ମେକିଂ ଅଫ୍ ‘ପଥେର ପାଁଞ୍ଚାଲୀ’ ଓ 'ପଥେର ପଦାବଳୀ'

‘ପଥେର ପାଁଞ୍ଚାଲୀ’ ତିଆରି କରିବା ସମୟରେ ସତ୍ୟଜିତ ସାମ୍ନା କରିଥିବା ଅନେକ କିଛି ଅଭାବ ଅସୁବିଧାକୁ ଏଥିରେ ଚିତ୍ରିତ କରାଯାଇଛି । ‘ପଥେର ପାଁଞ୍ଚାଲୀ’ ଚଳଚ୍ଚିତ୍ରର କିଛି ଦୃଶ୍ୟକୁ ପୁଣିଥରେ ଏଇଠି ଦୃଶ୍ୟାୟନ କରାଯାଇଛି ।


ଫଟୋ - ୱିକିମିଡିଆ

ସତ୍ୟଜିତ ରାୟ ୧୯୫୫ ମସିହାରେ ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସକୁ ନେଇ ବଙ୍ଗଳା ଭାଷାରେ ‘ପଥେର ପାଁଞ୍ଚାଲୀ’ ନାମରେ ଗୋଟେ ସିନେମା ତିଆରି କରିଥିଲେ । ସିନେମା ନିର୍ମାଣର କୌଣସି ବିଧିବଦ୍ଧ ତାଲିମ ନେଇନଥିବା ସତ୍ୟଜିତଙ୍କ ‘ପଥେର ପାଁଞ୍ଚାଲୀ’ ସିନେମା ଭାରତୀୟ ସିନେମାକୁ ବିଶ୍ୱଦରବାରରେ ପରିଚୟ ଦେଇଥିଲା । ଦେଶ ଓ ବିଦେଶ ମିଶେଇ ‘ପଥେର ପାଁଞ୍ଚାଲୀ’ ସମୁଦାୟ ଅଠରଟି ପୁରସ୍କାର ପାଇଥିଲା । ସତ୍ୟଜିତଙ୍କୁ ବିଶ୍ୱ ସିନେମାକୁ ତାଙ୍କ ଜୀବନବ୍ୟାପୀ ଅବଦାନ ପାଇଁ କାହିଁରେ କେତେ ସମ୍ମାନ ଓ ପୁରସ୍କାର ମିଳିଥିଲା ଏବଂ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା ।

ସତ୍ୟଜିତ ରାୟଙ୍କର ଜନ୍ମ ହୋଇଥିଲା ଦୁଇ ମଇ ୧୯୨୧ ମସିହା କଲିକତା ସହରରେ । ଗଲାବର୍ଷ ତାଙ୍କ ଜନ୍ମ ଶତବାର୍ଷିକୀ ପାଳିତ ହେଇଯାଇଛି । ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂରା ବର୍ଷକ ବ୍ୟାପି ଅନେକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଆମ ଓଡ଼ିଶାରେ ଅବଶ୍ୟ କିଛି ହୋଇନଥିଲା । ଯାହା କିଛି ବ୍ୟକ୍ତିଗତ ଭାବରେ ଉତ୍ସାହୀ ସିନେପ୍ରେମୀଙ୍କ ଦ୍ୱାରା ଆୟୋଜିତ ହେଇଥା'ନ୍ତା କି କ'ଣ, କରୋନା ମହାମାରୀ ବି କିଛି କମି ଦାଉ ସାଧିନଥିଲା ।

