କାଫକାଙ୍କ ଶେଷଦିନ

କାଫକା ଆଉ ଆମେ ଆମର ପୃଥିବୀରେ ବସ୍ତୁତଃ ପୀଡିତ, ଏହା କୌଣସି ପରିଣତିର ଉପଜ ନୁହଁ, ଏହା ସେଦୃଷ୍ଟିରୁ କୌଣସି ସ୍ୱାଭାବିକ ସଂତୁଷ୍ଟି ନୁହଁ, ଏହା ଆକସ୍ମିକ ଅକାରଣ - ନିର୍ଭର ଏକ ଯଥାସ୍ଥିତି ଯାହା ଆମକୁ ଏକ ନିଷ୍ଠୁର ପରିଣତି ଆଡକୁ ବାଧ୍ୟ କରି ଟାଣି ନେଇଥାଏ ।


ଫଟୋ - ୱିକିପିଡିଆ

ଏକ

ନିଜର ଡାଏରୀ ପୃଷ୍ଠାରେ ୬ ଅଗଷ୍ଟ ୧୯୧୪ ଦିନ ଫ୍ରାଞ୍ଜ କାଫକା ଏମିତି ଲେଖିଥିଲେ:

"ଲେଖକ ହିସାବରେ ମୋର ନିୟତି କ'ଣ ହେବ ସେକଥା କହିପାରିବା ଭାରି ସହଜ । ନିଜର ସ୍ୱପ୍ନତୁଲ୍ୟ ଅନ୍ତର୍ଜୀବନର ଛବି ଆଙ୍କିବା ପାଇଁ ମୋର ଯେଉଁ ପ୍ରତିଭା ତାହା ଅନ୍ୟ ସବୁକିଛିକୁ ପଛକୁ ଠେଲି ଦେଇଛି, ମୋ ଜୀବନ ଭୟଙ୍କର ପ୍ରକାରେ କ୍ଷୟପ୍ରାପ୍ତ ହୋଇଛି, ଆଉ ଏହି କ୍ଷୟ କଦାପି ଅଟକି ରହିବ ନାହିଁ । ଅନ୍ୟ କିଛି ଆଉ କୌଣସି ଦିନ ମୋତେ ତୃପ୍ତ କରିପାରିବ ନାହିଁ । କିନ୍ତୁ ସେହି ଛବି ଆଙ୍କିବା ପାଇଁ ମୋର ଯେଉଁ ଶକ୍ତି ରହିଛି ତାହା ଉପରେ ଆଉ ଭରସା କରି ରହିବା ଚଳିବ ନାହିଁ; ସମ୍ଭବତଃ ଏହାରି ମଧ୍ୟରେ ସେଇ ଶକ୍ତି ଚିରତର ହଜି ଯାଇଛି, ସମ୍ଭବତଃ ପୁଣିଥରେ ମୁଁ ତାହାକୁ ଫେରି ପାଇବି, ଯଦିଓ ମୋ ଜୀବନର ପରିସ୍ଥିତି ସେଥିପ୍ରତି ଅନୁକୂଳ ନୁହଁ । ତେଣୁ ମୁଁ ଟଳମଳ ହୁଏ, ବିରାମହୀନ ଭାବରେ ଉଡିଯାଏ ପାହାଡ ଶୀର୍ଷକୁ, କିନ୍ତୁ ତାହାର ଟିକିଏ ପରେ ଖସିପଡେ ସିଧା ଚଟାଣକୁ । ଅନ୍ୟମାନେ ବି ଟଳମଳ, ତଥାପି ପାହାଡର ତଳ ଆଡକୁ, ଆଉ ମୋଠାରୁ ଅଧିକ ଶକ୍ତି ନେଇ, ସେମାନେ ଯଦି ପଡିଯିବା ଭଳି ବିପଦର ସମ୍ମୁଖୀନ ହୁଅନ୍ତି, ଏମାନଙ୍କୁ ଏମାନଙ୍କର ଆତ୍ମୀୟ ସ୍ୱଜନମାନେ ଧରିପକାଇବେ, ଯେଉଁମାନେ ଏମାନଙ୍କ ସହିତ ପାଖରେ ପାଖରେ ଚାଲୁଥାନ୍ତି ସେଇଥିପାଇଁ । କିନ୍ତୁ ମୁଁ ଟଳମଳ ଆଉ ଦୋଳାୟମାନ ପାହାଡର ଶୀର୍ଷ ନିମନ୍ତେ, ଉଚ୍ଚତାର ଉଦ୍ଦେଶ୍ୟରେ, ଏହାର ନାମ ମୃତ୍ୟୁ ନୁହଁ, ମୃତ୍ୟୁର ଅନନ୍ତ ଯନ୍ତ୍ରଣା ।"

ଏଇ ଲେଖାକୁ ତର୍ଜମା କଲେ ଆମ ସାମ୍ନାରେ କାଫକା ବୋଲି ଯେଉଁ ଲେଖକ ଜଣକ ତାଙ୍କର ଚରିତ୍ର ସାମ୍ରାଜ୍ୟକୁ ଧରି ଉପସ୍ଥିତ ହୋଇଯାଆନ୍ତି ସେ ସଂପୂର୍ଣ୍ଣ ଭାବରେ ଗୋଟିଏ କେନ୍ଦ୍ରଚ୍ୟୁତ ପୃଥିବୀର କଥା ହିଁ କହିଥାନ୍ତି, ସେଇଠି ମଣିଷ ମଣିଷଠାରୁ, ପରିବାର ପରିବାରଠାରୁ, ପରିବେଶ ପରିବେଶଠାରୁ, ଏପରିକି ନିଜେ ନିଜଠାରୁ ବିଚ୍ଛିନ୍ନ । ତାଙ୍କ ସହିତ ସେହି ବିଚ୍ଛିନ୍ନ ବିପନ୍ନତାକୁ ନିବିଡ ଭାବରେ ଭୋଗିବାବେଳେ ଆମେ ବାସ୍ତବତା ଆଉ ଫାଣ୍ଟାସି ସହିତ ଅନବରତ ସନ୍ତୁଳି ହେବା ସହିତ ଜଣେ ପୀଡିତର ଦଣ୍ଡିତ ହେବାର ଅଲଂଘନୀୟ ଭବିତବ୍ୟର ବିସ୍ତାରର ଜୀବନକୁ ବଞ୍ଚିଥାଉ ।

କାଫକା ଆଉ ଆମେ ଆମର ପୃଥିବୀରେ ବସ୍ତୁତଃ ପୀଡିତ, ଏହା କୌଣସି ପରିଣତିର ଉପଜ ନୁହଁ, ଏହା ସେଦୃଷ୍ଟିରୁ କୌଣସି ସ୍ୱାଭାବିକ ସଂତୁଷ୍ଟି ନୁହଁ, ଏହା ଆକସ୍ମିକ ଅକାରଣ - ନିର୍ଭର ଏକ ଯଥାସ୍ଥିତି ଯାହା ଆମକୁ ଏକ ନିଷ୍ଠୁର ପରିଣତି ଆଡକୁ ବାଧ୍ୟ କରି ଟାଣି ନେଇଥାଏ । ନିୟତି ଭଳି ଏକ ସ୍ୱୈରାଚାରୀ ପ୍ରକ୍ରିୟା ଆମକୁ ପରିଣତି ହିସାବରେ କାଫକାଙ୍କ ଜଗତ ଭଳି ଆମକୁ ନିରନ୍ତର ଦମିତ ଓ ପୀଡିତ କରି ରଖିଥାଏ ।

କାଫକାଙ୍କଠାରୁ ଆମେ ଆମ ଜଗତକୁ ନିହାତି ଆକସ୍ମିକତାରେ ଦେଖିବାକୁ ଆରମ୍ଭ କରୁ ।

"କେହି ହୁଏତ ଜୋସେଫ କେଙ୍କ ସଂପର୍କରେ ମିଛ କହୁଥାଇପାରନ୍ତି, କୌଣସି ପ୍ରକାରର ଭୁଲ ନକରିବା ସତ୍ତ୍ୱେ ଦିନେ ଖୁବ୍ ସକାଳୁ ତାଙ୍କୁ ଗିରଫ କରାଯାଇଛି ।" ଏହା ହେଉଛି ତାଙ୍କର ଚର୍ଚ୍ଚିତ ଉପନ୍ୟାସ "ଦି ଟ୍ରାଏଲ୍" ର ଆରମ୍ଭ ବାକ୍ୟ । ଠିକ୍ ସେହିପରି ତାଙ୍କର ଅତ୍ୟନ୍ତ ଚର୍ଚ୍ଚିତ ଉପନ୍ୟାସ "ଦି ମେଟାମୋରଫୋସିସ୍" ର ଆରମ୍ଭ ଧାଡିଟି ହେଉଛି, "ନାନାପ୍ରକାର ଆଜେବାଜେ ସ୍ୱପ୍ନ ଦେଖିବା ପରେ ଦିନେ ସକାଳେ ନିଦ ଭାଙ୍ଗିଗଲାପରେ ଉଠିଲାବେଳକୁ ଗ୍ରେଗୋରି ସାମସା ଦେଖିଲା ଗୋଟିଏ ବିଶାଳ ପତଙ୍ଗରେ ରୂପାନ୍ତରିତ ହୋଇ ସେ ତାହାର ଶେଜରେ ଶୋଇ ରହିଛି ।" ଏହି ଦୁଇଟି ଉଦାହରଣରୁ ଆମେ ଦେଖିବା ସକାଳରେ ବିନା କାରଣରେ ଜୋସେଫ କେର ଗିରଫ ଏବଂ ଗ୍ରେଗୋରି ସାମସାର ଏକ ବିଶାଳ ପତଙ୍ଗ ପାଲଟି ଯିବା ଭଳି ଆକସ୍ମିକତା ଦୁର୍ଘଟଣା ପରେ ସେହି ଉଭୟ ଚରିତ୍ରର ଆଉ ପୂର୍ବ ସ୍ୱାଭାବିକ ଅବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିବାର ନାହିଁ । ଏହି ପରିବର୍ତ୍ତନ ସହିତ ସେମାନଙ୍କୁ ଶେଷ ଯାଏଁ ଯଥାସମ୍ଭବ ଅଭିଯୋଗର ସାମ୍ନା କରିବାକୁ ପଡିଛି ଏବଂ ବିଚାରର ଆନୁସଙ୍ଗିକ ଦଣ୍ଡକୁ ଭୋଗିବାକୁ ହୋଇଛି ।

