ମୁଁ ଓ ମୋ ବାପୁ

ଏମିତିରେ କେତେବେଳେ ସ୍କୁଲ ଛାଡି କଲେଜରେ ପଲିଟିକାଲ ସାଇନ୍ସ ଅନର୍ସ ନେଇ ପାଠ ପଢିଲିଣି । କିନ୍ତୁ ଏମିତି କୌଣସି ଶ୍ରେଣୀ ଦେଇ ଆସିଛି ଯୋଉଠି ଗାନ୍ଧିଜୀ ନାହାନ୍ତି, ସେଇଟା ହେଇ ପାରିଲା ନାହିଁ । ମୋ ସାଥିରେ ମୋ ଭିତର ଗାନ୍ଧିଜୀ ବି ବଡ ହେଉଥିଲେ ।


ଗୋଟିଏ ଅତି ସାଧାରଣ ମଧ୍ୟବିତ୍ତ ପରିବାରରେ ବଢିବାର ଅର୍ଥ ହେଲା, ଗୁଡେ ସଂସ୍କାର ଓ ନୈତିକ ଶିକ୍ଷା ନେଇ ବଢିବା । ସେ, ଦେଶାତ୍ମବୋଧକ ସଂସ୍କାର ହେଉ ବା ସତ କହିବା ହେଉ ବା ଚରିତ୍ର ଗଠନ ହେଉ । ଅନେକ ଉଦାହରଣ, ଉପଦେଶ ଶୁଣିଶୁଣି ବଡ ହେଉହେଉ ଅନୁଭବ କରିବେ ଯେ, ଆପଣଙ୍କ ଚାରିପଟେ, ଲକ୍ଷ୍ମଣ ରେଖାମାନଙ୍କ ଅନେକ ବଳୟ ଗଢା ହୋଇଯାଇଛି । ସେ ଲକ୍ଷ୍ମଣରେଖା ମଧ୍ୟରୁ କିଛି କେତେବେଳେ ଯେ ଆପଣଙ୍କ ନିଜର ଶରୀର ଭଳି ଏକ ଅବିଚ୍ଛିନ୍ନ ଅଙ୍ଗ ହୋଇଯାଏ ତାହା ପୁଣି ଜୀବନ ବ୍ୟାପୀ ସାଥିରେ ଚାଲୁଥାଏ । ଅହରହ ସେ ଚାଲୁଥାଏ । ମନହୁଏ ତାକୁ ବାହାର କରି ଫୋପାଡି ଦେବାକୁ । କିନ୍ତୁ ହୁଏନି । ସତେ ବା ଚମଡା ଚିରି କେହି ଭିତରେ ଭର୍ତ୍ତି କରିଦେଇଚି ।

ସବୁଠି ଉଦାହରଣ ସେଇ "ବାପୁ" ।

ଏତେ ସତ କହିବା କିଛି ଦରକାର ଥିଲା ?

ଚୋରି କଲେ ତ କଲେ, ନିଜ ବାପାଙ୍କ ପକେଟରୁ ହିଁ କଲେ ନା ?

'କାମ ନ କଲେ ଖାଇବା ବନ୍ଦ ।'

କେତେ କାମ କରିବ ମଣିଷ ?

'ନିଜ କାମ ନିଜେ କର ।'

ତା' ହେଲେ ଆଉ କିଛି କାହାପାଇଁ କେବେ କରିବ ?

ଗୋଟିଏ ଧୋତି ଓ ଗାମୁଛାରେ ସାରା ପୃଥିବୀ ବୁଲିପାରୁଥିବା ମଣିଷ ଜଣେ କେମିତି ଅଧିକ କିଛି ପିନ୍ଧିବା ପାଇଁ ଇଚ୍ଛା କରିବନି ?

ସରକାରୀ ସ୍କୁଲରେ ଯଦି ପଢିଛନ୍ତି, ଦରବୁଢୀ ଦିଦିଙ୍କ ଘାଗଡା ସ୍ବରରେ ପ୍ରତ୍ୟେକ ଦିନର ସ୍କୁଲ ଆରମ୍ଭ ବେଳର ପ୍ରାର୍ଥନା, 'ସତ କହିବାକୁ କିମ୍ପା ଡରିବି, ସତ କହି ପଛେ ମଲେ ମରିବି।' ଆପଣଙ୍କ ମନରେ କଣ୍ଟା ହୋଇ ଜୀବନ ସାରା ଫୋଡି ହଉଥିବ ।

ସ୍କୁଲରୁ ଫେରି ଖେଳିବାକୁ ଯାଇଥିବ କି ସନ୍ଧ୍ୟା ହେଇଯିବ ।

ଜେଜିମା'ର ଘଣ୍ଟି ଟାଣିକି ଆଣିବ ଘରକୁ ।

'ଆରେ ଗାନ୍ଧିଜୀ ସବୁଦିନ ପ୍ରାର୍ଥନା କରୁଥିଲେ ।'