ଜନ୍ମ ଶତବାର୍ଷିକୀ ପାଇଁ ସତ୍ୟଜିତ ରାୟଙ୍କ ଚାରୋଟି କ୍ଷୁଦ୍ରଗଳ୍ପକୁ ନେଇ ଭିନ୍ନ ଭିନ୍ନ ନିର୍ଦ୍ଦେଶକ ଚାରୋଟି ସିନେମାକୁ ଏକ ୱେବ୍ ସିରିଜ୍ ଭାବରେ ତିଆରି କରିଥିଲେ । ନେଟଫ୍ଲିକ୍ସରେ ସେସବୁକୁ ଦେଖିଥିଲି । ସବୁଗୁଡାକ ଭଲ ହେଇଛି । ସତ୍ୟଜିତ ରାୟ ବଢିଆ କ୍ଷୁଦ୍ରଗଳ୍ପ ଲେଖୁଥିଲେ । ଚମତ୍କାର ଅଳଂକରଣ ଓ ପ୍ରଚ୍ଛଦ ମଧ୍ୟ ଆଙ୍କୁଥିଲେ । କିଶୋରମାନଙ୍କ ପାଇଁ ଫେଲୁଦା ସିରିଜର ଡିଟେକଟିଭ୍ ଉପନ୍ୟାସ ବି ଲେଖୁଥିଲେ । ଚାରିଦିନ ତଳେ ଜ୍ୟୋତି ସାର୍ ଙ୍କ (ଜ୍ୟୋତି ନନ୍ଦ) ସହ ଫୋନରେ କଥା ହେଲାବେଳେ ସାର୍ ପଚାରିଲେ ମୁଁ ‘ଅପରାଜିତ’ ଦେଖିଛି ନା ନାହିଁ ? ମୁଁ ହଁ ମାରିଲି । କାରଣ ସତ୍ୟଜିତ ରାୟଙ୍କର ପ୍ରାୟ ସବୁଗୁଡା ସିନେମା ମୁଁ ଦେଖିଛି । କେତୋଟିକୁ ପୁଣି ଏକାଧିକ ବାର ଦେଖିଛି । ମୋର ମନେଥିଲା ୧୯୫୬ରେ ନିର୍ମିତ ‘ଅପରାଜିତ’ ସିନେମା ହେଉଛି ଅପୁ ଟ୍ରିଲୋଜିର ଦ୍ୱିତୀୟ ଭାଗ । କିନ୍ତୁ ସାର୍ କହିଲେ ସତ୍ୟଜିତ ରାୟଙ୍କ ଆଂଶିକ ଜୀବନୀକୁ ନେଇ ଆଉ ଏକ ସିନେମା ତିଆରି ହୋଇଛି । ସିନେମାଟି ଜି - ୫ ଡିଜିଟାଲ୍ ପ୍ଲାଟଫର୍ମରେ ଅଛି । ସେଇଟି ଦେଖ ।

ସିନେମା ବିଷୟରେ ପ୍ରଥମେ ପଢିବାକୁ ଖୋଜିଲାବେଳକୁ ଜାଣିଲି ଅନିକ ଦତ୍ତ ଏକ ନୂଆ ‘ଅପରାଜିତ’ ତିଆରି କରିଛନ୍ତି । ଏଥର ମୋର ମନେପଡିଲା ଜନ୍ମ ଶତବାର୍ଷିକୀ ପାଇଁ ରାୟଙ୍କ ଜୀବନୀକୁ ନେଇ କିଛି ଗୋଟେ ସିନେମା ତିଆରି ହେଇଥିଲା । ସେ ସମ୍ପର୍କରେ ଖବର ବି ବାହାରିଥିଲା, କିନ୍ତୁ ଦେଖିବାର ସୁଯୋଗ ଆସିନଥିଲା । ଆଜିର ଡିଜିଟାଲ୍ ପ୍ଲାଟଫର୍ମମାନଙ୍କୁ ଧନ୍ୟବାଦ । ସେମାନଙ୍କ ପାଇଁ ଏମିତିକା ସିନେମା ସବୁ ସହଜରେ ଦେଖିହେଉଛି ।

