ପାମ୍ପଡ଼ ଗପ ଓ ଲିଜ୍ଜତର ଇଜ୍ଜତ

୧୯୫୯ ମସିହାରେ ମାତ୍ର ସାତଜଣ ସାଧାରଣ ସ୍ତ୍ରୀଲୋକଙ୍କ ଦ୍ୱାରା ଆରମ୍ଭ ହେଇଥିବା ଉଦ୍ୟୋଗ ଆଜି ସ୍ତ୍ରୀଲୋକମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପୁରୁଣା ଓ ବୃହତ୍ ସମବାୟ ଉଦ୍ୟୋଗ । ଆଜି ସଂସ୍ଥା ସହ ପ୍ରାୟ ପଇଁଚାଳିଶ ହଜାର ସ୍ତ୍ରୀଲୋକ ଯୋଡ଼ି ହୋଇ ରହିଛନ୍ତି ।


ଫଟୋ - ୱିକିପିଡିଆ

ପିଲାଦିନେ ପାମ୍ପଡ଼ ସବୁଦିନ ଖାଇବା ଚିଜ ବୋଲି ଆମର ଧାରଣା ନଥିଲା । ଖରାବେଳ ଖିଆ ସହ ପାମ୍ପଡ଼କୁ ଖିଆଯିବା କଥାଟି ବହୁତ ପରେ ମୁଁ ଜାଣିଲି । ପାମ୍ପଡ଼ କଦବା କ୍ୱଚିତ୍ ଆମେ ଖାଉଥିଲୁ । ଗାଁରେ ଯାତ୍ରା, ଦୋଳ ମେଲଣ ଓ କିଛି ବିଶେଷ ମେଳା ମଉଛବରେ ପାମ୍ପଡ଼ ମିଳୁଥିଲା । ଅପେକ୍ଷାକୃତ ଟିକେ ଅନ୍ଧାରିଆ ଜାଗାରେ କିଏ ଜଣେ ବସି ପାମ୍ପଡ଼ ଛାଣୁଥିବ ଓ ତାକୁ ଘେରି ଛିଡ଼ା ହେଇଥିବେ କିଛି ପାମ୍ପଡ଼ପ୍ରେମୀ । କଡ଼େଇର ଗରମ ତେଲରେ ସାନ ପାମ୍ପଡ଼ଟି ପଡ଼ି କେମିତି ବଡ଼ ହେଇଯାଉଛି ସେ ଦୃଶ୍ୟ ହିଁ ଆମ ପରି ପିଲାମାନଙ୍କ ପାଇଁ କୌତୂହଳର ଅନ୍ୟତମ କାରଣ ଥିଲା । ଦୋକାନି ବଡ଼ ପାମ୍ପଡ଼କୁ ଛାଣି ସାରିଲା ପରେ ତାକୁ ଚାରି ଚେନା କରି ଭାଙ୍ଗି ଦେଉଥିଲା । ଚେନାକୁ ଦଶ ପଇସା । ପଚିଶ ପଇସାରେ ତିନି ଚେନା ମିଳୁଥିଲା । କୁଡୁମୁଡ଼ିଆ ରଡ଼ରଡ଼ିଆ ଲୁଣିଆ ଓ ହେଙ୍ଗୁ ବାସ୍ନାଯୁକ୍ତ ପାମ୍ପଡ଼ ସ୍ୱାଦିଷ୍ଟ ଲାଗୁଥିଲା ସିନା ସବୁବେଳେ କୋଉ ମିଳୁଥିଲା ଯେ ?