ଏଥିରୁ ଯେଉଁ ଅବବୋଧ ଆମର ଆସେ ତାହାହେଉଛି, ଜୀବନରେ ଉପସ୍ଥିତ ହେଉଥିବା ତାତକ୍ଷଣିକତା ବା ସଡନନେସ୍ ଆଉ ତାହା ସହିତ ଜଡିତ ବିସ୍ତୃତ ତର୍କ - ରହିତ ଅଭିଯୋଗ ପର୍ବକୁ ସାମ୍ନା କଲାବେଳେ ଆମର ଚାରିପଟ ଗୋଟିଏ ଏମିତି ପୃଥିବୀରେ ପରିଣତ ହୋଇଯାଏ ଯାହାକୁ ଆମେ କାଫକାଙ୍କ ନାଆଁ ଅନୁସାରେ ପରିଭାଷିତ କରିବାକୁ ଆଗ୍ରହୀ ହେଉ, ଯାହାକୁ କହୁ "କାଫକେସ୍କୁ" । ପୃଥିବୀର ସାହିତ୍ୟ ଇତିହାସରେ ଭିନ୍ନ ଭିନ୍ନ ଜଗତର ଦୃଷ୍ଟିଭଙ୍ଗୀକୁ ବୁଝିବା ପାଇଁ ଡିକେନ୍ସ,ଅରୱେଲ୍ ଆଉ ଦି ସେଡ୍ ଙ୍କ ପରେ କାଫକା ହେଉଛନ୍ତି ଏକ ସାହିତ୍ୟ - ବିଶେଷ୍ୟ ଯାହାଙ୍କୁ ଏହିଭଳି କାଫକେସ୍କୁ ବୋଲି ସାହିତ୍ୟ - ବିଶେଷଣରେ ଆମେ ବୁଝିବାକୁ ଚେଷ୍ଟା କରୁ ।

କାଫକାଙ୍କ ଶେଷଦିନକୁ ଏକ ଘଟଣାପ୍ରବାହ ଆକାରରେ ଦେଖିବା ପୂର୍ବରୁ ଆମକୁ କାଫକାଙ୍କ ଜଗତଟିକୁ ଏମିତି ଯେଉଁଭଳି ଆମେ ବୁଝିଆସିଛୁ ସେଥିରେ ପ୍ରମୁଖ କଥା ହେଉଛି ତାଙ୍କର ପ୍ରୋଟାଗୋନିଷ୍ଟମାନଙ୍କର ଜୀବନ ଅନାବଶ୍ୟକ ଭାବରେ ଅସମାପ୍ତ ରହିଥାଏ ଆଉ ସେଦୃଷ୍ଟିରୁ ତାଙ୍କର ଚରିତ୍ରମାନେ ସବୁବେଳେ ପରିଣତି - ମୁକ୍ତ ବା ଶେଷ - ମୁକ୍ତ ଅର୍ଥାତ୍ ଏଇଭଳି ଚରିତ୍ରମାନଙ୍କୁ "ଓପେନ - ଏଣ୍ଡେଡ୍ ଚରିତ୍ର" ବୋଲି କୁହାଯାଇଥାଏ । ସାଧାରଣତଃ କଥାସାହିତ୍ୟରେ ଓପେନ - ଏଣ୍ଡେଡ୍ ଚରିତ୍ରମାନଙ୍କର ସଂଚରଣଧର୍ମୀତା ଏବଂ ପ୍ରଭାବ ବେଶ୍ ବ୍ୟାପକ । ସେଇଥିପାଇଁ କାଫକାଙ୍କ ଜଗତରେ ମୃତ୍ୟୁ ଯେତେବେଳେ ଆସେ ତାହା ଉଲ୍ଲେଖନୀୟ ଭାବରେ ଆସେ, କୌଣସି "ଦି ଏଣ୍ଡ" ବା ପରିଣତି ଭାବରେ ନୁହଁ, ସାହିତ୍ୟର ସେହି କାଫକୀୟ କ୍ଷେତ୍ରକୁ ତାହାର ସ୍ଥଳମୂଲ୍ୟ ପ୍ରଦାନ କରିବା ପାଇଁ ଆସିଥାଏ ।

ଗ୍ରେଗୋରୀ ସାମସା ହୁଅନ୍ତୁ କି ଜୋସେଫ କେ ହୁଅନ୍ତୁ ସେମାନଙ୍କୁ ଏକ ସ୍ୱୈରାଚାର ସଂପୂର୍ଣ୍ଣ କ୍ଷମତାର ଅଧୀନକୁ ଯିବା ବାଧ୍ୟତାମୂଳକ ହୁଏ, ସେହି କ୍ଷମତାର ନିରଙ୍କୁଶତା ପିତା ହୋଇପାରନ୍ତି ଅଥବା ହୋଇପାରେ ଏକ ଅମଲାତାନ୍ତ୍ରିକ ବ୍ୟବସ୍ଥାପନା । ସେମାନଙ୍କୁ ଏକ ବିସ୍ତୃତ ବିଚାରର ଅଭିଯୋଗକୁ ସାମ୍ନା କରିବା ପରେ ଦଣ୍ଡ ଭୋଗିବାକୁ ହୁଏ । ଏହାର ଅର୍ଥାତ୍ ଏହି ନିଷ୍ଠୁର ବିସ୍ତାର ଫଳରେ ସେମାନଙ୍କୁ କଠୋର ଲାଞ୍ଛନା ଆଉ ମୃତ୍ୟୁ ମିଳିଥାଏ । କାଫକାଙ୍କ ଜଗତରେ ଏହି ଭଳି ନିପୀଡନର ସାମଗ୍ରିକ ପ୍ରକ୍ରିୟା ମୃତ୍ୟୁରେ ଶେଷ ହୁଏ ସତ ମାତ୍ର ତାହା କ୍ଷମତା ଆଉ ତାହାର ଆଦର୍ଶଗତ ଫାଙ୍କାପଣକୁ ଉଜାଗର କରିଦେଇଥାଏ । ତେଣୁ କାଫକାଙ୍କ ପାଠକ ଆକାରରେ ଆମେ ପୀଡିତବୋଧର ଲାଞ୍ଛନାରେ ଜର୍ଜରିତ ହେବା ସହିତ କ୍ଷମତାର ଅସଲ ସ୍ୱରୂପକୁ ବୁଝିବା ଭଳି ଏକ ଉନ୍ମୀଳନର ସୁଖକୁ ବି ଭୋଗିଥାଉ ।

ହୁଏତ ୧୯୧୪ ମସିହାର ଡିସେମ୍ବର ମାସ ୧୩ ତାରିଖ ଦିନ ନିଜର ଡାଏରୀରେ କାଫକା ସେଇଥିପାଇଁ ଲେଖିଥିଲେ "ସଂପୂର୍ଣ୍ଣତାର ସହ ମୃତ୍ୟୁ ସହିତ ଭେଟ ହେବ" । ବିନା କାରଣରେ ଅଭିଯୁକ୍ତ ହେବା ଏବଂ ତାହା ପରବର୍ତ୍ତୀ ବିସ୍ତୃତ ବିଚାର ପ୍ରକ୍ରିୟାରେ ନିର୍ଯାତିତ ଲାଞ୍ଛିତ ହୋଇ ଦଣ୍ଡ ପ୍ରାପ୍ତ ହେବା ଭଳି ଅଲଂଘନୀୟ ନିୟତି ସହ ଏମିତି ଦେଖିଲେ ମୃତ୍ୟୁ ହେଉଛି ଏକ ସଚେତନ ସାହିତ୍ୟ କୌଶଳ ଯାହା କ୍ଷମତାର ଅନ୍ତଃସାରଶୂନ୍ୟତାକୁ ଆମ ଆଗରେ ବଖାଣ କରିଥାଏ । ଏହାକୁ ବୁଝିବା ହିଁ ଆମର ସଂପୂର୍ଣ୍ଣତା, ମୃତ୍ୟୁ କିଛି ନୁହଁ । ଏଇ ଲେଖାର ଆରମ୍ଭରେ କାଫକାଙ୍କ ଡାଏରୀର ଯେଉଁ ୬ ଅଗଷ୍ଟ ୧୯୧୪ ର ଉଦ୍ଧୃତିର ଉଲ୍ଲେଖ କରାଯାଇଛି ସେଇଠି ଅଛି "ମୃତ୍ୟୁ ନୁହଁ, ମୃତ୍ୟୁର ଅନନ୍ତ ଯନ୍ତ୍ରଣା" ର କଥା ।

