ଖଲିଲ ଜିବ୍ରାନଙ୍କ ଚିଠି - ୪

ଆରବର ସବୁଠୁ ପ୍ରସିଦ୍ଧ ଆଉ ପୃଥିବୀରେ ସବୁଠୁ ଲୋକପ୍ରିୟ ଲେଖକ ଖଲିଲ ଜିବ୍ରାନ । ଅଳ୍ପ ଆୟୁଷ ନେଇ ଆସିଥିବା ଖଲିଲଙ୍କ କଳା ଓ ସାହିତ୍ୟ ନିଜ ସମୟକୁ ଅତିକ୍ରମ କରି ଅନନ୍ତକାଳରେ ଖେଳା କରୁଛି । ତେବେ ତାଙ୍କ ପ୍ରେମ ତାଙ୍କ କଳାର ଆଧାର । ତାଙ୍କ ପ୍ରେମ ଚିଠିର ଆଧାରରେ ଏ ଧାରାବାହିକ ।


ଫଟୋ - ୱିକିମିଡିଆ କମନ୍ସ

ଜିବ୍ରାନଙ୍କ ପେଣ୍ଟିଂ କିମ୍ବା ଲେଖାଲେଖି ବୋଷ୍ଟନରେ ସେତେ ଭଲ ହୋଇ ପାରୁନଥିଲା । ସେଥିପାଇଁ ଅନେକ ସମୟରେ ସେ ଦୁଃଖୀ ରହୁଥିଲେ । ଏକୁଟିଆ ଅନୁଭବ କରୁଥିଲେ । ଲେଖା ଓ ପେଣ୍ଟିଂର ସୁଧାର ପାଇଁ ଅପ୍ରେଲ ୧୯୧୧ରେ ଜିବ୍ରାନ ନିଉ ୟର୍କ ଗଲେ । ମେରୀଙ୍କ ସହିତ ତାଙ୍କ ବନ୍ଧୁତା ଆହୁରି ଘନିଷ୍ଠ ହେବାକୁ ଲାଗିଲା । ଉଭୟେ ନିଉ ୟର୍କରେ ଅନେକ ମ୍ଯୁଜିଅମକୁ ଗଲେ । ଭିନ୍ନ ଭିନ୍ନ ପେଣ୍ଟିଂ ଅନୁଧ୍ୟାନ କଲେ । ଅଳ୍ପ କେଇଦିନର ରହଣି ପରେ ମେରୀ ପୁଣି ବୋଷ୍ଟନ ଫେରିଆସିଲେ । ନିଜ ହୃଦୟର ଅନ୍ତରଙ୍ଗ ଭାବନା ସବୁ ଖଲିଲ୍, ନିଉ ୟର୍କରୁ ମେରୀଙ୍କୁ ଲେଖୁଥିଲେ । ଏଇ ଚିଠିଗୁଡିକରେ ତାଙ୍କ କଳାକାର ମନର ଭାବପ୍ରବଣତା ଅତି ସୂକ୍ଷ୍ମ ଭାବରେ ଉତୁରି ଆସିଛି ।

ଚିଠି ୭

ନିଉ ୟର୍କ,
ସୋମବାର, ମେ ୧, ୧୯୧୧

ପ୍ରିୟ ମେରୀ,

ନିଉ ୟର୍କ ମେଟ୍ରୋପଲିସ୍ ରେ ମୁଁ । ଷ୍ଟ୍ରିଟଗୁଡିକ ଉପରେ ଧାଉଁଛି । ମୋ ପଛରେ ଛାଇମାନେ । ଯେମିତି ସହସ୍ର ଆଖିରେ ଏ ସହରକୁ ଦେଖୁଛି । ସହସ୍ର କାନରେ ଏ ସହରକୁ ଶୁଣୁଛି । ବିଳମ୍ବିତ ରାତିରେ ଯେତେବେଳେ ଘରକୁ ଫେରେ ଆହୁରି ଅଧିକ ଦେଖେ ଆହୁରି ଅଧିକ ଶୁଣେ ।

