ବିଷହରି ଏବଂ ବିଷଧାରୀ କଥା: ମାଆ ମନସା

ସାପକାମୁଡାର ଦୈବିକ ପ୍ରତିଷେଧକ ହିସାବରେ ନାଗପଞ୍ଚମୀ ଦିନ ଏହିଭଳି ଆରାଧନା କରାଯାଇଥାଏ । ଭାରତର ଅନେକ ସ୍ଥାନରେ ଏଇ ସମୟରେ ମନସା ଦେବୀଙ୍କ ପୂଜା କରାଯାଏ । ନାଗନାଗୁଣୀ ପୂଜା ଭାରତବର୍ଷର ବହୁ ଅଂଚଳରେ ପ୍ରଚଳିତ ଥିବାବେଳେ ମନସାଙ୍କ ପୂଜା ପଶ୍ଚିମବଙ୍ଗ ଓ ଆଖପାଖ ଅଂଚଳରେ ଅଧିକ ଦେଖାଯାଏ ।


ଫଟୋ - ୱିକିପିଡିଆ

"ଜୟ ଜୟ ମାଆ ମନସା ଜୟ ବିଷହରି ଗୋ
ବନ୍ଦନା କରି ମାଗୋ,
ମାଆ ମନସାର ଚରଣେ "

ପଶ୍ଚିମବଂଗରେ ଏଇଟି ଗୋଟିଏ ଅତ୍ୟନ୍ତ ଜନପ୍ରିୟ ଲୋକଗୀତ ବା ଜଣାଣ । ଲୋକଗୀତରେ ଆଗ୍ରହ ରଖିଥିବା ଉପସ୍ଥିତ ଲେଖକ ସାପକୁ ନେଇ ଅନେକ ସେଇଭଳି ସେଠିକାର ଲୋକଗୀତ ଶୁଣିଛି । ଲୋକଗୀତର କଥା କହିଲେ ଅବଶ୍ୟ ଆମର କେବଳ ପଶ୍ଚିମାଞ୍ଚଳର ଡାଲଖାଇ ଭଳି କିଛି ଗୀତ ଆଉ ଉତ୍ତରାଞ୍ଚଳର ଝୁମର ଭଳି କିଛି ଗୀତକୁ ଛାଡିଦେଲେ ଆଉ ଲୋକଗୀତରେ ଆଗ୍ରହ କାହାର ନାହିଁ । ଆଜିକାଲି ତ ବନ୍ୟଜନ୍ତୁ ନିଗ୍ରହ ଆଇନ କାରଣରୁ ସାପୁଆକେଳାମାନଙ୍କୁ ବୁଲି ବୁଲି ଉତ୍ସୁକମାନଙ୍କ ସାମ୍ନାରେ ସାପଖେଳ ଦେଖାଉଥିବା ଭଳି କଥା ଆଉ ସାଧାରଣରେ ଦୃଶ୍ୟ ହେଉ ନାହିଁ । ତେଣୁ ସାଧାରଣ ବିଶ୍ୱାସରେ ସାପ ଭଳି ଏକ ଭୟଙ୍କର ବିଷଧରକୁ ନିଜର ନିୟନ୍ତ୍ରଣ ରଖିପାରିବା ଭଳି ଜଣେ ସାଧାରଣ ସାପୁଆକେଳାର ସେହି ଅବିଶ୍ୱାସ୍ୟକର ଦୁଃସାହସ ଟିକକକୁ ଦେଖି ରୋମାଞ୍ଚିତ ହେବାର ଶୈଶବ ଆମର ଆଉ ନାହିଁ ଆଉ ତାହା ସହିତ ମଧ୍ୟ ଆମେ ହରାଇ ବସିଛୁ ସେହି ସାଧାରଣ ଦିଶୁଥିବା କଂଠରେ ସେଇ ଅସାଧାରଣ ସୁର, ସାପଗୀତ, "କଂସର ଘରଣୀ ପଦ୍ମାବତୀ ରାଣୀ କଲା ଧନ୍ୟନ୍ତରୀ ଓଷା, ଲକ୍ଷେ ଭାର ପଦ୍ମ ଦେବୁରେ କହ୍ନେଇ ନଥିବ ପାଖୁଡା ମିଶା" ।

ଏଠାରେ ସେଦିନର ସେଇଭଳି ସାପଖେଳ ବସ୍ତୁତଃ ଆମର ଗୋଷ୍ଠୀ ଅବଚେତନରେ ଜଡିତ ରହିଥିବା ସାମୂହିକ ସ୍ମୃତି ଯାହାକୁ ଆମେ ଆମର ପୁରାଣମାନଙ୍କୁ ଧାରଣ କରିଥାଉ, ସେହି ମଥୁରାରେ କହ୍ନେଇର କାଳୀୟ ଦଳନ ଘଟଣାର ଏକ ସାଂସ୍କୃତିକ ପ୍ରତୀକାତ୍ମକ ଉପସ୍ଥିତି । ବିଷ ଉପରେ ଆମକୁ ବିଜୟ ଲାଭ କରିବାକୁ ହେବ, ଏହା ହେଉଛି ମୁଖ୍ୟ କଥା ।