ମହାନଦୀ ମୁହାଣର ଅଞ୍ଚଳରେ ଗାଁ ମୋର । ପ୍ରତିବର୍ଷ ବନ୍ୟା । ବନ୍ୟା ପାଇଁ ଧାନ ଫସଲ ଧୋଇ ହେଇଯାଉଥିଲା । ହେଲେ ବନ୍ୟା ପରେ ପରେ ବିଲବାଡ଼ିରେ ଯେଉଁ ପଟୁ ପଡୁଥିଲା ସେଥିରେ ଯେଉଁ ଫସଲଟି ଭଲରେ ଅମଳ ହେଉଥିଲା ତାହା ହେଲା ବିରି । ପ୍ରବଳ ପରିମାଣରେ ବିରି ଫଳୁଥିଲା । ଅମଳ ବେଳକୁ ଖାସ୍ ବିରି ପାଇଁ ଯାବତୀୟ ବେପାରୀ, ହରେକ ରକମର ଚିଜ ଧରି ଗାଁ ଦାଣ୍ଡରେ ଟହଲ ମାରନ୍ତି । ଆଇସକ୍ରିମ୍, ସୁନୁପାମ୍ପୁଡ଼ି, ବମ୍ବେଇ ଲଡୁ, ଶୁଖିଲା ବରା ସିଙ୍ଗଡ଼ା ଓ ଜଲିପି ସହ କେତେ ପ୍ରକାରର ଟକଳା ଖାଦ୍ୟ । ସାପୁଆ କେଳା, ମୁଣ୍ଡପୋତା କେଳା, ମ୍ୟାଜିକ୍ ବାଲା, ସିନେମା ବାଲା ଓ ରକମ ରକମ ଭିକାରୀ ମଧ୍ୟ ପହଞ୍ଚୁଥିଲେ । ଉପରମାଳରେ ଥିବା ମୋ ମାମୁଁଘରକୁ ବିରି ପଠାହେଉଥିଲା । କେନାଲ୍ ପାରିରେ ବିରି ହେଉନଥିଲା । ବିରିର ଏତେ ଡିମାଣ୍ଡର ପ୍ରଧାନ କାରଣ ହେଲା ଅନେକଗୁଡ଼େ ପିଠାର ପ୍ରଧାନ ଇନଗ୍ରିଡିଏଣ୍ଟ ଥିଲା ବିରି । ବିରିରେ ଡାଲି ଓ ପିଠା ହୁଏ ବୋଲି ସିନା ଜାଣିଥିଲି କିନ୍ତୁ ବିରିରେ ପାମ୍ପଡ଼ ମଧ୍ୟ ହୁଏ ଏକଥା ମୁଁ କାହିଁକି ମୋ ଗାଁର ଅନେକ ଜାଣିନଥିଲେ ହୁଏତ । ପରେ ଜାଣିଲି ଯେ ପିଲାଦିନେ ଯାତରା କି ମେଳାରେ ଆମେ ଯୋଉ ପାମ୍ପଡ଼ ଖାଉଥିଲୁ ସେଇଟା ବିରିରୁ ତିଆରି ହେଉଥିଲା । ପରେ ମୁଗରୁ ତିଆରି ପାମ୍ପଡ଼ ଖାଇଲା ପରେ ମୁଁ ଆଉ ବିରି ପାମ୍ପଡ଼ ଖାଇବାକୁ ପସନ୍ଦ କଲିନି । ତାପରେ ଏମିତି ଦେଖିଲେ, ପାମ୍ପଡ଼ ବି ମୋର ବେଶି ଗୋଟେ ପ୍ରିୟ ଖାଦ୍ୟ ନୁହେଁ । ମୁଗ ତିଆରି ଲିଜ୍ଜତ ପାମ୍ପଡ଼ ଖାଇଲା ପରେ ମୁଁ ପ୍ରାୟତଃ ଅଲଗା ପାମ୍ପଡ଼ ଖାଏନି । ତେବେ ତେଲରେ ଛଣା ପାମ୍ପଡ଼ ଅପେକ୍ଷା ସେକା ପାମ୍ପଡ଼ ମୋର ଅଧିକ ପ୍ରିୟ । ବେଶ୍ ପରେ ଚାଉଳ, ସାଗୁ ଓ ଖଈରେ ତିଆରି ପାମ୍ପଡ଼ ଖାଇଲି । ସହର ଆସିଲା ପରେ କେତେ ପ୍ରକାରର ପାମ୍ପଡ଼ମାନଙ୍କ ସାଙ୍ଗରେ ଭେଟ ହେଲା ।