ଦୁଇ

କହିବାକୁ ଗଲେ କାଫକାଙ୍କ ପାଇଁ ତାଙ୍କ ଜୀବନର ଶେଷ ଦିନର ଆରମ୍ଭ, ୧୯୧୭ ମସିହା । 

୧୯୧୭ ମସିହା ଅଗଷ୍ଟ ମାସର ମଝି ଆଡକୁ ତାଙ୍କର ସ୍ୱରଯନ୍ତ୍ରରେ କ୍ଷୟରୋଗ ବା ଯକ୍ଷ୍ମା ହୋଇଥିବା କଥା ପରୀକ୍ଷାରୁ ଜଣାପଡେ । ତାହା ପରଠାରୁ ଜୀବନର ଶେଷଯାଏଁ ତାଙ୍କୁ କ୍ରମାଗତ ଅସୁଖ ଆଉ ଯନ୍ତ୍ରଣା ଭୋଗିବାକୁ ହୋଇଛି । ଏଇଠି ଉଲ୍ଲେଖଯୋଗ୍ୟ ଯେ ଆଜିକୁ ଶହେ ବର୍ଷ ତଳର ସେହି ଚର୍ଚ୍ଚିତ ୧୯୧୮ ଖ୍ରୀଷ୍ଟାବ୍ଦର ସ୍ପେନୀୟ ଫ୍ଲୁ ରେ ସେ ଗଭୀର ଭାବରେ ଆକ୍ରାନ୍ତ ହୋଇଥିଲେ । ସେହି ଜଟିଳ ଅସୁଖରେ ଜର୍ମାନୀରେ ଅନ୍ଯୂନ ଅଢେଇ ଲକ୍ଷ ବ୍ୟକ୍ତି ପ୍ରାଣ ହରାଇଥିଲେ । କାଫକାଙ୍କର ସେହି ଜଟିଳ ଅସୁଖରୁ ବର୍ତ୍ତିବା ଭଳି କୌଣସି ସମ୍ଭାବନା ତାଙ୍କର ପରିଜନ ତଥା କାହାକୁ ଦେଖାଯାଉ ନଥିଲା । ଦୀର୍ଘ କେତେ ସପ୍ତାହ ଧରି ନିରବଚ୍ଛିନ୍ନ ୧୦୬ ଡିଗ୍ରୀ ଭଳି ଉତ୍ତାପ ତଥା ଏକ ପ୍ରକାର ଅଜ୍ଞାନ ଅବସ୍ଥାରୁ ବାସ୍ତବ ଜୀବନକୁ ଫେରି ଆସିବା କମ୍ ରୋମାଞ୍ଚକର କଥା ନୁହଁ । ସେତେବେଳେ କାଫକା ନିଜ ବାପା - ମାଆଙ୍କ ଆପାର୍ଟମେଣ୍ଟରେ ସେମାନଙ୍କ ପରିଚର୍ଯ୍ୟାରେ ଥିଲେ । ତାହାପରେ ସବା ସାନ ଭଉଣୀ ଓଟଲା (ତାଙ୍କର ତିନି ଭଉଣୀ ଭିତରେ ସବାସାନ ଓଟଲା ହିଁ କାଫକାଙ୍କର ଅତି ଘନିଷ୍ଠ ଥିଲା । କାଫକାଙ୍କର ଜୀବନର ଶେଷ ଯାଏଁ ଏହି ଭଉଣୀଟି ତାଙ୍କର ନିୟମିତ ଭଲ ମନ୍ଦ କଥା ବୁଝୁଥିଲା ।) ପାଖରେ କିଛି ଦିନ ରହିଥିଲେ ।

୧୯୧୭ ମସିହା ଅଗଷ୍ଟ ମାସରେ ତାଙ୍କର ସ୍ୱରଯନ୍ତ୍ରରେ କ୍ଷୟରୋଗ ଧରାପଡିବା ପରଠାରୁ କାଫକା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଆଉ ବସବାସ କରିନାହାଁନ୍ତି । ତାହାପରଠାରୁ ତାଙ୍କର ଦେହର ଅବସ୍ଥାକୁ ନେଇ ସେ, ବାପାମାଆଙ୍କ ଆପାର୍ଟମେଣ୍ଟ, ଭଉଣୀ ଓଟଲାର ଆପାର୍ଟମେଣ୍ଟ, ଗାଆଁ, ପ୍ରାଗ୍ ଆଉ ବର୍ଲିନ ସହରରେ ଯକ୍ଷ୍ମାରୋଗ ପୀଡିତ ଇଉରୋପ୍ ର ଶୁଶ୍ରୁଷା ପାଇଁ ଗଢିଉଠିଥିବା ଅଧା - ସ୍ୱାସ୍ଥ୍ୟନିବାସ ତଥା ହୋଟେଲ୍ ମାନଙ୍କୁ ସେ ଯିବା ଆସିବା କରିଛନ୍ତି ।

୧୯୨୪ ମସିହାରେ ସେ ଯେତେବେଳେ ଖୁବ୍ ଅସୁସ୍ଥ ହୋଇପଡିଲେ ସେତେବେଳେ ସେ ବର୍ଲିନ୍ ରୁ ପ୍ରାଗ୍ କୁ ଫେରି ଆସିଥିଲେ । କାଫକାଙ୍କ ପରିବାରର ସମସ୍ତେ ବିଶେଷତଃ ତାଙ୍କର ଆଦରର ସାନ ଭଉଣୀ ଓଟଲା ସେତେବେଳେ ତାଙ୍କର ଦେଖାଶୁଣା କରୁଥିଲା । ତାଙ୍କ ସହ ସାଥିରେ ସେଇଠି ରହୁଥିଲା ଡୋରା ଡିୟାମାଣ୍ଟ, କାଫକାଙ୍କ ସବାଶେଷ ପ୍ରେମିକା ।

ତାଙ୍କର ସ୍ୱାସ୍ଥାବସ୍ଥାରେ ଯେତେବେଳେ ସେମିତି କିଛି ଉନ୍ନତି ଦେଖାଗଲା ନାହିଁ, ତେଣୁ ତାଙ୍କୁ ୧୦ ଏପ୍ରିଲ୍ ଦିନ ଭିଏନା ନିକଟସ୍ଥ କିୟେରଲିଂଠାରେ ଥିବା ଡାଃ ହଫମ୍ୟାନଙ୍କ ସାନାଟୋରିଅମ୍ ବା ସ୍ୱାସ୍ଥାଗାରକୁ ସ୍ଥାନାନ୍ତରିତ କରାଯାଇଥିଲା । କାଫକାଙ୍କ ସାଥିରେ ସେଇଠି ଶେଷଯାଏଁ ଥିଲା ପ୍ରେମିକା ଡୋରା ଡାୟାମାଣ୍ଟ । ଏହା ସହିତ ସେଇଠି କାଫକାଙ୍କ ସହିତ ଯୋଡି ହୋଇଯାଇଥିଲା ଆଉ ଗୋଟିଏ ଚରିତ୍ର ଡାଃ ରବର୍ଟ କ୍ଲପଷ୍ଟକ । ରବର୍ଟ କ୍ଲଫଷ୍ଟକ ହେଉଛନ୍ତି ସେହି ସାନାଟୋରିଅମ୍ ର ଜଣେ ଡାକ୍ତର । କାଫକାଙ୍କଠାରୁ ସେ ବୟସରେ ପ୍ରାୟ ଷୋହଳବର୍ଷ ସାନ । ୧୯୨୧ ମସିହାରେ କାଫକା ଯେତେବେଳେ ନିଜର ସ୍ୱାସ୍ଥ୍ୟାବସ୍ଥା ପାଇଁ ଚେକୋସ୍ଲୋଭାକିଆର ମାତଲିଆରି ସାନାଟୋରିଅମକୁ ଯାଇଥିଲେ ସେଇଠି ତାଙ୍କର ରବର୍ଟ କ୍ଲପଷ୍ଟକଙ୍କ ସହ ପ୍ରଥମ ସାକ୍ଷାତ ହୁଏ । କ୍ଲପଷ୍ଟକ ସେତବେଳକୁ ଜଣେ ଡାକ୍ତରୀ ଛାତ୍ର । ନିଜର ଯକ୍ଷ୍ମା ରୋଗକୁ ଭଲ କରିବା ପାଇଁ ଏହି ଡାକ୍ତରୀ ଛାତ୍ର ଜଣକ ସେତେବେଳେ ସେହି ସାନାଟୋରିଅମ୍ ରେ ଭର୍ତ୍ତି ହୋଇଥାଆନ୍ତି । କାଫକାଙ୍କର ସେଇଠି କ୍ଲପଷ୍ଟକଙ୍କ ସହ ସାକ୍ଷାତ ହୁଏ । ନିଜଠାରୁ ସାତ ସାନ କ୍ଲପଷ୍ଟକଙ୍କୁ ଦେଖିବା ପରେ ଠିକ୍ ପ୍ରଥମ ଦେଖାରୁ କାଫକାଙ୍କର ମନେହୁଏ ଇଏ ଯେମିତି ତାଙ୍କର ଜଣେ ପିଲାଦିନର ସାଙ୍ଗ ସାହିତ୍ୟିକ ଫ୍ରାଞ୍ଜ ଭେରଫେଲ୍ । ସେତେବେଳେ ସେ ନିଜର ଘନିଷ୍ଠ ବନ୍ଧୁ ମାକ୍ସ ବ୍ରଡ୍ କୁ ଗୋଟିଏ ଚିଠିରେ ଏହାର ସୂଚନା ଦେବାକୁ ଯାଇ ଏଇଭଳି ପ୍ରାୟ ଲେଖିଥିଲେ, ମୋ ସହିତ ଏବେ ଭେରଫେଲ୍ ରହୁଛି । ନିଜର ଯକ୍ଷ୍ମାରୋଗକୁ ଭଲ କରିବାକୁ ସେଠିକୁ ଆସିଥିବା ସେ ସମୟର ଏହି ଡାକ୍ତରୀ ଛାତ୍ରଜଣକ ଭିଏନାର କିୟେରଲିଂ ସ୍ଥିତ ଡାଃ ହଫମ୍ୟାନ୍ ଙ୍କ ସାନାଟୋରିଅମର ଏବେ ଜଣେ ଡାକ୍ତର । ପୁରୁଣା ଘନିଷ୍ଠତା କାଫକାଙ୍କର ଏହି ଗଭୀର ଅସୁଖ ସମୟରେ ଅତ୍ୟନ୍ତ ନିବିଡତାର ସହ ପ୍ରତିଷ୍ଠିତ ହୋଇଥିଲା ।

