ଗାଁ ପାରି ହେଲେ ବୋଉ..

ଆଜି ବି ମୁଁ ଫେରିଲାବେଳକୁ ଦେଈ ମୋ ପକେଟ୍‌ରେ ଗୁଂଜି ଦିଏ କିଛି ଟଙ୍କା । ତା’ମନ ଭାଙ୍ଗି ଯିବ ବୋଲି କିଛି କୁହେନି କି ସେ ଟଙ୍କା ମୁଁ ଖର୍ଚ୍ଚ କରେନି । ମୋ ବୋଉ ଭଳି ସେଇମିତି ଦୁଆର ବନ୍ଧ ପାଖରୁ ଚାହିଁଥିବ ସେ, ମୋ ଯିବା ବାଟକୁ ।


ଗାଁ ପାରି ହେଲେ ବୋଉ ନାଁ ମୋର ଲୁଚିବ,
ଏରୁଣ୍ଡି ବନ୍ଧ ଡେଇଁଲେ ତୋ ମୁହଁକି ଦିଶିବ ।
ପିଲାଦିନ - ଫୁଲ ଖୋସା - ଲମ୍ବଲାଜି - କଜଳ
ମନେ ପଡ଼ିବ ବୋଉଲୋ - ମୋ ସହୀ ସାଙ୍ଗ ମେଳ,
ଉଛୁରଗାଧୁଆ - ଦିନେ, ଶୁଖେ ନାହିଁ ମଥା ଲୋ,
ବେଣୀ ବାନ୍ଧି ଦେଇ ବୋଉ କହୁ କେତେ କଥା ଲୋ;
ମୋ - ବୋଇତ ହାତୀ ଦ୍ୱୀପ ସେପାରିରେ ଲାଗିବ,
ଦିନ ପରେ ମାସ ଯିବ, ବାତିନି ନଫେରିବ ।

ବର୍ଷା ଦିନ ଦ୍ୱିପହର । ମୋ ଦେଈ ସମେତ ଆମ ଗାଁର ବିବାହଯୋଗ୍ୟା ଝିଅମାନେ ଅଭ୍ୟାସ କରନ୍ତି କାନ୍ଦଣା । ମୋ ମାଟିର ପ୍ରଣମ୍ୟ କବି କେଶବ କବି କୃଷ୍ଣପ୍ରସାଦ ବେହେରାଙ୍କ ଏ କାନ୍ଦଣା ଗୀତ ବା କବିତା ଆଦ୍ୟ ଆଷାଢ଼ର ପହିଲି ମେଘ ପରି ଓଦା କରିଯାଏ ବିବାହଯୋଗ୍ୟା ତରୁଣୀର ମନ - ପ୍ରାଣ - ଆତ୍ମାକୁ । ମୋର ସେତେବେଳେ ପଞ୍ଚମ କ୍ଲାସ । ଏ କବିତାର ସାରମର୍ମ ବୁଝିବା ମୋ ବୋଧଶକ୍ତିର ବାହାରେ । ଖାଲି ଏତିକି ଜାଣିଥିଲି ଦେଈ ମୋର ବାହା ହେଇ ଚାଲିଯିବ କେଉଁ ଗୋଟେ ଦୂର ଗାଁକୁ । ତେଜି ଦେଇ ଆମ ଗାଁର ମାଟି - ପାଣି - ପବନର ମୋହ । ତେଜି ଦେଇ ବୋଉର ଗାଳି - ସ୍ନେହ ଓ ଆକଟ । ପିଲାଟି ଦିନରୁ ମୋତେ କୋଳେଇ କାଖେଇ ମଣିଷ କରିଥିବା ମୋ ଦେଈ ପରଘରୀ ହେଇଯିବ । ସେ ଜନ୍ମ ହେଇଥିବା ଏଇ ଗାଁକୁ ଆସିବ କେବେକେବେ, ବନ୍ଧୁ - ବାନ୍ଧବଙ୍କ ପରି ।

