ଖଲିଲ ଜିବ୍ରାନଙ୍କ ଚିଠି - ୫

ଆରବର ସବୁଠୁ ପ୍ରସିଦ୍ଧ ଆଉ ପୃଥିବୀରେ ସବୁଠୁ ଲୋକପ୍ରିୟ ଲେଖକ ଖଲିଲ ଜିବ୍ରାନ । ଅଳ୍ପ ଆୟୁଷ ନେଇ ଆସିଥିବା ଖଲିଲଙ୍କ କଳା ଓ ସାହିତ୍ୟ ନିଜ ସମୟକୁ ଅତିକ୍ରମ କରି ଅନନ୍ତକାଳରେ ଖେଳା କରୁଛି । ତେବେ ତାଙ୍କ ପ୍ରେମ ତାଙ୍କ କଳାର ଆଧାର । ତାଙ୍କ ପ୍ରେମ ଚିଠିର ଆଧାରରେ ଏ ଧାରାବାହିକ ।


ଚିଠି ୧୧

ନିଉ ୟର୍କ,
ମଙ୍ଗଳବାର, ସେପ୍ଟେମ୍ବର ୧୯, ୧୯୧୧

ଆଦରର ମେରୀ,

ଜାହାଜରେ ରହସ୍ୟମୟ ବିନିଦ୍ର ରଜନୀଟିଏ ବିତାଇଲି । ବିଶ୍ରାମ ପାଇଁ ସେଥିରେ ସରକାରୀ ରୁମ୍ ନଥିଲା । ବର୍ଥଗୁଡିକରେ ଉତ୍କଟ ମଦ ଗନ୍ଧ । ତେଣୁ ଡେକ୍ ଉପରକୁ ଚାଲିଗଲି । ତାରାଙ୍କ ମେଳରେ ବ୍ଲେଡ ଭଳି କ୍ଷୀଣ ଚନ୍ଦ୍ର ତଳେ ତା'ପରେ ଏକ ସୁନ୍ଦର ସୂର୍ଯ୍ୟୋଦୟ ଭିତରେ ରାତି ପାହିଲା । ଏମିତି ଏକ ରାତିର ସ୍ମୃତି ସବୁଦିନ ପାଇଁ ଅଭୁଲା ରହିବ । ସମୁଦ୍ରର ସଂଗୀତ ଅଦ୍ଭୁତ ଭାବରେ ନିରବତାର ଅବଗୁଣ୍ଠନ ତଳେ ଢାଙ୍କି ହୋଇଯାଇଥିଲା । ଆଉ ସେଇ ଉଜ୍ଜ୍ବଳ ଅଗଣିତ ପୃଥିବୀସବୁ କ୍ଷୀପ୍ର ବେଗରେ ଅସୀମ ଅନ୍ତରୀକ୍ଷରେ ଭାସି ଯାଉଥିଲେ । ସେସବୁ ମୋ ଭିତରେ ଅୟୁତ ଭାବାବେଶ ସୃଷ୍ଟିକରୁଥିଲା ।