ପ୍ରସଙ୍ଗର ଆରମ୍ଭ ହୋଇଥିଲା ଆମର ଲୋକସ୍ୱରରୁ ଆଉ ସେହି ସଂକ୍ରାନ୍ତରେ ସାପଗୀତର ଉଲ୍ଲେଖ କରାଯାଇଥିଲା । ଏଠାରେ ଏଇ କଥା କହିଲେ ତେଣୁ ତାହା ସେତେ ଭ୍ରମାତ୍ମକ ହେବ ନାହିଁ ଯେ, ଆମେ ଯେତିକି ଯେତିକି ଆଧୁନିକ ହୋଇଯାଉଛୁ ଆମେ ସେତିକି ସେତିକି ଆମର ଉତ୍ସରୁ ବିଚ୍ୟୁତ ହୋଇ ପଡୁଛୁ, ଛିନ୍ନମୂଳ ହୋଇ ପଡୁଛୁ ତେଣୁ ଆମର ସମକାଳର ଜୀବନବୋଧ ବା ଜୀବନର ସୁର ଦ୍ରୁତରୁ ଦ୍ରୁତତର ହେବାରେ ଲାଗିଛି । ଆମର ସମସ୍ତ ଚେତନା ଏକପ୍ରକାର ଉପସ୍ଥିତବୋଧ ବା ଇମିଡିଏସିରେ ସଂଲଗ୍ନ ହୋଇ ରହୁଛି । ଆମର ଅତୀତର ସେହି ମୂଳାନୁଗ ଲୋକପକ୍ଷ ତଥା ଲୋକାଚାରକୁ ଆମେ ହରାଇ ବସିଛୁ, ଯେଉଁଠି ଜୀବନର ଛନ୍ଦ ଦ୍ରୁତ ନୁହଁ, ବିଳମ୍ବିତ ଥିଲା । ଆମର ସମସ୍ତ ଆନନ୍ଦ ସେହିଭଳି ବିଳମ୍ବିତ ଜୀବନ ଚର୍ଯ୍ୟାରେ ନିହିତ ଥିଲା । ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ରଙ୍କ ସଂଗୃହୀତ "ଓଡିଶାର ଗାଉଁଲି ଗୀତ" ଭଳି ଏକ ସୁନାଖଣିରୁ ସୁନା ବାହାର କରି ତାହାକୁ ସୁରକରି ଗାଇବା ଆଜି ହୁଏତ ଆମର ଉନ୍ନତ ସହରୀ ରୁଚିବୋଧକୁ ସୁନ୍ଦର ଦିଶିବ ନାହିଁ । ସେଇଥିପାଇଁ ଆମ ଭଳି କେହି କେହି ଅତୀତଜୀବୀ (ବୟସ ବଢିଲେ ଅତୀତଜୀବୀଙ୍କ ସଂଖ୍ୟା ବଢେ !), ଗୀତ ଶୁଣିବାରେ ଯେଉଁମାନେ ନିପଟ ଗାଉଁଲି ସେମାନଙ୍କୁ ଉଦୟ ନାଥ ସାହୁଙ୍କ "ଲବଙ୍ଗଲତା ଆଉ କହନା କଥା, ଝାଉଁଳି ପଡିଛି ଆଜି ମୁହଁଟି ତୋର" ବା ରାଧାରାଣୀ ମହାପାତ୍ରଙ୍କ "ଆସ ଚିତା କୁଟେଇବ ଆସ" ଭଳି କିଛି ଅମୃତଝରା ଗୀତରେ "ହଠାତ୍ ରେଡିଓରେ ଗୋଟିଏ ପୁରୁଣା ଗୀତ" ଭଳି ସନ୍ତୁଷ୍ଟ ହେବାକୁ ପଡେ ।

ଛାଡନ୍ତୁ ଆମ ଭଳି ଗୀତର ସ୍ୱର ତାଳ ଆଦି କଥାକୁ ଆଦୌ ବୁଝି ପାରୁନଥିବା ଲୋକର ପସନ୍ଦ ନାପସନ୍ଦର କୌଣସି ମୂଲ୍ୟ ନାହିଁ । ଗୀତରେ ନିଜର ହଜିଲା ଅତୀତକୁ ସ୍ମରଣ କରୁଥିବା ଜଣେ ସାଧାରଣ ଲୋକ ଯିଏ ତାହାର ନିଜ ଗାଆଁଟିକୁ ଅନେକ ଦିନ ହେଲା ହରାଇ ସାରିଲାଣି, ତାହାର ସ୍ମୃତିମେଦୁର କଥା ଇଏ । ଆପଣମାନେ ସେଥିରେ କାହିଁକି ବିବ୍ରତ ବୋଧ କରିବେ । ଆପଣମାନଙ୍କର ଉନ୍ନତ ନଗରବୋଧ ସୁରମୟ ହେଉ । ଆପଣମାନେ ଆଧୁନିକତାର ପାହାଚ ପରେ ପାହାଚ ଅତିକ୍ରମ କରୁଥାନ୍ତୁ ।

ଏଇଠି କଥା ପଡିଛି ମା ମନସାଙ୍କ ବିଷୟରେ ।

ମାଆ ମନସା ହେଉଛନ୍ତି ସର୍ପଦେବୀ, ଶିବଙ୍କ ମାନସପୁତ୍ରୀ, ମାନସ ପୁତ୍ରୀ ସେଇଥିପାଇଁ ତାଙ୍କର ନାଆଁ ମନସା ।

