କେବେ ଦିନେ ମୋର ବି ଗୋଟେ ଗାଁ ଥିଲା

ଜଗା ଜାଣିଲା, ତା ସାଥିରେ ତା' ବାପା ମା'ଙ୍କୁ ବି ରାସ୍ତାକଡରେ ଠିଆ କରେଇ ଦେଇଛି । ଜଗା ତା' ଭଳି ଅର୍ଦ୍ଧଶିକ୍ଷିତ, ଗାଁକୁ ତୁଚ୍ଛ ମନେକରୁଥିବା ହତଭାଗା ଅନେକଙ୍କ କାହାଣୀ ଶୁଣେ ଓ ନିଜ ଦୁଃଖକୁ ଧୂଆଁରେ ଉଡେଇଦିଏ । ମନକୁ ଆସେ କେବେ ଦିନେ ମୋର ବି ଗୋଟେ ଗାଁ ଥିଲା ।


'ତାହେଲେ ତୁ ଆସି, ରାସ୍ତାକଡରେ ଯୋତା କାଇଁକି ସଫା କରୁଚୁ । ଏଠି ଶଳା ଯାହାକୁ ଦେଖ ଗୋଟେ ଲେଖାଁ କରୋଡପତି । ତୋ ଘର, ପରିବାର, ଚାଷଜମି ସବୁଥିଲା । ତୋ ଜମିରେ ସୂର୍ଯ୍ୟ ଚନ୍ଦ୍ର ନିତି ଜନ୍ମ ହଉଥିଲେ । ଗାଈ, ଛେଳିରେ ଗୁହାଳ ଭର୍ତ୍ତି ଥିଲା । କାନ କାଟିଲାଣି ତୋ ମିଛ ଚବର ଚବର ଶୁଣି । ଏଇୟା ଥିଲା, ସେଇୟା ଥିଲା । ଗଲା କୁଆଡେ ?'

ରାଗରେ ଏତିକି କହି, ପାଖ ଚୌକିରେ ଧକ୍କା ଗୋଟେ ପକେଇ ବାହାରିଗଲା ଜଗା । ପାନଦୋକାନରେ ବିଡି ଜଳେଇ ଧୂଆଁ ଛାଡି ଛାଡି ରାସ୍ତାର ଗତିବିଧି ଦେଖିବାରେ ଲାଗିଲା ।

ମନେପଡିଲା ତା ନିଜ ଗାଁ କଥା । କୁଡିଆ ଖଣ୍ଡେ ଥିଲା ଘର ବୋଲି । ଜମିଖଣ୍ଡିକ ଯାହା ଥିଲା, ଧାନ ସହିତ ଅନ୍ୟାନ୍ୟ ଫସଲ ମଧ୍ୟ ହେଉଥିଲା । ବାପା ଦିନରାତି ସେ ଜମିରେ ଲାଗିଥାଆନ୍ତି । ଧାନ ଅମଳ ହେବା ଯାହା ଜାଣେ ଜଗା । ତାର ନାଁ ଦେଇଥିଲେ ଜଗନ୍ନାଥ ପ୍ରଧାନ ବାପା କି ଜେଜେ ।