ସେଦିନର ପୂରା ଖରାବେଳ ‘ଅପରାଜିତ’ ଦେଖିବାରେ ବିତିଗଲା । ୧୩୮ ମିନିଟର କଳା - ଧଳା ସିନେମା । ଯେ କେହି ସତ୍ୟଜିତପ୍ରେମୀ ଦେଖିଲେ ତାକୁ ନିଶ୍ଚୟ ଭଲ ଲାଗିବ । ହଁ, ଏ ସିନେମା ଦେଖିବା ଆଗରୁ ସତ୍ୟଜିତଙ୍କ ପ୍ରଥମ ସିନେମା ‘ପଥେର ପାଁଞ୍ଚାଲୀ’ କିନ୍ତୁ ଦେଖିବାକୁ ପଡିବ । ‘ପଥେର ପାଁଞ୍ଚାଲୀ’ ନ ଦେଖିଥିଲେ ‘ଅପରାଜିତ’ ଦେଖିବାର ମଜା ଆସିବନି । ମୋତେ ସିନେମାଟି ଭଲ ଲାଗିଲା, କାରଣ ମୁଁ ‘ପଥେର ପାଁଞ୍ଚାଲୀ’ ଅନେକ ଥର ଦେଖିଥିଲି ଓ ତା'ର ନିର୍ମାଣ ସମୟର କାହାଣୀ ବି କିଛି କିଛି ଜାଣିଥିଲି । ଆର୍ଥିକ ଅସୁବିଧା ପାଇଁ ‘ପଥେର ପାଁଞ୍ଚାଲୀ’ ଶେଷ କରିବାକୁ ରାୟଙ୍କୁ ତିନିବର୍ଷ କେମିତି ଲାଗିଯାଇଥିଲା, କେମିତି ବନ୍ଧା ପଡିଥିଲା ପତ୍ନୀଙ୍କ ଗହଣା, କେମିତି ରାଜ୍ୟର ମୁଖ୍ୟମନ୍ତ୍ରୀ ପଥ ବା ରାସ୍ତା ଶବ୍ଦ ଥିବାରୁ ଚାଲାକିରେ ସଡକ ବିଭାଗର ଅର୍ଥ ଦେଇ ସିନେମା ନିର୍ମାଣରେ ସହାଯ୍ୟ କରିଥିଲେ ଇତ୍ୟାଦି ଇତ୍ୟାଦି । ମୋଟାମୋଟି ଦେଖିବାକୁ ଗଲେ ‘ପଥେର ପାଁଞ୍ଚାଲୀ’ ସିନେମା ତିଆରି କରିବାର ନିଷ୍ପତ୍ତି, ସିନେମା ତିଆରି କରିବା ସମୟର ସୁବିଧା ଓ ଅସୁବିଧା ଏବଂ ପରିଶେଷରେ ସଫଳତା ହିଁ ‘ଅପରାଜିତ’ର କାହାଣୀ ।

ଅନିକ ଦତ୍ତଙ୍କ ‘ଅପରାଜିତ’ ସିନେମାକୁ ମେକିଂ ଅଫ୍ ‘ପଥେର ପାଁଞ୍ଚାଲୀ’ ବୋଲି କହିପାରିବା । ସତ୍ୟଜିତ ରାୟଙ୍କର ଏମିତି ଏକ ଆଂଶିକ ଜୀବନୀକୁ ନେଇ ସିନେମା କରିବା ପାଇଁ ତାଙ୍କ ପୁଅ ସନ୍ଦୀପ ରାୟଙ୍କ ପାଖରୁ ଅନୁମତି ଅବଶ୍ୟ ଅଣାଯାଇଥିଲା । ସିନେମାକୁ କଳା - ଧଳା ଭାବରେ ହିଁ ପରିବେଷଣ କରାଯାଇଛି । ସିନେମାଟିକୁ ଦେଖିଲେ ସେଇ ପଚାଶ ଦଶକର ସମୟ ହିଁ ଦିଶିବ । ସେଇ ପୋଷାକ ପରିଚ୍ଛଦ, ସେଇ ଆସବାବପତ୍ର, ସେଇ ଆଦବକାଇଦା । ସତ୍ୟଜିତ ରାୟଙ୍କ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଜିତୁ କମଲ । ଭଲ ଅଭିନୟ କରିଛନ୍ତି ସେ । କିଛି କିଛି ଫ୍ରେମ୍ ରେ ମନେହେଲା ମୁଁ ସତସତିକା ମାନିକ୍ ଦା ବା ସତ୍ୟଜିତ ରାୟଙ୍କୁ ଦେଖୁଛି । ଡେଙ୍ଗା ମଣିଷ ଓ ଖଣ୍ଡାଧାରୁଆ ନାକ, ଆଉ ଓଠରେ ହରଦମ୍ ଜଳୁଥିବା ସିଗାରେଟ୍ ।

