ତର୍କ, କବିତା ଓ ଗୋଟିଏ ବିଜ୍ଞାପନ

ସବୁ ଯୁଗର ସାହିତ୍ୟ ତାତ୍ତ୍ୱିକ ଆଧାରରେ ବିଚାର ହୁଏ । କେବଳ ଗୋଟିଏ ପ୍ରକାରର ସାହିତ୍ୟର ବିଚାର କାଳନିରପେକ୍ଷ, ତାହା ହେଉଛି "ଜଣାଣ" । ଜଣାଣର କୌଣସି ତତ୍ତ୍ୱ ନାହିଁ, ସେଥିରେ ଏକ ମାତ୍ର ତର୍କ ତାହା ହେଉଛି, ଈଶ୍ୱରଙ୍କ ଦୃଷ୍ଟି ଆକର୍ଷଣ ଆଉ ଈଶ୍ୱରଙ୍କୁ ଆତ୍ମସମର୍ପଣ ।


ଫଟୋ - ୱିକିମିଡିଆ

ଆପଣମାନେ ସେକଥା ବେଶ୍ ଭଲଭାବରେ ଜାଣିଛନ୍ତି । ନିଜ ଉପରକୁ ଯେତେବେଳେ କଥାଟି ଆସେ ଆଉ ନିଜକୁ ସୁରକ୍ଷା ଦେବାକୁ ଆବଶ୍ୟକ ପଡେ ସେତେବେଳେ ଆମେ ସମସ୍ତେ ତାହାକୁ ଖୋଜୁ ।

ସେ ମାନେ ତର୍କ ।

ତାହାର ବିଷୟରେ କିଛି କଥା ଏଥର ।

ଆପଣମାନେ ଯେତେ ଫର୍ଦ୍ଦଫର୍ଦ୍ଦ ପ୍ରେମ କବିତା ଶୂନ୍ୟରୂପାକୁ କି କୌଣସି ସହସ୍ରରୂପାକୁ ଲେଖନ୍ତୁ ଆପଣ ସେଥିରେ ସ୍ୱାଧୀନ ସାର୍ବଭୌମ ଆଉ ସ୍ୱୈରାଚାରୀ ଜନନାୟକ କିନ୍ତୁ ଯଦି ଆପଣଙ୍କର କୌଣସି ଶରୀରରୂପାକୁ ପ୍ରେମ କରିବାରେ ମତି ଅଛି ତେବେ ଆପଣ ନିଜ ସାଥିରେ, ଆପଣଙ୍କ ପଛରେ ହେଉପଛକେ ଆପଣ କୌଣସି ପ୍ରେମିକାର ସାନ ଭାଇ ଅବା ଭଉଣୀ ଭଳି କାଡବରୀ ଲାଂଚ ଦେଇ ନେବାକୁ ପଡିବ ଏଇ ଆମ ତର୍କକୁ । ଯଦି ଆପଣ ତର୍କକୁ ସାଥିରେ ନେଇ ନାହାଁନ୍ତି ତେବେ ଆପଣଙ୍କ ପ୍ରେମଟି ବିଷୁବମିଳନର କବିତା ପାଠ ଭଳି ଚାଲିଥିବ । କବିତାପାଠରେ ଯେମିତି ପ୍ରତ୍ୟେକେ ପରମ ଆବେଗରେ ଆଉ ଯେତେ ସୁଲଳିତ ଆଉ ଗଂଭୀର ନିଜ ସ୍ୱରଟି ହୋଇପାରିବ ସେମିତି କଂଠରେ ସ୍ୱରଚିତ କବିତାକୁ ପଢିଥାଆନ୍ତି । ତାହାକୁ ବାଦ୍ ଦେଲେ ସାମାନ୍ୟ ଔପଚାରିକତାର କେତୋଟି ଶବ୍ଦ ବିନିମୟ ବ୍ୟତୀତ ସ୍ୱରଚିତ କବିତାପାଠକାରୀଙ୍କ ଭିତରେ ଆଉ କୌଣସି ସଂପର୍କ ନଥାଏ । କହିବା କଥା ହେଉଛି ସ୍ୱରଚିତ - କବିତାପାଠ ଏକ ବ୍ୟକ୍ତିକୈନ୍ଦ୍ରିକ କଳା । ତର୍କ ନଥିଲେ ଏଇ ବ୍ୟକ୍ତିକୈନ୍ଦ୍ରିକ କଳାଟି ସବୁବେଳେ ଏକପାଖିଆ ହୋଇ ରହିଥିବ, ଅନ୍ୟ କାହାକୁ ତାହା ସ୍ପର୍ଶ କରିବ ନାହିଁ । ଅବଶ୍ୟ ଏକପାଖିଆ ପ୍ରେମକୁ ପ୍ରେମର ସର୍ବଶ୍ରେଷ୍ଠ ପ୍ରଜାତି ବୋଲି କେହିକେହି କହିଥାନ୍ତି । ଏହିଭଳି କ୍ଷେତ୍ରରେ ଆମର ସମସ୍ତ ପାର୍ଥିବ ସଂପର୍କ କେବଳ ଏହିଭଳି କବିତା ପାଠ ହୋଇ ରହିଯାଏ । ନିଜନିଜର ଆନନ୍ଦବୋଧ ପାଇଁ ସମସ୍ତେ ସ୍ୱତନ୍ତ୍ର । ଯଦି ସବୁକଥାକୁ କେହି କେହି ସ୍ୱରଚିତ କବିତାପାଠର ଆନନ୍ଦ ବୋଲି ଗ୍ରହଣ କରିନେବେ, ସେଥିରେ କାହାର କୌଣସି ଅସୁବିଧା ହେବନାହିଁ ।

