ଉତ୍ସବ ଭୂମିରେ ନାଟକ ଓ ସାହିତ୍ୟ

ନାଟକ ଜୀବନର ଅନୁକୃତି ଓ ଜୀବନ ସ୍ୱୟଂ ଏକ ପ୍ରତ୍ୟକ୍ଷ ନାଟ୍ୟାନୁଭୁତି । ଏ ସାରା ସଂସାର ଏକ ବିଶାଳ ରଂଗମଞ୍ଚ ଓ ଆମେ ସମସ୍ତେ ସେ ରଂଗମଞ୍ଚରେ ସଦା ଜାରି ରହିଥିବା ନାଟକରେ ଅଭିନୟ କରୁଥିବା ଏକ ଏକ ଚରିତ୍ର ମାତ୍ର ।


ଆଗରୁ କହିଛି ଫି' ସନ ଶୀତରେ ଆରମ୍ଭ ହୋଇଯାଏ ଉତ୍ସବର ଋତୁ । ନାଟକର, ଗୀତର, ନୃତ୍ୟର ଓ ପୁସ୍ତକର । ବର୍ତ୍ତମାନ ଚାଲିଛି ପୁସ୍ତକ ମେଳା । ଉତ୍ସବ ସାହିତ୍ୟର, କବିତାର, ଗଳ୍ପର, ଉପନ୍ୟାସର । ନାଟକର । ଉତ୍ସବ ଆଲୋଚନାର, ପଠନର । ନାଟକର ଉତ୍ସବ ମଣ୍ଡପରେ ନ ହୋଇ ପୁସ୍ତକମେଳା ପରିସରରେ ହେବା ଦରକାର । ପରିବେଷଣ ନୁହେଁ ନାଟକ ପଠନର । ଆଲୋଚନାର, ନାଟକ ବହି କିଣିବାର ।

ଜାଣିନି ଆଯିଯାଏ ଚାଲିଥିବା ମାଳମାଳ ପୁସ୍ତକ ଉନ୍ମୋଚନରେ କିଛି ନାଟକ ପୁସ୍ତକ ଅଛି କି ନା ? ନାଟକ ପୁସ୍ତକ ବି ମେଳାରେ ଅଛି କି ନା ସନ୍ଦେହ ?

ଯଦି ନାହିଁ; ନାଟ୍ୟକାରମାନେ ଚିନ୍ତା କରିବା ଉଚିତ୍ । ଲିଖିତ ନାଟକର ପରିବେଷଣ ଯେତିକି ଉପଯୋଗୀ ସେହି ନାଟକର ପ୍ରକାଶିତ ପୁସ୍ତକ ମଧ୍ୟ ପରବର୍ତ୍ତୀ ନାଟ୍ୟ ପ୍ରଶିକ୍ଷୁଙ୍କ ପାଇଁ ତତୋଧିକ ଉପଯୋଗୀ ।

ଏବେ ବି ନାଟକ ହେଉ ଅବା ଗୀତିନାଟ୍ୟ କଥା ପଡ଼ିଲେ ଆମ ସମୟର ଅନେକଙ୍କ ମୁହଁରୁ ସେ ସଂଳାପ ମନେ ପଡ଼ିଯାଏ । ଏଥିପାଇଁ ନୁହେଁ କି ସେ ନାଟକ ବହୁତ ଦେଖାଯାଇଛି । ଏୟା ବି ଯେ ସେ ସମୟରେ ସେ ନାଟକ ଓ ଗୀତିନାଟ୍ୟ ଆଦି ପୁସ୍ତକ ଆକାରରେ ଉପଲବ୍‌ଧ ହେଉଥିଲା ।