‘ଅପରାଜିତ’ ନାମର ଏଇ ସିନେମାରେ ସତ୍ୟଜିତ ରାୟଙ୍କ ଜୀବନ କାହାଣୀ ଚିତ୍ରିତ ହୋଇଥିଲେ ମଧ୍ୟ ସିନେମାରେ ନିର୍ଦ୍ଦେଶକ ଚରିତ୍ରମାନଙ୍କର ନାମ କିନ୍ତୁ ପରିବର୍ତ୍ତନ କରିଦେଇଛନ୍ତି । ଯେମିତି ସତ୍ୟଜିତ ରାୟଙ୍କ ନାମ ହୋଇଛି ଅପରାଜିତୋ ରାୟ । ତାଙ୍କ ପତ୍ନୀଙ୍କ ନାମ ବିଜୟା ବଦଳରେ ହୋଇଛି ବିମଳା । ସିନେମାଟୋଗ୍ରାଫର ସୁବ୍ରତ ମିତ୍ରଙ୍କ ନାମ ବଦଳି ହେଇଛି ସୁବୀର । ସିନେମାରେ ଯେଉଁ ଚଳଚ୍ଚିତ୍ର ନିର୍ମାଣର କାହାଣୀ ରହିଛି ତା'ର ନାମ ରହିଛି ‘ପଥେର ପଦାବଳୀ’ । ଶିଶୁ କଳାକାର ଅପୁର ନାମ ହୋଇଛି ମାନିକ୍ । ସତ୍ୟଜିତ ରାୟଙ୍କ ଡାକ ନାମ ମାନିକ୍ । ‘ପଥେର ପାଁଞ୍ଚାଲୀ’ର ଦୁର୍ଗାର ନାମ ରହିଛି ଉମା । ‘ପଥେର ପାଁଞ୍ଚାଲୀ’ ଦୁର୍ଗା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀର ଅସଲ ନାମ ଉମା ଥିଲା ।

‘ପଥେର ପାଁଞ୍ଚାଲୀ’ ତିଆରି କରିବା ସମୟରେ ସତ୍ୟଜିତ ସାମ୍ନା କରିଥିବା ଅନେକ କିଛି ଅଭାବ ଅସୁବିଧାକୁ ଏଥିରେ ଚିତ୍ରିତ କରାଯାଇଛି । ‘ପଥେର ପାଁଞ୍ଚାଲୀ’ ଚଳଚ୍ଚିତ୍ରର କିଛି ଦୃଶ୍ୟକୁ ପୁଣିଥରେ ଏଇଠି ଦୃଶ୍ୟାୟନ କରାଯାଇଛି । ବିଶେଷ କରି ‘ପଥେର ପାଁଞ୍ଚାଲୀ’ର ଦୁଇ ପ୍ରଖ୍ୟାତ ଦୃଶ୍ୟ ଯେଉଁଥିରେ ଅପୁ ଓ ଦୁର୍ଗା କାଶତଣ୍ଡୀ ଫୁଲର ଉପତ୍ୟକାରେ ଧୂଆଁ ଛାଡି ଧାଉଁଥିବା ଟ୍ରେନକୁ ଦେଖୁଛନ୍ତି ଓ ବର୍ଷାର ଦୃଶ୍ୟ । ‘ପଥେର ପାଁଞ୍ଚାଲୀ’ ପାଇଁ ସତ୍ୟଜିତ ରାୟ ଖୋଜି ଖୋଜି ବିଭୂତିଭୂଷଣଙ୍କ ଉପନ୍ୟାସରେ ବର୍ଣ୍ଣିତ ବୁଢୀ ଚରିତ୍ର ପାଇଁ ଜଣେ ବର୍ଷୀୟାନ୍ ଅଭିନେତ୍ରୀ ଚୁନିବାଳା ଦେବୀଙ୍କୁ ଖୋଜି ଆଣିଥିଲେ । ଠିକ୍ ସେମିତି ‘ପଥେର ପଦାବଳୀ’ ପାଇଁ ତା'ର ନିର୍ଦ୍ଦେଶକ ସେମିତି ଜଣେ ବୟସ୍କା ଅଭିନେତ୍ରୀଙ୍କୁ ଖୋଜି ଆଣିଛନ୍ତି ।