କହିବା କଥା ହେଉଛି ଆମେ ଯାହା କହୁଛୁ ତାହା ଆଉ କାହା ଉପରେ ଯଦି କିଛି ପ୍ରଭାବ ପକାଇଥାଏ ତାହା ଆମର କହିବା କଥା ବୋଲି ଆମେ ଭାବୁଥିଲେ ମଧ୍ୟ ପ୍ରକୃତରେ ତାହା ଆମର କହିବା କଥା ଭିତରେ ଥିବା ତର୍କଟିକୁ ହିଁ ବୁଝାଇଥାଏ । ତର୍କ ମାନେ ଗୋଟିଏ ସଂରଚନା, ମେଥଡ୍ । ପ୍ରଭାବ ବିସ୍ତାର କରିଥିବା କହିବା କଥାଟି ମଧ୍ୟ ଯେଉଁ ବ୍ୟକ୍ତି କଥାଟି କହୁଛି ତାହାର ବ୍ୟକ୍ତିପକ୍ଷ ଉପରେ ବି ନିର୍ଭର କରିଥାଏ । ମାତ୍ର ଏହି ପ୍ରକାର ବ୍ୟକ୍ତିପକ୍ଷର ଆୟୁଷ କଥାଟିରେ ଖୁବ୍ କମ୍ ।

ଘରେ ଏବେ ତର୍କ ଏକେଲା ଅଛି । ତର୍କର ଭାରି ମନଦୁଃଖ । ଯୁଆଡେ ଗଲା ଲୋକେ ତାହାକୁ ଦୁରଦୁର ମାରମାର କରୁଛନ୍ତି ।

