ହୃଦୟ ଭିତରେ ପ୍ରବେଶ

ପିଲା ସହିତ ପିଲା ହୋଇପାରିବାର ସ୍ଵାଭାବିକ ପ୍ରକ୍ରିୟାଟି ଆମ ଶିକ୍ଷା ବ୍ୟବସ୍ଥାକୁ କାଇଁ ଆସି ପାରୁନି - ସେ ଏକ ପ୍ରଶ୍ନବାଚୀ । ଆଜିର ଲେଖା ସେଇ ପ୍ରସଙ୍ଗକୁ ନେଇ ।


ଫଟୋ - ସୁମିତ୍ରା ପାଢୀ

ନିଜର କଥା ନିର୍ଦ୍ଵନ୍ଦ୍ଵରେ କହିବା ଲାଗି ଆପଣାର ମଣିଷଟିଏ ଲୋଡ଼ା । କହି ଚାଲିଥିବା ଯାଏଁ ଶୁଣିବାର ଧୈର୍ଯ୍ୟ ଥିବା ମଣିଷଟିଏ ପାଖରେ ହିଁ ନିଜ କଥା କହିବାକୁ ଇଚ୍ଛା ହୁଏ । ଏହି କହିବା ଓ ଶୁଣିବା ଭିତରେ ବୁଝିବାଟା ବଢ଼ିଯାଏ । ପରସ୍ପର ଭିତରେ ଥିବା ବ୍ୟବଧାନଟା ଆପେ ଆପେ କମିଯାଏ ।

ଆପଣାର ହେବାକୁ ଚେଷ୍ଟା କରିବାକୁ ପଡେ଼ନି । ଝୁଣ୍ଟିଯାଇ ତଳେ ପଡ଼ିଯାଇ ଧକେଇ କାନ୍ଦୁଥିବା ଛୋଟ ପିଲାଟିକୁ କୋଳେଇ ନେବା ଭିତରେ, ଚିନ୍ତିତ ହୋଇ ଏକଲା ବସିଥିବା ବଡ଼ ପିଲାଟିର ମଥାକୁ ଆଉଁସି ଦେବା ଭିତରେ ହିଁ ବହୁତ କଥା ବୁଝାପଡ଼ିଯାଏ । ବାକି ରହେ କିଛି ସମୟ ଦେଇ ସେମାନଙ୍କୁ ଶୁଣିବା । ସେଇଟା ବି ଆପେ ଆପେ ହୋଇଯାଏ ବୋଲି ମୋର ଧାରଣା ।

ବାପାମାଆମାନଙ୍କୁ ଏଇ କଥା କହି କହି ଥକିଯିବା ପରେ ବି ସେମାନେ ପିଲାଙ୍କ ସହ କଥା ହେବାକୁ ସମୟ ଦେଇପାରିଲେନି ବୋଲି ମୁଁ ଜଡ଼ିତ ଥିବା ବିଦ୍ୟାଳୟମାନଙ୍କର ଶିକ୍ଷକମାନଙ୍କୁ କହିଲି ‘ଖୁସିରେ ହେଉ ବା ଦୁଃଖରେ ପିଲାଙ୍କ ସହ ଟିକେ କଥା ହୁଅ ।’ ଏନେଇ ଅନେକ କର୍ମଶାଳା କରିବା ପରେ, ପିଲାଟିଏକୁ ବୁଝିବାକୁ ହେଲେ ତା’ ସହ ଏକ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିବା ନିହାତି ଆବଶ୍ୟକ ବୋଲି ସମସ୍ତେ ଅନୁଭବ କଲେ । ଏକଥା କିନ୍ତୁ ଶିକ୍ଷକ ହୋଇ, ନିୟମ ତିଆରି କରି, ରାଗି କି ଜୋର ଜବରଦସ୍ତ କରି ହୋଇପାରିବନି; ସାଙ୍ଗଟିଏ ହୋଇ କେବଳ ହୋଇପାରିବ । ତେଣୁ ଗୋଟିଏ ବିଦ୍ୟାଳୟରେ ରୁମ୍‌ଟିଏ ବାଛିଲୁ । ଯେଉଁଟିକୁ ବ୍ୟକ୍ତିଗତ କଥୋପକଥନ ଗୃହ ବୋଲି କୁହାଗଲା । ଯେଉଁ ଘରେ ଏକାନ୍ତରେ ପିଲାଟିଏ ସହ କଥା ହେଇ ହେବ, ତା’ର ତ୍ରୁଟି ବିଚ୍ୟୁତି ପାଇଁ ଦଣ୍ଡ ନଦେଇ ଯେକୌଣସି ସମୟରେ ତା’ ସହ ଅନ୍ତରଙ୍ଗ ଆଳାପ କରିହେବ, ଯେଉଁଠି ସେ ଏକା ବସି ନିଜ ବ୍ୟବହାରର ସମୀକ୍ଷା କରିପାରିବ ।