ନିଉ ୟର୍କରେ ଶାନ୍ତି ମିଳେନି । ମୁଁ କଣ ଏଠାକୁ ବିଶ୍ରାମ ପାଇଁ ଆସିଥିଲି ? ଖୁସିଲାଗେ, ଏଇ ଭାଗଦୌଡ ସହର ସହିତ ପାଦରେ ପାଦ ମିଳାଇ ଧାଇଁପାରୁଛି ।

କାଲି ସାରା ଅପରାହ୍ନ ମ୍ଯୁଜିଅମରେ ବିତାଇଲି ।
ମ୍ଯୁଜିଅମରେ ବିଚିତ୍ର ଜିନିଷସବୁ ଦେଖି ଆଶ୍ଚର୍ଯ୍ୟ ହେଲି ।

ଏ ମ୍ଯୁଜିଅମକୁ ପଚାଶ ବର୍ଷ ପୂରିଛି ସତ ହେଲେ ଅନ୍ଯସବୁ ମ୍ଯୁଜିଅମଠୁ କମ ନୁହେଁ । ଯାହା ଲୋକମାନେ ଭାବନ୍ତି, ଆମେରିକା ତା'ଠୁ ଢେର ବଡ । ପଚାଶ ବର୍ଷ ତଳେ ଆମେରିକାରେ ଏଭଳି ଗୋଟିଏ ବି ଶ୍ରେଷ୍ଠ କଳାକୃତି ନଥିଲା । ମାତ୍ର ଆଜି ସେଭଳି କୃତି ଘରେ ଘରେ ଦେଖିବାକୁ ମିଳୁଛି । ଧନ ସମ୍ପଦ ସହିତ ଆହୁରି ଅନେକ କିଛି ଆଜି ଆମେ ଆହରଣ କରିପାରୁଛୁ । ଗରିବଟିଏ ଚାହେଁ କେମିତି ଏସବୁ ଲୋକ ସମ୍ପଦ ନିଜର କରିନେବ ।

ଖୁସିର କଥା, ତମେ ଜରାଥୁଷ୍ଟ୍ରଙ୍କୁ (Thus Spoke Zarathustra by Frederick Nietzsche) ପଢୁଛ । ତାଙ୍କ ବିଷୟରେ ଆହୁରି ଅଧିକ ତମ ସହିତ ଇଂଗ୍ଲିଶ ଭାଷାରେ ପଢିବାକୁ ଚାହୁଁଛି । ମତେ ଲାଗେ ନିତସେ ଜଣେ ଶାନ୍ତଶିଷ୍ଟ ଡାଇଓନିସସ୍ । ଅଥବା ଏକ ଅତି ମାନବ । ସଂଗୀତ ପ୍ରିୟ ମହାନ ମଣିଷଟିଏ । ଖୁସିରେ ନାଚୁଥିଲେ ।

ମୁଁ ସେ ହେଆର ଟନିକ୍ ନେବିକି, ମେରୀ ? ମୋ ମୁଣ୍ଡରେ କଣ ଯଥେଷ୍ଟ ବାଳ ନାହିଁକି ? ସମୟ ଥିଲା ଯେତେବେଳେ ମୋ ବାଳ ଆଗକୁ ଝୁଲିପଡେ । ମୁଁ ବୋଷ୍ଟନ ପହଁଞ୍ଚିବାକ୍ଷଣି ବାଳରେ ତେଲ ଲଗାଇବି । ଚାଲଦିର ପ୍ରିଷ୍ଟଙ୍କ ଭଳି ମୁଁ ସବୁଦିନ ତେଲ ଲଗାଇବି ।

ଏ ମେରୀ, ଅଧିକ ପଇସା କାହିଁକି ପଠାଇଲ ? ମୋ ପାଖରେ ଯଥେଷ୍ଟ ଅଛି । ତମେ ମତେ ବହୁତ ଦେଇଥିଲ । ଈଶ୍ବର ତମ ଖୋଲା ହାତକୁ ଆଶୀର୍ବାଦ କରନ୍ତୁ ।