ଆମ ଦକ୍ଷିଣ ଓଡ଼ିଶାର ଲୋକମାନେ ପାମ୍ପଡ଼ ଖାଇବାକୁ ଅଧିକ ପସନ୍ଦ କରନ୍ତି । ସେପଟେ ପାମ୍ପଡ଼କୁ ଆପେଡ଼ା କୁହନ୍ତି । କେହି କେହି ଆପାଲମ୍ ମଧ୍ୟ କୁହନ୍ତି । ଏମିତି ଦେଖିଲେ ପୂରା ଦକ୍ଷିଣ ଭାରତରେ ଲୋକମାନେ ପାମ୍ପଡ଼ ଖାଇବାକୁ ପସନ୍ଦ କରନ୍ତି । ସାଉଥ୍ ଇଣ୍ଡିଆନ୍ ହୋଟେଲର ଥାଳି ସାଙ୍ଗରେ ପାମ୍ପଡ଼ ନିଶ୍ଚୟ ଥାଏ । ପାମ୍ପଡ଼ଖିଆ ଅଞ୍ଚଳର ଘରର ସ୍ତ୍ରୀଲୋକମାନେ ସେମାନଙ୍କ ଅବସର ସମୟରେ ପାମ୍ପଡ଼ ପ୍ରସ୍ତୁତ କରନ୍ତି । ବଡ଼ି ଆଚାର ଓ ଅନ୍ୟାନ୍ଯ ମସଲା ମସଲି ପ୍ରସ୍ତୁତ ପରି ପାମ୍ପଡ଼ ପ୍ରସ୍ତୁତ କରାଯାଏ । ନିଜ ଘରର ଆବଶ୍ୟକତାଠାରୁ ଅଧିକା କିଛି ତିଆରି କରି କେହି କେହି ବିକ୍ରିବଟା ବି କରିଥା'ନ୍ତି ।

କୁହାଯାଏ ପାମ୍ପଡ଼ର ମୂଳ ଶବ୍ଦ ହେଲା ସଂସ୍କୃତ ଶବ୍ଦ ପର୍ପଟ । ପର୍ପଟ ମାନେ ଚେପଟା । ବୌଦ୍ଧ ଓ ଜୈନ ସାହିତ୍ୟରେ ପର୍ପଟର ଉଲ୍ଲେଖ ରହିଛି । ଭାରତ, ପାକିସ୍ଥାନ, ନେପାଳ, ବାଂଲାଦେଶ, ଶ୍ରୀଲଙ୍କାରେ ପାମ୍ପଡ଼ର ପ୍ରଚଳନ ରହିଛି । ଓଡ଼ିଆରେ ଆମେ ପାମ୍ପଡ଼ କହୁଥିବାବେଳେ ଗୁଜରାଟି, ମରାଠି ଓ ପଞ୍ଜାବ ଆଦି ଅଞ୍ଚଳରେ ପାପଡ଼ କୁହାଯାଏ । ତାମିଲରେ ଆପାଲମ୍, କନ୍ନଡରେ ହାପ୍ପାଲା, ମାଲାୟାଲମରେ ପାପ୍ପଡ଼ମ୍ ଓ ତେଲୁଗୁରେ ଆପାଡ଼ମ୍ କୁହାଯାଏ । ସ୍ଥାନ ବିଶେଷରେ ଭିନ୍ନ ଭିନ୍ନ ସ୍ୱାଦର ଭିନ୍ନ ଭିନ୍ନ ଦ୍ରବ୍ୟରୁ ପାମ୍ପଡ଼ ତିଆରି ହୁଏ । ବିରି, ମୁଗ ଓ ଶୋଲାକୁ ଛାଡ଼ି ଚାଉଳ, ଆଳୁ, ଲିଆ ବା ଖଇ, ସାଗୁରୁ ବି ପାମ୍ପଡ଼ ପ୍ରସ୍ତୁତ କରାଯାଏ । ଉପକୂଳବର୍ତ୍ତୀ କର୍ଣ୍ଣାଟକରେ ପଣସରୁ ଏକ ପ୍ରକାର ସୁସ୍ୱାଦୁ ପାମ୍ପଡ଼ ତିଆରି ହୁଏ । ଏକଦା ଭାରତବର୍ଷରୁ ଜନ୍ମ ନେଇଥିବା ପାମ୍ପଡ଼ ଆଜି ବିଶ୍ୱର ଅନେକ ଦେଶର ଖାଇବା ଥାଳି ସାଙ୍ଗରେ ସଂଯୁକ୍ତ ହେଇସାରିଛି ।