ବାରମ୍ବାର ପଢ଼ିବା ଯୋଗୁ ମନେ ରହିଯାଇଛି ସେ ସଂଳାପ । ଯାହା ଛୁଇଁ ଯାଇଥିଲା ମନକୁ ।

ଆମେ ଐତିହାସିକ ନାଟକ ଦେଖିଛନ୍ତି, ପୌରାଣିକ, ସାମାଜିକ, ଆଧୁନିକ, ଅତ୍ୟାଧୁନିକ, ପରମ୍ପରାବାଦୀ, ବାସ୍ତବବାଦୀ, ଅତିବାସ୍ତବବାଦୀ, ଅବାସ୍ତବବାଦୀ, ଭୌତିକ, ଅତିଭୌତିକ ଆଦି ଭିନ୍ନ ପ୍ରକାରର ବାଦର ନାଟକ । ପଢ଼ିଛନ୍ତି ବି କିଛି ଆଲୋଚନା - ସମାଲୋଚନା ନାଟକକୁ ନେଇ । ଇତିହାସ - ପୌରାଣିକ, ସାମାଜିକ - ସମକାଳୀନ, ଆଧୁନିକ - ଅତିଆଧୁନିକ, ପରମ୍ପରାବାଦୀ ବାସ୍ତବବାଦୀ - ଅବାସ୍ତବବାଦୀ ଏ ପ୍ରକାର ପରସ୍ପର ବିରୋଧୀ ନାଟକ ସମ୍ପର୍କରେ ଗୁଢ଼ ଆଲୋଚନା କାହିଁ ? ସେ ପ୍ରକାର ଆଲୋଚନାମୂଳକ ପୁସ୍ତକ କାହିଁ ?

ଏ ପ୍ରକାର ବିମର୍ଶମୂଳକ ଆଲୋଚନା ହେଉଛି ? ଶୁଣାଯାଉଛି ନାଟ୍ୟସଂଘ ପ୍ରତି ମାସରେ ନାଟ୍ୟ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରୁଛି । ଜାଣିନି ସେ ଆଲୋଚନାର ବିଷୟବସ୍ତୁ କ’ଣ ରହୁଛି ? ଯାହା ହେଉ ଆଲୋଚନା ତ ହେଉଛି । ସେ ଆଲୋଚନାର ଡକ୍ୟୁମେଣ୍ଟେସନ ଯଦି ପୁସ୍ତକ ଆକାରରେ ପ୍ରକାଶ ପାଆନ୍ତା; ତାହେଲେ ନାଟ୍ୟ ପ୍ରଶିକ୍ଷୁଙ୍କ ପାଇଁ ଖୁବ୍ ଉପାଦେୟ ହୋଇପାରନ୍ତା ।

କେବଳ ବାର୍ଷିକ ଉତ୍ସବରେ କିଛି ପ୍ରତିପତ୍ର ପ୍ରକାଶ କରି ବାଣ୍ଟି ଦେଇ କାର୍ଯ୍ୟ ସାରି ଦେବା ଛଳନା । ଇତିହାସକୁ ସମକାଳୀନ ଆଧାରରେ ଦେଖି ବୁଝି ତତ୍‌ସମ୍ପର୍କରେ ଉଲ୍ଲେଖ କରିବା ଦରକାର ।

ନାଟକ ଜୀବନର ଅନୁକୃତି ଓ ଜୀବନ ସ୍ୱୟଂ ଏକ ପ୍ରତ୍ୟକ୍ଷ ନାଟ୍ୟାନୁଭୁତି । ଏ ସାରା ସଂସାର ଏକ ବିଶାଳ ରଂଗମଞ୍ଚ ଓ ଆମେ ସମସ୍ତେ ସେ ରଂଗମଞ୍ଚରେ ସଦା ଜାରି ରହିଥିବା ନାଟକରେ ଅଭିନୟ କରୁଥିବା ଏକ ଏକ ଚରିତ୍ର ମାତ୍ର । ଜୀବନର ଏ ଜୀବନ୍ତତା ଓ ସାକ୍ଷାତ୍କାରୀ ନାଟକୀୟ ଭୂମିକା ମଣିଷ ଜୀବନରେ ପ୍ରତି କ୍ଷଣ ନାଟକୀୟ ସଂଘର୍ଷରେ ପରିଣତ ହେଉଥାଏ । ପ୍ରତି କ୍ଷଣ ସଂସାର ଆମ ଜୀବନର ପରୀକ୍ଷା ନେଉଥାଏ । ଆଉ ଏହି ପରୀକ୍ଷା ରୁପକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମକୁ ବଞ୍ଚିବାର ଆନନ୍ଦ ଦେଇଆସୁଥାଏ ।

ସଂସାର ରୁପକ ନାଟକରେ ପ୍ରତି ମୁହୂର୍ତ୍ତରେ ଗଢ଼ୁଥିବା - ଭାଂଗୁଥିବା ସମ୍ପର୍କ ଓ ଜୀବନର ଆନନ୍ଦ ରଂଗମଞ୍ଚର ବିଭିନ୍ନ ବିଭାକୁ ହାଲ୍ଲୋଳ କରୁଥାଏ । ଆମ ବିଚାର ଓ ଚେତନାକୁ ଗଭୀର ଭାବେ ପ୍ରଭାବିତ କରିଆସିଥାଏ ।