ସାଧାରଣ ମଣିଷ ଯେତେବେଳେ ଅକସ୍ମାତ ଘଟିଥିବା ମୃତ୍ୟୁକୁ ସାପ କାମୁଡା ବା ସାପ ବିଷ ଯୋଗୁ ଘଟିଛି ବୋଲି ନିର୍ଣ୍ଣୟ କରିପାରିଲା ତାହାଠାରୁ ସେ ସାପକୁ ଭୟ କରିବାକୁ ଆରମ୍ଭ କଲା । ମୃତ୍ୟୁର ଆକସ୍ମିକତାରେ ଯେଉଁ ଭୟ ସୃଷ୍ଟି ହୋଇଥାଏ ତାହା କୌଣସି ସ୍ୱାଭାବିକ ଭାବରେ ଘଟୁଥିବା ମୃତ୍ୟୁର ଭୟଠାରୁ ଯଥେଷ୍ଟ ଅଧିକ । ତେଣୁ ଏଠାରେ ମୃତ୍ୟୁ ଭଳି ଏକ ଭୟପୂର୍ଣ୍ଣ ଘଟଣାର ଆକସ୍ମିକତାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ମଣିଷ ଏହାର କାରକ ହିସାବରେ ସାପବିଷ ତଥା ସାପକୁ ଯଥେଷ୍ଟ ଭୟ କରିବାକୁ ଆରମ୍ଭ କଲା । ଏହି ସର୍ପଭୟ ବିବର୍ତ୍ତନ କ୍ରମେ ଏକ ଭିନ୍ନ ରୂପ ନେଲା । ଯାହାର ନିବାରଣ ମଣିଷ ହାତରେ ନଥିଲା ବା ଯାହାକୁ ମଣିଷ ସଠିକ ଭାବରେ ବୁଝିବା ପାଇଁ ଅସମର୍ଥ ଥିଲା ତାହାକୁ ସେ କ୍ରମଶଃ ଦେବତା ଅଥବା ଦାନବ ହିସାବରେ ପରିଭାଷିତ କରିବାକୁ ଲାଗିଲା । ଯେଉଁ ଘଟଣାକୁ ମଣିଷ ଭୟ କରୁଥିଲା ବା ଏମିତି କହିଲେ ଠିକ୍ ହେବ ଯେ, ଯେଉଁ ଘଟଣାକୁ ମଣିଷ ଭୟ କରୁଥିଲା, ସେଇ ଭୟରୁ ମୁକୁଳିବା ପାଇଁ ତାହାର ସାମର୍ଥ୍ୟ ନଥିଲା ଆଉ ସେଇଥିପାଇଁ ସେ ଅସହାୟ ଥିଲା, ସେହି ସବୁ ଭୟର କାରଣକୁ ସେ ଅପରାଜେୟ ବିଚାର କରୁଥିଲା ଏବଂ ଭୟର ସେହି କାରଣ ବିଶେଷ ପାଖରେ ଭୟକୁ ଦୂର କରିବାର ସାମର୍ଥ୍ୟ ଏକମାତ୍ର ଉପଲବ୍ଧ ରହିଛି ବୋଲି ନିଶ୍ଚିତ କରି ତାହାକୁ ସେ ଦେବରୂପ ପ୍ରଦାନ କରୁଥିଲା । ସେହି ଦେବରୂପର ଆରାଧନାରେ ତାହାର ଭୟ ନିବାରଣ ହୋଇପାରିବ ବୋଲି ବିଶ୍ୱାସ ତାହା ପାଖରେ ରହିଥିଲା । ଏହା ପଛରେ କେବଳ ଗୋଟିଏ କାରଣ । ଘଟଣା ଆକସ୍ମିକ ଭାବରେ ଘଟି ମଣିଷକୁ ବିପର୍ଯ୍ୟସ୍ତ କରିଦିଏ ସତ ମାତ୍ର ବେଳେବେଳେ ସେହି ସମାନ ଘଟଣା ଘଟିବା ପାଇଁ ଦୀର୍ଘ ଦିନ ଲାଗିଥାଏ । ଅନ୍ୟ ଭାବରେ କହିଲେ ଭୟର ଆକସ୍ମିକତାକୁ ଟିକିଏ ସୁଦୂର କରିପାରିବାର ବିଶ୍ୱାସ ଉପରେ ଆମର ଦେବପଣର ବିଶ୍ୱାସ ଆଧାରିତ । ତେଣୁ ଭୟକୁ ନିଜଠାରୁ ଦୂରରେ ରଖିବା ପାଇଁ ଭୟର ଆଧାରକୁ ମଣିଷ ଦେବତା ସଜାଇଥାଏ । ସେହିଭଳି ଦେବତା ସଜାଇବାବେଳେ ମଣିଷ ଭୟର ସେହି କାରକର ସଦର୍ଥକ ଦିଗକୁ ଦେବତା ଭିତରେ ଦେଖିଥାଏ । ସମାନ ଭାବରେ ଭୟର ସେହି ଆଧାରର ଭୟଙ୍କର ପରିଣତିକୁ ବି ସେ ଦାନବ ରୂପରେ ବି ପରିଭାଷିତ କରିବାକୁ ଲାଗିଲା ଯେତେବେଳେ ସେ ଭୟର ପରିଣତିକୁ ଭୋଗୁଥିଲା, ଆଉ ବିଚାର କରୁଥିଲା ଯେ ଏଇ ଭୟର ଅପରିଣାମରୁ କାହାର ମୁକ୍ତି ନାହିଁ । ଠିକ୍ ସେତେବେଳେ ସେଇ ଭୟର କାରକ ତାହା ପାଇଁ ଦାନବ । ସେଇଭଳି ଉଭୟ ଦେବତା ଆଉ ଦାନବ ବିଚାରର ଗୋଟିଏ ଉଦାହାରଣ ହେଉଛି ସାପ । ସାପ ଯେତେବେଳେ ବିଷହରି ସେ ଦେବତା ଆଉ ଯେତେବେଳେ ସେ ବିଷଧାରୀ ଅର୍ଥାତ୍ ଯେତେବେଳେ ସେଇ ବିଷରେ ମୃତ୍ୟୁ ଅନିବାର୍ଯ୍ୟ ସେତେବେଳେ ସେ ଦାନବ ।

ତେଣୁ ପ୍ରଥମେ ସାପକୁ ଭୟ, ତାହାପରେ ତାହାକୁ ପୂଜା ଦ୍ୱାରା ସଂତୁଷ୍ଟ କରି ତାହାର ବିଷରୁ ସୁରକ୍ଷିତ ରହିବା ଭଳି ଉପଚାର ଏବଂ ତାହାପରେ ଆଉ ସାପ ନୁହଁ ସାପ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ସାବ୍ୟସ୍ତ କରିପାରୁଥିବା ଜଣେ ଦେବରୂପକୁ ଉପସ୍ଥାପନା କରି ତାଙ୍କର ଆରାଧନା, ସଂକ୍ଷେପରେ କହିଲେ ଏହିଭଳି ହେବ ସେହି ବିଶେଷ ବିଷହରି ଏବଂ ବିସ୍ତାରିତ ଜନ୍ତୁ ବିଶେଷର ପୂଜାବିଧି ।

ସାପକୁ ଭୟ କୌଣସି ଦାନବର ଭୟ ଭଳି ଏତେ ସୁବୃହତ ହୋଇନଥିବା କାରଣରୁ ଦାନବର ସଂତ୍ରାସରୁ ମନୁଷ୍ୟକୁ ପରିତ୍ରାଣ କରିବା ପାଇଁ ସମସ୍ତ ପ୍ରମୁଖ ଦେବତାମାନଙ୍କର ଉପସ୍ଥିତି ଅନିବାର୍ଯ୍ୟ ହୋଇ ପଡିଥାଏ । ଦେବତା ସକଳ ଏକାଠି ହୋଇ କ୍ଷୀରସାଗରରେ ନିଦ୍ରିତ ବିଷ୍ଣୁଙ୍କର ଯେମିତି ଅସମୟରେ ନିଦ୍ରାଭଙ୍ଗ କରିବାକୁ ପଡେ ତାହା ଆପଣମାନେ ଆମର ଛବିମାନଙ୍କରେ ଦେଖିଥିବେ । ଉପସ୍ଥିତ ଲେଖକର ସେହି ଛବି ସଂପର୍କରେ ଗୋଟିଏ ବଡ ଆପତ୍ତି ରହିଛି । ଦେବତାମାନେ ଯେତେ ଯେମିତି ଉପାୟରେ "କ୍ଷୀରସାଗର ସମ୍ଭବାକୁଚ କୁମ୍ଭପରିରମ୍ଭ ଚତୁର" ଙ୍କର ନିଦ୍ରାଭଙ୍ଗ କରନ୍ତୁ କିଛି କହିବାର ନାହିଁ ମାତ୍ର ସେତିକିବେଳେ ଗୋଡପାଖରେ ବସି "କ୍ଷୀରାବ୍ଧିତନୟା"ଙ୍କର ସମସ୍ତଙ୍କର ଉପସ୍ଥିତି ସମୟରେ ବି ସେହି "ଚତୁର"ଙ୍କର ପାଦ ମଞ୍ଚାଳୁଥିବା ଦୃଶ୍ୟ ଅତ୍ୟନ୍ତ ଦୃଷ୍ଟିକଟୁ ଲାଗେ । ଲାଗେ ଯେମିତି ଆମର ଝିଅଟିକୁ ଦେବତନ୍ତ୍ର ଅନ୍ୟ ଭାବରେ କହିଲେ ପୁରୁଷତନ୍ତ୍ର ସର୍ବସମୁଖରେ ନିଗୃହୀତ କରୁଛି ।