ପାମ୍ପଡ଼ କହିଲେ ଅନେକ ଲିଜ୍ଜତ କମ୍ପାନୀର ପାମ୍ପଡ଼କୁ ବୁଝନ୍ତି । ଭାରତୀୟ ପାମ୍ପଡ଼ ବ୍ୟବସାୟରେ ଲିଜ୍ଜତ ଏକ ଜଣାଶୁଣା ବ୍ରାଣ୍ଡ୍ । ଲିଜ୍ଜତ ରାତାରାତି ବ୍ରାଣ୍ଡରେ ପରିଣତ ହେଇନି । ସେଥିପାଇଁ କିଛି ଉତ୍ସାହୀ ମଣିଷଙ୍କ ନିରବିଚ୍ଛିନ୍ନ ଉଦ୍ୟମ ଓ ଅଧ୍ୟବସାୟ ରହିଛି । ଲିଜ୍ଜତର କାହାଣୀ ଯେକୌଣସି ୱେବ୍ ସିରିଜର କାହାଣୀଠାରୁ କମ୍ ରୋମାଞ୍ଚକର ନୁହେଁ । ଆସନ୍ତୁ ଏବେ ସେ ଲିଜ୍ଜତର କାହାଣୀ ଶୁଣିବା ।

୧୯୫୯ ମସିହାର ବମ୍ବେ ସହର । ଖରାଦିନ । କଲୋନୀର ଗୋଟେ ଛାତ ଉପରେ ସେଦିନ ଏକାଠି ହେଇଥା'ନ୍ତି ଆଡ଼ିଶା - ପଡ଼ିଶାର ସାତ ଜଣ ସ୍ତ୍ରୀଲୋକ । ସେମାନେ ଏକ ସମସ୍ୟାର ସରଳ ସମାଧାନ ପାଇଁ ବାଟ ଖୋଜୁଥା'ନ୍ତି । ସମସ୍ତିଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା, କ'ଣ କେମିତି କରି ସୁରୁଖୁରୁରେ ଘର ଚଳାଇବା ପାଇଁ କିଛି ଅଧିକା ରୋଜଗାର କରିବେ ଓ ପରିବାରକୁ ସାହାଯ୍ୟ କରିବେ । ଚାକିରି ବାକିରି କରିବା ପାଇଁ ପାଠ ଦରକାର । ତାହା ସେମାନଙ୍କ ପାଖରେ ନଥିଲା । ବହୁତ ଚିନ୍ତା କଲା ପରେ ଗୋଟେ ଉପାୟ ମିଳିଲା । ସେମାନେ ସମସ୍ତେ ଆପଣା ଆପଣା ଘରୋଇ ବ୍ୟବହାର ପାଇଁ ପାମ୍ପଡ଼ ତିଆରି ଜାଣିଥିଲେ । ତେଣୁ କଥା ଛିଡ଼ିଲା ଆଉ କିଛି କିଛି ଅଧିକା ପାମ୍ପଡ଼ ତିଆରି କରିବେ ଓ ଆଖପାଖରେ ବିକ୍ରି କରିବାକୁ ଚେଷ୍ଟା କରିବେ । ସେମାନେ ସମସ୍ତେ କାମଚଳା ସାମାନ୍ୟ ପାଠଶାଠ ପଢିଥିଲେ ଓ କାହାର ବି ବ୍ୟବସାୟ କରିବାର ଅଭିଜ୍ଞତା ନଥିଲା । ତେବେ ବେପାର ବଣିଜ କରିବା ଓ ଅଳ୍ପରୁ ବହୁତ ହେବାର ଏବଂ କରିପାରିବାର ଗୁଜୁରାଟି ରକ୍ତ ସେମାନଙ୍କ ଭିତରେ ଥିଲା । ସେଦିନ ଛାତ ଉପରେ ଏକାଠି ହେଇଥିବା ସାତଜଣ ହେଲେ ଜସବନ୍ତୀବେନ୍ ପୋପଟ୍, ଜୟାବେନ୍ ଭିଥାଲାନି, ପ୍ରଭାବତୀବେନ୍ ଥୋଦାନୀ, ଉଜମବେନ୍ କୁଣ୍ଡଲିଆ, ବନୁବେନ୍ ତାନ୍ନା, ଚୁତଡବେନ୍ ଗୱାଡ଼େ ଓ ଲାଗୁବେନ୍ ଗୋକାନି ।

