ମଣିଷ କେବେ ପଶୁ ଭଳି ହେଇପାରେ ?

ଗୁଲୁଗାଲିଆ କୁକୁର, ଏଇ ବାହାର ବୁଲା କୁକୁରଟିଏ ସମସ୍ତଙ୍କ ପାଖରେ ପାଖରେ ହଉଥାଏ । କିଏ କଣ ପକେଇଲେ ଖାଇଦିଏ । କିନ୍ତୁ ଲୋକଙ୍କ ପାଖରେ ବୋଳିହେଇ ଗେଲ ହେବା, ସ୍ନେହ ଟିକିଏ ପାଇଁ ସେ ବାଇ ।


ସକାଳ ପାହିବାଠୁ କୁନା ଭାଇନା ପାନ ଦୋକାନ ପାଖେ, ଲୋକ ରୁଣ୍ଡ ହୋଇଯାଆନ୍ତି । କୁନା ଭାଇନା ଦୋକାନ ପାଖଟା ଚା' ଦୋକାନ । ଖାଲି କଣ ଚାହା ? କୋଲ୍ଡ ଡ୍ରିଙ୍କ୍ସ୍, ପୁଣି ପେକ୍ଡ ଡ୍ରିଙ୍କ୍ସ କେତେ ପ୍ରକାର, ବିସ୍କୁଟ ବିଭିନ୍ନ ପ୍ରକାର । ସାମ୍ନାରେ ଦି'ଟି ପାଠପଢୁଆ ପିଲା କେତେରକମ ପାଣି ବିକିବା ଆରମ୍ଭ କରିଛନ୍ତି । ତ୍ରିଫଳା ପାଣି, ନିମ ପାଣି, ଡାଇବେଟିସ୍ ପାଣି, ଏମିତି ଗୁଡେ । କିଛି ସ୍ବାସ୍ଥ୍ୟ ପାଇଁ ସଚେତନ ଥିବା ଲୋକ ସେଠି ରୁଣ୍ଡ । କହିବା ବାହୁଲ୍ୟ ସକାଳୁ ଏହି ସବୁ ଖାଇବା, ପିଇବା ବାହାନାରେ ଲୋକ ଆସନ୍ତି । କିନ୍ତୁ ଗପିବା, ଖଟି କରିବା ଯାହାକୁ କହନ୍ତି, ସେଇୟା ହେଲା ମୁଖ୍ଯ କାରଣ ।

ଗୁଲୁଗାଲିଆ କୁକୁର, ଏଇ ବାହାର ବୁଲା କୁକୁରଟିଏ ସମସ୍ତଙ୍କ ପାଖରେ ନସରପସର ହଉଥାଏ । କିଏ କଣ ପକେଇଲେ ଖାଇଦିଏ । କିନ୍ତୁ ଲୋକଙ୍କ ପାଖରେ ବୋଳିହେଇ ଗେଲ ହେବା, ସ୍ନେହ ଟିକିଏ ପାଇଁ ସେ ବାଇ ।

ଆଜି ସକାଳଠୁ ରାସ୍ତାକୁ ଚାହିଁ ଖାଲି ଭୁକୁଚି । ଯିଏ ଯାହା ଖାଇବାକୁ ଦେଲେ ଖାଉନି । କାହା ଗୋଡ ପାଖେ ଘଷି ହେଇ ଭୁକୁଚି ତ' କାହା ପେଟ ଯାଏଁ ଉଠିଗଲାଣି କୁଁ କୁଁ ହେଇ । ଅତି ଉଚ୍ଛନ ହଉଥାଏ ।

ଚା' ଦୋକାନ ପିଲାଟି ସହିତ ଭଲ ଦୋସ୍ତି ଥାଏ କୁକୁରଟିର । ସେ ତାକୁ ମୋତି, ମୋତି ଡାକେ ।

"ମୋତି, ଆଃ......ଆଃ..."

ମୋତି କିଛି ନ ଶୁଣି ଦି ଗୋଡରେ ଠିଆ ହେଇ ଉପର ଦୁଇ ଗୋଡକୁ ଡାକିବା ଭଳି ହଲାଇ ଚାଲିଲା ।

ପିଲାଟି ବ୍ୟସ୍ତ ହୋଇ ବିସ୍କୁଟ କିଛି ଦେଲା ଖାଇବାକୁ ।

ସେ ବିସ୍କୁଟ ଉପରେ ନଜର ନ ପକାଇ ମୋତି ସେମିତି କୁଁ କୁଁ ଶବ୍ଦ କରି ଚାଲିଲା ।

କିଛି ଲୋକ ତାକୁ ଦେଖି ହସିଲେ । କିଛି କହିଲେ "ଏଇଟା ପାଗଳ ହେଇଯିବ ।"