ପ୍ରମୁଖ ଦେବତାମାନେ ଦାନବ ନିଧନ ପାଇଁ ଅବତାରୀ ହୁଅନ୍ତି । ବା ନିଜର ସାମର୍ଥ୍ୟକୁ ଆଉ କାହାକୁ ଦାନବ ନିଧନ ପାଇଁ ଭାରାର୍ପଣ କରିଥାନ୍ତି । ଏହି ଅନୁଷ୍ଠାନର ପୂଜା ବିଧି ବ୍ୟାପକ ଲୋକକ୍ଷେତ୍ରରେ ସମାହିତ ହୋଇଥାଏ । ଆମେ ଆମର ଦାନବ ଦଳନ - ଅଭୀପ୍ସା ପାଇଁ ସେଥିରେ ଆନନ୍ଦର ସହ ବହୁସଂଖ୍ୟାରେ ଯୋଗ ଦେଇଥାଉ । ଯେହେତୁ ସର୍ପଭୟଟି କୌଣସି ଦୃଷ୍ଟିରୁ ଦାନବ ଭୟର ସମତୁଲ ନୁହଁ ତେଣୁ ସେଠାରେ ପ୍ରମୁଖ ଦେବତାର ଦୈବିକ - ଭାରାର୍ପଣର ଯେଉଁ ପ୍ରତିନିଧି ଦେବ/ଦେବୀ ଜଣଙ୍କ ଉପସ୍ଥିତ ରହିଥାନ୍ତି ତାଙ୍କର ପୂଜା ଅନୁଷ୍ଠାନ ଅତ୍ୟନ୍ତ ଲୌକିକ ତଥା ସାଧାରଣ ଭାବରେ ଅନୁଷ୍ଠିତ ହୋଇଥାଏ ।

ଶିବଙ୍କ ସହ ବିଷ ଅଛି, ବିଷ ଅଛି ବୋଲି ସାପ ଅଛି ତେଣୁ ଯିଏ ଯାହାକୁ ଧାରଣ କରିଥାଏ ସେ ଏକା ସାଙ୍ଗରେ ତାହାକୁ ଓ ତାହାର ପ୍ରତିପକ୍ଷକୁ ବି ଧାରଣ କରିଥାଏ । ପ୍ରସଙ୍ଗ କ୍ରମେ କହିବାକୁ ଚାହିଁବି ଆଜିର ବଜାରରେ ଯେଉଁ ବିଷ ବିଶେଷରେ ଧାନରେ ପୋକ ବା ଅନ୍ୟ କୌଣସି ପୋକମରା ବିଷର ଶିଶିକୁ ଯଦି ଆପଣ ଦେଖନ୍ତି ତେବେ ସେଥିରେ ସେହି ବିଷପାଇଁ କେଉଁ ରାସାୟନିକ ପ୍ରତିଷେଧକ ବା ଆଣ୍ଟିଡୋଟ୍ ଟି ଯଥାର୍ଥ ହେବ ସେଇକଥା ଲେଖାଥାଏ । ତେଣୁ ଯଦି କେତେବେଳେ ହସପିଟାଲ୍ ରେ ବିଷପାନ ଜନିତ କାରଣରୁ କୌଣସି ସଂକଟାପନ୍ନ ରୋଗୀ ଆସି ପହଞ୍ଚେ, ସେତେବେଳେ ଡାକ୍ତର ଆଗ କେଉଁ ବିଷପାନ ଦ୍ୱାରା ଏ ଘଟଣାଟି ଘଟିଛି ସେହି ବିଷଶିଶିକୁ ଦେଖିବାକୁ ଚାହାଁନ୍ତି ଯାହାଫଳରେ ସେଇଠୁ ଦେଖି ଉପଯୁକ୍ତ କାର୍ଯ୍ୟକ୍ଷମ ଆଣ୍ଟିଡୋଟ୍ ଟି ରୋଗୀକୁ ଦିଆଯିବା ସମ୍ଭବ ହୋଇଥାଏ ।

ଏଇଠି ତେଣୁ ଦେଖିଲେ ଶିବ ଉଭୟ ବିଷଧାରୀ ଓ ବିଷହରି, ଏହି ଉଭୟ ଅବସ୍ଥାନକୁ ଧାରଣ କରିଛନ୍ତି । ଆଉ ଆପଣମାନେ ଜାଣନ୍ତି ଶିବ ବା ପଶୁପତି ହେଉଛନ୍ତି ମଣିଷର ଚିନ୍ତାର ବିବର୍ତ୍ତନ ଦୃଷ୍ଟିରୁ ଏକମାତ୍ର ଅନାର୍ଯ୍ୟ ଦେବତା ଯିଏ ପରବର୍ତ୍ତୀ ସମୟରେ ଆର୍ଯ୍ୟୋତ୍ତର ଯୁଗରେ ବି ପ୍ରମୁଖ ଦେବତା ହୋଇ ରହିଛନ୍ତି । ଏହି ଅନାର୍ଯ୍ୟରୁ ଆର୍ଯ୍ୟ ଯାଏଁ ଏହି ନିରବଚ୍ଛିନ୍ନ ପରିବର୍ତ୍ତନଶୀଳ ପ୍ରବହମାନତା ବା ଡାଇନାମିକ କଣ୍ଟିନ୍ୟୁଇଟି (ଏଇ ଡାଇନାମିକ କଣ୍ଟିନ୍ୟୁଇଟି କଥାଟି ଭାରତ ସମାଜର ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ଟାଲକଟ୍ ପାର୍ସନା କହିଛନ୍ତି) କାରଣରୁ ଏଇ ଦେବତା ସମାଜର ବୃହତ ଜନସମୁଦାୟର ଉପାସ୍ୟ । ତେଣୁ ଶିବଙ୍କଠାରୁ ବିଷହାରୀ ହେବାର ଦୈବିକ - ଭାର ଅର୍ପଣ କାର୍ଯ୍ୟଟି ମାଆ ମନସାଙ୍କ ପାଖକୁ ଆସିଛି । ଆଉ ମାଆ ମନସା ସେଇଥିପାଇଁ ଜଣେ ସାଧାରଣ ମଣିଷର ଲୌକିକ ଦେବୀ ।