ଫଟାଫଟ୍ ସମସ୍ତେ ଏଥର କାମରେ ଲାଗିଗଲେ ଓ ପ୍ରଥମଦିନ ଚାରି ପ୍ୟାକେଟ୍ ପାମ୍ପଡ଼ ତିଆରି କଲେ । ପାଖ ବଜାରରେ ସେମାନଙ୍କ ହାତ ତିଆରି ପାମ୍ପଡ଼ ବିକ୍ରି ପାଇଁ ପହଞ୍ଚାଇଲେ । ଦୋକାନ ଦୋକାନ ବୁଲି ପାମ୍ପଡ଼ ଦେବା ଓ ପଇସା ଆଦାୟ କରିବା ଏତେ ସହଜ ନଥିଲା । ଦୋକାନୀମାନେ କାହିଁକି ବା ହଠାତ୍ ସେମାନଙ୍କ ପାଖରୁ ପାମ୍ପଡ଼ ନେଇଥା'ନ୍ତେ ? ସେଦିଗରେ ସାହାଯ୍ୟ କରିବାକୁ ପହଞ୍ଚିଲେ ପୁରୁଷୋତ୍ତମ ଦାମୋଦର ଦତ୍ତାନି । ପୁରୁଷୋତ୍ତମ ବାବୁ ଦୋକାନ ଦୋକାନ ବୁଲି ଶେଷରେ ପାମ୍ପଡ଼ତକ ଗୋରେଗାଓଁ'ର ଆନନ୍ଦଜୀ ପ୍ରେମଜୀ ଆଣ୍ଡ କମ୍ପାନୀରେ ବିକ୍ରି କରି ଫେରିଲେ । ସେଦିନ କିଲେ ପାମ୍ପଡ଼ ବିକ୍ରି ହେଇଥିଲା ଓ ରୋଜଗାର ହେଇଥିଲା ଆଠ ଅଣା । ପରଦିନ ଦୁଇ କିଲୋ ବିକ୍ରି ହେଇଗଲା ଓ ରୋଜଗାର ହେଲା ଟଙ୍କାଟେ । ଏ କଥା ଧିରେଧିରେ ଅନ୍ୟ ପାଖ ପଡ଼ୋଶୀର ସ୍ତ୍ରୀଲୋକମାନେ ଜାଣିଲେ ଓ ସେମାନେ ବି ସହଭାଗୀ ହେବାକୁ ପହଞ୍ଚିଲେ । ସମବାୟ ସମିତି ଗଢା ହେଲା । ମାତ୍ର ତିନି ଚାରି ମାସ ଭିତରେ ସମବାୟ ସମିତିରେ ଦୁଇଶହ ସ୍ତ୍ରୀଲୋକ ସଦସ୍ଯ ହେଇସାରିଥିଲେ । ୱାଡ଼ାଲାରେ ରହୁଥିବା କିଛି ସ୍ତ୍ରୀଲୋକ ଆଗ୍ରହୀ ହେବାରୁ ସେମାନଙ୍କ ପାଇଁ ଆଉ ଏକ ଶାଖା ସେଠି ଖୋଲାଗଲା । ସେଇ ୧୯୫୯ରେ ଛଅ ହଜାର ଟଙ୍କାର ବିକ୍ରିବଟା ହେଇଥିଲା । ସେ ସମୟ ଅନୁସାରେ ଛଅ ହଜାର ଟଙ୍କା ବହୁତ କିଛି ଥିଲା ।