କଥା ଥିଲା, କେହି ପିଲା ଦୁଷ୍ଟାମୀ କଲେ ତାକୁ କେହି କିଛି କହିବେନି କି ମାରିବେନି । ତାକୁ କେବଳ ସେଇ ରୁମ୍‌କୁ ପଠାଇଦେବେ, ଯେଉଁଠି ସେ ଚୁପ୍‌ଚାପ୍ ବସି ନିଜ କଥା ଭାବିବ ଓ ନିଜକୁ ବୁଝିବାର ପ୍ରୟାସ କରିବ ଅବା ଚାହିଁଲେ ନିଜ ମନକଥା ବା ଅଭିଯୋଗକୁ ଜଣଙ୍କ ପାଖରେ କହିପାରିବ । ରୁମ୍‌ର ପରିବେଶଟି ମଧ୍ୟ ସେମିତି ପ୍ରସ୍ତୁତ କରାଯାଇଥିଲା; ଯେଉଁଠି ପ୍ରବେଶ କରୁ କରୁ ଆପେ ଆପେ ନୀରବି ଯିବାକୁ ଇଚ୍ଛା ହେବ । ବଡ଼ ମଣିଷଟିଏ ନିଜ ବଡ଼ପଣିଆର ଗର୍ବ ନେଇ ଆଉ ଚାହିଁଲେ ବି ରାଗି ପାରିବନି ତା’ ଭିତରେ । ଏ କାର୍ଯ୍ୟଟି ସହିତ ବ୍ୟକ୍ତିଗତ କଥାବାର୍ତ୍ତା ଉପରେ ଖୁବ୍ ବେଶୀ ଗୁରୁତ୍ୱ ଦିଆଯାଇଥିଲା, ଯାହା ପରିବେଶରେ ଯେକୌଣସି ସମୟରେ ହୋଇପାରିଲା । ପିଲାଏ ବଡ଼ମାନଙ୍କ ସହ ନିର୍ଦ୍ଵନ୍ଦ୍ଵରେ ଖୋଲାଖୋଲି କଥା ହେବାର ସୁଯୋଗ ପାଇଲେ ।

ଏହି କାର୍ଯ୍ୟକ୍ରମକୁ ନେଇ ସବୁ ଶିକ୍ଷକଙ୍କର ଭିନ୍ନ ଭିନ୍ନ ଅନୁଭବ ଥିଲା । ବିନୀତ୍ କହେ ‘ନିଜକୁ ପିଲାମାନଙ୍କ ଆଗରେ ଠିକ୍ ତାଙ୍କରି ପରି ଉପସ୍ଥାପିତ କଲେ ସେମାନେ ଭାବନ୍ତି; ‘ଏମାନେ ବି ଆମରି ପରି । ଏମାନଙ୍କର ବି ଭୁଲ୍ ଭଟକା ହୋଇଯାଏ, ଭଲ ଲାଗୁଥିବା ଜିନିଷ ଖାଇବାକୁ ଇଚ୍ଛାହୁଏ, ବୁଲିବାକୁ, ଖେଳିବାକୁ ଇଚ୍ଛା ହୁଏ । ପଢ଼ିବାକୁ ଇଚ୍ଛା ହୁଏନା, ଇଂରାଜୀରେ କଥା ହେବା ଆସେନା । ଏତକ ବିଶ୍ୱାସ କରିଯିବା ପରେ ସେମାନେ ସବୁକଥା କହିଦିଅନ୍ତି । ସେମାନଙ୍କୁ ଟିକେ ଶ୍ରଦ୍ଧା କଲେ, ଭଲରେ ଯତ୍ନ ନେଲେ, ତାଙ୍କ ଇଚ୍ଛା ମୁତାବକ କାମ ସବୁ କରିଦେଲେ ମନକଥା ସବୁ କହିବାକୁ ସହଜ ଲାଗେ ତାଙ୍କୁ ।”