ଏଇଠି ଉପସ୍ଥିତ ଲେଖକର ସ୍ମରଣକୁ ଆସୁଛି ଉପସ୍ଥିତ ଲେଖକର ବୟସ ସେତେବେଳେ ଆଠ କି ନଅ ହେବ । ପିତାମହ ତାହାକୁ ଗୋଟିଏ ଶ୍ଳୋକ ଶିଖାଇ ଦେଇଥିଲେ । କହିଥିଲେ ମାଆ ମନସାଙ୍କୁ ସ୍ମରଣ କରି ଏଇ ଶ୍ଳୋକଟିକୁ ଗାଇଲେ ଆଉ ଯାହାହେଉ ପଦକେ ସାପର ଭୟ ରହିବ ନାହିଁ।ସେହି ଶ୍ଳୋକଟିର କେବଳ ଗୋଟିଏ ମାତ୍ର ଧାଡି ମନେ ଅଛି, ଆସ୍ତିକସ୍ୟ ମୁନିର୍ମାତମ୍, ଭବାନୀବାସୁକିସ୍ଥଥାମ୍, ବାସ୍ । ଏଥିରୁ ଏତିକି କେବଳ ମନେ ଅଛି ଯେ ମାଆ ମନସା ବି ଆସ୍ତିକ ବୋଲି ଜଣେ ପ୍ରସିଦ୍ଧ ଋଷିଙ୍କର ମାଆ । ଆଉ ଆସ୍ତିକ ଯାହା ବି ଭୋଜନ ପରେ ସବୁକିଛିକୁ ଭଷ୍ମ କରିପାରିବାର ସାମର୍ଥ୍ୟ ରଖନ୍ତି । ତେଣୁ ସବୁ ବିଷକୁ ବି ସେ ହଜମ କରିପାରିବେ ।

ପ୍ରସିଦ୍ଧ ଔପନ୍ୟାସିକ ଅମିତାଭ ଘୋଷ ତାଙ୍କର ସଦ୍ୟତମ ଉପନ୍ୟାସ ଦି ଗନ୍ ଆଇଲାଣ୍ଡରେ ମାଆ ମନସା ଆଉ ସାପ ପୂଜା ଉପରେ ବିସ୍ତାରରେ ଲେଖିଛନ୍ତି । ତାଙ୍କର ପ୍ରଧାନ ଚରିତ୍ର ଏହି ସଂପର୍କରେ ଗବେଷଣା କରିବାକୁ ସୁନ୍ଦରବନ ଅଂଚଳକୁ ଆସିଛି । ତେଣୁ କଥାବସ୍ତୁର ପୃଷ୍ଠଭୂମିରେ ମାଆ ମନସା ଓ ସାପପୂଜା ବିଷୟର ଉଲ୍ଲେଖ ରହିଛି।

ଭାରତରେ ସାପପୂଜାରୁ ସାପଦେବୀଙ୍କ ଆରାଧନାର ଉତ୍ତରଣର କଥା ଅତ୍ୟନ୍ତ ପ୍ରାଚୀନ । ଏ ପ୍ରସଙ୍ଗରେ ପ୍ରାଗାର୍ଯ୍ୟ କାଳରେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତରେ ତକ୍ଷଶୀଳା ଅଂଚଳରେ ଏକ ବିଶେଷ ଜାତିର ବସବାସ ଥିବାର ପ୍ରମାଣ ମିଳେ । ଏହି ଜାତିର ସାପ ବା ନାଗ ଥିଲେ ପ୍ରମୁଖ ଦେବତା । ସଭ୍ୟତାର ପ୍ରାଚୀନ କାଳରେ ଗୋଟିଏ ଗୋଟିଏ ସମୁଦାୟ ଆଞ୍ଚଳିକ ସ୍ତରରେ କୌଣସି ବିଶେଷ ବସ୍ତୁ ବା ଜୀବର ଆଶ୍ରିତ ଆକାରରେ ଜୀବନ ନିର୍ବାହ କରୁଥିଲେ । ସେମାନଙ୍କର ବିଶ୍ୱାସ ଥିଲା ଯେ ସେହି ଅଂଚଳର କୌଣସି ପଥର ଖଣ୍ଡ, କାଠ ଖଣ୍ଡ, କେଉଁ ଗଛ, ଅଥବା କୌଣସି ଜୀବ ଯେମିତି ସାପ, ମୟୁର ଅଥବା ବାନର କେହି ଗୋଟିଏ ସେମାନଙ୍କୁ ସମସ୍ତ ଆଗତ ବିପଦରୁ ରକ୍ଷା କରିବ । ଏହାକୁ ମନସ୍ତତ୍ତ୍ୱର ଆଧୁନିକ ପରିଭାଷାରେ ଟୋଟେମ୍ ବୋଲି କୁହାଯାଏ । ସେ ସମୟରେ ଅର୍ଥାତ୍ ପ୍ରାଗାର୍ଯ୍ୟ କାଳରେ ଭାରତର ଉତ୍ତର ପଶ୍ଚିମ ତକ୍ଷଶିଳା ଗୋଟିଏ ଜାତି ବସବାସ କରୁଥିଲେ ସେମାନଙ୍କର ଟୋଟେମ୍ ଥିଲା ସାପ । ଏହି ନାଗଜାତି ସହିତ ଭାରତରେ ଥିବା ନର୍ଡିକ ଆର୍ଯ୍ୟ (ଭୂମଧ୍ୟସାଗରୀୟ ଅଂଚଳରୁ ଆସିଥିବା) ମାନଙ୍କର ଦୀର୍ଘକାଳ ଧରି ସଂଘର୍ଷ ଚାଲିଥିଲା । ଏହି ବିଶେଷ ନାଗଜାତି ସବୁବେଳେ ଟୋଟେମ୍ କାରଣରୁ ନାଗଛତିର ବ୍ୟବହାର କରୁଥିଲେ । ଦୀର୍ଘକାଳ ଧରି ଆର୍ଯ୍ୟ ଆଉ ଏହି ନାଗଜାତି ମଧ୍ୟରେ ଯୁଦ୍ଧ ଅମୀମାଂସିତ ଭାବରେ ଚାଲି ଆସିବା କାରଣରୁ ଆର୍ଯ୍ୟମାନଙ୍କର ଇନ୍ଦ୍ର, ପରବର୍ତ୍ତୀକାଳରେ ବରୁଣ, ଆଉ ତାହାର ପରବର୍ତ୍ତୀ କାଳରେ ସୂର୍ଯ୍ୟ ଏମାନଙ୍କ ସହିତ ଏକପ୍ରକାର ସହାବସ୍ଥାନ କରିବାକୁ ବାଧ୍ୟ ହୋଇଥିଲେ । ତାହା ଫଳରେ ସେହି ନାଗଜାତିର ଟୋଟେମ୍ ଅର୍ଥାତ୍ ଗୋତ୍ର - ଅଧିପତିକୁ ଆର୍ଯ୍ୟର ପରିସରରେ ସ୍ୱୀକୃତି ଦେବାକୁ ପଡିଲା । ସେଇଠୁ ନିର୍ମିତ ହେଲା ବାସୁକୀ ଏବଂ ଅନନ୍ତନାଗ ଭଳି ଚରିତ୍ର ଯାହା ବସ୍ତୁତଃ ସେ ସମୟର ଏକ ପରାକ୍ରମଶାଳି ନାଗ - ଟୋଟେମ୍ ର ଆର୍ଯ୍ୟକରଣ ରୂପ । ବାସୁକୀ ଏବଂ ଅନନ୍ତ ନାଗ ଉଭୟ ସର୍ପରୂପ ଆଉ ଏହି ଦୁଇଟି ଚରିତ୍ରର ମହତ୍ୱ ରହିଛି ଏମାନଙ୍କର ଧାରଣ କରିବାର କ୍ଷମତାରେ । ବାସୁକୀ ପୃଥିବୀକୁ ଧାରଣ କରିଛି, ଅନନ୍ତନାଗ ଧାରଣ କରିଛି ସର୍ବଶକ୍ତିମାନ ବିଷ୍ଣୁଙ୍କୁ । ଏହା ଫଳରେ ଏହି ଟୋଟେମ୍ ଟି ପୌରାଣିକ ମର୍ଯ୍ୟାଦାରେ ପ୍ରତିଷ୍ଠିତ ହୋଇଛି । ଦେବତତ୍ତ୍ୱର ଅଧ୍ୟୟନରେ ଦେଖାଯାଏ ଯେ ଦେବତାମାନଙ୍କ କ୍ଷେତ୍ରରେ ପ୍ରାଚୀନ ସଂପ୍ରଦାୟ ମଧ୍ୟରେ ନିଜନିଜର ଶ୍ରେଷ୍ଠତ୍ୱକୁ ନେଇ ସଂଘାତ, ସଂଘାତ ଜନିତ କାରଣରୁ ସଂଶ୍ଳେଷଣ ଆଉ ସଂଶ୍ଳେଷଣ କାରଣରୁ ଏକ ସଂହତି ଏବଂ ସହାବସ୍ଥାନ ଦେଖାଯାଇଥାଏ । ବିଶ୍ୱାସରେ ଜଣେ ଦେବତା କେଉଁ ଭଳି ରୂପ ପରିଗ୍ରହଣ କରିଥାଆନ୍ତି ବା କରିବେ ତାହା ସଂପୂର୍ଣ୍ଣ ଭିନ୍ନ କଥା । ମାତ୍ର ଆମେ ଯେତେବେଳେ ଜଣେ ଦେବତାଙ୍କୁ ଏକ ଅବଧାରଣା (କନସେପ୍ଟ) ଆକାରରେ ଆମର ସୀମିତ ଅଧ୍ୟୟନର ପରିସରରେ ଦେଖିବା ସେତେବେଳେ ଦେଖିବା ଯେ ଜଣେ ଦେବତାର ସମକାଳରେ ଯେତିକି ଉଭା ଦିଶିବ, ସେତିକି ପରିମାଣରେ ତାହାର ପାରିପାର୍ଶ୍ୱିକ ଇତିହାସର ବିବର୍ତ୍ତନ ପୋତା ଆକାରରେ ବି ରହିଥାଏ । କ୍ରମଶଃ ଭାରତୀୟ ସମାଜ ବ୍ୟବସ୍ଥା ଯେତେବେଳେ ପୂର୍ଣ୍ଣତଃ ଆର୍ଯ୍ୟକରଣର ରୂପ ନେଲା ସେତେବେଳେ ଦେବତାମାନଙ୍କର ସର୍ବୋତ୍ତମ ରୂପ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଆଉ ସଂହାର କର୍ତ୍ତା ରୁଦ୍ର ହେଲା । ଏବଂ ତାହାପରେ କ୍ରମଶଃ ଭାରତୀୟ ସମାଜ ଯେତେବେଳେ ବିଷ୍ଣୁ ଏବଂ ରୁଦ୍ର ପ୍ରଧାନ ହେବାକୁ ଆରମ୍ଭ କଲା ସେତେବେଳେ ଭାରତୀୟ ସମାଜରେ ଚୂଡାନ୍ତ ରୂପରେ ଆର୍ଯ୍ୟକରଣ ସଂପନ୍ନ ହୋଇସାରିଥିଲା ।