ପ୍ରେକ୍ଷାଳୟରେ ଗୁଞ୍ଜରିତ ହେଉଥିବା ସଂଳାପ, ନେପଥ୍ୟରୁ ଭାସି ଆସୁଥିବା ସଂଗୀତର ଲହର, ମଂଚ ଉପରେ ଆତଯାତ ଚରିତ୍ରମାନଙ୍କ ପଦଶବ୍ଦ ଓ ନୀରବତା ଆମପାଇଁ ଏକ ସ୍ୱପ୍ନମୟ ପରିବେଶ ତିଆରି କରିଥାଏ ।

ନାଟକ ପଠନ କରିବାବେଳେ ମଧ୍ୟ ସମପ୍ରକାର ଦିବ୍ୟ ଅନୁଭବ ହୋଇଥାଏ । ନାଟକ ସମ୍ପର୍କିତ ଆଲେଖ, ଆଲୋଚନା ଓ ସମାଲୋଚନା ଆଦି ପାଠ କରିବାବେଳେ ଅଭିନେତାଟିଏ ନିଜ ଭୁଲ - ଠିକ୍ ବାରିପାରେ । ସାଧାରଣ ଦର୍ଶକ - ପାଠକ ଅଭିନୟର ସୁଆଦ ଅନୁଭବ କରିଥାଏ । ଆମର ଜୀବନାନୁଭବ ପାଇଁ ଉର୍ବର ଭୂମି ପ୍ରସ୍ତୁତ୍ କରିଥାଏ ।

ମନୁଷ୍ୟର ନିଜ ଇତିହାସ ସହ ଅବିଚ୍ଛିନ୍ନ ସମ୍ପର୍କ ରହିଥାଏ । ଇତିହାସରୁ ହିଁ ସେ ନିଜ ଜାତୀୟ ଅସ୍ମିତା ତଥା ନିଜକୁ ଚିହ୍ନିବାର ଅନ୍ତଃସୂତ୍ରକୁ ହାସଲ କରିିଥାଏ । ସଂକଟ ସମୟରେ ସେ ଇତିହାସ ଦୃଷ୍ଟିକୋଣରୁ ବର୍ତ୍ତମାନ ସହିତ ସଂଘର୍ଷ କରିବାର ତଥା ସଂଘର୍ଷଶୀଳ ଭାବେ ତିଷ୍ଠି ରହିବାର ବାଟ କାଢ଼ି ନେଇଥାଏ ।

ଇତିହାସ ଓ ପୁରାଣକୁ ନୂଆ ରୁପରେ ନୂଆ ଦିଗରେ ନୂଆ ଢଙ୍ଗରେ ଉପସ୍ଥାପନ କରିବାର ଆବଶ୍ୟକତା ରହିଛି ।

ନାଟକ ବହୁସମ୍ବେଦନୀ, ପ୍ରୟୋଗଧର୍ମୀ ତଥା ଅଧିକ ସଂଭାବନାଶୀଳ ହେବା ଦରକାର ।

ଇତିହାସ ତଥା ପୁରାଣ କେବଳ ତିଥି, କାଳ, ମାସ, ଘଟଣା, ବର୍ଷ ଓ ଚରିତ୍ର ନୁହେଁ । ଏହାକୁ କେବଳ ସ୍ମୃତି, ଅତୀତ ଓ ବିତିଯାଇଥିବା ସମୟ ସହ ଯୋଡ଼ି ଦେଖିବା ଉଚିତ୍ ନୁହେଁ । ବରଂ ଏହା ସଂସ୍କାର ଓ ସାଂସ୍କୃତିକ ଆସ୍ଥାର ଆଧାର । ଇତିହାସ କେବଳ ଘଟଣାପ୍ରବାହର ଧାରାମାନ ପ୍ରବାହ ନୁହେଁ; ଏହା ଜୀବନ୍ତ ବିଧାନ ।

ସାହିତ୍ୟ ଓ ଇତିହାସର ପ୍ରୟୋଗ ପ୍ରାଚୀନ କାଳରୁ ହୋଇଆସିଛି । ସାହିତ୍ୟର ଅନ୍ୟ ବିଭା ତୁଳନାରେ ନାଟକରେ ଇତିହାସର ପ୍ରୟୋଗ ଅଧିକ କଳାତ୍ମକ ଓ ଜୀବନ୍ତ ଢଂଗରେ ସମ୍ପନ୍ନ ହୋଇଛି । ମଞ୍ଚୀୟ କ୍ଷମତା - ସ୍ୱାଧୀନତାରେ ନାଟ୍ୟକାର - ନିର୍ଦ୍ଦେଶକ ଇତିହାସର ସମୟକୁ ବର୍ତ୍ତମାନର ସମୟରେ ଢାଲୀବାର ଅଭୂତପୂର୍ବ କ୍ଷମତା ରଖିଥାଏ । ଇତିହାସ ଯେବେ ସାହିତ୍ୟ ଓ ପରିବେଷଣ ସହିତ ଯୋଡ଼ି ହୋଇଯାଏ; ତେବେ କଳ୍ପନା ଓ ସମ୍ବେଦନଶୀଳତା ଆଦି ତତ୍ତ୍ୱ ସକ୍ରିୟ ହୋଇଥାନ୍ତି ।