ତର୍କ ସଂପର୍କରେ କିଛି ଲେଖିବାକୁ ହେଉଛି । ତର୍କକୁ ଆଉଁଷି ଦେବାକୁ ହେବ ।

ତର୍କଟିର ସଂଶ୍ରବରେ ଆସିଲେ ସମସ୍ତେ ଭାବନ୍ତି ଆମେ ଯେମିତି ଗୋଟିଏ ପଂଜୁରୀ ଭିତରେ ପଶିଯାଇଛୁ ଆଉ ଏହାପରେ ଆମର ପଂଜୁରୀ ଭିତରର ଉଡାଣଟି ଯଥେଷ୍ଟ ବାଧାପ୍ରାପ୍ତ ହେବ । ସାଧାରଣତଃ ନିଜକୁ ସ୍ୱାଭାବିକ ଓ ପ୍ରାକୃତିକ ବୋଲି ଭାବିବାରେ ଆମେ ନିଜକୁ ସାବ୍ୟସ୍ତ କରିବାଟି ଅତି ସହଜ ହୋଇଥାଏ । ମୁଁ ମୋ ପରି ବୋଲି ଭାବିଲେ, ମୁଁ ମୋର ବ୍ୟକ୍ତିବାଦଟିକୁ ସୂକ୍ଷ୍ମଭାବରେ ପ୍ରତିଷ୍ଠା କରିବା ସହିତ ମୁଁ ଅନ୍ୟ ସମସ୍ତଙ୍କ ସହ ଯେଉଁ ତୁଳନା କରାଯିବା ଜନିତ ଅସହଜ ପରିସ୍ଥିତିକୁ ଅତି ସହଜରେ ଏଡାଇ ଯାଇ ପାରିବି । ସ୍ୱାଭାବିକତାରେ ଯଥା ଗଛଟିଏ ଗଛ ହୋଇ ଉଠିବାରେ, ବର୍ଷା ବର୍ଷା ହୋଇ ଝରିବାରେ କୌଣସି ତର୍କ ନାହିଁ ମାତ୍ର ଗଛର ଶୋଭାରେ, ଚାଳଛପର ଛାତଦେଇ ପଡୁଥିବା ଟୋପା ଟୋପା ବର୍ଷା ପାଣିକୁ ଦେଖିବାରେ ଏକ ତୁଳନା ଓ ତର୍କ ରହିଛି । ସ୍ୱାଭାବିକତାର ସୁନ୍ଦରପଣକୁ ତର୍କ ପ୍ରତିଷ୍ଠିତ କରେ । ଆଉ ସେହି ସୁନ୍ଦରପଣ ଆମ ଆଖିବାଟେ ହୃଦୟ ଭିତରକୁ ପ୍ରବେଶ କରିଯାଏ ।

ସ୍ୱାଧୀନତା ଆଉ ସ୍ୱେଚ୍ଛାଚାର ଭିତରେ ଯେଉଁ କାଚ କାନ୍ଥଟି ଅଛି ତାହା ହେଉଛି ତର୍କ । ତାହା ସମସ୍ତ ସୃଜନଶିଳ୍ପୀଙ୍କୁ ଭୂଇଁ ସହିତ ବାନ୍ଧି ରଖିଥାଏ ।

ସମସ୍ତ ତର୍କର ସୁସଂଗତ ସଂରଚନା ହେଉଛି ତତ୍ତ୍ୱ ।

କହିବାକୁ ଗଲେ ଆମର ସେହି ତାତ୍ତ୍ୱିକ ଆଧାରଟି ଆବଶ୍ୟକ ଏଇଥିପାଇଁ ଯେ, କାଳକାଳାନ୍ତରୁ ଯାହା ଯାହା ଉତ୍ତରାଧିକାର ଆମର ରହିଛି, ତାହା ସହିତ ଏବଂ ଗଭୀର ଓ ଏକାନ୍ତ ଭାବରେ ଆମର ଜୀବନଚର୍ଯ୍ୟା ଏହାଯୋଗୁଁ ହିଁ ସଂଭବ । ବର୍ଣ୍ଣନା ଆଉ ବ୍ୟଂଜନାର ବିରୋଧାଭାସରେ ବଂଚୁଥିବା ଜୀବନରେ ଅପହୃତ ସରଳରୈଖିକ ଜୀବନକୁ ବୁଝିବା ପାଇଁ ଏଇ ତାତ୍ତ୍ୱିକ ଆଧାରଟି ପ୍ରୟୋଜନ । ଯେତେ ସ୍ୱତଃସ୍ପୂର୍ତ୍ତତା ସ୍ୱାଭାବିକତା କହିଲେ ବି ଆମର କବିତାଟି "ଏ ସ୍ପୋଣ୍ଟାନିଅସ୍ ଓଭରଫ୍ଲୋ ଅଫ୍ ପ୍ରୋସେସଡ୍ ଫିଲିଙ୍ଗସ୍" । ତାହାମାନେ କବିତା ହେଉଛି ଅନୁଭବକୁ ଛାଣି ଶବ୍ଦରେ ବାନ୍ଧି ପ୍ରକାଶ କରିବାର ଏକ ସ୍ୱତଃସ୍ଫୂର୍ତ୍ତ କାରିଗରୀ । ଆମର ସୃଜନ କର୍ମରେ ସ୍ୱତଃସ୍ଫୂର୍ତ୍ତତା ରହିଛି ଓ ସେମିତି ତାହା ସହିତ ରହିଛି ଏକ ତର୍କସମ୍ମତ କାରିଗରୀ ।