ସେଇଠି କେବଳ ଦୁଇଜଣ ଦେବତା ପ୍ରମୁଖ ରୂପରେ ବର୍ଗୀକରଣ ବା ହାଇର୍କିକାଲ୍ ଦୃଷ୍ଟିରୁ ଶୀର୍ଷରେ ରହିଲେ, ସମତଳ ଅଞ୍ଚଳର ଦେବତା ଆକାରରେ ବିଷ୍ଣୁ ଏବଂ ଅସମତଳ ଅଂଚଳର ଦେବତା ଆକାରରେ ରୁଦ୍ର ବା ଶିବ । ଭାରତୀୟ ଦେବତତ୍ତ୍ୱର ସମସ୍ତ ଦେବତା ତେଣୁ ହୁଏତ ବିଷ୍ଣୁ ଅଂଶୀ ଅଥବା ରୁଦ୍ର ଅଂଶୀ । ବିଷ୍ଣୁ ହେଉଛନ୍ତି ଜଣେ ସଂପୂର୍ଣ୍ଣ ଆର୍ଯ୍ୟଦେବତା ଆଉ ରୁଦ୍ର ବା ଶିବ ହେଉଛନ୍ତି ମଣିଷର ଅନାର୍ଯ୍ୟ ରୂପର ଏକ ପ୍ରବହମାନତାକୁ ନିଜ ସହିତ ଧାରଣ କରି ଏକ ପରିବର୍ତ୍ତିତ ଆର୍ଯ୍ୟଦେବତା । ଏହି ଦୁଇ ପ୍ରମୁଖ ଦେବତା ବିଷ୍ଣୁ ଆଉ ଶିବଙ୍କ ପ୍ରସଂଗରେ ପ୍ରାଗାର୍ଯ୍ୟ କାଳରୁ ସମାହିତ ହୋଇ ଆସିଥିବା ଟୋଟେମ୍ ବା ଗୋତ୍ରାଧିପତିମାନଙ୍କର ସ୍ଥିତିକୁ ବିଚାର କଲେ ଉଭୟଙ୍କ କ୍ଷେତ୍ରରେ ପାର୍ଥକ୍ୟଟିକୁ ବୁଝାଯାଇପାରିବ । ଆଗରୁ ଉଲ୍ଲେଖ କରାଯାଇଥିବା ନାଗଜାତିର ଟୋଟେମ୍ ଆରମ୍ଭରେ ବାସୁକି ଆକାରରେ ପୌରାଣିକ ମାନ୍ୟତା ଅର୍ଜନ କରିଥିଲା । ପୃଥିବୀ ଏବଂ ବିଷ୍ଣୁ ଭଳି ସମସ୍ତ ଶ୍ରେଷ୍ଠତ୍ୱର ପ୍ରତୀକକୁ ଧାରଣ କରିବା ଭଳି ଗୁରୁଦାୟିତ୍ୱ ନିର୍ବାହ କରିବା କାରଣରୁ ଏକ ବିଶେଷତ୍ୱ ଅର୍ଜନ କରିଥିଲା । ମାତ୍ର କ୍ରମଶଃ ନାଗଜାତି ଯେତେବେଳେ ପରାଭୂତ ହୋଇ ସମକାଳର ଆର୍ଯ୍ୟକରଣରେ ନିଜର ଅସ୍ତିତ୍ୱ ହରେଇବାକୁ ବସିଲା ସେତେବେଳେ ତାହାର ପୌରାଣିକ ମାନ୍ୟତାରେ ଅବକ୍ଷୟ ହୋଇଥିଲା । ବିଷ୍ଣୁଙ୍କ ବାହନ ଗରୁଡ ହେଲା ଆଉ ଏହି ଗରୁଡର ଆହାରର ବସ୍ତୁ ହେଲା ସାପ । ବିଷ୍ଣୁ ରୂପ ଯେତେବେଳେ କୃଷ୍ଣ କଲ୍ଟରେ ରୂପାନ୍ତରିତ ହେଲା ସେତେବେଳେ କୃଷ୍ଣ କାଳୀୟ ଦଳନ କଲେ । ଅଣ ଆର୍ଯ୍ୟ ପ୍ରତୀକମାନଙ୍କୁ ଆର୍ଯ୍ୟକରଣର ଗୋଟିଏ ପଟେ ଏହିଭଳି ଦମନ ତଥା ସମାହିତ କରାଯାଇଥିବାବେଳେ ଅନ୍ୟ ପଟରେ ସେଇ ପ୍ରତୀକମାନଙ୍କୁ ଏକ ସହାବସ୍ଥାନର ସମ୍ମାନ ରୂପ ପ୍ରଦାନ କରାଯାଇଛି । ଶିବଙ୍କ ପାଖରେ ସେଇଥିପାଇଁ ଏକ ଆଭୂଷଣ ଆକାରରେ ରହିଛି ସାପ, ବିଷଧର ସାପ । ଆର୍ଯ୍ୟକରଣରେ ଗୋଟିଏ ପଟେ ଯାହାର ଦଳନ କରାଯାଇଛି, ଅନ୍ୟତ୍ର ତାହା ଏକ ପ୍ରିୟ ଆଭୂଷଣ ହୋଇଛି । ଏହି ଦୁଇ ଦେବରୂପରୁ ଆମେ ବିଷହରି ଆଉ ବିଷଧାରୀ ଅବସ୍ଥାନର ଇଙ୍ଗିତକୁ ବୁଝିପାରିବା ।