ନିଜର ଶେଷ ଦିନମାନଙ୍କରେ କାଫକା ପ୍ରାୟତଃ ସବୁବେଳେ କହୁଥିଲେ, ମୁଁ ଏବେ ମୋ "ପରିବାର" ସହ ରହୁଛି । ସେ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ଯେ ତାଙ୍କର ଉପସ୍ଥିତ ପରିବାର କହିଲେ ପ୍ରେମାସ୍ପଦା ଡୋରା ଡାୟାମାଣ୍ଟ, ଡାଃ ରବର୍ଟ କ୍ଲପଷ୍ଟକ୍ ଆଉ ସେ ସ୍ୱୟଂ ।

କାଫକାଙ୍କ ଶେଷ ସମୟର ସାଥି ଡୋରା ଡାୟାମଣ୍ଟ ପୋଲାଣ୍ଡ ଜନ୍ମିତ ହିବ୍ରୁ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଜଣେ ଅତ୍ୟୁତ୍ସାହୀ ଭାଷାକର୍ମୀ । ଏବଂ ତାହାର ନାଟକ ଓ ନାଟକ ପରିଚାଳନା କରିବାରେ ଯଥେଷ୍ଟ ଆଗ୍ରହ ଥିଲା । ୧୯୨୩ ମସିହା ଜୁଲାଇ ମାସରେ ବର୍ଲିନ୍ ଠାରେ କାଫକାଙ୍କ ସହିତ ଦେଖାହେବାବେଳକୁ ସେ ଘର ଛାଡି ସେଠାରେ ଗୋଟିଏ ସ୍କୁଲ୍ ରେ ପିଲାଙ୍କୁ ନାଟ୍ୟକଳା ଶିକ୍ଷା ଦେବା ସହିତ ପିଲାଙ୍କର ଏକ ନାଟ୍ୟଦଳ ପରିଚାଳନା କରୁଥିଲା । ପିଲାଦିନରୁ ମାତୃହରା ଏଇ କିଶୋରୀର ଏମିତି ହିବ୍ରୁ ଭାଷା ତଥା ନାଟକ ପ୍ରତି ଆସକ୍ତି ତାହାର ପିତା ଏବଂ ସାବତ ମାଆର ପସନ୍ଦ ନଥିଲା । ବସ୍ତୁତଃ ୧୯୨୩ର ସେପ୍ଟେମ୍ବର ମାସରୁ ୧୯୨୪ ମସିହାର ଜୁନ ମାସର ୩ ତାରିଖ ଅର୍ଥାତ୍ କାଫକାଙ୍କ ଦେହାବସାନର ଦିନ ଯାଏଁ ସେ ସଂପୂର୍ଣ୍ଣ ଅସୁସ୍ଥ କାଫକାଙ୍କ ସହିତ ଏକାଠି ରହିଥିଲା । କାଫକାଙ୍କ ମୃତ୍ୟୁ ପରେ ସେ ନାଟକକଳା ଭିତରକୁ ଫେରିଯାଇଥିଲା । ଭିନ୍ନ ଭିନ୍ନ ନାଟକ ଦଳ ସହ ସଂପୃକ୍ତ ରହିଥିବା କାଫକାଙ୍କ ଏହି ପ୍ରାକ୍ତନ ପ୍ରେମାସ୍ପଦାର ଜୀବନ କିନ୍ତୁ କମ୍ ନାଟକୀୟ ନଥିଲା । ଡୋରା ଡାୟମଣ୍ଟ ବିବାହ କରିଥିଲା, ତାହାର ଗୋଟିଏ ଝିଅ ଜନ୍ମ ହୋଇଥିଲା । ତାହାର ସ୍ୱାମୀ ଜର୍ମାନୀର କମ୍ୟୁନିଷ୍ଟ ପାର୍ଟିର ଜଣେ ଉଚ୍ଚ କର୍ମକର୍ତ୍ତା ଥିଲେ । ସେହି କାରଣରୁ ଉଭୟ ପତି - ପତ୍ନୀଙ୍କୁ ନାଜି ଜର୍ମାନୀର କୁଖ୍ୟାତ ଗେଷ୍ଟାପୋ ଗିରଫ କରିଥିଲା। ଗେଷ୍ଟାପୋର ବନ୍ଦୀଶାଳାରେ କିଛିଦିନ ବିତାଇବା ପରେ ଡୋରା ପଶ୍ଚିମକୁ ପଳାୟନ କରିବାବେଳେ ତାଙ୍କର ସ୍ୱାମୀ ସଂଯୁକ୍ତ ଋଷିଆକୁ ପଳାୟନ କରିଥିଲେ । ସଂପୂର୍ଣ୍ଣ ଏକେଲା ଭାବରେ ଅବଶିଷ୍ଟ ଜୀବନ ଇଂଲଣ୍ଡରେ ବିତିଛି ଡୋରାଙ୍କର ।

ଡୋରା ଡାୟାମଣ୍ଟଙ୍କ ବିଷୟରେ ସଂକ୍ଷେପରେ ଏତିକି ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି କାଫକାଙ୍କ ଜୀବନର ଶେଷ ଆଡକୁ ଯାହା ଯାହା ସ୍ୱାଭାବିକ ଭାବରେ ମରଣ ଆଡକୁ ପ୍ରଲମ୍ବିତ ହେଉଥିଲା ସେଥିରୁ ଅନ୍ତତଃ ଗୋଟିଏ ଘଟଣାର ନାଟକୀୟତାକୁ ବୁଝିବା ।

୧୯୨୩ ମସିହା ଜୁଲାଇ ମାସରେ ତାଙ୍କର କାଫକାଙ୍କ ସହ ସାକ୍ଷାତ ହେବାବେଳକୁ କାଫକା ଅସୁସ୍ଥ । ତାଙ୍କର ସ୍ୱରଯନ୍ତ୍ର "ଲାରିନ୍ସ" ରେ କ୍ଷୟରୋଗ ହୋଇଥିବା କାରଣରୁ ତାଙ୍କର ସ୍ୱାଭାବିକ ଭାବରେ କଥା କହିବାର ଭଳି ଶକ୍ତି ନଥାଏ । କାଫକାଙ୍କର କଥାମାନ ସବୁବେଳେ ଗୋଟିଏ ସୁସୁରି ଭଳି ଶୁଭୁଥାଏ । ବେଳେବେଳେ ତାହା ଖୁବ୍ ପରିଷ୍କାର ତ କେତେବେଳେ ତାହା ନିହାତି ଅସ୍ପଷ୍ଟ ଧ୍ୱନି । ଜଣେ ଲେଖକର ଏହିଭଳି କ୍ରମଶଃ ନିଜେ କୌଣସି କଥାକୁ ସ୍ୱାଭାବିକ ଭାବରେ ନକହି ପାରିବାର ଯନ୍ତ୍ରଣା ଅନ୍ୟ ସାଧାରଣ ଲୋକଙ୍କ ତୁଳନାରେ ଅଧିକ କଷ୍ଟକର । ନିଜ ସହିତ ଦେଖିବାକୁ ଗଲେ ସ୍ପଷ୍ଟ ସହଜ କଥାବାର୍ତ୍ତା କରିପାରୁଥିବା ନିଜ ହାତଗଢା ଚରିତ୍ରର ସଂଘାତ ଏକ ବିଚିତ୍ର ପୀଡାକୁ ଜନ୍ମ ଦେଇଥାଏ । ତାହା ବ୍ୟତୀତ ଅନବରତ କାଶ କାଫକାଙ୍କୁ କାତର ଆଉ ଯନ୍ତ୍ରଣାକ୍ତ କରିଦେଇଥାଏ । ସେଇଥିପାଇଁ ତ ଦୀର୍ଘ ଦିନ ହେଲା ବାହାରେ ଯିଏ କାଫକାଙ୍କୁ ଦେଖିଛନ୍ତି ସେମାନେ କେହି ତାଙ୍କର ସଂପୂର୍ଣ୍ଣ ମୁଖମଣ୍ଡଳ ଦେଖି ନାହାଁନ୍ତି । ବାହାରେ ଥିଲାବେଳେ ସବୁବେଳେ ସେ ନିଜର ମୁହଁକୁ ଘୋଡାଇ ରଖିଥାନ୍ତି ନିଜର ଡାହାଣ ହାତରେ ପାପୁଲିରେ । ସେଇଥିପାଇଁ ତ ବେଳେବେଳେ ସବା ସାନ ଭଉଣୀ ଓଟଲାର ଝିଅ ଟିକିଏ ଦୂରରେ ଛିଡା ହୋଇ ଯଥେଷ୍ଟ ଗଂଭୀର ଭାବରେ କହିଥାଏ, ଅଂଙ୍କଲ, କହିବାକୁ ଚାହୁଁଛି, ତମ ମୁହଁଟା ଆଗ ଭଳି ଅଛି କି ନାହିଁ, ସେକଥା ଦେଖିବାକୁ ହେଲେ ତମକୁ ତମର ଡାହାଣ ହାତକୁ ହଟାଇବାକୁ ପଡିବ । କାଫକା ତାଙ୍କର ଚରିତ୍ରମାନଙ୍କ ଭଳି ଗମ୍ଭୀର ନୁହଁନ୍ତି । ଚିହ୍ନା ପରିଚିତ ମହଲ, ବନ୍ଧୁ ଆଉ ପରିବାରରେ ଥିବାବେଳେ ସେ ବେଶ୍ ମେଳାପୀ, ହସଖୁସୀ ମିଞ୍ଜାସ, ବାକପଟୁ ।