ସବୁ ଯୁଗର ସାହିତ୍ୟ ତାତ୍ତ୍ୱିକ ଆଧାରରେ ବିଚାର ହୁଏ । କେବଳ ଗୋଟିଏ ପ୍ରକାରର ସାହିତ୍ୟର ବିଚାର କାଳନିରପେକ୍ଷ, ତାହା ହେଉଛି "ଜଣାଣ" । ଜଣାଣର କୌଣସି ତତ୍ତ୍ୱ ନାହିଁ, ସେଥିରେ ଏକ ମାତ୍ର ତର୍କ ତାହା ହେଉଛି, ଈଶ୍ୱରଙ୍କ ଦୃଷ୍ଟି ଆକର୍ଷଣ ଆଉ ଈଶ୍ୱରଙ୍କୁ ଆତ୍ମସମର୍ପଣ ।

ଗୋଟିଏ କଥାକୁ ଆପଣ ଯଦି ସରଳ ଭାବରେ କହିପାରୁନାହାଁନ୍ତି ତେବେ ଆପଣ କଥାଟିକୁ ଠିକଣା ଭାବରେ ବୁଝିପାରିନାହାଁନ୍ତି ବୋଲି ସବୁ ପଣ୍ଡିତମାନେ କହିଛନ୍ତି । କୌଣସି ପୁସ୍ତକାଗାରର ଦେଖାରଖା କରୁଥିବା ବ୍ଯକ୍ତି ଜଣକ ସବୁବେଳେ ତତ୍ତ୍ବଦର୍ଶୀ ହୋଇନପାରେ କିଂତୁ ଜଣେ ପୁସ୍ତକଦର୍ଶୀ ନିଶ୍ଚୟ । ଠିକ୍ ସେହିପରି ଜଣକର ଆୟତ୍ତରେ ଚମତ୍କାର ଆଉ ସୁନ୍ଦର ସୁନ୍ଦର ଶବ୍ଦମାନ ରହିଛି । କିଂତୁ କୌଣସି କଥାର ତାତ୍ତ୍ଵିକ ପରିପ୍ରେକ୍ଷ୍ଯଟି ନଥିବା କାରଣରୁ ତାହା କେବଳ ଶବ୍ଦାଡଂବର ହୋଇ ରହିଯିବ । ଶ୍ରେଣୀରୁ ବାହାରି ଆସିଲା ପରେ ଛାତ୍ରଟି ହୁଏତ କହିବ, ଆଜି ସାର୍ କ୍ଲାସ୍ ରେ କ'ଣ ନ ପଢେଇଲେ ମ ! ଦିଲ୍ ପୁରାପୁରି ଖୁସ୍ ହେଇଗଲା । ତାହାପରେ ସେଇ ବିହ୍ବଳ କିଶୋରଟିକୁ ଯଦି ପଚରାଯାଏ, ସାର୍ ଆଜି କ'ଣ ପଢେଇଲେ, କେଉଁ ବିଷୟ ? ତାହାପରେ ସେଇ କିଶୋରର ସୁଂଦର ମୁହଁସାରା ସଂଚରିଯିବ ଅକସ୍ମାତ ଏକ ବାଦଲର କଳାଛାଇ । ସେ କହିବ, ମାନେ ମୁଁ ଠିକ୍ କରି ବୁଝିପାରିଲି ନାହିଁ ।

ଏହା ଏକ ଅସାଧାରଣ ଉଦାହରଣ ନୁହଁ । ଅତ୍ଯନ୍ତ ସହଜଲଭ୍ଯ ଉଦାହରଣ ।

ଏହି ଛାତ୍ରର କଥାରେ ଯେଉଁ ଶିକ୍ଷକଙ୍କର ଚିତ୍ରଟି ତିଆରି ହେବ ସେଇ ଶିକ୍ଷକ ଜଣକ ସମର୍ଥ କିଂତୁ ତାତ୍ତ୍ଵିକ ଦିଗରୁ ଅପାରଗ । ସେ ପ୍ରଚୁର ଜନପ୍ରିୟ ହୋଇପାରନ୍ତି କିନ୍ତୁ ପ୍ରଭାବଶାଳୀ ହୋଇପାରିବେ ନାହିଁ ।