ସୁଶ୍ରୁତ କିନ୍ତୁ ପିଲାମାନେ ଯେତେବେଳେ ଯାହା ବି ମତାମତ ଦିଅନ୍ତି ସେସବୁ ନୀରବରେ ଶୁଣେ । ତାଙ୍କୁ ସିଧା ସିଧା କିଛି ମନା କରେନି କି ସଙ୍ଗେ ସଙ୍ଗେ ନିଜ ମତ ଶୁଣାଇ ଦିଏନି । ‘ହଉ ଦେଖିବା, ଚେଷ୍ଟା କରିବା’ କହି ରହିଯାଏ । ଏମିତି ହେବା ଦ୍ୱାରା ପିଲାଙ୍କ ଭିତରେ ବଡ଼ମାନଙ୍କ ପ୍ରତି ଏକ ବିଶ୍ୱାସ ସୃଷ୍ଟି ହେବାର ମୁଁ ଲକ୍ଷ୍ୟ କଲି ।

ସ୍ୱରାଜ କହେ “ପିଲାଙ୍କ ମନ ଦୁଃଖ ଥିବାବେଳେ ତାଙ୍କୁ ଟିକେ ସ୍ନେହରେ ଧରିଦେଲେ କି କଥା ଦି’ପଦ ହୋଇଗଲେ ସେମାନେ ସବୁ ଭୁଲି ଖୁସି ହୋଇଯାଉଛନ୍ତି ।”

ଜେସିକା କହେ, “ମୁଁ ପିଲାଙ୍କ ପାଖେ ସବୁବେଳେ ନିଜ ଅଭିଜ୍ଞତା କୁହେ ଓ ବୁଝାଏ । ତାଙ୍କ କଥା ବି ଶୁଣେ । ଗୋଟିଏ କଥାକୁ ବୁଝି ବିଚାରି ସ୍ୱୀକାର କରିବାକୁ ସମୟ ଦିଏ ।”

ରମ୍ୟା ସବୁବେଳେ କହେ “ମୁଁ ଆଉ ପିଲାଙ୍କ ଦାୟିତ୍ୱରେ ରହିପାରିବିନି, ଛାଡ଼ିଦେବି । ଆଉ ପାରିବିନି” । ଏଇ ଗୋଟିଏ କଥା ସେ ବୋଧହୁଏ ତିନି ମାସ ହେଲା କହି ଆସୁଛି । ତଥାପି ତା’ ଗ୍ରୁପ୍‌ର ପିଲାଙ୍କ ସମ୍ଭାବନାଗୁଡ଼ିକ ଚିହ୍ନି ବି ପାରୁଛି ।

ସେଦିନ ସେ ତା ଗ୍ରୁପ୍‌ର ‘ଗଗନ କଥା ଶୁଣୁନି’ ବୋଲି ସେ ଆସି ମୋତେ ଜଣାଇଲା । ଗଗନ ନିଜ ରୁମ୍ ଛାଡ଼ି ଅନ୍ୟ ଗୋଟିଏ ରୁମ୍‌କୁ ଯିବାକୁ ଜମା ବି ରାଜି ହେଉନଥାଏ । ସମସ୍ତେ ବୁଝାଇବା ପରେ ବି ନୁହେଁ । ଗଗନ ଉପରେ ମଝିରେ ବିରକ୍ତ ହୋଇଛି ବି ସୁଜୟ ଦୁଇ ତିନି ଥର । ରମ୍ୟାକୁ କହିଛି ତାକୁ ଜବରଦସ୍ତି କରି ଆର ରୁମ୍‌କୁ ଉଠେଇ ଦେବାକୁ । ମୁଁ ସେମିତି ନକରି ଗଗନ ସହ ଟିକେ କଥା ହେଲି । ସେଦିନ ପଇଁଚାଳିଶ ମିନିଟ୍ ଧରି ଆମେ ଦୁହେଁ ବସି ଘର, ସାଙ୍ଗଠୁ ଆରମ୍ଭ କରି ଦେଶ ଦୁନିଆଁ ଯାଏ କଥା ହୋଇ ସାରିବାବେଳକୁ ଗଗନ ଯାଇ ନିଜ ଜିନିଷପତ୍ର ସଜଡ଼ା ସଜଡ଼ି କରି ଆପେଆପେ ଅନ୍ୟ ରୁମ୍‌କୁ ଚାଲିଗଲା । ଅନ୍ୟ ରୁମ୍‌ରୁ ଯାଇ ସେ ରୁମ୍ ପିଲାଙ୍କର ଦାୟିତ୍ୱ ବି ନେଲା ।

ସବୁ କଥା ଭଲରେ ଓ ସହଜରେ ହେବା ପାଇଁ କେବଳ ଧୈର୍ଯ୍ୟ ଦରକାର । ଆମ ପାଖରେ ଅଛି ତ ସେତକ ?