ସମାଜସେବୀ ଛଗନଲାଲ୍ ପରେଖ ଯାହାଙ୍କୁ ଲୋକେ ଛଗନବାପା ବୋଲି ଡାକୁଥିଲେ ତାଙ୍କ ପାଖରେ ଏଇ ସାତ ଭଉଣୀ ସାହାଯ୍ୟ ପାଇଁ ପହଞ୍ଚିଲେ । ସାହାଯ୍ୟ ମାନେ ବେପାର ବଢେଇବାକୁ କିଛି ଅର୍ଥର ଆବଶ୍ୟକତା ଥିଲା ଓ ସେଇ ଅର୍ଥ ସାହାଯ୍ୟ ପାଇଁ ସେମାନେ ଛଗନବାପାଙ୍କ ପାଖରେ ପ୍ରକୃତରେ ପହଞ୍ଚିଥିଲେ । ଛଗନବାପା ସେମାନଙ୍କୁ ଅଶି ଟଙ୍କା ଧାର୍ ଦେଇଥିଲେ । ସେଦିନ ଅଶି ଟଙ୍କାର ମୂଳଧନରେ ଆରମ୍ଭ ହେଇଥିବା ବ୍ୟବସାୟ ଆଜି ଷୋଳହଜାର କୋଟି ଟଙ୍କାରେ ପହଞ୍ଚି ସାରିଛି । ଛଗନବାପା କେବଳ ଆର୍ଥିକ ସାହାଯ୍ୟ କରିନଥିଲେ, ସେ ସ୍ତ୍ରୀଲୋକମାନଙ୍କୁ ବ୍ୟବସାୟ ସୁରୁଖୁରୁରେ ଚଳେଇବା ପାଇଁ ବିଭିନ୍ନ ମାର୍ଗଦର୍ଶନ ମଧ୍ୟ କରୁଥିଲେ । ଛଗନବାପାଙ୍କ ଉପଦେଶ କ୍ରମେ ସେମାନେ ଏକା ଆକାରର ଏକା ସ୍ୱାଦର ପାମ୍ପଡ଼ ତିଆରି କରିଥିଲେ ଓ ପାମ୍ପଡ଼ର ଗୁଣବତ୍ତାରେ କୌଣସି ପ୍ରକାରର ବୁଝାବଣା କରିନଥିଲେ । ଛଗନବାପାଙ୍କ ପ୍ରାରମ୍ଭିକ ସାହାଯ୍ୟ ଓ ସହଯୋଗକୁ ମନେରଖିବାକୁ ଲିଜ୍ଜତ ୧୯୮୦ରୁ ତାଙ୍କ ନାମରେ ଏକ ସ୍କଲାରସିପ୍ ର ପ୍ରଚଳନ ଆରମ୍ଭ କରିଛି ।

ବେପାର ବଢିଲା ଓ ଅନେକ ସ୍ତ୍ରୀଲୋକ ଧିରେଧିରେ ସାମିଲ ହେଲେ । ସାତ ଭଉଣୀ ୧୯୬୬ ମସିହାବେଳକୁ ଠିକ୍ କଲେ ଏଥର ସଂସ୍ଥା ପାଇଁ ବିଧିବଦ୍ଧ ସରକାରୀ ମୋହର ଦରକାର । ସମବାୟରେ ଯେତେ ମହିଳା କାମ କରୁଥିଲେ ସମସ୍ତଙ୍କୁ ବେନ୍ ବା ଭଉଣୀ ବୋଲି ଡକାଯାଉଥିଲା । ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ ଅଧୀନରେ ରେଜିଷ୍ଟ୍ରେସନ୍ ହେଲା । ପାମ୍ପଡ଼ର ନାଁ ଦିଆଗଲା ଶ୍ରୀ ମହିଳା ଗୃହ ଉଦ୍ୟୋଗ ଲିଜ୍ଜତ୍ ପାମ୍ପଡ଼ (ଏସ୍.ଏମ୍.ଜି.ୟୁ.ଏଲ୍.ପି) । ଲିଜ୍ଜତ ଏକ ଗୁଜରାଟି ଶବ୍ଦ । ଯାହାର ଅର୍ଥ ହେଲା ଖୁସି ଆନନ୍ଦ ମଜା । ସେଇ ବର୍ଷ ଖଦି ଓ ଗ୍ରାମଦ୍ୟୋଗ ଇଣ୍ଡଷ୍ଟ୍ରିଜ୍ କମିଶନ୍ ଏହାକୁ ଗ୍ରାମଦ୍ୟୋଗ ଭାବରେ ଚିହ୍ନଟ କଲା । ୧୯୬୮ରେ ଲିଜ୍ଜତ ଗୁଜରାଟରେ ଶାଖା ଖୋଲିଲା । ଆଜି ସାରା ଭାରତରେ ଲିଜ୍ଜତର ୮୨ଟି ଶାଖା ଖୋଲିଛି । ଭାରତ ଛଡ଼ା ଅନ୍ୟ ପନ୍ଦରଟି ଦେଶରେ ସିଧାସଳଖ ବ୍ୟବସାୟ କରୁଛି । ହଜାର ହଜାର ଗୃହିଣୀ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ମୁହଁରେ ହସ ଫୁଟାଇଛି ଲିଜ୍ଜତ ।