୧୯୨୩ର ଜୁଲାଇ ମାସରେ ଡୋରା ଡାୟାମଣ୍ଟଙ୍କ ସହ ଭିଏନାରେ ରହିଥିବାବେଳେ ସେ ପାର୍କକୁ ନିୟମିତ ଯାଉଥିଲେ । ପାର୍କରେ ଫୁଟୁଥିବା ଫୁଲମାନଙ୍କର ସୁବାସ ସେ ତୃପ୍ତି ର ସହ ଆଘ୍ରାଣ କରୁଥିଲେ । କାଫକା ଲେଖାରେ ଫୁଲ ଆଉ ସୁବାସର ସେମିତି ଉଲ୍ଲେଖ ନାହିଁ । ନିଜର ଅସୁଖ ସମୟରେ ସେ କେମିତି କେଜାଣି ଫୁଲ ଆଉ ସୁବାସ ପ୍ରତି ଅନେକ ପରିମାଣରେ ଆସକ୍ତ ହୋଇପଡିଥିଲେ । ସେ ଅନେକ ସମୟରେ ଡୋରାଙ୍କୁ କହୁଥିଲେ, ଫୁଲର ସୁବାସକୁ ଆଘ୍ରାଣ କରିବା ହେଉଛି ଯେମିତି ପୃଥିବୀର ସର୍ବଶ୍ରେଷ୍ଠ ଅଭିଜ୍ଞତା । ଫୁଲମାନଙ୍କ ପ୍ରତି ତାଙ୍କର ସଂବେଦନଶୀଳତା କ୍ରମଶଃ ଏକ ପାଗଳାମୀ ପର୍ଯ୍ୟାୟକୁ ପହଞ୍ଚିଯାଉଥିଲା । ସବୁଦିନ ତାଙ୍କର ବସିବା ଶୋଇବା ଘରେ ଫୁଲଦାନୀରେ ସତେଜ ଫୁଲମାନ ରହିବା ଦରକାର । ଆଉ ସେଗୁଡିକ ଯେମିତି ଟିକିଏ ପରିମାଣରେ ଝାଉଁଳି ନ ପଡନ୍ତି ସେଥିପ୍ରତି ଦୃଷ୍ଟି ଦେବା ଦରକାର । ଡୋରା ସେହି ଫୁଲଦାନୀରେ ଥିବା ଫୁଲମାନଙ୍କ ଉପରେ ପାଣି ଛିଞ୍ଚିବାବେଳେ ପ୍ରାୟତଃ ପାଖରେ ଛିଡାହୋଇ ରହୁଥିଲେ କାଫକା । ସେ ଡୋରାଙ୍କ ଫୁଲଦାନୀରେ ଥିବା ଫୁଲ ଉପରେ ଛିଞ୍ଚାଯାଉଥିବା ପାଣିକୁ ନିୟନ୍ତ୍ରିତ କରିବାକୁ ଚାହୁଁଥିଲେ ଯାହାଫଳରେ କି ପାଣିଛିଞ୍ଚିବା ଦ୍ୱାରା ସେହି ଫୁଲର ଟିକିଏ ବୋଲି କ୍ଷତି ନହୁଏ । ସେତେବେଳେ କାଫକା କିଛି ଲେଖାଲେଖି କରୁ ନଥିଲେ । ସେଇଟି ଥିଲା ମୂଲ୍ୟବୃଦ୍ଧିର ସମୟ । ଖବର କାଗଜ ଆଉ ଇଲେକ୍ଟ୍ରିର ବିଲ୍ ଦେବାପାଇଁ ତାଙ୍କ ପାଖରେ ପଇସା ନଥିଲା । ଘରୁ ବାପା ମାଆ କି ଭଉଣୀମାନଙ୍କ ପାଖରୁ ଖାଇବା ଟିଫିନକେରିଅର୍ ରେ ଆସୁଥିଲା । ରାତି ସାରା ଅସୁସ୍ଥ ନିଦ୍ରାରହିତ ବିଶ୍ୱର ଚର୍ଚ୍ଚିତ ଲେଖକକୁ ପହରା ଦେଉଥିଲା ଗୋଟିଏ କିରୋସିନ ବତୀ । ପଢାପଢି କହିଲେ କାଫକା ସେତେବେଳେ ନିୟମିତ ଭାବରେ ଇହୁଦୀମାନଙ୍କର ଧର୍ମଗ୍ରନ୍ଥ "ତାଲାମୁଡ" ରୁ କିଛି କିଛି ଅଂଶ ପଢୁଥିଲେ । ସେହି ସମୟରେ କାଫକାଙ୍କର ଭବିଷ୍ୟତ ପାଇଁ ଗୋଟିଏ ଯୋଜନା ଥିଲା । କୌଣସି ନୂତନ ଉପନ୍ୟାସ ନୁହଁ । ଲେଖନଠାରୁ ଏହି ପରିକଳ୍ପନା ଯୋଜନ ଯୋଜନ ଦୂର । କାଫକା ସେତେବେଳେ ପରିକଳ୍ପନା କରିଥିଲେ ତାଙ୍କର ଦେହ ଭଲ ହୋଇଗଲେ ସେ ପାଲେଷ୍ଟାଇନ୍ କୁ ଯିବେ । ସେହି ପବିତ୍ର ସହରରେ ନିଜ ଜୀବନର ଶେଷଭାଗ ବସବାସ କରିବେ । ଜୀବିକା ପାଇଁ ସେଇଠି ସେ ସ୍ଥାପନା କରିବେ ଗୋଟିଏ ସୁନ୍ଦର ଭୋଜନାଳୟ ଯାହାର ଏକମାତ୍ର ପାଚିକା କୁକ୍, ଦି ସୁପିରିଅର୍ ରହିବ ଡୋରା ଡାୟାମଣ୍ଟ । ତାଙ୍କର କାମ କେବଳ ଏତିକି ହେବ ଯେ, ସେ ଉପସ୍ଥିତ ଗ୍ରାହକମାନଙ୍କୁ "ମେନୁକାର୍ଡ" ଟି ବଢାଇଦେଇ ନୀରବରେ ଅପେକ୍ଷା କରିବେ ଗ୍ରାହକର ପସନ୍ଦର ଖାଦ୍ୟପଦାର୍ଥର ଅର୍ଡରକୁ । ଏମିତି ଗୋଟିଏ ଭଦ୍ର ୱେଟର୍ ହେବାର ଅଭିଳାଷ ଥିଲା କାଫକାଙ୍କର, ଯାହା ସମ୍ଭବପର ହୋଇନାହିଁ । କାଫକାଙ୍କର ଏହିଭଳି ୱେଟର୍ ହେବାର ପରିକଳ୍ପନା ବସ୍ତୁତଃ ସେହି ସମୟର ଯେତେବେଳେ ନିଜର ସ୍ୱରଯନ୍ତ୍ରରେ କ୍ଷୟରୋଗ ବ୍ୟାପିଯିବା କାରଣରୁ ସେ କେବଳ ଭଲଭାବରେ କଥା କରିପାରୁନଥିଲେ, ସେକଥା ନୁହଁ, ସେ କୌଣସି ଖାଦ୍ୟପଦାର୍ଥକୁ ଗିଳି ଖାଇବା ପାଇଁ କଷ୍ଟ ବୋଧ କରୁଥିଲେ ।

ସେହି ଭଳି ଅସୁଖର ଏକ ଦାରୁଣ ସମୟରେ କାଫକାଙ୍କ ଆଗରେ ଗୋଟିଏ ସମସ୍ୟା ପ୍ରମୁଖ ସମସ୍ୟା ଆକାରରେ ଉପସ୍ଥିତ ହୋଇଥିଲା । ଆଉ ସେହି ସମସ୍ୟାର ସମାଧାନ ପାଇଁ କାଫକାଙ୍କୁ ବିଶେଷ ଭାବରେ ସହାୟତା କରିଥିଲେ ତାଙ୍କର ଜୀବନର ଶେଷ ପ୍ରେମାସ୍ପଦା ଡୋରା ଡାୟାମଣ୍ଟ । କାଫକା ତାଙ୍କ ଜୀବନରେ ଶେଷ ଆଡକୁ ସମାଧାନ କରିଥିବା ସେହି ସମସ୍ୟାଟିର ଯଦି ଗୋଟିଏ କାହାଣୀ ସୁଲଭ ଶୀର୍ଷକ ଦିଆଯାଏ ତେବେ ତାହା ନିଶ୍ଚୟ ଏହିପରି ହେବ: ଗୋଟିଏ ଅପହୃତ କଣ୍ଢେଇର ରହସ୍ୟ ।