ଏହି କଥାବାର୍ତ୍ତାର ପର୍ଯ୍ୟାୟ ଏମିତି ଜାଗାରେ ପହଞ୍ଚି ଯାଇଥିଲା ଯେ, ସେଦିନ ପଞ୍ଚମ ଶ୍ରେଣୀର ଅନୀଷ ଆସି ମୋତେ କହିଲା; ‘ତୋ ସହ ଟିକେ କଥା ଥିଲା’ । ମୁଁ କଣ ବୋଲି ପଚାରିବାରୁ କହିଲା, ‘ଆମ ଶ୍ରେଣୀର ତନୁ ମୋତେ ଏ ବର୍ଷ ଆରମ୍ଭରୁ ଭଲ ପାଉଛି ବୋଲି କହୁଛି । ମୁଁ କିଛି ଜାଣିପାରୁନି । ମୁଁ କ’ଣ କରିବି ବୋଲି ଭାବି ଭାବି ବି କିଛି ସ୍ଥିର କରିପାରୁନି, ମୋ ମୁଣ୍ଡ କାମ କରୁନି । ତୁ କ’ଣ ଗୋଟେ କହ ।’ ମୁଁ ତାକୁ କେତୋଟି ପ୍ରଶ୍ନ ପଚାରି ସେସବୁ ବିଷୟରେ ଟିକେ ଭାବିବାକୁ କହି ଛାଡ଼ିଦେଲି । କେତୋଟି ପ୍ରଶ୍ନର ଉତ୍ତର ସେ ସେଇଠି ହିଁ ଦେଇଦେଉଥାଏ । ଏଇ ଯେମିତି ‘ମୁଁ ବି ତାକୁ ଟିକେ ଟିକେ ଭଲ ପାଉଛି ଯେ, ହେଲେ ମାଆ ଶୁଣିଲେ ରାଗିବ ବୋଲି କିଛି ଗୋଟେ ଠିକ୍ କରି ତାକୁ କହିପାରୁନି ।’ ଅନ୍ୟ ପ୍ରଶ୍ନଗୁଡ଼ିକ ଭାବିବା ଲାଗି ଟିକେ ସମୟ ନେଲା । ଏଇ ଯେମିତି; ତନୁ କ’ଣ ଆଉ ସମସ୍ତଙ୍କୁ ଖରାପ ପାଉଛି କି ? ଅନ୍ୟ ସମସ୍ତଙ୍କୁ ତୁ ଯେମିତି ବ୍ୟବହାର ଦେଖଉଛୁ, ଭଲ ପାଇଲେ ସେସବୁ ବ୍ୟବହାରରେ କ’ଣ ସବୁ ପରିବର୍ତ୍ତନ ହେବ ବୋଲି ଭାବୁଛୁ ? ମଣିଷର ଗୁଣ ସମସ୍ତଙ୍କୁ ଭଲ ପାଇବା ନା ନୁହେଁ ? ମାଆ କାହିଁକି ରାଗିବ ଭାବୁଛୁ ?

ଏମିତି କିଛି ପ୍ରଶ୍ନର ଉତ୍ତର ଭାବି ଆସିବାକୁ ତାକୁ କହିଥିଲି । ସେ କିଛି ସମୟ ପରେ ଆସି ସେସବୁର ଉତ୍ତର ମଧ୍ୟ ଦେଲା । ତା’ ଉତ୍ତରଗୁଡ଼ିକ ଭିତରେ କିଛି ବୁଝିଲାପଣିଆ ଥିଲା ବୋଲି ‘ଜୀବନ ତୋର, ତେଣୁ ତୁ ହିଁ ନିଷ୍ପତ୍ତି ନେବା ଉଚିତ୍’ କହି ତାକୁ ଛାଡିଲି ।