ନାଟକ ପଠନ ସାହିତ୍ୟର ଏକ ଅଂଶ । ପଠନରେ ଆତ୍ମାର ଶୋଧନ ହୋଇଥାଏ । ନାଟରେ ଶରୀରକୁ ମନ୍ଦିର କୁହାଯାଇଥାଏ । ପଠନ ଦ୍ୱାରା ଶରୀରରୂପକ ମନ୍ଦିର ଶୁଦ୍ଧି ହୋଇଥାଏ । ସାହିତ୍ୟ ଯୁଗସାପେକ୍ଷ ହୋଇଥାଏ । ସାହିତ୍ୟରେ ସମସ୍ୟା - ସମାଧାନ, ଆଶା - ଆକାଂକ୍ଷା, ସ୍ୱପ୍ନ - ବାସ୍ତବତା ଭରି ରହିଥାଏ । ସମକାଳୀନ ହୋଇଥାଏ । ଅଭିନେତାକୁ, ଦର୍ଶକକୁ ଓ ପାଠକକୁ ସମକାଳୀନ ପରିବେଶରୁ ମୁହଁ ମୋଡ଼ିନେବା କଥା ଭାବିବା ବି ଉଚିତ୍ ନୁହେଁ ।

ସମସାମୟିକ ନାଟକରେ ସମକାଳୀନତା ପ୍ରତି ଆଗ୍ରହ ରହିବା ଦରକାର । ଆଜିର ସମୟରେ ପ୍ରକାଶିତ ପୁସ୍ତକ ପଢ଼ିବା ଦରକାର । ଆଜିର ସମୟର କବିତା, ଗଳ୍ପ ଉପନ୍ୟାସ, ନାଟକ ପଢ଼ିବା ଦରକାର । ନାଟ୍ୟକାର ସମେତ ଅଭିନେତା ଓ ନିର୍ଦ୍ଦେଶକଙ୍କ ଦୃଷ୍ଟିଭଂଗୀରେ ପରିବର୍ତ୍ତନ ହେବ । ପରିବର୍ତ୍ତନ ଆଣିବା ବି ଦରକାର ।

ଆଧୁନିକତାର ନୂଆ ଅବଧାରଣାରେ ହିଁ ନାଟ୍ୟ ସଂବେଦନା ସୃଷ୍ଟି ହୁଏ । ଚରିତ୍ର ବଳିଷ୍ଠ ହୋଇଥାଏ । ଭାରତୀୟ ସମାଜରେ ବର୍ତ୍ତମାନ ପରିପ୍ରେକ୍ଷରେ ଏକ ବୃହତ୍ ବ୍ୟବଧାନ ରହିଛି । ଶିକ୍ଷାର ସ୍ତର ବଢ଼ଛି, ସ୍ୱାସ୍ଥ୍ୟସେବାର ସହଜତା ବଢ଼ିଛି, ଗମନାଗମନ ସୁଗମ ହୋଇଛି, ଯୋଗାଯୋଗ ହାତ ପାହାନ୍ତାରେ ପହଞ୍ଚିଛି ।

ତଥାପି ଗୋଟେ ବର୍ଗ ସୁବିଧାସମ୍ପନ୍ନ ହୋଇଚାଲୁଥିବାବେଳେ ଆଉ ଗୋଟେ ବର୍ଗ ଅବହେଳିତ ହୋଇ ରହିଆସୁଛନ୍ତି । ସେବେ ବି ଥିଲା । ଏବେ ବି ରହିଛି । ଏଇ ବ୍ୟବଧାନକୁ ଇତିହାସର ଆଇନାରେ ଦେଖି ବର୍ତ୍ତମାନର ଢଂଗରେ ପରିବେଷଣ ଜରୁରୀ । ବିଗତ କିଛି ବର୍ଷରେ ଭାରତୀୟ ସମାଜର ଚରିତ୍ରରେ ଅନେକ ପରିବର୍ତ୍ତନ ଆସିଛି । ତଥାପି ବିକାଶ ନାମରେ ଭାରତୀୟ ସମାଜ ଦ୍ୱିଭାଗରେ ବିଭକ୍ତ ।