ଖଲିଲ

ଚିଠି ୧୨

ନିଉ ୟର୍କ,
ଶୁକ୍ରବାର, ସେପ୍ଟେମ୍ବର ୨୨, ୧୯୧୧

ସ୍ନେହର ମେରୀ,

ଟେନଥ୍ ଷ୍ଟ୍ରିଟରେ ଛୋଟ ଷ୍ଟୁଡିଓଟେ ଭଡାରେ ନେଲି । ଛୋଟ ହେଲେ ବି ଷ୍ଟୁଡିଓର ବାତାବରଣ ଭାରି ଭଲ, ବାଲକୋନୀ ବି ଅଛି । ପ୍ୟାରିସର ଷ୍ଟୁଡିଓ ପରି ଏଠାରେ ପ୍ରଚୁର ଆଲୋକ । ଭାବିପାରୁଛ ତ, ଏହାର ରେଣ୍ଟ ମାତ୍ର କୋଡ଼ିଏ ଡଲାର ! ମତେ ଜଣା ତମେ ମୋ ପାଇଁ ଏହାଠୁ ଅଧିକ ବଡ, ଅଧିକ ଭଲ ଷ୍ଟୁଡିଓଟେ ଚାହଁ । କିନ୍ତୁ ଏଇଟା ମୋ ପାଇଁ ଏବେ ଯଥେଷ୍ଟ ଭଲ । ସମୟ ଆସିଲେ ସେହି ପରମେଶ୍ଵର ମତେ ସଠିକ୍ ସ୍ଥାନରେ ଥଇଥାନ କରିବେ ।

ଆଶାକରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏଇ ବିଶାଳ ସହରରେ ନିଜ ଭାରସାମ୍ୟ ଠିକରେ ରଖି ମୁଁ କାର୍ଯ୍ଯକ୍ଷମ ହୋଇପାରିବି । ଏଠାରେ ସବୁ ଜିନିଷ ଈଶ୍ବରଙ୍କ କଳ୍ପନା ଭଳି ଆତଯାତ ହେଉଛନ୍ତି । ତିନିମାସ ତଳେ ଯେଉଁ ଜାଗାଗୁଡିକ ଆମେ ସାଙ୍ଗହୋଇ ବୁଲୁଥିଲେ ସେଇ ଜାଗାଗୁଡିକରେ ଏବେ ମୁଁ ଏକା ବୁଲୁଛି । ଆଜି ମୋ ଦୁଇ ଆଖିରେ ସବୁ କେତେ ଅଲଗା ଦିଶୁଛନ୍ତି । ତମେ ଏଠିକୁ ଆସିଲେ ଆମେ ପୁଣି ସାଙ୍ଗହୋଇ ସବୁ ଜାଗା ବୁଲିବା । ଆଗରୁ ଯାହା ଦେଖିଥିଲେ, ଆମ ଚାରି ଆଖିରେ ତା'ଠୁ ଅଧିକ ସ୍ବତନ୍ତ୍ର ଭାବରେ ଦେଖିବା ।

ଈଶ୍ବର ତମ ସହାୟ ହୁଅନ୍ତୁ !
ହୃଦୟଭରା ସ୍ନେହ ତମକୁ ।

ଖଲିଲ

ଚିଠି ୧୩

ନିଉ ୟର୍କ
ରବିବାର, ନଭେମ୍ବର ୨୬, ୧୯୧୧

ମେରୀ,

ସ୍ନେହ ନେବ । ତମେ ଯେଉଁଦିନ ଆସିବ, ସେ ଦିନଟି ମୋ ପାଇଁ ହେବ ଏକ କୃତଜ୍ଞତାର ଦିବସ । କିଛି ସମୟ ପୂର୍ବରୁ ସାର୍ଲେଟ ତମ ଆସିବା ଖବର ଦେଲେ । ତମକୁ ପଚାରିବାକୁ ଡରୁଛି କାରଣ ତମେ ମନା କରିଦେବ । ଆମେ ସବୁକିଛି ଯେମିତି ଇଚ୍ଛାକରୁ ଗୁରୁବାରଟି ସେମିତି ହେଇ ଆସିବ । ଏଇ ଦିନଟି ଅଧିକ ସମୟ ଭବିଷ୍ୟତର ଏକ ଅଂଶ ହୋଇ ରହିବନି କାରଣ ଏହାର ଅନୁଭବ ବର୍ତ୍ତମାନରେ ହିଁ ଅଧିକ ।