ଜଟିଳ ଭାବରେ କହିବା ସରଳ । ସରଳ ଭାବରେ କହିବା ସବୁଠାରୁ ଜଟିଳ । ଏଇଠେ ପୁଣି ଆଉ ପାଦଟିଏ ଆଗେଇ ଯାଇ ଆଇନଷ୍ଟାଇନଙ୍କ ସେହି ପୁରୁଣା କଥା, ତମେ ଯଦି ସବୁଠାରୁ ଜଟିଳତମ ତତ୍ତ୍ବ କୁ ଗୋଟିଏ ପାଂଚ ବର୍ଷ ବୟସର ପିଲାକୁ ବୁଝାଇ ପାରୁନାହଁ ଜାଣିବ ଯେ ସେଇ ତତ୍ତ୍ବ ଉପରେ ତୁମର ଧାରଣାଟି ପରିଷ୍କାର ହୋଇନାହିଁ ।

ବର୍ତ୍ତମାନ ତତ୍ତ୍ବ ପ୍ରବେଶ କରାଯାଉ ଏଇ ଦୀର୍ଘ ଉପକ୍ରମଣିକା ସହ । ତତ୍ତ୍ବ ଟି ଗୋଟିଏ ବିଜ୍ଞାପନକୁ ନେଇ । ଏଇ ବିଜ୍ଞାପନଟି ଗୋଟିଏ କେଶ ତୈଳର ବିଜ୍ଞାପନ, ଜୟହିନ୍ଦ କେଶ ତୈଳ ।

ବିଜ୍ଞାପନ ସବୁବେଳେ ବ୍ଯକ୍ତିକୁ ବସ୍ତୁ ପ୍ରତି ଆକର୍ଷିତ କରିଥାଏ । ପ୍ରତ୍ଯେକ ବସ୍ତୁ ଭିତରେ ଗୋଟିଏ ଅନ୍ତର୍ନିହିତ ଉପାଦାନ ଅଛି ଯାହାକୁ ସେଇ ବସ୍ତୁର ବସ୍ତୁତ୍ବ ବୋଲି ଆମେ କହିପାରିବା । ସେଇ ବସ୍ତୁର ବସ୍ତୁତ୍ବ ରୁ କିଛି ପରିମାଣ ଆମକୁ ଦୃଶ୍ଯମାନ ହୁଏ ଆମର ଇଂଦ୍ରିୟମାନଙ୍କ ଦ୍ବାରା, ଆମର ସାମାଜିକ ସ୍ମୃତି ଦ୍ବାରା, ଆମର ଗୋଷ୍ଠୀ ଅବଚେତନ ଦ୍ବାରା । ଏହାବାଦ ବସ୍ତୁଟିରେ ଅନେକ କିଛି ବସ୍ତୁତ୍ବ ଆରୋପିତ କରାଯାଇପାରେ ।

ଯଦି ଜଣେ ଆଖିଟିକୁ ଠିଆ କରି ଆଙ୍କେ ତେବେ ଆପଣଙ୍କୁ ଆଖିଟି ଅନ୍ଯ ପ୍ରକାରେ ଦେଖାଯିବ । ତାହାବ୍ଯତୀତ ମଣିଷର ଆଖି ଦୁଇଟି ହେଉଛି ଏପରି ଏକ ଅଙ୍ଗ ଯାହାର ଆଦୌ ବିକାଶ ହୁଏନାହିଁ । ବୟସ ବଢିବା ସହିତ ମଣିଷର ଅନ୍ଯ ସମସ୍ତ ଅଙ୍ଗର ବିକାଶ ଘଟିଥାଏ ମାତ୍ର ଜନ୍ମ ପରଠାରୁ ଆମର ଆଖିର ଆୟତନ ଯାହା ଥାଏ ମଲାବେଳକୁ ତାହା ଅବିକଳ ସେହିଭଳି ଆୟତନ ବିଶିଷ୍ଟ ହୋଇ ଆମର ବଢନ୍ତା ଶରୀର ସହ ଜଡିତ ହୋଇ ରହିଥାଏ ।

ଏଇ ଦୁଇଟି କଥାକୁ ନେଇ ଯଦି ଆପଣ ଏଇଲେ ଆଖିକୁ ଦେଖିବେ ତାହାହେଲେ ଆଖି ଆପଣ ଅଲଗା କଥା କହିବ । ଏହା ହେଉଛି ଆରୋପିତ ବସ୍ତୁତ୍ବ ।