ସିନେମାକୁ ଦେଖିଲେ ଜଣେ ସହଜରେ ବୁଝିପାରିବ ପରବର୍ତ୍ତୀ ସମୟର ବିଶ୍ୱ ବିଖ୍ୟାତ ସିନେ ନିର୍ଦ୍ଦେଶକ ସତ୍ୟଜିତ ରାୟ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଅବସ୍ଥାରେ କେତେ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ କେମିତି ସାମ୍ନା କରିଥିଲେ । କଥା ହେଲା ସଫଳତା କାହା ହାତକୁ ଏତେ ସହଜରେ ଆସେନି । ନିରବଚ୍ଛିନ୍ନ ନିଷ୍ଠା, ଗଭୀର ଆତ୍ମପ୍ରତ୍ୟୟ ଓ ଅନବରତ ଉଦ୍ୟମ ତା' ପାଇଁ ବାଟ କଢେଇ ନିଏ । ତା'ପରେ ସିନେମା ତିଆରି ବଡ କଷ୍ଟିକିଆ କାମ । ସେ କଷ୍ଟ କାଲି ଥିଲା, ଆଜି ବି ଅଛି । କିଛିଦିନ ଇଣ୍ଡଷ୍ଟ୍ରି ସହ ଯୋଡି ହୋଇ ରହିଥିଲି । ତେଣୁ ଜାଣିଛି ।

ସେ ଯା' ହେଉ ‘ଅପରାଜିତ’ ସିନେମାଟି ସତରେ ଭଲ ହୋଇଛି । ପ୍ରଥମେ ଦେଖିନିଅନ୍ତୁ । ତାପରେ କଥା ହେବା । ତା' ଆଗରୁ ‘ପଥେର ପାଁଞ୍ଚାଲୀ’ କିନ୍ତୁ ଦେଖିବାକୁ ଭୁଲିବେନି । ହଁ, ଏଇ ସିନେମା ଦେଖିଲାବେଳେ ମୋର ଗୋଟେ କଥା ମନ ଭିତରେ ଘାଣ୍ଟି ହେଉଛି । ଏମିତି କେହି ଜଣେ ଆମ ଓଡ଼ିଆ ସିନେମା ‘ମାୟାମିରିଗ’ର ମେକିଂକୁ ନେଇ ଗୋଟେ ସିନେମା ତିଆରି କରନ୍ତାନି' ? ନୀରଦ ମହାପାତ୍ରଙ୍କ ‘ମାୟାମିରିଗ’ ସିନେମା ତିଆରି ପଛର କାହାଣୀ କିଛି କମି ନାଟକୀୟ ନୁହେଁ । କିଛି କିଛି ମୁଁ ଶୁଣିକରି ଜାଣିଥିଲି ଓ ଦିନେ ନୀରଦ ବାବୁଙ୍କ ପତ୍ନୀ ସବିତା ମ୍ୟାଡମ୍ ତାଙ୍କ ଘରେ ମୋତେ ଆହୁରି କିଛି ସ୍ମୃତି - ଅନୁଭୂତି କହିଥିଲେ । ସତରେ ସେକଥା ସବୁ କିଛି କମି ରୋମାଞ୍ଚକର ନୁହେଁ । ବଢିଆ ସିନେମା ଗୋଟେ ହୋଇପାରନ୍ତା । ‘ମାୟାମିରିଗ’ ମୋତେ ଓ ଅନ୍ୟମାନଙ୍କୁ ଭଲ ଲାଗିଥିବା ଏଯାବତ୍ ସବୁଠାରୁ ଭଲ ଓଡ଼ିଆ ସିନେମା ।

Report an Error