ମୋତି କିନ୍ତୁ ତା ଚେଷ୍ଟା ଜାରି ରଖିଥାଏ ।

ପୁଣି ଦୌଡି କୁଆଡେ ଚାଲିଗଲା ଖଣ୍ଡେ ବାଟ । ବୁଦା ପାଖେ ବସି ଧଇଁସଇଁ ହେଲା । ପୁଣି ଉଠି ରାସ୍ତାର ଲୋକଙ୍କ ପାଖକୁ ଦୌଡିଲା । ବୁଢୀଟିଏ ତା' ନାତିକୁ ଧରି ବୁଲେଇ ବାହାରିଥାଆନ୍ତି । ଛୋଟ ଛୁଆଟିକୁ ସୁନ୍ଦର ଭାବେ କପଡାରେ ଢାଙ୍କିକି ରଖିଥାଆନ୍ତି । ମୋତି ସେ ବୁଢୀ ପାଖରେ ନସର ପସର ହେବାରେ ଲାଗିଲା । ବୁଢୀ ଜଣକ ଖୁସିରେ ଆଉଁଷି ଦେବାରୁ ନରମ ପରଶରେ ମୋତି ଖୁସି ହେଇ ବୁଢୀ ପାଖେ ଘଷି ହେଲା । ତାପରେ ମୋତି ବୁଢୀଙ୍କୁ ଟାଣିବାକୁ ଚେଷ୍ଟା କରି ତାଙ୍କ ଶାଢୀ ଟାଣିବାରେ ଲାଗିଲା । ସେ ଭୟରେ ଚିତ୍କାର କଲେ । ପାଖରେ ଯାଉଥିବା ଲୋକଟିଏ ମୋତିର ପିଠିକୁ ଲକ୍ଷ୍ୟ କରି ଇଟା ଉଠେଇ ଫୋପାଡିଲା । ଯନ୍ତ୍ରଣାରେ ମୋତି ଆଖିରୁ ଲୁହ ଗଡିଲା । ସେ ପୁଣି ଉଠି ଠିଆହେଲା ଓ ସେହି ବୁଦା ପାଖ ଆବର୍ଜନା ପାଖକୁ ଯାଇ, ଉପରକୁ ମୁହଁ କରି ସତେବା କାନ୍ଦୁଚି, ଗୁହାରି କରୁଛି, ସେମିତି ଲମ୍ବାଇ ଶବ୍ଦ କରିଚାଲିଥାଏ ।

ପୁଣି ସେ ବୁଦା ଭିତରକୁ ପଶିଗଲା ମୋତି । ଦୌଡିକି ଯାଇ କୁନା ଭାଇନା ପାନ ଦୋକାନ ଓ ସେ ଚା' ଦୋକାନରେ ଥିବା ଲୋକଙ୍କ ମଧ୍ୟରୁ କାହା ପେଣ୍ଟ ଧରି, ତ କାହା ଗୋଡକୁ ଧରି ଟାଣିବାକୁ ଚେଷ୍ଟାକଲା । ଗରାଖଙ୍କୁ ବ୍ୟସ୍ତ କରୁଥିବା ହେତୁ, ଚା ଦୋକାନ ପିଲାଟି ଝପଟି ଆସିଲା ମୋତି ଉପରକୁ । ମୋତି ପୁଣି ଦୁଇଗୋଡରେ ଠିଆହୋଇ ସେ ପିଲାଟିର ସାର୍ଟ ଟାଣିବାରେ ଲାଗିଲା । ମୋତି କେବେ କାହାକୁ କାମୁଡି ନ ଥିଲେ ମଧ୍ଯ ପିଲାଟି ଡରିଗଲା । ଡରରେ ପାଟି କରିବାକୁ ଲାଗିଲା । ଯିଏ ମୋତିର ପାଖାପାଖି ହେଲା, ମୋତି ତାକୁ ଟାଣିବାକୁ ଲାଗିଲା ।

ପ୍ରାଣ ଭୟରେ ଲୋକେ ମିଶି ପଥର ଫୋପାଡିବା ଆରମ୍ଭ କଲେ । ମୋତି ଦୌଡି ଯିବାବେଳେ ଚଳନ୍ତା ଗାଡିର ଆଘାତରେ ମରିଗଲା । ତହିଁ ପରଦିନର କଥା, ରାସ୍ତା ଓଳାଉଥିବା ଲୋକ ସେହି ବୁଦା ମୂଳରୁ ଯେଉଁଠି ମୋତି କାନ୍ଦୁଥିଲା, ସେଠି ମୃତ ମଣିଷ ଶିଶୁ ମିଳିଥିବାର ସେହି ଚା' ଦୋକାନକୁ ଆସି କହିଲା ।

ଯେଉଁମାନେ ମୋତିକୁ ପଥର ମାଡ କରିଥିଲେ, ସେମାନଙ୍କ ଆଖିରୁ ଲୁହ ଗଡିବାରେ ଲାଗିଲା । କି ପାପ କରିଥିଲା ସେ ନିର୍ବୋଧ ଶିଶୁଟି, ଅଳିଆ ଗଦାରେ ପଡି କାନ୍ଦିକାନ୍ଦି ମରିଗଲା । କେବଳ ମୋତି ସେ କାନ୍ଦ ଶୁଣି ପାରିଥିଲା । ସେଥିପାଇଁ ତାକୁ ବି ପ୍ରାଣବଳି ଦେବାକୁ ପଡିଲା ବାେଧେ ।

Report an Error