କବିଟି ତାହାର କବିତାରେ ଯେଉଁ କାମଟି କରେ ତାହା ହେଉଛି କୌଣସି ବସ୍ତୁରୁ ତାହାର ବସ୍ତୁତ୍ବ କୁ ଅପସାରଣ କରି ପାଠକକୁ ଦେଖାଇବା ଏବଂ କିଛି ବସ୍ତୁତ୍ବକୁ ପୁନର୍ବାର ସେଇ ବସ୍ତୁରେ ସଂସ୍ଥାପନ କରିବା । ଯିଏ ଯେମିତି ବସ୍ତୁର ବସ୍ତୁତ୍ବକୁ ଦେଖିପାରେ ସେଇ ଅନୁସାରେ ତା'ର କବିପଣ । ବସ୍ତୁ କହିଲେ ଉପସ୍ଥିତ ଲେଖକ ନିର୍ଜୀବ ପଦାର୍ଥକୁ ବୁଝୁନାହିଁ । ସମସ୍ତ ପଦାର୍ଥକୁ ସେ ବସ୍ତୁ ହିସାବରେ ନେଇଛି ।

କେଶ ତୈଳର ବିଜ୍ଞାପନରେ କେଶର ପ୍ରାଚୁର୍ଯ୍ୟ ଓ ସୁନ୍ଦରପଣର ପ୍ରାଧାନ୍ଯ ରହିବା କଥା । କିଂତୁ ଏହି ଜୟହିନ୍ଦ କେଶ ତୈଳରେ କେଶ ନାହିଁ । ଏମିତିରେ କହିଲେ ବିଜ୍ଞାପନର ରହୁଥିବା ସୁନ୍ଦରପଣ ବି ନାହିଁ । ଏହି ବିଜ୍ଞାପନରେ ଅଛନ୍ତି ପାଞ୍ଚଜଣ ମହାନ୍ ଜାତୀୟବାଦୀ ନେତା ଯେଉଁମାନଙ୍କ ମଧ୍ଯରୁ ଅନ୍ତତଃ ଚାରିଜଣଙ୍କର ମସ୍ତକର ଉପରିଭାଗ ସଂପୂର୍ଣ୍ଣ ନିଷ୍ଫଳ । ଅନ୍ଯଜଣକର ମସ୍ତକଟି ସବୁବେଳେ ଫେଜ୍ ଟୋପି ଦ୍ବାରା ଆବୃତ୍ତ ହୋଇଥିବାରୁ ସଠିକ ତଥ୍ଯ ଅନେକେ ଜାଣନ୍ତି ନାହିଁ । ସେ ହେଉଛଂତି ମୌଲାନା ଆବୁଲ କଲାମ ଆଜାଦ । ବିନା ଟୋପିରେ ଯେଉଁମାନେ ତାଙ୍କୁ ଦେଖିଛନ୍ତି ସେମାନେ ତାଙ୍କ ମୁଣ୍ଡର ଉପରିଭାଗରେ ଥିବା କେଶରାଜି ଯଥେଷ୍ଟ ସଂକ୍ଷିପ୍ତ ବୋଲି କହିଥାଆନ୍ତି ।

ବାକି ଚାରିଜଣ ହେଲେ ମହାତ୍ମା ଗାନ୍ଧୀ, ଜବାହରଲାଲ, ସର୍ଦ୍ଦାର ବଲ୍ଲଭଭାଇ ଓ ନେତାଜୀ ସୁଭାଷ । ସମସ୍ତେ ନିଜ ନିଜର ଅନୁର୍ବର କେଶ ସମ୍ଭାର ପାଇଁ ବିଶ୍ବବିଖ୍ଯାତ ।

କୁହାଯାଏ ୧୯୬୨ରେ ଭାରତ - ଚୀନ୍ ଯୁଦ୍ଧ ସମୟରେ ଚୀନ୍ ଭାରତର ଆକାଶାଇଚୀନ ଅଂଚଳକୁ ନିଜ ଅକ୍ତିଆରରେ ରଖିଥିଲା । ସଂସଦରେ ବିତର୍କ କାଳରେ ପଣ୍ଡିତ ଜବାହରଲାଲ ପ୍ରସଙ୍ଗକ୍ରମେ କହିଥିଲେ, ସେହି ଅଞ୍ଚଳ ନିହାତି ଅନୁର୍ବର । ମହାବୀର ତ୍ଯାଗୀ ବୋଲି ଜଣେ ସାଂସଦ ମନ୍ତବ୍ଯ ଦେଇଥିଲେ, ଆପଣଙ୍କର ମସ୍ତକର ଉପରିଭାଗ ଅନୁର୍ବର ହେଲେ ହେଁ ଏହା ଅପଦାର୍ଥ କଦାପି ନୁହଁ ।