ଏ ଗୀତ ଶୁଣିଲେ ମୁଁ ଭେଁ ଭେଁ ହେଇକି କାନ୍ଦେ । ଦେଈ ବୁଝାଏ ମୁଁ ତୋତେ ଛାଡ଼ି କୁଆଡ଼େ ଯିବିନିରେ ଧନ, ତୁ କାନ୍ଦେନା । ଗାଁର ଅନ୍ୟ ଦେଈମାନେ କହନ୍ତି ମାଇଚିଆଟା କିରେ ? ଝିଅପିଲାଙ୍କ ଭଳି କେତେ କାନ୍ଦୁଛୁ ? ତୁ ଯାଉନୁ ସେଆଡ଼େ ଖେଳିବୁ ? ମୁଁ ସେମାନଙ୍କର ଅନେକ କଥା ବୁଝିପାରେନା । ଏବେ ଏବେ କାନ୍ଦୁଥିବା ଦେଈମାନେ ହସୁଛନ୍ତି କେମିତି ? ଥଟ୍ଟା - ପରିହାସ କରୁଛନ୍ତି କେମିତି ? ମୋର ମନେପଡ଼େ ଦେଈକଥା । ଖପରା ଡିଆଁ ଖେଳ ଖେଳୁଥିଲାବେଳେ ବି ମୋତେ ସେ କାଖେଇ ଥାଏ । କ’ଣ ଟିକେ ଭଲମନ୍ଦ ଜିନିଷ ଖାଇଲେ ଅଧାଖାଇ ଅଣ୍ଟିରେ ପୂରେଇ ରଖିଥାଏ ଯିଏ ପଚାରିଲେ କହେ - ‘ଆମ ପୁଅ ଆସିଲେ ଖାଇବ ।’ ଟିକେ ଟିକେ କଥାରେ ମୋତେ ମାରେ, ଝଗଡ଼ା କରେ, ଗାଳି ଦିଏ ଓ ପ୍ରଚୁର ଭଲପାଏ । ମୁଁ ବି ତା’ଚୁଟି ଟାଣେ, ବାଡ଼ିରେ ବାଡ଼ାଏ, ତାକୁ ଗାଳି କରେ । ହେଲେ ଦେଈ କୁଆଡ଼େ ଗଲେ ତା’ ଅନୁପସ୍ଥିତିକୁ ସହ୍ୟ କରିପାରେନା । ଦେଈ କହେ - କେତେ ଖେଳୁଛୁରେ ଅଳପେଇସା । ମୁଣ୍ଡ ଚୁଟି ଅଠା ଅଠା ହେଲାଣି ଆଃ ସାବୁନ୍ ଲଗେଇ ଦେବି । ମୁଁ ଶୁଣେନି ଆଖି ପୋଡ଼ିବ କହି ପଳାଏ । ସେ ଗୋଡ଼େଇ ଗୋଡ଼େଇ ମୋତେ ଧରେ । ମାଡ଼ି ବସି ମୁଣ୍ଡରେ ସାବୁନ୍ ଲଗେଇ ଦିଏ । ମୁଁ ଦୁମ୍‌ଦାମ୍ ବିଧା /ଚାପୁଡ଼ା ଲଗାଏ ତା’ ମଝିପିଠିରେ । ସେ କିଛି ଶୁଣେନି । ମୁଁ ଯେତେ ବିରକ୍ତି ହେଲେ ବି ସେ ମୋ ମୁଣ୍ଡରେ ନଡ଼ିଆ ତେଲ ମାଖେ । ହଳଦୀ ଲଗେଇ ମଳି ସବୁ ଛଡ଼ାଏ । ଖରାଦିନେ ମଟର, ଆଇସ୍କ୍ରିମ୍ କିଣି ଦିଏ । ସେଇ ଦେଈ ପୁଣି ମୋତେ ଛାଡ଼ି, ଆମ ଗାଁକୁ ଛାଡ଼ି, ମୋ ବାପା, ବୋଉ, ଭାଇ ସାଇ ପଡ଼ିଶା, ସମସ୍ତଙ୍କୁ ଛାଡ଼ି ତା’ ଶାଶୁଘରକୁ ପଳେଇବ । ମୋ କଅଁଳ ଶିଶୁମନ ବିଦ୍ରୋହ କରିଉଠେ । ମୁଁ କହେ ମୋ ଦେଈ ବାହା ହେବନି, ମୁଁ ତାକୁ ଛାଡ଼ିବିନି ।