ବିଷଧାରୀ ବୋଲି ବିଷହରିର ପୂଜା, ଏହା ହେଉଛି ସାପ ପୂଜାର ମୌଳିକ କଥାବସ୍ତୁ । ଭାରତରେ ଆଉ ଅନ୍ୟତ୍ର ବି ଏହି ପରଂପରା ଚାଲି ଆସୁଛି । ବୌଦ୍ଧ ଗୁହ୍ୟସୂତ୍ରରେ ନାଗନାଗୁଣୀ ପୂଜାର ଏକ ସମୟ ନିର୍ଦ୍ଦିଷ୍ଟ କରାଯାଇଛି । ଏହା ହେଉଛି ଚତୁର୍ମାସ୍ୟା ବା ବର୍ଷା ଚାରିମାସର ସମୟ । ଏହି ସମୟରେ ଗୃହସ୍ଥର ଭୂମି ଶୟନ ନିଷେଧ । ଏହି ନିଷେଧାଜ୍ଞାକୁ ବୁଝିବା ଆମକୁ କଷ୍ଟ ହେବନାହିଁ । ସାଧାରଣତଃ ଶ୍ରାବଣମାସର ପଞ୍ଚମୀକୁ ନାଗପଞ୍ଚମୀ ବୋଲି କୁହାଯାଏ । ଆଉ ଏହି ଦିନ ନାଗ - ନାଗୁଣୀଙ୍କ ପୂଜା ଲୌକିକ ମତରେ ସଂପାଦନ କରାଯାଇଥାଏ । ବିଶେଷ ଭାବରେ ଏହି ଦିନ ହିଁ ମନସା ଦେବୀଙ୍କ ଆରାଧନା କରାଯାଇଥାଏ । ସାଧାରଣତଃ ବର୍ଷାକାଳରେ ବିଶେଷତଃ ଶ୍ରାବଣମାସରେ ଗାତରେ ପାଣି ପଶିଯିବାରୁ ସାପମାନେ ବାହାରକୁ ବାହାରିଆସିଥାନ୍ତି । ଅଧିକ ସାପକାମୁଡାର ସଂଖ୍ୟା ତେଣୁ ଏହି ମାସରେ ଦେଖିବାକୁ ମିଳିଥାଏ । ସାଧାରଣତଃ ଲୋକାଳୟରେ ବା ତାହାର ଆଖପାଖରେ ଯେଉଁ ସାପମାନେ ଥାଆନ୍ତି ସେମାନେ ମଣିଷ ବା ଗୃହପାଳିତ ପଶୁପକ୍ଷୀଙ୍କୁ ଯଥାସଂଭବ ଏଡାଇ ଯାଇଥାନ୍ତି । ସେମାନେ ସେମିତି ଦଂଶକ ପ୍ରଜାତି ନୁହଁ । ଭୟ ପାଇଲେ ଆତ୍ମରକ୍ଷା ପାଇଁ ଅଥବା ନିଜର ଖାଦ୍ୟ ସଂଗ୍ରହ କଲାବେଳେ ସେମାନେ ଦଂଶନ କରିଥାନ୍ତି । ଗୋଟିଏ ସାପକୁ ଦେଖିଲେ ଆମେ ତାହାକୁ ଭୟ ପାଇଥାଉ କି ସେ ଆମକୁ ଭୟ ପାଇଥାଏ ଏକଥା ସଠିକ କହିବା କଷ୍ଟ । ସେ ଯାହାହେଉ ଶ୍ରାବଣ ମାସରେ ନାଗନାଗୁଣୀଙ୍କୁ ପୂଜା କରାଯାଇ ସେମାନଙ୍କର ସନ୍ତୋଷ ବିଧାନ କରିବାର ବ୍ୟବସ୍ଥାପନା ହୋଇଥାଏ ଯାହାଫଳରେ ସେମାନେ ଆମର କୌଣସି ଅନିଷ୍ଟ ବିଧାନ କରିବେ ନାହିଁ ।