ଆଜିକାଲି ସବୁ କାମ କରୁଛି । ଘରଟା ଠିକଠାକ ରଖୁଛି । ମୋ ଭାବନାରେ ସମନ୍ଵୟ ଆଣୁଛି । ପୁରୁଣା ଭାବନାର ଛାଇସବୁ ଆଡେଇ ଦେଉଛି । ଦୁନିଆକୁ ବୁଝିବାକୁ ହେଲେ, ଦୁନିଆଠୁ ବହୁ ଦୂରକୁ ଚାଲିଯିବାକୁ ହେବ । ବଞ୍ଚିବା ସବୁଠାରୁ ଶ୍ରେଷ୍ଠ କଳା । କଳାକାରଟିର ମନରେ ବାସ୍ତବ ଜୀବନର ଝଲକ ରହିଥାଏ ।

ଈଶ୍ବର ହିଁ ଜୀବନ, ଈଶ୍ବର ସର୍ବବିଦ୍ୟମାନ । ମୋ ଦିନ ଓ ରାତି ତମକୁ ଭଲପାଇବାରେ ବିତିଯାଉ, ମେରୀ । ସେଇ ବୁଧବାର ଓ ଶୁକ୍ରବାରର ମହତ୍ତ୍ବ ଏବେ ବୁଝିପାରୁଛି । ଯାହା ମହାନ ତା'ଠୁ ଟିକେ ଦୂରେଇ ଗଲେ ତାକୁ ଦେଖିହେବ ।

ଏଇ ଦେଖନା, ତମକୁ ସହସ୍ର କଥା କହିବାର ଅଛି । ଗୁରୁବାର ଆସୁଛି ତାର ଆନନ୍ଦ ଏବେଠୁ ଭୋଗିବାରେ ଲାଗିଲିଣି ।

ଅନେକ ଅନେକ ଭଲପାଇବା,

ଖଲିଲ

ଚିଠି ୧୪

ନିଉ ୟର୍କ
ଶୁକ୍ରବାର, ନଭେମ୍ବର ୧୦, ୧୯୧୧

ସ୍ନେହର ମେରୀ,

ଏକ ପ୍ରାଚୀନ ଆରବୀୟ ଗୀତର ଭାବ ପରି, "ମୋ ହୃଦୟର ଭାବନା, କେବଳ ମୋତେ ଓ ଈଶ୍ବରଙ୍କୁ ଜଣା", ଆଜି ତମ ଶେଷ ତିନୋଟି ଚିଠି ପୁଣିଥରେ ପଢିବା ପରେ ବିଶ୍ବାସର ସହିତ କହିପାରିଲି, "କେବଳ ଈଶ୍ବର, ମେରୀ ଓ ମୁଁ ଜାଣୁ ମୋ ହୃଦୟରେ କଣ ଅଛି" । ଯଦି ମୋ ଛାତି ଚିରି, ମୋ ହୃଦୟକୁ ସମସ୍ତଙ୍କ ଆଗରେ ଥୋଇପାରନ୍ତି ଅନ୍ୟମାନେ ହୁଏତ ମତେ ବୁଝନ୍ତେ ! ନିଜକୁ ଉନ୍ମୁକ୍ତ କରିବାଠାରୁ ଆଉ ଗଭୀରତମ ଇଚ୍ଛା କଣ ବା ହୋଇପାରେ ! ମନ ତଳେ ଲୁଚି ରହିଥିବା ଆବେଗକୁ ଆମେ ବ୍ୟକ୍ତ କରିବାକୁ ଇଚ୍ଛା କରିଥାଉ । କବିଟିଏ ତା ପ୍ରଥମ କବିତାର କୋମଳ ଶବ୍ଦ ସମ୍ଭାର ସଂପର୍କରେ, ସଂକୀର୍ଣ୍ଣ ମନ ନେଇ ବଞ୍ଚୁଥିବା ଅଜ୍ଞ ମଣିଷଙ୍କଠାରୁ କଟୁ ମନ୍ତବ୍ୟ ପାଇଁ ବ୍ୟଥିତ ହୋଇଥାଏ । ଅସ୍ତସୂର୍ଯ୍ୟର ଅରୁଣିମା କବି ପ୍ରାଣକୁ କେମିତି ଛୁଇଁଛି, କେମିତି ଆନନ୍ଦିତ ଓ ଆଲୋଡିତ କରୁଛି, ସେଇ ଭାବନାକୁ ତା ଚାରିପାଖର ଦୁନିଆ ବୁଝୁ; ଏଇ ଟିକକ ଇଚ୍ଛାରେ ସେ ତା'ର ସର୍ବସ୍ଵ ଦାନ କରିଦେବାକୁ କୁଣ୍ଠାବୋଧ କରେନାହିଁ । ଏଇ ଯନ୍ତ୍ରଣା ରହସ୍ୟମୟ ହେଲେବି, ଏଥିରେ ଘଷି ମାଜି ହୋଇ କଳାକାରଟିଏ କଳାର ସୃଷ୍ଟି କରିଥାଏ ।

