସଚେତନ କରିବା ପାଇଁ ବ୍ୟବହାର କରିବେ । ଠିକଣା ସମୟରେ ଜନପକ୍ଷରେ ଠିଆହେବେ ।

ମରିନା ଇଣ୍ଟିଆନା ୟୁନିଭର୍‌ସିଟିରେ ପାଠ ପଢ଼ିଛନ୍ତି । ପରେ ଏକ ଡିଜାଇନ୍ ସ୍କୁଲରୁ ଡିଗ୍ରୀ ମଧ୍ୟ ନେଇଛନ୍ତି ।