ଲିଜ୍ଜତ ପାମ୍ପଡ଼ ତା'ର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ତିଆରି ହୁଏ । ପାମ୍ପଡ଼ ତିଆରି ପାଇଁ ଦରକାରୀ କଞ୍ଚାମାଲ ସଂଗ୍ରହ ପରେ ଆବଶ୍ୟକୀୟ ପ୍ରକ୍ରିୟାକରଣ ପରେ ଶାଖାମାନଙ୍କୁ ପଠାଇ ଦିଆଯାଏ । ସେଥିପାଇଁ ଅଲଗା ଅଲଗା ଜାଗାରେ ତିଆରି ହେଲେ ବି ପାମ୍ପଡ଼ର ସ୍ୱାଦ ସମାନ ରୁହେ । କମ୍ପାନୀ କଞ୍ଚାମାଲ ଭାବରେ ମିଆଁମାର୍ ରୁ ଆଣେ ଡାଲି, ଆଫଗାନସ୍ଥାନରୁ ଆଣେ ହେଙ୍ଗୁ, ଗୋଲମରିଚ ଆସେ କେରଳରୁ । ଏକ ବିଶେଷ ଉପାୟରେ ଗୋଲମରିଚକୁ ଗୁଣ୍ଡ କରାଯାଏ ଓ ହେଙ୍ଗୁ ଗୁଣ୍ଡ ସହ ମିଶାଯାଏ । ଏ କାମ ବମ୍ବେର ୱାସି ଓ ନାସିକ୍ ରେ ହୁଏ । ଲୁଣ ପାଣିରେ ଭିଜାଯାଏ ଡାଲିଗୁଣ୍ଡକୁ । ସବୁ ମସଲା ମସଲିକୁ ମିଶାଇ ଗୋଳାଗୋଳି କଲାପରେ ଯାଇ ବିଭିନ୍ନ ଶାଖାକୁ ପଠାଯାଏ । ଶାଖାରେ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଆକାରରେ ପାମ୍ପଡ଼ ବେଲନ୍ତି । ମୁଖ୍ୟତଃ ସ୍ତ୍ରୀଲୋକମାନେ ପାଗ ହେଇସାରିଥିବା ଚକଟାକୁ ଓଜନ କରି ଘରକୁ ନେଇ ପାମ୍ପଡ଼ ବେଲି ସାରି ଶାଖାରେ ଦେଇଦିଅନ୍ତି ଓ ସେଇ ଅନୁସାରେ ପଇସା ପାଆନ୍ତି । ପାମ୍ପଡ଼ ସବୁ ମୁମ୍ବାଇ ଆସେ ଓ ସ୍ୱାଦ ଆଦିର ଯାଞ୍ଚ ପରେ ପ୍ୟାକେଟରେ ପଶି ବଜାରକୁ ଯାଏ । ଘରର କାମ ଧନ୍ଦା ସାରିଲା ପରେ ବଳକା ସମୟରେ ସ୍ତ୍ରୀଲୋକମାନେ ହାତଖର୍ଚ୍ଚ ଉଠୋଇବାକୁ ପାମ୍ପଡ଼ ବେଲାରୁ ବେଶ୍ ଦୁଇ ପଇସା ରୋଜଗାର କରନ୍ତି । କେହି କହି ପରିବାର ମଧ୍ୟ ଚଳାନ୍ତି । ଆପଣା ଘରେ ପାମ୍ପଡ଼କୁ ଠିକ୍ ଠାକ୍ ଭାବରେ ପରିଷ୍କାର ପରିବେଶରେ ରଖା ଶୁଖା କରାଯାଉଛି କି ନାହିଁ ଜାଣିବାକୁ କମ୍ପାନୀର କର୍ମଚାରୀ ହଠାତ୍ ପହଞ୍ଚି ପରିସ୍ଥିତିର ଯାଞ୍ଚ ଅନୁଧ୍ୟାନ ବି କରିଥା'ନ୍ତି । ସବୁ ସମୟରେ ଲକ୍ଷ୍ଯ ରଖାଯାଏ ପାମ୍ପଡ଼ର ଗୁଣବତ୍ତା ଯେମିତି ଠିକ୍ ରୁହେ । ଘରୁ ଗୋଡ଼ ନକାଢି ସ୍ତ୍ରୀଲୋକମାନେ ରୋଜଗାର କରି ପରିବାରକୁ ସହଯୋଗ କରିପାରିବେର ମୂଳ ଧାରଣା ସଫଳ ହେଇଛି । ବଡ଼ ବଡ଼ କମ୍ପାନୀମାନେ ଆଜି ମଣିଷକୁ ବାହାର କରିଦେଇ ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ ହେଲାବେଳକୁ ଲିଜ୍ଜତ ଏବେ ବି ତା'ର ପୁରୁଣା ପ୍ରକ୍ରିୟା ଉପରେ ବିଶ୍ୱାସ ରଖିଛି ।