ବର୍ଲିନ୍ ରେ ଥିବାବେଳେ ୧୯୨୩ ମସିହାର ଶେଷ ଆଡକୁ ସବୁଦିନ ପାର୍କକୁ ଫୁଲର ଆକର୍ଷଣରେ ଯାଉଥିବା କାଫକା ଦିନେ ଦେଖିଲେ ଯେ ଗୋଟିଏ ଛୋଟ ଝିଅ ଏକେଲା ପାର୍କର ଗୋଟିଏ କୋଣରେ ବସି କାନ୍ଦୁଛି । ସେହି କାନ୍ଦୁଥିବା ଝିଅଟି କାଫକାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଝିଅଟି କହିଥିଲା, ତାହାର ପ୍ରିୟ କଣ୍ଢେଇଟି କେଉଁଠି ହଜି ଯାଇଛି । ଯେତେ ଖୋଜିଲେ ବି ସେହି କଣ୍ଢେଇଟି କେଉଁଠି ମିଳୁନାହିଁ । ଝିଅଟିକୁ ପ୍ରବୋଧନା ଦେବାକୁ ଯାଇ କାଫକା ହଠାତ୍ କହି ବସିଲେ ଯେ, ସେହି କଣ୍ଢେଇକୁ ସେ ଦେଖିଛନ୍ତି । ଅମୁକଙ୍କ ଘରେ ସେଇ କଣ୍ଢେଇଟି ବେଶ୍ ଆରାମରେ ଅଛି । ଅମୁକଙ୍କ ଘର ଦେଖିବାକୁ ରାଜ ଉଆସ ପରି । ଶହ ଶହ ପୋଇଲି ପରିବାର ଖଟୁଛନ୍ତି । କଣ୍ଢେଇଟି ସେଇଠି ଭାରି ଖୁସିରେ ଅଛି । ଏବେ ଭୂମଧ୍ୟସାଗର ଦେଇ ନେପଲସ୍ ସହରକୁ ସେହି ପରିବାର ସହିତ ବୁଲାବୁଲି କରିବାକୁ ଯାଇଛି । କାଫକାଙ୍କଠାରୁ ଏକଥା ଶୁଣି ସେହି ଝିଅଟିର ଆଖି ଦୁଇଟି ଆନନ୍ଦରେ ବିସ୍ଫାରିତ ହୋଇଗଲା । ସେ ନିଜର ସମସ୍ତ ଖୁସିକୁ ଏକାଠି ଜାହିର୍ କରିବା ଭଳି କହିଥିଲା, ସତରେ, ମୋ କଣ୍ଢେଇ ଏମିତି ଅଛି ? ତମେ ସତ କହୁଛ ? ଆରପଟରେ ପୃଥିବୀର ସବୁଠାରୁ ନିରୀହ ମିଥ୍ୟାବାଦୀ ସାଜିଥିବା ଆମର ଏଇ ଚର୍ଚ୍ଚିତ ଲେଖକ କାଫକା ନିଜ ମୁହଁ ଉପରୁ ନିଜର ଡାହାଣ ହାତର ପାପୁଲିକୁ ହଟାଇନେଇ ଏକ ଦିଗନ୍ତ ପ୍ରସାରୀ ହସଟିଏ ସେଇଠି ଝୁଲାଇଦେଇ କହିଥିଲେ, ମୁଁ ତାହାକୁ କହିବି, ସେ ତମକୁ ଚିଠି ଲେଖିବ ।

ତାହା ପରଠାରୁ କାଫକା ଆଉ ସେହି ଝିଅଟିର ନିୟମିତ ସେହି ପାର୍କରେ ଦେଖାହେବା ନିର୍ଦ୍ଦିଷ୍ଟ ହୋଇଯାଇଥିଲା । ଝିଅଟି ମାତୃହରା । ପାର୍କର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ସେ ସ୍କୁଲରୁ ଫେରି ଅପେକ୍ଷା କରିଥାଏ । କାମରୁ ଫେରିବାପରେ ବାପା ସେଇଠୁ ତାହାକୁ ଧରି ସାଥିରେ ଘରକୁ ଆସିଥାନ୍ତି । ବାପା ଆସି ତାହାକୁ ସେଇଠୁ ନେଇ ସାଥିରେ ଧରି ଯିବାର ପୂର୍ବ ମୁହୂର୍ତ୍ତଟି ସେ ଝିଅର କାଫକାଙ୍କ ପାଇଁ ନିର୍ଦ୍ଦିଷ୍ଟ ରହୁଥିଲା । କାଫକା ସେହି ସମୟରେ ସେହି ଝିଅକୁ ଲେଖାଯାଇଥିବା ଦୂରାନ୍ତରେ ସୁଖରେ ଥିବା କଣ୍ଢେଇର ଚିଠିମାନ ପଢି ଶୁଣାଉଥିଲେ । ସେହି ସବୁ ଚିଠିରେ ସୁଖର କଥା ଥିଲା, କାଫକା ଯେଉଁ ସବୁ ଦେଶକୁ କେବେ ଯାଇନାହାଁନ୍ତି ଅଥଚ ଜୀବନରେ ଥରେ କେବେ ଯିବାପାଇଁ ମନସ୍ଥ କରିଛନ୍ତି ସେସବୁର ବିସ୍ତୃତ ବିବରଣୀ ଥିଲା । ସେଇଠି ସେହି ଝିଅର ଆନନ୍ଦରେ ବିଭୋର ହୋଇଯିବା ଭଳି ଦୃଶ୍ୟରେ ସାହିତ୍ୟରେ ଏକ ନିଷ୍ଠୁର ଅନିୟନ୍ତ୍ରିତ "କାଫକେସ୍କ୍ୟୁ" ଭଳି ଜଗତର ନିର୍ମାଣ କରିଥିବା ଗମ୍ଭୀର ଲେଖକ କାଫକା ବି ବିଭୋର ହୋଇଯିବା ଘଟଣା ନିହାତି ଆଶ୍ଚର୍ଯ୍ୟ ଜନକ । ସେ ସେତେବେଳେ ନିୟମିତ ଭାବରେ କିରୋସିନବତୀର ସ୍ୱଳ୍ପ ଆଲୋକରେ ସେହି ଅପହୃତ କଣ୍ଢେଇ ତରଫରୁ ସେହି ଝିଅ ନିକଟକୁ ଖୁସି ଆଉ ଆନନ୍ଦର ଚିଠିମାନ ଲେଖି ବସୁଥିଲେ । ଏହି ସଂପର୍କ ଗାଢ ହେବାକୁ ବସିଲା, ଚିଠି ଲେଖାଳି ଆଉ ଚିଠି ଶୁଣିବା ଲୋକ ଉଭୟଙ୍କର ଆକର୍ଷଣ ଅଧିକତର ହେବାକୁ ଲାଗିଲା । ଏହା ସହିତ କାଫକାଙ୍କ ଅସୁଖ ବି ବଢିବାରେ ଲାଗିଲା । ସ୍ଥିର କରାଗଲା ସେ ଆଉ ବର୍ଲିନ୍ ରେ ନୁହଁ, ପ୍ରାଗ୍ ସହରକୁ ଫେରିଯିବେ । ସେଇଠି ତାଙ୍କର ଚିକିତ୍ସା କରାଯିବ । ଠିକ୍ ସେତିକିବେଳେ ଏହି ସମସ୍ୟାଟି ଉପସ୍ଥିତ ହେଲା । ପାର୍କରେ ନିଜର ଅପହୃତ କଣ୍ଢେଇଠାରୁ ଚିଠିର ଅପେକ୍ଷା କରିଥିବା ସେହି ଝିଅର କ'ଣ ହେବ ? ତାହାକୁ କ'ଣ ତାହାର ପ୍ରିୟ କଣ୍ଢେଇଠାରୁ ଗୋଟିଏ ଚିଠିର ଅପେକ୍ଷାରେ ଚିରକାଳ ରଖି ଏହି ଚର୍ଚ୍ଚିତ ଲେଖକ ନିରୁଦ୍ଦିଷ୍ଟକୁ ଅପସରି ଯାଇପାରିବେ ?