'ଜଗା' ବୋଲି ଡାକନ୍ତି ସମସ୍ତେ । ବାପା ମା' ଝାଳନାଳ ହେଇ ସକାଳୁ ରାତି ଯାଏଁ କାମରେ ଲାଗିଥାଆନ୍ତି । ଜଗା ହେଉଛି ବାପା ମା'ଙ୍କ ଏକୋଇରବଳା । ଜଗା ଗାଁ ସ୍କୁଲରେ ପଢେ । ଇଚ୍ଛା ହେଲେ ସ୍କୁଲ ଯାଏ ନହେଲେ ଯାଏନା । ପାଠ ନାଁରେ, ବହିର ପୃଷ୍ଠା ଓଲଟାଇ ଜାଣେ । ବାପା ମା' ପଢି ଜାଣନ୍ତି ନାହିଁ । ବିଲରେ ମାଟି ସହିତ କଥାବାର୍ତ୍ତା କରୁଥିବା ଲୋକ ଗାଁ ଦାଣ୍ଡରେ ଠିଆ ହେଇ ପାଞ୍ଚ ଲୋକ ସାଥିରେ କଥାହେବାକୁ ଲଜ୍ଜାବୋଧ କରନ୍ତି । ମାଟିରୁ ଖାଦ୍ୟ ଫଳେଇ ପରିବାର ପୋଷି ପାରୁଥିବା ଲୋକ, ଧାର୍ଯ୍ଯ ବେତନଧାରୀ ସରକାରୀ ବା ବେସରକାରୀ ସଂସ୍ଥାରେ କାର୍ଯ୍ୟରତ ଚାକିରିଆଙ୍କୁ 'ବାବୁ' ସମ୍ବୋଧନ କରନ୍ତି ଓ ସେମାନଙ୍କୁ ଅଧା ପୃଥିବୀର ମାଲିକ ଭାବନ୍ତି । ଜଗାର ବାପା ମା' ବି ସେଇଭଳି ଚିନ୍ତାଧାରା ରଖନ୍ତି । ସେମାନେ ଜଗାର ପିଲାବେଳର ସ୍ବପ୍ନକୁ ସେହି 'ବାବୁ' ଢାଞ୍ଚାରେ ସଜାଇ ଦିଅନ୍ତି ।

'ହେ ଜଗା ମା', ତାକୁ ଫୁଲପ୍ଯାଣ୍ଟ ପିନ୍ଧା । ଆମ ଜଗାବାବୁ ପକେଟ୍ ଥିବା ସାର୍ଟ ପିନ୍ଧି, ଇନ୍ କରି, ଯୁତା ପିନ୍ଧିକି ଚାଲିବ ।' ଜଗାର ବାପା କହନ୍ତି ।

'ଯେବେ ହବ ନିଜେ ପିନ୍ଧିବ ନାଇଁ ଯେ, ଆଜିଠୁ କାଇଁ ପିନ୍ଧିବ ?'

ଜଗା ମା' କଥାରେ ତା ବାପା ରାଗିଯାଆନ୍ତି ।

'ହେଃ!!!! ଅପାଠୁଆ ଗାଁ ମାଇକିନା ତୁ । କିଛି ଜାଣିନୁ ବାବୁମାନଙ୍କ କାୟଦା । ମୋ ପୁଅ ବାବୁ ହବଲୋ । ଝାଳଝାଳୁଆ କଲର ଛଡା ସାଟ୍ ଖଣ୍ଡେ ପିନ୍ଧି, କାଦୁଅ ମାଟିରେ ଘାଣ୍ଟି ହବନି ।' ତା ବାପା ବସିବା ଜାଗାରୁ ଉଠି ଆସି କହନ୍ତି ।

ଜଗାର ମା' ଏକଥାରେ, ହସି ଦିଅନ୍ତି । ଦିହିଁଙ୍କ ମୁହଁ ଚକଚକ ଦେଖାଯାଏ । ଛୋଟପିଲାଟିଏ ଦୁଇଟି ଲୋକଙ୍କ ମନ ଆକାଶରେ କେତେ ସ୍ବପ୍ନ ଓ ସମ୍ଭାବନାର ସୁନେଲି କିରଣ ଲେସିଦିଏ ।