ଏହାର ଐତିହାସିକ ସତ୍ଯତା ବହୁତ କମ୍ । ତେଣୁ ଏହାକୁ ଏକ ତତ୍କାଳୀନ ପ୍ରଚଳିତ ହସକଥା ବୋଲି ଗ୍ରହଣ କରାଯାଇପାରେ ।

ଉଦ୍ଧୃତ କରିବାର କାରଣ ହେଉଛି ସେଇ ମହାନ ବ୍ଯକ୍ତିବିଶେଷଙ୍କ ସହିତ ଯୋଡି ହୋଇଯାଇ କିଛି ପ୍ରକୃତ ଅପଦାର୍ଥ ନିଜର ଅନୁର୍ବର ଶୀର୍ଷ ଭାଗ ସହିତ ନିଜକୁ ଅପଦାର୍ଥ ବୋଲି ମଣନ୍ତି ନାହିଁ ।

ଗୋଟିଏ କେଶ ତୈଳର ପ୍ରଚାର କାର୍ଯ୍ୟକ୍ରମରେ କେଶକୁ ବାଦ୍ ଦେଇ ଜାତୀୟତାବାଦର ପ୍ରତିରୋପଣ କରିବା ସହ ତାହାକୁ ଉଚ୍ଚତମ ଯଥାର୍ଥ ପ୍ରଦାନ କରିବାର ପୂରା ପ୍ରକ୍ରିୟାଟି କୌଣସି କବିତାର ସଂରଚନାଠାରୁ ଭିନ୍ନ ନୁହଁ ।

ଏହି ବିଜ୍ଞାପନଟି ସେତେ ବେଶି ପୁରୁଣା ନୁହଁ । ୨୦୧୧ ମସିହାର ।

କେଶତୈଳର ଏହି ବିଶେଷ ବିଜ୍ଞାପନଟି ତର୍କ ଆଉ କବିତାର ପ୍ରସଙ୍ଗରେ ଉଲ୍ଲେଖ କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମେ ବ୍ୟବହାରିକ ଜୀବନରେ କେଉଁଭଳି ତର୍କକୁ ଆପଣାର ମନେକରୁ ବା ଏମିତି କହିଲେ କେଉଁଭଳି ତର୍କ ସହିତ ଆମେ ବେଶ୍ ସହଜ । ଯଦିଓ ଆମେ ସାଧାରଣ ଭାବରେ ସ୍ୱାଭାବିକତା ତଥା ଗଡ୍ଡାଳିକା ପ୍ରବାହ ଭଳି ପ୍ରବହମାନତାରେ ନିଜକୁ ସମର୍ପି ଦେଇ ସମସ୍ତ ତର୍କର ଉର୍ଦ୍ଧ୍ୱରେ ଏକ ସହଜ ସାଧାରଣ ଜୀବନକୁ ପସନ୍ଦ କରିଥାଉ । ଆଗରୁ କହିଛି ନିଜକୁ ସୁରକ୍ଷା ଦେବାପାଇଁ ତର୍କର ଆବଶ୍ୟକ ପଡିଥାଏ । ତାହାର ଅର୍ଥ ହେଉଛି ଯେ ଆମକୁ କୌଣସି ପ୍ରତିପକ୍ଷର ଯୁଦ୍ଧଂଦେହି ମୁକାବିଲାକୁ ସାମ୍ନା କରିବାକୁ ପଡିବ ଆଉ ସେଇଥିପାଇଁ ଆମର ଆତ୍ମତୂଣୀର ର ଶରମାନଙ୍କୁ ଯଥାସମ୍ଭବ ବିଷାକ୍ତ କରିବାକୁ ପଡିବ । ଏଇ ସବୁ ଜଂଜାଳ ଭିତରକୁ ଯିବାରେ ଆମର ଯଥେଷ୍ଟ ଅନାଗ୍ରହ । ସେଇଥିପାଇଁ ଏଇସବୁ ଅଡୁଆ କଥାର ବଣ୍ଡିଲ୍ କୁ ଠୋ କରି ଛିଡାଇ ଦେବା ଭଳି ଆମେ କହିଥାଉ, ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ବିଶ୍ୱାସର ଅର୍ଥ ସମର୍ପଣ, ସ୍ୱାଭାବିକତାକୁ ଗ୍ରହଣ, "ଏଇ ଯେ ଆସୁଛି ଝଡ, ସଖୀ ତା'ରେ କର ନମସ୍କାର" ଭଳି ସୁନ୍ଦରବାଚକ ଦୂରସ୍ଥ ଅବସ୍ଥାନ । ସେଦୃଷ୍ଟିରୁ ତର୍କରେ କିଛି ପ୍ରାପ୍ତି ନାହିଁ ତେଣୁ ଏହା ସର୍ବଦା ବର୍ଜନୀୟ ଭଳି ପ୍ଲାକାର୍ଡ ଧରି ଆମେ ଆମର ଯାବତୀୟ ଅଭିଯାନ ଆଡକୁ ଶଙ୍କାହୀନ ଚିତ୍ତରେ ଅଗ୍ରସର ହୋଇଥାଉ ।