ଏଇଠି ତମେ ଥାଆନ୍ତକି !
ଶୁଭ ରାତ୍ରି ମେରୀ,
ଖଲିଲ୍

ଚିଠି ୮

ନିଉ ୟର୍କ,
ଶୁକ୍ରବାର ସକାଳ, ମେ ୧୨, ୧୯୧୧

ସ୍ନେହର ମେରୀ,

ମି. ଅର୍ଥର ଫାରଓଲ୍ ଦୁଇଟି ମହିଳାଙ୍କ ସହିତ ଷ୍ଟୁଡିଓରେ ଥିଲେ । ତାଙ୍କ ମଧ୍ୟରୁ ଜଣେ ମି. ଫାରଓଲ୍ ଙ୍କୁ କହିଲେ, "ଅର୍ଥର ତୁମ ମା ଏଇ ପୋଟ୍ରେଟ ନିଶ୍ଚିତ ଦେଖିବା ଉଚିତ । ଏଥିରେ ସେ ତାଙ୍କ ପ୍ରକୃତ ପୁଅକୁ ଦେଖିପାରିବେ ଆଉ ଏଇ କଳାକାରଙ୍କୁ, ଯିଏ ଏହି ମହାନ କଳା ସୃଷ୍ଟି କରିବାକୁ ଯାଉଛନ୍ତି ।" ଜାଣ ମେରୀ ଏଇ କେଇଟି ଶବ୍ଦ ମତେ କେତେ ଖୁସି ଦେଲା !

ମୋ ସାଙ୍ଗର ଦେହ ଭଲ ନଥିଲା । ବ୍ରୁକଲିନ ଯାଇଥିଲି ତାକୁ ଦେଖିବାକୁ । ତା ସହିତ ଘଣ୍ଟାଏ ସମୟ କାଟିଲି । ତାକୁ କବିତା ଶୁଣାଇଲି । ମୁହଁଟି ତାର ଶେତା ଦିଶୁଥିଲେ ବି କବିତା ପ୍ରତି ସେ ଭାରି ଭାବପ୍ରବଣ ଥିଲା । ତା ପାଖରୁ ଫେରିଲାବେଳେ ମୋ ହାତଟିକୁ ଅତି ସ୍ନେହରେ ଜାବୁଡି ଧରିଲା ଆଉ କହିଲା, "ସିରିଆ ଚାଲିଯାଅ ଜିବ୍ରାନ, ତମ ମାତୃଭୂମିକୁ ଫେରିଯାଅ, ସେ ତମକୁ ବହୁତ ଭଲପାଏ - ସିରିଆ ଫେରିଯାଅ ଜିବ୍ରାନ।"

ଆଖିରେ ଅଦେଖା ଲୁହ ନେଇ ତା'ଠୁ ଫେରିଲି ।

ସେ ମଧ୍ୟ ସିରିଆ ଫେରିଯିବାକୁ ବହୁତ ଇଚ୍ଛା କରୁଥିଲା । ମାତ୍ର ତା ଭିତରେ ଥିଲା ମୃତ୍ୟୁର ଭୟ ।

ଖଲିଲ

ଚିଠି ୯

ନିଉ ୟର୍କ,
ମଙ୍ଗଳବାର, ମେ ୧୬, ୧୯୧୧

ପ୍ରିୟ ମେରୀ,

ପୁରୁଣା ଘର ଯେଉଁଠି ରିହାନି ରହେ ସେଠି ରୁମଟେ ନେଲି । ଛୋଟ ରୁମ । ରୁମ ଭିତରେ ଭାରି ମଜା ଲାଗୁଛି । ସବୁକିଛି ଭଲରେ ଚାଲିଛି । ମୋ କାମସବୁ ରିହାନିର ବେଡ ରୁମରେ କରୁଛି ।