୧୯୫୯ ମସିହାରେ ମାତ୍ର ସାତଜଣ ସାଧାରଣ ସ୍ତ୍ରୀଲୋକଙ୍କ ଦ୍ୱାରା ଆରମ୍ଭ ହେଇଥିବା ଉଦ୍ୟୋଗ ଆଜି ସ୍ତ୍ରୀଲୋକମାନଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ପୁରୁଣା ଓ ବୃହତ୍ ସମବାୟ ଉଦ୍ୟୋଗ । ଆଜି ସଂସ୍ଥା ସହ ପ୍ରାୟ ପଇଁଚାଳିଶ ହଜାର ସ୍ତ୍ରୀଲୋକ ଯୋଡ଼ି ହୋଇ ରହିଛନ୍ତି । ବଡ଼ କଥା ହେଲା ଲିଜ୍ଜତ ଏତେ ବର୍ଷ ଧରି ତା'ର ସ୍ୱାଦ ଓ ମାନକୁ ବଜାୟ ରଖିଛି । ହଜାର ପ୍ରତିକୂଳତା ଭିତରେ ଲିଜ୍ଜତ ତା'ର ଇଜ୍ଜତ କିନ୍ତୁ ବଞ୍ଚେଇ ରଖିଛି । ଆଜିକାଲି ପାମ୍ପଡ଼ ସହ ଲିଜ୍ଜତ ତା' ବ୍ରାଣ୍ଡରେ ବିଭିନ୍ନ ପ୍ରକାର ମସଲା, ଅଟା, ଲୁଗାଧୁଆ ପାଉଡର୍ ଓ ସାବୁନ, ଖକରା, ବଡ଼ି, ଧୂପକାଠି ଆଦି ଅନେକ ଜିନିଷ ତିଆରି କରୁଛି ।

କଳାଧଳା ଟି.ଭି ଅମଳରେ ପିଲାଦିନେ ଦେଖିଥିବା ଲିଜ୍ଜତ ପାମ୍ପଡ଼ର ବିଜ୍ଞାପନ ନିଶ୍ଚୟ ମନେଥିବ । କୁଡୁମୁଡିଆ ପାମ୍ପଡ଼ ଧରି ଖାଉଥିବା ବଡ଼ ଠେକୁଆ ଓ ସେ ବିଜ୍ଞାପନର ଖୁରମ ଖୁରମ ଜିଙ୍ଗଲସ୍ ଏତେ ଶୀଘ୍ର ଭୁଲିହେବନି । ଆଜି ବି ସେ ଠେକୁଆର ଛବି ଲିଜ୍ଜତ ପାମ୍ପଡ଼ର ପ୍ୟାକେଟ୍ ଉପରେ ବସି ପାମ୍ପଡ଼ ଖାଉଛି । ଏବେ ବଜାରରେ ଅନେକ ପ୍ରକାରର ଭଳିକି ଭଳି ପାମ୍ପଡ଼ । ତଥାପି କିନ୍ତୁ ମାସିକିଆ ସଉଦା ତାଲିକାରେ ଲିଜ୍ଜତର ନାଁ ନିଶ୍ଚୟ ରହୁଛି । ବିବାହ ବ୍ରତ ଆଦି ଭୋଜିରେ ଭାତ ଥାଳି ସାଙ୍ଗରେ ପାମ୍ପଡ଼ ଆଜିକାଲି ଅବିଚ୍ଛେଦ୍ୟ ହେଇସାରିଲାଣି । ପାମ୍ପଡ଼ ଘରେ ଘରେ ପରିଚିତ ହେଇସାରିଲାଣି । ଅନେକ ତ ଯେକୌଣସି ପାମ୍ପଡ଼ ହେଉ ପଛେ ତାକୁ ଲିଜ୍ଜତ ବୋଲି କୁହନ୍ତି ।

Report an Error