ମୋ କଥା କେହି ଶୁଣିଲେନି । ଦେଈ ମୋର ସତକୁ ସତ ବାହା ହେଇ ସବାରୀରେ ବସି ଚାଲିଗଲା । ଗଲାବେଳେ ସେ ଶିଖୁଥିବା କାନ୍ଦଣା ସତ ପାଲଟିଗଲା । ସେଦିନ କିନ୍ତୁ ଦେଈ ଏ କାନ୍ଦଣା ଗୀତକୁ ମନେରଖି ଗାଉନଥିଲା । ସତରେ ଗାଉଥିଲା । ଟକ୍ ଟାକ୍ ହେଇ ଛିଡ଼ି ଯାଉଥିଲା ମୋ ବୋଉ, ବାପା, ଭାଇ, ସାଇ - ପଡ଼ିଶା ସମସ୍ତଙ୍କ ହୃଦୟ ବୀଣାର ତାର । ମୋତେ କୁଣ୍ଢାଇ ଧରିଥିଲେ ମୋ ଦାଦା । ଦେଈକୁ ଅଟକାଇବାର ପ୍ରୟାସ ମୋର ବ୍ୟର୍ଥ ହେଉଥାଏ । ସବାରୀ ଭିତରୁ ଦେଈ ଠାରୁଥାଏ ଦାଦାଙ୍କୁ । ଆଣ ମୋ ଧନକୁ ମୋ ପାଖକୁ ଥରେ । ତାକୁ ଟିକେ ଶେଷ ଆଲିଙ୍ଗନ ଦିଏ । ନିଷ୍ଠୁର ସବାରୀବାଲା ଶୁଣିଲେନି ତା ଶେଷ ଅନୁରୋଧ । ଘନଘନ ମୂର୍ଚ୍ଛା ଯାଉଥାଏ ଦେଇ । ଗୋଟେ କରୁଣ ରାଗର ଧୂନ୍‌ରେ ସି୍ଥର ସ୍ଥବିର ହେଇଯାଇଥିଲା ଆମ ଗାଁ ଦାଣ୍ଡ । ଚଉଠି ଦିନ ଯାଇଥିଲି ଦେଈର ଶାଶୁ ଘରକୁ । ଆଠ ଦିନ ରହିଲି । ମୋ ଦେଈ ସେଠି ଭଲରେ ରହିବ ବୋଲି ମୋର ବିଶ୍ୱାସ ହେଲାରୁ ମୋ ମନଟିକେ ଶାନ୍ତ ହେଲା । ତଥାପି ଦେଈର ବାହାଘରରେ ମୁଁ ସନ୍ତୁଷ୍ଟ ନଥିଲି । ଦେଈ ଅନେକ କଥା ମନରେ ମାରୁଥିଲା, ମୁଁ ଜାଣିପାରୁଥିଲି । ପୁଣିଥରେ ତା’ କାନ୍ଦଣା ସତ ହେଉଥିବା ପରି ଲାଗିଲା । ଯାହାକୁ ସେ ଆଉ ଗାଉନଥିଲା, ହେଲେ ମୋତେ ଶୁଭୁଥିଲା ।

ସାତ ପତରିଆ - ଜହ୍ନି, ସୋରିଷର ରାଇତା,
କାଠିମରା - ଲୁଣ ଭାତ ମୋ ଲାଗିତ ସାଇତା,
ଟଭା ରସ - ମଲ୍ଲୀ ବାସ - ବସାଦହି - ପଖାଳ,
ମଙ୍ଗଳଘଟ ଉଠିଲେ, ଘଟ ମୋର ଉଠିବ,
ଅଷାଢୁଆ - ସୂତା ଫିଟି, ପାଣିରେ ତ ପଡ଼ିବ,
ଗାଁ ପାରି ହେଲେ ବୋଉ....।।

କାନ୍ଦଣା ଛଳରେ ବୋଉ ପ୍ରତି ତା’ର ଅଭିମାନ ଆଜି ବି ମୋ ଛାତିର ସ୍ପନ୍ଦନକୁ ଦ୍ରୁତ କରିଦିଏ । ଏଇଠୁ ଅନୁମାନ କରନ୍ତୁ ସେଦିନ ମୋ ବୋଉର ଅବସ୍ଥା କ’ଣ ହେଇଥିବ । ବାପା ତାକୁ ଶ୍ରଦ୍ଧାରେ ଡାକନ୍ତି ‘ବୁଢ଼ୀ’ । ଚାରି ଭାଇରେ ଗୋଟେ ଭଉଣୀ । ବାପାଙ୍କ ପ୍ରାଣର ସ୍ପନ୍ଦନ । ବାପାଙ୍କର ଅତି ଗେହ୍ଲୀ ଝିଅ ମୋ ଦେଈ ଘରୁ ବିଦାୟ ନେବାବେଳେ ମୋ ବାପା ଆହୁରି ଗମ୍ଭୀର ହେଇଗଲେ । ସାରା ଜୀବନ ତାଙ୍କର ସେ ଗମ୍ଭୀରତା ଆଉ କଟିଲାନି । ବାର ଓଷା ତେର ପୁନେଇରେ ବାପା ଅସ୍ଥିର ହେଇ ଉଠନ୍ତି । ଝିଅ ଘରକୁ କେହି ଜଣେ ଗଲାପରେ ସେ ଆଶ୍ୱସ୍ତ ହୁଅନ୍ତି । ବୋଉ ଫେରନ୍ତି ବାତିନିକୁ ଚାହିଁ ରହିଥାଏ ଦୁଆରବନ୍ଧ ଆରପାଖରେ । ଦେଈର ଭଲମନ୍ଦ ଖବର ଶୁଣିଲା ପରେ ପାଟିକୁ ତା’ର ପାଣି ରୁଚେ । ଦାଦାଙ୍କ ନଡ଼ିଆ ଛଡ଼ାଇବା, ତାଳ ପାରିବା ଓ କୋଳି ତୋଳିବାଠୁ କଦଳୀ ପଚେଇବାର ବ୍ୟସ୍ତତାରୁ ଜଣାପଡ଼େ ସେ ବି ଦେଈକୁ କେତେ ଭଲପାଆନ୍ତି । ବୁଢ଼ୀ ଘରକୁ କ’ଣ କ’ଣ ଯିବ ସେ ନେଇ ଆମ ଚାରିଭାଇଙ୍କୁ ବାରମ୍ବାର ଚେତାବନୀ ଦିଆଯାଏ ପରିବାରର ମୁଖିଆ ଲୋକଙ୍କ ପକ୍ଷରୁ ।