'କଳା ପାଇଁ କଳାର ସୃଷ୍ଟି' କହିଦେବାଟା ଭାରି ସହଜ । କିନ୍ତୁ ସେଇ ଅଜ୍ଞ ମଣିଷ ଆଖିରୁ ଅନ୍ଧପୁଟୁଳି ଖୋଲିଦେଇ, କଳାକାରଟି ଭୋଗୁଥିବା ତମାମ ଦିନ ଓ ରାତିର ନୀରବ ଆନନ୍ଦକୁ ଅନୁଭବ କରାଇବା କଣ ଏତେ ସହଜ ? ସୃଷ୍ଟି ମଧ୍ୟରେ ଆତ୍ମଗୋପନ କରିଥିବା ନୈସର୍ଗିକ ସୌନ୍ଦର୍ଯ୍ଯ ଲୋକମାନଙ୍କୁ ଅବଗତ କରାଇବା ହେଉଛି ବାସ୍ତବ କଳା । ମୁଁ ଏହାକୁ ବାସ୍ତବ କହିଲି କାରଣ ଏହା ଆମ କଳ୍ପନା ଶକ୍ତିର ସୀମାରେଖାକୁ ଆହୁରି ପ୍ରଲମ୍ବିତ କରିଥାଏ ।

ମେରୀ, ଏ ଷ୍ଟୁଡିଓଟି ଭାରି ସୁନ୍ଦର । ଏହାଠୁ ଅଧିକ ଆରାମ ଆଉ କୌଣସି ଜାଗାରୁ ପାଇନି ।

କାମ କରି ଚାଲିଛି । ଏ ଭିତରେ ଗୋଟିଏ ପେଣ୍ଟିଂ କରିଛି, Two Crossesଠାରୁ ଟିକେ ବଡ ହେବ । ସେଇ ବହିଟି ପାଇଁ ଏଇଟା ଖାଲି ଛୋଟ କାମଟିଏ ।

ଆମଭଳି କେଇଜଣ ଈଶ୍ବର ଅନ୍ବେଷୀଙ୍କ ନିର୍ଜ୍ଜନତାର ଭାବାବେଗରେ ଏକ ଉଦ୍ୟାନ ସୃଷ୍ଟି ହୋଇଯାଏ । ସେଠି ଜୀବନର କ୍ଷୁଧା ଓ ଆନନ୍ଦର ତୃଷ୍ଣା ବ୍ୟତୀତ ଆଉ କଣ ଥାଏ ଯେ ? ସେଇ ନିର୍ଜୀବ ବସ୍ତୁଗୁଡିକର ଧୂସର ଭାବନାରେ ଆମେ କବଳିତ ହୋଇଯାଇନୁ ତ ! ଆମ ଭିତରୁ କାହାର ଦୁଇଟି ଆତ୍ମା ଅଛି ଯେ, ଗୋଟିକୁ ପାହାଡ ପାଖକୁ ପଠାଇଦେବ ଅନ୍ଯଟି ଉପତ୍ୟକାକୁ ?

ଅନେକ ଅନେକ ଭଲପାଇବା,

ଖଲିଲ

ଖଲିଲ ଜିବ୍ରାନଙ୍କ ଚିଠି - ୪

Report an Error