ଜଗା କ'ଣ ଭାବେ କେଜାଣି, ଖୁସି ହେଇଯାଏ ।

ଦିନ ବିତେ । ଅକ୍ଷରରୁ ଶବ୍ଦ ଓ ଅସଂଖ୍ୟ ଶବ୍ଦର ଲମ୍ବ ନଦୀରେ ପହଁରି ପାରେନି ଜଗା । ହାତଗୋଡ ହଲେଇ ବହୁତ ଚେଷ୍ଟା କଲେ ବି, ଇଂଲିଶ ଓ ଗଣିତ କେବେ ତାକୁ ଧରା ଦିଅନ୍ତିନି । ଗାଁ ସ୍କୁଲରେ ପିଲାଙ୍କ ପାଠପଢାର ମୁଖ୍ଯ ଆକର୍ଷଣ ସେଠିକା ଖାଇବା ହେତୁ କିଛି ପିଲା ସ୍କୁଲକୁ ଯିବାକୁ ବାଧ୍ଯ ହୁଅନ୍ତି । ପାଠ ପଢି ବଡ ମଣିଷ ହେବା ଚିନ୍ତା ସେମାନଙ୍କ କୋଉଠି ଥାଏ । ନିଜ ପାଖାପାଖି ଦେଖୁଥିବା ମଣିଷ ଓ ସେମାନଙ୍କ ଜୀବନକୁ ନେଇ ପିଲାମାନେ ନିଜ ଭବିଷ୍ୟତ ଆକଳନ କରିନିଅନ୍ତି । ପିଲାଙ୍କୁ ସ୍ବପ୍ନ ଦେଖାଇବା, ନୂତନ ଚିନ୍ତାଧାରାର ଖୋରାକ୍ ଯୋଗାଇଦେବା ଅବଶ୍ଯ ଶିକ୍ଷକମାନଙ୍କ କାର୍ଯ୍ୟ । ଅକ୍ଷର ଗଣ୍ଡାଏ ଶିଖାଇବା ଓ ପୁସ୍ତକଲିଖିତ ତଥ୍ଯକୁ ଘୋଷେଇବା ଛଡା ଅଧିକା କିଛି କରିବାକୁ ଚେଷ୍ଟା କରନ୍ତି ନାହିଁ ସେମାନେ ।

ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା କିନ୍ତୁ ହୁଏ । ପରୀକ୍ଷାରେ ସେହି ଘୋଷାପାଠର ମୂଲ୍ୟାଙ୍କନ ହୁଏ । ପ୍ରଶ୍ନ ଓ ଉତ୍ତର ଦିହେଁ ଶିକ୍ଷକଙ୍କ ଦ୍ବାରା ତିଆରି ହୋଇଥାଏ । ପ୍ରଶ୍ନ ଦିଆଯାଏ ଓ ଉତ୍ତର ପିଲାମାନେ ଘୋଷିକି ଆସିଥାଆନ୍ତି । ମୁଣ୍ଡ ଖର୍ଚ୍ଚ କରିବା ଆବଶ୍ଯକ ନଥାଏ । ପିଲାମାନେ ଏହି ବ୍ୟବସ୍ଥା ଯେତେବେଳେ ବୁଝିଯାଆନ୍ତି, ସେମାନଙ୍କ ପାଇଁ ଏହା ଭଲ ସହାୟକ ହୁଏ । ଯଦି କାହିଁକି, କ'ଣ, କେମିତି ପଚାରିବା ଯାଏଁ କଥାଗଲା, ତାହେଲେ ସେ ବିଦ୍ୟାର୍ଥୀ ଅଯୋଗ୍ୟ ବିବେଚିତ ହୁଏ ।

କହିବା କଥା ଏତିକି ଯେ, ଏହି ଶିକ୍ଷା ବ୍ୟବସ୍ଥାର ଠାବ ଉଠାଇବାରେ ଜଗା ସମର୍ଥ ହୋଇପାରିନଥିଲା । ପ୍ରତି ଶ୍ରେଣୀର ଏକକ ଅଙ୍କ ବିଶିଷ୍ଟ ମୂଲ୍ଯ ପାଇଥିବା ସେ କେବଳ ଜଣେ ଛାତ୍ର ଥିଲା ।

ଶିକ୍ଷକ ତା ବାପାଙ୍କୁ ଡାକି କହନ୍ତି, 'ଜଗା କିଛି ପଢୁନି । ତାକୁ ଘରେ ଦେଖୁନ କାହିଁକି ? ପାଠ ନ ପଢି, ସେ ପିଲା କରିବ କ'ଣ ?'

'ଆଜ୍ଞା, ଆପଣ ମୋ ପେଇଁ ଭଗବାନ । ମୁଁ ଅଶିକ୍ଷିତ ଲୋକ । ଆପଣ ତା ଭାଗ୍ୟବିଧାତା । ଗୋଡଧରୁଚି କିଛି କରନ୍ତୁ ।' କାନ୍ଦି କାନ୍ଦି ସତରେ ଗୋଡ ଧରନ୍ତି ଜଗାର ବାପା ।

'ମୁଁ କ'ଣ ବାଟିକି ପେଇବି ! ଆଚ୍ଛା ହଉ, ତାକୁ ସନ୍ଧ୍ୟାରେ ଛାଡ ମୋ ପାଖକୁ । ଦେଖେ କ'ଣ କରିପାରିବା ।'