ବୟସର ଖରାରେ ମଉଳି ଆସୁଥିବା ଆମ ଭାଇ - ଭଉଣୀଙ୍କ ସମ୍ପର୍କ ଆଜି ଆଉ ସିନା ଏତେ ପ୍ରାଣବନ୍ତ କି ଛଳଛଳ ହେଇ ରହିନାହିଁ । କିନ୍ତୁ ଯେବେ ବି ମୁଁ ଦେଈଘରକୁ ଯାଏ ତା’ଦେହରେ ଶତସିଂହର ବଳ ଫେରେ । ପେଟ ଖରାପ ହେବା ଯାଏଁ ଖୁଆଏ । ସେ ବୁଝେନି ମୁଁ ଆଉ ପିଲା ହେଇ ରହିନି । ମୋର ବି ଗ୍ୟାସ ପେଟ । ମୋର ବି ବ୍ଲଡ଼୍ ପ୍ରେସର ହାଇ । ମୁଁ ବି ତା’ ପରି ପେଟରୋଗୀ । ଏକା ଜିନ୍‌ । ତେଣୁ ଏଇ ପେଟରୋଗ ଆମ ପରିବାରର ଏକ ସାଧାରଣ ରୋଗ । ବାପାଙ୍କର ଥିଲା, ମୋର ଅଛି ଆଉ ଦେଈର ବି ଅଛି । ସେ କିଛି ବୁଝିବାକୁ ନାରାଜ ।

ଆଜି ବି ମୁଁ ଫେରିଲାବେଳକୁ ଦେଈ ମୋ ପକେଟ୍‌ରେ ଗୁଂଜି ଦିଏ କିଛି ଟଙ୍କା । ତା’ମନ ଭାଙ୍ଗି ଯିବ ବୋଲି କିଛି କୁହେନି କି ସେ ଟଙ୍କା ମୁଁ ଖର୍ଚ୍ଚ କରେନି । ମୋ ବୋଉ ଭଳି ସେଇମିତି ଦୁଆର ବନ୍ଧ ପାଖରୁ ଚାହିଁଥିବ ସେ, ମୋ ଯିବା ବାଟକୁ । କାନ୍ଦଣା ଗୀତ ସିନା ବୋଲିପାରୁନଥିବ ଲୋକଲଜ୍ଜ୍ୟା ଭୟରେ, ନ ବୋଲୁ ! ମୋତେ କିନ୍ତୁ ଶୁଭେ ସେ ଗୀତର ସ୍ୱର । କାର୍‌କୁ ଫାଙ୍କା ଜାଗାରେ ରଖି ଦେଇ ମୁଁ କାନ୍ଦେ ବଡ଼ ପାଟି କରି । ରୁନ୍ଧି ହେଇ ରହିଥିବା ଲୁହ ଓ କୋହ ବାହାରିଗଲା ପରେ ଭାରି ହାଲକା ଲାଗେ ଦେହ । ହସ ପରି କାନ୍ଦ ବି ଭାରୀ ମନକୁ ହାଲକା କରିବାର ଏକ ପ୍ରାକୃତିକ କଳା । ଏ କଥାକୁ ମର୍ମେମର୍ମେ ବୁଝନ୍ତି ମୋ ମାଟିର ପ୍ରଣମ୍ୟ କବି କେଶବ କବି କୃଷ୍ଣପ୍ରସାଦ ବେହେରା । ତାଙ୍କୁ ମୋର ଓ ମୋ ଦେଈ ପକ୍ଷରୁ ଭୂମିଷ୍ଠ ପ୍ରଣାମ ଓ ସମ୍ମାନ ।

Report an Error