ଆଃ! ପୁଣି ସେଇ ଗାନ୍ଧିଜୀ ।

ଟିକେ ଖେଳିଥାନ୍ତି । ଭିତରେ ସନ୍ତୁଳି ହେଇ 'ରଘୁପତି ରାଘବ.....ସବ କୋ ସନମତି ଦେ ଭଗବାନ ।' ରଡି ଛାଡି ଗାଇବାକୁ ପଡେ । କାରଣ ଭିତର ଫ୍ରଷ୍ଟ୍ରେସନ୍ ରେ ଗାଇ ହୁଏନି ।

ସବକୋ ସନମତି ମିଳିବ କି ନ ମିଳିବ ସେମାନେ ଜାଣିବେ ।

ମୁଁ ଖେଳ ବନ୍ଦ କରି ଆସି ସବକୋ ସନମତି କାହଁକି ଗାଇବି ?

ଏମିତିରେ କେତେବେଳେ ସ୍କୁଲ ଛାଡି କଲେଜରେ ପଲିଟିକାଲ ସାଇନ୍ସ ଅନର୍ସ ନେଇ ପାଠ ପଢିଲିଣି । କିନ୍ତୁ ଏମିତି କୌଣସି ଶ୍ରେଣୀ ଦେଇ ଆସିଛି ଯୋଉଠି ଗାନ୍ଧିଜୀ ନାହାନ୍ତି, ସେଇଟା ହେଇ ପାରିଲା ନାହିଁ । ମୋ ସାଥିରେ ମୋ ଭିତର ଗାନ୍ଧିଜୀ ବି ବଡ ହେଉଥିଲେ ।

ଅନେକ ଥିଓରି ଭିତରେ ପୁଣି ପଢିଲି ଗାନ୍ଧିସ୍ ଏଜୁକେସନାଲ ଥିଓରି, ପଲିଟିକାଲ ଥିଓରି । ହିଷ୍ଟ୍ରି, ସୋସିଓଲୋଜି, ପଲିଟିକାଲ ସାଇନ୍ସ ସବୁଠି ଓ ଚକାମାଡ଼ି ବସିଛନ୍ତି, ତାଙ୍କୁ ଆଡେଇ ଯିବ କୁଆଡେ । ତେବେ ଅଧିକା ଜାଣିବା ପରେ ଗାନ୍ଧିଜୀଙ୍କ ଉପରେ ଅଭିମାନ ଆସେ ଯେ, ସେ କାହଁକି ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ନ ହେଲେ ?

ଭାରତ ପାଇଁ ଏତେ ସ୍ବପ୍ନ କିନ୍ତୁ ନିଜ ପାଇଁ ? ଏତେ ନିଃସ୍ବାର୍ଥପର ମଣିଷ ସତରେ କ'ଣ ମଣିଷ ? ନା ଦେବତା ?

ନା' ଯେତେ ଅନୁପ୍ରାଣିତ ହେଲେ ବି' ସେମିତି ହେଇ ଆସିଲା ନାହିଁ । ହଁ ମୋ ଭିତରର ଗାନ୍ଧିଜୀ ତଥାପି ଜୀବିତ ଥିଲେ ଓ ବଢୁଥିଲେ । କ'ଣ କାରଣ ହେଇପାରେ ଏମିତି ଜଣେ ଦେଶପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ପରେ ବି ନାଥୁରାମ ଗଡସେ ତାଙ୍କୁ ଗୁଳି କରିଥିଲେ ?

ଆଜି ଗାନ୍ଧିଜୀଙ୍କୁ ନେଇ ଅନେକ ଗୁଜବ । ସାମାନ୍ୟ ସ୍ବାର୍ଥ ପାଇଁ ହିଂସାରେ ମାତିଥିବା ଲୋକମାନେ ଅହିଂସାର ଭାଷା ବୁଝିବେ ବା କେମିତି ? କେହି ଯଦି ଏତେ ଭଲ ହବ, ମଣିଷ ହେଇ ସନ୍ଥ ଭଳି ନିର୍ବିକାର ଭାବରେ ସମାଜର ଭଲ ପାଇଁ ନିଜକୁ ଉତ୍ସର୍ଗ କରି ଚାଲିବ, ତାଙ୍କୁ ଚିହ୍ନିବା, ବୁଝିବା ସାଧାରଣ ମଣିଷ ପାଇଁ ସମ୍ଭବ ହେବ ବା କେମିତି ?

ମୋ ଭିତରର ଗାନ୍ଧିଜୀଙ୍କୁ ତେଣୁ ମୁଁ ପିଲାଙ୍କ ପାଖେ ଦେଖାଏ । କାରଣ ପିଲାଙ୍କ ସ୍ବାର୍ଥ ନଥାଏ । ଭଲ ମନ୍ଦ ସେମାନେ ଯୁକ୍ତି କରି ନୁହଁ ବରଂ ନିଃସ୍ବାର୍ଥପର ମନରେ ମାନିନେଇ ପାରନ୍ତି ।

Report an Error