ଶିକ୍ଷକଙ୍କ କଥାରେ ସାହସ ବାନ୍ଧିଲେ, ଜଗାର ବାପା ।

ଯିଏ ମୂଳରୁ କିଛି ବୁଝିନି ସେ କ'ଣ ବା ପଢିବ ଆଉ ବୁଝିବ । ଅଷ୍ଟମ ଶ୍ରେଣୀରେ ଚାରିଥର ରହିବା ପରେ, ଜଗାର ପାଠରେ ଡୋରି ବନ୍ଧାହେଲା ।

ବାପା ମା'ଙ୍କ ସ୍ବପ୍ନ ଭାଙ୍ଗି ଚୁରମାର । ଜଗା ପାଠ ପଢିନଥାନ୍ତା, ସେ ତା ବାପା ଓ ମା' ଙ୍କ ଭଳି ନମ୍ର ଓ ସରଳ ସ୍ବଭାବର ହୋଇଥାଆନ୍ତା । ପାଠ ପଢିଥିଲେ, ବିଦ୍ବାନ ହୁଅନ୍ତା ।

ବର୍ତ୍ତମାନ ଜଗାବାବୁ ଆଉ ବିଲରେ କାମ କରିବାକୁ ଇଚ୍ଛୁକ ହେଲେନାହିଁ । ଗାଁରେ ତା' ଭଳି କିଛି ପିଲା ବି ଥିଲେ । ସେମାନଙ୍କ ଚାଲି, ଚଳନ, କଥାବାର୍ତ୍ତା ସବୁ ଅଲଗା । ସେମାନେ କୌଣସି ଗଠନମୂଳକ କାର୍ଯ୍ୟରେ ମନ ଦିଅନ୍ତିନି । ଘରେ ରୁହନ୍ତି ନାହିଁ ବାପା ମା'ଙ୍କ ଗାଳି ଶୁଣିବା ଭୟରେ । ସେମାନଙ୍କ ବସା ଉଠା କରିବା ସ୍ଥାନ ଅଲଗା । ଗାଁରେ କୌଣସି ରାଜନୈତିକ ଦଳରେ କୋଳାହଳ ଦରକାର ହେଲେ, ବା ବାହୁବଳ ଦେଖାଇବା ଦରକାର ହେଲେ ଏମାନେ କାମ ଆସନ୍ତି । ଜଗା ସେଇ ପିଲାଙ୍କ ସହିତ ବସାଉଠା କରିବା ଦେଖାଗଲା ।

ବାପା ମା' ଚିନ୍ତାରେ ପଡିଲେ ।

ଦିନେ ଗୋଟିଏ ରାଜନୈତିକ ଦଳର କୁଜି ନେତାଙ୍କ ନଜର ପଡିଲା ଜଗା ଉପରେ । ସହରରେ ନିଜ ଚେଲା ସଂଖ୍ୟା ବଢାଇବା ପାଇଁ ସେ ଜଗାକୁ କାମ ଦେବାର ମିଛ ପ୍ରଲୋଭନ ଦେଖାଇଲେ । ସରଳ ଲୋକମାନେ ଜାଲରେ ପଡିଯାଆନ୍ତି । ସହରରେ ଯାଇ 'ବାବୁ' ହେବା ସ୍ବପ୍ନ ପୁଣି ଦେଖିଲେ ଜଗାର ଅଭିଭାବକ ।

ଜଗା ସହରକୁ ଆସିଲା । ବେଶ୍ କିଛିଦିନ ଲାଗିଲା ସହରୀ ଆଦବ କାୟଦା ଜାଣିବା ପାଇଁ । ସହରୀ ଢାଞ୍ଚାର ଚାଲିଚଳନ ଓ ଭାଷା ଅଡୁଆ ଲାଗିଲେ ବି ଧିରେଧିରେ ସେ ବଦଳିବାରେ ଲାଗିଲା । ସମ୍ପୃକ୍ତ ନେତାଙ୍କ ଅଧୀନରେ ସେ ଏକ ଚାମଚା ବା ଚେଲା ହୋଇ ସେଇ ସମସ୍ତ କାମ କରିବାକୁ ବାଧ୍ୟ ହେଲା ଯାହା ସେ ଘରେ କେବେ କରେନି । ଘର ସଫାଠୁ ଗାଡି ସଫା, ପରିବା କିଣାଠୁ ବଗିଚା କାମ ସବୁ କରିବାକୁ ପଡିଲା । ଜଗା ବୁଝିଗଲା ଯେ ସେ, ଏକ ଚାକର ମାତ୍ର । ଏହି ଜୀବନ ତାକୁ ଭଲ ବା କେମିତି ଲାଗିବ ?