ଗୋଟିଏ ପଟେ ସୁବିଧାସମ୍ପନ୍ନ, ସକ୍ଷମ ଓ ଭୁକ୍ତଭୋଗୀ ଆଉ ଅନ୍ୟପଟେ ଅଭାବ, ଭୋକ, ରୋଗ, ଦଂଗା, ଶୋଭାଯାତ୍ରା, ଶୋଷଣ ଓ ଉତ୍ପୀଡ଼ନ ।

ଏଥିସହିତ ବେକାରୀ, ଆତଂକବାଦ, ଜାତିବାଦ, ବ୍ରାହ୍ମଣବାଦ, ବଂଶବାଦ, ହେତୁବାଦ, ନାରୀବାଦ ଆଦି ଅନେକ ବାଦରେ ଚିନ୍ତାଧାରା ବିଭକ୍ତ ।

ଆମ ନାଟକ ଏହି ସମସ୍ତ ପରିବେଶିକ ପୀଡ଼ା, ଉତ୍ପୀଡ଼ନ, ବିଘଟନ, ମୂଲ୍ୟ ସଂକ୍ରମଣ, ସଂବାଦହୀନତା, ଅସ୍ତିତ୍ୱ ସଂକଟର ପ୍ରାମାଣିକ ଦସ୍ତାବିଜ୍ ହେବା ଦରକାର । ଯାହା ଫଳରେ ଆମ ସମକାଳୀନତାର ସୁନ୍ଦର - ଭୟାବହ ଚେହେରା ଉଜାଗର ହୋଇପାରିବ ।

ମଣିଷ ସ୍କନ୍ଦଚ୍ୟୁତ ହୋଇ, କେନ୍ଦ୍ରଚ୍ୟୁତ ହୋଇ ଦିଗହୀନ ହୋଇ ଅନ୍ଧଗଳିରେ ଘୁରିବୁଲଥିବାର ଦେଖାଯାଉଥିବାବେଳେ ସାହିତ୍ୟ ଓ ନାଟକର ଦାୟିତ୍ୱ ସେମାନଙ୍କୁ ସତ୍‌ରାସ୍ତା ଦେଖାଇବା ।

ଜୀବନପ୍ରବାହରୁ କକ୍ଷଚ୍ୟୁତ ବ୍ୟକ୍ତି, ବ୍ୟକ୍ତି ନ ରହି ସ୍ତ୍ରୀ, ପୁରୁଷ, ସର୍ବନାମ ତଥା ଏକ ସଂଖ୍ୟା ହୋଇଯାଇଛି । ସେମାନଙ୍କୁ ଜୀବନପ୍ରବାହକୁ ଫେରାଇ ଆଣିବା ଦାୟିତ୍ୱ ନାଟକର, ସାହିତ୍ୟର ।

ନାଟକ ଓ ସାହିତ୍ୟ ସେ କାର୍ଯ୍ୟ କରୁ । ଉତ୍ସବ ହେଉ ଜୀବନର । ସାଫଲ୍ୟର । ଆନନ୍ଦର ।

ଏଠି ସମସ୍ତେ ଭୋକିଲା । ଚପରାଶୀଠୁ ଆରମ୍ଭ କରି ଅଫିସର ପର୍ଯ୍ୟନ୍ତ, ପାଠକଠୁ ଆରମ୍ଭ କରି ପ୍ରକାଶକ ପର୍ଯ୍ୟନ୍ତ, କ୍ଲର୍କଠୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ, ଅଭିନେତାଠୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ, ଯନ୍ତ୍ରୀଠୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ । ଛାତ୍ର ପାଠ ପଢ଼ୁନି, ଅଧ୍ୟାପକ ପାଠ ପଢ଼ାଉନାହିଁ ।

ସମସ୍ତେ ଏଠି ଏକୁଟିଆ ଯୁଦ୍ଧ କରିବାକୁ ପ୍ରସ୍ତୁତ୍ । ଯୁଦ୍ଧ ଏକୁଟିଆ ନୁହେଁ, ଏକାଠି ଲଢ଼ାଯାଏ । ସାହିତ୍ୟର ଏ ଉତ୍ସବରେ ସାହିତ୍ୟ ଓ ନାଟକ ଏକାଠି ଉତ୍ସବ ପାଳନ କରନ୍ତୁ । ଜୀବନ ଓ ପରିବର୍ତ୍ତିତ ସମାଜ ସହ ଲଢ଼ନ୍ତୁ । ଆଉ ଲଢ଼ନ୍ତୁ ।

Report an Error