କାଫକା ସେହି ଝିଅକୁ ନେଇ, ତାହା ନିକଟକୁ ଲେଖାଯିବା ଚିଠିକୁ ନେଇ ବିବ୍ରତ ଥିଲେ । ବର୍ଲିନ୍ ରୁ ପ୍ରାଗ୍ କୁ ଚିକିତ୍ସା ପାଇଁ ଯିବା ପୂର୍ବରୁ ସେ ଏହାର ଗୋଟିଏ ସୁଖାନ୍ତକ ଉପସଂହାର ଚାହାଁନ୍ତି । କାଫକାଙ୍କୁ ସେଥିରେ ସହାୟତା କରିଥିଲେ ଡୋରା ଡାୟାମଣ୍ଟ । ଡୋରାଙ୍କ ପରାମର୍ଶ ଅନୁସାରେ ସେ ସେହି ଅପହୃତ କଣ୍ଢେଇ ତରଫରୁ ଶେଷ ସୁଖ ଚିଠିଟି ଲେଖି ସେହି ଝିଅକୁ ପଢି ଶୁଣାଇଥିଲେ । ସେଇ ଚିଠିକୁ ଶୁଣିବା ପରେ ଝିଅଟି ଭାରି ଖୁସି ହୋଇ କାଫକାଙ୍କୁ କହିଥିଲା, ନା, ଏହାପରେ ଆଉ କଣ୍ଢେଇକୁ ବ୍ୟସ୍ତ ହୋଇ ମୋ ପାଖକୁ ଏମିତି ଚିଠି ଲେଖିବାର ଦରକାର ନାହିଁ । ଏବେ କଣ୍ଢେଇର ନୂଆ ନୂଆ ସଂସାର,ତାହାର ସ୍ୱାମୀ ଆଉ ତାହାର ପିଲାମାନଙ୍କ କଥା ବୁଝିବା ପାଇଁ ତାହାକୁ ସମୟ ଦେବାକୁ ହେବ । ନା, ତାହାର ଆଉ ଏମିତି ଚିଠି ଲେଖିବାର ଦରକାର ନାହିଁ ।

ଡୋରା ଡାୟାମଣ୍ଟ ପରାମର୍ଶ ଦେଇଥିଲା କଣ୍ଢେଇର ବାହାଘର କରିବା ପାଇଁ । ପିଲାମାନେ ଜାଣନ୍ତି ବାହାଘର ମାନେ ସଂସାର, ପରିପୂର୍ଣ୍ଣ ହସଖୁସିର ସଂସାର । ଏହି ଭଳି ପ୍ରାଗ୍ କୁ ଯିବାପୂର୍ବରୁ କାଫକା ସେହି ଝିଅକୁ ନେଇ ଉପସ୍ଥିତ ସମସ୍ୟାର ସୁଖାନ୍ତକ ସମାଧାନ କରିଥିଲେ ସତ ଅନ୍ୟ ପକ୍ଷରେ ଗୋଟିଏ ଦୁଃଖାନ୍ତକ ଘଟଣା ଘଟିଥିଲା । ବର୍ଲିନ୍ ଛାଡିବା ପୂର୍ବରୁ କାଫକା ଏବଂ ଡୋରା ଉଭୟେ ସେହି ଝିଅକୁ ଲେଖାଯାଇଥିବା ସମସ୍ତ ଚିଠି ସହିତ ଆଉ ଅନେକ କିଛି କାଫକାଙ୍କ ହାତଲେଖାକୁ ପୋଡି ନଷ୍ଟ କରିଦେଇଥିଲେ ।

ପ୍ରାଗ୍ ସହରରେ ନିଜ ଲୋକମାନଙ୍କ ସେବା ଶୁଶ୍ରୁଷାରେ ଯେତେବେଳେ ତାଙ୍କର ଅବସ୍ଥାରେ ସେମିତି କିଛି ଉନ୍ନତି ଘଟିଲା ନାହିଁ ବିଶେଷତଃ ୧୯୨୪ର ମାର୍ଚ୍ଚ ମାସ ଶେଷଆଡକୁ ସେତେବେଳେ ତାଙ୍କର ଶରୀରର ଉତ୍ତାପ ୧୦୫ ଡିଗ୍ରୀରୁ ତଳକୁ ଖସିଲା ନାହିଁ ସେତେବେଳେ ସମସ୍ତେ ନିଷ୍ପତ୍ତି ନେଲେ ଏଥର କାଫକାଙ୍କୁ ଭିଏନା ନିକଟସ୍ଥ କିୟେରିଲିଂ ସ୍ଥିତ ଡାଃ ହଫମ୍ୟାନଙ୍କ ସାନାଟୋରିଅମ୍ ରେ ଭର୍ତ୍ତି କରିବାପାଇଁ । ସେଇଠି କାଫକାଙ୍କ କହିବା ଅନୁସାରେ ତାଙ୍କର ଗୋଟିଏ ପରିବାର ଗଢି ଉଠିଥିଲା । ଆଗରୁ ଉଲ୍ଲେଖ ଅଛି ତିନିଜଣ ସଦସ୍ୟ ବିଶିଷ୍ଟ ସେହି କାଫକା - ପରିବାରର କଥା । ସେ, ଡୋରା ଡାୟାମଣ୍ଟ ଆଉ ଡାକ୍ତର ରବର୍ଟ କ୍ଲପଷ୍ଟକ ।

ସେହିଭଳି ଚରମ ଅସୁଖ ସମୟରେ ଦିନେ କାଫକା ଡାଃ ହଫମ୍ୟାନ ଙ୍କ ସାନାଟୋରିଅମ୍ ରୁ ଗୋଟିଏ ଚିଠି ତାଙ୍କର ପ୍ରିୟ ବନ୍ଧୁ ମାକ୍ସ ବ୍ରଡ୍ ଙ୍କୁ ଲେଖିଥିଲେ । ସେହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଅନେକ ଦିନ ପରେ ସେ ସେହି ଅଶରୀରୀ ଆତ୍ମାମାନଙ୍କୁ ଦେଖିବାକୁ ପାଉଛନ୍ତି । କାଫକାଙ୍କ ସହିତ କାହାଣୀ ଜଗତରେ ଏହି ଅଶରୀରୀ ଆତ୍ମାମାନଙ୍କର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାଫକା ତାଙ୍କର ସୃଜନଶୀଳ ସତୀର୍ଥମାନଙ୍କ ଆଗରେ ପ୍ରାୟତଃ କହିଥାନ୍ତି ଯେ ଅକସ୍ମାତ କେଉଁଠାରୁ କିଛି ଅଶରୀରୀ ଆତ୍ମା ତାଙ୍କର ସଂଧାନରେ ବାହାରି ଆସିଥାନ୍ତି । ତାଙ୍କର ଦେଖାପାଇଗଲେ ସେଇ ଅଶରୀରୀ ଆତ୍ମାମାନେ ନିଜ ନିଜର ଅପ୍ରକଟ କାହାଣୀ ସବୁକୁ ତାଙ୍କ କାନରେ ଗୋପନରେ କହିଦେଇଥାନ୍ତି ଆଉ ସେ ସେହି ଅଶରୀରୀ ଆତ୍ମାମାନେ କହିଥିବା କାହାଣୀ ଭଳି କାହାଣୀମାନ ସଂରଚନା କରିଥାନ୍ତି । ଡାଃ ହଫମ୍ୟାନଙ୍କ ସାନାଟୋରିଅମ୍ ରେ ସେହି ଅଶରୀରୀ ଆତ୍ମାମାନେ ତାଙ୍କର ଦେଖା ପାଇଗଲେ । ଅନେକ ଦିନ ହେଲା ସେମାନଙ୍କର ସାକ୍ଷାତ ନଥିଲା । ସେ ସେମାନଙ୍କର ସାକ୍ଷାତ ପାଇଁ ପ୍ରସ୍ତୁତ ରହିବା ଭଳି କଥା ଲେଖିଥିଲେ ତାଙ୍କର ବନ୍ଧୁ ମାକ୍ସ ବ୍ରଡଙ୍କୁ ।

କାଫକା ତାଙ୍କର ଶେଷ ଲେଖା ଲେଖିଥିଲେ ୧୯୨୨ ମସିହାରେ । "ଏ ହଙ୍ଗର ଆର୍ଟିଷ୍ଟ" ବୋଲି ଗୋଟିଏ କାହାଣୀ । ଏହି ଶୀର୍ଷକ କାହାଣୀ ସହିତ ଆଉ କେତେଗୁଡିଏ କାହାଣୀକୁ ଗୋଟିଏ କାହାଣୀ ସଂଗ୍ରହ କରିବାର ଆଗ୍ରହ ଥିଲା ତାଙ୍କର । ଏଇଠି ଉଲ୍ଲେଖଯୋଗ୍ୟ ଯେ ସମାଲୋଚକମାନଙ୍କ ମନ୍ତବ୍ୟ ଅନୁସାରେ "ଏ ହଙ୍ଗର ଆର୍ଟିଷ୍ଟ" ହେଉଛି ପୃଥିବୀର ଏଯାବତ୍ ଲେଖାଯାଇଥିବା ଶ୍ରେଷ୍ଠ ଦଶଗୋଟି କାହାଣୀ ମଧ୍ୟରୁ ଅନ୍ୟତମ ।

