ଗତ ବର୍ଷର ଡିସେମ୍ବର

ଏଇ ବର୍ଷର ବିଶାଳ ହାତ ପାପୁଲିରେ ଏକମାତ୍ର ଜ୍ୱଳନ୍ତ କ୍ଷତ ଓ କ୍ଷତି, ତାର ଅନୁପସ୍ଥିତି - ସେଇ କ୍ଷତ ଓ କ୍ଷତିର ଏ କବିତା ।


ଓଦା ମାଟିରେ
ଛିଟ ଛିଟ ପାଦ ଚିହ୍ନ ଆମର
ମୁଁ ଶୁଖାଇ ରଖିଚି ମୋ ଗାଁ ବିଲ ମାଳରେ ।

କୁହୁଡିର କୁହୁକ ଦିଗନ୍ତ
ଗୋଟିଏ କୋଣରେ ରଖିଛି
ମୋର ଓଠରେ ଉଚ୍ଚାରିତ କେତେକ ଶବ୍ଦ
ପୁନରାବୃତ୍ତ ହେଉଛି ଶ୍ଳୋକ ଭଳି
ଶୋକ ଭଳି,
ତାର ଗଭୀର ନେତ୍ର ଚିତ୍ର ଏଠି ସେଠି ।

ବର୍ଷଟିଏ ସାକାର ଠିଆ ହୋଇଛି
କେତେ ଘଟଣା, ଦୃଶ୍ୟ, ଲୋଭର, ଭୟର ସିଦ୍ଧାନ୍ତର
ପ୍ରତାରଣାର, ବିଫଳତାର, ଉଚ୍ଚାଟନର
ଉଚ୍ଛଳ ବର୍ଷଟିଏ ।
ଏଇ ବର୍ଷର ବିଶାଳ ହାତ ପାପୁଲିରେ
ଏକମାତ୍ର ଜ୍ୱଳନ୍ତ କ୍ଷତ ଓ କ୍ଷତି
ତାର ଅନୁପସ୍ଥିତି ।

ମୋର ଆଉ ପୁରୁଣା ଶାଢ଼ୀଟିଏ ନାହିଁ,
ନାହିଁ ପୁରୁଣା କସମେଟିକ,
ଅଳଙ୍କାର କି ଚପଲ
ସବୁ ସେ ଘରେ ରହି ଯାଇଛି ।
ପୁରୁଣା ମୁହଁ ଟି ବି ନାହିଁ
ଏଯାଏଁ ଗଜୁରି ନାହିଁ ନୂଆ ଚମ
ପୁରୁଣା ଦାୟ ପରସ୍ପର ପ୍ରତି
ରହନ୍ତା ବା କିମିତି ?

ଅଥଚ ମୁଁ ଦିନେ ଥିଲି ତା ସହିତ ।

ତା କଥା ମାନି ମୁଁ ବୀଜ ବୁଣିଥିଲି
ନିଷ୍ଫଳ କ୍ଷେତମାନଙ୍କରେ ।
ମୁଁ ନିଜକୁ ଅଜାଡ଼ି ଦେଇଥିଲି
ମୋର ସାଜସଜ୍ଜା, ମୋର ଅନୁରାଗ
ମୋର ଲଜ୍ଜା କୁଣ୍ଠା ସବୁକିଛି
ସଜାଡ଼ି ଦେଇଥିଲି ତାର ଯାଚନାରେ ।

ସେ ଥିଲା ମୋର ମାୟା,
ମୋର ସାହା ମୋର ଆହା
ସବୁକିଛିକୁ ମୁଁ ସ୍ବାହା କରି ଦେଇଚି ଏବେ
ମୋର "ମୁଁ" ଟିକୁ ଆବୋରି ଧରି
ଅନବରତ ଜଳୁଚି ଗୋଟିଏ ଅଶ୍ରୁ ବିନ୍ଦୁର ନିଆଁ ।

ଗତ ବର୍ଷର ଡିସେମ୍ବର
ଫେରିଗଲାବେଳେ
ଘଡ଼ିଏ ଚାହିଁଥିଲା ମୋ ଆଡେ
କହିଥିଲା, "ଯିଏ ତୋର କେବେ ବି ନଥିଲା କି ନାହିଁ
ତା ଲାଗି ଏତେ କଥା କହୁଚୁ ଯାହା ।"

Report an Error