ଏଇ ବିରାଟ ସହରରେ ଯେତେବେଳେ ଅଜଣା ଥିଲି, ଅଲଗା ଅଲଗା କୋଠରୀରେ ଶୋଇବାକୁ ଭଲପାଏ । ଅଲଗା ଜାଗାରେ ଖାଏ । ଅଜଣା ରାସ୍ତାରେ ଚାଲେ । ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କୁ ନିରୀକ୍ଷଣ କରେ । ମୁଁ ନିଃସଙ୍ଗ ଯାତ୍ରୀ ହେବାକୁ ଭଲପାଏ ।

ଗୋଟେ ବିରାଟ କାନଭାସ ଆଜି ଅପରାହ୍ନରେ କିଣାଯାଇଛି । କାଲିଠୁ କାମ ଆରମ୍ଭ କରିବି । ମୁଁ କାମ କରିବାବେଳେ ମୋ ପାଖରେ ଟିକେ ବସିବାକୁ ଆସିବକି ମେରୀ ? ସବୁ ଅପରାହ୍ନରେ ମୋ ପାଖକୁ ଆସ ମେରୀ ଆଉ ମତେ ସାହାଯ୍ୟ କର ।

ତମ ଖଲିଲ

ଚିଠି ୧୦

ନିଉ ୟର୍କ,
ଜୁନ ୨୮, ୧୯୧୧

ସ୍ନେହର ମେରୀ,

ତିନିଦିନ ଧରି ରୁମ ଭିତରେ ବନ୍ଦ ଅଛି । ଇନଫ୍ଲୁଏଞ୍ଜା ଏବେ ମୋ ଅତିଥି । ତାକୁ ସାଥି ଦେବାକୁ ମୁଁ ଘରେ । ଶୀତର ଇନଫ୍ଲୁଏଞ୍ଜା ଗରମ ଇନଫ୍ଲୁଏଞ୍ଜା ପରି ଭାରି କଷ୍ଟ ଦିଏ । ଉଭୟଙ୍କୁ ଭଲ ଭାବରେ ଜାଣିଗଲିଣି । ଆଉ ସଧାରଣତଃ ସେ ଓ ମୁଁ ସୁନ୍ଦର ଭାବରେ ଆଗେଇ ଚାଲିଛୁ । ୟା'ଠୁ ଦୂରରେ ରହିବାକୁ ଚାହେଁ କାରଣ ଏହାର ପ୍ରଭାବରେ ମୋ ପାଟି ପିତା ହୋଇଯାଏ । ମତେ ଯେମିତି ଲାଗେ ଗୋଟେ ଟ୍ରକକୁ ଅଧା ଗିଳିଛି ।

କେମିତିକା ମାସଟିଏ ଜୁନ ସତରେ ! ପୂରା ଅନ୍ଧାର ପୂରା ଥଣ୍ଡା ଆଉ ଭୟଙ୍କର । ପବନ ବି ନିର୍ଜୀବ । ମତେ ବନ୍ଦୀ ଘରେ ଥିବା ଭଳି ଲାଗେ । ପାଟିର ପିତା ସ୍ବାଦ, ମଧୁର ପବନ, ଉଜ୍ଜ୍ବଳ ସୂର୍ଯ୍ଯକିରଣ ଭୋଗିବାକୁ ପ୍ରବଳ ଇଚ୍ଛା ହୁଏ ।

ଆଦରର ମେରୀ ମୋର, ଏବେ ବିଶ୍ରାମ ନେବାକୁ ଯାଉଛି । ଆଖି ବନ୍ଦ କରିବି । କାନ୍ଥ ଆଡକୁ ମୁହଁ ବୁଲେଇବି । ତମକୁ ଭାବିବି ଆଉ ଭାବିବି ଆଉ ଭାବିବି । ତୁମେ ପର୍ବତାରୋହୀ, ତୁମେ ଜୀବନ ଅନ୍ବେଷୀ ।

ଶୁଭରାତ୍ରି ମେରୀ

ଖଲିଲ

ଖଲିଲ ଜିବ୍ରାନଙ୍କ ଚିଠି - ୩

Report an Error