ଏମିତି ଅନେକ ଘଟଣା ଯେଉଁଥିରୁ ବୁଝାପଡେ଼ ଯେ ଶିକ୍ଷକମାନେ ପିଲାଙ୍କ ସହ କଥା ହେବା ଦ୍ୱାରା କେତେ ନିବିଡ଼ତା ବଢେ଼ ଓ କେତେ ଅସୁବିଧାର ସହଜ ସମାଧାନ ହୋଇପାରେ । କିନ୍ତୁ ଅଭିଭାବକଙ୍କ ପାଖରେ ଏକଥାଟି ଘଟିପାରିଲାନି । ଅନେକ ମାଆ ବାପା ଯଦିଓ ପିଲାମାନଙ୍କ ସହ କଥା ହୁଅନ୍ତି ଘଣ୍ଟା ଘଣ୍ଟା ଧରି କିନ୍ତୁ ତାଙ୍କ କଥାଗୁଡ଼ିକ ଏମିତି ହୋଇଥାଏ ଯେ ତାହା ପିଲାକୁ ନିଜ କଥା କହିବାର ସୁଯୋଗ ଦିଏନି, କେବଳ ବାହାରର ତଥ୍ୟ ଓ ଅନ୍ୟମାନଙ୍କ ବିଷୟରେ ଏଣୁତେଣୁ କହିବାର ସୁଯୋଗ ସୃଷ୍ଟି କରିବା ଭିତରେ ସମୟ ସରିଯାଏ ।

ଏଇ ଯେମିତି ସମୀରାର ଏବେ ଦଶମ ଶ୍ରେଣୀ । ତା’ ମାଆ ସବୁ ସପ୍ତାହରେ ସମୀରାକୁ ଫୋନ୍ କରି ନିଶ୍ଚୟ କଥା ହୁଅନ୍ତି । ଘଣ୍ଟେ, ଦେଢ଼ଘଣ୍ଟା ଧରି ସେ ନିଶ୍ଚୟ କଥା ହୁଏ । କିନ୍ତୁ କଥାର ସାରମର୍ମ ଏହିପରି; ‘ଗ୍ରୁପ୍ ଦାୟିତ୍ୱରେ ଥିବା ଦିଦି ଫୋନ୍ ରେ କେତେ ସମୟ କଥା ହୁଅନ୍ତି ? କାହା ସହ କଥା ହୁଅନ୍ତି ? ରୁମ୍‌ର କେଉଁ ପିଲାର କାହା ସହ ପଡେ଼ନି ? ତୋ ସାଙ୍ଗର ମାଆ ଯେଉଁ ଆସିଥିଲେ ତାଙ୍କର କେମିତି ଘର ? ଏ ସପ୍ତାହରେ ପିଲାମାନେ ଲୁଚେଇ ଚୋରେଇ କ’ଣ ସବୁ ଖାଇଛନ୍ତି ? ସବୁ ସାର୍‌ମାନେ ପଢ଼ାଉଛନ୍ତି ନା କେହି କେହି ବେଶୀ ଛୁଟି ନେଉଛନ୍ତି ?’ ଏମିତି ଯାବତୀୟ ପ୍ରଶ୍ନ ।

ଏମିତି କଥା ଦ୍ୱାରା ପିଲା କେତେବେଳେ କେଉଁଠି କ’ଣ ହେଲା ବା ସେମିତି କିଛି ଘଟଣା ଘଟିଲେ ହିଁ ସେଇଟାକୁ କେବଳ ଜଣେଇବା ଲାଗି କଥା ହୁଏ । ସେ ବୁଝେ ଯେ କେବଳ ଏଇସବୁ କଥା ପାଇଁ ମଣିଷର କଥାବାର୍ତ୍ତା ହେବା ଜରୁରୀ । ନିଜ ମନକଥା କି କ୍ରିୟା - ପ୍ରତିକ୍ରିୟା ବିଷୟରେ କାହା ସହ କଥା ହେଇହୁଏନି କି ସେସବୁ ବୋଧେ ଜଣେଇବାର କଥା ନୁହେଁ । ଏମିତି କଥା ହେବା ପାଇଁ କିନ୍ତୁ ମୁଁ ବିଲ୍‌କୁଲ୍ ବି କହୁନଥିଲି ଅଭିଭାବକଙ୍କୁ । ଆଉ କିଛି କଥା କାଲିକୁ ।

Report an Error