ବର୍ତ୍ତମାନ ସେ ନିଜେ କିଛି କରିବାକୁ ଚାହିଁଲା । ନେତାଜଣକ ଗାଁରେ ଜମି ବିକ୍ରୀ କରିବା ପରାମର୍ଶ ଦେଲେ । ଅଶାନ୍ତିକର ପରିବେଶ ଘରେ ସୃଷ୍ଟି ହେଲା । ପୁଅ ମୋହରେ ନିଜ ଭିଟାମାଟି ବି ବିକିଲେ ଜଗାର ବାପା । ଜଗା ଏକ ପରିବା ଓ ଜଳଖିଆ ଦୋକାନ କଲା, ସହରର ରାସ୍ତାକଡରେ । ସେହି ନେତା ଜଣକ ବାହାବା କଲେ, ସାବାସି ଦେଲେ । ବାପା ଓ ମା ଦିହେଁ ଜଗାକୁ ସାହାଯ୍ଯ କଲେ । ଦୋକାନ କିଛିଦିନରେ ଚାଲିଲା । କିନ୍ତୁ ପୋଲିସ୍ ଓ ଗୁଣ୍ଡାଙ୍କ ମାଗଣାଖିଆ ଜଗାକୁ ବାଧୁଥାଏ । ଜଗାର ବାପା ଦେଖିଥିବା 'ବାବୁ' ସ୍ବପ୍ନ କୋଉ କାଳରୁ ଶୂନ୍ୟରେ ମିଳେଇ ଗଲାଣି । ଜଗା ବି ଜାଣେ, ଗାଁରେ ସେମାନେ ଭଲରେ ଥିଲେ । ବାପା ମା'ଙ୍କ ଆଖିକୁ ଚାହିଁପାରେନି ଜଗା ।

ପୁଣି ସହର ରଙ୍ଗ ବଦଳାଇଲା । ଏହି ସହରକୁ ଜଗା ଭଳି ଲୋକ, ଏହି ଦୋକାନର ଆବଶ୍ୟକ ନାହିଁ । ସହରରେ ସୁନ୍ଦର ଲୋକ, ସୁନ୍ଦର ଓ ବଡ ଦୋକାନ ରହିବା ଦରକାର । ରାସ୍ତା ସମ୍ପ୍ରସାରଣ ପାଇଁ ତା' ଦୋକାନ ଭଙ୍ଗାଗଲା । କେବଳ କ'ଣ ସେ ଜଣେ ? ଅନେକ ଜଗା ବେରୋଜଗାର ହେଲେ ।

ସେହି ନେତାଙ୍କ ଦ୍ବାରସ୍ଥ ହେଲା ଜଗା । କିନ୍ତୁ ନେତାଙ୍କ ଚାମଚାମାନେ ଏ କଥାକୁ ହସରେ ଉଡେଇଦେଲେ । ଜଗା ଜାଣିଲା, ସେ ତା ସର୍ବସ୍ବ ହରାଇସାରିଛି । ତା ସାଥିରେ ତା' ବାପା ମା'ଙ୍କୁ ବି ରାସ୍ତାକଡରେ ଠିଆକରେଇ ଦେଇଛି । ଜଗା ତା' ଭଳି ଅର୍ଦ୍ଧଶିକ୍ଷିତ, ଗାଁକୁ ତୁଚ୍ଛ ମନେକରୁଥିବା ହତଭାଗା ଅନେକଙ୍କ କାହାଣୀ ଶୁଣେ ଓ ନିଜ ଦୁଃଖକୁ ଧୂଆଁରେ ଉଡେଇଦିଏ । ମନକୁ ଆସେ 'କେବେ ଦିନେ ମୋର ବି ଗୋଟେ ଗାଁ ଥିଲା ।'

Report an Error