ଯଦି ଆମକୁ କୌଣସି ତର୍କର ସାହାଯ୍ୟ ନେବାକୁ ପଡେ ତେବେ ଆମେ ସବୁଠାରୁ ନିରୀହ ଗୋଟିଏ ତର୍କର ସଂଧାନ କରିଥାଉ । ସେହି ଅତ୍ୟନ୍ତ ନିରୀହ ତର୍କଟି ହେଉଛି, ଆମ ଆଗରେ ଯାହା ପକ୍ଷ ପ୍ରତିପକ୍ଷ ରହିଛି, ଯାହା ଯାହା ବିରୋଧାଭାସ ରହିଛି, ଯାହାର ଏକ ବର୍ଗୀକରଣ ବା ସନ୍ତୋଷଜନକ କୈଫିୟତ ପାଇଁ ଆମର ମନ ଛକପକ ହେଉଥାଏ, ସେସବୁ ବିସଙ୍ଗତି ଭିତରୁ ଗୋଟିଏ ସାଧାରଣ ପଣ ବା କମନନେସ୍ ର ସନ୍ଧାନ । ଆମେ ଯଦି ସେହି ଲଘିଷ୍ଟ ସାଧାରଣ ଗୁଣିତକକୁ ପାଇଯାଉ ତାହାହେଲେ ଆମ ମନ ଆନନ୍ଦ ।

ଏହି କେଶତୈଳର ବିଜ୍ଞାପନରେ ଚନ୍ଦାଲୋକମାନେ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି । ଏମାନେ ସମସ୍ତେ ଜାତୀୟବାଦୀ ନେତା ସେଇ କଥାଟି ଗୁରୁତ୍ୱପୂର୍ଣ୍ଣ । ଜାତୀୟତାବାଦର ବଜାରୀକରଣର ଇଏ ଏକ କୌଶଳ ।

ଆମକୁ ଏକ ତର୍କବିହୀନ ସାମ୍ରାଜ୍ୟରେ ସୁରକ୍ଷିତ କରି ପ୍ରଶ୍ନହୀନ ଭାବରେ ଚିରକାଳ ରଖିବା ପାଇଁ ଯେଉଁ "କମନନେସ୍" ର ଆଶ୍ରା ଆମେ ଏବଂ ଆମର ସତ୍ତା ଆମ ଉପରେ ପ୍ରୟୋଗ କରିଥାଏ ତାହା ହେଉଛି ଜାତୀୟତା ଏବଂ ସୁନ୍ଦରବୋଧ । ସବୁ କିଛି ଦେଶରେ ଅଛି, ସବୁ କିଛି ସୁନ୍ଦରବୋଧରେ ଅଛି । ଏହାର ବାହାରେ ଆଉ ତର୍କ କାହିଁକି ?

ମାତ୍ର ସବୁ ଜଗତ ଯେ ବନ୍ଦୀଶାଳ, ଏଇଭଳି ଅବବୋଧ ବିକଶିତ ହେବା ପାଇଁ ସମୟ ଲାଗେ । ଆଉ ତାହାଠାରୁ ଅଧିକ ସମୟ ଲାଗେ ନିଜ ପାଇଁ ସେହି ତର୍କର ପ୍ରସ୍ତୁତି ଯାହା ନିଜକୁ ମୁକ୍ତ କରିପାରିବ, ଅଜଣାରୁ ଆଉ ଜଣାରୁ ବି ।

Report an Error