ସେଦିନ ଥିଲା ୨ ଜୁନ୍ ୧୯୨୪ ମସିହା । ସୋମବାର । କାଫକାଙ୍କ କଥାବାର୍ତ୍ତା ତାଙ୍କର ସ୍ୱରଯନ୍ତ୍ରରେ କ୍ଷୟରୋଗର କାରଣରୁ କ୍ରମାଗତ ଅବକ୍ଷୟ ହେବାରେ ଲାଗିଥାଏ । ଏବେ ଆଉ ତାଙ୍କର କଥା ସେମିତି ଭଲଭାବରେ ବୁଝାଯାଇ ପାରୁନଥାଏ । ସେ କଥା କହିଲେ ଲାଗୁଥାଏ ଯେମିତି ଗୋଟିଏ ସୁସୁରି ଧ୍ୱନିତ ହେଉଛି । କାଫକାଙ୍କୁ କିଛି ଦିନ ହେଲା ଯେତେ ତରଳ ହେଉ ପଛକେ ଖାଦ୍ୟ ଗ୍ରହଣ କରିବାକୁ ଅସୁବିଧା ହେଉଥିଲା । ଶେଜରେ ଶୋଇ ରହି ସେ ଅନେକ ସମୟ କେବଳ ସେହି "ଏ ହଙ୍ଗର ଆର୍ଟିଷ୍ଟ" ର ପ୍ରୁଫ୍ ଦେଖୁଥିଲେ । ବେଳେବେଳେ କିଛି କିଛି ସେଥିରୁ ସଂଶୋଧନ କରୁଥିଲେ । ହଠାତ୍ ଡୋରା ଡାୟାମଣ୍ଟ ଦେଖିଲେ ଯେ କାଫକା ସ୍ୱାଭାବିକ ଭାବରେ ନିଃଶ୍ୱାସ ପ୍ରଶ୍ୱାସ ନେଇ ପାରୁନାହାଁନ୍ତି । ସେ ତୁରନ୍ତ ଡାକ୍ତରଙ୍କୁ ଡାକିଲେ ଆଉ ଯଥାଶୀଘ୍ର ଡାଃ ରବର୍ଟ କ୍ଲପଷ୍ଟପ ତାଙ୍କୁ ଆସି ଗୋଟିଏ କାମ୍ଫର ଇଂଜେକସନ୍ ଦେଇଥିଲେ । ଏହା ଫଳରେ କାଫକାଙ୍କ ଶ୍ୱାସଗତି ଟିକିଏ ତୀବ୍ରତର ହୋଇଥିଲା । ସେ ହଠାତ୍ ଉତ୍ତେଜିତ ହୋଇ ନିଜର ସୁସୁରି ଭଳି ଶୁଭୁଥିବା ଗଳାରେ ଗାଳିଗୁଲଜ କରିବାକୁ ଆରମ୍ଭ କରିଥିଲେ ନିଜର ପ୍ରିୟ ଡାକ୍ତର ଡାକ୍ତର କ୍ଲପଷ୍ଟକଙ୍କୁ । ଅସହ୍ୟ ଯନ୍ତ୍ରଣାରୁ ଟିକିଏ ଉପଶମ ପାଇଁ ଆବଶ୍ୟକ ହେଉଥିବା ମର୍ଫିନ୍ ଇଂଜେକସନ୍ ର ମାତ୍ରାଧିକ ଅପପ୍ରଭାବରୁ ତାଙ୍କୁ ଦୂରରେ ରଖିବା ପାଇଁ ଡାଃ କ୍ଲପଷ୍ଟକ ତାଙ୍କୁ ସେ ଚାହିଁବା ଅନୁସାରେ ମର୍ଫିନ୍ ଇଂଜେକସନ୍ ଦେଉ ନଥିବାରୁ କାଫକା କ୍ଷୁବ୍ଧ ହେଉଥିଲେ । ସେଦିନ ଯନ୍ତ୍ରଣା ଯେତେବେଳେ ତୁଙ୍ଗରେ ସେ ଡାଃ କ୍ଲପଷ୍ଟକଙ୍କୁ କହିଲେ, ମୋତେ ତମେ ମାରିଦିଅ, ନହେଲେ ତମେ ଜଣେ ଖୁନୀ । ତାହାପରେ ବାଧ୍ୟ ହୋଇ ଡାଃ କ୍ଲପଷ୍ଟକ ତାଙ୍କୁ ଗୋଟିଏ ଡୋଜ୍ ମର୍ଫିନ୍ ଇଂଜେକସନ୍ ଦେଇଥିଲେ । ଏଥିରୁ ସେଦିନ ତାଙ୍କର ଅସୁଖଜନିତ ଯନ୍ତ୍ରଣାକ୍ତ ସମୟକୁ ଭଲଭାବରେ ବୁଝି ହେବ ।

ମର୍ଫିନ୍ ଇଂଜେକସନ୍ ପରେ କାଫକାଙ୍କ ଅବସ୍ଥା ଟିକିଏ ସ୍ୱାଭାବିକ ହୋଇଥିଲା । ସେ ତାହାପରେ ନିଜ ବାପାମାଆଙ୍କ ପାଖକୁ ଗୋଟିଏ ଲମ୍ବା ଚିଠି ଲେଖିଥିଲେ । ସେହି ଚିଠିଟି ତାଙ୍କ ତରଫରୁ ବାପାମାଆଙ୍କୁ ଲେଖିଥିଲେ ଡୋରା । ସେଥିରେ ସେ ବିସ୍ତାରରେ ନିଜର ଯନ୍ତ୍ରଣାର ଟିକିନିଖି କଥା ଲେଖିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏମିତି ଏକ ସମୟରେ ବାପାମାଆଙ୍କ ପାଖକୁ ଲେଖିଥିବା ଚିଠିରେ ସେ କେବଳ ଗୋଟିଏ ଦ୍ୱନ୍ଦ୍ୱର ବ୍ୟବଚ୍ଛେଦ କରିଥିଲେ । ସେହି ଦ୍ୱନ୍ଦ୍ୱଟି ହେଉଛି ତାଙ୍କର ଏହିଭଳି ଅସୁଖ ସମୟରେ ତାଙ୍କୁ ଦେଖିବାପାଇଁ ଆସିବା ବାପାମାଆଙ୍କ ପକ୍ଷରେ ଉଚିତ ହେବ ନା ଏମିତି ଦେଖି ଆସିବାରେ ସେମିତି କୌଣସି ଲାଭକ୍ଷତି ନାହିଁ । କହିବାକୁ ଗଲେ ଏହି ଚିଠିଟି ହେଉଛି ଯେମିତି ଗୋଟିଏ ଅସୁଖକୁ ଦେଖିବାକୁ ଆସିବା ଆଉ ନଆସିବାକୁ ନେଇ ଏକ ନ୍ୟାୟ ବିଚାରର ଜବାବ ସୁଆଲ୍ । ବାପାମାଆଙ୍କ ନିକଟକୁ ଲେଖାଯାଇଥିବା ଚିଠିଟି ହେଉଛି କାଫକାଙ୍କ ଶେଷ ଲେଖା ଯାହାକୁ ସେ ନିଜ ହାତରେ ମାତ୍ର ଗୋଟିଏ ବାକ୍ୟ ଲେଖି ସମାପ୍ତ କରିଥିଲେ, "ଏଇ ମୁଁ ତା' ହାତରୁ ଏବେ କଲମଟି ନେଲିଣି " ।

ତାହା ପରଦିନ ଅର୍ଥାତ୍ ମଙ୍ଗଳବାର ୩ ଜୁନ୍ ୧୯୨୪ । ସକାଳୁ ମର୍ଫିନ୍ ପାଇଁ ଆଉ ଥରେ ଅନୁଯୋଗ କଲାପରେ ଡାଃ ରବର୍ଟ କ୍ଲପଷ୍ଟକ ମର୍ଫିନ୍ ର ସିରିଞ୍ଜଟିକୁ ସଜାଡିବାବେଳେ ଟିକିଏ ମୁହଁ ବୁଲାଇ କାଫକାଙ୍କୁ ଚାହିଁଥିଲେ । କାଫକାଙ୍କ ମୁହଁରେ ସେତେବେଳେ ସ୍ମିତ ହସ, ଆଖିରେ ଆଖି ପଡିବା ପରେ ସେ ଡାକ୍ତର କ୍ଲପଷ୍ଟକଙ୍କୁ କହିଥିଲେ, ମୋତେ ଛାଡି ଯାଅନି । ଡାକ୍ତର ତୁରନ୍ତ କହିଥିଲେ, ନା ନା, ମୋର କିନ୍ତୁ କୁଆଡେ ଯିବାର ନାହିଁ ।

ତାହାପରେ ଦି ଟ୍ରାଏଲ୍ ର ଚର୍ଚ୍ଚିତ ଲେଖକ ପ୍ରାଞ୍ଜ କାଫକା କହିଥିଲେ, ମୁଁ କିନ୍ତୁ ଯାଉଛି ।

ଏତିକି କହି କାଫକାଙ୍କ ଆଖି ଚିରତର ବନ୍ଦ ହୋଇ ଆସିଥିଲା ।

ଏହାପରେ ଅଶରୀରୀ ଆତ୍ମାମାନଙ୍କ ସହ କଥାବାର୍ତ୍ତା କରିବା ପାଇଁ ଆମର ଏଇ ପ୍ରିୟ ଲେଖକ ନିଜେ ଅଶରୀରୀ ପାଲଟ ଯାଇଥିବା ସତ । ତାଙ୍କର ଗଳାର ସ୍ୱର ସେତେବେଳେ ଅସୁଖର ପୂର୍ବ କାଳ ଭଳି ସୁନ୍ଦର ଆଉ ସ୍ପଷ୍ଟ ହୋଇଥଯାଇଥିବା କଥା ବି ସତ । ମାତ୍ର ଏହାପରେ ଯେତେବେଳେ ଆମର ମନେପଡେ ଯେ ଏହି ଚର୍ଚ୍ଚିତ ଲେଖକ ଜଣକ ଦୀର୍ଘ ପାଞ୍ଚଦିନ ଅନାହାର ଯୋଗୁ ମୃତ୍ୟୁବରଣ କରିଛି ସେତେବେଳେ ଭାରି କାନ୍ଦ ମାଡେ । ସେ ସମୟରେ ଖାଦ୍ୟନଳୀର ବିକଳ୍ପ ଭାବରେ ଶିରାଧମନୀରେ ଖାଦ୍ୟ ସରବରାହ କରି ଅସୁଖର ଉପଚାର ବ୍ୟବସ୍ଥା ବିକଶିତ ହୋଇନଥିଲା ।

ନିଜର ଶେଷ ବହିର ନାଆଁ ରଖିଥିଲେ ସେ "ଏ ହଙ୍ଗର ଆର୍ଟିଷ୍ଟ", ସେଇଥିପାଇଁ, ହୁଏତ !

Report an Error