ତେଣୁ ସାପକାମୁଡାର ଦୈବିକ ପ୍ରତିଷେଧକ ହିସାବରେ ନାଗପଞ୍ଚମୀ ଦିନ ଏହିଭଳି ଆରାଧନା କରାଯାଇଥାଏ । ଭାରତର ଅନେକ ସ୍ଥାନରେ ଏଇ ସମୟରେ ମନସା ଦେବୀଙ୍କ ପୂଜା କରାଯାଏ । ନାଗନାଗୁଣୀ ପୂଜା ଭାରତବର୍ଷର ବହୁ ଅଂଚଳରେ ପ୍ରଚଳିତ ଥିବାବେଳେ ମନସାଙ୍କ ପୂଜା ବିଶେଷରେ ପଶ୍ଚିମବଙ୍ଗ ଆଉ ତାହାର ଆଖପାଖ ଅଂଚଳରେ ଅଧିକ ଦେଖାଯାଏ । ମାଆ ମନସାଙ୍କ ପୂଜା ସେହିଭଳି ପ୍ରାଧାନ୍ୟ ଲାଭ ନକରିବା ପଛରେ କାରଣ ଗୋଟିଏ । ପ୍ରମୁଖ ଭାବରେ ଆମର ଆରାଧନାରେ ଯେହେତୁ ଶିବପୂଜା ପ୍ରାଧାନ୍ୟ ଲାଭ କରିଛି ଆଉ ଶିବଠାକୁର ପ୍ରସନ୍ନ ରହିଛନ୍ତି ଅର୍ଥ ଆମେ ତାଙ୍କର ଆଭୂଷଣ ସାପଠାରୁ ନିଶ୍ଚୟ ନିରାପଦରେ ରହିବୁ ଏହିଭଳି ଗୋଟିଏ ପ୍ରଚଳିତ ଅବବୋଧ କାରଣରୁ ଆଉ ଏକ ସ୍ୱତନ୍ତ୍ର ଦେବୀ ମନସାଙ୍କୁ ସାପଠାରୁ ନିଜକୁ ସୁରକ୍ଷିତ ରହିବା ପାଇଁ ପୂଜା କରିବାର ଆବଶ୍ୟକତାକୁ ହୁଏତ ସେମିତି କେହି ଅନୁଭବ କରନ୍ତି ନାହିଁ । ତେଣୁ ସେଇଥିପାଇଁ ମନସାଙ୍କ ପୂଜା ଅନେକ ସମୟରେ ଶ୍ରାବଣ ମାସରେ ହୋଇଥାଏ, କୌଣସି ନିର୍ଦ୍ଦିଷ୍ଟ ତିଥିରେ ନୁହଁ, ଏପରିକି ବେଳେବେଳେ ଦୁର୍ଗାପୂଜା ସମୟରେ ଏକ ଦରିଦ୍ରର ଦୁର୍ଗାପୂଜା ହିସାବରେ ମାଆ ମନସାଙ୍କ ପୂଜା ଆରାଧନା କରାଯାଇଥାଏ ।

ମାଆ ମନସା ହେଉଛନ୍ତି ଜଣେ ଲୋକଦେବୀ ।

ଲୋକାଚାରରେ ସମୃଦ୍ଧ ଯେଉଁ ଲୋକସମାଜ ତାହାର ସେ ହେଉଛନ୍ତି ଜଣେ ଆରାଧ୍ୟ ଦେବୀ । ଲୋକ ସମାଜ ସବୁବେଳେ ହେଉଛି ବୃତ୍ତିଗତ ଦୃଷ୍ଟିରୁ ଏକ ସଂହତ ସମାଜ । ଏହାକୁ ଅନ୍ୟ ଭାବରେ କହିଲେ ଏହା ହେବ ଏକ ପ୍ରାନ୍ତୀୟ ସମାଜ । ତେଣୁ ପ୍ରାନ୍ତୀୟ ସମାଜରେ ମାଆ ମନସା ମାଟି - ପ୍ରତିମାରେ ବ୍ରାହ୍ମଣ ଦ୍ୱାରା ଅତି ସ୍ୱାଭାବିକ ରୂପରେ ଅର୍ଚ୍ଚିତ ହୋଇଥାନ୍ତି । ଅନ୍ୟପକ୍ଷରେ ମାଆ ମନସା ବ୍ରାହ୍ମଣ ପୂଜକଙ୍କ ଦ୍ୱାରା ପ୍ରସ୍ତର କି ଧାତୁରେ ନିର୍ମିତ ପ୍ରତିମା ଆକାରରେ ସହରାଞ୍ଚଳରେ ସ୍ୱତନ୍ତ୍ର ମନ୍ଦିରରେ ବି ପୂଜିତା ହୋଇଥାନ୍ତି । ମାଆ ମନସାଙ୍କର ଏଇଭଳି ଦୁଇ ପ୍ରକାରର ଆରାଧନା ଆମର ସମାଜର ବର୍ଗ ଚରିତ୍ରକୁ ପ୍ରକାଶ କରିଥାଏ ଆଉ ଆମର ବିଷହରି ଆଉ ବିଷଧାରୀ ବିଶ୍ୱାସର ଭିନ୍ନତାକୁ ବି ବ୍ୟକ୍ତ କରିଥାଏ । ଗୋଟିଏ କ୍ଷେତ୍ରରେ ଆମେ ସରଳ ଆଉ ସ୍ୱାଭାବିକ ଆଉ ଅନ୍ୟ କ୍ଷେତ୍ରରେ ଆମେ ବିଧାନସମ୍ମତ ପୁରୋହିତସର୍ବସ୍ୱ ।

ଶେଷରେ ପ୍ରତି ଭୟ ସହିତ ଏକ ସୌନ୍ଦର୍ଯ୍ୟବୋଧ ରହିଛି । ଆମକୁ ସେଇଥିପାଇଁ "ମନସାଚାଳି" କୁ ଦେଖିବାକୁ ହେବ। ମନସାଚାଳିର ଅର୍ଥ ହେଉଛି ମାଆ ମନସାଙ୍କ ମୂର୍ତ୍ତି । ଏହା ଏକ ଟେରାକୋଟା କାର୍ଯ୍ୟ । ଭାରତରେ ଟେରାକୋଟା ପାଇଁ ବିଶେଷରେ ମାଟିର ଘୋଡା ପାଇଁ ପ୍ରସିଦ୍ଧ ହେଉଛି ପଶ୍ଚିମବଙ୍ଗର ବାଙ୍କୁଡା ଜିଲା । ବାଙ୍କୁଡା ଜିଲାରେ ପଞ୍ଚମୁଡା ବୋଲି ଗୋଟିଏ ଗାଆଁ ରହିଛି ଯେଉଁଠି ଲୋକେ ମାଆ ମନସାଙ୍କ ଏହିଭଳି ଟେରାକୋଟା ମୂର୍ତ୍ତିମାନ ତିଆରି କରିଥାନ୍ତି ।

ମନସାଚାଳିଗୁଡିକ ଦେଖିବାକୁ ଭାରି ସୁନ୍ଦର ।

ଲୋକସୁର ହେଉ କି ଲୋକଦେବୀ ହେଉ ସହଜ ଆଉ ସୁନ୍ଦର ପଣର ସବୁବେଳେ ଏକ ବିଷହରି ବିଭବ ରହିଥାଏ । ଆମେ ସେଇକଥା ମନେ ରଖିବା ଆବଶ୍ୟକ ।

Report an Error